ସତ୍ୟ ଉଦ୍‌ଘାଟିତ ହେଉ

ବଲିଉଡ୍‌ ସିନେମାର ଅଧିକା˚ଶ ଲୋକପ୍ରିୟ କାହାଣୀର ପ୍ରସଙ୍ଗ ହେଉଛି ରାଜନେତା-ପୁଲିସର ମଧୁଚକ୍ର। ଏହି ସବୁ ସିନେମାର ପରିଣତିରେ ପ୍ରାୟତଃ ଯାହା ସବୁ ଘଟେ ତାହା ପୁଲିସର ଭାବମୂର୍ତ୍ତିକୁ ଆଦୌ ଉଜ୍ଜ୍ବଳ କରେନାହିଁ। ଆମ ବିଚାରରେ ଗୋଟିଏ ବ୍ୟବସ୍ଥାର ଏଭଳି ସାଧାରଣୀକରଣ ଆଦୌ ସ୍ପୃହଣୀୟ ନୁହେଁ। ସେଥିପାଇଁ ଯେତେବେଳେ ଓ ଯୋଉଠି ଏଭଳି କିଛି ଘଟଣା ଘଟୁଛି, ଯାହାର ସତ୍ୟ ଉଦ୍‌ଘାଟନ ପୁଲିସର ଭାବମୂର୍ତ୍ତି ଉଜ୍ଜ୍ବଳ କରିପାରିବ, ସେତେବେଳେ ଓ ସେଇଠି ପୁଲିସ ବିଭାଗ ଆଦର୍ଶସ୍ଥାନୀୟ କର୍ତ୍ତବ୍ୟନିଷ୍ଠା ଏବ˚ ଦାୟିତ୍ବବୋଧ ପ୍ରଦର୍ଶନ କରି ତାହାର ସତ୍ୟ ଉଦ୍‌ଘାଟନ କରିବା ଆବଶ୍ୟକ। ଯାଜପୁର ଜିଲ୍ଲା ଧର୍ମଶାଳାରେ ଘଟିଥିବା ପଞ୍ଚାୟତ ସ˚ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କ ଅପମୃତ୍ୟୁ ଘଟଣା ଓଡ଼ିଶା ପୁଲିସ ଆଗରେ ସେହିଭଳି ଏକ ଅବକାଶ ଉପସ୍ଥାପନ କରିଅଛି। ଜିଲ୍ଲା ପୁଲିସ ଏହାର ବାସ୍ତବ ସତ୍ୟ ଉଦ୍‌ଘାଟନରେ ସଫଳ ହେବ ବୋଲି ଆମେ ଆଶା କରୁଛୁ। ତେବେ ପ୍ରଥମରୁ ଏହି ଅପମୃତ୍ୟୁ ଘଟଣାରେ ପୁଲିସ ଯେଉଁଭଳି ଆଚରଣ ପ୍ରଦର୍ଶନ କରିଛି ତାହା ଆମର ଏ ପ୍ରକାର ଆଶା ପୋଷଣର ବିରୋଧାଚରଣ କରୁଅଛି। ପ୍ରଥମ କଥା ହେଲା ପୋଷ୍ଟମର୍ଟମ ରିପୋର୍ଟ ଆସିବାରେ ଅହେତୁକ ବିଳମ୍ବ। ଏହି ରିପୋର୍ଟ ଆସିବା ପାଇଁ ଦୀର୍ଘ ଅଠଚାଳିଶ ଘଣ୍ଟା ଲାଗିଗଲା। ଦ୍ବିତୀୟଟି ହେଲା ସ୍ମିତାରାଣୀଙ୍କ ଅପମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ତାଙ୍କର ଚରିତ୍ର ସ˚ହାର ପରି ବୟାନ। କେବଳ ଯେ ଜଣେ ଜୀବିତ ଲୋକର ଆତ୍ମସମ୍ମାନ ଅଛି ତାହା ନୁହେଁ, ଜଣେ ମଲାଲୋକର ସୁଦ୍ଧା ଆତ୍ମସମ୍ମାନ ରହିଛି। ସେଥିପାଇଁ ସ୍ମିତାରାଣୀଙ୍କ ଅପମୃତ୍ୟୁ ସ˚ପର୍କରେ କୌଣସି ସିଦ୍ଧାନ୍ତମୂଳକ ଉପସ˚ହାରରେ ପହଞ୍ଚିବା ଆଗରୁ ଜିଲ୍ଲା ପୁଲିସକୁୁୁ ଅଧିକ ସ˚ଯମ ଓ ଦାୟିତ୍ବବୋଧର ପରିଚୟ ଦେବାର ପ୍ରୟୋଜନ ଥିଲା। ଏହାର ଅଭାବରେ ଅଭିଯୁକ୍ତ ଅପରାଧୀ ଖସିଯିବାର ସୁଯୋଗ ରହିଛି ଏବ˚ ପ୍ରକୃତ ସତ୍ୟ କେବେ ବି ଉନ୍ମୋଚିତ ହୋଇପାରିବ ନାହିଁ।

ସ୍ମିତାରାଣୀ ଅପମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ଜିଲ୍ଲା ପୁଲିସ ତାଙ୍କ ପ୍ରତି କୋହଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏହା ଛଡ଼ା ଘଟଣାର ଅନ୍ୟାନ୍ୟ ଦିଗ ଗୁଡ଼ିକର ଉଦ୍‌ଘାଟନ ପୂର୍ବରୁ ଏହା ଏକ ପ୍ରେମ-ପ୍ରତାରଣାର ସାଧାରଣ ପରିଣତି ବୋଲି ନିଷ୍କର୍ଷରେ ପହଞ୍ଚି ପୁଲିସ ପ୍ରସଙ୍ଗଟିକୁ ଅଣଦେଖା କରୁଥିବା ସୁଦ୍ଧା ଅଭିଯୋଗ ଉଠିଛି। ଅନେକ ଗୁଡ଼ିଏ ମାମଲାରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଇଥାଏ ବୋଲି ଅଭିଯୋଗ ଆଣିବା ବେଳେ ଅତୀତର କେତୋଟି ଉଦାହରଣ ଦେବା ଆବଶ୍ୟକ ମନେ କରୁଅଛୁ। ୧୯୯୭ରେ କେନ୍ଦ୍ରାପଡ଼ାରେ ଏଭଳି ଏକ ଘଟଣା ଘଟିଥିଲା। ସେତେବେଳେ ତୁଳସୀ ମହିଳା ମହାବିଦ୍ୟାଳୟର କଲେଜ ଉତ୍ତୀର୍ଣ୍ଣ ଛାତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କ ମୃତ୍ୟୁକୁ ପ୍ରଥମେ ସ୍ବାଭାବିକ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ମାତ୍ର ଏହି ପୋଷ୍ଟମର୍ଟମ ରିପୋର୍ଟକୁ ସନ୍ଦେହ କରି ସିବିଆଇ ତଦନ୍ତ ଦାବି ହେଲା ପରେ ପୋତାଯାଇଥିବା ଶବକୁ ବାହାର କରି ଆଉ ଥରେ ପରୀକ୍ଷା କରାଯିବାରୁ ଜଣାପଡ଼ିଲା ଯେ ଏହା ଏକ ଜଘନ୍ୟ ଗଣ ବଳାତ୍କାର ଘଟଣାର କରୁଣ ପରିଣତି ଥିଲା। ଅନ୍ନପୂର୍ଣ୍ଣାଙ୍କୁ ବୀଭତ୍ସ ଭାବେ କ୍ଷତାକ୍ତ କରାଯାଇଥିଲା ଓ ତାଙ୍କୁ ବ୍ଲାକ୍‌ମେଲ୍‌ କରାଯାଇଥିଲା। ତତ୍କାଳୀନ ଜିଲ୍ଲା ଏସ୍‌.ପି ସ୍ବପ୍ନା ତିଵାରୀଙ୍କ ଉଦ୍ୟମ ଯୋଗୁଁ ସତ୍ୟ ଉଦ୍‌ଘାଟିତ ହୋଇଥିଲା। ସେହିପରି ୨୦୦୨ ମସିହାରେ ଫୁଲବାଣୀ ଜିଲ୍ଲାର କ.ନୂଆଗାଁର ଆଦିବାସୀ ମହିଳା ସି.ଡି.ପି.ଓ ଅନିତା ନାୟକଙ୍କ ଅପମୃତ୍ୟୁ ଘଟିଥିଲା। ଆଦିବାସୀ ମହିଳା ଅନିତାଙ୍କୁ ହତ୍ୟା କରାଯାଇଥିଲେ ସୁଦ୍ଧା ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ କୋଠରି ଭିତରୁ ଏହି ଦଳିତ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇ ଅଧିକ ଅନୁସନ୍ଧାନ କରାଯିବା ପରେ ପ୍ରକୃତ ସତ୍ୟ ଉଦ୍‌ଘାଟିତ ହୋଇଥିଲା ଓ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ସେହି ଘଟଣାରେ ମିଛ ପୋଷ୍ଟମର୍ଟମ ରିପୋର୍ଟ ଦେଇଥିବା ଦୁଇ ଡାକ୍ତରଙ୍କୁ ମଧୢ ସସ୍‌ପେଣ୍ତ କରାଯାଇଥିଲା।

ଅର୍ଥ ଓ କ୍ଷମତା ବଳରେ ସତ୍ୟକୁ ଚାପି ଦିଆଯିବାର ଉଦାହରଣ ଆମ ଦେଶରେ ପ୍ରଚୁର। ଯାଜପୁର ଜିଲ୍ଲାର ଆଲୋଚ୍ୟ ଅପମୃତ୍ୟୁ ଘଟଣା ସହ ଅର୍ଥ ଓ କ୍ଷମତାର ସ˚ପର୍କ ରହିଥିବାରୁ ନିରପେକ୍ଷ ତଦନ୍ତ ନେଇ ସନ୍ଦେହ ଉଠିବା ସ୍ବାଭାବିକ। ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀର ନିଷ୍କର୍ଷକୁ ବିରୋଧ କରି ବିରୋଧୀ ରାଜନୈତିକ ଦଳଗୁଡ଼ିକ ଆନ୍ଦୋଳନ ଡାକରା ଦେଇଛନ୍ତି। ସରକାରୀ କଳର ଉଦାସୀନତା ଯେଉଁଭଳି ନିନ୍ଦନୀୟ କୌଣସି ଅପମୃତ୍ୟୁ ପରି ଦୁଃଖଦାୟକ ଘଟଣାର ରାଜନୀତୀକରଣ ମଧୢ ସେହିଭଳି ଦୁଃଖଦାୟକ। ଏହି ପ୍ରକାର ଆନ୍ଦୋଳନ ପରେ ସରକାର ହୁଏତ ପୁଲିସ ହାତରୁ କେସ୍‌ଟିକୁ ନେଇ କ୍ରାଇମ ବ୍ରାଞ୍ଚ ଓ ତା’ପରେ ସିବିଆଇକୁ ଦେଇପାରନ୍ତି। ମାତ୍ର ଆମ ଦେଶର କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ କ’ଣ ସନ୍ଦେହର ଊର୍ଦ୍ଧ୍ବରେ? ଏ ଦୁଇ ସ˚ସ୍ଥାର ରାଜନୀତୀକରଣର ଉଦାହରଣ କ’ଣ ଆମେ ବାରମ୍ବାର ପ୍ରତ୍ୟକ୍ଷ କରୁନାହୁଁ! ତେଣୁ ସରକାରୀ କଳର ଉଦାସୀନତା ଓ ବିରୋଧୀ ଦଳଙ୍କର ଅତ୍ୟଧିକ ସକ୍ରିୟତାର ଊର୍ଦ୍ଧ୍ବକୁ ଉଠି ବାସ୍ତବ ସତ୍ୟ ରହସ୍ୟ କିଭଳି ଉଦ୍‌ଘାଟିତ ହେବ, ସେ ସ˚ପର୍କରେ ରାଜ୍ୟ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ। ଏକ ଦାୟିତ୍ବସ˚ପନ୍ନ ଗଣମାଧୢମ ଭାବେ ଆମେ ଏତକ ମାତ୍ର ଆଶା କରୁଅଛୁ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ଓଡ଼ିଶାକୁ ଅନାହାର ମୃତ୍ୟୁରୁ ମୁକ୍ତି ଦେଇପାରିଛନ୍ତି। ବର୍ତ୍ତମାନ ସମୟ ଆସିଛି, ଓଡ଼ିଶାକୁ ଅସ୍ବାଭାବିକ ମୃତ୍ୟୁରୁ ମୁକ୍ତି ଦେବା ଲାଗି ସିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। କାରଣ ଅନାହାର ମୃତ୍ୟୁ ପରି ଅସ୍ବାଭାବିକ ମୃତ୍ୟୁ ମଧୢ ଆମ ରାଜ୍ୟ ପକ୍ଷେ ଏକ କଳଙ୍କ। ଅତୀତର କେତେକ ଉଦାହରଣରୁ ସାଧାରଣ ଲୋକ ଏ କଥା ପ୍ରତ୍ୟକ୍ଷ କରିଛନ୍ତି ଯେ ଏ ଧରଣର କୌଣସି ସମ୍ବେଦନଶୀଳ ଘଟଣା ଘଟିଲେ ପ୍ରଥମରୁ ତାହାକୁ ଅସ୍ବୀକାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥାଏ। ଘଟଣାର ଦିଗକୁ ପ୍ରଥମେ ଭିନ୍ନ ରାସ୍ତାରେ ନେଇଯିବା ଓ ତା’ପରେ ତଦନ୍ତରେ ଶିଥିଳତା ପ୍ରଦର୍ଶନ କରି ଲୋକଙ୍କ ସ୍ମୃତିରୁ ଏହାକୁ ଭୁଲେଇ ଦେବା କାହାରି କାହାରି ଭାବମୂର୍ତ୍ତିର ସୁରକ୍ଷା ଲାଗି ଚତୁର କୌଶଳ ହୋଇପାରେ; ମାତ୍ର ସତ୍ୟ ଆଉ ସମ୍ମାନ ପ୍ରତିଷ୍ଠାର ମାଧୢମ ନୁହେଁ।

ଆଲୋଚ୍ୟ ସ୍ମିତାରାଣୀ ବିଶ୍ବାଳ ଅପମୃତ୍ୟୁ ଘଟଣାରେ ମୃତା ମହିଳାଙ୍କ ସ୍ବାମୀ ଏବ˚ ପିତା ଉଭୟେ ଏହା ଆତ୍ମହତ୍ୟା ହୋଇନପାରେ ବୋଲି ଯୁକ୍ତି କରିଛନ୍ତି। ନିଜର ପ୍ରିୟ ମଣିଷକୁ ହରେଇଥିବା ଯେକୌଣସି ବିଚଳିତ ବ୍ୟକ୍ତି ଏପରି ଆଚରଣ ଦେଖାଇବା ସ୍ବାଭାବିକ କଥା। ମାତ୍ର, ସେମାନଙ୍କ ଆଶଙ୍କା ଯେ ଅମୂଳକ ତାହା ପ୍ରତିଷ୍ଠା କରିବା ପୁଲିସର କର୍ତ୍ତବ୍ୟ। କେଉଁ ପରିସ୍ଥିତିରେ ଏକାଧିକ ପୁରୁଷ ଉପସ୍ଥିତ ଥିବା ଏକ ଗେଷ୍ଟହାଉସ୍‌ରେ ଜଣେ ମହିଳା ସରକାରୀ କର୍ମଚାରୀ ଆତ୍ମହତ୍ୟା କଲେ, କାହିଁକି ତାଙ୍କୁ ଅଟକାଯାଇ ପାରିଲା ନାହିଁ ଏବ˚ ଏହି ପଞ୍ଚାୟତର ସରପଞ୍ଚ କାହିଁକି ନିଜର ପତ୍ନୀ-ସରପଞ୍ଚଙ୍କ ସବୁ ଦାୟିତ୍ବ ଅଧିକାରକୁ ନିଜ ହାତରେ ଠୁଳ କରିଥିଲେ, ତାହାର ମଧୢ ଅନୁସନ୍ଧାନ ହେବା ନିଶ୍ଚୟ ଜରୁରୀ। ସ୍ମିତାରାଣୀଙ୍କର ପିତା ପୁଣି ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଘରକୁ ଫୋନ୍‌ କରିବାର ମାତ୍ର ପଚିଶ ମିନିଟ୍‌ ଭିତରେ ତାହାର ଅପମୃତ୍ୟୁ ଘଟିଛି। ଏତେ ସ୍ବଳ୍ପ ସମୟ ମଧୢରେ ଜଣେ ଶିକ୍ଷିତା ଓ କର୍ମତତ୍ପର ମହିଳା ଆତ୍ମହତ୍ୟା ପରି ନିଷ୍ପତ୍ତି ନେବା ଅସ୍ବାଭାବିକ ମନେହେଉଛି। ଏହି ସମସ୍ତ ଦୃଷ୍ଟିକୋଣରୁ ସ୍ମିତାରାଣୀଙ୍କ ଅପମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହେବା ଦରକାର। ଘଟଣାଟିର ବାସ୍ତବ ରହସ୍ୟ ପ୍ରକାଶିତ ହେଲେ ଏବ˚ ଏ ଦିଗରେ ପୁଲିସ ପ୍ରଶାସନ ଆଶାନୁରୂପ କର୍ତ୍ତବ୍ୟନିଷ୍ଠା, ଦାୟିତ୍ବବୋଧ ଓ ନିରପେକ୍ଷତା ପ୍ରଦର୍ଶନ କଲେ ସରକାରୀ କଳର ସମ୍ମାନ ତଥା ଭାବମୂର୍ତ୍ତି ଉଜ୍ଜ୍ବଳ ହେବା ସହ ଭବିଷ୍ୟତରେ ଅନୁରୂପ ଅଘଟଣଗୁଡ଼ିକୁ ରୋକାଯାଇ ପାରିବ।

ସମ୍ବନ୍ଧିତ ଖବର