କ୍ୟାପ୍‌ଟେନ୍‌ କୁକୁର

ମନେ କର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଵାଲ୍‌ ଏବ˚ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର‌୍‌ ସି˚ହ ହେଉଛନ୍ତି ପରସ୍ପରର ପଡେ଼ାଶୀ ଏବ˚ କ୍ୟାପ୍‌ଟେନ୍‌ ‘ଥର‌୍‌’ ନାମକ ଏକ ଫ୍ରେଞ୍ଚ୍‌ ମାଷ୍ଟିଫ୍‌ କୁକୁର ପାଳିଛନ୍ତି, ଯିଏ ରାତି ସାରା ଭୁକୁଥାଏ। ଜାଗ୍ରତ ପ୍ରହରୀ ‘ଥର‌୍‌’ର ଭୁକିବା ବହନ କରୁଥିବା ନିରାପତ୍ତା ଭାବ ଅମରିନ୍ଦର‌୍‌ଙ୍କ ପାଇଁ ନିଦ ବଟିକା ଭଳି କାର୍ଯ୍ୟ କରେ- ସେ ନିଶ୍ଚିନ୍ତରେ ଶୋଇ ପଡ଼ି ସୁଖ ନିଦ୍ରା ଉପଭୋଗ କରନ୍ତି। ପଡେ଼ାଶୀ କେଜ୍‌ରିଵାଲ୍‌ଙ୍କ ପାଇଁ ଏହା କିନ୍ତୁ ଓଲଟା ଫଳ ଫଳାଇଥାଏ: କୁକୁର ଭୁକିବା ଶବ୍ଦ ତାଙ୍କ ଆଖିରୁ ନିଦ ହଜାଇ ଦିଏ ଓ ସେ ରାତିସାରା ବିଛଣାରେ ପଡ଼ି ଛଟପଟ ହୁଅନ୍ତି। ଏହା ସମୟ କ୍ରମେ ଦୁଇ ପଡେ଼ାଶୀଙ୍କ ମଧୢରେ ଭୀଷଣ ଝଗଡ଼ାର ରୂପ ନିଏ ଏବ˚ ଏହାର ସମାଧାନ ବାହାର କରିବାରେ ବିଫଳ ହୋଇ ସେମାନେ ସାହିର ମୁରବି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର‌୍‌ଙ୍କ ହସ୍ତକ୍ଷେପ ଲୋଡ଼ନ୍ତି।

‘ଥର‌୍‌’କୁ ବିଦା କରି ଦେଇ ତା’ ସ୍ଥାନରେ ଜଣେ ଦରଵାନ୍‌ ରଖିବାକୁ ଜାଭାଡେକର‌୍‌ କ୍ୟାପ୍‌ଟେନ୍‌ଙ୍କୁ ପ୍ରସ୍ତାବ ଦେଲେ। ଏଥିଯୋଗୁଁ ଖର୍ଚ୍ଚ ଅଧିକ ହେବ ବୋଲି କହି କ୍ୟାପ୍‌ଟେନ ସେଥିରେ ରାଜି ନ ହେବାରୁ, ଜାଭାଡେକର‌୍‌ କେଜ୍‌ରିଵାଲ୍‌ଙ୍କୁ ଏକ ପ୍ରସ୍ତାବ ଦେଲେ ଯେ ସେ କ୍ୟାପ୍‌ଟେନ୍‌ଙ୍କୁ ଦରଵାନ୍‌ ମୁତୟନ ଜନିତ ଅତିରିକ୍ତ ଖର୍ଚ୍ଚ ରାଶି ପ୍ରଦାନ କରନ୍ତୁ, ଯାହାଦ୍ବାରା କ୍ୟାପ୍‌ଟେନ୍‌ କୁକୁର ବଦଳରେ ମାନବ ଦରଵାନ୍‌ ରଖି ନିଶ୍ଚିନ୍ତରେ ନିଦ୍ରା ଯିବେ ଏବ˚ କେଜ୍‌ରିଵାଲ୍‌ ମଧୢ ‘ଥର‌୍‌’ର ଅନୁପସ୍ଥିତି ଜନିତ ନିରବତା ଉପଭୋଗ କରି ଶାନ୍ତିରେ ଶୟନ କରିବେ। କେଜ୍‌ରିଵାଲ୍‌ ଏଥିପାଇଁ ଅର୍ଥ କେଉଁଠୁ ଆଣିବେ ମୁରବି ଜାଭାଡେକର‌୍‌ ତାହା ମଧୢ ବତାଇ ଦେଇଛନ୍ତି- ନିଜର ପ୍ରଚାର ପାଇଁ ବିଜ୍ଞାପନରେ ଖର୍ଚ୍ଚ କରୁଥିବା ବିପୁଳ ଅର୍ଥ କାଟ କରି କେଜ୍‌ରିଵାଲ ଏ ସମାଧାନ ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କରିପାରିବେ।

କେଜ୍‌ରିଵାଲଙ୍କ ପାଇଁ ଜାଭାଡେକର‌୍‌ଙ୍କର ଏ ପ୍ରସ୍ତାବ ଗ୍ରହଣୀୟ ହେବ କି ନାହିଁ ତାହା ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ରୋନାଲ୍‌ଡ଼ କୋସ୍‌ଙ୍କ ନାମରେ ନାମିତ ‘କୋସ୍‌ ଥିଓରମ୍‌’ ନାମକ ସୂତ୍ର ସ୍ପଷ୍ଟ କରିଥାଏ। ମନେକର କୁକୁର ଭୁକା ଜନିତ ଅନିଦ୍ରାର ମୁକାବିଲା କରିବା ପାଇଁ କେଜ୍‌ରିଵାଲ୍‌ଙ୍କୁ ନିଦ ବଟିକା ଖାଇବାକୁ ପଡ଼ୁଛି, ଯେଉଁ ବାବଦରେ ସେ ମାସକୁ ୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଅମରିନ୍ଦର‌୍‌ ସି˚ହଙ୍କୁ ମାସକୁ ୪ ହଜାର ଟଙ୍କା ଦେଲେ ସେ ସେଥିରେ କୁକୁର ପିଛା ଖର୍ଚ୍ଚ କରି ଆସୁଥିବା ପଇସା ମିଶାଇ ଦରମା ଦେଇ ଜଣେ ଦରଵାନ୍‌ଙ୍କୁ ନିଯୁକ୍ତ କରିବେ। ଏ ସମାଧାନ ଅର୍ଥନୈତିକ ହିସାବପତ୍ର ଦୃଷ୍ଟିରୁ କେଜ୍‌ରିଵାଲ୍‌ ଗ୍ରହଣ କରିବା ଉଚିତ, କାରଣ ଏହାଦ୍ବାରା ତାଙ୍କର ମାସିକ ୧ ହଜାର ଟଙ୍କା ସଞ୍ଚୟ ହେବ- ସେ ଶାନ୍ତିରେ ଶୋଇବା ପାଇଁ ଆଉ ନିଦ ବଟିକା ଦରକାର କରିବେ ନାହିଁ। ଅବଶ୍ୟ ‘କୋସ୍‌ ଥିଓରମ୍‌’ ଅନୁସାରେ ଯଦି କେଜ୍‌ରିଵାଲ୍‌ଙ୍କୁ ଏଥିପାଇଁ ଅମରିନ୍ଦର‌୍‌ ସି˚ହଙ୍କୁ ମାସକୁ ୫ ହଜାର ଟଙ୍କାରୁ ଅଧିକ ଦେବାକୁ ପଡେ଼, ତା’ହେଲେ କେଜ୍‌ରିଵାଲ୍‌ ଜାଭାଡେକର‌୍‌ଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ପୂର୍ବଭଳି ଥର‌୍‌ ଓ କ୍ୟାପ୍‌ଟେନ୍‌ଙ୍କୁ ଅଭିଶାପ ଦେଇ ଦେଇ ମାସକୁ ୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରି ନିଦ ବଟିକା ସେବନ କରି ନିଦ୍ରା ଦେବୀଙ୍କୁ ଆବାହନ କରି ଚାଲିବେ।

କ୍ୟାପ୍‌ଟେନ୍‌ଙ୍କ କୁକୁର ଭୁକିବା କେଜ୍‌ରିଵାଲଙ୍କ ପାଇଁ ଅନିଦ୍ରା ସୃଷ୍ଟି କରିବା ଭଳି ତାଙ୍କ ରାଜ୍ୟରେ କୃଷକମାନେ କ୍ଷେତରେ ପୋଡ଼ି ଦେଉଥିବା ନଡ଼ାର ଧୂଆଁ କେଜ୍‌ରିଵାଲ୍‌ଙ୍କ ରାଜ୍ୟ ଦିଲ୍ଲୀର ବାୟୁକୁ ପ୍ରଦୂଷିତ କରି ଦିଲ୍ଲୀବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ଘୋର ବିପଦ ସୃଷ୍ଟି କରୁଛି। ନଡ଼ା ପୋଡ଼ିବା ପାଇଁ ଏକ ବିଶେଷ ଧରଣର ମେସିନ ବ୍ୟବହାର କଲେ ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରନ୍ତା। ଦିଲ୍ଲୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ଓ ହରିଆନାରେ ପ୍ରାୟ ୨୨ ଲକ୍ଷ କୃଷକ ଥିବା ବେଳେ କେନ୍ଦ୍ର ସରକାର ମାତ୍ର ୪୦,୦୦୦ଟି ନଡ଼ା ପୋଡ଼ା ମେସିନ୍‌ ଯୋଗାଇ ଦେଇଛନ୍ତି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଜାଭାଡେକର‌୍‌ କହିଛନ୍ତି ଯେ ଦିଲ୍ଲୀର କେଜ୍‌ରିଵାଲ ସରକାର ନିଜର ପ୍ରଚାର ପାଇଁ ଯେଉଁ ୧,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ତାହାକୁ ଏହି କାର୍ଯ୍ୟରେ ବ୍ୟବହାର କରିବା ଉଚିତ।

କେଜ୍‌ରିଵାଲଙ୍କ ସରକାର କିନ୍ତୁ ଜାଭାଡେକର‌୍‌ଙ୍କର ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି। ତାଙ୍କ ଦଳ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌)ର ବରିଷ୍ଠ ନେତା ସଞ୍ଜୟ ସି˚ହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପ୍ରଶ୍ନ କରିଛନ୍ତି, ‘‘ଆମେ କାହିଁକି ପଇସା ଦେବୁ?’’ ସେ କହିଛନ୍ତି ଯେ ନିଜ ରାଜ୍ୟର ଚାଷୀମାନଙ୍କୁ ନଡ଼ାପୋଡ଼ି ନିୟନ୍ତ୍ରଣରେ ସାହାଯ୍ୟ କରିବା ଦାୟିତ୍ବ ହେଉଛି ପଞ୍ଜାବ ଓ ହରିଆନା ରାଜ୍ୟ ସରକାରମାନଙ୍କର, ଦିଲ୍ଲୀ ରାଜ୍ୟ ସରକାରର ନୁହେଁ। ଏକ କ୍ରୂର ବିଡ଼ମ୍ବନା ସ୍ବରୂପ ଦିଲ୍ଲୀର ବାୟୁ ପ୍ରଦୂଷଣ ବିସ୍ଫୋରକ ସ୍ଥିତିରେ ପହଞ୍ଚିବା ଠିକ୍‌ ପୂର୍ବରୁ କେଜ୍‌ରିଵାଲ ସରକାର ତା’ର ବିଜ୍ଞାପନ ମାନଙ୍କରେ ଦାବି କରିବା ଦେଖାଯାଇଥିଲା ଯେ ତାଙ୍କ ଉଦ୍ୟମ ଯୋଗୁଁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତରରେ ୨୫% ହ୍ରାସ ଘଟିଛି!

ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟ ଏବେ କାହାକୁ ଅଜଣା ନାହିଁ- ଏହା ପୃଥିବୀ ସାରା ଚର୍ଚ୍ଚା ହେଉଛି। ସ˚କ୍ଷେପରେ କହିଲେ ୨.୫ ମାଇକ୍ରନ୍‌ ଠାରୁ କମ୍‌ ବ୍ୟାସ ବିଶିଷ୍ଟ କଣିକାମାନଙ୍କର ସ୍ତର (ପିଏମ୍‌-୨.୫) ଦିଲ୍ଲୀର ବାୟୁମଣ୍ତଳରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଦ୍ବାରା ନିର୍ଦ୍ଧାରିତ ନିରାପଦ ସ୍ତର ଠାରୁ ବହୁ ଉପରେ ପହଞ୍ଚିଛି। ଏହାର ବିପଦ ହେଲା ଏହି ଅତିକ୍ଷୁଦ୍ର କଣିକାମାନ ଫୁସ୍‌ଫୁସ୍‌ର ଅତି ଗହୀର ଅଞ୍ଚଳରେ ଲାଖି ହୋଇ ରହିଯାଆନ୍ତି, ଯାହା ଗୁରୁତର ଶ୍ବାସପ୍ରଶ୍ବାସ ବ୍ୟାଧି ସୃଷ୍ଟି କରିଥାଏ। ପିଲାମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇଥାଏ। ତେଣୁ ଭୟରେ ଦିଲ୍ଲୀରେ ସ୍କୁଲ ବନ୍ଦ କରି ଦିଆଯାଉଛି। ବାସିନ୍ଦାମାନେ ଏହି ଅଦୃଶ୍ୟ ଶତ୍ରୁକୁ ଅଟକାଇବା ପାଇଁ ଝରକାରେ ଥିବା ଫାଙ୍କକୁ ମଧୢ ‘ଡକ୍ଟ’ ଟେପ୍‌ ଲଗାଇ ନିବୁଜ କରି ଦେଉଛନ୍ତି।

ଉପରେ ପ୍ରଦାନ କରାଯାଇଥିବା କାଳ୍ପନିକ ଉଦାହରଣରେ କେଜ୍‌ରିଵାଲଙ୍କ ଅନିଦ୍ରା ସମସ୍ୟା ଅପେକ୍ଷା ଦିଲ୍ଲୀବାସୀ ସମ୍ମୁଖୀନ ହୋଇଥିବା ଏହି ସ୍ବାସ୍ଥ୍ୟ ସମସ୍ୟା ବହୁଗୁଣ ଅଧିକ ବିପଜ୍ଜନକ। କ୍ୟାପ୍‌ଟେନ୍‌ଙ୍କ କୁକୁର ଭୁକା ଭଳି ପଞ୍ଜାବ, ହରିଆନାରେ ନଡ଼ା ପୋଡ଼ିର ଧୂଆଁ ଦିଲ୍ଲୀର ବାୟୁମଣ୍ତଳରେ ପିଏମ୍‌-୨୦.୫ ମାତ୍ରା ବୃଦ୍ଧି କରି ଦିଲ୍ଲୀବାସୀଙ୍କ ନିଦ ହଜାଇ ଦେଇଛି। ଅର୍ଥଶାସ୍ତ୍ରର ଭାଷାରେ ଏହାକୁ ‘ଋଣାତ୍ମକ ବହିର୍ପ୍ରଭାବ କୁହାଯାଇଥାଏ, ଯାହାର ସମାଧାନର ଅନ୍ୟତମ ସୂତ୍ର ହେଉଛି ‘କୋସ୍‌ ଥିଓରମ୍‌’। ଯଦି ଏହି ସୂତ୍ରକୁ ଅନୁସରଣ କରି ପୂର୍ବ ଉଦାହରଣରେ କୁହାଯାଇଥିବା ଭଳି ଦିଲ୍ଲୀବାସୀଙ୍କର ଲାଭ କ୍ଷତି ହିସାବ କରାଯାଏ, ତେବେ ଜାଭାଡେକରଙ୍କର ଉପଦେଶ ମାନି କେଜ୍‌ରିଵାଲ ସରକାର ନିଜର ପ୍ରଚାର ଖର୍ଚ୍ଚ କାଟ କରି ନଡ଼ା ପୋଡ଼ା ନିୟନ୍ତ୍ରଣ ପାଇଁ ପଞ୍ଜାବ, ହରିଆନା ଚାଷୀମାନଙ୍କୁ ସହାୟତା ଯୋଗାଇବା ଦିଲ୍ଲୀବାସୀଙ୍କ ପାଇଁ ଅଧିକ ଲାଭପ୍ରଦ ହୁଅନ୍ତା।

ସମ୍ବନ୍ଧିତ ଖବର