ନିର୍ମାଣାଧୀନ ଅବସ୍ଥାରେ ବମିଖାଲ ରୋଡ୍ ଓଭର ବ୍ରିଜ୍ ଭୁଶୁଡ଼ି ପଡ଼ିବା ଘଟଣାର ତଦନ୍ତ କରୁଥିବା ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ହସ୍ତଗତ ହୋଇଛି। ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଆଧାରରେ ଦାୟିତ୍ୱରେ ଅବହେଳା ପାଇଁ ଅଭିଯୁକ୍ତ ଇଞ୍ଜିନିୟର ଓ ଠିକା ସଂସ୍ଥା ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଓ ଏଭଳି ଦୁର୍ଭାଗ୍ୟଜନକ ଦୁର୍ଘଟଣାର ପୁନରାବୃତ୍ତି ଏଡ଼ାଇବା ଲାଗି ବ୍ୟବସ୍ଥାଗତ ପଦକ୍ଷେପ ସମ୍ପର୍କରେ ସର୍ବୋଚ୍ଚ ସ୍ତରରେ ବିଚାର ଆଲୋଚନା ଚାଲିଛି। ତେବେ ଏ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଯାହା ବି ହେଉ, ତଦନ୍ତ ରିପୋର୍ଟରେ ପୂର୍ତ୍ତ ବିଭାଗର କର୍ମ ସଂସ୍କୃତି ଓ କାର୍ଯ୍ୟଧାରାର ଯେଉଁ ଉଦ୍ବେଗଜନକ ଚିତ୍ର ମିଳିଛି, ଯଦି ତାହା ନ ବଦଳେ, ବମିଖାଲ ଭଳି ଦୁର୍ଘଟଣାର ପୁନରାବୃତ୍ତି ଯେ ନ ଘଟିବ, ତାହା ନିଶ୍ଚିତ କରାଯାଇ ପାରିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁଯାୟୀ ଓଭରବ୍ରିଜ୍ ନିର୍ମାଣରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିଓରର ଅନୁପାଳନ ହୋଇ ନଥିଲା। ଇଞ୍ଜିନିୟରମାନେ ନିର୍ମାଣ କାର୍ଯ୍ୟର ନିୟମିତ ତଦାରଖ କରୁ ନଥିଲେ। ଫଳରେ କୌଣସି ସମୟରେ ବି ନିର୍ମାଣରେ ତ୍ରୁଟି ବିଚ୍ୟୁତି ନେଇ ଠିକା ସଂସ୍ଥାକୁ ତାଗିଦ କରାଯାଇ ନଥିଲା। ନିର୍ମାଣ ସମୟରେ ସୁରକ୍ଷା ପାଇଁ ରହିଥିବା ବ୍ୟବସ୍ଥାର ଅନୁପାଳନ ପ୍ରତି ମଧ୍ୟ ଅଣଦେଖା କରାଯାଇଥିଲା। ମୋଟ ଉପରେ କର୍ତ୍ତବ୍ୟବୋଧ, ସ୍ୱଚ୍ଛତା ଓ ଦକ୍ଷତାର ଅଭାବ ଏବଂ ତା’ଉପରେ ଖାମଖିଆଲି, ବେପରୁଆ ମନୋଭାବର ଗନ୍ଧ ରିପୋର୍ଟରେ ସ୍ପଷ୍ଟ ବାରି ହେଉଛି। ଏ ପ୍ରକାର ଏକ ବୃତ୍ତିଗତ ସାଧୁତା ରହିବ କର୍ମସଂସ୍କୃତି ଓ ଅଣପେସାଦାର କାର୍ଯ୍ୟଧାରାରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇ ଦୁର୍ଘଟଣା ଘଟିବା ଆଦୌ ଅପ୍ରତ୍ୟାଶିତ କିମ୍ବା ଅସ୍ୱାଭାବିକ ନୁହେଁ।
ଦୁର୍ଭାଗ୍ୟର ବିଷୟ ହେଲା, ବମିଖାଲ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟରେ ଉଦାସୀନତା, ଅସ୍ୱଚ୍ଛତା ଓ ବୃତ୍ତିଗତ ଅସାଧୁତା ତଥା ଅଦକ୍ଷତା ଆକ୍ରାନ୍ତ କର୍ମସଂସ୍କୃତିର ଯେଉଁ ଚିତ୍ର ମିଳିଛି, ତାହା କେବଳ ପୂର୍ତ୍ତ ବିଭାଗରେ ସୀମିତ ନୁହେଁ। ରାଜ୍ୟରେ ନୂଆ ଭିତ୍ତିଭୂମି ନିର୍ମାଣ ଓ ଭିତ୍ତିଭୂମିର ବିକାଶ ଦାୟିତ୍ୱରେ ଥିବା ଏମିତି କୌଣସି ବିଭାଗ କିମ୍ବା ସରକାରୀ ସଂସ୍ଥା ନାହିଁ, ଯାହା ଏ ପ୍ରକାର କୁ-କର୍ମ ସଂସ୍କୃତିର ସଂକ୍ରମଣରୁ ମୁକ୍ତ। ବମିଖାଲ ଦୁର୍ଘଟଣା ନେଇ ବିଶେଷଜ୍ଞ କମିଟିଙ୍କ ରିପୋର୍ଟରେ କାର୍ଯ୍ୟଧାରାରେ ଯେଉଁ ଅନିୟମିତତା, ଅବହେଳା ପ୍ରତି ଅଙ୍ଗୁଳି ନିର୍ଦେଶ କରାଯାଇଛି, ପ୍ରାୟ ପ୍ରତ୍ୟେକ ବର୍ଷ ବିଧାନସଭାରେ ଉପସ୍ଥାପିତ ହେଉଥିବା ସିଏଜି ରିପୋର୍ଟରେ ମଧ୍ୟ ପ୍ରାମାଣିକତାର ସହ ସେହିପରି ଅନିୟମିତତା ଓ ଅବହେଳାର ଅନେକ ଅଧ୍ୟାୟ ସ୍ଥାନ ପାଇଥାଏ।
ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଉପସ୍ଥାପିତ ସିଏଜି ରିପୋର୍ଟରେ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଅନିୟମିତତା, ଠିକାଦାରଙ୍କୁ ଅନୁଚିତ ଫାଇଦା ପ୍ରଦାନ ସଂକ୍ରାନ୍ତ ଅନେକ ତଥ୍ୟ ରହିଛି। ଅର୍ଥାତ୍ ବମିଖାଲ ଓଭର ବ୍ରିଜ୍ ନିର୍ମାଣରେ ଦେଖା ଯାଇଥିବା ଅନିୟମିତତା, ଅବହେଳା ଏକ ବ୍ୟତିକ୍ରମ ନୁହେଁ। ଏହା ଏକ ଧାରା। ପୂର୍ତ୍ତ ବିଭାଗର ଅନେକ ପ୍ରକଳ୍ପ ଏ ରୋଗ ଦ୍ୱାରା ଆକ୍ରାନ୍ତ। ସିଏଜିଙ୍କ ତଥ୍ୟ ଅନୁଯାୟୀ କେତେକ ନିର୍ଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯାଇ ଠିକାଦାରଙ୍କୁ ଅନୁଚିତ ଲାଭ ପାଇଁ ସୁଯୋଗ ଦିଆଯାଇଛି। ଫଳରେ ସରକାରୀ ତହବିଲର ୫୦ କୋଟି ଟଙ୍କା କ୍ଷତି ହୋଇଛି। ଏହା କେବଳ ଠିକାଦାର ଓ ବିଭାଗୀୟ ଇଞ୍ଜିନିୟରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ପ୍ରତି ଇଙ୍ଗିତ କରୁନାହିଁ, ‘ସରକାର୍କା ମାଲ୍ ଦରିଆ ମେ ଡାଲ୍’, ଆଭିମୁଖ୍ୟର ପରିଚାୟକ ଓ ସରକାରୀ ପାଣ୍ଠିର ହରିଲୁଟ୍ର ଦୁଃଖଦ ଉଦାହରଣ। ରିପୋର୍ଟ ଅନୁଯାୟୀ ଅନେକ ପ୍ରକଳ୍ପରେ ଭାରତୀୟ ରୋଡ୍ କଂଗ୍ରେସ (ଆଇ.ଆର୍.ସି) ଧାର୍ଯ୍ୟ କରିଥିବା ବୈଷୟିକ ମାନ ରକ୍ଷା କରାଯାଇ ନାହିଁ, ଧାର୍ଯ୍ୟ ନିୟମର ଉଲ୍ଲଂଘନ ହୋଇଛି। ବିଭାଗୀୟ କର୍ମକର୍ତ୍ତା ଓ ଠିକାଦାରଙ୍କ ବିନା ସଲାସୁତୁରାରେ ଏହା କ’ଣ ସମ୍ଭବ? ତେବେ ଏହାର ସ୍ୱାଭାବିକ ପରିଣାମ ହେଲା ନିମ୍ନମାନର କାର୍ଯ୍ୟ।
ବମିଖାଲ ଦୁର୍ଘଟଣାର ଅଳ୍ପ ବ୍ୟବଧାନରେ ବରଗଡ଼ ନିକଟରେ ଗୋଟିଏ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ପଡ଼ିଲା। ଦାୟିତ୍ୱହୀନତା, ଅସ୍ୱଚ୍ଛତା ଓ ଅଦକ୍ଷତା ଆକ୍ରାନ୍ତ କାର୍ଯ୍ୟ ସଂସ୍କୃତିର ଏହା ଆଉ ଏକ କୁପରିଣତି। ଗ୍ରାମାଞ୍ଚଳ ବିଭାଗର ନିର୍ମାଣ କାର୍ଯ୍ୟରେ ଅନିମୟିତତାର ଉଦାହରଣ କେବଳ ଭୁଶୁଡ଼ି ପଡ଼ିଥିବା ପୋଲ ନୁହେଁ। ଏମିତି ଅନେକ ଉଦାହରଣ ସିଏଜିଙ୍କ ରିପୋର୍ଟରେ ରହିଛି। ସାଧାରଣ ଓ ସାମାଜିକ କ୍ଷେତ୍ର ସଂକ୍ରାନ୍ତ ରିପୋର୍ଟର ୬୯ ପୃଷ୍ଠାରେ ସିଏଜି ଉଲ୍ଲେଖ କରିଛନ୍ତି ଯେ, ବିଭାଗ ଦ୍ୱାରା ୯.୫୯ କୋଟି ବ୍ୟୟରେ ନିର୍ମିତ ୧୨୮ଟି ସି.ସି. ରାସ୍ତାର ସମୀକ୍ଷାରୁ ଜଣାପଡ଼ିଲା ଯେ ୮୯ଟି ରାସ୍ତା ନିର୍ମାଣରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନୀତି ନିୟମର ପାଳନ ହୋଇଥିବା ବେଳେ ୩୯ଟି ରାସ୍ତା ନିର୍ମାଣରେ ତା’ର ଖିଲାପ କରାଯାଇଛି। ଫଳରେ ଅଯଥାରେ ୧ କୋଟି ୯ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ଭାତ ହାଣ୍ଡିରୁ ଗୋଟିଏ ଭଳି ଏଥିରୁ ସହଜରେ ଅନୁମେୟ ଅନିୟମିତତାର ମାତ୍ରା କେତେ! ଯେଉଁଠି ଅନିୟମିତତା ସେଇଠି ଭ୍ରଷ୍ଟାଚାର। ଏହି ରିପୋର୍ଟରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପରେ ମଧ୍ୟ ବ୍ୟାପକ ଅନିୟମିତତା ଓ ଠିକା ସଂସ୍ଥା ମାନଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ ନେଇ ଅନେକ ତଥ୍ୟ ରହିଛି।
ଜଳସେଚନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ସେଚ ପ୍ରକଳ୍ପରେ ଅନିୟମିତତା ଓ ଦୁର୍ନୀତି ନେଇ ଏକାଧିକ ଥର ସିଏଜି ସରକାରଙ୍କୁ ଚେତାଇଛନ୍ତି, ତାଗିଦ କରିଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ହେଲା, ଅସାଧୁତା, ଅସ୍ୱଚ୍ଛତା ଓ ଅଦକ୍ଷତା ସ୍ଥଳ ବିଶେଷରେ ଅପାରଗତା ଯେମିତି ସରକାରୀ କଳର କର୍ମସଂସ୍କୃତିର ଅଂଶ, ସେହିଭଳି ସିଏଜିଙ୍କ ରିପୋର୍ଟ ଉପରେ ନିର୍ଲିପ୍ତ ନିଷ୍କ୍ରିୟତା ମଧ୍ୟ ସରକାରୀ କଳର ସହଜାତ ସ୍ୱଭାବ। ଏଥିରେ ଅବସ୍ଥାରେ ଉନ୍ନତି ଆସିବ କେମିତି?
ପୂରା ସରକାରୀ କଳକୁ ଆକ୍ରାନ୍ତ କରିଥିବା ଏ ଅସୁସ୍ଥ, ଅସ୍ୱସ୍ତିକର କର୍ମସଂସ୍କୃତିର କୁଫଳ ଭୋଗୁଛନ୍ତି ସାଧାରଣ ଜନତା। ଟିକସଦାତାଙ୍କ କୋଟି କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ନିର୍ମାଣ ହେଉଛି, ଅଥଚ ତା’ର ପୂରା ଲାଭ ଜନତାଙ୍କୁ ମିଳୁନାହିଁ। ଏକେ ତ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ବହୁଗୁଣ ବୃଦ୍ଧି ପାଉଛି। ରାଜ୍ୟରେ ଏମିତି ଅନେକ ପ୍ରକଳ୍ପ ରହିଛି, ଯାହା ୧୦ ବର୍ଷ ଏପରିକି କୋଡ଼ିଏ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହେଇନାହିଁ। ପୁଣି ନିମ୍ନମାନର କାର୍ଯ୍ୟଯୋଗୁ ଅନେକ ପ୍ରକଳ୍ପ ଖୁବ୍ ଅଳ୍ପ ଦିନ ମଧ୍ୟରେ ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ଫଳରେ ରାଜକୋଷର କୋଟି କୋଟି ଟଙ୍କା ଶ୍ରାଦ୍ଧ ହେବା ସାର ହୋଇଛି ସିନା ଲୋକଙ୍କ କାମରେ ତାହା ଆସୁନାହିଁ। ଏହା ରାଜ୍ୟ ଓ ଲୋକଙ୍କ ସ୍ୱାର୍ଥର ପରିପନ୍ଥୀ।
ତେଣୁ ବମିଖାଲ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟ ପରିପ୍ରେକ୍ଷୀରେ କେବଳ ପୂର୍ତ୍ତବିଭାଗ ନୁହେଁ, ନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ପ୍ରତ୍ୟେକ ବିଭାଗ ଓ ସଂସ୍ଥାର କର୍ମସଂସ୍କୃତିରେ ସଂସ୍କାର ଓ ଆଭିମୁଖ୍ୟ ପରିବର୍ତ୍ତନ ଆବଶ୍ୟକ। ଅସାଧୁତା ସ୍ଥାନରେ ସାଧୁତା, ଅସ୍ୱଚ୍ଛତା ସ୍ଥାନରେ ସ୍ୱଚ୍ଛତା, ଅଦକ୍ଷତା ବଦଳରେ ଦକ୍ଷତା ଯେମିତି ବାହାଲ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।