‘ମିଲେନିଏଲ୍‌’ଙ୍କ ପରିବାର

ଗଲା ସେପ୍‌ଟେମ୍ବର ମାସରେ ଲଣ୍ତନର ‘ଭଗ୍‌’ ପତ୍ରିକାକୁ ଏକ ସାକ୍ଷାତକାର ଦେଇ ଇ˚ଲଣ୍ତର ଯୁବରାଜ ପ୍ରିନ୍‌ସ ହ୍ୟାରି କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ମେଗାନ୍‌, ଡଚେସ୍‌ ଅଫ୍ ସସେକ୍‌ସଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ଦୁଇଟିରୁ ଅଧିକ ସନ୍ତାନ ଉପୁଜାଇବେ ନାହିଁ। ଏହାର କାରଣ ‘ଛୋଟ ପରିବାର, ସୁଖୀ ପରିବାର ନୁହେ’; ବରଂ, ଏହାର କାରଣ ‘ଛୋଟ ପରିବାର, ସୁଖୀ ପୃଥିବୀ।’ ମାତ୍ରାଧିକ ଜନସ˚ଖ୍ୟା ବୃଦ୍ଧି ହେତୁ ପୃଥିବୀର ପ୍ରକୃତି, ପରିବେଶ ଓ ଜଳବାୟୁ ଅତି ଗମ୍ଭୀର ଭାବେ ଆକ୍ରାନ୍ତ ହୋଇପଡୁଥିବାରୁ ଅଧିକ ସନ୍ତାନ ଜନ୍ମାଇ ତାକୁ ଆଉ ଅଧିକ ଭାରାକ୍ରାନ୍ତ କରିବାକୁ ଚାହାନ୍ତି ନାହିଁ ବୋଲି ରାଜକୁମାର ହ୍ୟାରି କହିଛନ୍ତି। ତେବେ, କେବଳ ସେ ନୁହନ୍ତି, ପୃଥିବୀ ସାରା ‘ମିଲେନିଏଲ’ ନାମରେ ଆଖ୍ୟାୟିତ ପିଢ଼ି (୧୯୮୧ରୁ ୧୯୯୬ ଭିତରେ ଜନ୍ମିତ ଏହି ପିଢ଼ି ‘ଜେନେରେସନ୍‌ Y’ ଭାବେ ମଧ୍ୟ ପରିଚିତ) ଏବେ ବିବାହ ବୟସରେ ପହଞ୍ଚି ବା ଦଂପତ୍ୟ ଜୀବନ ଗଢ଼ି ଅନୁରୂପ ନିଷ୍ପତ୍ତି ନେଉଥିବାର ଦେଖିବାକୁ ମିଳୁଛି। ଏହି ‘ମିଲେନିଏଲ୍‌’ ମାନଙ୍କ ମତରେ ଜନସ˚ଖ୍ୟାରେ ଅତିଶୟ ବୃଦ୍ଧି ପୃଥିବୀର ଦୋହନ ଓ ଶୋଷଣ ପ୍ରକ୍ରିୟାକୁ ଅତ୍ୟନ୍ତ ତୀବ୍ର କରିଛି। ସେହି ଦୃଷ୍ଟିରୁ ନିଜ ଯୋଜନା ମୁତାବକ ସ˚ଖ୍ୟାରୁ ଗୋଟିଏ ସନ୍ତାନ ବି କମ୍‌ ଜନ୍ମାଇବା ଏ ପୃଥିବୀ ଲାଗି ଏକ ବଡ଼ ଉପକାର ହେବ।

ପରିବେଶ ଏବ˚ ଜଳବାୟୁ ସ˚ପର୍କିତ ପରିସ˚ଖ୍ୟାନଗୁଡ଼ିକ ମଧୢ ଉପରୋକ୍ତ ଚିନ୍ତାଧାରାକୁ ସମର୍ଥନ କରିଥାଆନ୍ତି। ଏକ ଅନୁଶୀଳନ ଅନୁସାରେ ଜଣେ ବ୍ୟକ୍ତି ଜୀବନ ସାରା ପରିବେଶ ଅନୁକୂଳ ଗାଡ଼ି ବ୍ୟବହାର କରି, ଅଣପାର˚ପରିକ ସ୍ରୋତରୁ ପ୍ରାପ୍ତ ବିଜୁଳି ଉପଯୋଗ କରି ଏବ˚ ପ୍ଲାଷ୍ଟିକ ବର୍ଜନ କରି ପରିବେଶକୁ ଯେତିକି ପରିମାଣର ‘ସବୁଜ ଘର ଗ୍ୟାସ’ରୁ ମୁକ୍ତ କରିଥାଏ, ଅଧିକ ଗୋଟିଏ ମାତ୍ର ଶିଶୁର ଜନ୍ମ ତା ଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ ‘ସବୁଜ ଘର ଗ୍ୟାସ’ ନିର୍ଗମନର କାରଣ ହୋଇଥାଏ। ଗୋଟିଏ ଅଧିକ ସନ୍ତାନ ଜନ୍ମଲାଭ କରିବା ଅର୍ଥ ପରିବେଶକୁ ଶହେ ମେଟ୍ରିକ୍‌ ଟନ୍‌ରୁ ଅଧିକ ଅଙ୍ଗାରକ ଦେବା ଲାଗି ସ୍ରୋତଟିଏ ସୃଷ୍ଟି କରିବା।

ଏଣେ ଉଦ୍‌ବେଗଜନକ ଭାବେ ପୃଥିବୀ ଉପରେ ଜନସ˚ଖ୍ୟାର ଭାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗଲା ଶହେ ବର୍ଷରୁ କମ୍‌ ସମୟ ଭିତରେ ପୃଥିବୀର ଜନସ˚ଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି। ୧୯୨୭ ମସିହାରେ ଏ ଧରାପୃଷ୍ଠରେ ୨ ବିଲିଅନ୍‌ (ଏକ ବିଲିଅନ୍‌ ହେଉଛି ଶହେ କୋଟି) ଲୋକ ବିଚରଣ କରୁଥିଲେ; ଏବେ ୨୦୧୯ରେ ସେହି ସ˚ଖ୍ୟା ୭ ବିଲିଅନ୍‌ରେ ପହଞ୍ଚିଲାଣି। ବିଗତ ୫୦ ବର୍ଷ ଭିତରେ ମଣିଷ ଯେତିକି ପ୍ରାକୃତିକ ସ˚ସାଧନର ଉପଯୋଗ କରିଛି, ତାହା ମାନବ ଜାତିର ଉଦ୍ଭବ କାଳରୁ ପଚାଶ ବର୍ଷ ତଳ ପର୍ଯ୍ୟନ୍ତ ରହିଥିବା ବିଶାଳ ସମୟ ଖଣ୍ତରେ ମଧୢ ହୋଇ ନ ଥିଲା। ୨୦୧୮ରେ ଜାତିସ˚ଘର ‘ଇଣ୍ଟର-ଗଭର୍ନମେଣ୍ଟାଲ ପ୍ୟାନେଲ୍‌ ଅଫ୍‌ କ୍ଲାଇମେଟ୍‌ ଚେ˚ଜ୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସାରା ବିଶ୍ବକୁ ପ୍ରଭାବିତ କଲା ଭଳି ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ଘଟିବାକୁ ଆଉ ମାତ୍ର ୧୨ ବର୍ଷ ବାକି। ଏହି ସ୍ତମ୍ଭ ଲେଖା ହେବା ବେଳକୁ ଏହି ସମୟରୁ ବର୍ଷଟିଏ କମିଗଲାଣି। ଏହି ପରିପ୍ରେକ୍ଷୀରେ ୨୦୧୭ରେ ‘ଏନ୍‌ଭିରନ୍‌ମେଣ୍ଟ ଲେଟର‌୍‌ସ’ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ଅନୁଶୀଳନମୂଳକ ରିପୋର୍ଟ କହିଥାଏ ଯେ ଯଦି ଗୋଟିଏ ଦ˚ପତି ଗୋଟିଏ ସନ୍ତାନ କମ୍‌ ଉପୁଜାଇବାର ନିଷ୍ପତ୍ତି ନିଅନ୍ତି ତେବେ ସେମାନେ ତା ଦ୍ବାରା ନିଜ ଜୀବନ କାଳ ପର୍ଯ୍ୟନ୍ତ ପ୍ରତି ବର୍ଷ ୧୧୬ଟନ୍‌ ଅଙ୍ଗାରକ ଉତ୍ସର୍ଜନକୁ ରୋକିପାରିବେ, ଯାହା ପରିବେଶ ଅସନ୍ତୁଳନ ଓ ତଜ୍ଜନିତ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଦିଗରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରୟାସ ହୋଇପାରିବ।

ଉଲ୍ଲେଖଯୋଗ୍ୟ ଯେ ଭାରତରେ ମଧୢ ‘ମିଲେନିଏଲ୍‌’ମାନେ ବିବାହ ପରେ ସନ୍ତାନ ନ ଉପୁଜାଇବାର ନିଷ୍ପତ୍ତି ନେବାର ଦେଖାଯାଉଛି। ତେବେ, ଏହା ପଛରେ ସେମାନଙ୍କ ଉଦ୍ଦେଶ୍ୟରେ ଅନେକ ତାରତମ୍ୟ ରହୁଥିବା ମଧୢ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଜାନୁଆରି ମାସରେ ମୁମ୍ବାଇର ରାଫେଲ ସାମୁଏଲ ନାମକ ଜଣେ ସତେଇଶ ବର୍ଷ ବୟସ୍କ ଯୁବକ ତାଙ୍କ ବିନା ଅନୁମତିରେ ତାଙ୍କୁ ଜନ୍ମ ଦେଇଥିବାରୁ ନିଜ ପିତାମାତାଙ୍କ ବିରୋଧରେ ଅଦାଲତରେ ମାମଲା ରୁଜୁ କରି ବିଶେଷ ଚର୍ଚ୍ଚାକୁ ଆସିଥିଲେ। ରାଫେଲ ସାମୁଏଲ୍‌ ସନ୍ତାନ ଜନ୍ମର ଘୋର ବିରୋଧୀ। ସେ ନିଜକୁ ଜଣେ ‘ଆଣ୍ଟିନାଟାଲିଷ୍ଟ୍’ ବୋଲି କହନ୍ତି। ତାଙ୍କ ସହିତ ସମାନ ମନୋଭାବ ପୋଷଣ କରୁଥିବା ଅନେକ ‘ମିଲେନିଏଲ୍‌’ ଏକତ୍ର ହୋଇ ଏକ ରାଷ୍ଟ୍ର ସ୍ତରୀୟ ସ˚ଗଠନ କରିବାକୁ ମଧୢ ବାହାରିଲେଣି। ସେହି ‘ଆଣ୍ଟିନାଟାଲିଷ୍ଟ୍‌’ମାନଙ୍କ ଭିତରୁ ଅନେକ ନିଜ କ୍ୟାରିଅର ଲାଗି ସନ୍ତାନମୁକ୍ତ ହୋଇ ରହିବାକୁ ଚାହୁଁ ଥିଲା ବେଳେ ଅନେକ ଜଞ୍ଜାଳମୁକ୍ତ ଜୀବନ ଲାଗି ସନ୍ତାନ ଲାଭ କରିବାକୁ ଚାହାନ୍ତି ନାହିଁ। ତେବେ, ସେମାନଙ୍କ ମଧୢରେ ଏଭଳି ‘ମିଲେନିଏଲ୍‌’ ବି ଅଛନ୍ତି ଯେଉଁମାନେ ପରିବେଶ ସନ୍ତୁଳନ ରକ୍ଷାରେ ସେମାନଙ୍କ ଯୋଗଦାନ ସ୍ବରୂପ ନିଃସନ୍ତାନ ହୋଇ ରହିବାକୁ ଇଚ୍ଛା କରନ୍ତି।

ତେବେ, ଭାରତ ଭଳି ଏକ ପର˚ପରାବାଦୀ ରାଷ୍ଟ୍ର ଓ ସମାଜରେ ନିଃସନ୍ତାନ ରହିବାର ଏ ଆନ୍ଦୋଳନ କେତେ ସଫଳ ହେବ ବା କେତେ ଅନୁଗାମୀ ଜୁଟାଇ ପାରିବ, ତାହା ଗୋଟିଏ ବଡ଼ ପ୍ରଶ୍ନ। ଯଦିଓ ଜନସ˚ଖ୍ୟା ବୃଦ୍ଧି କାରଣରୁ ଆମ ଦେଶରେ ଅନେକ ସମସ୍ୟା ଅତ୍ୟନ୍ତ ଅତିକାୟ ଆକାର ଧାରଣ କରି ଛିଡ଼ା ହୋଇଛି, ତଥାପି ଜନସ˚ଖ୍ୟା ବୃଦ୍ଧିକୁ ରୋକାଯିବା ନେଇ ସମର୍ଥ ଉପାୟଟିଏ ବାହାରିବା ସମ୍ଭବ ହେଉନାହିଁ। ପୁଣି ଦରିଦ୍ର ପରିବାରରେ ଅଧିକ ସନ୍ତାନର ଅର୍ଥ ହେଉଛି ପରିବାର ଲାଗି ଅଧିକ ଉପାର୍ଜନର ଆଶା। ଏଇଭଳି ସ୍ଥିତିରେ ପରିବେଶ ସୁରକ୍ଷା ଲାଗି ନିଃସନ୍ତାନ ରହିବା ବା ସନ୍ତାନ କମ୍‌ ଜନ୍ମ କରିବାର ବାର୍ତ୍ତା ଆମ ଆର୍ଥିକ ପିରାମିଡ଼ର ନିମ୍ନରେ ଥିବା ପଚାଶ ଭାଗ ଜନସ˚ଖ୍ୟା ଭିତରେ ଭେଦିବାର ଆଶା ଖୁବ୍‌ କମ୍‌। ତେବେ ପରିବେଶ ସନ୍ତୁଳନ ଲାଗି ପରିବାର କମାଇବାର ଏ ସନ୍ଦେଶ ସେମାନଙ୍କ ପାଖରେ ନ ପହଞ୍ଚିଲେ ମଧୢ କୌଣସି ବିଶେଷ କ୍ଷତି ନାହିଁ। କାରଣ ‘ସେଣ୍ଟର ଫର ସାଇନ୍‌ସ ଏଣ୍ତ୍‌ ଏନଭିରନମେଣ୍ଟ’ର ନିର୍ଦ୍ଦେଶକ ଚନ୍ଦ୍ର ଭୂଷଣଙ୍କ ମତରେ ଭାରତର ଆର୍ଥିକ ପିରାମିଡ୍‌ରେ ତଳେ ଥିବା ଏହି ବର୍ଗ ମାତ୍ର ଅଧ ଟନ୍‌ରୁ ବି କମ୍‌ ‘କାର୍ବନ ଫୁଟ୍‌ପ୍ରିଣ୍ଟ’ ସୃଷ୍ଟି କରୁଥିବା ବେଳେ ପିରାମିଡ଼ର ଉପର ଦଶ ଭାଗ ଛଅ ଟନ୍‌ ‘କାର୍ବନ ଫୁଟପ୍ରିଣ୍ଟ୍‌’ ସୃଷ୍ଟି କରିଥାଆନ୍ତି। ଯେଉଁ ‘ମିଲେନିଏଲ୍‌’ମାନେ ନିଃସନ୍ତାନ ରହିବାର ପଣ କରିଛନ୍ତି, ସେମାନେ ପ୍ରାୟତଃ ଏହି ଉପର ଦଶ ଭାଗ ଭିତରେ ଯାଆନ୍ତି। ତେଣୁ ଏ ପର୍ଯ୍ୟନ୍ତ ଧାରଣକ୍ଷମ ଜୀବନ ଶୈଳୀର ଆଶ୍ରୟ ନେଇ ବଞ୍ଚି ରହିଥିବା ତଳ ପଚାଶ ଭାଗ ଲୋକଙ୍କର ପରିବାର ପଲ୍ଲବିତ ହେଲେ କୌଣସି କ୍ଷତି ନାହିଁ।

ସମ୍ବନ୍ଧିତ ଖବର

Comments are closed.