ବୁଧବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧୢକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଙ୍ଗ୍ରେ ଦେଶରେ ଇଲେକ୍ଟ୍ରୋନିକ୍ ସିଗାରେଟ୍ (ଇ-ସିଗାରେଟ୍)ର ଉତ୍ପାଦନ, ଆମଦାନି, ବିକ୍ରୟ, ବିତରଣ ଏବ˚ ବିଜ୍ଞାପନକୁ ଏକ ଧର୍ତ୍ତବ୍ୟ ଅପରାଧରେ ପରିଣତ କରି ଅଧୢାଦେଶ ଜାରି କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଯେତେ ପ୍ରଶ˚ସା କଲେ ମଧୢ ଯଥେଷ୍ଟ ହେବ ନାହିଁ, କାରଣ ସରକାରୀ କାର୍ଯ୍ୟ ସ˚ସ୍କୃତିରେ ଖୁବ୍ କମ୍ ଏଭଳି ଉଦାହରଣ ଦେଖିବାକୁ ମିଳିଥାଏ, ଯେଉଁଠି ସରକାର ତିନ୍ତିବା ପୂର୍ବରୁ ଘର ଛାଇ ଥାନ୍ତି। ଇ-ସିଗାରେଟ୍ ଉପରେ ଏହି ନିଷେଧାଦେଶ ଲାଗୁ କରି ସରକାର କେବଳ ଘର ଉପରେ ଛଣଛପର ପକାଇ ନାହାନ୍ତି, ଏକାଥରେ ଢ଼ଳେଇ ଛାତ ପକାଇ ଦେଇଛନ୍ତି, ଯେମିତି ଟୋପାଏ ପାଣି ବି ଗଳି ପାରିବ ନାହିଁ- ଦମକାଏ ବି ଭେପିଙ୍ଗ୍ ଗନ୍ଧ ପଶି ପାରିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କାରଣ ଥରେ ଯଦି ଧୂଆଁପତ୍ର ଭିତ୍ତିକ ବିଡି, ସିଗାରେଟ୍ ପରି ଦେଶରେ ଇ-ସିଗାରେଟ୍ ପ୍ରବେଶ କରିବାକୁ ଦିଆଯାଆନ୍ତା, ତେବେ ସେଗୁଡ଼ିକ ଭଳି ଏହି ନୂତନ ଧୂମପାନ ସାଧନ ମଧୢ ଦେଶର ଅର୍ଥନୀତି ସହିତ ଏପରି ଅବିଚ୍ଛେଦ୍ୟ ବନ୍ଧୁତା ଅବିଳମ୍ବେ ସ୍ଥାପନ କରି ଦିଅନ୍ତା, ତାହାକୁ ହଟାଇବା ଆଉ ସମ୍ଭବ ହୁଅନ୍ତା ନାହିଁ। ବିଡି, ସିଗାରେଟ୍ ବ୍ୟବହାର ସହିତ କ୍ୟାନ୍ସର, ହୃଦ୍ରୋଗ, ଫୁସ୍ଫୁସ୍ ରୋଗ ଆଦିର ସିଧାସଳଖ ସମ୍ପର୍କ ଥିବା ଅକାଟ୍ୟ ଭାବରେ ସାବ୍ୟସ୍ତ ହୋଇ ସାରିଥିଲେ ମଧୢ ସରକାର ରାଜସ୍ବ ହରାଇବା ଭୟରେ ସେଗୁଡ଼ିକୁ ଆଉ ନିଷିଦ୍ଧ କରି ପାରୁନାହାନ୍ତି। କେବଳ ଅଧିକ ଅଧିକ ଟିକସ ଲାଗୁ କରୁଛନ୍ତି ଯାହା। ଏ ବର୍ଦ୍ଧିତ କର- କୌଶଳ ନିଶାଖୋରମାନଙ୍କୁ ନିବୃତ୍ତ କରିବାରେ ବିଫଳ ହେଉଥିବା ବେଳେ ସରକାରୀ ତହବିଲକୁ ସମୃଦ୍ଧ କରିବାରେ ଯାହା ସହାୟକ ହୋଇଥାଏ।
ଏବେ ନୁହେଁ, ଧୂମପାନର ଆଦ୍ୟ କାଳରୁ କର ଦ୍ବାରା ତାକୁ ନିର୍ବାପିତ କରିବାର ଉଦ୍ୟମ ସମ୍ପୂର୍ଣ୍ଣ ବିଫଳ ହେବା ଦେଖାଯାଇଛି। ଯେଉଁ ଆମେରିକାରୁ ଇ-ସିଗାରେଟ୍ ବାହାରି ବର୍ତ୍ତମାନ ସାରା ପୃଥିବରେ ଛାଇ ଯିବାକୁ ଆରମ୍ଭ କଲାଣି; ସେଇ ଆମେରିକାରୁ ହିଁ ଧୂଆଁପତ୍ର ବାହାରି ଷୋଡ଼ଶ ଶତାବ୍ଦୀରେ ପ୍ରଥମେ ଇଉରୋପରେ ଏବ˚ ପରେ ଉପନିବେଶ ସ୍ଥାପନ ଓ ବାଣିଜ୍ୟ ମାଧୢମରେ ପୃଥିବୀର ଅନ୍ୟ ଅଞ୍ଚଳରେ ପହଞ୍ଚି ଯାଇଥିଲା। ନିଜ ରାଜ୍ୟ ଇ˚ଲାଣ୍ତ ଭିତରକୁ ଧୂଆଁପତ୍ର ଆମଦାନିକୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ଇ˚ଲାଣ୍ତର ତତ୍କାଳୀନ ରାଜା ପ୍ରଥମ ଜେମ୍ସ ୧୬୦୪ରେ ଧୂମପାନର ସମସ୍ତ ଅବିଗୁଣ ସମ୍ବଳିତ ଏକ କଟୁ ସମାଲୋଚନା ରଚନା କରିଥିଲେ, ଯେଉଁଥିରେ ସେ ଏହାକୁ ‘‘ଦୃଷ୍ଟିକଟୁ, ଦୁର୍ଗନ୍ଧଯୁକ୍ତ, ମସ୍ତିଷ୍କ ପାଇଁ ହାନିକାରକ, ଫୁସ୍ଫୁସ୍ ପାଇଁ ବିପଜ୍ଜନକ’’ ଆଦି ବିଶେଷଣରେ ଭୂଷିତ କରିଥିଲେ। ସେଇ ବର୍ଷ ଇ˚ଲାଣ୍ତରେ ଏକ ଆଇନ୍ ପ୍ରଣୟନ କରାଯାଇ ଧୂଆଁପତ୍ର ଉପରେ ଆମଦାନି ଶୁଳ୍କରେ ୪,୦୦୦% ବୃଦ୍ଧି କରି ଦିଆଗଲା! ଏହା ସତ୍ତ୍ବେ ସେ ଦେଶରେ ଧୂଆଁପତ୍ର ପ୍ରତି ଚାହିଦାରେ କୌଣସି ସ୍ଖଳନ ଘଟିବା ଦେଖାଗଲା ନାହିଁ। ଇ˚ରେଜମାନେ ପକେଟ୍ ଖାଲି କରି ଧୂମ କୁଣ୍ତଳୀ ସୃଷ୍ଟି କରି ଚାଲିଲେ।
ସୀତାରମଣ ତେଣୁ ଆଉ ରାଜା ଜେମ୍ସଙ୍କ ପଦାଙ୍କ ଅନୁସରଣ କରି ଇ-ସିଗାରେଟ୍ ରୂପକ ସଦ୍ୟତମ ଆମେରିକୀୟ ଅନୁପ୍ରବେଶକାରୀକୁ କର ଭାର ଯୋଗେ ଅଟକାଇବା ପରିବର୍ତ୍ତେ ତାକୁ ଉକ୍ତ ଅଧୢାଦେଶ ଦ୍ବାରା ମୂଳୁ ମାରି ଦେବାକୁ ପସନ୍ଦ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ଏ ନିଷ୍ପତ୍ତିକୁ ଯାହା ପ୍ରଭାବିତ କରିଛି ତାହା ହେଲା ଇ-ସିଗାରେଟ୍ର ବିଭିନ୍ନ ମନ୍ଦ ପ୍ରଭାବ ସମ୍ବନ୍ଧରେ ସେଇ ଆମେରିକାରୁ ମିଳୁଥିବା ରିପୋର୍ଟମାନ।
ପାରମ୍ପରିକ ସିଗାରେଟ୍ର କାଗଜ ଓ ଧୂଆଁପତ୍ରରେ ଅଗ୍ନିସ˚ଯୋଗ କରାଯିବା ପରେ ସେଥିରୁ ନିର୍ଗତ ଧୂଆଁକୁ ସେବନକାରୀ ନିଜର ଫୁସ୍ଫୁସ୍ ଭିତରକୁ ଶୋଷି ନେଇଥାଏ। ଏହି ଧୂଆଁରେ ଥିବା କ୍ଷତିକାରକ ପଦାର୍ଥମାନଙ୍କୁ ଏଡ଼ାଇବା ପାଇଁ ହିଁ ଇ-ସିଗାରେଟ୍ର ଉଦ୍ଭାବନ। ଏହା ହେଉଛି ଏକ ବ୍ୟାଟେରୀ ଚାଳିତ ଛୋଟ ହିଟର୍ ଯାହା ତାହା ସହିତ ସ˚ଯୁକ୍ତ ଏକ ପାତ୍ରରେ ଥିବା ତମାଖୁର ନିଶା ସୃଷ୍ଟିକାରୀ ଅ˚ଶ ନିକୋଟିନ୍ର ଦ୍ରବଣକୁ ଉତ୍ତପ୍ତ କରି ବାଷ୍ପୀଭୂତ କରିଥାଏ। ସେବନକାରୀ ଏକ ନଳୀ ଦେଇ ଏହି ବାଷ୍ପକୁ ଫୁସ୍ଫୁସ୍ ଭିତରକୁ ଶୋଷି ନେଇଥାଏ। ନିର୍ମାତାମାନେ ଆନନ୍ଦ ବୃଦ୍ଧି ନିମିତ୍ତ ଏହି ନିକୋଟିନ୍ ଦ୍ରବଣରେ ବିଭିନ୍ନ ସ୍ବାଦ ମିଶାଇଥାନ୍ତି। କେତେକ ନିର୍ମାତା ତ ଏଥିରେ ଗଞ୍ଜେଇ ରସ ମଧୢ ମିଶାଇବା ଦେଖାଯାଏ। ଅଳ୍ପ ବୟସ୍କ ବାଳକ ବାଳିକାମାନଙ୍କୁ ଆକର୍ଷିତ କରିବା ପାଇଁ ଏଥିରେ ବିଭିନ୍ନ ଫଳର ସ୍ବାଦ ମିଶ୍ରଣ କରାଯାଇଥାଏ। ଦ୍ରବଣକୁ ବହଳିଆ କରିବା ପାଇଁ ଏଥିରେ ଭିଟାମିନ୍-ଇ ମଧୢ ମିଶାଯିବା ଦେଖା ଯାଇଥାଏ।
ବଜାରରେ ଇ-ସିଗାରେଟ୍ର ଆବିର୍ଭାବ ଘଟିବାର ପ୍ରାୟ ୧୦ ବର୍ଷ ପୂରିଲାଣି ଏବ˚ ଇତି ମଧୢରେ ଆମେରିକାରେ ଏହାର ପ୍ରାପ୍ତ ବୟସ୍କ ବ୍ୟବହାରକାରୀଙ୍କ ସ˚ଖ୍ୟା ପ୍ରାୟ ୧୧ ନିୟୁତ ଛୁଇଁଲାଣି। ଆରମ୍ଭରେ ଆଶା କରାଯାଉଥିଲା ଯେ ଇ-ସିଗାରେଟ୍ ବ୍ୟବହାରକାରୀକୁ ସିଗାରେଟ୍ର ମଜା ଦେବ, କିନ୍ତୁ ଧୂଆଁ ନ ଥିବାରୁ କୌଣସି ସ୍ବାସ୍ଥ୍ୟଗତ କ୍ଷତି ସୃଷ୍ଟି କରିବ ନାହିଁ। ତାହା ଏବେ ସେଠାରେ ମିଥ୍ୟା ପ୍ରମାଣିତ ହୋଇଛି। ଇ-ସିଗାରେଟ୍ ବ୍ୟବହାର ଯୋଗୁଁ ଆମେରିକାର ବିଭିନ୍ନ ସ୍ଥାନରେ ଏବେ ଅନ୍ୟୂନ ଛ’ଜଣଙ୍କର ମୃତ୍ୟୁ ଘଟିଥିବା ଏବ˚ ଆଉ ୪୫୦ ଜଣ ଗୁରୁତର ଫୁସ୍ଫୁସ୍ ରୋଗରେ ପଡ଼ିଥିବା ଖବର ସେଠାରେ ଏପରି ଚାଞ୍ଚଲ୍ୟ ସୃଷ୍ଟି କରିଛି ଯେ ସେପ୍ଟେମ୍ବର ୧୧ରେ ଟ୍ରମ୍ପ୍ ପ୍ରଶାସନ ସ୍ବାଦଯୁକ୍ତ ଭେପିଙ୍ଗ୍ ପଦାର୍ଥମାନ (ଇ-ସିଗାରେଟ୍ ଟାଣିବାକୁ ‘ଭେପିଙ୍ଗ୍’ କୁହାଯାଉଛି) ଉପରେ ନିଷେଧାଦେଶ ଜାରି କରିବାର ଯୋଜନା ଘୋଷଣା କରିଛି।
ସେଠାରେ ‘ନେସନାଲ୍ ୟୁଥ୍ ଟବାକୋ ସର୍ଭେ’ ନାମକ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୧୭-୧୮ ମଧୢରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧୢରେ ଇ-ସିଗାରେଟ୍ ବ୍ୟବହାରରେ ୭୮% ବୃଦ୍ଧି ଘଟିଛି। ଭାରତ ଭଳି ବିଶୃଙ୍ଖଳିତ ଦେଶରେ କୋମଳମତି କିଶୋର କିଶୋରୀମାନେ ଅପେକ୍ଷାକୃତ ସହଜରେ ଇ-ସିଗାରେଟ୍ ପାଲରେ ପଡ଼ିଯିବାର ସମସ୍ତ ସମ୍ଭାବନା ରହିଛି। କେତେକ କହୁଛନ୍ତି ଯେ ସିଗାରେଟ୍ ଅଭ୍ୟାସ ଛଡ଼ାଇବା ପାଇଁ ଇ-ସିଗାରେଟ୍ ହେଉଛି ଏକ ଅପେକ୍ଷାକୃତ କମ୍ କ୍ଷତିକାରକ ବିକଳ୍ପ; ତେଣୁ କେବଳ ସ୍ବାଦଯୁକ୍ତ ଇ-ସିଗାରେଟ୍କୁ ନିଷିଦ୍ଧ କରାଯାଉ କିନ୍ତୁ ବିଶୁଦ୍ଧ ଇ-ସିଗାରେଟ୍ ଅବାଧରେ ଉପଲବ୍ଧ ହେବା ପ୍ରତି ବାଧା ସୃଷ୍ଟି କରାନଯାଉ। ଏହା ଉଦ୍ଦେଶ୍ୟ ପ୍ରଣୋଦିତ ଯୁକ୍ତି। ଧୂମପାନ ବିରୋଧରେ ବର୍ତ୍ତମାନ ସଚେତନତା ବୃଦ୍ଧି ପାଉଥିବା ସମୟରେ ସେ ଅଭ୍ୟାସରେ ପୂର୍ଣ୍ଣଚ୍ଛେଦ ପକାଇବା ପରିବର୍ତ୍ତେ ଏକ ଅନୁରୂପ ନୂତନ ଅଭ୍ୟାସ ସୃଷ୍ଟି କରିବା ଆତ୍ମଘାତୀ ହୁଅନ୍ତା। ସରକାର ବର୍ତ୍ତମାନ ସେ ‘ଇ-ବାହାନା’ରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।