ଅନ୍ଧ ଗଳି

୨୦୧୭ ମସିହାରେ ‘ଅଲ ଜଜିରା’ ଚ୍ୟାନେଲରେ ପ୍ରସାରିତ ଏକ ଦଶ ମିନିଟିଆ ଡକ୍ୟୁମେଣ୍ଟାରିରେ ଝାଡ଼ଖଣ୍ଡର ଜନଜାତି ସଂପ୍ରଦାୟର ଜଣେ ବୃଦ୍ଧା କହିଥିଲେ, ‘ପାଖ ଘରେ କେହି ହଠାତ୍ ବେମାର ପଡ଼ିଲେ ବା ଆଖପାଖ ଘରେ କୁକୁଡ଼ା କି ମଇଁଷି ମରିଗଲେ ମୁଁ ଭୟରେ ଶିହରି ଉଠେ। ଡାହାଣୀ ବୋଲି କହି ମାରି ଦେବାକୁ କେତେ ସମୟ ଲାଗିବ? ଏଭଳି ଏକ ମନ୍ତବ୍ୟରେ ପ୍ରଚ୍ଛଦପଟରୁ ବୃତ୍ତଚିତ୍ରଟିର ଉପସ୍ଥାପକ ଯେତେବେଳେ କହିଲେ, ‘ଏଭଳି ଭୟରେ ବଞ୍ଚିବା ଅହେତୁକ ନୁହେଁ କି? ଆଉ କେଉଁଠାକୁ ଚାଲି ଯାଉନା?’ ଏହାର ଉତ୍ତରରେ ବୃଦ୍ଧା ଜଣକ କହିଥିଲେ, ‘କୁଆଡ଼େ ଯିବି? ଏଇଟା ତ ମୋ ନିଜ ଜାଗା! ମୋ ନିଜ ଲୋକଙ୍କ ଭିତରେ ତ ମୁଁ ଅଛି! ଏବେ ଉପସ୍ଥାପକ ମହାଶୟଙ୍କ ସ୍ବଗତୋକ୍ତି ଥିଲା, ‘ତା’ ମାନେ ଏହା ଗୋଟିଏ ‘କଲ୍‌ ଡି ସ୍ୟାକ୍‌’, ଯାହାର ଅର୍ଥ ହେଲା ‘ଏହା ଗୋଟିଏ ଅନ୍ଧ ଗଳି।’

ଯେଉଁ ବର୍ଷ ଏହ‌ି ବୃତ୍ତଚିତ୍ରଟି ପ୍ରସାରିତ ହୋଇଥିଲା, ସେହି ବର୍ଷ ପ୍ରକାଶିତ ହୋଇଥିବା ‘ନେସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ’ ରିପୋର୍ଟ ଅନୁସାରେ ଡାହାଣୀ ବା ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଝାଡ଼ଖଣ୍ଡରେ ସର୍ବାଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏବଂ ତା ପଛକୁ ଥିଲା ଆମ ରାଜ୍ୟ ଓଡ଼ିଶା।

ଗଲା ୧୮ ତାରିଖ ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଏକ ବିମର୍ଷକର ସମ୍ବାଦ ଥିଲା ଯେ କେବଳ ଗଲା ସାତ ଦିନ ଭିତରେ ଆମ ରାଜ୍ୟରେ ୬ ଜଣଙ୍କୁ ଏଭଳି ଅନ୍ଧବିଶ୍ବାସ କାରଣରୁ ହତ୍ୟା କରାଯାଇଛି। ଏବଂ ଚଳିତ ବର୍ଷ ଗଲା ୯ ମାସ ଭିତରେ ୩୨ ଜଣ ଏହି କାରଣରୁ ପ୍ରାଣ ହରାଇ ସାରିଲେଣି। ଅନ୍ଧବିଶ୍ବାସର ଏହି ହତଭାଗ୍ୟ ଶିକାରମାନଙ୍କ ଭିତରେ ଅଛନ୍ତି ବୃଦ୍ଧ-ବୃଦ୍ଧା, ପୁରୁଷ-ମହିଳା ଏବଂ ନାବାଳକ। କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆମ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଥାନାଗୁଡ଼ିକରେ ଯେତିକି ମାମଲା ରୁଜୁ କରାଯାଉଛି, ସେଥି ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ହେଉଛି ଗୁଣି ଗାରେଡ଼ି ସଂପର୍କିତ। ସେହି ସୂଚନାନୁସାରେ ଆମ ରାଜ୍ୟରେ ୨୦୧୬ରେ ୫୮, ୨୦୧୭ରେ ୩୬, ୨୦୧୮ରେ ୩୯ ଓ ୨୦୧୯ରେ ଏବେ ସୁଦ୍ଧା ୩୨ ଜଣ ଡାହାଣୀ ବା ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟାର ଶିକାର ହୋଇଛନ୍ତି। ଏହା ଯେ ଉଦ୍‌ବେଗଜନକ, ଏଥିରେ ସନ୍ଦେହ ନାହିଁ।

ଅନୁଶୀଳନରୁ ଜଣାଯାଏ ଯେ ଏଭଳି ହତ୍ୟାକାଣ୍ଡଗୁଡ଼ିକ ପଛରେ ଥିବା ଏକ ମୁଖ୍ୟ କାରଣ ହେଉଛି ସଂପୃକ୍ତ ଅଞ୍ଚଳରେ ଶାରୀରିକ ଅସୁସ୍ଥତା କାରଣରୁ କାହାର ଅଚାନକ ମୃତ୍ୟୁ ହେବା ବା ବାରମ୍ବାର କୌଣସି ରୋଗର ଆବିର୍ଭାବ ଘଟିବା ଅଥବା ଗୃହପାଳିତ ପଶୁପକ୍ଷୀ ରୋଗରେ ମରିବା। ଆଦିବାସୀ ସମାଜରେ ପୂଜାରୀମାନେ ହିଁ ପାରଂପରିକ ଚିକିତ୍ସକ। ଝଡ଼ା, ଫୁଙ୍କା, ତୁଟୁକା, ଚେରମୂଳି ଓ ତନ୍ତ୍ର ବିଦ୍ୟା ମାଧ୍ୟମରେ ରୋଗ ଚିକତ୍ସା ଆଦିବାସୀ ସମାଜରେ ଅନାଦି କାଳରୁ ଚଳି ଆସିଛି। ଏହା ହିଁ ସେହି ସମାଜରେ ଅନ୍ଧବିଶ୍ବାସର ଲଟି ମାଡ଼ିଯିବାର ଉର୍ବର ଭୂମି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଯାହା ଏକାନ୍ତ ଆବଶ୍ୟକ, ତାହା ହେଉଛି ସେହି ସବୁ ସ୍ଥାନରେ ଆଧୁନିକ ଚିକିତ୍ସା ଓ ଔଷଧର ସହଜ ଲଭ୍ୟତା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଯେଉଁଠି ଆଧୁନିକ ଚିକିତ୍ସା ଓ ଚିକିତ୍ସକଙ୍କ ସବୁଠାରୁ ଅଧିକ ପ୍ରୟୋଜନ, ତାହା ସେହିଠାରେ ହିଁ ଅନୁପସ୍ଥିତ। ଯଦିଓ, ସ୍ଥିତିରେ ଏବେ କିଛିଟା ପରିବର୍ତ୍ତନ ଆସିଲାଣି। ଆଦିବାସୀ ସଂପ୍ରଦାୟର ଅଧିକରୁ ଅଧିକ ଲୋକ ଦୂର-ଅଦୂର ଡାକ୍ତରଖାନାଗୁଡ଼ିକୁ ଆସୁଛନ୍ତି। ତଥାପି, ସେଠାକାର ଅବ୍ୟବସ୍ଥା ତଥା ଡାକ୍ତର ଅଭାବଜନିତ ସମସ୍ୟା ସେମାନଙ୍କ ଭିତରୁ ଅନେକଙ୍କୁ ପୁଣି ଗାଁର ଗୁଣିଆ ନିକଟକୁ ଫେରିଯିବାକୁ ବାଧ୍ୟ କରୁଛି। ଗଲା ଶୁକ୍ରବାର, ଏହି ଖବରକାଗଜରେ ପ୍ରକାଶିତ ଆଉ ଏକ ସମ୍ବାଦ ହେଲା ଯେ ଆମ ରାଜ୍ୟରେ ସାପ କାମୁଡ଼ାରେ ପ୍ରତି ଦିନ ମରୁଛନ୍ତି ଦୁଇଜଣ। ଆଦିବାସୀ ବହୁଳ ମୟୂରଭଞ୍ଜରେ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ। ଏହାର କାରଣ ଝଡ଼ାଫୁଙ୍କା ଭଳି ଚିକିତ୍ସା ପଦ୍ଧତି ଉପରେ ମାତ୍ରାଧିକ ଭରସା। କିନ୍ତୁ ସେହି ଭରସାର କାରଣ ୭୦% ଘଟଣାରେ ଡାକ୍ତରଖାନାରେ ସାପ ବିଷର ପ୍ରତିରୋଧକ ସେରମ୍‌ ଇଂଜେକସନର ଅଭାବ।

ଦ୍ବିତୀୟ ମୁଖ୍ୟ ଆବଶ୍ୟକତା ହେଉଛି ବିଜ୍ଞାନ ଆଧାରିତ ଚିନ୍ତା ଓ ଚେତନାର ପ୍ରସାର। ଚାରି ଶହ ବର୍ଷ ପୂର୍ବେ ଇଉରୋପ ଏବଂ ଆମେରିକାରେ ଡାହାଣୀ ସନ୍ଦେହରେ ଶହ ଶହ ଲୋକଙ୍କୁ ଜିଅନ୍ତା ଜାଳି ଦିଆଯାଉଥିଲା। ୧୬୯୨ରେ ମାସାଚ୍ୟୁସେଟ୍‌ସର ସାଲେମ ଠାରେ ଡାହାଣୀ ସନ୍ଦେହରେ ଗୋଟିଏ ବର୍ଷରେ ୧୯ ଜଣଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ, ଏବେ ପାଶ୍ଚାତ୍ୟରେ ଏଭଳି ଅନ୍ଧବିଶ୍ବାସ କାରଣରୁ ହିଂସା ପ୍ରାୟ ନାହିଁ ବୋଲି କହିଲେ ଚଳେ। ତାର ଏକମାତ୍ର କାରଣ ଆଧୁନିକ ଶିକ୍ଷା ଓ ବିଜ୍ଞାନଭିତ୍ତିକ ଚେତନାର ପ୍ରସାର। ସେହି ପରିପ୍ରେକ୍ଷୀରେ ଆମ ଦେଶ ଓ ରାଜ୍ୟରେ ମତ ପ୍ରକାଶ ପାଇଥାଏ ଯେ ପ୍ରାଥମିକ ସ୍ତରୀୟ ଶିକ୍ଷାରୁ ଏ ସଂପର୍କିତ ବିଷୟକୁ ବିଭିନ୍ନ ସୋପାନରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ। କିନ୍ତୁ କେବଳ ସେତିକି ଯଥେଷ୍ଟ ହୋଇ ନ ପାରେ। ଏହା ସହିତ ଲୋଡ଼ା ସଚେତନତାର ପ୍ରସାର ଦିଗରେ ଏକ ସଘନ କ୍ରିୟାଶୀଳତା। କାରଣ ପିଢ଼ି ପିଢ଼ି ଧରି ରହି ଆସିଥିବା ବଦ୍ଧମୂଳ ଧାରଣାକୁ କେବଳ ପାଠ ବହିର ନିଷ୍ପ୍ରାଣ ପୃଷ୍ଠାରେ ସ୍ଥାନୀତ ବିଷୟବସ୍ତୁ ଦ୍ବାରା ଯେ ଦୂର କରାଯାଇପାରିବ, ଏଭଳି ଭାବନା ଭ୍ରମାତ୍ମକ।

ତେବେ, ଏ ପରିପ୍ରେକ୍ଷୀରେ ହୃଦୟକୁ ଉଷ୍ମ କରିଦେଲା ଭଳି କେନ୍ଦୁଝର ଜିଲ୍ଲା ପୁଲିସ ପକ୍ଷରୁ କରାଯାଇଥିବା ଏକ ଅଭିନବ ଉଦ୍ୟମ ପ୍ରଣିଧାନଯୋଗ୍ୟ। ଡାହାଣୀ ସନ୍ଦେହରେ ପ୍ରାଣ ହରାଇଥିବା ନିରୀହମାନଙ୍କ ସ୍ମୃତିରେ କେନ୍ଦୁଝର ଜିଲ୍ଲା ଥାନା ପରିସରରେ ନିର୍ମାଣ କରାଯାଇଛି ଏକ ସ୍ମାରକୀ। ଏଭଳି ଏକ ଉଦ୍ୟମ ଦେଶରେ ପ୍ରଥମ। ସଚେତନତା ପ୍ରସାର ଦିଗରେ ସୃଜନାତ୍ମକ ଚିନ୍ତନର ଏହା ଏକ ଉଦାହରଣ। କିନ୍ତୁ କେବଳ ଥାନା ପରିସରରେ ନୁହେଁ, ଆଦିବାସୀ ବହୁଳ ଗ୍ରାମଗୁଡ଼ିକରେ ଏଭଳି ସ୍ମାରକୀ ଛିଡ଼ା କରାଯିବା ଉଚିତ। ଏଭଳି ସ୍ମାରକୀ ସକାରାତ୍ମକ ଭାବନାର ଏକ ତରଙ୍ଗ ସୃଷ୍ଟି କରିପାରେ, ଯାହା ସ୍ଥାନୀୟ ଲୋକଙ୍କୁ ଅନ୍ଧବିଶ୍ବାସରୁ ଦୂରେଇ ରହିବା ଦିଗରେ ପ୍ରେରିତ କରିପାରେ।

ଆମ ରାଜ୍ୟରେ ଗୁଣି ଗାରେଡ଼ି ନି‌ରୋଧକ ଆଇନ, ୨୦୧୩ ପ୍ରଚଳିତ ଅଛି। କିନ୍ତୁ ଅନ୍ଧବିଶ୍ବାସଜନିତ ହିଂସା ବା ଏ ଅନ୍ଧବିଶ୍ବାସର ପ୍ରସାରକୁ ରୋକିବା ଦିଗରେ ଏହା ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇପାରିନାହିଁ। ଏବେ ଏହାକୁ କଡ଼ାକଡ଼ି କରିବା ଏବଂ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରିବାର ସମୟ ଉପନୀତ। ଆଜିକୁ ୨୦ ବର୍ଷ ତଳେ ‘ଫ୍ରଣ୍ଟଲାଇନ୍‌’ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ କୁହାଯାଇଥିଲା ଯେ ଲିଙ୍ଗଗତ ବିଭେଦ ଓ ନାରୀ ନିର୍ଯାତନା ବିରୋଧରେ ମହିଳାମାନେ ସ୍ବର ଉତ୍ତୋଳନ କରିବାକୁ ଆରମ୍ଭ କଲା ପର ଠାରୁ ଅଣ-ଆଦିବାସୀ ସମାଜରେ ଡାହାଣୀ ଆରୋପରେ ହତ୍ୟା ଓ ଅତ୍ୟାଚାରର ଧାରା ଆରମ୍ଭ ହୋଇଯାଇଛି। ଏହାର ଶିକାର ମୁଖ୍ୟତଃ ହେଉଛନ୍ତି ଦଳିତ ବର୍ଗର ମହିଳା। ସୁତରାଂ, ଅନେକ କ୍ଷେତ୍ରରେ ଏହା ସୁପରିକଳ୍ପିତ ଷଡ୍‌ଯନ୍ତ୍ରର ରୂପ ନେଲାଣି। ଜମିବାଡ଼ି ହଡ଼ପ କିଂବା ବ୍ୟକ୍ତିଗତ ପ୍ରତିଶୋଧ ନେବା ଲାଗି ମଧ୍ୟ ଡାହାଣୀ ଆଳରେ ହତ୍ୟା କରାଯାଉଛି। ଏ ସବୁକୁ କେବଳ କଠୋରତମ ଦଣ୍ଡ ଦ୍ବାରା ହିଁ ରୋକାଯାଇପାରିବ।

ଦାର୍ଶନିକ ଭୋଲଟାୟାର କହିଥିଲେ ‘ଧର୍ମର ସନ୍ତାନ ହେଉଛି ଅନ୍ଧବିଶ୍ବାସ। କିନ୍ତୁ ଦୁର୍ଭାଗ୍ୟ, ଗୋଟିଏ ପ୍ରାଜ୍ଞ ପିତାର ତାହା ଏକ ପାଗଳୀ କନ୍ୟା।’ ଏହା ନିରାଟ ସତ। ତେଣୁ, ପୃଥିବୀର ଏମିତି ‌େକୗଣସି ରାଷ୍ଟ୍ର ବା ସମାଜ ନାହିଁ ଯାହା ଅନ୍ଧବିଶ୍ବାସରୁ ସଂପୂର୍ଣ୍ଣ ରୂପେ ମୁକ୍ତ। କିନ୍ତୁ, ବିକଶିତ ଚେତନାରେ ଆଲୋକିତ ସମାଜରେ ତାହା ରହିଛି ନିରୀହ ରୂପରେ। ସମସ୍ୟା ହେଉଛି, ଏହାର ଚରମତା, ଯାହା ହିଂସାକାଣ୍ଡ, ହତ୍ୟା ଓ ନିର୍ଯାତନାରେ ପରିଣତ ହୁଏ। ବିଖ୍ୟାତ ହାସ୍ୟରସିକ ଗ୍ରୁଚୋ ମାର୍କସ ଥରେ କହିଥିଲେ, ‘ଯଦି କଳା ବିରାଡ଼ିଟିଏ ତୁମ ବାଟ କାଟି ଚାଲିଗଲା, ତେବେ କେବଳ ଏତିକି ଭାବ ‌େଯ ବିଚରା ପ୍ରାଣୀଟି କୁଆଡ଼େ ଗୋଟେ ଯାଉଛି।’ କିନ୍ତୁ ସେମିତି ଭାବିବା ଓ ସେଇ ବାଟଟି ଅଶୁଭ ବୋଲି ବିଚାର କରି ତାକୁ ଛାଡ଼ି ଅନ୍ୟ ବାଟ ଧରିବା ଭିତରେ ଯେଉଁ ଚୈତନ୍ୟଗତ ଫାଙ୍କଟି ରହିଛି, ତାକୁ ବୁଜି ପାରିବା କିଛି ସହଜ କଥା ନୁହେଁ।

ସମ୍ବନ୍ଧିତ ଖବର