କଳିଙ୍ଗନଗର ରକ୍ତର ସନ୍ଦେଶ

ଜାନୁଆରି ୨, ୨୦୦୬। ଓଡ଼ିଶାର ଶିଳ୍ପାୟନ ଇତିହାସରେ ଏକ ରକ୍ତରଞ୍ଜିତ ତାରିଖ। କଳିଙ୍ଗନଗରରେ ଶିଳ୍ପ ଯୋଗୁ ବାସ-ଜମିହରା ବିସ୍ଥାପିତ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରିତ କରିବା ଲାଗି ପୁଲିସ୍‌ ଗୁଳି ଚଳାଇଲା। ଗୁଳିକାଣ୍ଡରେ ୧୩ ଜଣ ଆଦିବାସୀ ଆନ୍ଦୋଳନକାରୀଙ୍କ ପ୍ରାଣହାନି ଘଟିଲା। ଏହି ଗୁଳିକାଣ୍ଡର ପ୍ରତିଧ୍ୱନିରେ ସେହି ସମୟରେ ରାଜ୍ୟ ରାଜନୀତିରେ ଯେଉଁ କମ୍ପନ ସୃଷ୍ଟି ହୋଇଥିଲା, ସେଥିରେ ସ୍ଥିତାବସ୍ଥା ବଦଳି ରାଜନୈତିକ ଧାରାରେ ପରିବର୍ତ୍ତନର ସମ୍ଭାବନା ଦେଖା ଦେଇଥିଲା। ରାଜନୈତିକ ଧାରା ବଦଳିଲାନି ସତ, କିନ୍ତୁ ଶିଳ୍ପାୟନର ଧାରା ଏମିତି ପଥଚ୍ୟୁତ ହେଲା ଯେ, ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ଭାବେ ଠିକଣା ରାସ୍ତାକୁ ଫେରି ଆସିପାରିନାହିଁ।

ବୁଧବାର ଆଗୁଆ ମୁଲତବୀ ଘୋଷିତ ବିଧାନସଭାର ଶୀତକାଳୀନ ଅଧିବେଶନର ଶେଷ ଦିବସରେ କଳିଙ୍ଗନଗର ଗୁଳିକାଣ୍ଡର ବିଚାର ବିଭାଗୀୟ ତଦନ୍ତ କମିସନଙ୍କ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ଘଟଣାର ପ୍ରାୟ ଏଗାର ବର୍ଷ ଏଗାର ମାସ ପରେ ସାର୍ବଜନିକ ହୋଇଥିବା ନ୍ୟାୟମୂର୍ତ୍ତି ପି.କେ. ମହାନ୍ତି କମିସନଙ୍କ ଏହି ରିପୋର୍ଟ ଶାସନ ଦାୟିତ୍ୱରେ ଥିବା ଉଭୟ ରାଜନୈତିକ ନେତୃତ୍ୱ ଓ ଅମଲାତାନ୍ତ୍ରିକ କାର୍ଯ୍ୟନିର୍ବାହୀଙ୍କୁ ବହୁ ମାତ୍ରାରେ ଆଶ୍ୱସ୍ତ କରିଥିଲେ ସୁଦ୍ଧା ଏଥିରୁ ଶାସକ ବର୍ଗଙ୍କୁ ଅନେକ କିଛି ଶିକ୍ଷା ଲାଭ କରିବାର ଅଛି। ଗୋଳିଆ ପାଣିର କଙ୍କଡ଼ା ଭଳି ସଦା ସ୍ୱାର୍ଥନେ୍ଵଷୀ ତଥାକଥିତ ରାଜନୈତିକ- ସାମାଜିକ ସଂଗଠନ, ଏହାର ନେତା ଓ କର୍ମୀମାନଙ୍କ ପାଇଁ ମଧ୍ୟ ରିପୋର୍ଟ ଆତ୍ମସମୀକ୍ଷା ଲାଗି ଏକ ଅବକାଶ ସୃଷ୍ଟି କରୁଛି। ମାନ୍ୟବର କମିସନ ପୁଲିସ୍‌ର ଗୁଳିଚାଳନାକୁ ମାତ୍ରାତିରିକ୍ତ ବଳପ୍ରୟୋଗ ବୋଲି ବିଚାର କରି ନାହାନ୍ତି। ବିସ୍ଥାପନ ବିରୋଧୀଙ୍କ ଆନ୍ଦୋଳନ ଫଳରେ ଘଟଣା ଦିନ ଯେଉଁ ପ୍ରକାର ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଲା ସେଥିରେ ଘଟଣାସ୍ଥଳରେ ଉପସ୍ଥିତ ମାଜିଷ୍ଟ୍ରେଟ୍‌ଙ୍କ ଗୁଳିଚାଳନା ନିର୍ଦ୍ଦେଶ ଯଥାର୍ଥ ଥିଲା ବୋଲି କମିସନ୍‌ ମତ ଦେଇଛନ୍ତି।

ତେବେ କେଉଁ ପରିସ୍ଥିତିରେ ଗୁଳିଚାଳନା ହେଲା? ଏ ପ୍ରଶ୍ନ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ସହସ୍ରଗୁଣ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ସୁଦୂରପ୍ରସାରୀ ପ୍ରଶ୍ନ ହେଲା- ଓଡ଼ିଶାର ଭାବମୂର୍ତ୍ତିକୁ ବିଶ୍ୱ ନଜରରେ ତଳକୁ କରିଥିବା ଏହି ହୃଦୟ ବିଦାରକ ଅଲୋଡ଼ା ଦୁର୍ଭାଗ୍ୟଜନକ ରକ୍ତସ୍ନାନର ମଞ୍ଜି କେଉଁଠି? ବିସ୍ଥାପନ ବିରୋଧୀ ଆନ୍ଦୋଳନ ଉଗ୍ର- ବିସ୍ଫୋରକ ମୋଡ଼ ନେବା ପଛର ପୃଷ୍ଠଭୂମି କ’ଣ? କିଏ ଏଥିପାଇଁ ଦାୟୀ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜି କମିସନ ଯେଉଁ ବିବରଣୀ ରଖିଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱର ସହ ବିଶ୍ଳେଷଣର ଅପେକ୍ଷା ରଖୁଛି। କାରଣ କମିସନଙ୍କ ରିପୋର୍ଟ ଉପରେ କେବଳ ଗତାନୁଗତିକ ଅମଲାତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ (ଥାକ୍‌ସନ୍‌ ଟେକେନ୍‌ ରିପୋର୍ଟ)ର ଔପଚାରିକତା ଅପେକ୍ଷା କଳିଙ୍ଗନଗରର ତିକ୍ତ ଅଭିଜ୍ଞତା ପରିପ୍ରେକ୍ଷୀରେ ଶାସନର ଚରିତ୍ରରେ ପରିବର୍ତ୍ତନର ଅଧିକ ଆବଶ୍ୟକତା ରହିଛି। ପୂର୍ବୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜିବା ଅବସରରେ କମିସନ୍‌ ଶାସନ କଳକୁ କାଠଗଡ଼ାରେ ଠିଆ କରିବା ସହ ରାଜନୈତିକ ସଂଗଠନ କର୍ମକର୍ତ୍ତାଙ୍କ ଆଡ଼କୁ ସନ୍ଦିଗ୍‌ଧ ଭାବେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍‌ ଗୁଳିର ଶିକାର ଆଦିବାସୀ, ସେମାନଙ୍କ ଅନ୍ୟ ସହଯୋଗୀ ବିସ୍ଥାପିତ ଆନ୍ଦୋଳନକାରୀଙ୍କୁ ବସ୍ତୁତଃ ନିରୀହ ଘୋଷଣା କରିଛନ୍ତି। ପରୋକ୍ଷରେ କମିସନ ବିସ୍ଥାପିତଙ୍କ ଆନ୍ଦୋଳନକୁ ନ୍ୟାୟ ଓ ହକ୍‌ ପାଇଁ ଲଢ଼େଇ ଭାବେ ଏକ ପ୍ରକାର ସ୍ୱୀକୃତି ଦେଇଛନ୍ତି।

କମିସନଙ୍କ ରିପୋର୍ଟର ନିର୍ଯାସ ହେଲା, ଗୁଳିଚାଳନା ପାଇଁ ସରକାରୀ କଳ ଦାୟୀ ହୋଇ ନପାରନ୍ତି, କିନ୍ତୁ ବିସ୍ଥାପିତଙ୍କ ନିରାଶା କ୍ରମଶଃ ଆକ୍ରୋଶରେ ରୂପାନ୍ତରିତ ହୋଇ ଶେଷରେ ଉଗ୍ର ରୂପ ନେଇ ଚରମ ପରିଣତି ସ୍ୱରୂପ ନିରୀହଙ୍କ ରକ୍ତରେ କଳିଙ୍ଗନଗର ମାଟି ରକ୍ତତରଂଜିତ ହେବା ପାଇଁ ଶାସନ କଳକୁ ନିଶ୍ଚିତ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ। ୧୯୯୦ରେ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା। ନିଜର ଭିଟା ମାଟି, ସହ ଜୀବିକା ହରାଉଥିବା ବିସ୍ଥାପନର ସମ୍ମୁଖୀନ ଆଦିବାସୀମାନେ ଏହାର ବିରୋଧ କରିନଥିଲେ। ବରଂ ସେମାନେ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖି କେବଳ ଘର ଜମି ନୁହେଁ ସାମାଜିକ- ସାଂସ୍କୃତିକ ପରମ୍ପରାରୁ ଛେଉଣ୍ଡ ହେବାର ଦୁଃଖକୁ ମଧ୍ୟ ଭୁଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ କ୍ଷତିପୂରଣ ପରିମାଣ ଧାର୍ଯ୍ୟ, ପୁନର୍ବସତି ଓ ଥଇଥାନ ଯୋଜନା କ୍ଷେତ୍ରରେ ଅସ୍ପଷ୍ଟତା, ଟାଳଟୁଳ ଓ ଅହେତୁକ- ବିଳମ୍ବର ତାତିରେ ବାସ-ଜମିହରାଙ୍କ ସ୍ୱପ୍ନ ତରଳିବାକୁ ଆରମ୍ଭ କଲା। ଆଶା- ନିରାଶାରେ ରୂପାନ୍ତରିତ ହୋଇ ଆକ୍ରୋଶର ରୂପ ନେଲା। ବିସ୍ଥାପନ ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ବୃହତ୍‌ ପ୍ରକଳ୍ପ- ହୀରାକୁଦ ବନ୍ଧ ଯୋଜନା ଦ୍ୱାରା ଉଦ୍‌ବାସ୍ତୁଙ୍କ ଦୁଃଖ ଓ ଯନ୍ତ୍ରଣା ସମ୍ପର୍କରେ ଅବଗତ ଥାଇ ସୁଦ୍ଧା ସରକାରୀ କଳର ନେତା ଓ ବାବୁମାନେ କଳିଙ୍ଗନଗର ବିସ୍ଥାପିତଙ୍କ ପ୍ରତି ସମ୍ବେଦନଶୀଳ ହୋଇ ନ୍ୟାୟ ଦେଇ ପାରିଲେ ନାହିଁ।

ସରକାର ବିସ୍ଥାପିତଙ୍କ ପୁନର୍ବାସ ପାଇଁ କ’ଣ ଯୋଜନା କରିଛନ୍ତି, ପ୍ରକୃତରେ କ୍ଷତିପୂରଣ ପରିମାଣ କେତେ ତାହା ବିସ୍ଥାପିତ ଆଦିବାସୀ ଜାଣି ପାରିଲେ ନାହିଁ। ଶାସନ ବିସ୍ଥାପିତଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ଗୋଟିଏ ପଟେ ଶାସନ କଳ ଓ ଅନ୍ୟପଟେ ବିସ୍ଥାପିତ ଆଦିବାସୀଙ୍କ ମଧ୍ୟରେ ଯୋଗାଯୋଗର ଗୋଟିଏ ବିରାଟ ଖାଇ ସୃଷ୍ଟି ହେଲା। ଶାସନ କଳ ଓ ବିସ୍ଥାପିତଙ୍କ ମଧ୍ୟରେ ଦୂରତ୍ୱ ବଢ଼ି ଚାଲିଲା। ଏହାର ସୁଯୋଗ ନେଇ ରାଜନୈତିକ ଫାଇଦା ଉଠାଇବା ଆଶାରେ କିଛି ରାଜନୈତିକ ଦଳ ଓ ସଂଗଠନ ଅସନ୍ତୋଷର ନିଆଁରେ ଘିଅ ଢାଳି ବିସ୍ଥାପିତଙ୍କୁ ଉସ୍‌କାଇଲେ। ସରକାର ଯଦି ଠିକଣା ସମୟରେ ବିସ୍ଥାପିତଙ୍କୁ ସେମାନଙ୍କ ପାଇଁ ହେଉଥିବା ଯୋଜନା ଓ ପ୍ୟାକେଜ୍‌ ସମ୍ପର୍କରେ ଅବଗତ କରାଇଥାନ୍ତେ, ତେବେ ହୁଏତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇ ଅଯଥାରେ କଳିଙ୍ଗନଗର ନିରୀହଙ୍କ ରକ୍ତରେ ଓଦା ହୋଇ ନଥାନ୍ତା। ପୁଲିସ୍‌ ଗୁଳିରେ ଶିକାର ହେବା ପୂର୍ବରୁ ଏହି ନିରୀହ ମୃତକ ଏବଂ ସେମାନଙ୍କ ଅନ୍ୟ ବିସ୍ଥାପିତ ଜ୍ଞାତିି, କୁଟୁମ୍ବ ଦେଢ଼ ଦଶନ୍ଧି ଧରି ଶାସନର ଉଦାସୀନତା ଓ ସମ୍ବେଦନଶୂନ୍ୟତାର ଶିକାର ହୋଇ ଆସୁଥିଲେ। ସରକାର ଏକ ନିରନ୍ତର ପ୍ରକ୍ରିୟା, ସେଥିପାଇଁ କୌଣସି ଗୋଟିଏ ସରକାର ନୁହେଁ, ୧୯୯୦ରୁ ୨୦୦୬ ପର୍ଯ୍ୟନ୍ତ ଦଳ ନିର୍ବିଶେଷରେ ପ୍ରତ୍ୟେକ ସରକାର ବିସ୍ଥାପିତଙ୍କ ପ୍ରତି ଉପେକ୍ଷା କରିଛନ୍ତି। ସେମାନଙ୍କ ଭାବନା ଓ ବେଦନାକୁ ବୁଝି ପାରି ନାହାନ୍ତି। ନିଷ୍ଠୁର ବାସ୍ତବତା ହେଲା, ନେତା ଓ ବାବୁଙ୍କ ଏ ସମ୍ବେଦନଶୂନ୍ୟତା ଓ ଉଦାସୀନତା ଯୋଗୁ ରାଜ୍ୟରେ ଯେତିକି ବିକାଶମୂଳକ ପ୍ରକଳ୍ପ- ସେ ବନ୍ଧ ନିର୍ମାଣ ହେଉ ଅବା କାରଖାନା ପ୍ରତିଷ୍ଠା ହେଉ- ବିସ୍ଥାପିତଙ୍କପୁନର୍ବାସ ସନ୍ତୋଷଜନକ ହେଉନାହିଁ।

କଳିଙ୍ଗନଗର ମଧ୍ୟ ତା’ର ଏକ ଦୁଃଖଦ ପୁନରାବୃତ୍ତି, ଯାହାର ପରିଣତି ଗୁଳିକାଣ୍ଡ, ଦୀର୍ଘ ବର୍ଷ ଧରି ଅଶାନ୍ତି ଓ ଉତ୍ତେଜନା। ମହାନ୍ତି କମିସନ୍‌ଙ୍କ ରିପୋର୍ଟ ପରିପ୍ରେକ୍ଷୀରେ ଆଜି ବାବୁ ଓ ନେତାଏ ନିଜକୁ ନିଜେ ପ୍ରଶ୍ନ ପଚାରିବା ଉଚିତ୍‌। କଳିଙ୍ଗନଗର ରକ୍ତସ୍ନାନକୁ କ’ଣ ଏଡ଼ାଯାଇ ପାରି ନଥାନ୍ତା? ଦୁର୍ଭାଗ୍ୟର ବିଷୟ ହେଲା, ଏବେ ମଧ୍ୟ ଶାସନର ସେଇ ଉଦାସୀନ ସମ୍ବେଦନଶୂନ୍ୟ ଚରିତ୍ରରେ କୌଣସି ପରିବର୍ତ୍ତନ ଆସିନାହିଁ। ବିଶେଷକରି ଆଦିବାସୀ, ଦଳିତ ଓ ସମାଜର ଅନ୍ୟ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପ୍ରତି ଶାସନ ସବୁ ବେଳେ ନିଦାବିଷ୍ଣୁ। ଆଜି ମୁଖ୍ୟତଃ ଆଦିବାସୀ ଅଞ୍ଚଳ ନକ୍ସଲ ପ୍ରଭାବିତ ହେବା କେବଳ ମାତ୍ର ଏକ ସଂଯୋଗ ନୁହେଁ। ଶାସନ ଏହି ଅଞ୍ଚଳ ପାଇଁ ଅପହଞ୍ଚ। ଶାସନ ନ ପହଞ୍ଚିବା ଅର୍ଥ ବିକାଶ ଓ କଲ୍ୟାଣ ଦୃଷ୍ଟିରୁ ଏହା ନାହିଁ ନାହିଁର ଇଲାକା। ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା, କୋଟି କୋଟି ଟଙ୍କା। ଅଥଚ ଆଦିବାସୀ ତା’ର ହିତାଧିକାରୀ ହୋଇପାରୁନାହାନ୍ତି। ଶାସନରେ ଏହି ଶୂନ୍ୟତା ହିଁ ବାମପନ୍ଥୀ ଉଗ୍ରବାଦ ପାଇଁ ସ୍ଥାନ ତିଆରି କରୁଛି। କଳିଙ୍ଗନଗର ଘଟଣା ନେଇ ମହାନ୍ତି କମିସନଙ୍କ ରିପୋର୍ଟରୁ ଶିକ୍ଷା ଲାଭକରି ଶାସନର ଚରିତ୍ର ଓ ତଥାକଥିତ ରାଜନୈତିକ କର୍ମୀ ଓ ନେତାଙ୍କ ଆଭିମୁଖ୍ୟ ବଦଳିବା ଉଚିତ। ସମ୍ଭବତଃ, କଳିଙ୍ଗ ନଗରର ଦୁର୍ଭାଗ୍ୟଜନକ ରକ୍ତ ସ୍ନାନ ଏହି ସନ୍ଦେଶ ଦେଉଛି।

ସମ୍ବନ୍ଧିତ ଖବର