ଦୁର୍ବଳ ଦୁର୍ନୀତି

ଦୁଇ ମାସ ତଳେ ମୁମ୍ବାଇ ବାହାରେ ‘ପଞ୍ଜାବ ଆଣ୍ତ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ’ ନାମକ ଏକ ବ୍ୟାଙ୍କର ନାମ ପ୍ରାୟ କେହି ଶୁଣିନଥିଲେ। ବର୍ତ୍ତମାନ ଦେଶରେ ବୋଧହୁଏ ଏପରି କେହି ସଚେତନ ନାଗରିକ ନ ଥିବେ ଯିଏ ଏହି ମୁମ୍ବାଇସ୍ଥିତ ବ୍ୟାଙ୍କର ପୂରା ନାମ ବା ତାହାର ସ˚କ୍ଷିପ୍ତ ପରିଚିତି- ‘ପିଏମ୍‌ସି’ ବିଷୟରେ କୌଣସି କାହାଣୀ ଶୁଣି ନ ଥିବେ। କାରଣ ବ୍ୟାଙ୍କ ବ୍ୟବସାୟରେ ଯାହାକୁ ସବୁଠାରୁ ପ୍ରଳୟଙ୍କରୀ ଆତଙ୍କ ରୂପେ ବିଚାର କରାଯାଇଥାଏ ଏବ˚ ଯାହା ଅତ୍ୟନ୍ତ ବିରଳ ହୋଇଥାଏ, ଏହି ବ୍ୟାଙ୍କ ସେହି ବିପର୍ଯ୍ୟୟର ସମ୍ମୁଖୀନ ହେବା ଖବର ପ୍ରାୟ ମାସକ ତଳେ ଦେଶର କୋଣ ଅନୁକୋଣରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ବ୍ୟାଙ୍କର ଜମାକାରୀମାନେ ସମସ୍ତେ ଏକ ସମୟରେ ନିଜର ଜମାରୁ ଅର୍ଥ ଉଠାଇନେବା ପାଇଁ ବ୍ୟାଙ୍କର ଶାଖା ସମ୍ମୁଖରେ ଦିନ ଦିନ ଧରି ଧାଡ଼ି ବାନ୍ଧି ଅପେକ୍ଷା କରିବାର ଦୃଶ୍ୟ ଏବ˚ ସେମାନଙ୍କର ହତାଶାଭରା ଆକୁଳ ନିବେଦନ ଟେଲିଭିଜନ ମାଧୢମରେ ଦେଶର ପ୍ରତ୍ୟେକ ଦର୍ଶକ ପାଖରେ ପହଞ୍ଚିଥିଲା।

ବ୍ୟାଙ୍କିଙ୍ଗ୍‌ ଭାଷାରେ ‘ରନ୍‌’ ରୂପେ ବର୍ଣ୍ଣନା କରାଯାଉଥିବା ଏଭଳି ପରିସ୍ଥିତିକୁ କୌଣସି ବି ବ୍ୟାଙ୍କ ସଫଳ ଭାବରେ ମୁକାବିଲା କରି ପାରିବା ଅସମ୍ଭବ, କାରଣ ସବୁତକ ଜମା ଏକ ସମୟରେ ଫେରାଇବା ପାଇଁ ଯଥେଷ୍ଟ ସମ୍ବଳ କେବେ ହେଲେ ଉପଲବ୍‌୍‌ଧ ହୋଇପାରିବ ନାହିଁ। ବଡ଼ ବଡ଼ ବ୍ୟାଙ୍କ ପକ୍ଷରେ ଏହା ଅସମ୍ଭବ ହେଉଥିବା ବେଳେ ‘ପିଏମ୍‌ସି’ ଭଳି ଏକ କ୍ଷୁଦ୍ର, ଦେବାଳିଆ ସମବାୟ ବ୍ୟାଙ୍କ ପକ୍ଷରେ ଜମାକାରୀମାନଙ୍କୁ ସନ୍ତୁଷ୍ଟ କରିବା ଯେ ଏକ ଅସମ୍ଭବ କାର୍ଯ୍ୟ, ଏହା ହତଭାଗ୍ୟ ଜମାକାରୀମାନଙ୍କୁ ବେଶ୍‌ ଜଣା। ‘ପିଏମ୍‌ସି’ ହେଉଛି ଦେଶରେ ଥିବା ପ୍ରାୟ ୧,୫୦୦ଟି ସମବାୟ ବ୍ୟାଙ୍କ ଭିତରୁ ଗୋଟିଏ। ସମବାୟ ବ୍ୟାଙ୍କମାନେ ଏକ ଦ୍ବୈତ ନିୟନ୍ତ୍ରଣ ବ୍ୟବସ୍ଥା ମଧୢରେ କାର୍ଯ୍ୟ କରିଥାନ୍ତି। ଯେହେତୁ ଏମାନେ ବ୍ୟାଙ୍କ ବ୍ୟବସାୟର ଅ˚ଶ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ରୂପେ ଏହାର କାର୍ଯ୍ୟକଳାପ ନିୟନ୍ତ୍ରଣ କରିଥାଏ। ଯେହେତୁ ଏହା ମଧୢ ଏକ ସମବାୟ ଅନୁଷ୍ଠାନ, ସମ୍ପୃକ୍ତ ରାଜ୍ୟ ସରକାର ମଧୢ ଏହାର ଅନ୍ୟତମ ନିୟନ୍ତ୍ରକ ରୂପେ କାର୍ଯ୍ୟ କରିଥାନ୍ତି। ଦୁଇ ଘର କୁଣିଆ ଉପାସ ରହିବା ପରି ଏପରି ଦ୍ବୈତ ଅଧୀକ୍ଷଣ ବ୍ୟବସ୍ଥା ସମବାୟ ବ୍ୟାଙ୍କମାନଙ୍କ ପାଇଁ ଏକ ହୁଗୁଳା ନିୟନ୍ତ୍ରଣରେ ପରିଣତ ହୋଇଥାଏ। କହିବା ବାହୁଲ୍ୟ, ସମ୍ପୃକ୍ତ ସମବାୟ ବ୍ୟାଙ୍କର ମାଲିକ-ପରିଚାଳକମାନେ ଏହାର ସୁଯୋଗ ନେଇ ନିଜ ଇଚ୍ଛା ଅନୁସାରେ ବ୍ୟବସାୟ ଚଳାଇଥାନ୍ତି, ଯାହା ସମୟେ ସମୟେ ‘ପିଏମ୍‌ସି’ ସମ୍ମୁଖୀନ ହୋଇଥିବା ସଙ୍କଟ ଭଳି ବିପର୍ଯ୍ୟୟ ସୃଷ୍ଟି କରିପାରେ।

‘ପିଏମ୍‌ସି’ର ପରିଚାଳକମାନେ ହୁଗୁଳା ନିୟନ୍ତ୍ରଣର ସୁଯୋଗ ନେଇ କିଭଳି ସ୍ବେଚ୍ଛାଚାର ଚଳାଇ ଆସିଥିଲେ, ତାହାର ଏକ ଅବିଶ୍ବସ୍ୟ ଉଦାହରଣ ସ୍ବରୂପ ‘ପିଏମ୍‌ସି’ର ଋଣ ଖାତାରେ ପ୍ରଦତ୍ତ ସମୁଦାୟ ଋଣ ରାଶିର ୭୩% ଦିଆଯାଇଛି ଗୋଟିଏ ମାତ୍ର ଦେବାଳିଆ ଋଣକର୍ତ୍ତାଙ୍କୁ- ‘ହାଉସିଙ୍ଗ୍‌ ଡେଭେଲପମେଣ୍ଟ ଆଣ୍ତ ଇନ୍‌ଫ୍ରାଷ୍ଟ୍ରକ୍‌ଚର‌୍‌ ଲିମିଟେଡ୍‌’ ନାମକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନି (‘ଏଚ୍‌ଡିଆଇଏଲ୍‌’)। ବୁଝିବା କଷ୍ଟକର ନୁହେଁ ଯେ ଏଇ ଗୋଟିଏ ଋଣଗ୍ରହୀତା କମ୍ପାନି ଦେବାଳିଆ ହୋଇଗଲେ, ତାହା ତତ୍‌କ୍ଷଣାତ୍‌ ଋଣଦାତା ବ୍ୟାଙ୍କକୁ ସ˚କ୍ରମିତ କରିବ। ତାହାହିଁ ଘଟିଛି ‘ପିଏମ୍‌ସି’- ‘ଏଚ୍‌ଡିଆଇଏଲ୍‌’ ମଧୁଚନ୍ଦ୍ରିକାର ପରିଣାମ ସ୍ବରୂପ। ‘ପିଏମ୍‌ସି’ର ଜମାକାରୀମାନଙ୍କ ପଇସାରେ ‘ଏଚଡିଆଇଏଲ୍‌’ର ମୁଖ୍ୟ ରାକେଶ ଵାଧ୍‌ଵାନ ଓ ତାଙ୍କ ପୁତ୍ର ସାରଙ୍ଗ କିପରି ଚରମ ବିଳାସପୂର୍ଣ୍ଣ ଜୀବନ ଶୈଳୀ ପ୍ରଦର୍ଶିତ କରୁଥିଲେ- ରୋଲ୍‌ସ ରଏସ୍‌ କାରମାନ, ବ୍ୟକ୍ତିଗତ ବ୍ୟୋମଯାନ, ବ୍ୟକ୍ତିଗତ ବିଳାସପୂର୍ଣ୍ଣ ସମୁଦ୍ରଗାମୀ ୟଟ୍‌, ବଲିଉଡ୍‌ ଷ୍ଟାର‌୍‌ ଖଚିତ ପାର୍ଟିମାନ….- ତା’ର ନିୟମିତ ବର୍ଣ୍ଣନାରେ ଗଣମାଧୢମ ଏବେ ପରିପୂର୍ଣ୍ଣ। ‘ପିିଏମ୍‌ସି’ର ମୁଖ୍ୟ ଚେଆରମ୍ୟାନ୍‌ ଵାର‌୍‌ୟାମ୍‌ ସି˚ହଙ୍କର ସ୍ବେଚ୍ଛାଚାରୀ ନିଷ୍ପତ୍ତି ଯୋଗୁଁ ହିଁ ଵାଧ୍‌ଵାନମାନେ ଏପରି କେଳେଙ୍କାରୀ ଘଟାଇ ପାରିଲେ। ସେମାନେ ସମସ୍ତେ ଏବେ ଗିରଫ ହୋଇଛନ୍ତି। ଏକ ସୁପରିଚିତ ଘଷରା ଉକ୍ତି ଦୋହରାଇ କୁହାଯାଇପାରେ- ଏଥର ଆଇନ ତା’ ବାଟରେ ଯିବ।

କିନ୍ତୁ ଇତି ମଧୢରେ ଆଇନର ବାଟ ଠାରୁ ସମ୍ପୂର୍ଣ୍ଣ ଅଲଗା ଏକ ବାଟରେ ଅନ୍ୟ ଏକ ଘଟଣା ଘଟିଛି ଯାହା କେବଳ ଏହି ‘ପିଏମ୍‌ସି’ କେଳେଙ୍କାରୀ ନୁହେଁ ଭାରତୀୟ ସମାଜରେ ଦେଖା ଦେଉଥିବା ସମସ୍ତ ପ୍ରକାର ଦୁର୍ନୀତିକୁ କାବୁ କରିବା ପାଇଁ ଏକ ନୂତନ ଶକ୍ତିଶାଳୀ ଉପାୟ ରୂପେ ଆବିର୍ଭୂତ ହୋଇଛି। ‘ପିଏମ୍‌ସି’ ହେଉଛି ମୁଖ୍ୟତଃ ଶିଖ୍‌ ସମ୍ପ୍ରଦାୟ ଦ୍ବାରା ପରିଚାଳିତ ଏକ ପ୍ରତିଷ୍ଠିତ ବିତ୍ତୀୟ ଅନୁଷ୍ଠାନ। ଧନିକ ଶିଖ୍‌ମାନେ ଏହାର ପରିଚାଳନା ଦାୟିତ୍ବରେ ଥାନ୍ତି। ଏହି ପରିଚାଳକମାନଙ୍କର ସ୍ବେଚ୍ଛାଚାରୀ, ଦୁର୍ନୀତିପୂର୍ଣ୍ଣ ଆଚରଣ ଯୋଗୁଁ ହଜାର ହଜାର ଜମାକାରୀ ସର୍ବସ୍ବାନ୍ତ ହୋଇଯିବା ସଙ୍ଗେ ସଙ୍ଗେ ଏହା ଶିଖ୍‌ ସମୁଦାୟ ପାଇଁ ଏକ ସାମୂହିକ ଲଜ୍ଜା ସୃଷ୍ଟି କରିଛି। ଏକ ବହୁଳ ପ୍ରସାରିତ ସୂଚନା ଅନୁସାରେ ମୁମ୍ବାଇର ଗୁରୁଦ୍ବାରାମାନଙ୍କର ପରିଚାଳନା ଦାୟିତ୍ବରେ ଥିବା ପ୍ରବନ୍ଧକ ସଭା ଏକ ସର୍ବସମ୍ମତ ନିଷ୍ପତ୍ତି କ୍ରମେ ‘ପିଏମ୍‌ସି’ର ସମସ୍ତ ଆଠ ଜଣ ଯାକ ଶିଖ୍‌ ନିର୍ଦ୍ଦେଶକଙ୍କୁ ଶିଖ୍‌ ସମାଜରୁ ବାସନ୍ଦ କରିଛି: ସେମାନେ କିମ୍ବା ସେମାନଙ୍କ ପରିବାରର କୌଣସି ସଦସ୍ୟ କୌଣସି ଗୁରୁଦ୍ବାରା କିମ୍ବା କୌଣସି ଶିଖ୍‌ ପରିବାରରେ ପ୍ରବେଶ କରିପାରିବେ ନାହିଁ। ଏହା ଯଦି ସତ ହୋଇଥାଏ, ଏହି ପରିବର୍ତ୍ତିତ ସାମାଜିକ ପରିବେଶ ଭବିଷ୍ୟତରେ ଵାର‌୍‌ୟାମ୍‌ ସି˚ହଙ୍କ ଭଳି ସମ୍ଭାବ୍ୟ ଅପରାଧୀମାନଙ୍କୁ ଦୁର୍ନୀତି ଠାରୁ ଦୂରେଇ ରଖିବାରେ ଯେଉଁଭଳି ସଫଳ ହେବ, କୌଣସି ଆଇନର ଛାଟ ସେପରି ହୋଇପାରିବ ନାହିଁ।

ଦୁର୍ନୀତିର ସମ୍ଭାବନା ସମ୍ପର୍କରେ ଅର୍ଥନୀତିଜ୍ଞ ରବର୍ଟ କ୍ଲିଟ୍‌ଗାର୍ଡଙ୍କ ଦ୍ବାରା ପ୍ରସ୍ତୁତ ଏକ ପ୍ରସିଦ୍ଧ ସମୀକରଣ ହେଉଛି ଏହିପରି: ‘‘ସି=ଏମ୍‌+ଡି-ଏ’’। ଏଥିରେ ‘ସି’ ହେଉଛି କରପ୍‌ସନ୍‌ ବା ଦୁର୍ନୀତି; ‘ଏମ୍‌’- ମନୋପଲି ବା ଏକାଧିପତ୍ୟ; ‘ଡି’-ଡିସ୍‌କ୍ରେସନ୍‌ ବା ସ୍ବେଚ୍ଛାଚାର; ‘ଏ’-ଏକାଉଣ୍ଟାବିଲିଟି ବା ଉତ୍ତରଦାୟିତ୍ବ ଵାର‌୍‌ୟାମ୍‌ ସି˚ହଙ୍କ ପାଖରେ ଥିଲା ଆଧିପତ୍ୟ ଏବ˚ ନିଷ୍ପତ୍ତି ନେବାର ସ୍ବେଚ୍ଛାଚାର। ରିଜର୍ଭ ବ୍ୟାଙ୍କ ଓ ମହାରାଷ୍ଟ୍ର ସରକାରଙ୍କ ହୁଗୁଳା ଅଧୀକ୍ଷଣ ଯୋଗୁଁ ଵାର‌୍‌ୟାମ୍‌ଙ୍କ ଉତ୍ତରଦାୟିତ୍ବ ପ୍ରାୟ ଶୂନ୍ୟ ଥିଲା କହିଲେ ଚଳେ। ଏଣୁ ‘ପିଏମ୍‌ସି’ର ପରିଚାଳନାରେ ଦୁର୍ନୀତି ଘଟିବାର ସମ୍ଭାବନା ଏହି ଫର୍ମୁଲା ଅନୁଯାୟୀ ହେଉଛି ଅତି ଉଚ୍ଚ। ପରବର୍ତ୍ତୀ ସମୟରେ ଏକ ନୈତିକ ପରିବେଶ ଦୁର୍ନୀତି ସମ୍ଭାବନାକୁ ହ୍ରାସ କରିପାରେ ବୋଲି ଅନୁଭବ କରି ଉପରୋକ୍ତ ସମୀକରଣ ଦକ୍ଷିଣ ପାର୍ଶ୍ବରେ ନୈତିକ ପରିବେଶକୁ ‘ଇ’ (ଏଥିକାଲ ଏନ୍‌ଭାଇରନ୍‌ମେଣ୍ଟ) ରୂପେ ଚିହ୍ନିତ କରି ‘ହର’ ଆକାରରେ ସ୍ଥାନୀତ କରାଯାଇଛି: ‘‘ସି=(ଏମ୍‌+ଡି-ଏ) ଇ’’। ମୁମ୍ବାଇର ଗୁରୁଦ୍ବାରା ପ୍ରବନ୍ଧକ ସଭା କ୍ଲିଟ୍‌ଗାର୍ଡଙ୍କ ଫର୍ମୁଲାରେ ଏହି ‘ଇ’ ଭର୍ତ୍ତି କରି ଶିଖ୍‌ ସମାଜରେ ଦୁର୍ନୀତି ସମ୍ଭାବନାକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛି ବୋଲି କୁହାଯାଇପାରେ। ସମଗ୍ର ଭାରତୀୟ ସାମଜ ଯଦି ମୁମ୍ବାଇର ଗୁରୁଦ୍ବାରା ପ୍ରବନ୍ଧକ ସଭାର ଏହି ଆଦର୍ଶକୁ ଅନୁକରଣ କରନ୍ତା, ତେବେ, ଭାରତ ଅଚିରେ ଏକ ଦୁର୍ନୀତିମୁକ୍ତ ଦେଶରେ ପରିଣତ ହୋଇଯାଆନ୍ତା।

ସମ୍ବନ୍ଧିତ ଖବର

Comments are closed.