ନ’ ନଭେମ୍ବର

ଗଲା ଶନିବାର, ନଭେମ୍ବର ୯ ତାରିଖ ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତ ଦୀର୍ଘ କାଳ ଧରି ଚାଲିଆସିଥିବା ଅତ୍ୟନ୍ତ ସ୍ପର୍ଶକାତର ଅଯୋଧୢା ଜମି ବିବାଦ ମାମଲାରେ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଆମ ସାଧାରଣତନ୍ତ୍ର ଯେଉଁ ଭଳି ଭାବରେ ତାର ପ୍ରତିକ୍ରିୟା ପ୍ରକାଶ କରିଛି, ତାକୁ ଇ˚ରେଜୀ ଭାଷାର ଏହି ଅଭିବ୍ୟକ୍ତି ଦ୍ବାରା ପ୍ରକଟ କରିହେବ ଯେ ‘ଗ୍ରେସ୍‌ ଅଣ୍ତର‌୍‌ ଷ୍ଟ୍ରେସ୍‌’; ଯାହାର ଅର୍ଥ ଚାପ ଭିତରେ ମଧୢ ଶୋଭନୀୟତାର ପ୍ରଦର୍ଶନ। ମାନ୍ୟବର ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଅନେକ ଖବରକାଗଜରେ ଯେଉଁ ଫଟୋଟି ଛପାଯାଇଛି, ତହିଁରେ ଅଛି ସୁପ୍ରିମ କୋର୍ଟ ସମ୍ମୁଖରେ ରାୟକୁ ଅପେକ୍ଷା କରି ରୁଣ୍ତ ହୋଇଥିବା ଲୋକଙ୍କ ଭିତରେ ଉପସ୍ଥିତ ଜଣେ ଗୈରିକ ବସ୍ତ୍ରଧାରୀ ବାବା ଓ ଜଣେ ମୁସଲମାନ ବ୍ୟକ୍ତି ପରମ ଭ୍ରାତୃଭାବ ସହିତ ଆଲିଙ୍ଗନାବଦ୍ଧ ହୋଇଥିବାର ଦୃଶ୍ୟ। ନିଶ୍ଚିତପକ୍ଷେ ଏହା ସେହିଭଳି ଗୋଟିଏ ମୁହୂର୍ତ୍ତ, ଯେତିକି ବେଳେ ଅନୁଭବ କରିହୋଇଥାଏ ଯେ ଭାରତର ଗଣତାନ୍ତ୍ରିକ ରାଜନୀତି ଯାହା ହୋଇଥାଉ ନା କାହିଁକି, ସାଧାରଣ ଭାରତୀୟଙ୍କ ଭିତରେ ଗଣତାନ୍ତ୍ରିକ ମନୋଭାବ ବେଶ୍‌ ପରିପକ୍ବ।

୧୯୪୯ ମସିହାରୁ ଦୀର୍ଘ ୭୦ ବର୍ଷ ଧରି ଅଦାଲତରେ ରହିଥିବା ବାବ୍ରୀ ମସଜିଦ୍ ଓ ରାମ ଜନ୍ମଭୂମି ଜମି ବିବାଦ ମାମଲାର ଚୂଡ଼ାନ୍ତ ସମାଧାନର ବାଟ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ସା˚ବିଧାନିକ ପଦ୍ଧତିରେ ଏବ˚ ତଥ୍ୟ ଓ ପ୍ରମାଣ ଆଧାରରେ ଫିଟାଇ ଦିଆଯିବା ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା। ସୁପ୍ରିମ କୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ବରିଷ୍ଠ ବିଚାରପତିମାନଙ୍କ ପାଞ୍ଚ ଜଣିଆ ଖଣ୍ତପୀଠ ସର୍ବସମ୍ମତିକ୍ରମେ ଯେଉଁ ରାୟ ଶୁଣାଇଛନ୍ତି ସେଥିରେ ତିନିଟି ବିନ୍ଦୁ ଗୁରୁତ୍ବପୂର୍ଣ୍ଣ। ପ୍ରଥମଟି ହେଲା ୨.୭୭ ଏକର ପରିମିତ ବିବାଦୀୟ ଜମି ଉପରେ ରାମ ମନ୍ଦିରର ନିର୍ମାଣ କରାଯିବ। ଦ୍ବିତୀୟଟି ହେଲା ଏକ ମସଜିଦ୍‌ ନିର୍ମାଣ ଲାଗି ଅଯୋଧୢା ଭିତରେ ଏକ ପ୍ରମୁଖ ସ୍ଥାନରେ ପାଞ୍ଚ ଏକର ପରିମିତ ଜମି ‘ସେଣ୍ଟ୍ରାଲ ସୁନ୍ନି ଵାକଫ୍‌ ବୋର୍ଡ’କୁ ପ୍ରଦାନ କରାଯିବ। ତୃତୀୟଟି ହେଲା ତିନି ମାସ ଭିତରେ ଏକ ଟ୍ରଷ୍ଟ ଗଠନ କରାଯିବ, ଯାହା ମନ୍ଦିର ନିର୍ମାଣ ଓ ଅନ୍ୟାନ୍ୟ ମାମଲାର ପରିଚାଳନା କରିବ। ପ୍ରତ୍ନତତ୍ତ୍ବ ବିଭାଗର ପ୍ରମାଣ ଓ ଗବେଷଣା ସମ୍ଭୁତ ନିଷ୍କର୍ଷ ଆଧାରରେ ମାନ୍ୟବର ସୁପ୍ରିମ କୋର୍ଟ ଏହା କହିଛନ୍ତି ଯେ ବାବ୍ରୀ ମସଜିଦ୍ ସ୍ଥାନରେ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ଥିଲା। ସୁପ୍ରିମ କୋର୍ଟଙ୍କ ଏହି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଅନ୍ତତଃ ଅଯୋଧୢା ଜମି ବିବାଦ ଉପରେ ଯବନିକା ପଡ଼ିଛି ବୋଲି ବିଚାର କରାଯାଇପାରେ।

ଯେଉଁ ସମୟରେ ଦିଲ୍ଲୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ସାରା ଦେଶର ବାତାବରଣ ଉତ୍କଣ୍ଠାରେ ଉଷ୍ମ ରହିଥିଲା, ସେତିକି ବେଳେ ଭାରତର ପୂର୍ବ ଓ ଉତ୍ତର ପୂର୍ବ ଉପକୂଳ ଉପରେ ‘ବୁଲ୍‌ବୁଲ୍‌’ ନାମଧାରୀ ଭୀଷଣ ବାତ୍ୟାର ଭୟ ଘନେଇ ଆସୁଥିଲା। ତଥାପି ତା ମଧୢରେ କିଛି ସମୟ ଲାଗି ଆମ ଉପକୂଳର ଦୃଷ୍ଟି ଦିଲ୍ଲୀ ଉପରେ ନିବଦ୍ଧ ରହିଥିଲା। କାରଣ ମାତ୍ର ୨.୭୭ ଏକର ଜମି ଉପରେ ଚାଲିଥିବା ଏ ମାମଲାର ସ୍ପନ୍ଦନ ଗତ କେଇ ଦଶନ୍ଧି ଧରି ତିନି ନିୟୁତରୁ ଅଧିକ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏ ଉପମହାଦେଶର ପ୍ରତି କୋଣରେ ଅନୁଭୂତ ହେଉଥିଲା। ତେଣୁ ଏ ପରିପ୍ରେକ୍ଷୀରେ ଯାହା ଅତ୍ୟନ୍ତ ସନ୍ତୋଷଜନକ ଥିଲା, ତାହା ହେଉଛି ରାୟ ପ୍ରକାଶ ପାଇବା ପରେ ସବୁ ଧାର୍ମିକ, ସା˚ସ୍କୃତିକ, ରାଜନୈତିକ ଓ ସାମାଜିକ ଦଳ ଓ ଗୋଷ୍ଠୀଗୁଡ଼ିକ ଦ୍ବାରା ବ୍ୟକ୍ତ କରାଯାଇଥିବା ପ୍ରତିକ୍ରିୟାରେ ରହିଥିବା ସ˚ଯମ ଓ ଶୀଳତା। ‘ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘ’ର ମୁଖ୍ୟ ମୋହନ ଭାଗବତଙ୍କ ମତରେ ଏହା କାହାର ‘ହାର‌୍‌’ ବା କାହାର ‘ଜିତ୍‌’ର ପ୍ରସଙ୍ଗ ନୁହେଁ। ସୁନ୍ନି ଵାକଫ ବୋର୍ଡ ପକ୍ଷରୁ ଯଦିଓ ଏ ରାୟକୁ ନେଇ କିଞ୍ଚିତ ଅସନ୍ତୋଷ ପ୍ରକାଶ ପାଇଥିଲା, ତଥାପି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ଯେ ସର୍ବମାନ୍ୟ ଏ କଥା ସ୍ପଷ୍ଟ ଭାବେ କୁହାଯାଇଥିଲା। ବିଚାର ଓ ମତାନୈକ୍ୟ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ରାୟକୁ ସ୍ବାଗତ ଜଣାଇଛନ୍ତି। ଏହି କାରଣରୁ ଆଶା କରାଯାଉଛି ଯେ ଏକ ଅତ୍ୟନ୍ତ ସ୍ପର୍ଶକାତର ବିବାଦର ଅନ୍ତ ପରିଶେଷରେ ଘଟିବାକୁ ଯାଉଛି।

ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନରେ ଆଉ ଗୋଟିଏ ‘ନଅ ନଭେମ୍ବର’ କଥା ଶୁଣିବାକୁ ମିଳିଥିଲା। ୧୯୮୯ ମସିହା, ନଭେମ୍ବର ୯ ତାରିଖରେ ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା ଏବ˚ ପୂର୍ବ ଓ ପଶ୍ଚିମ ଜର୍ମାନି ପୁନଃ ଏକତ୍ର ହୋଇ ଗୋଟିଏ ଜର୍ମାନିରେ ପରିଣତ ହୋଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ଦୁଇ ପ୍ରକାର ରାଜନୈତିକ ବିଚାର ଆଧାରରେ ବର୍ଲିନ୍‌ ପ୍ରାଚୀର ଜର୍ମାନିକୁ ଦୁଇ ଭାଗରେ ବିଭକ୍ତ କରିଦେଇଥିଲା ସିନା, ଏହା ଜର୍ମାନିବାସୀଙ୍କ ଭିତରେ ରହିଥିବା ପାରସ୍ପରିକ ଶ୍ରଦ୍ଧାକୁ ଦ୍ବିଧା ବିଭକ୍ତ କରିପାରି ନ ଥିଲା। ପ୍ରଧାନ ମନ୍ତ୍ରୀଙ୍କ ଦ୍ବାରା ‘ନଅ ନଭେମ୍ବର’ର ଏ ଅବତାରଣା ପଛରେ ରହିଥିବା ଉଦ୍ଦେଶ୍ୟ ସ୍ପଷ୍ଟ। ଭାରତରେ ସା˚ପ୍ରଦାୟିକ ମନୋମାଳିନ୍ୟର ପ୍ରତୀକ ରୂପେ ରହିଆସିଥିବା ଅଯୋଧୢା ମାମଲାର ଅନ୍ତ ସହିତ ଏଣିକି ଭାରତୀୟମାନଙ୍କ ଭିତରେ ଥିବା ଯାବତୀୟ ମାନସିକ ପ୍ରାଚୀରର ପତନ ହେଉ।

ନଭେମ୍ବର ୯କୁ ଇତିହାସରେ ଖୋଜିଲେ ୧୯୫୫ରେ ଘଟିଥିବା ଗୋଟିଏ ଘଟଣା ମଧ୍ୟ ଆଖିରେ ପଡ଼େ। ଏହି ଦିନ ଜାତିସ˚ଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟବାଦୀ ରାଜନୀତିର ଘୋର ବିରୋଧ କରାଯାଇ ଦକ୍ଷିଣ ଆଫ୍ରିକାକୁ ବାସନ୍ଦ କରିବା ଲାଗି ପଥ ପ୍ରସ୍ତୁତ କରାଯାଇଥିଲା। ଏହି ବିଶ୍ବସ୍ତରୀୟ ସ˚ଗ୍ରାମର ଫଳସ୍ବରୂପ ପରିଶେଷରେ ୧୯୯୪ ମସିହାରେ ବର୍ଣ୍ଣ ଆଧାରରେ ମଣିଷମାନଙ୍କୁ ବିଭାଜିତ କରୁଥିବା ଏକ ସୈଦ୍ଧାନ୍ତିକ ପ୍ରାଚୀରର ପତନ ଘଟିଥିଲା।

ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅଯୋଧୢା ସ˚ପର୍କିତ ରାୟ ପରେ ଦୀର୍ଘ ଅତୀତରୁ ଚାଲି ଆସିଥିବା ଏ ବିବାଦ ଯେ ଧୀରେ ଧୀରେ ବିସ୍ମୃତିର ଗର୍ଭକୁ ଚାଲିଯିବ, ତାହା ଅନ୍ତତଃ ଆମେ ସମସ୍ତେ ଆଶା କରିବା ଉଚିତ। କାରଣ ତହିଁରେ ହିଁ ଭାରତ ଓ ସବୁ ଭାରତୀୟଙ୍କ ମଙ୍ଗଳ। ତେବେ, ଏହା ମଧୢ ସମ୍ଭବ ଯେ କିଛି ନ୍ୟସ୍ତ ସ୍ବାର୍ଥଧାରୀ ବ୍ୟକ୍ତି ଏହି ବିବାଦକୁ ଉଜ୍ଜୀବିତ କରି ରଖିବାକୁ ଚାହିଁପାରନ୍ତି। ସେମାନଙ୍କ ରାଜନୈତିକ ଗାଡ଼ି ଲାଗି ଏହା ହୁଏତ ଏକ ଇନ୍ଧନ ହୋଇପାରେ। ଯଦି ଏଭଳି ହୁଏ ଏବ˚ ଭାରତୀୟମାନେ ଏହାକୁୁୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ଯାଇ ପ୍ରକୃତରେ ସାବ୍ୟସ୍ତ ହେବ ଯେ ଆମ ଗଣତନ୍ତ୍ର ପରିପକ୍ବତାର ‘ଲିଟ୍‌ମସ୍‌’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। କାରଣ ତାଇଵାନର ଲେଖକ ଓ ରାଜନେତା ସାଇ-ଇଙ୍ଗ େଵନ୍‌ କହିଥିବା ଭଳି ଗଣତନ୍ତ୍ର ବୋଇଲେ କେବଳ ରାଜନୈତିକ ନିର୍ବାଚନ ନୁହେଁ, ଗଣତନ୍ତ୍ର ହେଉଛି ଦୈନନ୍ଦିନ ଜୀବନର ଏକ ଅ˚ଶ। ତେଣୁ ଆମ ଗଣତନ୍ତ୍ର ଯେମିତି ହେବ, ଆମ ଜୀବନ ମଧ୍ୟ ସେମିତି ହେବ।

ସମ୍ବନ୍ଧିତ ଖବର