ଏଡ୍‌ସ ଅସ୍ପୃଶ୍ୟ

ଆଜିକୁ ଠିକ ଅଠେଇଶ ବର୍ଷ ତଳେ, ଅର୍ଥାତ୍‌ ୧୯୯୧ ମସିହା, ନଭେମ୍ବର ୭ ତାରିଖରେ ପ୍ରସିଦ୍ଧ ଆମେରିକୀୟ ବାସ୍କେଟ ବଲ ତାରକା ଇଅରଭିନ୍‌ ‘ମାଜିକ୍‌’ ଜନସନ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ବୀକାର କଲେ ଯେ ସେ ଏଚ୍‌ଆଇଭି ଭୂତାଣୁ ଦ୍ବାରା ସ˚କ୍ରମିତ। ଏଚ୍‌ଆଇଭି ଭୂତାଣୁ ସ˚କ୍ରମଣକୁ ଘେରି ରହିଥିବା ବିଭିନ୍ନ କଳଙ୍କ ଦୃଷ୍ଟିରୁ ଜଣେ ସେଲିବ୍ରିଟି ଭାବେ ସେ ଏ କଥା ସର୍ବସମକ୍ଷରେ ପ୍ରକାଶ କରିବା ଥିଲା ଏକ ସାହସିକ କାର୍ଯ୍ୟ। ଏହା ଦ୍ବାରା ବିଶ୍ବ ବ୍ୟାପୀ ଖେଳିଯାଇଥିବା ଚାଞ୍ଚଲ୍ୟର ଲହରି ଭିତରେ ସେହି ସମୟର ଗଣମାଧୢମରେ ଯାହା ପ୍ରକାଶ ପାଇଲା, ତାହା ହେଲା, ‘ମାଜିକ୍‌ ଜନସନ ତାଙ୍କ ମୃତ୍ୟୁ ଦଣ୍ତାଦେଶକୁ ନିଜେ ଶୁଣାଇଛନ୍ତି।’ ହେଲେ, ଆଜି ‘ମାଜିକ୍‌’ ଜନସନଙ୍କୁ ଷାଠିଏ ବର୍ଷ ବୟସ ଓ କ୍ରୀଡ଼ା ସ˚ଗଠକ, ସମୀକ୍ଷକ, ଲେଖକ ଓ ‘ଏଚ୍‌ଆଇଭି ଏଡ୍‌ସ’ ବିରୋଧରେ କାର୍ଯ୍ୟ କରୁଥିବା ଜଣେ ସେଲିବ୍ରିଟି ଭାବେ ସେ ଚଳଚଞ୍ଚଳ। ତାଙ୍କ ଭାଷାରେ ସେ ହେଉଛନ୍ତି ଏଡ୍‌ସ ସଚେତନତାର ବାର୍ତ୍ତା ପ୍ରସାର ଲାଗି ଈଶ୍ବରଙ୍କ ପ୍ରେରିତ ଦୂତ।

‘ମାଜିକ୍‌’ ଜନସନଙ୍କ ଚାଞ୍ଚଲ୍ୟ ସୃଷ୍ଟିକାରୀ ସାମ୍ବାଦିକ ସମ୍ମିଳନୀର ଅଠେଇଶ ବର୍ଷ ପରେ ଅର୍ଥାତ୍‌ ଚଳିତ ବର୍ଷ ନଭେମ୍ବର ୬ ତାରିଖରେ ଆମ ଆଞ୍ଚଳିକ ଗଣମାଧୢମରେ ଯେଉଁ ଖବର ପ୍ରକାଶ ପାଇଛି, ତାହା ହେଲା, ରାଜ୍ୟର ଅନ୍ୟତମ ବଡ଼ ମେଡିକାଲ କଲେଜ ହାସପାତାଲ ବୁର୍ଲାର ‘ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏଣ୍ତ ରିସର୍ଚ୍ଚ’ (ଭିମସାର‌୍‌)ରେ ଜଣେ ‘ଏଚ୍‌ଆଇଭି ଏଡ୍‌ସ’ ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହେବା ପରେ ୧୨ ଘଣ୍ଟା କାଳ ତାଙ୍କ ଶରୀର ତାଙ୍କ ଶଯ୍ୟାରେ ପଡ଼ି ରହିଥିଲା ଏବ˚ ସ˚କ୍ରମଣର ଭୟରୁ ତାକୁ ହାସପାତାଲର କର୍ମଚାରୀମାନେ ଛୁଇଁ ନ ଥିଲେ। ଏ ସ˚ପର୍କରେ ହସପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ପରିବାର ଦ୍ବାରା ପରିତ୍ୟକ୍ତ ଏଭଳି ପରିଚୟହୀନ ରୋଗୀଙ୍କ ମୃତ୍ୟୁ ହେଲେ ଶବକୁ ନିଜ ହେପାଜତକୁ ନେବା ଦାୟିତ୍ବ ପୁଲିସର। ଏ କ୍ଷେତ୍ରରେ ନିୟମ ଅନୁସାରେ ପୁଲିସକୁ ଜଣାଇ ଦିଆଯାଇଥିଲା। କିନ୍ତୁ, କଥା ହେଉଛି, ଏକ ମେଡିକାଲ କଲେଜରେ ଜଣେ ଏଡ୍‌ସ ରୋଗୀଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ବି ତାଙ୍କ ଶବ ‘ମୋର୍ଚୁଆରି’କୁ ସ୍ଥାନାନ୍ତରିତ ହୋଇ ନ ପାରିବା ପଛରେ ଯେ କେବଳ ପୁଲିସର ନିଷ୍କ୍ରିୟତା ହିଁ ଏକ ମାତ୍ର କାରଣ, ତାହା ବିଶ୍ବାସଯୋଗ୍ୟ ହୋଇପାରୁନାହିଁ। ତେବେ ପ୍ରସଙ୍ଗର ମୂଳଟି ଏଠି ନାହିଁ। ପ୍ରସଙ୍ଗ ହେଉଛି, ସ˚ପୃକ୍ତ ବ୍ୟକ୍ତି ଗୋଟିଏ ରୋଗ କାରଣରୁ ନିଜ ପରିବାର ଦ୍ବାରା ପରିତ୍ୟକ୍ତ ହେବା ବା ତାଙ୍କ ଶବ ହାସପାତାଲ ଶଯ୍ୟାରେ ଅସ୍ପୃଶ୍ୟ ହୋଇ ପଡ଼ିରହିବା ଏହା ସୂଚାଇ ଦେଉଛି ଯେ ଏବେ ସୁଦ୍ଧା ‘ଏଚ୍‌ଆଇଭି ଏଡ୍‌ସ’ ସ˚କ୍ରମଣକୁ ନେଇ ଆମ ଦେଶରେ ସଚେତନତାର ଯଥେଷ୍ଟ ଅଭାବ ରହିଛି, ଏପରିକି ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଭିତରେ ମଧୢ! ‘ମାଜିକ୍‌’ ଜନସନଙ୍କ ସୌଭାଗ୍ୟ ଭାରତର ‘ଏଚ୍‌ଆଇଭି ଏଡ୍‌ସ’ ପୀଡ଼ିତଙ୍କୁ ଉପଲବ୍‌ଧ ହୋଇ ପାରିନାହିଁ। ସେଥି ଲାଗି ଆମ ସମାଜ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ।

ଆଜିକୁ ଷାଠିଏ ବର୍ଷ ତଳେ ଅର୍ଥାତ୍‌ ୧୯୫୯ ମସିହାରେ କଙ୍ଗୋ ସାଧାରଣତନ୍ତ୍ରର କିନସାସାରେ ପୃଥିବୀର ପ୍ରଥମ ‘ଏଚ୍‌ଆଇଭି’ ସ˚କ୍ରମିତଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ସ˚ରକ୍ଷିତ ରକ୍ତ ନମୁନାରୁ ପ୍ରଥମେ ମଣିଷ ଶରୀରରେ ‘ଏଚ୍‌ଆଭି’କୁ ଚିହ୍ନଟ କରାଯାଇଥିଲା ସିମ୍ପାଞ୍ଜି ରକ୍ତରୁ ଏହା ମଣିଷର ରକ୍ତକୁ ପ୍ରବେଶ କରିଥିଲା। ‘ବୁସ୍‌ ମିଟ୍‌’ ଭାବେ ସେଠାରେ ଲୋକପ୍ରିୟ ସିମ୍ପାଞ୍ଜି ମା˚ସ ଲାଗି ଶିକାର ବେଳେ ସମ୍ଭବତଃ ପଶୁର ରକ୍ତ ସହିତ ମଣିଷ ରକ୍ତର ମିଳନ ଘଟିଥିଲା ଓ ଏଚ୍‌ଆଇଭି ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରିବାର ରାଜପଥ ପାଇ ଯାଇଥିଲା। ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ସ˚ପୂର୍ଣ୍ଣ ଉଜାଡ଼ି ଦେଉଥିବା ଏହି ଭୂତାଣୁ କବଳରେ ଯେ ଦ୍ରୁତ ଓ ଅକାଳ ମୃତ୍ୟୁ ଅନିବାର୍ଯ୍ୟ, ଏ ଧାରଣା ପରବର୍ତ୍ତୀ ଅନେକ ବର୍ଷ ଯାଏ ବଳବତ୍ତର ରହିଥିଲା। ଅବଶ୍ୟ, ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଏ କ୍ଷେତ୍ରରେ ଅହୋରାତ୍ର ଗବେଷଣା ଏହାକୁ ଏବେ ଏକ ଚିକିତ୍ସାଯୋଗ୍ୟ ରୋଗରେ ପରିଣତ କରିଛି, ଠିକ୍‌ ଡାଇବେଟିସ ଭଳି ଅର୍ଥାତ୍‌ ନିୟମିତ ଅନୁପାନରେ ଔଷଧ ସେବନ କଲେ ଭୟର କୌଣସି କାରଣ ନାହିଁ। ସେହି କାରଣରୁ ୧୯୮୬ରେ ଚେନ୍ନାଇରେ ଭାରତର ପ୍ରଥମ ‘ଏଚ୍‌ଆଇଭି ଏଡ୍‌ସ’ ରୋଗୀ ଚିହ୍ନଟ ହେବା ପରେ ବେଶ୍‌ କିଛି ବର୍ଷ ପର୍ଯ୍ୟନ୍ତ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଏଚ୍‌ଆଇଭି ସ˚କ୍ରମିତଙ୍କ ସ˚ଖ୍ୟାରେ ହ୍ରାସ ଘଟିବା ଦେଖାଯାଇଛି। ୨୦୧୭ରେ ପ୍ରକାଶିତ ‘ଅନ୍‌ଏଡ୍‌ସ’ ପରିସ˚ଖ୍ୟାନରୁ ଜଣାପଡ଼ିଛି ଯେ ୨୦୦୫ ମସିହାରେ ନୂଆ ‘ଏଚ୍‌ଆଇଭି’ ସ˚କ୍ରମିତଙ୍କ ସ˚ଖ୍ୟା ଥିଲା ୧,୫୦,୦୦୦, ଯାହା ୨୦୧୬ରେ ହ୍ରାସ ପାଇ ହୋଇଥିଲା ୮୦,୦୦୦ (୪୬% ହ୍ରାସ) ଏବ˚ ୨୦୦୫ରେ ‘ଏଡ୍‌ସ’ କାରଣରୁ ହୋଇଥିବା ମୃତ୍ୟୁ ସ˚ଖ୍ୟା ୧,୫୦,୦୦୦ରୁ କମି ୨୦୧୬ରେ ପହଞ୍ଚିଥିଲା ୬୨,୦୦୦ରେ(୫୯% ହ୍ରାସ)। ଏ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୪ ସୁଦ୍ଧା ଦେଶକୁ ‘ଏଚ୍‌ଆଇଭି’ ସ˚କ୍ରମଣ ଶୂନ୍ୟ କରିବା।

ତେବେ, ଏ ସବୁ ସତ୍ତ୍ବେ ଗୋଟିଏ ବାସ୍ତବତା ହେଉଛି, ଯେଉଁ ମାଧୢମରେ ‘ଏଚ୍‌ଆଇଭି’ ଭୂତାଣୁ ସ˚କ୍ରମିତ ହୁଏ, ତାହା ଭାରତ ଭଳି ଏକ ରକ୍ଷଣଶୀଳ ସମାଜରେ ଜଣେ ଏଡ୍‌ସ ରୋଗୀ ଲାଗି ଏ ଯାବତ୍‌ ଦୁର୍ନାମ ହିଁ ଆଣି ଦେବାରେ ଲାଗିଛି। ଏବ˚ ଆମ ଦେଶରେ ‘ଏଚ୍‌ଆଇଭି’ ସ˚କ୍ରମିତଙ୍କ ଭିତରୁ ଏକ ବୃହତ୍‌ ଭାଗ ଦେହଜୀବୀ, ଦେହରେ ଛୁଞ୍ଚି ଫୋଡ଼ି ନିଶା ସେବନ କରୁଥିବା ବ୍ୟକ୍ତି ଏବ˚ ଏକାଧିକ ସଙ୍ଗୀଙ୍କ ସହିତ ଅସୁରକ୍ଷିତ ଯୌନ ସ˚ପର୍କ ରଖିଥିବା ଲୋକେ ହୋଇଥିବାରୁ ଏ ପୂର୍ବାଗ୍ରହ ଦୁର୍ବଳ ହେଉନାହିଁ। ଏହି କାରଣରୁ ଆମ ଦେଶରେ ‘ଏଡ୍‌ସ’ ରୋଗୀମାନେ ପ୍ରଥମେ ‘ଅପରାଧୀକରଣ’ର ଶିକାର ହୁଅନ୍ତି ଓ ପରେ ରୋଗ ସ˚କ୍ରମଣର ଭୟ ସେମାନଙ୍କ ଭିତରୁ ଅନେକଙ୍କୁ ଅସ୍ପୃଶ୍ୟରେ ପରିଣତ କରିଦିଏ। ‘ନେସନାଲ ଏଡ୍‌ସ କ˚ଟ୍ରୋଲ ଅର୍ଗାନାଇଜେସନ-ଇଣ୍ତିଆ’ ଦ୍ବାରା ପ୍ରସ୍ତୁତ ୨୦୧୫ର ଏକ ଟେକ୍‌ନିକାଲ ଡାଟା ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି ଯେ ପରିବାର ଦ୍ବାରା ପରିତ୍ୟକ୍ତ ୧୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସ˚ଖ୍ୟା ଏବେ ୧୩୮୪୫୬। ଏଭଳି ପିଲାମାନଙ୍କ ସହିତ ସମାଜରୁ ବିତାଡ଼ିତ ହୋଇଥିବା ବୟସ୍କ ପୁରୁଷ ଓ ମହିଳାମାନଙ୍କ ସ˚ଖ୍ୟା ମିଶିଲେ ଏହି ଅସ୍ପୃଶ୍ୟ ବର୍ଗର ଆକାର ଯେ କେତେ ବିଶାଳ ହେବ, ତାହା କେବଳ ଅନୁମାନ କରିବାର କଥା।

ଏହି ଦୃଷ୍ଟିରୁ ‘ଭିମସାର’ରେ ‘ଏଚ୍‌ଆଇଭି’ ସ˚କ୍ରମଣର ଭୟକୁ ନେଇ ଗଣମାଧୢମରେ ପ୍ରକାଶିତ ସମ୍ବାଦ ଉଦ୍‌ବେଗଜନକ। ସତର୍କତା ଅବଲମ୍ବନ କଲେ ଯେ ଏହି ଭୂତାଣୁ ସ˚କ୍ରମଣର ଭୟ ଆଦୌ ନାହିଁ; ଏଭଳି ଏକ ବାର୍ତ୍ତା ଚିକିତ୍ସାଳୟଗୁଡ଼ିକରୁ ହିଁ ଯିବା ଉଚିତ। ତରୁଣ ବ୍ରିଟିସ ଲେଖିକା ସିରିନ ଏଲ୍‌ ଫେକି କହିଥିବା ଭଳି ଏଡ୍‌ସ ଏମିତି ଏକ ରୋଗ ଯାହା ମାନବ ଭିତରେ ଉଭୟ ଦେବୋପମ ଭାବ ଓ ରାକ୍ଷସ ପଣିଆର ଉଦ୍ରେକ କରିପାରେ। ଏ ପରିପ୍ରେକ୍ଷୀରେ ଆମ ଆଚରଣ କେଉଁ ଭଳି ହେବ, ତାହା ହିଁ ନିର୍ଣ୍ଣୟ କରିବ ଆମେ ଆମ ଦେଶରେ ‘ଏଚ୍‌ଆଇଭି ଏଡ୍‌ସ’ ମୁକାବିଲା କ୍ଷେତ୍ରରେ କେତେ ସଫଳ ହେବା!

ସମ୍ବନ୍ଧିତ ଖବର