ନୈରାଶ୍ୟର କାରଣ ନାହିଁ

ଆମେରିକୀୟ ଅଭିନେତା, ଲେଖକ ତଥା ସ୍ତମ୍ଭକାର ଵିଲ ରୋଜର୍ସ‌୍‌ ଠାଏ କହିଥିଲେ-‘ମୁଁ ପ୍ରତି ଦିନ ଆଠଟି ଖବରକାଗଜ ପଢ଼ିଥାଏ। ଯଦି ଏମିତି କୌଣସି ସହରକୁ ମୁଁ ଯାଇଥାଏ ଓ ସେଠାରେ ମୋତେ ମାତ୍ର ଗୋଟିଏ ଖବରକାଗଜ ମିଳେ, ତେବେ ମୁଁ ତାକୁ ଆଠ ଥର ପଢ଼ି ପକାଏ।’ ରୋଜର୍ସ ମହାଶୟ ଏହା ଦ୍ବାରା କହିବାକୁ ଚାହିଁଥିଲେ ଯେ ଖବରକାଗଜ ପଢ଼ିବା ତାଙ୍କ ଲାଗି ଏକ ଦୁର୍ବାର ଅଭ୍ୟାସରେ ପରିଣତ ହୋଇଛି। ଵିଲ ରୋଜର୍ସଙ୍କ ଦେହାନ୍ତ ହୋଇଥିଲା ୧୯୩୫ ମସିହାରେ। ତା ପରଠାରୁ ପଞ୍ଚାଅଶୀ ବର୍ଷ ବିତିଗଲାଣି। ଏଇ ସମୟ ଖଣ୍ତ ଭିତରେ ଵିଲ ରୋଜର୍ସଙ୍କ ନିଜ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଅଭ୍ୟାସଟି ଅତ୍ୟନ୍ତ ଦୁର୍ବଳ ହେବାକୁ ଲାଗିଛି। ଅଥଚ, ଆଟ‌୍ଲାଣ୍ଟିକର ଏ ପଟେ ଆମ ଭାରତୀୟ ଭୂଖଣ୍ତ‌େର ତାହା ଏବେ ସୁଦ୍ଧା ବଳବତ୍ତର ରହିଛି। ଗୋଟିଏ ସାମ୍ବାଦିକ ଦଳ ଦ୍ବାରା ଭାରତର ବିଭିନ୍ନ ଅ˚ଶରେ କରାଯାଇଥିବା ଏକ ସର୍ବେକ୍ଷଣରେ ୧୪ ପ୍ରତିଶତ ଉତ୍ତରଦାତା କହିଥିଲେ ଯେ କେବଳ ଅଭ୍ୟାସର ବଶବର୍ତ୍ତୀ ହୋଇ ସେମାନେ ପ୍ରତ୍ୟହ ଖବରକାଗଜ ପଢ଼ିଥାଆନ୍ତି। ସେହି ସର୍ଭେରେ ଅ˚ଶଗ୍ରହଣକାରୀଙ୍କ ଭିତରେ ସମ୍ବାଦପତ୍ର ପଢିବାର ଆଗ୍ରହ ପଛରେ ଅନ୍ୟାନ୍ୟ ଯେଉଁ ସବୁ କାରଣମାନ ଥିଲେ, ତା ଭିତରେ ‘ଅଭ୍ୟାସ’ ହିଁ ଥିଲା ସବୁଠାରୁ ବଳିଷ୍ଠ କାରଣ। ଆଜି ଯେତେବେଳେ ଗଣମାଧୢମର ଚେହେରା ଓ ପରିପାଟୀରେ ଅନେକ ଚମକପ୍ରଦ ତଥା ଅବିଶ୍ବସନୀୟ ପରିବର୍ତ୍ତନ ଆସିବାରେ ଲାଗିଛି; ଇଲେକ୍ଟ୍ରୋନିକ୍‌ ଓ ଡିଜିଟାଲ ମିଡିଆର ଆବିର୍ଭାବ ଫଳରେ ଦ୍ରୁତ ଖବର ସ˚ଚାର ଏବ˚ ତତ୍‌କ୍ଷଣାତ ସମ୍ବାଦ ପ୍ରାପ୍ତିର ବାଟ ସୁଗମ ହୋଇଯାଇଛି, ସେତିକି ବେଳେ ପୁରୁଣା କାଳିଆ ଛାପା ଗଣମାଧୢମକୁ ଯଦି ପାଠକୀୟ ଅଭ୍ୟାସ ବଞ୍ଚାଇ ରଖିଛି ବୋଲି କୁହାଯାଏ, ତେବେ ହୁଏତ ଭୁଲ ହେବ ନାହିଁ। ଏକ ପର˚ପରାବାଦୀ ସମାଜ ତାର ପୁରୁଣା ଅଭ୍ୟାସକୁ ସହଜରେ ବଦଳାଏ ନାହିଁ। ଛାପା ଗଣମାଧୢମ କ୍ଷେତ୍ରରେ ଭାରତରେ ତାହା ବୋଧହୁଏ ଘଟିଛି।

ନିକଟରେ ‘ଇଣ୍ତିଆନ ରିଡରସିପ୍‌ ସର୍ଭେ’ ବା ଆଇଆରଏସ୍‌ ଦ୍ବାରା ପ୍ରକାଶ ପାଇଥିବା ୨୦୧୯ର ପ୍ରଥମ ଚଉଠର ରିପୋର୍ଟ ଅନୁସାରେ ଭାରତରେ ଛାପା ଗଣମାଧୢମରେ ୪.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି। ହିନ୍ଦୀ ଗଣମାଧୢମରେ ଏହି ଅଭିବୃଦ୍ଧିର ହାର ୩.୯ ପ୍ରତିଶତ ହୋଇଥିବା ବେଳେ ଆଞ୍ଚଳିକ ଛାପା ଗଣମାଧୢମ କ୍ଷେତ୍ରରେ ଏହା ହେଉଛି ୫.୭ ପ୍ରତିଶତ। ଇ˚ରେଜୀ ସମ୍ବାଦପତ୍ରରେ ଏହି ବୃଦ୍ଧି ହାର ହେଉଛି ୧୦.୭ ପ୍ରତିଶତ। ଭାରତୀୟ ଖବରକାଗଜ ପାଠକପାଠିକାମାନଙ୍କ ସ˚ଖ୍ୟା ଯାହା ୨୦୧୭ ବେଳକୁ ୪୦.୭ କୋଟି ଥିଲା, ତାହା ୨୦୧୯ରେ ପହଞ୍ଚିଛି ୪୨.୫ କୋଟିରେ। ଏହାର ଅର୍ଥ ପ୍ରତି ବର୍ଷ ଅଧିକରୁ ଅଧିକ ସ˚ଖ୍ୟକ ନୂଆ ସଦସ୍ୟ ବିଶାଳ ଖବରକାଗଜ ପାଠକପାଠିକା ପରିବାରରେ ସାମିଲ ହେଉଛନ୍ତି। ‘ଫେଡେରେସନ୍‌ ଅଫ୍‌ ଇଣ୍ତିଆନ ଚ୍ୟାମ୍ବର ଅଫ୍‌ କମର୍ସ ଏଣ୍ତ ଇଣ୍ତଷ୍ଟ୍ରିଜ’ ବା ‘ଏଫ୍‌ଆଇସିସିଆଇ’ର ରିପୋର୍ଟ ଅନୁସାରେ ଭାରତୀୟ ଖବରକାଗଜ ଶିଳ୍ପର ବ୍ୟବସାୟରେ ପ୍ରତି ବର୍ଷ ୩.୪ ପ୍ରତିଶତ ହାରରେ ବୃଦ୍ଧି ହେଉଛି ଏବ˚ ୨୦୨୧ ମସିହା ସୁଦ୍ଧା ଭାରତୀୟ ଖବରକାଗଜ ଶିଳ୍ପର କାରବାର ୩,୩୮୦୦ କୋଟି ଟଙ୍କାରେ ପହଞ୍ଚିବ। ପୁଣି ବଡ଼ କଥା ହେଲା, ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହା ସମ୍ଭବ ହୋଇଛି। ବିମୁଦ୍ରୀକରଣ ଓ ଜିଏସ୍‌ଟି ଦ୍ବାରା ଖବରକାଗଜ ଶିଳ୍ପ ଉପରେ ଆଘାତ ପହଞ୍ଚିଛି, କିନ୍ତୁ ତା ସତ୍ତ୍ବେ ଭାରତୀୟ ଛାପା ଗଣମାଧୢମ ତିଷ୍ଠି ରହିବାର ଅପୂର୍ବ ସାମର୍ଥ୍ୟ କେବଳ ପ୍ରଦର୍ଶନ କରିନାହିଁ, ଏହା ଅଗ୍ରଗତି ମଧୢ କରିଛି। ଏ ପରିପ୍ରେକ୍ଷୀରେ ନିକଟରେ ହସ୍ତଗତ ହୋଇଥିବା ଏକ ଆମେରିକୀୟ ସର୍ବେକ୍ଷଣ ଗୁରୁତ୍ବ ବହନ କରେ। ସେଥିରେ ଯାହା ଦେଖିବାକୁ ମିଳିଛି, ତାହା ହେଉଛି ୧୯୬୧ରେ ୮୦ ପ୍ରତିଶତ ଆମେରିକୀୟ ଖବରକାଗଜ ପଢୁଥିଲା ବେଳେ ୧୯୯୯ ବେଳକୁ ସେହି ସ˚ଖ୍ୟାରେ ହ୍ରାସ ଘଟି ତାହା ହୋଇଯାଇଥିଲା ୫୮ ପ୍ରତିଶତ। ଉଲ୍ଲେଖନୀୟ ଯେ ଏହି ସମୟଟି ଥିଲା ଇଣ୍ଟରନେଟ୍‌ ଓ ସୂଚନା ପ୍ରଯୁକ୍ତିରେ ବୈପ୍ଳବିକ ପରିବର୍ତ୍ତନ ଆସିବାର ବେଳ। ତା ପରେ ୨୦୦୪ ବେଳକୁ ସେ ସ˚ଖ୍ୟା କମି ହୋଇଯାଇଥିଲା ୪୫ ପ୍ରତିଶତ ଏବ˚ ୨୦୧୮ରେ ତାହା ହୋଇଯାଇଛି ୨୭ ପ୍ରତିଶତ।

ତେବେ, ଏହାର କାରଣ କ’ଣ ହୋଇପାରେ? ଏହାର ସମ୍ଭାବ୍ୟ ଚାରିଟି କାରଣ ଭିତରୁ ପ୍ରଥମଟି ହେଲା, ଭାରତର ଖବରକାଗଜଗୁଡ଼ିକର ମୂଲ୍ୟ ତୁଳନାତ୍ମକ ଭାବେ ଅତ୍ୟନ୍ତ କମ୍‌। ଉଦାହରଣ ସ୍ବରୂପ ଭାରତରେ ହାରାହାରି ମାତ୍ର ୨୦୦ ଟଙ୍କା ଭିତରେ ଜଣେ ଗ୍ରାହକ ମାସକ ପାଇଁ ଗୋଟିଏ ସମ୍ବାଦପତ୍ର ପାଇ ପାରୁଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ହେଉଛି ଗୋଟିଏ ଖବରକାଗଜର ଦୈନିକ ମୂଲ୍ୟ। ଦ୍ବିତୀୟ କାରଣଟି ହେଉଛି ଏବେ ବି ଭାରତରେ ଖବରକାଗଜ ଗ୍ରାହକଙ୍କ ଘର ଦୁଆର ମୁହଁରେ ପହଞ୍ଚୁଛି। ପାଶ୍ଚାତ୍ୟ ଦେଶରେ ଏଭଳି ପ୍ରଥା ଆଉ ନାହିଁ। ସେଠାରେ ଶ୍ରମର ମୂଲ୍ୟ ଅସ୍ବାଭାବିକ ଭାବେ ଉଚ୍ଚା ହୋଇ ଯାଇଥିବାରୁ ଖବରକାଗଜ ବିତରଣ ବ୍ୟବସାୟ ପ୍ରାୟ ବୁଡ଼ିଯାଇଛି। ଏବେ ସେଠାରେ ଲୋକେ କିଣିବା ପରିବର୍ତ୍ତେ ସର୍ବସାଧାରଣ ସ୍ଥାନରେ ରଖାଯାଉଥିବା ଖବରକାଗଜ ପଢ଼ିବାକୁ ପସନ୍ଦ କରୁଛନ୍ତି। ତୃତୀୟ କାରଣଟି ହେଉଛି, ଇଲେକ୍ଟ୍ରୋନିକ ଓ ଡିଜିଟାଲ ଗଣମାଧୢମର ଆବିର୍ଭାବ ପରେ ଭାରତୀୟ ଛାପା ଗଣମାଧୢମ ନିଜକୁ ସମୟୋପଯୋଗୀ କରିବା ଲାଗି ଆଙ୍ଗିକ ଓ ପୌଷ୍ଟିକ ପରିବର୍ତ୍ତନ ଆଣିବାରେ ପ୍ରଦର୍ଶନ କରିଥିବା ସାହସ। ପାଶ୍ଚାତ୍ୟ ଛାପା ଗଣମାଧୢମ କ୍ଷେତ୍ରରେ ତାହା ଦେଖାଗଲା ନାହିଁ। ଚତୁର୍ଥ କାରଣଟି ହେଉଛି ଏବେ ବି ଅଧିକା˚ଶ ଭାରତୀୟ ଭୂଖଣ୍ତ ଇଣ୍ଟରନେଟ୍‌ ଜାଲର ବାହାରେ ରହିଛି, ଯାହା ଭାରତୀୟ ଛାପା ଗଣମାଧୢମକୁ ସମ୍ଭାବ୍ୟ କ୍ଷତିରୁ ହୁଏତ ଦୂରରେ ରଖିଛି।

ଛାପା ଗଣମାଧୢମର ବିଲୟ ବା ବିକାଶ ସ˚ଦର୍ଭରେ ଆଲୋଚନା କଲା ବେଳେ ଆମ ରାଜ୍ୟ ପ୍ରସଙ୍ଗରେ ଆଜିକୁ ପଇଁତିରିଶ ବର୍ଷ ତଳେ, ୧୯୮୪ ସାଲର ଆଜିର ଦିନରେ ‘ସମ୍ବାଦ’ର ପ୍ରଥମ ଆବିର୍ଭାବ କଥା ମନକୁ ଆସେ। ସେତେବେଳେ ଓଡ଼ିଆ ଖବରକାଗଜ ସବୁ ସଂଧ୍ୟାରେ ପ୍ରକାଶ ପାଉଥିଲା। ଅଥଚ, ‘ସମ୍ବାଦ’ ପ୍ରକାଶ ପାଇଲା ସକାଳେ। ଓଡ଼ିଶାର ମୁଦ୍ରଣ ଶିଳ୍ପରେ ପ୍ରଥମ କରି କଂପ୍ୟୁଟର ପ୍ରଯୁକ୍ତିର ବ୍ୟବହାର ସହ ପ୍ରଥମ ପ୍ରଭାତୀ ସଂସ୍କରଣ ରୂପେ ‘ସମ୍ବାଦ’ ଆତ୍ମପ୍ରକାଶ ଲାଭ କଲା। ବାସି ଖବର ପରିବର୍ତ୍ତେ ତାଜା ଖବରର ଯୁଗ ଆରମ୍ଭ ହେଲା। ପ୍ରସିଦ୍ଧ କ୍ୟାରବୀୟ କବି ଡେରେକ୍‌ ଵାଲକଟ୍‌ କହିଥିବା ଭଳି ‘ସମ୍ବାଦ’ ଥିଲା ସେ ସମୟର ସେଇ ‘ଆବିଷ୍କାରକ ଅଭିଯାତ୍ରୀ’ ଯାହାର ପଦବ୍ରଜରେ ‘ପୃଥିବୀ ପ୍ରଶସ୍ତ ହେଲା, ଆଲୋକିତ ହେଲା,’ ଅରମା ଭିତରେ ବାଟ ଫିଟିଥିଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କେବଳ ରାଜ୍ୟ-ସ୍ବାର୍ଥର ପକ୍ଷଭୁକ୍ତ ହୋଇ ‘ସମ୍ବାଦ’ ତାର ଦାୟିତ୍ବ ସ˚ପାଦନ କରି ଚାଲିଛି। ଆଜି ତାହା ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଦୈନିକ। ପାଠକପାଠିକାମାନଙ୍କ ପରିବର୍ତ୍ତିତ ପସନ୍ଦକୁ ଦୃଷ୍ଟିରେ ରଖି ‘ସମ୍ବାଦ’ ଅବିରତ ଭାବେ ପରୀକ୍ଷା-ନୀରିକ୍ଷା ଓ ପ୍ରୟୋଗ ଜାରି ରଖିଛି। ପୃଥିବୀର ଅନ୍ୟତ୍ର ଛାପା ଗଣମାଧୢମ ତାର ଶେଷ କଥା ଲେଖିବାକୁ ଆରମ୍ଭ କରିଥିବା ବେଳେ ‘ସମ୍ବାଦ’ ଜାଣେ ଯେ ପାଠକୀୟ ଆଗ୍ରହକୁ ତାର ଚୁମ୍ବକୀୟ ପ୍ରଭାବରେ ଆକର୍ଷିତ କରି ରଖିପାରିଲେ ସେମିତି ନୈରାଶ୍ୟର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର