ଗତ ୧୬ ତାରିଖ ଦିନ ଭାରତର ଟେଲିକମ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଭାରତର ଛାନିଆ ହୋଇ ପଡ଼ିଥିବା ଇଣ୍ଟର୍ନେଟ୍ ବ୍ୟବହାରକାରୀମାନଙ୍କୁ ଅଭୟବାଣୀ ଶୁଣାଇଛନ୍ତି ଯେ ଭାରତରେ ‘ନେଟ୍ ନିରପେକ୍ଷତା’ ସହିତ କେବେହେଲେ କୌଣସି ସାଲିସ୍ କରାଯିବ ନାହିଁ। ଅର୍ଥାତ୍ ଦୁଇବର୍ଷ ତଳେ ଫେସ୍ବୁକ୍ ଏବଂ ଏଆର୍ଟେଲ୍ ଏଠାରେ ଇଣ୍ଟରନେଟ୍ ସେବାରେ ବାଛବିଚାର ଭର୍ତ୍ତି କରିବାକୁ କରିଥିବା ଉଦ୍ୟମକୁ ସରକାର ଯେଉଁଭଳି ନାକଚ କରି ଦେଇଥିଲେ, ବର୍ତ୍ତମାନ ମଧ୍ୟ ସରକାର ସେହି ଆଭିମୁଖ୍ୟରେ ଅଟଳ ରହିଛନ୍ତି। ଏହା ଭାରତର ଦ୍ରୁତବର୍ଦ୍ଧିଷ୍ଣୁ କୋଟି କୋଟି ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କୁ ବର୍ତ୍ତମାନ ପାଇଁ ଆଶ୍ୱସ୍ତ କରିଥିଲେ ମଧ୍ୟ ଯେଉଁ ଘଟଣାର ପ୍ରତ୍ରିକ୍ରିୟାରେ ରବିଶଙ୍କର ପ୍ରସାଦ ଏଭଳି ବକ୍ତବ୍ୟ ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତି, ତାହା ଆମ ପାଇଁ ସର୍ବଦା ଏକ ଶଙ୍କାର କାରଣ ହୋଇ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ଘଟିଛି ଆମେରିକାରେ କିନ୍ତୁ ଏହା ପଛରେ ଯାହାଙ୍କର ହାତ ରହିଛି, ଏକ ବିଡ଼ମ୍ବନା ସଦୃଶ ସେ ହେଉଛନ୍ତି ଜଣେ ଭାରତୀୟ। ଭାରତରେ ‘ଟେଲିକମ୍ ରେଗୁଲାଟରି ଅଥରିଟି ଅଫ୍ ଇଣ୍ଡିଆ’ (‘ଟ୍ରାଇ’) ଟେଲିକମ୍ କ୍ଷେତ୍ରରେ ସର୍ବୋଚ୍ଚ ନିୟନ୍ତ୍ରକ ରୂପେ କାର୍ଯ୍ୟ କରୁଥିବା ପରି ଆମେରିକାରେ ‘ଫେଡ଼େରାଲ୍ କମ୍ୟୁନିକେସନ୍ସ କମିସନ୍’ (‘ଏଫ୍ସିସି’) ସେଠାକାର ସର୍ବୋଚ୍ଚ ଟେଲିକମ୍ ନିୟନ୍ତ୍ରକ ରୂପେ କାର୍ଯ୍ୟ କରିଥାଏ। ଆଉ ବର୍ତ୍ତମାନ ସେଠାରେ ‘ଏଫ୍ସିସି’ର ଯିଏ ଚେଆର୍ମ୍ୟାନ୍ ଅଛନ୍ତି ସେ ହେଉଛନ୍ତି ଜଣେ ଭାରତୀୟ ମୂଳର ଆମେରିକୀୟ- ଅଜିତ୍ ପାଇ। ବୃତ୍ତିରେ ଜଣେ ଆଟର୍ଣ୍ଣି ବା ଓକିଲ ହୋଇଥିବା ୪୪ ବର୍ଷୀୟ ଅଜିତ୍ ବରଦାରାଜ୍ ପାଇ ପ୍ରଥମେ ୨୦୧୨ରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଦ୍ୱାରା ‘ଏଫ୍ସିସି’ର ଜଣେ ସଦସ୍ୟ ରୂପେ ୫ ବର୍ଷ ପାଇଁ ନିଯୁକ୍ତ ହୋଇଥିଲେ। ଏହି ‘ଏଫ୍ସିସି’ ଓବାମା ପ୍ରଶାସନର ଶେଷ ଆଡ଼କୁ ଆମେରିକାରେ ‘ନେଟ୍ ନିରପେକ୍ଷତା’ ନିଶ୍ଚିତ କରିବା ପାଇଁ ଇଣ୍ଟର୍ନେଟ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ୨୦୧୫ରେ ଆବଶ୍ୟକ ନିୟମ ମାନ ପ୍ରବର୍ତ୍ତନ କରିଥିଲା।
ଓବାମାଙ୍କ ପ୍ରତିପକ୍ଷ ଦଳ ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ୍ ୨୦୧୭ ଜାନୁଆରିରେ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କଲାପରେ ଅଜିତ୍ ପାଇଙ୍କୁ ପୁଣି ଆଉ ପାଞ୍ଚ ବର୍ଷ ପାଇଁ ‘ଏଫ୍ସିସି’କୁ ମନୋନୀତ କରିଦେଲେ। ସେତିକି ନୁହେଁ, ସେ ପାଇଙ୍କୁ ମଧ୍ୟ ପୂରା ପାଞ୍ଚବର୍ଷ ପାଇଁ ଏହି ନିୟନ୍ତ୍ରକ ସଂସ୍ଥାର ଚେଆରମ୍ୟାନ୍ ରୂପେ ମନୋନୀତ କରି ଦେଲେ। ୨୦୧୭ ଅକ୍ଟୋବରରେ ଆମେରିକାର ସିନେଟ୍ ପାଇଙ୍କର ଏହି ମନୋନୟନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କର ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କଲା। ଆଉ, ୨୦୧୭ ଡିସେମ୍ବର ୧୪ ଦିନ ‘ଏଫ୍ସିସି’ ୩-୨ ଭୋଟ୍ରେ ଓବାମା ସମୟର ନେଟ୍ ନିରପେକ୍ଷତା ନିୟମକାନୁନ୍କୁ ବାତିଲ କରି ଟ୍ରମ୍ପ୍୍ ଚାହୁଁଥିବା ଭଳି ଆମେରିକାରେ ଇଣ୍ଟର୍ନେଟ୍ ସେବାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ କରିଦେବାକୁ ନିଷ୍ପତ୍ତି ନେଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଏଫ୍୍ସିସି’ର ଯେଉଁ ତିନିଜଣ ସଦସ୍ୟ ଓବାମା ସମୟର ନିୟମ ରଦ୍ଦ କରି ଆମେରିକାରେ ନେଟ୍ ନିରପେକ୍ଷତାରେ ଅନ୍ତ ଘଟାଇବା ସପକ୍ଷରେ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଖୋଦ୍ ଚେଆରମ୍ୟାନ୍ ଅଜିତ ପାଇ। ପବନକୁ ଦେଖି ଛତା ଧରିବାର ଏହା ଏକ ରୋଚକ ଉଦାହରଣ।
ବର୍ତ୍ତମାନ ଉଚ୍ଛେଦ କରାଯାଇଥିବା ନିୟମର ଉଦ୍ଦେଶ୍ୟ ଥିଲା ଯେପରି ସେଠାରେ ‘କମ୍କାଷ୍ଟ୍’ ବା ‘ଏଟି ଆଣ୍ଡ୍ ଟି’ ଭଳି ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନିମାନେ ଅନ୍ଲାଇନ୍ରେ ଯୋଗାଉ ଥିବା ସମସ୍ତ ପ୍ରକାର ବିଷୟବସ୍ତୁ ବା ‘କଣ୍ଟେଣ୍ଟ୍’କୁ ସମାନ ପ୍ରକାର ଗୁରୁତ୍ୱ ଦିଅନ୍ତି, ତାହା ନିଶ୍ଚିତ କରିବା। ଅନ୍ୟଥା ଯଦି ଏଥିପାଇଁ ସେମାନଙ୍କ ଉପରେ ନିୟନ୍ତ୍ରଣ ଲାଗୁ ନହୁଏ, ତେବେ ସେମାନେ ନିଜର ସର୍ବାଧିକ ଲାଭ ପଛରେ ଧାଇଁ କୌଣସି ସେବାକୁ ବିଜୁଳି ବେଗରେ ଯୋଗାଇବେ ତ ଆଉ କେଉଁ ସେବାକୁ କଚ୍ଛପ ଗତିରେ ନେଟ୍ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚାଇବେ। ଏହାର ମର୍ମ ହେଲା ଯେଉଁ ସେବା ପାଇଁ ଚାହିଦା ଅଧିକ ତାହାକୁ ପାଇବା ପାଇଁ ଅଧିକ ଦାମ ଦେବାକୁ ହେବ କିଂବା ଯେଉଁ ସେବାର ଗ୍ରାହକ ମାନଙ୍କର କ୍ରୟଶକ୍ତି ଅଧିକ, ସେମାନଙ୍କ ଠାରୁ ଅଧିକ ଦାମ୍ ଆଦାୟ କରାଯାଇପାରେ। ଏହି ଯୁକ୍ତିକୁ ଆଉ ଟିକିଏ ଆଗେଇ ନେଲେ କୁହାଯାଇପାରିବ ଯେ ଏକ ଇଣ୍ଟର୍ନେଟ୍ ସେବା ପ୍ରଦାନକାରୀ କମ୍ପାନି ଚାହିଁଲେ କୌଣସି ‘କଣ୍ଟେଣ୍ଟ୍’କୁ ସେନ୍ସର୍ କରିଦେଇ ପାରିବ।
ବଡ଼ ବଡ଼ ଟେଲିକମ୍ କମ୍ପାନିମାନେ ଅବଶ୍ୟ ସର୍ବଦା ନେଟ୍-ନିରପେକ୍ଷତା ଶୃଙ୍ଖଳରୁ ମୁକ୍ତ ହେବାକୁ ଚାହାଁନ୍ତି। ସେମାନେ ଯୁକ୍ତି କରନ୍ତି ଯେ ଏହି ନିୟନ୍ତ୍ରଣରୁ ମୁକ୍ତ ହେଲେ ସେମାନେ ବ୍ରଡ୍ବ୍ୟାଣ୍ଡ୍ ଏବଂ ଓ୍ଵଆର୍ଲେସ୍ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ କରିବାକୁ ଉତ୍ସାହିତ ହେବେ। ଅବଶ୍ୟ ନିକଟ ଭବିଷ୍ୟତରେ ଏହି ଶୃଙ୍ଖଳମୁକ୍ତ କମ୍ପାନିମାନେ ହଠାତ୍ ସେବା ପ୍ରଦାନରେ ଆଖିଦୃଶିଆ ବାଛବିଚାର କରିବାକୁ ଆରମ୍ଭ କରି ନପାରନ୍ତି। କାରଣ, ସେମାନେ ଜାଣନ୍ତି ଯେ ଉପଭୋକ୍ତାମାନେ ଏହା ଦ୍ୱାରା ପ୍ରତିକ୍ରିୟାଶୀଳ ହୋଇପଡ଼ିବେ। ଯଦି ସେମାନେ ବିଭିନ୍ନ ସେବା ପ୍ରଦାନ ବେଗରେ ତାରତମ୍ୟ ଘଟାନ୍ତି, ଉପଭୋକ୍ତାମାନେ କ୍ଷୁବ୍ଧ ହୋଇଯିବେ; ଯଦି ସେମାନେ ଲୋକପ୍ରିୟ ସେବାର ଦାମ୍ରେ ବୃଦ୍ଧି ଘଟାନ୍ତି, ତେବେ ହୁଏତ ସେମାନେ ଗ୍ରାହକ ହରାଇ ବସିବେ। ଯଦି ସେମାନେ ବର୍ତ୍ତମାନ ନିୟନ୍ତ୍ରଣମୁକ୍ତ ହୋଇ ହଠାତ୍ ଇଣ୍ଟର୍ନେଟ୍ ସେବା ପ୍ରଦାନ ପାଇଁ ଦ୍ରୁତ ରାସ୍ତା ଓ ଧିମା ରାସ୍ତାମାନ ତିଆରି କରି ବସନ୍ତି, ତେବେ ତାହା ଦୃଷ୍ଟିକଟୁ ହୋଇ ବିରୋଧୀ ରାଜନୈତିକ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟମାନଙ୍କୁ କଂଗ୍ରେସରେ କଠୋର ନିୟମ ପ୍ରଣୟନ ପାଇଁ ବଳିଷ୍ଠ କାରଣ ଯୋଗାଇପାରେ। ତେଣୁ ହୁଏତ ନିକଟ ଭବିଷ୍ୟତରେ ଆମେରିକାରେ ନେଟ୍-ନିରପେକ୍ଷତା ଉଚ୍ଛେଦର ସ୍ୱାଭାବିକ ପରିଣାମ ଦେଖାଦେଇ ନପାରେ।
କିନ୍ତୁ ତାହା ଅର୍ଥ ନୁହେଁ ଯେ ଇଣ୍ଟର୍ନେଟ୍ ସେବା ପ୍ରଦାନକାରୀ କମ୍ପାନିମାନେ ସବୁଦିନେ ଏପରି ଆତ୍ମସଂଯମ ଅବଲମ୍ବନ କରିଚାଲିବେ। ବାଘର ସ୍ୱାଭାବିକ ପ୍ରବୃତ୍ତି ହେଉଛି ଯେପରି ଶିକାର କରିବା, ଏହି କମ୍ପାନିମାନଙ୍କର ସ୍ୱାଭାବିକ ପ୍ରବୃତ୍ତି ହେଉଛି ସର୍ବାଧିକ ସମ୍ଭବ ଲାଭ ସୃଷ୍ଟି କରିବା। ଆଜି ନହେଲେ କାଲି ସେଠାରେ ସେମାନେ ଇଣ୍ଟର୍ନେଟ୍ ସେବା ପ୍ରଦାନରେ ବାଛବିଚାର କରିବା ଆରମ୍ଭ କରିବା ନିଶ୍ଚିତ। ଏହା ଉଲ୍ଲେଖ ଅନାବଶ୍ୟକ ଯେ ଏକ ସମ୍ପୂର୍ଣ୍ଣ ନିରପେକ୍ଷ ଇଣ୍ଟର୍ନେଟ୍ ସର୍ବାଧିକ ଜନମଙ୍ଗଳ ସୃଷ୍ଟି କରିବାର କ୍ଷମତା ବହନ କରିଥାଏ। ସେଇଥିପାଇଁ ଅତୀତରେ ଭାରତରେ ଫେସ୍ବୁକ୍ କିଂବା ଏଆର୍ଟେଲ୍ ଭଳି ବିଶାଳ କମ୍ପାନିମାନଙ୍କୁ ଏଠାରେ ନେଟ୍-ନିରପେକ୍ଷତା ଉଲ୍ଲଂଘନ କରିବାକୁ ଦିଆଯାଇ ନାହିଁ। ତେବେ ବିପଦ ହେଲା ପୃଥିବୀରେ ଇଣ୍ଟର୍ନେଟ୍ ବିପ୍ଳବର ନେତୃତ୍ୱ ନେଇଥିବା ଆମେରିକାରେ ଆଜି ଯାହା ଘଟୁଛି, କାଲି ତାହା ଅନ୍ୟତ୍ର ଘଟିବାର ସମ୍ଭାବନା ଏପରି ଅପ୍ରତିହତ ମନେହୁଏ ଯେ ଭାରତ କେତେ କାଳ ତାହାକୁ ପ୍ରତିରୋଧ କରିପାରିବ, କିଏ ଜାଣେ? ଏହି ପରିପ୍ରେକ୍ଷୀରେ ରବିଶଙ୍କର ପ୍ରସାଦଙ୍କର ଆଶ୍ୱାସନା ଯେ ଅତ୍ୟନ୍ତ ସମୟୋପଯୋଗୀ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।