ସଜନୀ ସନ୍ଧାନ

କଥାକାର-ଦାର୍ଶନିକ ମନୋଜ ଦାସଙ୍କର ପ୍ରସିଦ୍ଧ ଗଳ୍ପ ‘କିମ୍ଭୀରିଣୀ’କୁ ସମୀକ୍ଷକମାନେ ମ୍ୟାଜିକ୍‌ ରିଅଲିଜ୍‌ମ’ ବା ‘ଯାଦୁକରୀ ବାସ୍ତବତା’ ଶ୍ରେଣୀର ଏକ ଅନବଦ୍ୟ ପରିବେଷଣ ରୂପେ ପ୍ରଶ˚ସାରେ ଶତମୁଖ ହୋଇ ଆସିଛନ୍ତି। ଯେଉଁ ବିଦଗ୍‌ଧ ପାଠକ ପାଠିକାମାନେ ସେ ଗଳ୍ପର ରସ ଆସ୍ବାଦନ କରିଥିବେ ଏବ˚ ସାମ୍ପ୍ରତିକ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟି ଚାଲିଥିବା ସେ କାହାଣୀ ଅନୁରୂପ ଘଟଣାମାନଙ୍କ ଉପରେ ନଜର ରଖିଥିବେ, ସେମାନେ ବୋଧହୁଏ ଅନୁଭବ କରୁଥିବେ ଯେ ମନୋଜ ଦାସଙ୍କ ମଧୢରେ ଅବସ୍ଥିତ କଥା ଶିଳ୍ପୀର ଯଦିବା ତୁଳନା ନାହିଁ, ତା’ସହିତ ସହାବସ୍ଥାନ କରୁଥିବା ଦାର୍ଶନିକ ବୋଧହୁଏ ଏକ ଉଚ୍ଚତର ସ୍ଥାନର ଅଧିକାରୀ।

ତାଙ୍କର ସେ କାହାଣୀର ଅନ୍ୟତମ ପ୍ରମୁଖ ଚରିତ୍ର ତଥା ସୂତ୍ରଧର ପାଶ୍ଚାତ୍ୟ ସମାଜତତ୍ତ୍ବବିଦ୍‌ ଡକ୍ଟର‌୍‌ ବ୍ୟାଟ୍‌ଷ୍ଟୋନ୍‌ଙ୍କ ଭଳି କେତେକ ପ୍ରଶସ୍ତ ହୃଦୟ, ସକାରାତ୍ମକ ପାଶ୍ଚାତ୍ୟ ବିଶେଷଜ୍ଞମାନେ ବର୍ତ୍ତମାନ କହିବା ଦେଖାଗଲାଣି ଯେ ପୃଥିବୀରେ ଧନୀ-ଦରିଦ୍ର ବିଭାଜନ ଭଳି ଏକ ସ୍ପଷ୍ଟ ଅର୍ଥନୈତିକ-ସାମାଜିକ ବିଭାଜନ ପ୍ରାୟ ଲୋପ ପାଇଗଲାଣି। ସେମାନଙ୍କ ମତରେ ଧନୀ-ଦରିଦ୍ର ବିଭାଜନ ଏକ ତୀବ୍ର ନାଟକୀୟତା ବହନ କରୁଥିବାରୁ ଏ ଦୁଇ ଶ୍ରେଣୀକୁ ଉତ୍ତରମେରୁ-ଦକ୍ଷିଣମେରୁ ଭଳି ଦୁଇ ଅସ˚ଲଗ୍ନ ଇଲାକାରେ ସ୍ଥାନୀତ କରି ତା’ର ମଧୢବର୍ତ୍ତୀ ଇଲାକାକୁ ଏକ ସମ୍ପୂର୍ଣ୍ଣ ଫାଙ୍କା ଇଲାକା ରୂପେ ଦର୍ଶାଇବା ଅଧିକା˚ଶ ମନ୍ତବ୍ୟକାରଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇଥାଏ। ଏ ପ୍ରକାର ବିଭାଜନକାରୀ ମାନସିକତାକୁ ସେମାନେ ‘ଗ୍ୟାପ୍‌ ଇନ୍‌ଷ୍ଟିଂକ୍‌ଟ’ ବା ‘ଫାଙ୍କା ପ୍ରବୃତ୍ତି’ ରୂପେ ଅଭିହିତ କରିଥାନ୍ତି।

କିନ୍ତୁ ଏହି ମତବାଦ ସପକ୍ଷରେ ସେମାନେ ପ୍ରଦାନ କରୁଥିବା ପରିସ˚ଖ୍ୟାନ ଯେତେ ବିଶ୍ବସନୀୟ ବା ଶକ୍ତିଶାଳୀ ହୋଇଥାଉନା କାହିଁକି, ଆମେ ସୂଚାଇବାକୁ ଯାଉଥିବା ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସାମ୍ପ୍ରତିକ ଘଟଣାବଳୀ ଆମମାନଙ୍କ ମନରେ କୌଣସି ସନ୍ଦେହ ରଖେ ନାହିଁ ଯେ ଧନୀ-ଦରିଦ୍ର ମଧୢରେ ଥିବା ସେଇ ‘ଗ୍ୟାପ୍‌’ ବା ‘ଫାଙ୍କ’ କେବଳ କେତେକଙ୍କର ଏକ ନାଟକୀୟ କଳ୍ପନା ବିଳାସ ନୁହେଁ, ତାହା ହେଉଛି ଏକ ନିଷ୍ଠୁର ବାସ୍ତବତା। ସେ ‘ଗ୍ୟାପ୍‌ଟି’ ହେଲା: ଗରିବକୁ କିମ୍ଭୀର ଖାଏ, ଧନୀକୁ କିମ୍ଭୀର ଖାଏ ନାହିଁ। ଧନୀମାନେ ମନୋଜ ଦାସଙ୍କ ଗଳ୍ପର ଡକ୍ଟର ବ୍ୟାଟ୍‌ଷ୍ଟୋନ୍‌ଙ୍କ ଭଳି ରହନ୍ତି ସୁରକ୍ଷିତ ସହରର କୁମ୍ଭୀରହୀନ କଙ୍କ୍ରିଟ୍‌ ଜଙ୍ଗଲରେ, ଆଉ ଗରିବମାନେ ରହନ୍ତି ନଈନାଳ ଘେରା, ସବୁଜିମା ଭରା କ୍ଷେତବାଡ଼ି ଭିତ୍ତିକ କର୍ମଭୂମିରେ। ଆମ ଦେଶୀ ବ୍ୟାଟ୍‌ଷ୍ଟୋନ୍‌ମାନେ ଗାଧୋଇବା ପାଇଁ କିମ୍ବା ବାସନ ମାଜିବା ପାଇଁ ଘର ପଛପଟର ନାଳ ନଈ କିମ୍ବା ଗଡ଼ିଆକୁ ଯାଆନ୍ତି ନାହିଁ; ସେମାନେ ଏ ସମସ୍ତ ନିତିଦିନିଆ କାର୍ଯ୍ୟ ଆରାମପ୍ରଦ ଭାବରେ ସମାପନ କରିଥାନ୍ତି ବାଥ୍‌ରୁମ୍‌ର ସାଵାର‌୍‌ ତଳେ, କିମ୍ବା ବାଥ୍‌ ଟବ୍‌ରେ; କିଚେନ୍‌ ସିଙ୍କରେ କିମ୍ବା ଡିସ୍‌ ଵାସର‌୍‌ରେ। ଏବ˚ ସେମାନେ ଯେତେବେଳେ ନିରବଚ୍ଛିନ୍ନ ନିରାପତ୍ତା ଓ ଆରାମ ଦ୍ବାରା ‘ବୋର‌୍‌’ ହୋଇଯାଆନ୍ତି, ସେମାନଙ୍କ ମଧୢରୁ କେତେକ ବାହାରି ପଡ଼ନ୍ତି ଅନ୍ତିମ ବିପଦର ବାହକ ସରୀସୃପ କୁମ୍ଭୀର ଦର୍ଶନ ପାଇଁ- ତାହା ପୁଣି ଆୟୋଜିତ ନିରାପଦ, ସୁରକ୍ଷିତ ବ୍ୟବସ୍ଥା ଭିତରେ ଥାଇ।

ମନୋଜ ଦାସଙ୍କ ମ୍ୟାଜିକ୍‌ ରିଅଲିଜ୍‌ମ ଦୁନିଆର କିମ୍ଭୀର ତାଙ୍କ ଗାଁର ଜଣେ ବାଲ୍ୟ ବିଧବା ଯୁବତୀଙ୍କୁ ପାଣି ଭିତରକୁ ଟାଣି ନେଇ ଦଶବର୍ଷ କାଳ ନିଜ ଘରେ ପତ୍ନୀ ରୂପେ ରଖିବା ପରେ (ଯାଦୁବଳରେ ସେ ମଧୢ କୁମ୍ଭୀର ରୂପେ ପରିଗ୍ରହଣ କରି ‘କିମ୍ଭୀରିଣୀ’ରେ ପରିଣତ ହୋଇଥିଲେ)- ମହିଳାଜଣକ ନିଜର ପିତାମାତାଙ୍କୁ ଦେଖିବା ଆଶାରେ ପୁଣି ମନୁଷ୍ୟ ରୂପ ଧାରଣ କରି ଘରକୁ ଫେରି ଆସିଛି ଓ ଘଟଣାକ୍ରମରେ ଆଉ କୁମ୍ଭୀର ପାଖକୁ ଫେରିପାରି ନାହିଁ। ଅବଶ୍ୟ ମନୋଜ ଦାସଙ୍କ କାହାଣୀର ସମୟକାଳ ହେଉଛି ୧୯୭୨ର ଵାଇଲ୍‌ଡ଼ ଲାଇଫ୍‌ (ପ୍ରୋଟେକ୍‌ସନ୍‌) ଆକ୍ଟ ପ୍ରଣୟନର ବହୁ ପୂର୍ବର ସମୟ। ତେଣୁ କାହାଣୀରେ ପତ୍ନୀ ବିରହ ଜର୍ଜରିତ କୁମ୍ଭୀରଟି ଗାଁ ଭିତରେ ପ୍ରବେଶ କରନ୍ତେ, ଗ୍ରାମବାସୀମାନେ ତାକୁ ପିଟିପିଟି ମାରି ଦେଇଛନ୍ତି। ତା’ପରେ ଷାଠିଏ ବର୍ଷ କାଳ ‘କିମ୍ଭୀରିଣୀ’ ଏକାକିନୀ ଜୀବନ ବିତାଇ ଧୋକଡ଼ ବୁଢ଼ୀ ହୋଇଯାଇଛି। ବୁଢ଼ୀର କାହାଣୀକୁ ଲେଖକ ଯେତିକି ଅବିଶ୍ବାସ କରିଛନ୍ତି, ବ୍ୟାଟ୍‌ଷ୍ଟୋନ୍‌ ସାହେବ ସେତିକି ବିଶ୍ବାସ କରିଛନ୍ତି।

ଆଉ ଏବେ ମନେ ହେଉଛି ବ୍ୟାଟଷ୍ଟୋନ୍‌ ସାହେବ ହିଁ ଠିକ୍‌, ଲେଖକ ଭୁଲ୍‌। ସେ କାହାଣୀରେ ସିନା ସେଇ କୁମ୍ଭୀରଟିର ମୃତ୍ୟୁ ଘଟିଛି, କିନ୍ତୁ ମନେ ହେଉଛି ତା’ର ବିରହୀ ଆତ୍ମା ପିଢ଼ି ପରେ ପିଢ଼ି ତାର ବ˚ଶଧରମାନଙ୍କ ମଧୢରେ ପ୍ରବେଶ କରି ଚାଲିଛି। ଏବ˚ ୧୯୭୫ରେ ଏଠାକାର ଦୃଶ୍ୟପଟ୍ଟରେ ଡକ୍ଟର ବ୍ୟାଟ୍‌ଷ୍ଟୋନ୍‌ଙ୍କ ପରି ଆଉ ଜଣେ ସାହେବ ଡକ୍ଟର ଏଚ୍‌.ଆର‌୍‌ ବଷ୍ଟାର୍ଡଙ୍କର ଆବିର୍ଭାବ ଘଟିବା ପରେ ସେ କୁମ୍ଭୀରର ବ˚ଶଧରମାନଙ୍କ ସ˚ଖ୍ୟାରେ ବିସ୍ଫୋରକ ବୃଦ୍ଧି ଘଟି ଚାଲିଛି। ୧୯୭୬ରେ ଭିତରକନିକା ନଈନାଳରେ ୩୪ଟି ପ୍ରାପ୍ତ ବୟସ୍କ କୁମ୍ଭୀର ସମେତ ମୋଟ ୯୫ଟି ବଉଳା କୁମ୍ଭୀର ଥିବାବେଳେ ବଷ୍ଟାର୍ଡଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା କୁମ୍ଭୀର ସ˚ରକ୍ଷଣ ପ୍ରକଳ୍ପର ଅ˚ଶ ସ୍ବରୂପ ୧୯୭୭ରୁ ଏପର୍ଯ୍ୟନ୍ତ ୨,୨୦୦ରୁ ଅଧିକ କୁମ୍ଭୀର ସେଠାରେ ଛଡ଼ାଗଲେଣି ବୋଲି ଓଡ଼ିଶା ସରକାରଙ୍କର ଜଙ୍ଗଲ ବିଭାଗ ସଗର୍ବରେ ଘୋଷଣା କରିଥାଏ।

ସତେ ଯେମିତି ‘କିମ୍ଭୀରିଣୀ’ କାହାଣୀର ସେଇଠି ଶେଷ ଘଟି ନାହିଁ, ନିକଟ ଅତୀତରେ ଏପରି କୌଣସି ବର୍ଷ ଯାଇ ନାହିଁ, ଯେଉଁ ବର୍ଷ ଏକାଧିକ ମହିଳାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା କରିନାହିଁ। ସେ ନଈକୁ ଗାଧୋଇ ଯାଇଥିବା ସ୍କୁଲ ଝିଅ ସରସ୍ବତୀ ହେଉ କିମ୍ବା ସଦ୍ୟତମ ଶିକାର ବାସନ ଧୋଇବାକୁ ଆସିଥିବା ସଜନୀ ହୁଅନ୍ତୁ। ଏହା କେବଳ ଧନୀ-ଦରିଦ୍ର ବିଭାଜନକୁ ସ୍ବୀକୃତି ପ୍ରଦାନ କରୁନାହିଁ, ଏହା ପୁଣି ସମାଜର ଦରିଦ୍ର ବର୍ଗରେ ରହିଥିବା ଲିଙ୍ଗଗତ ବିଭାଜନ ପ୍ରତି ମଧୢ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଯେଉଁଥିପାଇଁ ବିରହୀ କୁମ୍ଭୀରମାନଙ୍କର ସଜନୀ ସନ୍ଧାନ ସହଜ ହୋଇଥାଏ- କେବଳ ମହିଳାମାନେ ହିଁ ବାସନ ଧୋଇବାକୁ ନଈନାଳକୁ ଯାଇଥାନ୍ତି। ‘କିମ୍ଭୀରିଣୀ’ର କାହାଣୀକୁ କଥାକାର ନିଜେ ବିଶ୍ବାସ କରନ୍ତୁ କି ନ କରନ୍ତୁ, ଏ ସମସ୍ତ ଘଟଣା ବ୍ୟାଟ୍‌ଷ୍ଟୋନ୍‌ଙ୍କ ବିଶ୍ବାସକୁ ଆହୁରି ଦୃଢ଼ୀଭୂତ କରୁଥିବ।

ସମ୍ବନ୍ଧିତ ଖବର

Comments are closed.