ବୁଦ୍ଧ ଓ ଚାଉମିନ

ଚେନ୍ନାଇର ମାମାଲ୍ଲାପୁରମ ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧୢରେ ଅନୌପଚାରିକ ବୈଠକ-୨.୦ ଅନୁଷ୍ଠିତ ହେବାର ଠିକ ପୂର୍ବରୁ ‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ଏକ ପ୍ରବନ୍ଧରେ ଲେଖାଯାଇଥିଲା – ‘ଏ ଦୁହେଁ ପୃଥିବୀର ସର୍ବାଧିକ ଜନବହୁଳ ତଥା ସର୍ବ-ବୃହତ୍‌ ରାଷ୍ଟ୍ର ଦୁଇଟିଙ୍କୁ ଚଳାନ୍ତି। ଏ ଦୁହେଁ ପରସ୍ପରର ପଡେ଼ାଶୀ ଏବ˚ ଦୁହେଁ ଦୁଇଟି ଅତି ପ୍ରାଚୀନ ସଭ୍ୟତା ଓ ଇତିହାସର ଉତ୍ତରାଧିକାରୀ। ଏ ଦୁହେଁ ମଧ୍ୟ ହେଉଛନ୍ତି ଦୁଇ ସମୃଦ୍ଧ ସ˚ସ୍କୃତିର ଦାୟାଦ। କିନ୍ତୁ ଏମାନେ ଚଳାଉଥିବା ଦୁଇ ଦେଶ ମଧୢରେ ରହିଛି ଗୋଟିଏ ଯୁଦ୍ଧର ଅତୀତ, ସୀମା ବିବାଦ ଓ ବାଣିଜ୍ୟିକ ମୁକାବିଲାର ମନୋଭାବ। ଏ ଦୁହିଁଙ୍କ ଭିତରେ ଅଛନ୍ତି ଚୀନ୍‌ ଦ୍ବାରା ବିତାଡ଼ିତ ଓ ପରିତ୍ୟଜ୍ୟ ଅଥଚ ଭାରତ ଦ୍ବାରା ସସମ୍ମାନେ ଆଶ୍ରୟପ୍ରାପ୍ତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଏବ˚ ଭାରତର ସବୁଠାରୁ ବଡ଼ ଶତ୍ରୁ ଅଥଚ ଚୀନ ଦ୍ବାରା ସବୁଠାରୁ ଅଧିକ ଅନୁଗୃହୀତ ରାଷ୍ଟ୍ର ପାକିସ୍ତାନ। ପୁଣି ଏ ଦୁଇ ଦେଶ ଭିତରେ ସ˚ପର୍କ ଊଣାଅଧିକେ ତିକ୍ତ ରହିଆସିଛି। ବିଭିନ୍ନ କାରଣରୁ ଏବେ ସୀମାନ୍ତରେ ତଥା ଜାତିସ˚ଘର ବନ୍ଦ ପ୍ରକୋଷ୍ଠରେ ଉଭୟ ଦେଶ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ପୁଣି ଏହା ସହିତ ରହିଛି ଗଲା ଅଗଷ୍ଟ ମାସରେ ଭାରତ ଦ୍ବାରା ଧାରା ୩୭୦ର ଉଚ୍ଛେଦ। ଏହା ପରେ କଶ୍ମୀରର ଗୋଟିଏ ଅ˚ଶ(ଅକ୍ଷୟ ଚୀନ) ଉପରେ ଅଧିକାର ସାବ୍ୟସ୍ତ କରି ଆସିଥିବା ଚୀନର ପ୍ରତିକ୍ରିୟା ସ୍ବାଭାବିକ ଭାବେ ଅଧିକ ରୁକ୍ଷ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତ ଓ ଚୀନର ଶାସନ ମୁଖ୍ୟଙ୍କ ଭିତରେ ଏହି ଦ୍ବିତୀୟ ଅନୗପଚାରିକ ସାକ୍ଷାତ କିଛିଟା ଅସହଜ ହୋଇପାରେ।’

କିନ୍ତୁ ଗଲା ଶୁକ୍ରବାର ଓ ଶନିବାର ଦିନ ହୋଇଯାଇଥିବା ଏହି ଅନୌପଚାରିକ ଶିଖର ବୈଠକ ଯେଉଁ ଆଭାସ ଦେଲା ସେଥିରୁ ପ୍ରତୀତ ହେଉଛି ଯେ ଏହା ବେଶ୍‌ ଅନ୍ତରଙ୍ଗ ଥିଲା। ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶରେ କଥାବାର୍ତ୍ତା ହେଲା। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ କହିଲେ ଯେ ଏହା ଥିଲା ହୃଦୟ ସହିତ ହୃଦୟର ଭାବ ଆଦାନପ୍ରଦାନ। ଏହି ଆଲୋଚନାରେ ଆତଙ୍କବାଦର ମୁକାବିଲା, ବାଣିଜ୍ୟ ସହଯୋଗ ବୃଦ୍ଧି ତଥା ଭୂ-ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏହି ଭୂଖଣ୍ତର ପ୍ରଭାବ ବିସ୍ତାର ସକାଶେ ଅନ୍ୟାନ୍ୟ ସହଯୋଗ ବିଷୟ ସ୍ଥାନ ପାଇଲା ଏବ˚ ମତୈକ୍ୟ ମଧ୍ୟ ପ୍ରକାଶ ପାଇଲା। ବାଦାୟ ନେଲା ବେଳେ ଚୀନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ଅନୈପଚାରିକ ଶିଖର ବୈଠକ ଲାଗି ନିମନ୍ତ୍ରଣ କରି ଗଲେ। ସ୍ମରଣ କରାଯାଇପାରେ ଯେ ଏହି ଶୃଙ୍ଖଳାର ପ୍ରଥମ ବୈଠକ ଚୀନର ୟୁହାନ ଠାରେ ଗତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା। ସରକାରୀ ସ୍ତରୀୟ ଶିଖର ବୈଠକର ଆଦବକାଇଦାରୁ ମୁକ୍ତ ଏଭଳି ଏକ କଥାବାର୍ତ୍ତାର ଧାରା ତୃତୀୟ ପର୍ଯ୍ୟାୟକୁ ଯିବା ହିଁ ସ˚କେତ ଦେଇଛି ଯେ ଡୋକଲାମ, ‘ଵାନ୍‌ ବେଲ୍‌ଟ, ଵାନ୍‌ ରୋଡ୍‌’, ଅକ୍ଷୟ ଚୀନ ବା ଅରୁଣାଚଳ ପ୍ରଦେଶ, ଦଲାଇଲାମା, ହଫିିଜ ସୈଦ ଓ ଜାତିସ˚ଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଭଳି କିଛି ଦ୍ବି-ପାକ୍ଷିକ ବିବାଦୀୟ ପ୍ରସଙ୍ଗକୁ କ୍ଷଣିକ ଲାଗି ପାଶୋରି ଦିଆଯାଇ ମଧୁର ସ˚ପର୍କର ରେଶମ ସୂତା ବାନ୍ଧିବା ଲାଗି କରାଯାଇଥିବା ପ୍ରୟାସ ସଫଳ ହୋଇଛି।

କିନ୍ତୁ ଏହା ମଧ୍ୟ ଭୁଲି ଗଲେ ଚଳିବ ନାହିଁ ଯେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ହେଉଛନ୍ତି ବାସ୍ତବ। ଏଗୁଡ଼ିକ ଥାଇ ନ ଥିବା ଭଳି ଆଚରଣ ପ୍ରଦର୍ଶନ କରାଯାଇ ନ ପାରେ। ଉଦାହରଣ ସ୍ବରୂପ ଉଭୟ ଚୀନ ଓ ଭାରତ ଆତଙ୍କବାଦକୁ ଗମ୍ଭୀରତାର ସହିତ ନେଇ ଏହାର ମୁକାବିଲା ଲାଗି ପରସ୍ପର ସହିତ ସହଯୋଗ କରିବାକୁ ସମ୍ମତ ହୋଇଛନ୍ତି। କିନ୍ତୁ ମୂଳ ପ୍ରଶ୍ନ ହେଉଛି ଯଦି ପାକିସ୍ତାନର ଗୀତକୁ ଘୋଷା କରି ଚୀନ କହିଚାଲେ ଯେ କଶ୍ମୀରରେ ରକ୍ତପାତ କରୁଥିବା ଉପଦ୍ରବୀମାନେ ହେଉଛନ୍ତି ‘ସ୍ବାଧୀନତା ସ˚ଗ୍ରାମୀ’, ତେବେ? ତେବେ, ତ ଏ ପ୍ରସଙ୍ଗ ହିଁ ମୂଳରୁ ମୂଲ୍ୟହୀନ ହୋଇଯିବ!

କିନ୍ତୁ ଦୂର ଭବିଷ୍ୟତକୁ ଦେଖିଲେ ଭାରତ-ଚୀନ ସୁସଂପର୍କ ସବୁଠାରୁ ଅଧିକ ଜରୁରୀ। କାରଣ, ସୂଚନା ପ୍ରଯୁକ୍ତି ହେଉ ବା ଶିଳ୍ପ ଉତ୍ପାଦନ ହେଉ ବା ବଜାର ହେଉ; ଏ ସବୁ କ୍ଷେତ୍ରରେ ଉଭୟ ଭାରତ ଓ ଚୀନ ଦ୍ରୁତ ଅଭିବୃଦ୍ଧି ହାସଲ କରିବା ସହିତ କେତେକ କ୍ଷେତ୍ରରେ ବିଶ୍ବ ସ୍ତରୀୟ ଆଧିପତ୍ୟ ବିସ୍ତାର କରିବାରେ ସମର୍ଥ ହେଲେଣି, ଯାହା ପାଶ୍ଚାତ୍ୟ ବିଶ୍ବ, ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଚକ୍ଷୁଶୂଳ ହେଉଛି। ଚୀନ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପଛରେ ଏହା ହେଉଛି କାରଣ। ସୁତରାଂ, ଚୀନର ପ୍ରଭାବକୁ ଏହି ଉପମହାଦେଶୀୟ ଅଞ୍ଚଳରେ ପ୍ରତିହତ କରିବା ଲାଗି ଆମେରିକା ଭାରତ ସହିତ ସୁସ˚ପର୍କ ରଖିବାକୁ ଆଗ୍ରହୀ। କିନ୍ତୁ ଏ କଥା ବାରମ୍ବାର ଦେଖାଯାଇଛି ଯେ ନିଜ ସ୍ବାର୍ଥ ଚରିତାର୍ଥ କରିବା ଲାଗି ଆମେରିକା ନିଃସଂକୋଚରେ ବନ୍ଧୁ ବଦଳାଏ। ତେଣୁ ଭବିଷ୍ୟତରେ ଭାରତର ଉତ୍‌ଥାନ ଆମେରିକା ପାଇଁ ଯଦି ଅସହ୍ୟ ହୋଇଯାଏ, ତେବେ ଆମେରିକା ଭାରତକୁ ଏକ ବନ୍ଧୁ ଭାବେ ନୁହେଁ, ବର˚ ଏକ ପ୍ରତିପକ୍ଷ ରୂପେ ଦେଖିପାରେ। ସେହି ଦୃଷ୍ଟିରୁ ପାଶ୍ଚାତ୍ୟ ବିଶ୍ବର ଓଜନ ସହିତ ଭାରସାମ୍ୟ ରକ୍ଷା କରିବା ଲାଗି ଭାରତ- ଚୀନ ମୈତ୍ରୀ ଏକ ଚମତ୍କାର ବିକଳ୍ପ। କିନ୍ତୁ ସେଥି ଲାଗି ଯାହା ଲୋଡ଼ା ତାହା ହେଉଛି ଚୀନ ପକ୍ଷରୁ ଅଧିକ ନିଷ୍ଠା ଓ ବିଶ୍ବସନୀୟତାର ପ୍ରଦର୍ଶନ। କାରଣ ‘ହିନ୍ଦୀ-ଚୀନ ଭାଇ ଭାଇ’ ନାରା ଦେଇ ତତ୍କାଳୀନ ଚୀନ ରାଷ୍ଟ୍ରପତି ଚାଉ ଏନ୍ ଲାଇ ଭାରତ ଗସ୍ତ ସାରି ନିଜ ‌େଦଶକୁ ଫେରିଯିବା ପରେ ପରେ ହିଁ ଚୀନ ପକ୍ଷରୁ ଭାରତ ଉପରେ ଆକ୍ରମଣ କରାଯାଇଥିଲା। ଏହାକୁ ଭାରତ ଏବେ ବି ଭୁଲିନାହିଁ।

ତେବେ, ବର୍ତ୍ତମାନ ଯେତେବେଳେ ଅନୌପଚାରିକ ସାକ୍ଷାତର ମୃଦୁ ସମୀରଣ ବହୁଛି, ସେତିକି ବେଳେ ବିଖ୍ୟାତ ଚୀନା ଦାର୍ଶନିକ ହୁ ସି(୧୮୯୧-୧୯୬୨) କହିଥିବା କଥାଟିଏ ମନେ ପଡେ଼। ସେ କହିଥିଲେ ଜଣେ ବି ସୈନିକ ପ୍ରେରଣ ନ କରି ଭାରତ ପ୍ରାୟ ଦୁଇ ହଜାର ବର୍ଷ ତଳୁ ଚୀନକୁ ‘ସା˚ସ୍ମୃତିକ’ ଭାବେ ଅଧିକାର କରି ସାରିଛି। ଏହା ଦ୍ବାରା ସେ ଚୀନରେ ବୌଦ୍ଧଧର୍ମର ପ୍ରସାର ଓ ପ୍ରଭାବ କଥା କହିବାକୁ ଚାହିଁଥିଲେ। ସେଇଭଳି ବିଚାର କଲେ ଏହା ସ୍ବୀକାର କରିବାକୁ ହେବ ଯେ ଚୀନ ବି ଭାରତକୁ ଜଣେ ହେଲେ ସୈନିକ ପ୍ରେରଣ ନ କରି ଏଇ କିଛି ବର୍ଷ ହେଲା ଭାରତରେ ଏକ ‘ସା˚ସ୍କୃତିକ’ ଅନୁପ୍ରବେଶ ଘଟାଇ କିଛି ସ୍ଥାନ ମଧ୍ୟ ଅଧିକାର କରି ସାରିଲାଣି। ଆମ ଖାଦ୍ୟ ଥାଳିରେ ଚାଉମିନ୍‌ ଓ ‘ଚିଲି’ ବ୍ୟ˚ଜନ(ଚିକେନ୍‌ ବା ପନିର ବା ଛତୁ) ତାର ପ୍ରମାଣ ନୁହେଁ ତ ଆଉ କ’ଣ? ‘ଡୋକଲାମ’ ଭାରତ-ଚୀନ ସୀମାରେଖା ଉପରେ ବାତାବରଣକୁ ଉତ୍ତପ୍ତ କରି ଦେଉଥିବା ବେଳେ ସମସ୍ତଙ୍କ ଅଗୋଚରରେ ଉଭୟ ରାଷ୍ଟ୍ରର ସୀମା ଭିତରକୁ ହୋଇ ଚାଲିଥିବା ଏଭଳି କୋମଳ ଅନୁପ୍ରବେଶଗୁଡ଼ିକ ଉଭୟ ଦେଶର ସଭ୍ୟତାକୁ ସମୃଦ୍ଧ କରିବ। ଭାଷା-ସାହିତ୍ୟ, ଚିତ୍ରକଳା ଠାରୁ ଆରମ୍ଭ କରି ସମର କଳା ପର୍ଯ୍ୟନ୍ତ କ୍ଷେତ୍ରରେ ଏଭଳି ଦ୍ବି ପାକ୍ଷିକ ଅନୁପ୍ରବେଶ ଚାଲୁ ରହିବା ଉଚିତ।

୨୦୧୮ର ‘ୟୁହାନ’ ଶିଖର ବୈଠକର ପୂର୍ବରୁ ଭାରତ ଓ ଚୀନ ସୀମାନ୍ତରେ କିଛିଟା ଉତ୍ତେଜନା ପ୍ରକାଶ ପାଇଥିଲା। ସେଇ ପରିପ୍ରେକ୍ଷୀରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ଓ ଚୀନ ଯଦି ଏକତ୍ର ହୋଇଯାଆନ୍ତେ ତେବେ ଏ ଗ୍ରହର ଜନସ˚ଖ୍ୟାର ଅଧାର୍ଧିକ ମାନବସମ୍ବଳର ଶକ୍ତି ସେମାନଙ୍କ ପାଖରେ ରହନ୍ତା। କିନ୍ତୁ, ହାୟ, ରାଜନୀତିରେ ଗଣିତର ଏ ଯୁକ୍ତି କାମ କରେ ନାହିଁ।’ ଏହା ସତ। କିନ୍ତୁ ରାଜନୈତିକ ଔପଚାରିକତାରେ ବା ବାଧ୍ୟବାଧକତାରେ ଯାହା ସମ୍ଭବ ହୋଇନାହିଁ, ତାହା ଯଦି ଅନୌପଚାରିକ ଅନ୍ତରଙ୍ଗ ଆଳାପରେ ସମ୍ଭବ ହୋଇପାରିଲା, ତେବେ, ତା ଠାରୁ ଭଲ ଆଉ କ’ଣ ଅଛି?

ସମ୍ବନ୍ଧିତ ଖବର