ଆପୁର ସ˚ସାର

ଆସନ୍ତା ମାସରେ ଭାରତରେ ମୁକ୍ତିଲାଭ କରିବାକୁ ଅପେକ୍ଷା କରିଥିବା ତାଜା ନୋବେଲ ପୁରସ୍କାର ଲାଭ କରି ଥିବା ଅର୍ଥନୀତିଜ୍ଞ ଦମ୍ପତି ଅଭିଜିତ୍‌ ବାନାର୍ଜୀ ଓ ଏସ୍‌ଥର‌୍‌ ଡଫ୍ଲୋଙ୍କର ସଦ୍ୟତମ ପୁସ୍ତକ ‘ଗୁଡ୍‌ ଇକନୋମିକ୍‌ସ ଫର‌୍‌ ହାର୍ଡ ଟାଇମ୍‌ସ’ରେ ଲେଖକ ଦ୍ବୟ ବିଭିନ୍ନ କଠିନ ବାସ୍ତବ ଅର୍ଥନୈତିକ ସମସ୍ୟାମାନ ଉପରେ ନୂତନ ଆଲୋକପାତ କରିବାକୁ ଚେଷ୍ଟା କରିଛନ୍ତି। ଏଥି ମଧୢରୁ ଗୋଟିଏ- ‘ଦେଶାନ୍ତର ଗମନ’ର ବିଶ୍ଳେଷଣ କଲା ବେଳେ ଏହି ବଙ୍ଗୀୟ ମୂଳର ଅର୍ଥନୀତିଜ୍ଞ ଠାଏ ସତ୍ୟଜିତ୍‌ ରାୟଙ୍କର ପ୍ରସିଦ୍ଧ ତିନିଟିକିଆ ‘ଆପୁ’ ଚଳଚ୍ଚିତ୍ର ମାଳା(‘ପଥେର ପାଞ୍ଚାଲୀ,’ ‘ଅପରାଜିତ’, ‘ଆପୁର ସଂସାର’)ର ଦ୍ବିତୀୟ ଉପସ୍ଥାପନା ‘ଅପରାଜିତ’ର ମୁଖ୍ୟ ଚରିତ୍ର ଆପୁ ନିଜର ଉଚ୍ଚାଭିଳାଷକୁ ଅନୁଧାବନ କରି ଜନ୍ମଦାତ୍ରୀ ମା’ଙ୍କୁ ଗାଁରେ ଏକଲା ଛାଡ଼ି ଦେଇ ସହରକୁ ଚାଲିଯିବାର ଅବତାରଣା କରିଛନ୍ତି। ବିଭିନ୍ନ କିସମର ଦେଶାନ୍ତର ଗମନକାରୀମାନଙ୍କ ମଧୢରୁ ଉଚ୍ଚାଭିଳାଷୀ ଆପୁ-ଶ୍ରେଣୀର ଯାତ୍ରୀ ହେଉଛନ୍ତି ଅନ୍ୟତମ ବୋଲି ବାନାର୍ଜୀ-ଡଫ୍ଲୋ ଯୋଡ଼ି ଏହା ମାଧୢମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି।

‘ଅପରାଜିତ’ର ଦର୍ଶକମାନେ ଆପୁ ଭୂମିକାରେ ସ୍ମରଣ ଘୋଷାଲ ଏବ˚ ତା’ର ଦୁଃଖିନୀ ମା’ ସର୍ବଜୟୀଙ୍କ ଭୂମିକାରେ କରୁଣା ବାନାର୍ଜୀଙ୍କର ଅଭିନୟ ସିନେମା ଇତିହାସରେ ସବୁଦିନ ପାଇଁ ଅବିସ୍ମରଣୀୟ ବୋଲି ଏକ ମତ ହୋଇ ଆସିଛନ୍ତି। ବିଧିର ଏକ ଅପୂର୍ବ ଯୋଗାଯୋଗ ଭଳି ଯେଉଁ ସମୟରେ ନୋବେଲ୍‌ ଖ୍ୟାତିରେ ଉଦ୍‌ଭାସିତ ଲେଖକ ଦ୍ବୟଙ୍କର ଏହି ପୁସ୍ତକଟି ଏଠାରେ ଭାରତୀୟମାନଙ୍କୁ ପୁଣି ଥରେ ବିଭୂତି ବାନାର୍ଜୀଙ୍କ ସୃଷ୍ଟ ଓ ସତ୍ୟଜିତ୍‌ ରାୟଙ୍କର ସିନେମା ଜଗତ୍‌ରେ ଜୀବନ୍ୟାସ ପାଇଥିବା ସେଇ ଆପୁ ଚରିତ୍ରକୁ ମନେ ପକାଇ ଦେଉଛି, ଠିକ୍‌ ସେଇ ସମୟରେ ଗତ ଶୁକ୍ରବାର ଦିନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା ଏକ ବିଶାଳ ବୋଇ˚-୭୪୭ ବିମାନରୁ ଜଣେ ନୁହଁ କି ଦୁଇଜଣ ନୁହଁ, ମାଳ ମାଳ ଆପୁଙ୍କୁ ପୁଣି ଜବରଦସ୍ତ ନିଜର ପିତାମାତା, ପତ୍ନୀ ସନ୍ତାନସନ୍ତାତିମାନଙ୍କ ନିକଟକୁ ଫେରିଯିବା ପାଇଁ ଓହ୍ଲାଇ ଦିଆଯିବା ଦେଖାଯାଇଥିଲା।

ଜଣେ ଏକମାତ୍ର ମହିଳାଙ୍କୁ ମିଶାଇ ମୋଟ ୩୧୧ ଜଣ ଏହି ଘରବାହୁଡ଼ା ଆପୁମାନଙ୍କର ବୟସ ଥିଲା ପ୍ରାୟ ୧୮ ବର୍ଷରୁ ୩୫ ବର୍ଷ ମଧୢରେ। ଏମାନେ ପ୍ରାୟ ସମସ୍ତେ ହେଉଛନ୍ତି ଭାରତର ଦୁଇ ପ୍ରମୁଖ ସ୍ବଚ୍ଛଳ ରାଜ୍ୟ-ପଞ୍ଜାବ ଏବ˚ ହରିଆନାର ଅଧିବାସୀ। ଏମାନେ ସମସ୍ତେ ଅବୈଧ ଉପାୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଯାଇ ଆମେରିକାର ଦକ୍ଷିଣ ପଡେ଼ାଶୀ ମେକ୍‌ସିକୋର ବିଭିନ୍ନ ସ୍ଥାନରେ ଛକି ରହିଥିବା ଅବସ୍ଥାରେ ମେକ୍‌ସିକୋର ନିରାପତ୍ତା ରକ୍ଷୀମାନଙ୍କ ଦ୍ବାରା ଧରା ହୋଇଥିଲେ। ଯେମିତି, ପାଟିଆଲାର ୧୯ ବର୍ଷୀୟ ଛାତ୍ର ମନ୍‌ଦୀପ୍‌ ସି˚ହ କିମ୍ବା କର୍ନଲର ୩୫ ବର୍ଷୀୟ ଯୁବକ ବାଜିନ୍ଦର ସି˚ହ, ଯିଏ ନିଜର ମା’ ଓ ପତ୍ନୀଙ୍କୁ ଏଠାରେ ଛାଡ଼ି ଦେଇ ପ୍ରାଚୁର୍ଯ୍ୟର ସନ୍ଧାନରେ ଆମେରିକାରେ କୌଣସି ମତେ ପହଞ୍ଚିଯିବାକୁ ଚାହୁଁଥିଲେ। ମେକ୍‌ସିକୋରେ ଏମାନେ ଧରା ହେବା ପରେ ସେ ଦେଶର ସରକାର ଏକ ଅଭୂତପୂର୍ବ ପଦକ୍ଷେପ ନେଇ ଏକ ଭଡ଼ା ବିମାନରେ ସେମାନଙ୍କୁ ଭର୍ତ୍ତି କରି ପ୍ରାୟ ୬୦ ଜଣ ନିରାପତ୍ତାରକ୍ଷୀଙ୍କ ହେପାଜତରେ ଭାରତକୁ ଲେଉଟାଇ ଦେଇଛନ୍ତି। (ଅବିଶ୍ବାସ୍ୟ ଭାବରେ ସେମାନଙ୍କ ମଧୢରୁ କେତେକ ଭାରତ ଭୂମିରେ ପାଦ ଦେବା ପରେ ସାମ୍ବାଦିକମାନଙ୍କୁ କହିବା ଦେଖାଯାଇଛି ଯେ ଏଥର ବିଫଳ ହେଲେ କ’ଣ ହେଲା, ସେମାନେ ପୁଣି କୌଣସିମତେ ଆମେରିକା ଭିତରେ ଗଳି ପଶିଯିବାକୁ ଉଦ୍ୟମ ଅବ୍ୟାହତ ରଖିବେ।)

ବିଧିର ଆଉ ଏକ ବିଡ଼ମ୍ବନା ସ୍ବରୂପ ଭାରତକୁ ଏହି ଲଜ୍ଜାଜନକ ଦୃଶ୍ୟର ସମ୍ମୁଖୀନ ହେବାକୁ ପଡ଼ିଛି, ଠିକ୍‌ ସେତିକିବେଳେ ଯେତେବେଳେ ଭାରତ ସରକାର ନିଜ ଦେଶ ଭିତରକୁ ପଶି ଆସୁଥିବା ଅବୈଧ ବିଦେଶୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମୂଳ ଦେଶକୁ ଲେଉଟାଇ ପଠାଇବାକୁ ଉଦ୍ୟମ ଚଳାଇଛି। ଏବ˚ ଗତ ସପ୍ତାହରେ ହିଁ ଆସାମରେ ‘ନେସନାଲ୍‌ ରେଜିଷ୍ଟର‌୍‌ ଅଫ୍‌ ସିଟିଜେନ୍‌ସ’ (‘ଏନ୍‌ଆର‌୍‌ସି’) ପ୍ରସ୍ତୁତି ମାଧୢମରେ ଏହି ଚିହ୍ନଟ ପ୍ରକ୍ରିୟା ସମାପନ ଦାୟିତ୍ବରେ ଥିବା ଆଇଏସ୍‌ ଅଫିସର‌୍‌ ପ୍ରତୀକ ହାଜେଲା ଏହା ସନ୍ତୋଷଜନକ ରୂପେ ତୁଲାଇ ନ ପାରିବାରୁ ସୁପ୍ରିମ୍‌କୋର୍ଟ ତାଙ୍କ ଉପରେ ଘୋର ବିରକ୍ତି ପ୍ରକାଶ କରି ତାଙ୍କୁ ରାଜ୍ୟାନ୍ତର କରି ଦେଇଛନ୍ତି।

ଏକ ପ୍ରକାର କହିଲେ ପ୍ରତୀକ ହାଜେଲାଙ୍କ ଦଶା ମେକ୍‌ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡୋର‌୍‌ (‘ଆମ୍‌ଲୋ’)ଙ୍କ ଦଶା ସହିତ ତୁଳନୀୟ- ଉଭୟ ସମସ୍ୟାର ଥଳକୂଳ ପାଉନାହାନ୍ତି। କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ହାଜେଲାଙ୍କ ଉପରେ ତାତି ବଢ଼ାଇ ଚାଲିଥିବା ଭଳି ଆମେରିକାର ଅରଣା ମଇଁଷି ସୁଲଭ ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ୍‌ ‘ଆମ୍‌ଲୋ’ଙ୍କୁ ଧମକ ଦେବାରେ ଲାଗିଛନ୍ତି ଯେ ସେ ଯଦି ଅନୁପ୍ରବେଶ ବନ୍ଦ ନ କରନ୍ତି ତେବେ ଆମେରିକା ମେକ୍‌ସିକୋ ଉପରେ ଆମଦାନି ଶୁଳ୍କରେ ବୃଦ୍ଧି ଘଟାଇ ସେ ଦେଶର ଅର୍ଥନୀତିକୁ ଧ୍ବସ୍ତବିଧ୍ବସ୍ତ କରି ଦେବେ। ବାମପନ୍ଥୀ ସମାଜବାଦୀ ନେତା ‘ଆମ୍‌ଲୋ’ ଏହାର ସମାଧାନ ପାଇଁ ଏକ ବିଶୁଦ୍ଧ ସମାଜବାଦୀ କୌଶଳ ଅବଲମ୍ବନ କରିଛନ୍ତି; ସେ ନିଜେ ସାଧାରଣ ଯାତ୍ରୀ ଭଳି କମର୍ସିଆଲ ଫ୍ଲାଇଟ୍‌ରେ ଯାତ୍ରା କରି, ରାଷ୍ଟ୍ରପତିଙ୍କ ପାଇଁ ଥିବା ବିଳାସପୂର୍ଣ୍ଣ ବୋଇ˚-୭୮୭ ଡ୍ରିମ୍‌ ଲାଇନର‌୍‌ ବିମାନକୁ ବିକ୍ରି କରି ଦେଇ ସେଥିରୁ ମିଳିଥିବା ଅର୍ଥ ବିନିଯୋଗ କରି ଅବୈଧ ଅନୁପ୍ରବେଶ ରୋକିବା ପାଇଁ ନେସନାଲ୍‌ ଗାର୍ଡ‌୍ ନାମକ ଏକ ନୂତନ ନିରାପତ୍ତା ବାହିନୀ ସୃଷ୍ଟି କରିଛନ୍ତି। ତାହାରି ଫଳ ସ୍ବରୂପ ଭାରତୀୟ ଅନୁପ୍ରବେଶକାରୀମାନଙ୍କୁ ଠାବ କରି ଏବେ ଭାରତକୁ ଫେରାଇ ଦିଆଯାଇପାରିଛି।

ଦେଶାନ୍ତର ଇଚ୍ଛୁକ ଆପୁମାନଙ୍କ ପାଇଁ ଆମେରିକାର ଆକର୍ଷଣ କିପରି ଦୁର୍ବାର ଏହି ୩୧୧ ଜଣ ଭାରତୀୟ ମାନଙ୍କର ବିଭିନ୍ନ ବିପଦସଙ୍କୁଳ ପଥ ଦେଇ ସୁଦୂର ମେକ୍‌ସିକୋରେ ଉପସ୍ଥିତି ହେଉଛି ତା’ର ଅକାଟ୍ୟ ପ୍ରମାଣ। କିନ୍ତୁ ଭାରତୀୟମାନଙ୍କୁ ଯେତେ ସହଜରେ ଧରି ଫେରାଇ ଦିଆଯାଇପାରିଲା, ପଡେ଼ାଶୀ ଗୁଆଟେ ମାଲା, ହଣ୍ତୁରାସ୍‌, ଏଲ୍‌ ସାଲ୍‌ଭାଡ଼ର ଆଦି ଦେଶର ଶରଣାର୍ଥୀ ମାନଙ୍କୁ ମେକ୍‌ସିକୋ ସେତେ ସହଜରେ ସେମାନଙ୍କର ଆମେରିକା ଯାତ୍ରାରୁ ନିବୃତ୍ତ କରି ନ ପାରେ। କାରଣ, ତାହା ହେଉଛି ଏକ ମାନବାଧିକାର ସମସ୍ୟା। ଏଠାରେ ହାଜେଲାଙ୍କ ସମସ୍ୟା ହେଲା ଏନ୍‌ଆରସିରେ ପଞ୍ଜିକୃତ ହେବା ପାଇଁ ଅଧିବାସୀମାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନାହିଁ, ଯାହା ଫଳରେ ପ୍ରାୟ ୧୯ ଲକ୍ଷ ଆସାମ ଅଧିବାସୀ ‘ଏନ୍‌ଆରସି’ରୁ ବାଦ ପଡ଼ି ଏକ ନୂତନ ମାନବାଧିକାର ସମସ୍ୟା ସୃଷ୍ଟି କରିଛନ୍ତି। ‘ଆମ୍‌ଲୋ’ଙ୍କ ଭଳି ହାଜେଲାଙ୍କ ପାଖରେ ଏକ ଦାମିକା ବିମାନ ନାହିଁ, ଯାହାକୁ ବିକ୍ରି କରି ସେ ଏମାନଙ୍କ ମଧୢରେ ଥିବା ସମ୍ଭାବ୍ୟ ‘ଆପୁ’ମାନଙ୍କୁ ସେମାନଙ୍କ ‘ନିଜଦେଶ’କୁ ଲେଉଟାଇ ଦିଅନ୍ତେ। ବୋଧହୁଏ ଅପ୍ରିୟ ସତ କଥା ହେଲା- ଏଇଠି ହିଁ ହେଉଛି ଆପୁର ସ˚ସାର।

ସମ୍ବନ୍ଧିତ ଖବର