ଭିକ୍ଷୁ ଓ ଭିକ୍ଷା

କିଂବଦନ୍ତି ଅନୁସାରେ କୁଣ୍ତା କମାରପୁତ୍ତ ନାମକ ତାଙ୍କର ଜଣେ ସ୍ବର୍ଣ୍ଣକାର ଭକ୍ତ ପରଷି ଥିବା ବାର‌୍‌ହା ମା˚ସର ତରକାରି ଥିଲା ଏ ସ˚ସାରରେ ଗୌତମ ବୁଦ୍ଧଙ୍କର ଶେଷ ଆହାର। କେହି କେହି ‘ଶୁକରମାଦ୍ଦବ’ ନାମକ ଏହି ବ୍ୟଞ୍ଜନ ପ୍ରକୃତରେ ବାର‌୍‌ହା ମା˚ସ ନ ଥିଲା ଓ ବାର‌୍‌ହାମାନେ ଭଲ ପାଉଥିବା ଏକ ଛତୁ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଥିଲା ବୋଲି ମତ ପୋଷଣ କରିଥାନ୍ତି। ତେବେ ମା˚ସ ହେଉ କି ଛତୁ ହେଉ, ପାଭା ଠାରେ ଖାଇଥିବା ସେଇ କୁଣ୍ତାଦତ୍ତ ଖାଦ୍ୟର ବିଷାକ୍ତ ପ୍ରଭାବରେ ବୁଦ୍ଧ ଦେବ ଯେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ି କୁଶୀନଗର ଠାରେ ଏକ ଶାଳବନରେ ବିଶ୍ରାମ ନେବା ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କଲେ, ଏଥିରେ ସମସ୍ତେ ଏକମତ।

ପ୍ରଶ୍ନ ଉଠିଥାଏ, ଦିବ୍ୟଜ୍ଞାନ ପ୍ରାପ୍ତ ବୁଦ୍ଧ ଏଭଳି ଖାଦ୍ୟର ନିଶ୍ଚିତ ପରିଣତି ସମ୍ବନ୍ଧରେ ଅବଗତ ଥିଲେ କି ନାହିଁ? ପରିଣାମ ସମ୍ବନ୍ଧରେ ଗୌତମ ଯେ ସଚେତନ ଥିଲେ, ତାହାର ପ୍ରମାଣ ହେଲା ସେ କୁଣ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେ ‘ଶୁକରମାଦ୍ଦବ’ ଯେପରି ତାଙ୍କର ସାଥୀ ଭିକ୍ଷୁମାନଙ୍କୁ ଖାଇବାକୁ ନ ଦିଅନ୍ତି। ତା’ହେଲେ ଗୌତମ ନିଜେ କାହିଁକି କମାରପୁତ୍ତଙ୍କ ଠାରୁ ସେ ଖାଦ୍ୟ ଗ୍ରହଣ କଲେ? ତା’ର କାରଣ ହେଲା, ଭିକ୍ଷୁ ଗୌତମ କୌଣସି ଭକ୍ତ ପ୍ରଦତ୍ତ ଭିକ୍ଷାକୁ ପ୍ରତ୍ୟାଖ୍ୟାନ କରି ପାରନ୍ତେ ନାହିଁ। ଭିକ୍ଷୁ ଓ ଭିକ୍ଷା ମଧୢରେ ଥିବା ଏହି ଅପରିବର୍ତ୍ତନୀୟ ସମ୍ପର୍କ ସେଦିନ ପାଭାଠାରେ ଗୌତମଙ୍କ ଗହଣରେ ଉପସ୍ଥିତ ଅନ୍ୟ ସନ୍ନ୍ୟାସୀମାନଙ୍କର କୌଣସି କ୍ଷତି କରିପାରି ନଥିବାର କାରଣ ହେଲା ବୁଦ୍ଧ କୁଣ୍ତା କମାରପୁତ୍ତଙ୍କୁ ଦେଇଥିବା ଉପରୋକ୍ତ ନିର୍ଦ୍ଦେଶ ବା ଉପଦେଶ।

ଭକ୍ତଙ୍କର ଶ୍ରଦ୍ଧାସିକ୍ତ ଭିକ୍ଷା କିପରି ଅଭାବିତ କୁପରିଣାମ ସୃଷ୍ଟି କରିପାରେ, ବୁଦ୍ଧଙ୍କର ମହା ପରିନିର୍ବାଣ ତାହାର ଏକ ଚରମ ଓ ବିରଳ ଉଦାହରଣ ହୋଇପାରେ, କିନ୍ତୁ ଆଧୁନିକ ସମୟରେ ମଧୢ ଯେ ଜନପଦବାସୀଙ୍କର ମୁକ୍ତ ହସ୍ତ ଭିକ୍ଷା କିପରି ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ବେଶ୍‌ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରିପାରେ, ତାହାର ଚିନ୍ତା ସୃଷ୍ଟିକାରୀ ଉଦାହରଣମାନ ବର୍ତ୍ତମାନ ବୌଦ୍ଧଧର୍ମାବଲମ୍ବୀ ଦେଶ ଆମର ନିକଟ ପଡେ଼ାଶୀ ଥାଇଲାଣ୍ତରେ ଏତେ ବ୍ୟାପକ ହୋଇଛି ‌ଯାହା ସେ ଦେଶର ସୀମା ଅତିକ୍ରମ କରି ପୃଥିବୀ ସାରା ଆଲୋଚନା ଓ ଲଘୁ ପରିହାସର ବିଷୟ ପାଲଟିଛି।

ଇତିହାସ ସାରା ଥାଇଲାଣ୍ତର ବୌଦ୍ଧ ସନ୍ନ୍ୟାସୀମାନେ ସୁସ୍ଥ, ସକ୍ରିୟ, ଶୀର୍ଣ୍ଣ ଶରୀରର ଅଧିକାରୀ ହୋଇ ଆସିଥିଲେ, ଯାହା ବୌଦ୍ଧଧର୍ମର ଜନ୍ମପୀଠ ଭାରତରେ ପରିଦୃଷ୍ଟ ମୂର୍ତ୍ତି ଓ ଚିତ୍ରକଳା ମାନଙ୍କରେ ଶୋଭା ପାଉଥିବା ବୁଦ୍ଧଙ୍କ ସୁଗଠିତ ସୁଠାମ ଶରୀରକୁ ଆଦର୍ଶ ରୂପେ ଗ୍ରହଣ କରିଥିବାର ଧାରଣା ସୃଷ୍ଟି କରୁଥିଲା। ଏବେ କିନ୍ତୁ ବିଗତ କେତେ ବର୍ଷ ମଧୢରେ ସେ ଚିତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟି ‘ଥାଇ ବୌଦ୍ଧ ସନ୍ନ୍ୟାସୀ’ମାନଙ୍କ ଆକୃତି ଅଧିକରୁ ଅଧିକ ଚୀନ୍‌ରେ ପ୍ରଚଳିତ ବୁଦ୍ଧ ମୂର୍ତ୍ତିମାନଙ୍କର ଆକୃତି ସହିତ ମେଳ ଖାଇବାକୁ ଲାଗିଲାଣି, ଯେଉଁଥିରେ ବୁଦ୍ଧଙ୍କୁ ଜଣେ ପୃଥୁଳକାୟ, ଗଣେଶଙ୍କ ଭଳି ଲମ୍ବୋଦର ଚରିତ୍ର ରୂପେ ପରିକଳ୍ପନା କରାଯାଇଥାଏ। କଥିତ ଭାଷାରେ କହିଲେ, ‘ଥାଇ ବୌଦ୍ଧ ଭିକ୍ଷୁ’ମାନେ ମାତ୍ରାଧିକ ଭାବରେ ମୋଟା ହୋଇ ଯାଉଥିବା ଦେଖାଯାଉଛି। ଏକ ରିପୋର୍ଟ ଅନୁସାରେ ଥାଇଲାଣ୍ତରେ ଥିବା ପ୍ରାୟ ସାଢ଼େ ତିନି ଲକ୍ଷ ସରିକି ବୌଦ୍ଧ ସନ୍ନ୍ୟାସୀମାନଙ୍କ ମଧୢରୁ ପ୍ରାୟ ୫୦% ବା ଅଧା ହେଉଛନ୍ତି ଅତିରିକ୍ତ ମୋଟା ଶ୍ରେଣୀର, ଯେଉଁମାନଙ୍କର ଓହଳି ପଡ଼ିଥିବା ଥନ୍ତଲ ପେଟ ସେମାନଙ୍କର ବହୁଭାଙ୍ଗ ବିଶିଷ୍ଟ ଗଳାର ଥଳା ସହିତ ଦର୍ଶକର ଧୢାନ ଆକର୍ଷଣ ପାଇଁ ପ୍ରତିଯୋଗିତା କରିଥାଏ।

କୁହାଯାଇପାରେ ଏହି ସନ୍ନ୍ୟାସୀମାନେ ବୋଧହୁଏ ଯୁଗ ସହିତ ତାଳ ଦେଇ ଚାଲିଛନ୍ତି ମାତ୍ର, କାରଣ ମାଲେସିଆ ପରକୁ ଥାଇଲାଣ୍ତ ହେଉଛି ଏସିଆର ସର୍ବାଧିକ ମୋଟା ଦେଶ। ତେବେ ସନ୍ନ୍ୟାସୀମାନଙ୍କର ଏପରି ଶାରୀରିକ ସମୃଦ୍ଧି ପାଇଁ ସେମାନଙ୍କୁ ହିଁ ଦାୟୀ କରାଯାଇ ପାରିବ କି ନା, ତାହା ଦିବ୍ୟଜ୍ଞାନ ସନ୍ଧାନ ଭଳି ଏକ ଜଟିଳ ପ୍ରଶ୍ନ: ଦୋଷ ଭିକ୍ଷୁର ନା ଭିକ୍ଷାର? ଦୋଷ ଗୌତମଙ୍କର ନା କୁଣ୍ତା କମାରପୁତ୍ତଙ୍କର? ଏ ଦୁରୂହ ପ୍ରଶ୍ନର ଉତ୍ତର ଖୋଜିବା ବେଳେ କିନ୍ତୁ ଯାହା ଆଖିରେ ପଡେ଼, ତାହା ହେଲା ‘ଥାଇ ବୌଦ୍ଧ ଭିକ୍ଷୁ’ମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା କଠୋର ଅନୁଶାସନ ଦ୍ବାରା ଆବଦ୍ଧ। ସେମାନେ କେବଳ ଭିକ୍ଷା ଆକାରରେ ଅନୁଗାମୀମାନେ ପ୍ରଦାନ କରୁଥିବା ଖାଦ୍ୟ ଖାଇ ପାରିବେ ଏବ˚ ତାହା ପୁଣି କେବଳ ମଧୢାହ୍ନ ପୂର୍ବରୁ। ସେମାନେ ବଡ଼ି ସକାଳୁ ଭିକ୍ଷା ସ˚ଗ୍ରହ ପାଇଁ ଜନପଦକୁ ବାହାରି ପଡ଼ନ୍ତି। ଭିକ୍ଷାଦାତାଙ୍କୁ ସେମାନେ ଖାଇବାରେ ନିଜର ରୁଚି ବା ଅରୁଚି ବିଷୟରେ କିଛି ହେଲେ ଜଣାଇ ପାରିବେ ନାହିଁ, ଏବ˚ ଯାହା ମିଳିବ ତାହା ହିଁ ଖାଇବାକୁ ହେବ।

ଶ୍ରଦ୍ଧାଳୁ ଭକ୍ତମାନେ କିନ୍ତୁ ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ସନ୍ନ୍ୟାସୀଙ୍କୁ ବିଭିନ୍ନ ସୁମିଷ୍ଟ ସୁସ୍ବାଦୁ ଖାଦ୍ୟରେ ଆପ୍ୟାୟିତ କରିବା ଏକ ନିୟମିତ ଘଟଣା ହୋଇଥାଏ। ଏହାକୁ ଭକ୍ତମାନେ ଉତ୍ତମ କର୍ମରୂପେ ବିଚାର କରନ୍ତି ଯାହାର ଫଳ ପରଜନ୍ମରେ ମଧୢ ମିଳିବ। ଭକ୍ତମାନେ କେବଳ ନିଜର ପ୍ରିୟ ଖାଦ୍ୟ ଯେ ସନ୍ନ୍ୟାସୀମାନଙ୍କୁ ପରଷି ଥାନ୍ତି, ତାହା ନୁହେଁ, ସେମାନେ ନିଜର ପରଲୋକଗତ ସମ୍ପର୍କୀୟମାନଙ୍କ ପାଇଁ ପୁଣ୍ୟ ଅର୍ଜନ କରିବା ସକାଶେ ସେମାନଙ୍କର ପ୍ରିୟ ଖାଦ୍ୟ ଦ୍ବାରା ମଧୢ ସନ୍ନ୍ୟାସୀମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି। ଏହି ପ୍ରଥା ଯୋଗୁଁ ସନ୍ନ୍ୟାସୀମାନଙ୍କର ଉଦର ସୁସ୍ବାଦୁ ଶର୍କରା ବହୁଳ ଖାଦ୍ୟ ଓ ପାନୀୟରେ ଭର୍ତ୍ତି ହୋଇଯାଏ। ସନ୍ନ୍ୟାସୀମାନେ ଭିକ୍ଷା ସ˚ଗ୍ରହ କରିବା ପରେ ସେମାନଙ୍କ ବାକି ସମୟ କେବଳ ପ୍ରାର୍ଥନା ଓ ଧୢାନରେ ବିତାଇଥାନ୍ତି, ଯାହା ଶର୍କରାକୁ ଭସ୍ମ କରିବାକୁ ଆଦୌ ଯଥେଷ୍ଟ ନୁହେଁ।

ଏହାର ପରିଣତି ହେଲା ଅଧିକା˚ଶ ସନ୍ନ୍ୟାସୀ ମଧୁମେହ, ହୃଦ୍‌ରୋଗ ଆଦି ବ୍ୟାଧିଗ୍ରସ୍ତ ହୋଇ ପଡୁଛନ୍ତି। ବ୍ୟାୟାମ ଦ୍ବାରା ଶରୀର ଚର୍ଯ୍ୟା କରିବା ମଧୢ ସନ୍ନ୍ୟାସୀମାନଙ୍କ ଆଚରଣ ବିଧି ଦ୍ବାରା ନିଷଦ୍ଧ। ଜୋତା ପିନ୍ଧିବା ନିଷିଦ୍ଧ ହୋଇଥିବାରୁ ସେମାନେ ଦ୍ରୁତଗତିରେ ଦୀର୍ଘ ପଥ ପାଦରେ ଚାଲିବାକୁ ମଧୢ ସମର୍ଥ ହୋଇନଥାନ୍ତି। ସମସ୍ୟା ଉତ୍କଟ ହେବାରୁ ଥାଇ ସରକାର ଏବେ ହସ୍ତକ୍ଷେପ କରି ସନ୍ନ୍ୟାସୀଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡାକ୍ତରଖାନାମାନଙ୍କୁ ବୌଦ୍ଧ ମନ୍ଦିରମାନଙ୍କ ସହିତ ସ˚ଯୁକ୍ତ କରିଛନ୍ତି, ଅଧିକ ଶାରୀରିକ ପରିଶ୍ରମ କରିବା ପାଇଁ ସନ୍ନ୍ୟାସୀମାନଙ୍କୁ ଉପଦେଶ ଦେଉଛନ୍ତି ଏବ˚ ସନ୍ନ୍ୟାସୀମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଭିକ୍ଷା ଆକାରରେ ପ୍ରଦାନ କରିବା ପାଇଁ ନାଗରିକମାନଙ୍କୁ ସଚେତନ କରୁଛନ୍ତି। ତେବେ ଭିକ୍ଷୁମାନଙ୍କର ମୂଳ ସମସ୍ୟା ହେଲା ବିନା ପରିଶ୍ରମରେ ମିଳିଯାଉଥିବା ଖାଦ୍ୟ, ଯାହାକୁ ହଜମ କରିବା ପାଇଁ ବୁଦ୍ଧ ପ୍ରଦର୍ଶିତ ମଧୢମ ମାର୍ଗ ଯଥେଷ୍ଟ ନୁହେଁ। ଭିକ୍ଷୁ ଓ ଭିକ୍ଷା ମଧୢରେ ଏ ପ୍ରତିକୂଳ ସମ୍ପର୍କ ନିଶ୍ଚିତ ରୂପେ ବୌଦ୍ଧ ବିହାରମାନଙ୍କ ମଧୢରେ ସୀମିତ ନୁହେଁ।

ସମ୍ବନ୍ଧିତ ଖବର