ପୂଜା, ପ୍ରାର୍ଥନା ଓ ପ୍ରଦୂଷଣ

୧୮୮୬ ମସିହାରେ, ତାଙ୍କ ମୃତ୍ୟୁର ଛଅ ବର୍ଷ ପୂର୍ବରୁ , ପ୍ରସିଦ୍ଧ ଇ˚ରେଜୀ କବି ଲର୍ଡ‌୍‌ ଆଲଫ୍ରେଡ୍‌ ଟେନିସନ ‘ଦ ସଙ୍ଗ୍‌ ଅଫ୍‌ ଦ ବ୍ରୁକ୍‌’(ଛୋଟ ଝରଣାର ଗୀତ) ନାମରେ ଏକ ଚମତ୍କାର କବିତା ଲେଖିଥିଲେ। ସେହି କବିତାରେ ଛୋଟ ଝରଣାଟି ଯାହା ଗାଇ ଗାଇ ଚାଲିଥିଲା, ତହିଁରୁ ଚାରି ଧାଡ଼ି ଥିଲା ଏହିପରି : ‘ଟିଲ୍‌ ଲାଷ୍ଟ୍ ବାଇ ଫିଲିପ୍‌ସ ଫାର୍ମ ଆଇ ଫ୍ଲୋ, ଟୁ ଜଏନ୍‌ ଦ ବ୍ରିମିଙ୍ଗ ରିଭର/ଫର ମେନ୍‌ ମେ କମ୍‌, ମେନ୍‌ ମେ ଗୋ, ବଟ୍‌ ଆଇ ଗୋ ଅନ ଫରଏଭର‌୍‌’। ଏହାର ମର୍ମାର୍ଥ ହେଲା, ଉଛୁଳା ନଈରେ ମିଶିବା ଲାଗି ମୁଁ ବହିଯାଏ, ଫିଲିପ୍‌ ମହାଶୟଙ୍କ ଚାଷଜମି ଧାର ଦେଇ/ କାରଣ ଲୋକେ ଆସିବେ ଓ ଲୋକେ ଯିବେ, ମୁଁ କିନ୍ତୁ ବହୁଥିବି ଚିରନ୍ତନ ହୋଇ।’

ଲର୍ଡ‌୍‌ ଟେନିସନଙ୍କ କବିତାର ଗଭୀର ସା˚କେତିକ ଅର୍ଥକୁ ବାଦ ଦେଇ ଏହାକୁ ଯଦି ଛୋଟ ଝରଣା କଣ୍ଠର ଏକ ଗୀତ ବୋଲି ବିଚାର କରିବା, ତେବେ କବିତାଟିରେ ‘ଘୋଷା’ ଭଳି ଝରଣାଟି ବୋଲୁଥିବା ଦୁଇ ଧାଡ଼ି – ‘ଲୋକେ ଆସି‌େବ, ଲୋକେ ଯିବେ, ମୁଁ କିନ୍ତୁ ବହୁଥିବି ଚିରନ୍ତନ ହୋଇ’- ଯେ ବିଭ୍ରାନ୍ତିକର ଥିଲା, ତାହା ଏବେ ବୋଧ ହେଉଛି। ଟେନିସନ୍‌ ଏହି କବିତାଟି ଲେଖିଥିବା ବେଳେ ସାରା ପୃଥିବୀର ଝରଣା ଓ ନଦୀଗୁଡ଼ିକର ଜଳ ନିଶ୍ଚୟ ଥିବେ ସ୍ଫଟିକ-ସ୍ବଚ୍ଛ ଏବ˚ ସେମାନଙ୍କ ପ୍ରବାହର କୁଳୁକୁଳୁ ସ˚ଗୀତ ବି ଶୁଣାଯାଉଥିବ। କିନ୍ତୁ ଏବେ, ଏହି କବିତା ଲେଖାଯିବାର ୧୩୩ ବର୍ଷ ପରେ ଯେତେବେଳେ ପୃଥିବୀର ୭୦ ପ୍ରତିଶତ ଝରଣା ଓ ନଦୀ ମୁମୂର୍ଷୁ ସ୍ଥିତିରେ, ସେତେବେଳେ ‘ଚିରନ୍ତନ ପ୍ରବାହ’ର ସମ୍ଭାବନା ଯେ ବିଲୁପ୍ତି ଆଡ଼କୁ ଗତି କରୁଛି, ଏହା କହିବା ବାହୁଲ୍ୟ ମାତ୍ର।

ଏ ସ˚ଦର୍ଭରେ ବିଚାର କଲେ ଆମ ଦେଶର ନଦୀଗୁଡ଼ିକର ସ୍ବାସ୍ଥ୍ୟ ମର୍ମାହତ କରିଦେଲା ଭଳି। ପୁଣି ଏତିକିବେଳେ ପାର୍ବଣର ଉଲ୍ଲାସ ଭିତରେ ତଲ୍ଲୀନ, ଆମେମାନେ ପ୍ରାୟ ବିସ୍ମୃତ ଯେ ଆସନ୍ତା ଦୁଇ ଚାରି ଦିନ ଭିତରେ ଆମ ମୁମୂର୍ଷୁ ନଦୀମାନଙ୍କ ଧମନୀରେ ଆମେମାନେ କେଇ ଲକ୍ଷ ଟନ୍‌ ଓଜନର ମଇଳା ଓ ବର୍ଜ୍ୟ ବସ୍ତୁ ଭର୍ତ୍ତି କରି ଦେବା ଲାଗି ଉଦ୍ୟତ!

‘ଟକ୍‌ସିକ୍‌ ଲିଙ୍କ୍‌’ ନାମକ ଗୋଟିଏ ଏନ୍‌ଜିଓ ଦ୍ବାରା କରାଯାଇଥିବା ଏକ ଆକଳନ ଅନୁସାରେ କେବଳ ଦଶହରା ସମୟରେ ଭାରତରେ ପ୍ରତି ବର୍ଷ ପ୍ରାୟ ଏକ ଲକ୍ଷ ମୃଣ୍ମୟ ପ୍ରତିମାଙ୍କୁ ଭାରତର ନଦୀଗୁଡ଼ିକରେ ବିସର୍ଜନ କରାଯାଏ। ପଶ୍ଚିମବଙ୍ଗ, ଯେଉଁଠାରେ ଦଶହରା ପାଳନ ସବୁଠାରୁ ଅଧିକ ହିଲ୍ଲୋଳମୟ, ସେଠାରେ ଆଜିକୁ ପଚିଶ ବର୍ଷ ତଳେ ‘କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ‌୍‌’ ପକ୍ଷରୁ କରାଯାଇଥିବା ଏକ ଅନୁଧୢାନର ନିଷ୍କର୍ଷ କହେ ଯେ ୧୯୯୫ରେ ୧୫,୦୦୦ଟି ମୂର୍ତ୍ତି କେବଳ ହୁଗୁଳୀ ନଦୀରେ ହିଁ ବିସର୍ଜିତ ହୋଇଥିଲେ, ଯଦ୍ଦ୍ବାରା ୧୬.୮ ଟନ୍‌ ଓଜନର ବାର୍ନିସ୍‌ (ଏକ କ୍ଷତିକାରକ ରାସାୟନିକ) ଏବ˚ ୩୨ ଟନ୍‌ ଓଜନର ‘ସିନ୍ଥେଟିକ୍‌’ ରଙ୍ଗ ପାଣିରେ ମିଶିଥିଲା। ଏହାର ପଚିଶ ବର୍ଷ ପରେ, ଚଳିତ ବର୍ଷ, ହୁଗୁଳୀ ନଦୀ ଏହାର ତିନି ଗୁଣ ଅଧିକ ବିଷାକ୍ତ ଦ୍ରବ୍ୟ ଉଦରସ୍ଥ କରିବ ବୋଲି ଆଶଙ୍କା କରାଯାଉଛି।

ତେବେ କେବଳ ହୁଗୁଳୀ ନୁହେଁ, ଗଣେଶ ପୂଜା ଠାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ବିସର୍ଜିତ ହେଉଥିବା ମୂର୍ତ୍ତି ଦ୍ବାରା ଭାରତର ଅନେକ ନଦୀ କଣ୍ଠାଗ୍ରତ ଅବସ୍ଥାରେ। ଏହି ବର୍ଷ ଆମ ରାଜ୍ୟରେ କେବଳ କଟକ ଏବ˚ ଭୁବନେଶ୍ବରରେ ବଡ଼ ଓ ଛୋଟ ଦୁର୍ଗା ମେଢ଼ର ସ˚ଖ୍ୟା ପ୍ରାୟ ତିନି ଶହ ହେବ। ସେଗୁଡ଼ିକ ଏହି ଦ୍ବୈତ ସହରର ପ୍ରମୁଖ ଚାରିଟି ନଦୀରେ ବିସର୍ଜିତ ହେବେ। ଯଦିଓ ଚଳିତ ବର୍ଷ ଅନେକ ପୂଜା କମିଟି ସଚେତନ ହୋଇ ଜୈବ ରଙ୍ଗ ଓ ଜୈବ ବିଘଟନକ୍ଷମ ଦ୍ରବ୍ୟ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି, ତଥାପି ରାସାୟନିକ ରଙ୍ଗ, ସୋଲ, ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ର ଏକ ବିଶାଳ ଓଜନ ନଦୀ ଗର୍ଭକୁ ଯିବ। ଏହା ନିଶ୍ଚିତ ଭାବେ ଚିନ୍ତାଜନକ। ‘ଡାଉନ୍‌ ଟୁ ଆର୍ଥ’ ନାମକ ଏକ ପତ୍ରିକା ପକ୍ଷରୁ ସଚେତନ କରାଇ ଦିଆଯାଇଛି ଯେ ଗଣେଶ ପୂଜା ଠାରୁ କାଳୀ ପୂଜା ପର୍ଯ୍ୟନ୍ତ ସମୟ ଖଣ୍ତ ଭିତରେ ଆମ ଦେଶର ପ୍ରାୟ ସବୁ ନଦୀର ପାଣିରେ ଅମ୍ଳଜାନର ମାତ୍ରା ନାଟକୀୟ ଭାବେ ହ୍ରାସ ପାଇଥାଏ। ଏହା ନଦୀଗୁଡ଼ିକର ଜୈବ ପରିସ˚ସ୍ଥା ପ୍ରତି ଅତ୍ୟନ୍ତ କ୍ଷତିକାରକ।

ଜଗତ୍‌କରଣ ଓ ବଜାର-କେନ୍ଦ୍ରିକ ସ˚ସ୍କୃତିର ଉନ୍ମେଷ ପରେ ଆମ ଦେଶରେ ବର୍ତ୍ତମାନ ପୂଜା ଏକ ବିଶାଳ ଉଦ୍ୟୋଗରେ ପରିଣତ ହେଲାଣି। ୨୦୧୩ରେ ‘ଆସୋଚାମ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ କହିଥିଲା ଯେ କେବଳ ଦଶହରା ସମୟରେ ମୂର୍ତ୍ତି, ସାଜସଜ୍ଜା, ଆଲୋକୀକରଣ, ବଜାରରେ କିଣାବିକା, ବାହାର ସ୍ଥାନକୁ ଭ୍ରମଣ ଆଦିକୁ ନେଇ ଯେଉଁ ବିଶାଳ କାରବାର ଗଢ଼ି ଉଠିଛି, ତାହାର ମୂଲ୍ୟ ସେତେବେଳେ ଥିଲା ପ୍ରାୟ ୨୫,୦୦୦ କୋଟି ଟଙ୍କା। ପ୍ରତି ବର୍ଷ ଦଶହରା କାରବାରରେ ୩୫ ପ୍ରତିଶତ ବୃଦ୍ଧି ଘଟୁଛି। ସେହି ହିସାବରେ ଚଳିତ ବର୍ଷ ଦଶହରାରେ କାରବାର ପ୍ରାୟ ୧ ଲକ୍ଷ କୋଟିରେ ପହଞ୍ଚିବ। (ପ୍ରକାଶ ଥାଉ କି ପ୍ରତି ବର୍ଷ ଗଣେଶ ପୂଜା କାରବାରରେ ମଧୢ ବାର୍ଷିକ ୨୦ ପ୍ରତିଶତ ବୃଦ୍ଧି ଘଟୁଛି ବୋଲି ‘ଆସୋଚାମ’ ପକ୍ଷରୁ କୁହାଯାଇଛି।)

ଆମ ଦେଶରେ ପୂଜାର ଆଧୢାତ୍ମିକ ଭିତ୍ତିଟି ହେଉଛି ପ୍ରାର୍ଥନା। ନିରବ ପ୍ରାର୍ଥନାର ତରଙ୍ଗ ଈଶ୍ବରଙ୍କୁ ଛୁଇଁଥାଏ ବୋଲି ଆମେ ବିଶ୍ବାସ କରୁ। କିନ୍ତୁ ‘କମ୍ୟୁନିଟି’ ବା ଗୋଷ୍ଠୀ ପୂଜାର ଆବିର୍ଭାବ ହେବା ପର ଠାରୁ ନିରବ ଆବାହନ ବା ପ୍ରାର୍ଥନାର ଅନୁନାସିକ ଗୁଞ୍ଜରଣ ବଦଳରେ ଶୁଣିିବାକୁ ମିଳୁଛି ମାତ୍ରାତିରିକ୍ତ ଉଚ୍ଚ ଶବ୍ଦର ଲହରି। ଏହା ଶବ୍ଦ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। କେବଳ ଶବ୍ଦ ପ୍ରଦୂଷଣ ନୁହେଁ, ରାବଣପୋଡ଼ି ହେଉ ବା ଦୀପାବଳି ହେଉ ଅପରିମେୟ ପରିମାଣର ବାଣ ଫୁଟା ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣ ଅମ୍ଳଜାନଗ୍ରାହୀ ସବୁ ପ୍ରାଣୀଙ୍କୁ ଶ୍ବାସରୁଦ୍ଧ କରି ପକାଉଥିବା ବେଳେ ଆଲୋକ ପ୍ରଦୂଷଣ ରାତ୍ରିଚର ପ୍ରାଣୀଙ୍କ ଜୀବନ ଶୃଙ୍ଖଳାକୁ ବିଧ୍ବସ୍ତ କରିପକାଇଛି।

ତେବେ, ଏହା ମଧୢ ସତ ଯେ ଏହି ପାର୍ବଣ ସମୟ ହେଉଛି ଭାରତୀୟମାନଙ୍କ ଲାଗି ଆନନ୍ଦରେ ପ୍ଳାବିତ ହେବାର ସମୟ। କିନ୍ତୁ ଯଦି ଆମେ ଆମ ପର୍ବପର୍ବାଣିର ବ୍ୟବସ୍ଥାକୁ ଅଧିକ ପୋଷଣକ୍ଷମ କରିପାରିବା ତେବେ ଏ ଆନନ୍ଦ ଆମ ସମସ୍ତଙ୍କ ଲାଗି ଆହୁରି ଅର୍ଥପୂର୍ଣ୍ଣ ଓ ଦୀର୍ଘସ୍ଥାୟୀ ହୋଇପାରିବ। ବଜାର ପରିଚାଳିତ ମାନସିକତା ଆମ ପୂଜାପର୍ବଗୁଡ଼ିକୁ ଅଧିକରୁ ଅଧିକ ‘କାର୍ନିର୍ଭାଲ’ରୂପୀ କରି ପକାଉଛି। ସେଥିଲାଗି ତ ଦେଖିବାକୁ ମିଳୁଛି ଯେ ଦେବଦେବୀ ବିସର୍ଜନ ଭଳି ଆଧୢାତ୍ମିକ ରୂପେ ବିମର୍ଷକର କ୍ଷଣରେ ମଧୢ ନିଶାଗ୍ରସ୍ତ ଯୁବକମାନେ ଉଦ୍ଦଣ୍ତ ନୃତ୍ୟର ଶୋଭାଯାତ୍ରାରେ ମସଗୁଲ। ଜଳ, ବାୟୁ, ଶବ୍ଦ ଏବ˚ ଆଲୋକ ପ୍ରଦୂଷଣ ପରେ ଆମ ସାାମଜିକ ଜୀବନକୁ ରୁନ୍ଧି ଦେବାର ସମସ୍ତ ଲକ୍ଷଣ ବହନ କରିଥିବା ଏହି ପଞ୍ଚମ ପ୍ରଦୂଷଣଟିକୁ ଆମେ ଯଦି ‘ଅନ୍ତରର ପ୍ରଦୂଷଣ’ ବୋଲି ଆଖ୍ୟାୟିତ କରୁ, ବୋଧହୁଏ ତାହା ଅତିର˚ଜନ ହେବ ନାହିଁ।

ଏଇ ପରିପ୍ରେକ୍ଷୀରେ ଆଜି ମହାନବମୀ ତିଥିରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଆମମାନଙ୍କ ଠାରେ ଶୁଭ ବୁଦ୍ଧି ଉଦୟ କରାନ୍ତୁ। ଏ ପୃଥିବୀରୁ, ଏ ପ୍ରକୃତିରୁ ଏବ˚ ଆମ ସମସ୍ତଙ୍କ ଅନ୍ତରରୁ ସମସ୍ତ କଳୁଷ ଦୂର କରନ୍ତୁ।

ସମ୍ବନ୍ଧିତ ଖବର