ମହାତ୍ମା ଗାନ୍ଧୀ ଠାଏ କହିଥିଲେ ଯେ ଆମ ଦେଶରେ ଦାରିଦ୍ର୍ୟର ସ୍ଥିତି ଏମିତି ଯେ ସେହି ଦରିଦ୍ରମାନଙ୍କ ଆଗରେ ଯଦି କେବେ ଈଶ୍ବର ଉଭା ହେବାକୁ ଚାହାନ୍ତି, ତେବେ, କେବଳ ‘ରୁଟି’(ଖାଦ୍ୟାନ୍ନ) ରୂପରେ ହିଁ ଉଭା ହୋଇ ପାରିବେ। ଗାନ୍ଧୀଜି ଯେତେବେଳେ ଏହା କହିଥିଲେ, ସେତିକି ବେଳେ ଭାରତ ପରାଧୀନ ଥିଲା। ଏବେ ଦେଶ ସ୍ବାଧୀନତା ଲାଭ କରିବା ପରେ ବାସ୍ତରି ବର୍ଷ ବିତିଗଲାଣି। ତଥାପି ଆମ ଦେଶରେ ଅନେକ ସ୍ଥାନରେ ଅନେକ ପରିବାର ସାମନାରେ ଏବେ ବି ଈଶ୍ବରଙ୍କୁ ‘ରୁଟି’ ରୂପରେ ହିଁ ଆବିର୍ଭୂତ ହେବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ସ୍ଥିତି ସ୍ପଷ୍ଟ ହୁଏ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ହୋଇଥିବା ‘କ˚ପ୍ରିହେନ୍ସିଭ ନେସନାଲ ନ୍ୟୁଟ୍ରିସନ୍ ସର୍ଭେ’ (ସିଏନ୍ଏନ୍ଏସ୍) ବା ‘ବିଶଦ ଜାତୀୟ ପୋଷଣ ସର୍ବେକ୍ଷଣ’ର ରିପୋର୍ଟରେ। ତହିଁରେ ଆମ ଦେଶର କ୍ଷୁଧା, ଅପପୁଷ୍ଟି ଓ କୁପୋଷଣର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ପାଞ୍ଚ ଟ୍ରିଲିଅନ୍ ଡଲାର ଅର୍ଥନୀତି ଆଡ଼କୁ ପାହୁଣ୍ତ ବଢ଼ାଇବାକୁ ଉଦ୍ୟତ ଆମ ଦେଶରେ ଏତେ ସ˚ଖ୍ୟକ ଶିଶୁ ଓ କିଶୋର ଅପପୁଷ୍ଟିର ଓ କୁପୋଷଣର ଶିକାର ହେବା ନିଶ୍ଚିତ ଭାବେ ଉଦ୍ବେଗଜନକ।
ୟୁନିସେଫ୍ ଏବ˚ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ‘ଖାଦ୍ୟ ଓ ପୋଷଣ ସୁରକ୍ଷା ସମୀକ୍ଷା’ ରିପୋର୍ଟ ନାମକ ଏହି ସୁବିସ୍ତୃତ ରିପୋର୍ଟରୁ ଜଣାପଡ଼ିଛି ଯେ ଆମ ଦେଶରେ ଶୂନରୁ ଦୁଇ ବର୍ଷ ବୟସ୍କ ଶିଶୁମାନଙ୍କ ଭିତରୁ ମାତ୍ର ୬.୪ ପ୍ରତିଶତ ‘ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ’ ଖାଇବାକୁ ପାଇଥାଆନ୍ତି। ସେଇଭଳି ଶୂନରୁ ପାଞ୍ଚ ବର୍ଷ ବୟସ୍କ ଶିଶୁମାନଙ୍କ ଭିତରେ ୩୫ ପ୍ରତିଶତ କୁପୋଷଣର ଶିକାର ଯାହା ସେମାନଙ୍କ ଶରୀରଗତ ଅଭିବୃଦ୍ଧି, ଓଜନ ଏବ˚ ଉଚ୍ଚତାକୁ ଅତ୍ୟନ୍ତ ପ୍ରତିକୂଳ ରୂପେ ଆକ୍ରାନ୍ତ କରିଛି। ରିପୋର୍ଟରେ କୁହାଯାଇଛି ଯେ ଦୀର୍ଘକାଳୀନ କୁପୋଷଣ କାରଣରୁ ପାଞ୍ଚ ବର୍ଷ ବୟସରୁ କମ୍ ବୟସ ବର୍ଗର ଶିଶୁମାନଙ୍କ ଭିତରୁ ୩୫ ପ୍ରତିଶତ ଶାରୀରିକ ଭାବେ ଖର୍ବ ଓ ୩୩ ପ୍ରତିଶତ ଅଳ୍ପ ଓଜନ ବିଶିଷ୍ଟ ହୋଇଥିବା ବେଳେ ୧୭ ପ୍ରତିଶତ ଶାରୀରିକ କ୍ଷୟର ଶିକାର। ଜନଜାତି ପରିବାରର ଶିଶୁଙ୍କ ଭିତରେ ଏହି ହାର ହେଉଛି ୪୦ ପ୍ରତିଶତ। ସେହିଭଳି କୈଶୋରରେ ଅର୍ଥାତ୍ ୧୦ ବର୍ଷ ବୟସରୁ ୧୯ ବର୍ଷ ବୟସ ବର୍ଗରେ ୨୪ ପ୍ରତିଶତ ବାଳକବାଳିକା ହେଉଛନ୍ତି ଅତ୍ୟନ୍ତ ଦୁର୍ବଳ। ଯଦିଓ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଦ୍ବାରା କୁପୋଷଣଗ୍ରସ୍ତ ଶିଶୁମାନଙ୍କ ସ˚ଖ୍ୟା ୨୦୦୫ର ୪୮.୩ ପ୍ରତିଶତରୁ କମି ୨୦୧୯ ସୁଦ୍ଧା ୩୫ ପ୍ରତିଶତରେ ପହଞ୍ଚିଛି, ତଥାପି ସ˚ଖ୍ୟା ଦୃଷ୍ଟିରୁ ଏହା ଯେ ଅତ୍ୟନ୍ତ ବିଶାଳ ଏଥିରେ ଦ୍ବିମତ ହେବାର ନାହିଁ। ଭବିଷ୍ୟତରେ ଭାରତ ଗୋଟିଏ ମହାକାୟ ‘ତରୁଣ ମାନବ ସମ୍ବଳ’ ଦ୍ବାରା ବଳୀୟାନ ହେବାକୁ ଯାଉଛି ବୋଲି ଆଶାଟିଏ ବାରମ୍ବାର ପ୍ରକାଶ ପାଉଛି। ଅଥଚ, ଭାରତୀୟ ଜନସ˚ଖ୍ୟାର ଦୁଇ ପଞ୍ଚମା˚ଶ ଦାରିଦ୍ର୍ୟ ପ୍ରପୀଡ଼ିତଙ୍କ ଭାଗ୍ୟକୁ ଯଦି କୁପୋଷଣର ରାହୁଗ୍ରାସରୁ ମୁକ୍ତ କରା ନ ଯାଏ, ତେବେ ଏ ଆଶା ମଉଳି ଯିବ ନିଶ୍ଚୟ।
ତେବେ ଏହି ରିପୋର୍ଟରେ ଗୋଟିଏ ଚିତ୍ର କିଞ୍ଚିତ ଚମକାଇ ଦେବା ଭଳି। ତାହା ହେଲା ଏୟା ଯେ ଦେଶର ଉନ୍ନତ ରାଜ୍ୟଗୁଡ଼ିକ ତୁଳନାରେ ଅନୁନ୍ନତ ରାଜ୍ୟଗୁଡ଼ିକରେ ୨ ବର୍ଷରୁ କମ୍ ବୟସ ବର୍ଗର ଅଧିକ ସ˚ଖ୍ୟକ ଶିଶୁ ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବାକୁ ପାଉଛନ୍ତି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ବିକଶିତ ରାଜ୍ୟଗୁଡ଼ିକରେ ଏହି ବୟସ ବର୍ଗରେ ଉପଯୁକ୍ତ ଖାଦ୍ୟ ଖାଇବାକୁ ପାଉଥିବା ଶିଶୁଙ୍କ ହାର ଯଥାକ୍ରମେ ୧.୫, ୨.୪, ୩.୬ ଏବ˚ ୪.୨ ପ୍ରତିଶତ ହୋଇଥିବା ବେଳେ ସିକିମ ଭଳି ଏକ ରାଜ୍ୟରେ ଉପଯୁକ୍ତ ପରିମାଣରେ ଖାଦ୍ୟ ଖାଇବାକୁ ପାଉଥିବା ଶିଶୁଙ୍କ ସ˚ଖ୍ୟା ୩୫.୩ ପ୍ରତିଶତ। ସେହିଭଳି ଓଡ଼ିଶା, ଛତିଶଗଡ଼, ଆସାମ ଭଳି ରାଜ୍ୟ ଯେଉଁମାନେ ସର୍ବଦା ଦାରିଦ୍ର୍ୟ ଓ କ୍ଷୁଧା ଲାଗି ଅପମାନଜନକ ଚର୍ଚ୍ଚାରେ ଥାଆନ୍ତି ସେ ସବୁ ରାଜ୍ୟରେ ଏ କ୍ଷେତ୍ରରେ ପ୍ରଦର୍ଶନ ଜାତୀୟ ହାର ଠାରୁ ଅନେକ ଉଚ୍ଚରେ। ଏ ସବୁ ରାଜ୍ୟଗୁଡ଼ିକ ଲାଗି ଏହା ନିଶ୍ଚିତ ଭାବେ ଯେ ଗୋଟିଏ ଉପଲବ୍ଧି ଏହା କହିବା ବାହୁଲ୍ୟ। ଏକ କାହାଣୀ ଅନୁସାରେ ଜଣେ କ୍ଷୁଧାତୁରା ବୃଦ୍ଧା ଗଛରୁ ଫଳ ଝଡ଼ାଇବା ଲାଗି ମାରିଥିବା ପଥର ମହାରାଜା ରଣଜିତ ସି˚ହଙ୍କ ମୁଣ୍ତରେ ଆଘାତ ଦେବା ପରେ ଯେତେବେଳେ ସେହି ଅପରାଧୀ ବୃଦ୍ଧାଙ୍କୁ ତାଙ୍କ ସାମନାକୁ ଅଣାଯାଇଥିଲା, ରାଜା ନିଜ ରାଜ୍ୟରେ ଥିବା କ୍ଷୁଧାର ପ୍ରକୃତ ହାଲ ବିଷୟରେ ବୁଝିପାରିଥିଲେ। କୁହାଯାଏ ତା ପରବର୍ତ୍ତୀ ପ୍ରୟାସର ଫଳ ସ୍ବରୂପ ମହାରାଜା ରଣଜିତ ସି˚ହଙ୍କ ସମୟରେ ଖାଦ୍ୟ ଯୋଗାଣର ବ୍ୟବସ୍ଥା ଅତ୍ୟନ୍ତ ପାରଦର୍ଶୀ ଓ ଦକ୍ଷ ହୋଇଥିଲା। ବୋଧହୁଏ ଆମ ଦେଶର ଅନୁନ୍ନତ ରାଜ୍ୟଗୁଡ଼ିକ ଉପରେ ବର୍ଷଣ କରାଯାଉଥିବା ‘କ୍ଷୁଧାଗ୍ରସ୍ତ’ ବା ‘ଅପପୁଷ୍ଟ’ ରୂପକ ଲା˚ଛନାର ପଥର ମାଡ଼ ସେମାନଙ୍କୁ ରଣଜିତ ସି˚ହସୁଲଭ ଉତ୍ସାହରେ ଉଦ୍ୟମ ଆରମ୍ଭ କରିବାକୁ ପ୍ରେରିତ କରିଛି! ଉପରୋକ୍ତ ଉପଲବ୍ଧି ହୁଏତ ତାର ଫଳଶ୍ରୁତି!
ଆମ ଦେଶରେ କୁପୋଷଣ ଓ କ୍ଷୁଧାକୁ ନେଇ ରହିଥିବା ବିରୋଧାଭାସ ହେଲା ଦେଶର ଗୋଦାମରେ ପ୍ରଚୁର ଖାଦ୍ୟ ମହଜୁଦ ଅଛି ଏବ˚ ଦେଶରେ ଖାଦ୍ୟ ସୁରକ୍ଷା ଅଧିକାର ତଥା ମାଆ ଓ ଶିଶୁଙ୍କ ପୋଷଣ ସକାଶେ ଅନେକ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ରହିଛି ଅଥଚ କୁପୋଷଣ ଏବ˚ କ୍ଷୁଧାର ଚିତ୍ରରେ ଆଶାନୁରୂପକ ପରିବର୍ତ୍ତନ ଆସୁନାହିଁ। ଏହାର କାରଣ ହେଉଛି ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଥିବା ଛିଦ୍ର, ଅଦକ୍ଷତା ଓ ଦୁର୍ନୀତି। ବିଖ୍ୟାତ ଭାରତୀୟ ଅର୍ଥନୀତିଜ୍ଞ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ଥରେ କହିଥିଲେ ଯେ ଦୁର୍ଭିକ୍ଷର କାରଣ ଖାଦ୍ୟାଭାବ ନୁହେଁ। ଦୁର୍ଭିକ୍ଷର କାରଣ ହେଉଛି ଖାଦ୍ୟ ଲାଗି ପହଞ୍ଚର ଅଭାବ। ଆମ ଦେଶ କ୍ଷେତ୍ରରେ ଏହା ହିଁ ଘଟି ଚାଲିଛି।