ମେଲା କବାଟ

ଜଳବାୟୁ ପରିବର୍ତ୍ତନ ପ୍ରତି ହୁସିଆର ରହିବା ପାଇଁ ପୃଥିବୀ ବ୍ୟାପୀ ସଚେତନତା ସୃଷ୍ଟିରେ ତାଙ୍କର ଅଗ୍ରଣୀ ଭୂମିକା ଯୋଗୁଁ ୨୦୦୭ରେ ନୋବେଲ୍‌ ଶାନ୍ତି ପୁରସ୍କାର ଲାଭ କରିଥିବା ଭୂତପୂର୍ବ ଆମେରିକୀୟ ଉପ-ରାଷ୍ଟ୍ରପତି ଆଲ୍‌ ଗୋର‌୍‌ ଏହି ସଚେତନତା ସୃଷ୍ଟି ପାଇଁ ଯେଉଁ କୌଶଳରେ ବିଶ୍ବାସ କରୁଥିଲେ ତାହା ହେଲା: ‘‘ଆମେ ଭୟ ସୃଷ୍ଟି କରିବା ଦରକାର।’’ ଆଲ୍‌ ଗୋର‌୍‌ଙ୍କ ଦ୍ବାରା ରଚିତ ସ˚ଳାପ ଭିତ୍ତିରେ ୨୦୦୬ରେ ନିର୍ମିତ ଓସ୍କାର ପୁରସ୍କାରପ୍ରାପ୍ତ ପ୍ରାମାଣିକ ଚଳଚ୍ଚିତ୍ର ‘ଆନ୍‌ ଇନ୍‌କନ୍‌ଭେନିଏଣ୍ଟ୍‌ ଟ୍ରୁଥ୍‌’ (ଏକ ଅପ୍ରିୟ ସତ୍ୟ) ଯଦି ତାଙ୍କର ଏହି କୌଶଳ ଅବଲମ୍ବନ କରିଥିବା ଭଳି ମନେ ହେଉଥିଲା, ତାଙ୍କ ପର ପିଢ଼ିର ଜଳବାୟୁ ପରିବର୍ତ୍ତନ ଆନ୍ଦୋଳନକାରୀମାନେ ଯେଉଁଭଳି ଏହି ଗୋର‌୍‌ କୌଶଳକୁ ଆହୁରି ବହୁଗୁଣ ଅଧିକ ଉତ୍ସାହର ସହିତ ପ୍ରୟୋଗ କରିବାକୁ ଆଗେଇ ଆସିଛନ୍ତି, ତାହା ଦେଖି ଆଲ୍‌ ଗୋର‌୍‌ ବେଶ୍‌ ହୃଷ୍ଟ ହେଉଥିବେ।
ବିଶ୍ବବ୍ୟାପୀ ଚହଳ ସୃଷ୍ଟି କରିଥିବା ଷୋଡ଼ଶୀ ଆନ୍ଦୋଳନକାରିଣୀ ଗ୍ରେଟା ଥୁନ୍‌ବର୍ଗ ହୁଅନ୍ତୁ, କି ୪୭ ବର୍ଷୀୟା ଗେଲ୍‌ ବ୍ରାଡବ୍ରୁକ୍‌ ହୁଅନ୍ତୁ କି ୫୩ ବର୍ଷୀୟ ରଜର‌୍‌ ହାଲାମ୍‌ ହୁଅନ୍ତୁ, ଏମାନେ ସମସ୍ତେ ଜଳବାୟୁ ପରିବର୍ତ୍ତନ ବିପଦର ମୁକାବିଲା କରିବା ପାଇଁ ଯେଉଁ ସାଧାରଣ କୌଶଳ ବ୍ୟବହାର କରିବା ଦେଖାଯାଉଛି, ତାହା ହେଲା ଗୋର‌୍‌ଙ୍କର ଭୟ ସୃଷ୍ଟି କୌଶଳ। ଏହି କୌଶଳର ସଦ୍ୟତମ ପ୍ରୟୋଗ ଦେଖିବାକୁ ମିଳିଛି ହାଲାମ୍‌-ବ୍ରାଡ୍‌ବ୍ରୁକ୍‌ଙ୍କ ଦ୍ବାରା ପ୍ରତିଷ୍ଠିତ ଆନ୍ଦୋଳନ ‘ଏକ୍ସଟିଙ୍କ୍‌ସନ୍‌ ରିବେଲିଅନ୍‌’ (‘ବିଲୟ ବିଦ୍ରୋହ’) ଦ୍ବାରା ନଭେମ୍ବର ୧୮ ତାରିଖଠାରୁ ଭାରତ ସମେତ ପୃଥିବୀର ୨୬ଟି ଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନକାରୀଙ୍କର ସପ୍ତାହ ବ୍ୟାପୀ ଅନଶନ ଧର୍ମଘଟ।
ଆନ୍ଦୋଳନଟିର ନାମକରଣ ଯେ ଭୟ ଉଦ୍ରେକ ପାଇଁ ଯଥେଷ୍ଟ, ତାହା ଯେ କେହି ଅନୁଭବ କରୁଥିବ। ଆନ୍ଦୋଳନକାରୀମାନଙ୍କର କହିବା କଥା ଯେ ଏଥି ପୂର୍ବରୁ ପୃଥିବୀ ପୃଷ୍ଠରେ ପାଞ୍ଚଥର ଜୀବନର ବିଲୟ ଘଟିସାରିଛି ଏବ˚ ବର୍ତ୍ତମାନ ଏକ ଷଷ୍ଠ ବିଲୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଯାହା ମାନବ ଯୁଗ ବା ‘ଆନ୍ଥ୍ରୋପୋସିନ୍‌’ର ଅନ୍ତ ଘଟାଇବ। ସେମାନେ କହନ୍ତି ଏହି ବିଲୟ ପ୍ରକ୍ରିୟା କେନ୍ଦ୍ରରେ ରହିଛି ଜଳବାୟୁ ପରିବର୍ତ୍ତନ, ଯେଉଁଥିପାଇଁ ମନୁଷ୍ୟର କାର୍ଯ୍ୟକଳାପ ହିଁ ମୁଖ୍ୟତଃ ଦାୟୀ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟୁଥିବା ପୃଥିବୀର ତାପମାନ ବୃଦ୍ଧି ସୃଷ୍ଟି କରୁଥିବା ଖାଦ୍ୟାଭାବ ପ୍ରତି ବିଶ୍ବବ୍ୟାପୀ ଧୢାନ ଆକର୍ଷଣ କରିବା ହେଉଛି ବର୍ତ୍ତମାନ ଚାଲିଥିବା ଅନଶନ ଧର୍ମଘଟର ଲକ୍ଷ୍ୟ। ସରକାର ଓ ରାଜନେତାମାନେ ହେଉଛନ୍ତି ଏହି ଆନ୍ଦୋଳନର ନିଶାଣ। ସେମାନେ ଦାବି କରୁଛନ୍ତି ଯେ ବିଭିନ୍ନ ଦେଶର ସରକାରମାନେ ଏକ ‘ଜଳବାୟୁ ଜରୁରୀକାଳୀନ ଅବସ୍ଥା’ (କ୍ଲାଇମେଟ୍‌ ଏମର‌୍‌ଜେନ୍‌ସି) ଘୋଷଣା କରନ୍ତୁ; ୨୦୨୫ ମଧୢରେ ଜଳବାୟୁର କ୍ଷତି ସାଧନ କରୁଥିବା ସମସ୍ତ ପ୍ରକାର ନିର୍ଗମନକୁ ଶୂନ୍ୟରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ; ଏବ˚ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନାଗରିକ ସଭା ଗଠନ କରନ୍ତୁ। ଏହା ବିଭିନ୍ନ ପ୍ରଜାତିମାନଙ୍କୁ ବିଲୟରୁ ରକ୍ଷା କରିବ।
ବର୍ତ୍ତମାନ ଚଳାଇଥିବା ଏହି ଅନଶନ ଧର୍ମଘଟ ପୂର୍ବରୁ ପ୍ରାୟ ଏକ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ‘ଏକ୍ସଟିଙ୍କ୍‌ସନ୍‌ ରିବେଲିଅନ୍‌’ ଆନ୍ଦୋଳନ ଏଥିପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ ଅନୁସରଣ କରି ଅହି˚ସ ଅସହଯୋଗ ଆନ୍ଦୋଳନ ପନ୍ଥା ଅବଲମ୍ବନ କରି ନିଜର ଦାବି ଉପସ୍ଥାପନ କରିବା ପାଇଁ ଲଣ୍ତନ, ନ୍ୟୁୟର୍କ, ବର୍ଲିନ୍‌ ଆଦି ନଗରୀରେ ରାସ୍ତା, ପୋଲ ଆଦି ଅବରୋଧ କରି ସେଠାରେ ଜୀବନଯାତ୍ରା ଅଚଳ କରି ଦେବାରେ ସଫଳ ହୋଇଛି। ବିଗତ ବର୍ଷମାନଙ୍କରେ ଜଳବାୟୁ ପରିବର୍ତ୍ତନକୁ ନେଇ ଜନମାନସରେ ଉଭୟ ଭୟ ଓ କ୍ରୋଧ ଭାବ ଦାନା ବାନ୍ଧିବାକୁ ଆରମ୍ଭ କରିଥିଲେ ହେଁ ତାହା ବିକ୍ଷିପ୍ତ ଅବସ୍ଥାରେ ଅଛି ବୋଲି କୁହାଯାଇପାରେ। ‘ଏକ୍ସଟିଙ୍କ୍‌ସନ୍‌ ରିବେଲିଅନ୍‌’ ନିଜର ଏତାଦୃଶ ଚରମପନ୍ଥୀ କାର୍ଯ୍ୟମାନଙ୍କ ଦ୍ବାରା ପୃଥିବୀ ସାରା ଗଣମାଧୢମରେ ଶିରୋନାମା ମଣ୍ତନ କରିବାରେ ସଫଳ ହୋଇ ସେଇ ଭୟ ଓ କ୍ରୋଧକୁ କେନ୍ଦ୍ରୀଭୂତ କରିବାରେ ଯେ ସାହାଯ୍ୟ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ।
ଏହା ହୁଏତ ସରକାର ଓ ରାଜନେତାମାନଙ୍କ ଠାରେ ଏକ ଅଧିକ ତତ୍ପର ଭାବ ସୃଷ୍ଟି କରିପାରେ। କିନ୍ତୁ ଏଭଳି ଗୋର‌୍‌ ସୁଲଭ କୌଶଳର ଏକ ଅନ୍ତର୍ନିହିତ ଦୁର୍ବଳତା ରହିଛି, ଯାହା ଶେଷରେ ବିଫଳତା ଆଣିପାରେ। ଏ ଦୁର୍ବଳତାର ନାମ ହେଉଛି ‘ମିଛୁଆ ରାଧୁଆ’ (ଏସପ୍‌ କାହାଣୀର ‘ଦ ବଏ ହୁ କ୍ରାଏଡ୍‌ ଉଲ୍‌ଫ’)। ଜଳବାୟୁ ପରିବର୍ତ୍ତନ ଯେ ଏକ ଗୁରୁତର ବାସ୍ତବ ସମସ୍ୟା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କିନ୍ତୁ ଏହାର ସର୍ବାଧିକ ଭୟଙ୍କର ସମ୍ଭବ ପ୍ରଭାବକୁ ଏହାର ଏକମାତ୍ର ନିଶ୍ଚିତ ପ୍ରଭାବ ରୂପେ ବାରମ୍ବାର ପ୍ରଦର୍ଶିତ କରି ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଅନବରତ ଉଦ୍ୟମ କରି ଚାଲିଲେ, ତାହା ଶେଷରେ ଆନ୍ଦୋଳନକାରୀମାନଙ୍କର ବିଶ୍ବସନୀୟତାକୁ ଦୁର୍ବଳ କରିପାରେ। ଯେଉଁମାନେ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବା ସ୍ଥିତିରେ ଅଛନ୍ତି, ଆନ୍ଦୋଳନକାରୀଙ୍କର ଅତିରଞ୍ଜନ ସେମାନଙ୍କର ଏପରି ଦେହ ଘଷିଆ ହୋଇଯାଇ ପାରେ ଯେ ସେମାନେ ଏହାକୁ ରାଧୁଆର ମିଛ ‘ବାଘ ବାଘ’ ଡାକ ରୂପେ ହେୟ ଜ୍ଞାନ ପ୍ରଦର୍ଶନ କରିପାରନ୍ତି (ଡୋନାଲ୍‌ଡ ଟ୍ରମ୍ପ୍‌ ଏହାର ପ୍ରସିଦ୍ଧତମ ଉଦାହରଣ)।
ଯୁଦ୍ଧ ବିଗ୍ରହ, ଦାରିଦ୍ର୍ୟ, ଦୁର୍ଭିକ୍ଷ, ବନ୍ୟା, ମରୁଡ଼ିରୁ ସ୍ଥାନାନ୍ତର ଗମନ ପର୍ଯ୍ୟନ୍ତ ପାଇଁ ଗୋଟିଏ ମାତ୍ର କାରଣ- ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିବା ହେଉଛି ଏକ ବିଶୁଦ୍ଧ କ୍ଷୟବାଦୀ ଆଭିମୁଖ୍ୟ ଯାହା ସମସ୍ୟାର ଅନ୍ୟ ସମସ୍ତ କାରଣମାନଙ୍କର କ୍ଷୟ ଘଟାଇ ଘଟାଇ ଶେଷରେ ଗୋଟିଏ ମାତ୍ର କାରଣ ଉପରେ ସମସ୍ତ ଧୢାନ କେନ୍ଦ୍ରୀଭୂତ କରିଥାଏ। ଅଧିକା˚ଶ ଲୋକ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନ ଓ ଏହାର ବାସ୍ତବତାକୁ ସ୍ବୀକାର କରନ୍ତି। ସେମାନଙ୍କୁ ଆଉ ଅଧିକ ଡରାଇବା ନିରର୍ଥକ- କୋଠରିରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏକ ଖୋଲି ସାରିଥିବା କବାଟକୁ ଲାତ ମାରିବା ଭଳି।
ଅପରପକ୍ଷେ ଯେଉଁ ଶକ୍ତିକୁ ଆନ୍ଦୋଳନରେ ନିୟୋଜିତ କରାଯାଉଛି, ସେହି ଶକ୍ତିକୁ ଯଦି ଉତ୍ତାପ ବୃଦ୍ଧିକାରୀ ବାଷ୍ପ (ଜିଏଚ୍‌ଜି) ନିର୍ଗମନ ହ୍ରାସ କରିବା ପାଇଁ ପଦକ୍ଷେପ ନେବାରେ ନିୟୋଜିତ କରାଯାଆନ୍ତା, ତେବେ ସମସ୍ୟାର ସମାଧାନ ଦିଗରେ ବାସ୍ତବ ଅଗ୍ରଗତି ହାସଲ ହୋଇପାରନ୍ତା। ‘ଏକ୍ସଟିଙ୍କ୍‌ସନ୍‌ ରିବେଲିଅନ୍‌’ ଯେଉଁଭଳି ଚରମ ଲକ୍ଷ୍ୟ ଧାର୍ଯ୍ୟ କରୁଛି, ତାହା ବାସ୍ତବଧର୍ମୀ ନୁହଁ ଏବ˚ ସରକାର ଓ ନେତାମାନେ ଏହାକୁ ଗୁରୁତ୍ବର ସହ ନେବା ସମ୍ଭାବନା କମ୍‌। ଏଭଳି ଗୁରୁତ୍ବ ହ୍ରାସ ସମଗ୍ର ଜଳବାୟୁ ନିୟନ୍ତ୍ରଣ ଉଦ୍ୟମକୁ ଦୁର୍ବଳ କରିବା ସାର ହେବ।

ସମ୍ବନ୍ଧିତ ଖବର