ଦରିଦ୍ର ନାରାୟଣ

ଧାର୍ମିକ ହିନ୍ଦୁମାନଙ୍କୁ ଯଦି ପଚରାଯାଏ, ‘ଦରିଦ୍ର ନାରାୟଣ’ ଅଭିବ୍ୟକ୍ତିରେ ଦରିଦ୍ରମାନଙ୍କୁ କାହିଁକି ନାରାୟଣ ବା ଭଗବାନ ରୂପେ ବିଚାର କରାଯାଏ, ସେମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିବା କଷ୍ଟକର। ସେହିପରି ଖ୍ରୀଷ୍ଟିଆନ୍‌ ମାନଙ୍କୁ ଯଦି ପଚରାଯାଏ, ଲ୍ୟୁକ୍‌ଙ୍କ ଗସ୍‌ପେଲ୍‌ରେ କାହିଁକି କୁହାଯାଇଛି, ‘‘ବ୍ଲେସେଡ୍‌ ଆର‌୍‌ ଦି ପୁଅର‌୍‌’’ (ଦରିଦ୍ରମାନେ ହିଁ ଈଶ୍ବରଙ୍କ ଆଶିଷ ଲାଭ କରିଥାନ୍ତି), ସେମାନେ ମଧୢ ଏକ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବେ ନାହିଁ। କିନ୍ତୁ ଏ ପ୍ରଶ୍ନ ଯଦି ଅର୍ଥଶାସ୍ତ୍ରରେ ନୋବେଲ୍‌ ସ୍ମାରକୀ ପୁରସ୍କାର ପ୍ରଦାନ କରୁଥିବା ରୟାଲ୍‌ ସ୍ବିଡିସ୍‌ ଏକାଡେମି ଅଫ୍‌ ସାଇନ୍‌ସେସ୍‌କୁ ପଚରା ଯାଏ, ତେବେ ସେମାନଙ୍କ ଠାରୁ ତତ୍‌କ୍ଷଣାତ୍‌ ଏକ ଉତ୍ତର ମିଳି ଯାଇପାରେ: ‘‘କାରଣ ଦରିଦ୍ରମାନଙ୍କ କୃପାରୁ ହିଁ ୨୦୧୫ରେ ଆଙ୍ଗସ୍‌ ଡିଟନ୍‌, ଏବ˚ ୨୦୧୯ରେ ଅଭିଜିତ୍‌ ବାନାର୍ଜୀ, ତାଙ୍କର ପୂର୍ବତନ ଗବେଷଣା ଛାତ୍ରୀ ତଥା ବର୍ତ୍ତମାନର ପତ୍ନୀ ଏସ୍‌ଥର‌୍‌ ଡଫ୍ଲୋ ଓ ମାଇକେଲ୍‌ କ୍ରେମର‌୍‌ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପାଇ ପାରିଛନ୍ତି।

ସଦ୍ୟତମ ନୋବେଲ୍‌ ପୁରସ୍କାର ଲାଭ କରି ତାଙ୍କର ମୂଳ ଦେଶ ଗରିବ ଭାରତରେ ଆନନ୍ଦର ଲହରୀ ଖେଳାଇଥିବା ଅଭିଜିତ୍‌ ଅନ୍ତତଃ ଏଥିରେ ଦ୍ବିମତ ହେବେ ନାହିଁ। କାରଣ ତାଙ୍କର ଗବେଷଣା ଖାତା, ବହି, ସନ୍ଦର୍ଭ ଆଦି ମଧୢରେ ସୀମିତ ନ ରହି, ଜଡ଼ ବିଜ୍ଞାନକୁ ଅନୁସରଣ କରି ଗବେଷଣା ଗାରରେ ପ୍ରବେଶ କରି ସେଠାରେ ପରୀକ୍ଷା ମାଧୢମରେ ଦାରିଦ୍ର୍ୟର ଫଳପ୍ରଦ ନିଦାନ ଆବିଷ୍କାର କରିବାକୁ ଚେଷ୍ଟା କରି ଆସିଛି। ଏଠାରେ ଅବଶ୍ୟ ଗବେଷଣାଗାର ଏକ ଉପକରଣ ଭର୍ତ୍ତି ପ୍ରକୋଷ୍ଠ ନ ହୋଇ ସମାଜ ହିଁ ଏକ ଗବେଷଣାଗାରର ଭୂମିକା ନିର୍ବାହ କରିଥାଏ, ଯେଉଁଠି ବାନାର୍ଜୀ, ଡଫ୍ଲୋ ଓ କ୍ରେମର‌୍‌ ସେମାନଙ୍କର ପ୍ରସିଦ୍ଧ ‘ରାଣ୍ତମାଇଜଡ଼ କଣ୍ଟ୍ରୋଲ୍‌ଡ ଟ୍ରାଏଲ୍‌’ (ଆର‌୍‌ସିଟି) ପଦ୍ଧତି ଅବଲମ୍ବନ କରି ଦାରିଦ୍ର୍ୟ ନିରାକରଣର ଫଳପ୍ରଦ ଉପାୟ ଅନୁସନ୍ଧାନ କରିଥାନ୍ତି। ଏଥିରେ ଔଷଧର ଫଳପ୍ରଦତା ପରୀକ୍ଷା କରାଯାଉଥିବା ଭଳି ଦାରିଦ୍ର୍ୟ ନିରାକରଣ ସମ୍ପର୍କିତ କୌଣସି ନିର୍ଦ୍ଦିଷ୍ଟ କୌଶଳର ଫଳପ୍ରଦତା ପରୀକ୍ଷା କରାଯାଇଥାଏ।

ଏଥିପାଇଁ ପରୀକ୍ଷା କରାଯାଉଥିବା ବ୍ୟକ୍ତିମାନଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥାଏ। ଗୋଟିଏ ଗୋଷ୍ଠୀ ଉପରେ ଉଦ୍ଦିଷ୍ଟ କୌଶଳ ପ୍ରୟୋଗ କରାଯାଉଥିବା ବେଳେ ଅନ୍ୟ ଗୋଷ୍ଠୀକୁ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଥାଏ। ଯଦି ପରୀକ୍ଷା ପରେ ଦେଖାଯାଏ ଯେ ପ୍ରଥମ ଗୋଷ୍ଠୀର ଫଳାଫଳ ଦ୍ବିତୀୟ ଗୋଷ୍ଠୀଠାରୁ ଉନ୍ନତତର ହୁଏ, ତେବେ କୌଶଳଟି ଫଳପ୍ରଦ ବୋଲି ସିଦ୍ଧାନ୍ତରେ ପହଞ୍ଚି ହେବ; ଯଦି ଉଭୟ ଗୋଷ୍ଠୀର ଫଳାଫଳ ପୂର୍ବବତ୍‌ ରହେ, ତେବେ ନୂତନ କୌଶଳଟି ପ୍ରଭାବହୀନ ବୋଲି ବିଚାର କରାଯିବ; ଯଦି ପରୀକ୍ଷା ପରେ ପ୍ରଥମ ଗୋଷ୍ଠୀର ଫଳାଫଳ ପୂର୍ବଠାରୁ ଖରାପ ହୁଏ, ତେବେ ନୂତନ କୌଶଳର ପ୍ରୟୋଗ କ୍ଷତିକାରକ ବୋଲି ସାବ୍ୟସ୍ତ ହେବ। କଳ୍ପନା କରାଯାଉ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଯୋଗଶିକ୍ଷା ପ୍ରଦାନ ଚିନ୍ତା କରାଯାଇଛି। ଏହା ଫଳପ୍ରଦ ହେବ କି ନାହିଁ ତାହା ଜାଣିବା ପାଇଁ ଉପରୋକ୍ତ ପଦ୍ଧତି ଅବଲମ୍ବନ କରି ଦୁଇଟି ଭିନ୍ନ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା କରାଯାଇପାରେ। ଶିକ୍ଷା, ସ୍ବାସ୍ଥ୍ୟ, କ୍ଷୁଦ୍ର ଋଣ ଆଦି କ୍ଷେତ୍ରରେ ଏହି ପଦ୍ଧତି ଅନୁସରଣ କରି ବିକାଶ ହାସଲ କରିବା ନିମିତ୍ତ ସଫଳ ନୀତି ନିର୍ଦ୍ଧାରଣ କରାଯିବା ଦେଖାଯାଇଛି।

ଡଫ୍ଲୋ ଓ ବାନାର୍ଜୀଙ୍କର ଦାରିଦ୍ର୍ୟ ଦୂରୀକରଣ ରଣକୌଶଳ ଦାରିଦ୍ର୍ୟର କେତେକ ମୌଳିକ ଚରିତ୍ର ସମ୍ବନ୍ଧରେ ସେମାନଙ୍କର ସ୍ପଷ୍ଟ ଧାରଣା ଉପରେ ପ୍ରତିଷ୍ଠିତ। ଏହା ମୁଖ୍ୟତଃ ପାଞ୍ଚଟି ବୋଲି କୁହାଯାଇପାରେ। ପ୍ରଥମ, ଗରିବଙ୍କ ପାଖରେ ଅଧିକା˚ଶ ସମୟରେ ଯଥେଷ୍ଟ ସୂଚନା ନ ଥାଏ; ତେଣୁ ସେମାନେ ଯାହା ସତ ନୁହେଁ, ସେଥିରେ ବିଶ୍ବାସ କରିଥାନ୍ତି। ଯେମିତି, ସେମାନେ ଟୀକାଦାନର ଲାଭକୁ ସନ୍ଦେହ କରିଥାନ୍ତି, ପ୍ରାଥମିକ ଶିକ୍ଷାର ଉପଯୋଗିତାକୁ ସନ୍ଦେହ କରିଥାନ୍ତି କିମ୍ବା ବିପଜ୍ଜନକ ଯୌନାଚରଣ ସମ୍ବନ୍ଧରେ ଅଜ୍ଞ ଥାନ୍ତି। ଏଥିଯୋଗୁଁ ସେମାନେ ଭ୍ରମାତ୍ମକ ନିଷ୍ପତ୍ତିମାନ ନେଇ ନିଜର ଓ ପରିବାରର କ୍ଷତିସାଧନ କରନ୍ତି। ଦ୍ବିତୀୟ, ଗରିବମାନଙ୍କୁ ଅନେକ ଗୁଡ଼ିଏ ନିଜ ପାଇଁ ନିଷ୍ପତ୍ତି ନିଜେ ନେବାକୁ ପଡ଼ିଥାଏ, ଯାହା ଧନୀମାନଙ୍କ ପାଇଁ ରାଷ୍ଟ୍ର ବା ବଜାର ନେଇଥାଏ। ଉଦାହରଣ ସ୍ବରୂପ ଧନୀମାନେ ପାଇପ୍‌ରେ ଯୋଗାଇ ଦିଆଯାଉଥିବା ବିଶୋଧିତ ଜଳ ପାଇଥାନ୍ତି କିନ୍ତୁ ଗରିବମାନଙ୍କୁ କୂଅ ପୋଖରୀରୁ ଆଣୁଥିବା ଜଳକୁ ନିଜେ ବିଶୋଧନ କରିବାକୁ ହେବ, ଯଦି ସେମାନେ ବିଶୁଦ୍ଧ ଜଳ ବ୍ୟବହାର କରିବାକୁ ଚାହାଁନ୍ତି। ଧନୀ ଘର ପିଲାମାନେ ସିଧାସଳଖ ଭିଟାମିନ୍‌ ପରିପୁଷ୍ଟ ଖାଦ୍ୟ ଭର୍ତ୍ତି ପ୍ୟାକେଟ୍‌ ବଜାରରୁ କିଣି ପାରୁଥିବା ବେଳେ ଗରିବମାନେ ନିଜ ପିଲାମାନଙ୍କୁ କିପରି ସୁଷମ ଆହାର ଯୋଗାଇବେ ତାହାର ଉପାୟ ନିଜେ ବାହାର କରିବାକୁ ହୋଇଥାଏ।

ତୃତୀୟ, ଗରିବମାନେ କେତେକ ବଜାରରେ ଆଦୌ ପ୍ରବେଶ କରିପାରନ୍ତି ନାହିଁ କିମ୍ବା ସେମାନଙ୍କୁ ସେଠାରେ ଚଢ଼ା ଦାମ ଦେବାକୁ ପଡ଼ିଥାଏ। ଯେମିତି, ଧନୀମାନେ ବ୍ୟାଙ୍କରୁ ନୀଚ ସୁଧହାରରେ ଋଣ ପାଇପାରୁଥିବା ବେଳେ, ଗରିବମାନଙ୍କୁ ସ୍ଥାନୀୟ ମହାଜନ ଠାରୁ ଉଚ୍ଚା ସୁଧ ହାରରେ ଋଣ ଆଣିବାକୁ ହୋଇଥାଏ କିମ୍ବା ସେମାନଙ୍କୁ ଆଦୌ ଋଣ ମିଳିନଥାଏ। ଚତୁର୍ଥ, ଦରିଦ୍ର ଦେଶମାନେ ଯେ ନିଜ ଦେଶରୁ ଦାରିଦ୍ର୍ୟ ଦୂରୀକରଣ କରିବାକୁ ଚାହାନ୍ତି ନାହିଁ, ଏପରି ନୁହେଁ। କିନ୍ତୁ ଅଧିକା˚ଶ ସମୟରେ ତିନିଗୋଟି କାରଣରୁ, ସେମାନଙ୍କର ଉଦ୍ୟମ ବିପଦ ହୋଇଥାଏ: ଅଜ୍ଞତା, ମତାନ୍ଧତା ଓ ଅଥର୍ବ ଅବସ୍ଥା। ତେଣୁ, ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ହୁଏ ନାହିଁ, ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ହୁଏ ନାହିଁ, ରାସ୍ତାରେ ଖାଲ ଖମାଣ ଭର୍ତ୍ତି ହୋଇଯାଏ, ରେଳ ଠିକ୍‌ ସମୟରେ ଚାଲେ ନାହିଁ, ଇତ୍ୟାଦି। ପଞ୍ଚମ, ଏକ ନକାରାତ୍ମକ ପରିବେଶରେ କେହି ଠିକ୍‌ ଭାବରେ କାମ କରିବା ଆଶା କରାଯାଏ ନାହିଁ; ଏଣୁ କେହି ଠିକ ଭାବରେ କାମ କରନ୍ତି ନାହିଁ: ଛାତ୍ରରୁ ଶିକ୍ଷକ ପର୍ଯ୍ୟନ୍ତ, ରୋଗୀରୁ ଡାକ୍ତର ପର୍ଯ୍ୟନ୍ତ; ପୁଲିସରୁ ନେତା ପର୍ଯ୍ୟନ୍ତ।

ବାନାର୍ଜୀ, ଡଫ୍ଲୋ, କ୍ରେମର‌୍‌ ଆଦି ଦାରିଦ୍ର୍ୟର ଏ ସମସ୍ତ ଦିଗ ପ୍ରତି ସଚେତନ ରହି ତା’ କବଳରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ଯେଉଁ ‘ଆର‌୍‌ସିଟି’ ରଣକୌଶଳ ପ୍ରସ୍ତୁତ ଓ ପ୍ରୟୋଗ କରିଛନ୍ତି, ତାହା ଯେ ଫଳପ୍ରଦ ହେବ, ଏହା ବିଶ୍ବାସ କରି ସ୍ବିଡିସ୍‌ ଏକାଡେମି ଏ ତିନିଜଣଙ୍କୁ ଏ ବର୍ଷର ନୋବେଲ୍‌ ପ୍ରାଇଜ୍‌ ପ୍ରଦାନ କରିଛି, ଯାହାକୁ ଦରିଦ୍ର ନାରାୟଣଙ୍କ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର