ପ୍ରାଚୀର ପତନ

୧୮୮୮ ମସିହାରେ ପ୍ରଖ୍ୟାତ ଲେଖକ ଓସ୍କାର ଵାଇଲ୍‌ଡ କୁନି ପିଲାମାନଙ୍କୁ ପଢ଼ି ଶୁଣାଇବା ଲାଗି ଲେଖିଥିବା ବହୁ ପଠିତ ଗଳ୍ପ ‘ଦ ସେଲ୍‌ଫିସ୍‌ ଜାଏଣ୍ଟ’(ସ୍ବାର୍ଥପର ଦାନବ) ସ˚ପର୍କରେ ଏହି ସ୍ତମ୍ଭର ପାଠକପାଠିକା ଊଣାଅଧିକେ ଅବଗତ ଥିବେ। ସେମାନେ ଜାଣିଥିବେ ଯେ କଠିନ ହୃଦୟଧାରୀ ‘ଦାନବ’ ତାର ସୁନ୍ଦର ବଗିଚାରେ ଉଲ୍ଲାସର ସହିତ ଖେଳୁଥିବା ପିଲାମାନଙ୍କୁ ତଡ଼ି ଦେଇ, ଫାଟକ ବନ୍ଦ କରି ତହିଁରେ ଯେତେବେଳେ ଏକ ଫଳକ ଲଗାଇ ଦେଲା ଯେ ‘ବିନା ଅନୁମତିରେ ପ୍ରବେଶକାରୀ ଦଣ୍ତ ପାଇବ’, ତା ପରଠାରୁ ସେହି ବିଜନ ବଗିଚାରେ ଏକ ଚିରନ୍ତନ ଶୀତ ଋତୁ ଜମାଟ ବାନ୍ଧିଲା। ତେବେ, ଦିନେ ଅଚାନକ ବଗିଚାର କିଛି ଅଂଶକୁ ବସନ୍ତ ଫେରି ଆସିଲା। ଏହାର କାରଣ ଥିଲା ସୁଉଚ୍ଚ ପ୍ରାଚୀରର ଏକ ଫାଟ ଦେଇ କିଛି ଛୋଟ ପିଲା ବଗିଚାରେ ପଶି ହସଖେଳରେ ମାତି ଯାଇଥିଲେ। ଏଭଳି ଏକ ଐନ୍ଦ୍ରଜାଲିକ ସ୍ଥିତିରେ ଚକିତ ‘ଦାନବ’ର କଠିନ ହୃଦୟ ଏଥିରେ ଦ୍ରବୀଭୂତ ହୋଇଗଲା। କହିବା ବାହୁଲ୍ୟ ଯେ ତା ପରେ ଆଉ ସେ ଫାଟକ ବନ୍ଦ ହେଲା ନାହିଁ ଏବ˚ ଉଦ୍ୟାନକୁ ଘେରି ରହିଥିବା ପ୍ରାଚୀର ଅଚିରେ ଧରାଶାୟୀ ହେଲା। ସେହି ଗଳ୍ପରେ ଅଛି ଯେ ତା ପରେ ସେହି ଉଦ୍ୟାନରେ ଚିରନ୍ତନ ବସନ୍ତ ରାଜୁତି କରୁଥିବା ଦେଖି ସହରର ସମସ୍ତେ ବିମୋହିତ ହେଲେ।

ଶହେ ତିରିଶ ବର୍ଷ ତଳେ ଲିଖିତ ଏହି ଅମର କାହାଣୀରେ ବର୍ଣ୍ଣିତ ‘ପ୍ରାଚୀର ପତନ’ର ଏକ ମୃଦୁ ସମାନ୍ତରାଳ ଦେଖିବାକୁ ମିଳିଥିଲା ୨୦୦୫, ଜୁନ୍‌ ୧୫ରେ ଯେତେବେଳେ ସୂଚନା ଅଧିକାର ଆଇନ ପ୍ରବର୍ତ୍ତିତ ହେବା ଫଳରେ ‘ଅଫିସିଆଲ ସିକ୍ରେସି ଆକ୍‌ଟ’ ବା ‘ସରକାରୀ ଗୋପନୀୟତା ଆଇନ’ର ପ୍ରାଚୀର ଅବଲୀଳା କ୍ରମେ ଭାଙ୍ଗିଯାଇ ସରକାରୀ ବିଭାଗ ସବୁରେ ସ୍ବାଧୀନତା ପରଠାରୁ ଜମି ରହିଥିବା ଗୋପନୀୟତାର ବରଫ ଆସ୍ତରଣ ତରଳିବା ଆରମ୍ଭ କରିଥିଲା। ଏବ˚ ବର୍ତ୍ତମାନ, ଏହାର ପ୍ରାୟ ଚଉଦ ବର୍ଷ ପରେ ସେହି ପ୍ରାଚୀରର ତଥାପି ଛିଡ଼ା ହୋଇ ରହିଥିବା ଶେଷ ଅ˚ଶର ପତନ ଘଟିଛି। ଗଲା ବୁଧବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହାକୁ ଭୂମିସାତ୍‌ କରି ପବନ ଚଳାଚଳର ପଥ ଉନ୍ମୁକ୍ତ କରିଦେଇଛନ୍ତି। ଏଥିରେ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା, ସର୍ବୋଚ୍ଚ ଅଦାଲତର ମାନ୍ୟବର ପ୍ରଧାନ ବିଚାରପତି ମଧୢ ଯେ ‘ସୂଚନା ଅଧିକାର ଆଇନ’ର ପରିସରଭୁକ୍ତ ହେବେ, ଏ ରାୟ ସର୍ବୋଚ୍ଚ ଅଦାଲତ ନିଜେ ଶୁଣାଇଛନ୍ତି।

ଏଠାରେ ସ୍ମରଣ କରାଯାଇ ପାରେ କି ମାନ୍ୟବର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତିଙ୍କୁ ‘ସୂଚନା ଅଧିକାର ଆଇନ ବା ଆର.ଟି.ଆଇ. ପରିସରଭୁକ୍ତ କରାଯାଉ ବୋଲି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣି କରି ୨୦୧୦, ଜାନୁଆରିରେ ଏକ ତିନି ଜଣିଆ ଖଣ୍ତପୀଠ ଆବେଦନକାରୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ତେବେ ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟର ‘ସେକ୍ରେଟାରି ଜେନେରାଲ’ ଏବ˚ ‘କେନ୍ଦ୍ରୀୟ ସୂଚନା ଅଧିକାରୀ’ ତିନିଟି ଭିନ୍ନ ଭିନ୍ନ ଆବେଦନ ନେଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏବେ ଏହି ଆବେଦନଗୁଡ଼ିକର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ର˚ଜନ ଗୋଗୋଇଙ୍କ ଅଧୢକ୍ଷତାରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ତପୀଠ ତାଙ୍କ ରାୟରେ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି। ତେବେ, ରାୟରେ ଏହା ମଧୢ ସତର୍କ କରାଇ ଦିଆଯାଇଛି ଯେ ସୂଚନା ଅଧିକାର ଆଳରେ ବିଚାରପତିଙ୍କ ଦାୟିତ୍ବ ସ˚ପାଦନ ପ୍ରକ୍ରିୟା ଉପରେ ‘ପ୍ରଭାବୀ ନଜର’ ରଖି ମୁକ୍ତ ବିଚାରକୁ ପ୍ରଭାବିତ କରାଯାଇପାରିବ ନାହିଁ। ସେହିଭଳି ସୂଚନା ପାଇବାର ଅଧିକାର କେତେକ ନିର୍ଦ୍ଦିଷ୍ଟ ‘ଗୋପନୀୟ କ୍ଷେତ୍ରର ପରିସର ମଧୢରେ ଅପୁପ୍ରବେଶ କରି ପାରିବ ନାହିଁ’।

କେତେକ ମହଲରେ ଏହି ରାୟକୁ ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି କେ.ଜି. ବାଳକୃଷ୍ଣନଙ୍କ ଏକ ବ୍ୟକ୍ତିଗତ ପରାଜୟ ବୋଲି ବିବେଚନା କରାଯାଉଛି। କାରଣ ଦିଲ୍ଲୀ ହାଇକୋର୍ଟର ରାୟ ପ୍ରକାଶ ପାଇବା ପରେ ତତ୍କାଳୀନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବାଳକୃଷ୍ଣନ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ‘ମୁକ୍ତ ବିଚାର ପ୍ରକ୍ରିୟା’କୁ ଆର‌.ଟି.ଆଇ.ର ପ୍ରବେଶ ଆକ୍ରାନ୍ତ କରିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଥିଲେ, ଯେଉଁଥି ଲାଗି ସେ ସାଧାରଣରେ ସମାଲୋଚନାର ଶରବ୍ୟ ମଧୢ ହୋଇଥିଲେ। ସେହି ସମୟରେ ଏହାକୁ ଉପଲକ୍ଷ୍ୟ କରି ‘ଦ ହିନ୍ଦୁ’ ସମ୍ବାଦପତ୍ରରେ ଜଷ୍ଟିସ ଭି.ଆର. କୃଷ୍ଣଆୟାରଙ୍କ ଦ୍ବାରା ଲିଖିତ ‘ହୁ ଵିଲ ଜଜ୍‌ ଦ ଜଜେସ୍‌’ ବା ‘ବିଚାରପତିଙ୍କ ବିଚାର କରିବ କିଏ?’ ଶୀର୍ଷକ ଏକ ପ୍ରବନ୍ଧରେ ସ˚ସଦକୁ ଅନୁରୋଧ କରାଯାଇଥିଲା ଯେ ଆଇନଟିଏ ପ୍ରବର୍ତ୍ତନ କରି ବିଚାର ବିଭାଗରେ ‘ଗ୍ଲାସ୍‌ନୋଷ୍ଟ’(ଖୋଲା ପଣ) ଓ ‘ପେ‌‌ରେ‌େଷ୍ଟ୍ରାଇକା’(ସ˚ସ୍କାର) ଅଣାଯିବାର ଉଦ୍ୟମ କରାଯାଉ। ସେହି ଦୃଷ୍ଟିରୁ ଏହି ସଦ୍ୟତମ ରାୟ ଜରିଆରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିଜକୁ ଉନ୍ମୁକ୍ତ କରି ପାରଦର୍ଶୀ ବା ସ୍ବଚ୍ଛ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି।

ଏହା ସର୍ବଜନବିଦିତ ଯେ ଆର.ଟି.ଆଇ.ର ପ୍ରବର୍ତ୍ତନ ପରେ ଅନେକ ଦୁର୍ନୀତିର ଅନାବରଣ କରାଯାଇପାରିଛି। ଏକ ବିଡ଼ମ୍ବିତ ସ˚ଯୋଗ ସ୍ବରୂପ ଏହି ଆଇନର କର୍ତ୍ତା ୟୁପିଏ ସରକାରର ପତନ ଯେଉଁ ଟୁ- ଜି ସ୍କାମ୍‌ ଯୋଗୁ ହୋଇଥିଲା, ତାହା ଉନ୍ମୋଚିତ ହୋଇଥିଲା ଆର.ଟି.ଆଇ. ବଳରେ। ତେଣୁ ଗୋଟିଏ ଦୃଷ୍ଟିରୁ ଏହା ହେଉଛି ସାଧାରଣ ନାଗରିକମାନଙ୍କ ହାତରେ ସରକାରୀ ଦୁର୍ନୀତି ଉପରେ ପ୍ରୟୋଗ ଲାଗି ଏକ ଅସ୍ତ୍ର। ଏବ˚ ଆଉ ଗୋଟିଏ ଦୃଷ୍ଟିରୁ ଏହାକୁ ସରକାରୀ ବିଭାଗଗୁଡ଼ିକ ଲାଗି ଅପେକ୍ଷାକୃତ ପରିଚ୍ଛନ୍ନ ରହିବା ସକାଶେ ଏକ ବାଧୢବାଧକତା ବୋଲି ମଧୢ ବିଚାର କରାଯାଇପାରେ। ତେବେ, ଏହା ସତ ଯେ ଯେପର୍ଯ୍ୟନ୍ତ ଏହା ସରକାରୀ ଅଧିକାରୀ ବା କର୍ମଚାରୀମାନଙ୍କ ଲାଗି ‘ବିବେକାନୁମୋଦିତ’ ନ ହୋଇ ଏକ ‘ବାଧୢବାଧକତା’ ହୋଇ ରହିଥିବ, ସେ ପର୍ଯ୍ୟନ୍ତ ସୂଚନା ପ୍ରଦାନ କରିବା ନେଇ ଟାଳଟୁଳ ବା ସୂଚନା ଅଧିକାର କର୍ମୀଙ୍କ ଉପରେ ପ୍ରାଣଘାତୀ ଆକ୍ରମଣର ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବ, ଯାହା ଏବେ ଘଟୁଛି। ସେହି ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟଙ୍କ ଏ ସଦ୍ୟତମ ରାୟ ସୂଚନା ଅଧିକାରର ପରିସରକୁ ଅଧିକ ପ୍ରଶସ୍ତ କରିବା ସହ ଏହି ଅଧିକାରକୁ ଦୃଢ଼ତା ପ୍ରଦାନ କରିଛି।

ବନ୍ଦ ଆଲମିରାର କବାଟ ଖୋଲା ହେବା ଆରମ୍ଭ ହୋଇଯାଇଛି। ସମୟ କ୍ରମେ ଏହା ଯଦି ସ˚ପୂର୍ଣ୍ଣ ରୂପେ ଖୋଲିଯାଏ, ତେବେ ତା ଭିତରେ କଙ୍କାଳ ଲୁଚାଇ ରଖିବାର ସୁଯୋଗ ଓ ସମ୍ଭାବନା ଲୋପ ପାଇଯିବ।

ସମ୍ବନ୍ଧିତ ଖବର