୧୯୩୦ ଦଶକରେ ଆମେରିକାର ଅର୍ଥନୀତି ଯେତେବେଳେ ଏକ ଭୟଙ୍କର ମାନ୍ଦା ଅବସ୍ଥାର ସମ୍ମୁଖୀନ ହୋଇଥିଲା, ସେତେବେଳେ ଯେତେ ଯାହା ଚେଷ୍ଟା କଲେ ମଧୢ ବଜାରରେ ଚାହିଦା ମୁଣ୍ତ ଟେକିବାର ନାମ ଧରୁନଥିଲା। ଏହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କ୍ଲିନ୍ ଡି. ରୁଜ୍ଭେଲ୍ଟ (‘ଏଫ୍ଡିଆର୍’) ତାଙ୍କ ଦେଶର ଅର୍ଥନୀତିର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବା ପାଇଁ ଏକ ନୂତନ କୌଶଳ ପ୍ରୟୋଗ କରିଥିଲେ। ତାଙ୍କର ଭାଷଣ ଲେଖକ ସାମୁଏଲ୍ ରୋଜେନ୍ମ୍ୟାନ ଏହି କୌଶଳର ଯେଉଁ ନାମକରଣ କରିଥିଲେ ତାହା ପରବର୍ତ୍ତୀ ସମୟର ଅର୍ଥଶାସ୍ତ୍ର ଅଭିଧାନରେ ଏକ ଚିରନ୍ତନ ସ୍ଥାନ ଦଖଲ କରି ନେଇଛି: ‘ନିଉଡିଲ୍’।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନୂତନ କୌଶଳ ବ୍ୟାଗ୍ ଭିତରେ ଥିବା ଏକ ଉଦାହରଣ: ସେଫ୍ଟିପିନ୍ର ଇତିହାସ ଗବେଷଣା। ମାନ୍ଦା ଅବସ୍ଥା ଯୋଗୁଁ ବେକାର ହୋଇ ଯାଇଥିବା କମ୍ପାନିମାନଙ୍କର ଗବେଷଣା ଓ ଉନ୍ନତୀକରଣ (ରିସର୍ଚ୍ଚ ଆଣ୍ତ ଡେଭେଲପ୍ମେଣ୍ଟ ବା ‘ଆର୍ଆଣ୍ତଡି’) ବିଭାଗର କେତେକ ଗବେଷକମାନଙ୍କୁ ସାଧାରଣତଃ ମହିଳାମାନେ ବ୍ୟବହାର କରୁଥିବା ଏହି ନିତିଦିନିଆ ନିରାପଦ କଣ୍ଟାର ଇତିବୃତ୍ତ ଅନୁସନ୍ଧାନ କରି ଆବିଷ୍କାର କରିବା କାର୍ଯ୍ୟରେ ସରକାର ଦରମା ଦେଇ ନିଯୁକ୍ତ କଲେ। ‘ନିଉ ଡିଲ୍’ ବ୍ୟାଗ୍ ଭିତରେ ଏହିପରି ଆହୁରି ଅନେକ ସରକାରୀ ପ୍ରକଳ୍ପମାନ ଅନ୍ତର୍ଭୁକ୍ତ ଥିଲା, ଯାହା ଅତ୍ୟନ୍ତ ଅଣପାରମ୍ପରିକ ଥିଲା। ତେବେ ଅସଲ କଥା ହେଲା ରୁଜ୍ଭେଲଟ୍ କିମ୍ବା ତାଙ୍କ ପ୍ରଶାସନର ସେଫ୍ଟିପିନ୍ର ଇତିହାସ ଉନ୍ମୋଚନ କରିବାରେ କୌଣସି ଆଗ୍ରହ ନ ଥିଲା। ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ସେ ନିଯୁକ୍ତି ହରାଇଥିବା ଗବେଷକମାନଙ୍କ ପକେଟ୍ରେ କିଛି ପଇସା, ଅର୍ଥାତ କ୍ରୟଶକ୍ତି ଭର୍ତ୍ତି କରିବା। ଆଶା, ସେମାନେ ବଜାରରେ ସେ ପଇସା ଖର୍ଚ୍ଚ କରିବେ ଓ ତା’ ଦ୍ବାରା ଅର୍ଥନୀତିରେ ଚାହିଦାରେ ଉନ୍ନତି ଦେଖାଦେଇ ଉତ୍ପାଦନ, ନିଯୁକ୍ତି, ଆୟ ଏବ˚ ପୁଣି ଚାହିଦାରେ ବୃଦ୍ଧି ଘଟିବ; ମାନ୍ଦା ଅବସ୍ଥା ଦୂର ହେବ। ନିଉ ଡିଲ୍ ଏହା ହାସଲ କରିବାରେ ସଫଳ ହୋଇଥିଲା।
ସରକାର ଖର୍ଚ୍ଚ କରି ଜନସାଧାରଣଙ୍କ କ୍ରୟଶକ୍ତି ବୃଦ୍ଧି କରିବା ପାଇଁ ଏପରି ସିଧାସଳଖ ଉଦ୍ୟମ କରିବାର କାରଣ ହେଲା ଅର୍ଥନୀତିର ମୋଟ ଚାହିଦାର ଅନ୍ୟ ଦୁଇ ଅ˚ଶର ଅଚଳ ମହାମେରୁ ଅବସ୍ଥା: ଖାଉଟି ଖର୍ଚ୍ଚ, ନିବେଶ ଖର୍ଚ୍ଚ। ବେକାର ଖାଉଟିମାନଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଅର୍ଥ ନ ଥିଲା ବେଳେ ବ୍ୟବସାୟରେ ମାନ୍ଦା ଅବସ୍ଥା ଲାଗି ରହିଥିବାରୁ ଉଦ୍ୟୋଗପତିମାନେ ପୁଞ୍ଜି ନିବେଶ କରିବାକୁ ପଛଘୁଞ୍ଚା ଦେଉଥିଲେ। ଏଣୁ ମୋଟ ଚାହିଦାର ତୃତୀୟ ଅ˚ଶ- ସରକାରୀ ଖର୍ଚ୍ଚରେ ବୃଦ୍ଧି ହିଁ ଆମେରିକାର ଅର୍ଥନୀତିକୁ ମାନ୍ଦା ଅବସ୍ଥାରୁ ମୁକୁଳାଇବାର ଏକ ମାତ୍ର ଉପାୟ ଥିଲା।
ଇତିହାସର ଏହି ଶିକ୍ଷା ବୋଧହୁଏ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରବିବାର ଦିନ ଘୋଷଣା କରିବାକୁ ବାଧୢ କରିଛି ଯେ କେନ୍ଦ୍ର ସରକାରଙ୍କର କୌଣସି ବିଭାଗର ଖର୍ଚ୍ଚରେ ଯେପରି ଆଦୌ ଶିଥିଳତା ଦେଖା ନ ଯାଏ, ତା ଉପରେ ସେ ଅନବରତ ଧୢାନ ରଖିଛନ୍ତି। ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ (ଏକ୍ସପେଣ୍ତିଚର୍ ସେକ୍ରେଟାରି) ଅନ୍ୟ ବିଭାଗମାନେ ଏବ˚ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ଯେମିତି ଖର୍ଚ୍ଚ ବୃଦ୍ଧି କରିବାରେ ହେଳା କରିବେ ନାହିଁ, ତାହା ନିଶ୍ଚିତ କରିବା ପାଇଁ ପ୍ରତି ସପ୍ତାହରେ ଅନ୍ୟ ବିଭାଗ ମାନଙ୍କର ସଚିବମାନଙ୍କ ସହିତ ବୈଠକ କରୁଛନ୍ତି। ଶୁକ୍ରବାର ଦିନ କମ୍ପାନିମାନଙ୍କ ପ୍ରତି ଲାଗୁ ହେଉଥିବା ଆୟ କରରେ ତୀକ୍ଷ୍ଣ ହ୍ରାସ ଘୋଷଣା କରି ଭାରତୀୟ ଶିଳ୍ପ ବାଣିଜ୍ୟ ଜଗତରେ ବିଜୁଳିର ଝଲକ ଭଳି ଆଶାର ଆଲୋକ ଖେଳାଇ ଦେବା ପରେ ପରେ ରବିବାର ଦିନ ସୀତାରମଣ ସରକାରୀ ଖର୍ଚ୍ଚ ସମ୍ବନ୍ଧରେ ଏପରି ମନ୍ତବ୍ୟ ପ୍ରଦାନ କରିବା ଅର୍ଥ ସେ ସଚେତନ ଅଛନ୍ତି ଯେ, କମ୍ପାନି ବୋର୍ଡ୍ରୁମ୍ରୁ ସେଆର୍ ବଜାର ପର୍ଯ୍ୟନ୍ତରେ ଅନୁଭୂତ ହେଉଥିବା ଏହି ଆନନ୍ଦର ଲହରୀ (ଶୁକ୍ରବାର ଦିନ ତାଙ୍କ ଘୋଷଣାର ପ୍ରଭାବ ସ୍ବରୂପ ଦୁଇଦିନ ମଧୢରେ ବମ୍ବେ ସେଆର୍ ବଜାରର ସେନ୍ସେକ୍ସରେ ପ୍ରାୟ ୩,୦୦୦ ପଏଣ୍ଟ ବୃଦ୍ଧି ଘଟିବା ଦେଖାଯାଇଛି) ଅବିଳମ୍ବେ ଅର୍ଥନୀତିରୁ ମାନ୍ଦା ଅବସ୍ଥା ହଟାଇ ଦେଇନପାରେ।
ମାନ୍ଦା ଅବସ୍ଥାର ଏକ ମୁଖ୍ୟ କାରଣ ହେଉଛି ଚାହିଦାର ଅଭାବ। ମିନି ବଜେଟ୍ ବୋଲି କୁହାଯାଉଥିବା ସୀତାରମଣଙ୍କ ଦ୍ବାରା ଶୁକ୍ରବାର ଘୋଷଣା କରାଯାଇଥିବା କମ୍ପାନି କର ସ˚ସ୍କାର ଖାଉଟିମାନଙ୍କ ଆୟ ଉପରେ ତତ୍କ୍ଷଣାତ୍ କୌଣସି ପ୍ରଭାବ ପକାଇ ନ ପାରେ। ସରକାର ଏକ ଅଧୢାଦେଶ ବଳରେ କମ୍ପାନିମାନଙ୍କ ଆୟ ଉପରେ ବାସ୍ତବ କର ହାରକୁ ପ୍ରାୟ ୩୫%ରୁ ହ୍ରାସ କରି ପ୍ରାୟ ୨୫% କରି ଦେଇଥିବା ବେଳେ ନୂଆ କରି ପ୍ରତିଷ୍ଠା ହେବାକୁ ଯାଉଥିବା କମ୍ପାନିମାନଙ୍କ ପାଇଁ ଏହାକୁ ପ୍ରାୟ ୧୭% ମାତ୍ର କରି ଦେଇଛନ୍ତି। ଏଥିସହିତ ‘ସର୍ବନିମ୍ନ ବିକଳ୍ପ କର’ (ମ୍ୟାଟ୍), ସେଆର ପୁନଃକ୍ରୟ (ବାଏବ୍ୟାକ୍) ଆଦି ପ୍ରତି ଲାଗୁ ହେଉଥିବା କର ଆଦିରେ ସକାରାତ୍ମକ ସ˚ସ୍କାର ଘୋଷଣା କରି ସରକାର କମ୍ପାନି ଓ ନିବେଶକମାନଙ୍କ ମଧୢରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛନ୍ତି। କିନ୍ତୁ କମ୍ପାନିମାନେ ପାଇବାକୁ ଯାଉଥିବା ଏହି ଲାଭ ଯଦି ଖାଉଟିମାନଙ୍କର କ୍ରୟ ଶକ୍ତିରେ ବୃଦ୍ଧି ନ ଘଟାଏ ତେବେ ଚାହିଦାରେ କୌଣସି ବୃଦ୍ଧି ଘଟିବ ନାହିଁ।
ଏଠାରେ ସୂଚାଇବା ଆବଶ୍ୟକ ଏହି କର ସ˚ସ୍କାର ଯୋଗୁଁ ସରକାର ବର୍ଷକୁ ଯେଉଁ ୧,୪୫,୦୦୦ କୋଟି ଟଙ୍କାର ରାଜସ୍ବ ହରାଇବାକୁ ଯାଉଛନ୍ତି, ତାହା ଦେଶର ଶିଳ୍ପ ବାଣିଜ୍ୟ କମ୍ପାନିମାନଙ୍କୁ ଏକ ଦାନ ସ୍ବରୂପ। ଏହି ମିଳିଥିବା ଦାନକୁ କମ୍ପାନିମାନେ ସେମାନଙ୍କ ଖାଉଟି, କର୍ମଚାରୀ ଏବ˚ ଯୋଗଣକାରୀମାନଙ୍କ ମଧୢରେ ଆ˚ଶିକ ବଣ୍ଟନ କଲେ ହିଁ ବଜାରରେ ଚାହିଦାରେ ବୃଦ୍ଧି ଘଟିବ। ସେମାନେ ଯଦି ନିଜର କର ଭାରରେ ହ୍ରାସ ଯୋଗୁଁ ଉତ୍ପାଦିତ ଦ୍ରବ୍ୟର ଦାମ୍ରେ ହ୍ରାସ ଘଟାନ୍ତି; କର୍ମଚାରୀମାନଙ୍କ ପାରିଶ୍ରମିକରେ ବୃଦ୍ଧି ଘଟାନ୍ତି; ଅ˚ଶ ପତ୍ରଧାରୀଙ୍କ ମଧୢରେ ଅଧିକ ହାରରେ ଲାଭା˚ଶ ବଣ୍ଟନ କରନ୍ତି, ଯୋଗାଣକାରୀମାନଙ୍କର ବିଲ୍ ତୁରନ୍ତ ପୈଠ କରନ୍ତି ଏବ˚ ନୂତନ ଉତ୍ପାଦନରେ ପୁଞ୍ଜି ନିବେଶ କରନ୍ତି (ଏଥିପାଇଁ ନୂଆ କମ୍ପାନି ସ୍ଥାପନ କଲେ ମାତ୍ର ୧୭% ହାରରେ ଟିକସ ଲାଗୁ ହୋଇ ଅଧିକ ଲାଭ ସୃଷ୍ଟି କରିବ); ତେବେ ସରକାର ସେମାନଙ୍କ ପାଇଁ ସୃଷ୍ଟି କରିଥିବା ଅପ୍ରତ୍ୟାଶିତ ଅଦିନିଆ ଲାଭ ଶେଷରେ ସମାଜରେ ନୂତନ ଆୟ ସ୍ରୋତ ସୃଷ୍ଟି କରି ଚାହିଦାରେ ସ୍ଫୀତି ଘଟାଇବ।
ଚରମ ଆଶାବାଦୀମାନେ ମଧୢ ସ୍ବୀକାର କରିବେ ଯେ ଏହି ଆୟ ବଣ୍ଟନ ପ୍ରକ୍ରିୟା ସମୟସାପେକ୍ଷ ହୋଇଥାଏ। ଅପରପକ୍ଷେ ସୀତାରମଣ ଯଦି ଆଉ ପାଦେ ଆଗକୁ ଯାଇ ବ୍ୟକ୍ତିଗତ ଆୟ କରରେ ଅନୁରୂପ ହ୍ରାସ ମଧୢ ଘଟାନ୍ତି, ତା’ହେଲେ ଲୋକଙ୍କ କ୍ରୟ ଶକ୍ତିରେ ତତ୍କ୍ଷଣାତ୍ ବୃଦ୍ଧି ଘଟି ତାହା ତୁରନ୍ତ ବର୍ଦ୍ଧିତ ଚାହିଦାରେ ରୂପାନ୍ତରିତ ହୁଅନ୍ତା। ଆଉ ସେ ଯଦି ଆହୁରି ତୁରନ୍ତ ଫଳ ଚାହାନ୍ତି ତେବେ, ସରକାର ଅକ୍ଷରେ ଅକ୍ଷରେ ଅନୁକରଣ ନ କଲେ ମଧୢ ‘ଏଫ୍ଡିଆର୍’ଙ୍କୁ ଅନୁକରଣ କରି ଯଦି ଏଠାରେ ମଧୢ ନିରାପଦ କଣ୍ଟାର ଇତିହାସ ଖୋଜିବା ଭଳି କାର୍ଯ୍ୟକ୍ରମମାନ ଆରମ୍ଭ କରନ୍ତେ, ତେବେ ଅବିଳମ୍ବେ ଫଳ ମିଳନ୍ତା। ବର୍ତ୍ତମାନର ନୀଚା ମୁଦ୍ରା ସ୍ଫୀତି ଯୋଗୁଁ ଏ ପଦକ୍ଷେପ ନିରାପଦ କଣ୍ଟା ପରି ନିରାପଦ ମଧୢ ହୋଇପାରେ।