ଧୂସର ସନ୍ଧାନ

ଏହି ସମ୍ବାଦପତ୍ରର ଅକ୍ଟୋବର ୨୯ ମଙ୍ଗଳବାର ସ˚ସ୍କରଣରେ କୃଷକ ସ˚ଗଠନ ‘କିଷାନ ମଜଦୁର ସ˚ଘ’ ତରଫରୁ ସ˚ଘର ରାଷ୍ଟ୍ରୀୟ ସମ୍ପାଦକ ସଚିନ ମହାପାତ୍ର ଏକ ଆଲେଖ୍ୟ ମାଧୢମରେ ‘ଆର‌୍‌ସିଇପି’ ନାମକ ଏକ ଆଞ୍ଚଳିକ ଅବାଧ ବାଣିଜ୍ୟ ଚୁକ୍ତିରେ ଭାରତ ସ୍ବାକ୍ଷର କରିବା ସମ୍ଭାବନାର ଘୋର ବିରୋଧ କରିଛନ୍ତି। ଏହି ଅବାଧ ବାଣିଜ୍ୟ ଗୋଷ୍ଠୀରେ ଭାରତର ଯୋଗଦାନ କିପରି ଭାରତୀୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସବୁରେ ଜୀବିକା ନିର୍ବାହ କରୁଥିବା କୋଟି କୋଟି ଦେଶବାସୀଙ୍କର ଘୋର କ୍ଷତି ସାଧନ କରିବ, ବଳିଷ୍ଠ ତଥ୍ୟ ପ୍ରମାଣ ଆଧାରରେ ମହାପାତ୍ର ତାଙ୍କର ପ୍ରବନ୍ଧରେ ତାହା ପ୍ରଦର୍ଶିତ କରିଛନ୍ତି। ଦେଶର ଅନ୍ୟାନ୍ୟ କୃଷକ ସ˚ଗଠନମାନେ ମଧୢ ‘ଆର‌୍‌ସିଇପି’ ପ୍ରତି ଅନୁରୂପ ବିରୋଧ ପ୍ରକଟ କରିବାରେ ଲାଗିଛନ୍ତି।

କେବଳ କୃଷକମାନେ ନୁହନ୍ତି, ଶିଳ୍ପବାଣିଜ୍ୟ ମହଲରୁ ଆରମ୍ଭ କରି ବିରୋଧୀ ରାଜନୈତିକ ଦଳମାନ ଏବ˚ ଏପରିକି ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ ସହିତ ସ˚ଯୁକ୍ତ ‘ସ୍ବଦେଶୀ ଜାଗରଣ ମଞ୍ଚ’ ପର୍ଯ୍ୟନ୍ତ ମଧୢ ଏହାର ତୀବ୍ର ବିରୋଧ କରୁଛନ୍ତି। ଏମିତିକି ନିଜ ସରକାର ଥିବା ସମୟରେ ‘ଆର‌୍‌ସିଇପି’ରେ ଯୋଗଦାନ କରିବା ସମ୍ପର୍କରେ କଥାବାର୍ତ୍ତା ପ୍ରଥମେ ଆରମ୍ଭ କରିଥିବା କ˚ଗ୍ରେସ ପାର୍ଟି ମଧୢ ଏବେ ଏହାର ବିରୋଧ କରୁଛି। ଏଭଳି ବ୍ୟାପକ ବିରୋଧ ପଛରେ ନିହିତ ଥିବା ଯୁକ୍ତିକୁ ଯଦି ଗୋଟିଏ ବାକ୍ୟରେ ପ୍ରକାଶ କରାଯାଏ, ତାହା ହେଲା- ଚୁକ୍ତି ଯୋଗୁଁ ଆମଦାନି, ରପ୍ତାନି ଉପରୁ ସମସ୍ତ ପ୍ରତିବନ୍ଧ ଉଠିଗଲେ ଭାରତୀୟ ବଜାରରେ ଚୀନ୍‌ ସମେତ ୧୫ଟି ଅନ୍ୟ ସଦସ୍ୟ ଦେଶମାନଙ୍କରୁ ଶସ୍ତା କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟମାନ ଅବାଧରେ ପ୍ରବେଶ କରି ଦେଶର କୃଷି ଓ ଶିଳ୍ପକୁ ବୁଡ଼ାଇ ଦେବ।

ଏଭଳି ଆଶଙ୍କା କିଛି ଅମୂଳକ ନୁହେଁ। କିନ୍ତୁ ସମସ୍ୟା ହେଲା ଏଭଳି ଯୁକ୍ତି ଯେମିତି ବଳିଷ୍ଠ, ଭାରତ ‘ଆର‌୍‌ସିଇପି’ ଗୋଷ୍ଠୀରେ ଯୋଗ ଦେବା ସପକ୍ଷରେ ଯୁକ୍ତି ମଧୢ ଅନୁରୂପ ଭାବରେ ବଳିଷ୍ଠ। ‘ଆର‌୍‌ସିଇପି’ ବା ‘ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରି’ ହେଉଛି ଦକ୍ଷିଣ-ପୂର୍ବ ଏସିଆର ଦଶଟି ଦେଶ (ବ୍ରୁନେଇ, କାମ୍ବୋଡ଼ିଆ, ଇଣ୍ତୋନେସିଆ, ଲାଓସ୍‌, ମାଲେସିଆ, ମିଆନ୍‌ମାର‌୍‌, ଫିଲିପିନ୍‌ସ, ସିଙ୍ଗାପୁର, ଥାଇଲାଣ୍ତ୍‌, ଭିଏତ୍‌ନାମ୍‌)କୁ ନେଇ ୧୯୬୭ରୁ ସକ୍ରିୟ ଥିବା ସ˚ଗଠନ ‘ଆସିଆନ୍‌’ ଏବ˚ ଚୀନ୍‌, ଜାପାନ, ଭାରତ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ତ୍‌ ଭଳି ଏ ଅଞ୍ଚଳର ଅନ୍ୟ ଛଅଟି ଦେଶ ମଧୢରେ ଏକ ପ୍ରସ୍ତାବିତ ଅବାଧ ବାଣିଜ୍ୟ ରାଜିନାମା। ଏହି ୧୬ଟି ଦେଶର ମିଳିତ ଲୋକ ସ˚ଖ୍ୟା ହେଉଛି ୩.୪ ବିଲିଅନ୍‌, ଯାହା ପୃଥିବୀ ଲୋକ ସ˚ଖ୍ୟାର ପ୍ରାୟ ଅଧା। ଏମାନଙ୍କ ମୋଟ ବାର୍ଷିକ ଜାତୀୟ ଉତ୍ପାଦ (ଜିଡିପି) ହେଉଛି ପ୍ରାୟ ୫୦ ଟ୍ରିଲିଅନ୍‌ ଡଲାର‌୍‌ ପାଖାପାଖି, ଯାହା ସାରା ପୃଥିବୀର ‘ଜିଡିପି’ର ପ୍ରାୟ ୪୦ ଶତା˚ଶ। ଭାରତ ଯଦି ଏହି ଅବାଧ ବାଣିଜ୍ୟ ଗୋଷ୍ଠୀରେ ଯୋଗ ନଦିଏ, ତେବେ ଅନ୍ୟ ୧୫ଟି ଯାକ ଦେଶ ଭାରତୀୟ ରପ୍ତାନି ଦ୍ରବ୍ୟମାନଙ୍କ ଉପରେ ଶୁଳ୍‌କ ଓ ଅଣ-ଶୁଳ୍‌କ ପ୍ରତିବନ୍ଧମାନ ଲଗାଇବେ। କହିବାକୁ ଗଲେ ଭାରତୀୟ ରପ୍ତାନିକାରୀମାନେ ଅପାଙ୍‌କ୍ତେୟ ଭଳି ଏହି ବିଶାଳ ବଜାରରୁ ବହିଷ୍କୃତ ହେବେ। ଏହା ଭାରତୀୟ ଅର୍ଥନୀତି ତଥା ଉତ୍ପାଦନକାରୀମାନଙ୍କ ପାଇଁ ଶୁଭଙ୍କର ନୁହେଁ।

ଏଣୁ ଭାରତ ସରକାର ‘ଆର‌୍‌ସିଇପି’କୁ ନେଇ ଯେଉଁ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଛନ୍ତି- ଚୁକ୍ତି ସ୍ବାକ୍ଷର କରିବେ କି ନାହିଁ- ତାହା କାଶ୍ମୀରରୁ ଧାରା-୩୭୦ ହଟାଇବେ କି ନାହିଁ ଦ୍ବନ୍ଦ୍ବଠାରୁ ମଧୢ ବହୁ ଅଧିକ ଜଟିଳ ମନେ ହୁଏ। ଏଭଳି ଦ୍ବନ୍ଦ୍ବରେ ମାତ୍ର ଦୁଇଟି ସମ୍ଭାବନା ଉପଲବ୍‌ଧ ଥାଏ: ଏପଟ ନଚେତ୍‌ ସେପଟ। ଚୁକ୍ତି ସ୍ବାକ୍ଷର କରାଯିବ ବା ସ୍ବାକ୍ଷର କରାଯିବ ନାହିଁ। କିନ୍ତୁ ଏପରି ଏକ କଳା-ଧଳା ଦୁନିଆ ମଝିରେ ଏକ ଧୂସର ଦୁନିଆର ମଧୢ କଳ୍ପନା କରାଯାଇ ପାରିବ କି? ଅର୍ଥାତ୍‌ ଭାରତ ‘ଆର‌୍‌ସିଇପି’ ଚୁକ୍ତି ସ୍ବାକ୍ଷର କରିବ କିନ୍ତୁ କେତେକ ନିରାପତ୍ତା ସର୍ତ୍ତାବଳୀ ସହିତ। ଏକ ବୁଝାମଣା କଳ୍ପନା କରାଯାଇପାରେ, ଯାହା ଅନୁସାରେ ଚୁକ୍ତି ସ୍ବାକ୍ଷରିତ ହେବା ପର ଦିନ ହିଁ ଭାରତକୁ ସମସ୍ତ ଆମଦାନି ପ୍ରତିବନ୍ଧ ଏକାଥରେ ହଟାଇ ଦେବାକୁ ପଡ଼ିବ ନାହିଁ। ଏକ ବନ୍ଦ ଫାଟକକୁ ଧୀରେ ଧୀରେ ଖୋଲିବା ଭଳି ଭାରତ ଲାଗୁ କରିଥିବା ବାଣିଜ୍ୟ ପ୍ରତିବନ୍ଧମାନଙ୍କୁ ବାଛି ବାଛି ଧୀରେ ଧୀରେ ଉଠାଇ ଦିଆଯାଇପାରନ୍ତା।

ଶୁଣାଯାଉଛି ଭାରତୀୟ ପକ୍ଷ ରାତିଦିନ ଲାଗି ‘ଆର‌୍‌ସିଇପି’ ଚୁକ୍ତିର ୨୫ଟି ପରିଚ୍ଛେଦ ମଧୢରୁ ‘୨୧’ ସମ୍ବନ୍ଧରେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ନିଭୃତରେ ପୂର୍ଣ୍ଣ ବିଶ୍ବାସ ସହିତ କଥାବାର୍ତ୍ତା ସମ୍ପୂର୍ଣ୍ଣ କରି ସାରିଲେଣି। ନଭେମ୍ବର ୪ ତାରିଖରେ ବ୍ୟାଙ୍କକ୍‌ ଠାରେ ଶୀର୍ଷ ସମ୍ମିଳନୀ (ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବେ) ଆରମ୍ଭ ହେବା ବେଳକୁ ବାକି ଚାରିଟି ସମ୍ବନ୍ଧରେ କଥାବାର୍ତ୍ତା ସମାପ୍ତ ହେବାର ଲକ୍ଷ୍ୟ ରହିଛି। କଥାବାର୍ତ୍ତା ଚଳାଇଥିବା ଭାରତୀୟ ଅଧିକାରୀମାନେ ବିଭିନ୍ନ କ୍ଷେତ୍ରରେ ଭାରତ ଓ ଅନ୍ୟମାନଙ୍କ ମଧୢରେ ରହିଥିବା ତଫାତ୍‌ ଦୂର କରିବାରେ ଲାଗିଛନ୍ତି ବୋଲି କୁହାଯାଉଛି। ସେମାନେ ଏଥିରେ କେତେ ଦୂର ସଫଳ ହେବେ, ଶସ୍ତା ଚୀନା ରପ୍ତାନି ସ୍ରୋତକୁ କେତେ ଦୂର ସ˚କୁଚିତ କରାଯାଇ ପାରିବ, ତାହା ଶୀଘ୍ର ଜଣାପଡ଼ିଯିବ।

କିନ୍ତୁ ଭାରତୀୟ ଅର୍ଥନୀତିର ଭବିଷ୍ୟତ ଏହି କଥାବାର୍ତ୍ତାର ସଫଳତା ଉପରେ ନିର୍ଭର କରେ ନାହିଁ। ଏଠାରେ ଯେଉଁ ଏକ ଅତ୍ୟନ୍ତ ଅସ୍ବସ୍ତିକର ପ୍ରଶ୍ନ ମନରେ ଉଙ୍କି ମାରିଥାଏ, ତାହା ହେଲା ଲାଓସ୍‌ରୁ କାମ୍ବୋଡ଼ିଆ ପର୍ଯ୍ୟନ୍ତ ଭାରତ ତୁଳନାରେ କ୍ଷୁଦ୍ରାତିକ୍ଷୁଦ୍ର ଦେଶମାନେ ଯଦି ଚୁକ୍ତି ସ୍ବାକ୍ଷର କରି ଅବାଧ ବାଣିଜ୍ୟ ଜନିତ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଛଘୁଞ୍ଚା ଦେଉନାହାନ୍ତି, ଭାରତରେ କାହିଁକି ଏପରି କୋକୁଆଭୟ ଦେଖାଦେଇଛି? ଏହାର ଏକମାତ୍ର ଅପ୍ରିୟ ଉତ୍ତର ହେବ: ଭାରତୀୟ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଦେଖାଯାଉଥିବା ଅଦକ୍ଷ ଉତ୍ପାଦନ। ଏଠାରେ ଗାଈ କମ୍‌ ଦୁଧ ଦିଏ; ଆଖୁରୁ କମ୍‌ ଚିନି ମିଳେ; ଏକର ପିଛା କମ୍‌ ଧାନ ଅମଳ ହୁଏ; କପଡ଼ା ମିଟର ପିଛା ଉତ୍ପାଦନ ଖର୍ଚ୍ଚ ଅଧିକ ହୁଏ; ପରିବହନ ଖର୍ଚ୍ଚ ଅଧିକ ଥାଏ; ବିଦ୍ୟୁତ୍‌ ଶକ୍ତି ପାଇଁ କାରଖାନାମାନଙ୍କୁ ଉଚ୍ଚା ଦାମ୍‌ ଦେବାକୁ ପଡେ଼। ଅତ୍ୟାବଶ୍ୟକ ସ˚ସ୍କାର ମାନ କାର୍ଯ୍ୟକାରୀ କରି ଭାରତୀୟ ଉତ୍ପାଦନର ଦକ୍ଷତା ବୃଦ୍ଧି ହେଉଛି ଏ ସମସ୍ୟାର ଏକମାତ୍ର ଦୀର୍ଘସ୍ଥାୟୀ ସମାଧାନ। ତାହା ନଘଟିବା ପର୍ଯ୍ୟନ୍ତ ଆମକୁ ‘ଆର‌୍‌ସିଇପି’ ଭଳି କଳା-ଧଳା ଦ୍ବନ୍ଦ୍ବ ମଧୢ ସ୍ଥଳରେ ସାମୟିକ ଭାବରେ ଏକ ଧୂସର ଇଲାକା ଖୋଜିବାକୁ ହେବ।

ସମ୍ବନ୍ଧିତ ଖବର