ପକ୍ଷୀ ଜଗତ୍ରେ ଯଦି ଦ୍ବିଧାର ମୂର୍ତ୍ତିମନ୍ତ ପ୍ରତୀକ ହୋଇଥିବା ପକ୍ଷୀଟିଏକୁ ଖୋଜାଯାଏ, ତେବେ ଅନ୍ୟ କୌଣସି ପକ୍ଷୀ ପେଚାର ପାଖ ପଶିପାରିବେ ନାହିଁ। ପେଚା ହେଉଛି କେଉଁ ଜାତିର ପକ୍ଷୀ ତା’ନେଇ ପକ୍ଷୀ ପ୍ରେମୀମାନେ ଏପର୍ଯ୍ୟନ୍ତ ଏକମତ ହୋଇପାରିନାହାନ୍ତି ବୋଲି ରହସ୍ୟରେ କୁହାଯାଇପାରେ। ଫରାସୀ ଜୀବ ବିଜ୍ଞାନୀ ଜର୍ଜେସ୍ କୁଭାୟ ଏବ˚ ତାଙ୍କୁ ଅନୁକରଣ କରି ପ୍ରସିଦ୍ଧ ବ୍ରିଟିସ୍ ପକ୍ଷୀ ବିଶାରଦ ଟି ସି ଜେର୍ଡନ୍ ଅଷ୍ଟାଦଶ- ଊନବି˚ଶ ଶତାବ୍ଦୀରେ ପେଚାକୁ ଇଗ୍ଲ, ବାଜପକ୍ଷୀ ଏବ˚ ଶାଗୁଣା ଶ୍ରେଣୀଭୁକ୍ତ କରିଥିଲେ। ପରେ କିନ୍ତୁ ପେଚାମାନଙ୍କର ଶରୀର ଗଠନର ଅଧିକ ଟିକିନିଖି ଯାଞ୍ଚ କରାଯାଇ ଏକ ମତର ଆବିର୍ଭାବ ଘଟିଲା ଯେ ସେମାନେ ଅନ୍ୟ ସମସ୍ତ ଶିକାରୀ ପକ୍ଷୀମାନଙ୍କ ଠାରୁ ଅନେକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭିନ୍ନ, ବର˚ ସେମାନଙ୍କର ଶୁଆମାନଙ୍କ ସହିତ ଅଧିକ ସାମଞ୍ଜସ୍ୟ ରହିଛି।
ସେମାନଙ୍କର ଯେଉଁ ଶାରୀରିକ ଲକ୍ଷଣ ସବୁ ହଠାତ୍ ଆଖିରେ ପଡ଼ିଥାଏ, ତାହା ହେଲା ଶୁଆମାନଙ୍କ ପରି ଏକ ଛୋଟ ଥଣ୍ଟ, ପାଦର ବାହାରପଟ ଆଙ୍ଗୁଳିକୁ ଓଲଟ ମୁହାଁ କରି ଦେବାର କ୍ଷମତା- ଯାହା ଶୁଆମାନଙ୍କର ସ୍ଥାୟୀ ଭାବରେ ଓଲଟା ହୋଇଥାଏ- ସିଧା ସାମନାକୁ ଦୃଷ୍ଟି ନିବଦ୍ଧ ଥିବା ବଡ଼ ବଡ଼ ଆଖି ଏବ˚ ଅସ୍ବାଭାବିକ ଭାବରେ ବିକଶିତ କାନ। ସେମାନେ ଶୁଆମାନଙ୍କ ଭଳି ଗଛ କୋରଡ଼ରେ ବସା ତିଆରି କରନ୍ତି ଏବ˚ ଶୁଆଭଳି ଧଳା ରଙ୍ଗର ଅଣ୍ତା ଦିଅନ୍ତି। ସେମାନଙ୍କୁ ଅନେକ ତେଣୁ ବାଜ ଏବ˚ ଶୁଆ ମଧୢବର୍ତ୍ତୀ ଏକ ସ୍ବତନ୍ତ୍ର ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥାନ୍ତି। ପେଚାମାନଙ୍କର ପର ହେଉଛି ଅତ୍ୟନ୍ତ କୋମଳ; ଏପରିକି ପର ମଧୢବର୍ତ୍ତୀ କାଠି ମଧୢ ବେଶ୍ କୋମଳ- ଯାହା ସେମାନଙ୍କୁ ସମ୍ପୂର୍ଣ୍ଣ ନିସ୍ତବ୍ଧ ଭାବରେ ଉଡ଼ିବା କ୍ଷମତା ପ୍ରଦାନ କରିଥାଏ। ଦିନର ଆଲୋକ ତା’ ପାଇଁ ଅସହ୍ୟ ହୋଇଥାଏ, ରାତିର ଅନ୍ଧାରରେ ସେ ସ୍ବଚ୍ଛନ୍ଦରେ ନିଃଶବ୍ଦ ବିଚରଣ କରି ଶିକାର ଖୋଜି ଥାଏ। କୌତୁକରେ କେହି କେହି ପ୍ରଶ୍ନ କରିଥାନ୍ତି: ପେଚା ହେଉଛି ଏକ ଆଖି ଖରାପ ଥିବା ଯୋଗୁଁ ଆଲୋକ ସହିପାରୁନଥିବା ବାଜପକ୍ଷୀ, ନା ଏକ ଦୁଷ୍ଟ ଶୁଆ ଯିଏ ରାତ୍ରିଚର ପାଲଟି ହତ୍ୟାକାଣ୍ତ ଘଟାଇ ଚାଲିଥାଏ?
Sambad is now on WhatsApp
Join and get latest news updates delivered to you via WhatsApp
ପେଚାର ଶରୀର ଗଠନ ଓ ଆଚରଣ ଯଦି ଆମ ମନରେ ଏପରି ଦ୍ବିଧା ସୃଷ୍ଟି କରୁଥାଏ, ଏହି ଅସ୍ବାଭାବିକ ପକ୍ଷୀଟି ପ୍ରତି ଆମର ଆବେଗିକ ଆଭିମୁଖ୍ୟ ମଧୢ କିଛି କମ୍ ଦ୍ବିଧା ବିଭକ୍ତ ନୁହେଁ। ବସ୍ତୁବାଦୀ ହିନ୍ଦୁମାନେ ପେଚାକୁ ଯେଉଁ ଭଳି ଉଚ୍ଚ ଆସନ ପ୍ରଦାନ କରିଛନ୍ତି, ଅନ୍ୟ କୌଣସି ପକ୍ଷୀକୁ ତାହା ଦେଇ ନାହାନ୍ତି। ଧନସମ୍ପଦର ନିୟନ୍ତ୍ରଣକର୍ତ୍ତ୍ରୀ ଦେବୀ ମହାଲକ୍ଷ୍ମୀ ଯେତେବେଳେ ତାଙ୍କର ଆଶୀର୍ବାଦ ଅଜାଡ଼ିବା ପାଇଁ ଭକ୍ତମାନଙ୍କ ଗୃହକୁ ଗମନ କରନ୍ତି ସେ ପେଚାକୁ ହିଁ ବାହନ ରୂପେ ବ୍ୟବହାର କରନ୍ତି। ସଦ୍ୟ ସମାପ୍ତ ଦୀପାବଳିରେ ପୂଜା ପାଇବା ପାଇଁ ଘରୁ ଘର ବୁଲିବା ପାଇଁ ମା’ ଲକ୍ଷ୍ମୀ ଏଇ ନିଃଶବ୍ଦ ବ୍ୟୋମଯାନଟିର ହିଁ ବ୍ୟବହାର କରିଥିବେ। ମା’ଙ୍କ ମୂର୍ତ୍ତିର ପାଦ ପାଖରେ ବସିଥିବା ପେଚା ମଧୢ ମା’ଙ୍କ ସହିତ ପୂଜା ପାଇଥାଏ। କେବଳ ସମ୍ପଦର ଦେବୀଙ୍କ ସହିତ ସମ୍ପୃକ୍ତି ଯୋଗୁଁ ନୁହେଁ, ଅନେକ ମଧୢ ପେଚାକୁ ବିଜ୍ଞତାର ଭଣ୍ତାର ରୂପେ ସମ୍ମାନ କରିଥାନ୍ତି। ଗଭୀର ଜ୍ଞାନର ଅଧିକାରୀ ବିଜ୍ଞବ୍ୟକ୍ତିମାନଙ୍କୁ ତେଣୁ ବେଳେବେଳେ ଲଘୁ ପରିହାସ କରି ଇ˚ରେଜୀରେ ‘ଵାଇଜ୍ ଆଉଲ୍’ (ବିଜ୍ଞ ପେଚକ) ବୋଲି ସମ୍ବୋଧନ କରାଯାଇଥାଏ। କେତେ ଦିନ ତଳେ ଏହାର ଏକ ରୋଚକ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ରୂପେ ମୁଦ୍ରାନୀତି ନିର୍ଦ୍ଧାରଣ ଦୃଷ୍ଟିରୁ ସେ ଜଣେ ଆକ୍ରମଣାତ୍ମକ ବାଜପକ୍ଷୀ (ହକ୍) ସଦୃଶ କି ନରମପନ୍ଥୀ କପୋତ (ଡୋଭ୍) ସଦୃଶ ବୋଲି ତାଙ୍କୁ ପଚରାଯିବାରୁ, ରଘୁରାମ ରାଜନ୍ ଉତ୍ତର ଦେଇଥିଲେ ଯେ ସେ ଏ ଉଭୟରୁ କେଉଁଟି ବି ନୁହଁନ୍ତି, ସେ ହେଉଛନ୍ତି ଏକ ପେଚା- ଅର୍ଥାତ୍ ‘ଵାଇଜ୍ ଆଉଲ୍’! ତେବେ ବିଜ୍ଞତା ସହିତ ପେଚାର ସମ୍ପର୍କକୁ ଯିଏ ଚିରସ୍ଥାୟୀ କରିଛନ୍ତି, ସେ ହେଉଛନ୍ତି ଅଷ୍ଟାଦଶ-ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ଓଲନ୍ଦାଜ ଜୀବବିଜ୍ଞାନୀ କୁନ୍ରାଡ୍ ଜାକବ୍ ଟେମିଙ୍କ୍। ଭାରତୀୟ ଓ ଗ୍ରୀକ୍ ସ˚ସ୍କୃତିର ମିଳନ ଘଟାଇ ଟେମିିଙ୍କ୍, ୧୮୨୧ରେ ଆମର ସୁପରିଚିତ କୁନି ଛିଟ ପେଚା (‘ସ୍ବଟେଡ୍ ଆଉଲେଟ୍’)ର ନାମକରଣ କରିଥିଲେ ‘ଆଥିନା ବ୍ରମା’। ଗ୍ରୀକ୍ ପୌରାଣିକ ଚରିତ୍ର ‘ପଲ୍ଲାସ୍ ଆଥିନି’ ହେଉଛନ୍ତି ଜ୍ଞାନ ଓ ବୁଦ୍ଧିର ଦେବୀ; ‘ବ୍ରମା’ ହେଉଛନ୍ତି ହିନ୍ଦୁ ଧର୍ମରେ ସର୍ଜ୍ଜନାର ଦେବତା ବ୍ରହ୍ମା।
ଉଭୟ ଧନ ଓ ଜ୍ଞାନ ସହିତ ପେଚାର ଏପରି ନିବିଡ଼ ସମ୍ପର୍କ କଳ୍ପନା କରି ତାକୁ ଯେଉଁଭଳି ସମ୍ମାନ ପ୍ରଦର୍ଶନ କରାଯାଇଥାଏ, ବିଭିନ୍ନ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମନୁଷ୍ୟ ତା’ପ୍ରତି ସେହିପରି ଅବିଚାର ଓ ନିଷ୍ଠୁରତା ମଧୢ ପ୍ରଦର୍ଶନ କରିଥାଏ। ବୋଧହୁଏ ତାର ରୂପ ଗୁଣ ଓ ରାତ୍ରିଚର ଆଚରଣ ଯୋଗୁଁ ପେଚାର ଦର୍ଶନ କିମ୍ବା ତା’ର ଶବ୍ଦ ଶ୍ରବଣ ଅନେକଙ୍କ ମନରେ କୌଣସି ଅଜଣା ବିପଦ କିମ୍ବା ମୃତ୍ୟୁର ଧାରଣା ସୃଷ୍ଟି କରିଥାଏ। ଓଡ଼ିଶାର ଗାଁ ଗହଳରେ ରାତିରେ ପେଚାର ‘ଉକ୍’ ‘ଉକ୍’ ଡାକ କାନରେ ପଡ଼ିଲେ ତାକୁ ତଡ଼ିବା ପାଇଁ ଚିତ୍କାର କରି ଗାଳି ଦିଆଯାଏ: ‘‘ଦେଢ଼ଶୁର ଅଇଁଠା ଖାଇ।’’ ତେବେ ପେଚା ପ୍ରତି କେତେକଙ୍କର ଆଭିମୁଖ୍ୟ ଯଦି କେବଳ ଏହି ତଥାକଥିତ ଅଶୁଭ ସଙ୍କେତର ବାହକ ମଧୢରେ ସୀମିତ ଥାନ୍ତା, ତେବେ ପେଚାର କୌଣସି କ୍ଷତି ଘଟନ୍ତା ନାହିଁ। କିନ୍ତୁ ଆଉ କେତେକ ଅନ୍ଧବିଶ୍ବାସୀ ଅଛନ୍ତି ଯେଉଁମାନେ ନିଜର କୌଣସି ଅଭୀଷ୍ଟ ସିଦ୍ଧି ପାଇଁ ଆଶ୍ରୟ ନେଉଥିବା ଗୁଣି ଗାରେଡ଼ି ଉପଚାରରେ ପେଚାକୁ ଅତି ନିଷ୍ଠୁର ଭାବରେ ଏକ ଉପାଦାନ ରୂପେ ବ୍ୟବହାର କରିଥାନ୍ତି। ଏହାର ଏକ ନିର୍ମମ ଉଦାହରଣ ଦେଖିବାକୁ ମିଳିଥିଲା ଅକ୍ଟୋବର ୨୨ ତାରିଖରେ ଦୀପାବଳିର ଠିକ୍ ପୂର୍ବରୁ ଯେତେବେଳେ ଉତ୍ତରପ୍ରଦେଶର ଗାଜିଆବାଦ୍ ପୁଲିସ୍ ଦୁଇଜଣ ମଟର ସାଇକେଲ ଆରୋହୀ ଏକ ପ୍ଲାଷ୍ଟିକ ବାଲ୍ତି ଭିତରେ ଲୁଚାଇ କରି ନେଉଥିବା ପାଞ୍ଚଟି ବିରଳ ପ୍ରଜାତିର ପେଚାଙ୍କୁ ଜବତ କରିଥିଲା। କଳା ବଜାରରେ ଏ ପେଚା ପାଞ୍ଚଟିଙ୍କର ମୂଲ୍ୟ ହେବ ପ୍ରାୟ ୧ କୋଟି ଟଙ୍କା। ଦୀପାବଳି ଅମାବାସ୍ୟା ରାତିରେ ଏମାନଙ୍କୁ ତାନ୍ତ୍ରିକ ଦ୍ବାରା ବଳି ଦିଆଯାଇଥାନ୍ତା, ଯାହା ସମ୍ପୃକ୍ତ ଗ୍ରାହକର ଦୁର୍ଭାଗ୍ୟ ଦୂର କରି ଧନ ସମ୍ପଦ ବୃଦ୍ଧି କରିବ ବୋଲି ବିଶ୍ବାସ କରାଯାଇଥାଏ। ଏଥିରେ ଥିବା କ୍ରୂର ବିଡମ୍ବନା ହେଲା:- ନିଜର ପ୍ରିୟ ବାହନକୁ ବଳି ଦିଆଗଲେ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ବୋଲି ଥିବା ଅନ୍ଧବିଶ୍ବାସ।
କେତେକ ରିପୋର୍ଟ ଅନୁସାରେ ଏଭଳି ବିଭିନ୍ନ ଗୁଣି ଗାରେଡ଼ିରେ ବ୍ୟବହାର ପାଇଁ ଭାରତରେ ବର୍ଷକୁ ୭୦,୦୦୦ରୁ ୮୦,୦୦୦ ପର୍ଯ୍ୟନ୍ତ ପେଚାଙ୍କୁ ହତ୍ୟା କରାଯାଇଥାଏ। ଭାରତରେ ଥିବା ସମସ୍ତ ପ୍ରାୟ ୩୦ରୁ ଅଧିକ ପ୍ରଜାତିର ପେଚା ଆଇନ ଦ୍ବାରା ସ˚ରକ୍ଷିତ ଶ୍ରେଣୀର ହୋଇଥିଲେ ହେଁ ଅନ୍ଧବିଶ୍ବାସ ଜନିତ ଦ୍ବିଧା ଆଗରେ ଆଇନ ଯେ ହାର ମାନିଥାଏ, ଉଭୟ ଅସହାୟ ବାହନ ପେଚା ଓ ସୁରକ୍ଷା କରିବାକୁ ଅସମର୍ଥ ତା’ର ଅନୁରୂପ ଅସହାୟା ଆରୋହିଣୀ ଦେବୀ ଲକ୍ଷ୍ମୀ ହେଉଛନ୍ତି ତା’ର ପ୍ରମାଣ। ଉଭୟ ଧନ ଓ ଜ୍ଞାନର ପ୍ରତୀକ ଏହି ପକ୍ଷୀର ଦଶା କୌଣସି ଦରିଦ୍ର ଓ ମୂର୍ଖର ଦଶାଠାରୁ ମଧୢ ଆହୁରି ଶୋଚନୀୟ।