ଷୋଡ଼ଶୀର ସ୍ୱପ୍ନ

୧୯୭୦ ଦଶକରେ ଲାସେ ବର୍ଗ ନାମକ ସ୍ବିଡେନ୍‌ର ଜଣେ ସାମ୍ବାଦିକ ଭାରତର ଗ୍ରାମାଞ୍ଚଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସାରିତ କରିଥିଲେ, ଯାହା ପାଶ୍ଚାତ୍ୟରେ ବେଶ୍‌ ଆଦୃତ ହୋଇଥିଲା। ତାଙ୍କ ରିପୋର୍ଟରେ ସେ ସମୟର ଭାରତୀୟ ଗ୍ରାମାଞ୍ଚଳର ଚରମ ଦାରିଦ୍ର୍ୟ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ସୃଷ୍ଟି କଲାଭଳି ଫଟୋଚିତ୍ରମାନ ଅନ୍ତର୍ଭୁକ୍ତ ଥିଲା। ଲାସେ ବର୍ଗ ଏହାର ପ୍ରାୟ ୨୫ ବର୍ଷ ପରେ ସେଇ ଅଞ୍ଚଳକୁ ଫେରି ସେଠାକାର ଲୋକମାନଙ୍କର ଜୀବନ ଧାରଣର ମାନରେ ଘଟିଥିବା ଉନ୍ନତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତାଙ୍କର ଏହି ଦ୍ବିତୀୟ ଗସ୍ତ ସମୟରେ ଲାସେ ସାଙ୍ଗରେ ସେ ୨୫ ବର୍ଷ ତଳେ ଉଠାଇଥିବା ସେ ଅଞ୍ଚଳର କେତେକ ଫଟୋ ନେଇ କରି ଆସିଥିଲେ। ଏ ଫଟୋମାନଙ୍କରେ ବନ୍ଦୀ ହୋଇ ରହିଥିଲେ ସେ ସମୟର ଘରମାନଙ୍କର ମାଟି କାନ୍ଥ ଓ ମାଟି ଚଟାଣ, ଅଧା ଲଙ୍ଗଳା ପିଲାମାନେ ଏବ˚ ଆତ୍ମପ୍ରତ୍ୟୟହୀନ ଚାହାଣି ଧାରଣ କରିଥିବା ଗ୍ରାମବାସୀମାନେ, ଯେଉଁମାନଙ୍କୁ ନିଜର ଗାଁ ବାହାରେ ଆଉ କିଛି ଦୁନିଆ ଅଛି ବୋଲି ଜଣାନଥାଏ। ଲାସେ ବର୍ଗ ସେଠାକୁ ୨୫ ବର୍ଷ ପରେ ଫେରି ଯେଉଁ ପିଲାମାନଙ୍କୁ ଦେଖିଲେ ସେମାନେ ଭଲ ପୋଷାକ ପିନ୍ଧି ଖେଳାଖେଳି କରୁଥିଲେ, ମାଟି ଘରମାନଙ୍କ ଜାଗାରେ ଛିଡ଼ା ହୋଇଥିଲେ ପକ୍କା ଘରମାନ ଏବ˚ ଟେଲିଭିଜନ୍‌ ସମ୍ମୁଖରେ ବସିଥିଲେ ଦେଶ ଦୁନିଆ ବିଷୟରେ ଖବର ରଖିବା ପାଇଁ ଆଗ୍ରହୀ ଗ୍ରାମବାସୀମାନେ, ଯେଉଁମାନଙ୍କ ଚାହାଣିରେ ଭରି ରହିଥିଲା ଆତ୍ମବିଶ୍ବାସ। ଲାସେ ସେମାନଙ୍କୁ ଯେତେବେଳେ ୨୫ ବର୍ଷ ତଳର ଫଟୋମାନ ଦେଖାଇଲେ, ସେମାନେ ବିଶ୍ବାସ କରିବାକୁ ରାଜି ହେଲେ ନାହିଁ ଯେ ସେସବୁ ତାଙ୍କରି ଗାଁର ଫଟୋ ଥିଲା! ସେମାନେ ଲାସେଙ୍କୁ କହିଲେ ଯେ ସେ ବୋଧହୁଏ ଭ୍ରମରେ ପଡ଼ି ସେଠାକୁ ଚାଲିଆସିଛନ୍ତି, କାରଣ ସେମାନେ କେବେ ହେଲେ ଏଭଳି ଗରିବ ନ ଥିଲେ।

କେତେକ ପାଶ୍ଚାତ୍ୟ ପର୍ଯ୍ୟବେକ୍ଷକ ଲାସେ ବର୍ଗଙ୍କର ଏହି ସନ୍ତୋଷଜନକ ଅନୁଭୂତିକୁ ଭାରତ ଭଳି ଏକଦା ତୃତୀୟ ବିଶ୍ବରୂପେ ଅଭିହିତ ହେଉଥିବା ଦେଶ ହାସଲ କରିଥିବା ଅର୍ଥନୈତିକ ବିକାଶର ଏକ ପ୍ରଭାବଶାଳୀ ଉଦାହରଣ ରୂପେ ପ୍ରଦର୍ଶିତ କରିଥାନ୍ତି। ଲାସେ ବର୍ଗଙ୍କର ଏହି ରିପୋର୍ଟରେ କୌଣସି ମିଥ୍ୟାଚାର କିମ୍ବା ଅତିରଞ୍ଜନ ନାହିଁ। କିନ୍ତୁ ଆମେ ଏଠାରେ ପେସ୍‌ କରିବାକୁ ଯାଉଥିବା ପରିସ˚ଖ୍ୟାନରେ ମଧୢ କୌଣସି ଅତିରଞ୍ଜନ ବା ମିଥ୍ୟାଚାର ନାହିଁ। ୨୦୧୮ରେ ଭାରତୀୟମାନଙ୍କର ଦୈନିକ ମୁଣ୍ତପିଛା ଆୟ ଥିଲା ପ୍ରାୟ ୫.୭ ଆମେରିକୀୟ ଡଲାର ବା ପ୍ରାୟ ୪୦୦ ଭାରତୀୟ ଟଙ୍କା। ସେଇ ସମୟରେ ସ୍ବିଡେନ୍‌ର ଲୋକମାନଙ୍କର ଦୈନିକ ମୁଣ୍ତ ପିଛା ଆୟ ଥିଲା ପ୍ରାୟ ୧୫୭ ଡଲାର ବା ପ୍ରାୟ ୧୧,୦୦୦ ଭାରତୀୟ ଟଙ୍କା। ବର୍ତ୍ତମାନ ବିକାଶ ଅର୍ଥନୀତିଜ୍ଞମାନେ ପୃଥିବୀର ଦେଶମାନଙ୍କୁ ଆଉ ବିକଶିତ ଓ ବିକାଶଶୀଳ- ଏଭଳି ଦୁଇ ଶ୍ରେଣୀରେ ବିଭକ୍ତ ନ କରି ସେମାନଙ୍କୁ ଚାରିଟି ଆୟ ସ୍ତରରେ ବିଭକ୍ତ କରିବାକୁ ପସନ୍ଦ କରୁଛନ୍ତି। ସେ ଅନୁଯାୟୀ ହାରାହାରି ମୁଣ୍ତ ପିଛା ଆୟ ଦୈନିକ ୨ ଡଲାର ମଧୢରେ ହୋଇଥିବା ଦେଶ ପ୍ରଥମ ସ୍ତର, ୨ ରୁ ୮ ଡଲାର ମଧୢରେ ହୋଇଥିବା ଦେଶ ଦ୍ବିତୀୟ ସ୍ତର, ୮ରୁ ୩୨ ଡଲାର ମଧୢରେ ହୋଇଥିବା ଦେଶ ତୃତୀୟ ସ୍ତର ଏବ˚ ୩୨ ଡଲାର ବା ତହିଁରୁ ଅଧିକ ହୋଇଥିବା ଦେଶ ଚତୁର୍ଥ ସ୍ତର ଅଧିକାର କରିଥାନ୍ତି। ୧୯୭୦ ଦଶକରେ ଲାସେ ବର୍ଗ ଦେଖିଥିବା ଭାରତ ପ୍ରଥମ ସ୍ତରରେ ଥିବା ବେଳେ ଏବେ ଦ୍ବିତୀୟ ସ୍ତରରେ ପହଞ୍ଚିଛି, ଆଉ ତାଙ୍କ ନିଜ ଦେଶ ସ୍ବିଡେନ୍‌ ଅଛି ଚତୁର୍ଥ ସ୍ତରର ଶୀର୍ଷ ଅଞ୍ଚଳରେ।

ଲାସେ ବର୍ଗଙ୍କର ପ୍ରଥମ ଭାରତ ଗସ୍ତର ପ୍ରାୟ ଏକ ଶହ ବର୍ଷ ତଳେ ୧୮୬୦ ଦଶକରେ ସ୍ବିଡେନ୍‌ ଥିଲା ସେଇ ସ୍ତରରେ, ଯେଉଁ ସ୍ତରରେ ଭାରତ ଥିଲା ବର୍ଗଙ୍କ ଫଟୋରେ- ପ୍ରଥମ ସ୍ତରରେ। ବର୍ଗଙ୍କ ପ୍ରପିତାମହୀଙ୍କୁ ମାଟି ଚଟାଣରେ ଶୋଇ ସ୍ବିଡେନ୍‌ର ଅସହ୍ୟ ଶୀତରେ ଥରିବାକୁ ପଡ଼ୁଥିଲା। ସ୍ବିଡେନ୍‌ର ସଦ୍ୟତମ ଆନ୍ତର୍ଜାତିକ ଚାଞ୍ଚଲ୍ୟ ସୃଷ୍ଟିକାରୀ ସେଲିବ୍ରିଟି ୧୬ ବର୍ଷୀୟା ସ୍କୁଲ ଛାତ୍ରୀ ଗ୍ରେଟା ଥନ୍‌ ବର୍ଗଙ୍କର ପ୍ରପିତା-ପ୍ରପିତାମହୀଙ୍କୁ ମଧୢ ସେଇଭଳି ମାଟି ଚଟାଣରେ ଶେଯ ବିଛାଇ ଶୋଇବାକୁ ପଡ଼ୁଥିଲା। ଗ୍ରେଟା ସେ ବିଷୟରେ ସଚେତନ କି ନୁହେଁ, ଆମକୁ ଜଣା ନାହିଁ; ସେ କିନ୍ତୁ ନିଜର ଭବିଷ୍ୟତ ନେଇ ଘୋର ଚିନ୍ତିତ। ଏବ˚ ସେ ଏପରି ପ୍ରଭାବଶାଳୀ ଢଙ୍ଗରେ ନିଜର ଚିନ୍ତା ପ୍ରକଟ କରି ପାରିଛନ୍ତି, ଯେ ଚଳିତ ବର୍ଷ ପାଇଁ ନୋବେଲ୍‌ ଶାନ୍ତି ପୁରସ୍କାର ଟିକକରେ ତାଙ୍କ ହାତ ଛଡ଼ା ହୋଇଗଲା।

ତାଙ୍କର ଚିନ୍ତାର ବିଷୟବସ୍ତୁ ହେଉଛି ବିଶ୍ବତାପନ ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ତାଙ୍କ କହିବା କଥା ପୃଥିବୀର ବିଭିନ୍ନ ଦେଶମାନେ ବିଶ୍ବତାପନକୁ ନିୟନ୍ତ୍ରଣ କରିବାକୁ ଯଥେଷ୍ଟ ପଦକ୍ଷେପ ନେଉନଥିବାରୁ ତାଙ୍କ ଭଳି ଯୁବ ପିଢ଼ିର ଭବିଷ୍ୟତ ବିପନ୍ନ। ସେ ନିଜ ଦେଶରୁ ଏ ଆନ୍ଦୋଳନ ଆରମ୍ଭ କରି ବ୍ରିଟିସ ପାର୍ଲିଆମେଣ୍ଟରୁ ଜାତିସ˚ଘ ସାଧାରଣ ପରିଷଦ ପର୍ଯ୍ୟନ୍ତରେ ଅଗ୍ନିବର୍ଷୀ ଭାଷଣ ଦେଇ ପୃଥିବୀବାସୀଙ୍କୁ ଚମତ୍କୃତ କରି ଦେଇଛନ୍ତି। ତାଙ୍କ ଉଦ୍ଦେଶ୍ୟ କିନ୍ତୁ ହେଉଛି ପୃଥିବୀର ସମସ୍ତ ଦେଶମାନଙ୍କର ନେତୃବୃନ୍ଦଙ୍କୁ ଲଜ୍ଜିତ କରିବା, ଯେପରି ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଅଙ୍ଗାରକାମ୍ଳ ଭଳି ତାପବୃଦ୍ଧିକାରୀ ବାଷ୍ପ ନିର୍ଗମନରେ ଅନ୍ତ ଘଟାଇବାକୁ ବାଧୢ ହେବେ। ସେମାନେ ଜଙ୍ଗଲ କାଟିବେ ନାହିଁ, କୋଇଲା ଜାଳିବେ ନାହିଁ, ପେଟ୍ରୋଲ ପୋଡ଼ିବେ ନାହିଁ।

ଷୋଡ଼ଶୀ ଗ୍ରେଟାଙ୍କ ଏହି ସ୍ବପ୍ନ ବେଶ୍‌ ସ୍ବାଗତଯୋଗ୍ୟ। କିନ୍ତୁ ତାଙ୍କର ଅପରିପକ୍ବ ବୟସରେ ସେ ଲାଭ କରିଥିବା ଆନ୍ତର୍ଜାତିକ ଖ୍ୟାତି ଯୋଗୁଁ ସେ ଏଥିରେ ରହିଥିବା ଏକ ଅନ୍ତର୍ନିହିତ ଦୁର୍ବଳତା ସମ୍ବନ୍ଧରେ ସଚେତନ ନ ଥିବା ଭଳି ମନେହୁଏ। ତାଙ୍କର ପୂର୍ବଜଙ୍କ ମାଟି ଚଟାଣରୁ ସେ ନିଜେ ଉପଭୋଗ କରୁଥିବା ସେଣ୍ଟ୍ରାଲ ହିଟିଙ୍ଗର ଉଷୁମ ଅୟସରେ ପହଞ୍ଚିବା ପାଇଁ ବର୍ତ୍ତମାନ ପ୍ରତ୍ୟେକ ସ୍ବିଡେନବାସୀ ନିର୍ଗମନ କରୁଥିବା ହାରାହାରି ଅଙ୍ଗାର ପରିମାଣ ପହଞ୍ଚିଛି ବାର୍ଷିକ ୪.୫ ମେଟ୍ରିକ୍‌ ଟନ୍‌ରେ। ସେ ତୁଳନାରେ ଭାରତରେ ମୁଣ୍ତପିଛା ବାର୍ଷିକ ଅଙ୍ଗାର ନିର୍ଗମନ ହାର ହେଉଛି ମାତ୍ର ୧.୭ ମେଟ୍ରିକ୍‌ ଟନ୍‌। ଭାରତ ଯଦି ହଠାତ୍‌ ନିଜର ଅଙ୍ଗାର ନିର୍ଗମନକୁ ସ˚କୋଚନ କରିବାକୁ ଆରମ୍ଭ କରେ ଅର୍ଥାତ୍‌ କୋଇଲା, ପେଟ୍ରୋଲିଅମ୍‌ ଆଦିର ବ୍ୟବହାର ଶୂନ୍ୟ କରିବାକୁ ବସେ, ତେବେ ଭାରତରେ ଥିବା ଗ୍ରେଟାଙ୍କ ସମସାମୟିକ ପିଢ଼ି ସବୁଦିନ ପାଇଁ ପୂର୍ବବର୍ଣ୍ଣିତ ଦ୍ବିତୀୟ ସ୍ତରରେ ବନ୍ଦୀ ହୋଇ ରହିବା ବେଳେ ଗ୍ରେଟାଙ୍କ ଦେଶବାସୀମାନେ ଚତୁର୍ଥ ସ୍ତରର ଅଗ୍ରଭାଗରେ ରହି ଅୟସ କରି ଚାଲିଥିବେ। ନିଜର ପରିବେଶ ସୁରକ୍ଷା ଦାୟିତ୍ବ ସମ୍ବନ୍ଧରେ ସଚେତନ ଭାରତ ଏଠାରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ସାଧୢ ମତେ ଉଦ୍ୟମ କରୁଛି। କିନ୍ତୁ ଭାରତକୁ ମଧୢ ଚତୁର୍ଥ ସ୍ତରରେ ପହଞ୍ଚିବାକୁ ହେଲେ ଅତୀତରେ ଗ୍ରେଟା ଥନବର୍ଗଙ୍କ ଦେଶଭଳି ପାରମ୍ପରିକ ପ୍ରାକୃତିକ ସମ୍ବଳର ଉପଯୋଗ କରିବାକୁ ହେବ, ଯାହା ମାଧୢମରେ ଭାରତ ପ୍ରଥମ ସ୍ତର ଅତିକ୍ରମ କରି ଦ୍ବିତୀୟ ସ୍ତରରେ ପ୍ରବେଶ କରିବା ଲାସେ ବର୍ଗ ତାଙ୍କ ଦ୍ବିତୀୟ ଗସ୍ତରେ ଦେଖିଥିଲେ।

ସମ୍ବନ୍ଧିତ ଖବର