ଦାୟୀ କିଏ?

୨୦୧୫ ମସିହାରେ ବିବିସିରେ ପ୍ରଦର୍ଶିତ ଲେସଲି ଉଡଵିନଙ୍କ ନିର୍ଦ୍ଦେଶିତ ବୃତ୍ତଚିତ୍ର ‘ଇଣ୍ତିଆସ୍‌ ଡଟର୍ସ’ ବା ‘ଭାରତର କନ୍ୟା ଗଣ’ରେ ୨୦୧୨, ଡିସେମ୍ବର ୧୬ ତାରିଖ ରାତିରେ ଦିଲ୍ଲୀରେ ସଂଘଟିତ ଅତ୍ୟନ୍ତ ଲୋମହର୍ଷଣକାରୀ ନିର୍ଭୟା ଗଣ ଦୁଷ୍କର୍ମ ଏବ˚ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସି˚ହର ଯେଉଁ ମନ୍ତବ୍ୟଟି ଶୁଣିବାକୁ ମିଳିଥାଏ, ତାହା ହେଉଛି, ‘ସେହି ରାତିରେ ବସ୍‌ରେ ଯୁବତୀଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଯେଉଁ ଅନ୍ତରଙ୍ଗତା ପ୍ରଦର୍ଶନ କରିଥିଲେ, ତାହା ଥିଲା ନାରୀ ମର୍ଯ୍ୟାଦାର ସୀମା ଲ˚ଘନକାରୀ।’ ଏହି ଉକ୍ତି ଜରିଆରେ ମୁକେଶ ସି˚ହ ଇଙ୍ଗିତ କରିଥିଲା ଯେ ସେହି ଦୁଷ୍କର୍ମ ସକାଶେ ପ୍ରକାରାନ୍ତରେ ପୀଡ଼ିତା ହିଁ ଇନ୍ଧନ ଯୋଗାଇଥିଲେ। କେବଳ ସେତିକି ନୁହେଁ, ସେହି ବୃତ୍ତଚିତ୍ରରେ ମୁକେଶ ସି˚ହର ଓକିଲ ମନୋହର ଲାଲ ଶର୍ମା ଆହୁରି କିଛି ପାଦ ଆଗେଇ ଯାଇ କହିଥିଲେ ଯେ ଯଦି ତାଙ୍କ ଝିଅ ଏଭଳି କିଛି କରୁଥିବାର ଖବର ତାଙ୍କୁ ମିଳେ, ତେବେ ସେ ତାକୁ ଜିଅନ୍ତା ଜାଳିଦେବାକୁ କୁଣ୍ଠାବୋଧ କରିବେ ନାହିଁ। କେବଳ ସେତିକି ନୁହେଁ; ଯେତେବେଳେ ବର୍ବରତାର ସମସ୍ତ ସୀମା ଲ˚ଘନ କରିଥିବା ନିର୍ଭୟା ଘଟଣାର ‘ସିସ୍‌ମିକ୍‌’ କ˚ପନ ଦିଲ୍ଲୀ ସରହଦ ଅତିକ୍ରମକରି ସାରା ଭାରତ ଭୂଖଣ୍ତକୁ ଥରାଇ ଦେଉଥିଲା, ସେତିକି ବେଳେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ କହିଥିଲେ ଯେ ଜଣେ ଯୁବତୀ ସକାଶେ ବିଳମ୍ବିତ ରାତ୍ରିରେ ବାହାରେ ରହିବା ଉଚିତ ନୁହେଁ। ଶୀଲା ଦୀକ୍ଷିତଙ୍କ ପରଲୋକ ହେଲା ୨୦୧୯ ମସିହା ଜୁଲାଇ ମାସରେ। ମୃତ୍ୟୁର ଦେଢ଼ ମାସ ପୁର୍ବରୁ ଗଣମାଧୢମରେ ପ୍ରକାଶିତ ଏକ ସାକ୍ଷାତକାରରେ ସେ ଯାହା କହିଥିଲେ ତାର ସାରା˚ଶ ହେଲା – ଅନେକ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ନିର୍ଭୟା ଘଟଣାକୁ ଗଣମାଧୢମ ଅନାବଶ୍ୟକ ଭାବେ ବିସ୍ଫାରିତ କରି ପକାଇଥିଲେ।

ତେବେ ସାତ ବର୍ଷ ତଳର ଘଟଣା ସହିତ ସ˚ପୃକ୍ତ ଏ ସବୁ କଥା ଆଜି ସ୍ମରଣକୁ ଆସୁଛି କାହିଁକି? କାରଣ, ଗଲା ଶୁକ୍ରବାର ରାତିରେ ହାଇଦ୍ରାବାଦରେ ଘଟିଯାଇଥିବା ଅତ୍ୟନ୍ତ ମର୍ମନ୍ତୁଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ପରିପ୍ରେକ୍ଷୀରେ ତେଲେଙ୍ଗାନାର ଗୃହ ମନ୍ତ୍ରୀ ମହମ୍ମଦ ମେହମୁଦ ଅଲ୍ଲୀ କହିଛନ୍ତି ଯେ ଶିକ୍ଷିତା ହୋଇଥିବା ସତ୍ତ୍ବେ ସେହି ବେଳାରେ ପୀଡ଼ିତା ପୁଲିସକୁ ଫୋନ୍‌ ନ କରି ଘରକୁ ଫୋନ୍‌ କରୁଥିଲେ କେମିତି? ଏବଂ ଆମର ବିଡ଼ମ୍ବନାଟି ରହିଛି ଏଇଠି। ତାହା ହେଲା, ଅତ୍ୟନ୍ତ କରୁଣ ଓ ସ୍ପର୍ଶକାତର ଏଭଳି ଘଟଣାଗୁଡ଼ିକରେ ସ˚ପୃକ୍ତ ଅପରାଧୀ ଓ ଅଭିଯୁକ୍ତମାନଙ୍କ ଠାରୁ ଆରମ୍ଭ କରି ଶାସନ ଓ ପ୍ରଶାସନର ଉଚ୍ଚତମ ସ୍ତରରେ ଆସୀନ ଅନେକଙ୍କ ମୁହଁରୁ ଯାହା ଶୁଣିବାକୁ ମିଳିଥାଏ, ତାର ମୋଟାମୋଟି ଅର୍ଥ ହେଲା-ଏ ସବୁ ଘଟଣା ଲାଗି ସର୍ବପ୍ରଥମେ ଯିଏ ଦାୟୀ, ସେ ହେଉଛନ୍ତି ପୀଡ଼ିତା ନିଜେ; ତାଙ୍କ ପରେ ଆଉ ଯିଏ ବା ଯାହା!

ହାଇଦ୍ରାବାଦର ହାଇ-େଵ ଉପରେ ଭେଟରିନାରି ଡାକ୍ତରାଣୀଙ୍କ ଉପରେ ଅକଥନୀୟ ଅମାନୁଷିକତାର ଝଡ଼ ବହିଯିବା ଏବ˚ ତା’ ପୂର୍ବରୁ ଗଭୀର ସୈତାନୀ ନିରବତାର କେଇ କ୍ଷଣ ଭିତରେ ଏକ ଷଡ୍‌ଯନ୍ତ୍ର ରଚିତ ହେବା ଓ ତାକୁ ସଫଳତାର ସହିତ ରୂପ ଦିଆଯିବା କେବଳ ମାତ୍ର ଏକ ସ˚ଯୋଗ ନୁହେଁ। ଏହା ପଛରେ ଦିଶୁଛି ଅପରାଧୀମାନଙ୍କ ସଂପୂର୍ଣ୍ଣ ଭୟଶୂନ୍ୟ ଆଚରଣର ଏକ ନଗ୍ନ ନମୁନା। ପୀଡ଼ିତା ଜଣକ ଯେଉଁ ଦୁଇ ଚକିଆରେ ଆସୁଥିଲେ, ତା’ ଚକାରୁ ପବନ ବାହାର କରିଦେବା, ତା’ପରେ ଅଯାଚିତ ଭାବେ ସାହାଯ୍ୟର ହାତ ବଢ଼ାଇ ଜବରଦସ୍ତ ଗାଡ଼ିଟିକୁ ଏକ ଅଜଣା ଓ ରହସ୍ୟମୟ ମରାମତି ସ୍ଥାନକୁ ନେଇ ଯାଇ ପୀଡ଼ିତାଙ୍କୁ ରାସ୍ତା ଉପରେ ଅସହାୟ ଭାବେ ବାହନ-ରିକ୍ତ କରିଦେବା ଓ ତା’ ପରେ ତାଙ୍କୁ ସଡ଼କ ଠାରୁ ମାତ୍ର ୧୫ ମିଟର ଦୂରସ୍ଥ ବିଜନ ଓ ବହଳ ଅନ୍ଧକାରଭରା ସ୍ଥାନକୁ ଭିଡ଼ି ନେଇ ଗଣ ଦୁଷ୍କର୍ମ କରି ନିଆଁ ଲଗାଇ ହତ୍ୟା କରିବା ଭଳି ଯେଉଁ ନରକୀୟ ଘଟଣାକ୍ରମର ବିବରଣୀ ପ୍ରକାଶ୍ୟ ହୋଇଛି, ସେଥିରୁ କେବଳ ଏହି ଭୟଶୂନ୍ୟତା ହିଁ ସାବ୍ୟସ୍ତ ହୋଇିଥାଏ। ପୁଣି ସେହି ସ୍ଥାନଟି ଥିଲା ଏକ ‘ଟୋଲ୍‌ ଗେଟ୍‌ ପ୍ଲାଜା’ର ସନ୍ନିକଟ ଯାହା ନିଶ୍ଚୟ ସେହି ସମୟରେ ଅର୍ଥାତ୍‌ ରାତି ପ୍ରାୟ ନଅଟାରେ ଚଳଚଞ୍ଚଳ ଥିବ! (ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତମାନଙ୍କୁ ଟୋଲ ଗେଟ୍‌ ଠାରେ ଲାଗିଥିବା ସିସି କ୍ୟାମେରା ଯୋଗେ ଧରାଯିବା ସମ୍ଭବ ହୋଇଛି) ସୁତରା˚, ଏ ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ଉଠୁଥିବା ପ୍ରଶ୍ନଟି ହେଲା, ଅପରାଧୀମାନେ ଏଭଳି ଦୁର୍ବାର ସାହସ ପାଇଲେ କେମିତି?

ଏହାର ଉତ୍ତର ହେଉଛି ଦୁଷ୍କର୍ମ ପୀଡ଼ିତାମାନଙ୍କ ପ୍ରତି ଏହି ସ୍ତମ୍ଭର ପ୍ରାରମ୍ଭରେ ବର୍ଣ୍ଣନା କରାଯାଇଥିବା ଭଳି ପୁରୁଷ ଓ ମହିଳା ନିର୍ବିଶେଷରେ ପ୍ରଦର୍ଶନ କରାଯାଉଥିବା ଆଭିମୁଖ୍ୟ ବା ପୋଷଣ କରାଯାଉଥିବା ପୂର୍ବାଗ୍ରହ। ଏହାର ପ୍ରତିଫଳନ ଲୌକିକ ସ୍ତରରୁ ଆରମ୍ଭ କରି ପୁଲିସ କର୍ମଚାରୀ ଓ ଅଧିକାରୀ, ଓକିଲ ଏପରିକି କେତେକ କ୍ଷେତ୍ରରେ ନ୍ୟାୟାଧୀଶଙ୍କ ପର୍ଯ୍ୟନ୍ତରେ ସମାଜର ସବୁ ବର୍ଗରେ ଦେଖିବାକୁ ମିଳୁଛି। ଏକ ବିଂଶ ଶତାବ୍ଦୀର ପ୍ରଥମ ପାଦ ପୂରଣ ହୋଇ ଆସୁଥିବା ବେଳେ ବି ଲିଙ୍ଗ ନିର୍ବିଶେଷରେ ଅସଂଖ୍ୟ ପୁରୁଷ ପ୍ରାଧାନ୍ୟବାଦର ଗ୍ରାହକ।

ଦ୍ବିତୀୟ କାରଣଟି ହେଉଛି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପୁଲିସର ବିଫଳତା। ‘ଜାତୀୟ ଅପରାଧ ପ˚ଜୀକରଣ ବ୍ୟୁରୋ’ ବା ‘ଏନ୍‌ସିଆର‌୍‌ବି’ର ତଥ୍ୟାନୁସାରେ ଆମ ଦେଶରେ ଦୁଷ୍କର୍ମ ମାମଲାରେ ପ୍ରତି ଚାରି ଜଣରେ ଜଣେ ମାତ୍ର ଦୋଷୀ ସାବ୍ୟସ୍ତ ହୋଇଥାଏ। ଏହା ସହିତ ରହିଛି ଦୀର୍ଘ କାଳ ଧରି ମାମଲାଗୁଡ଼ିକ ଅଦାଲତରେ ପଡ଼ି ରହୁଥିବାର ଦୁର୍ଭାଗ୍ୟ। ଏହି କାରଣରୁ ଅଦାଲତ ବାହାରେ କେତେ ଷଡ୍‌ଯନ୍ତ୍ର, ଧମକଚମକ, ମୂଲଚାଲ ଓ ସନ୍ଧି (କାଳ ବକ୍ଷରେ ତିକ୍ତ ସ୍ମୃତି ନିଷ୍ପ୍ରଭ ପଡ଼ିଯାଉଥିବାର ସୁଯୋଗ ନେଇ) ଇତ୍ୟାଦି ସ˚ପାଦିତ ହୋଇଯାଏ, ତାର ଇୟତ୍ତା ନାହିଁ। ଏପରିକି ଦୁଷ୍କର୍ମ ପୀଡ଼ିତାଙ୍କୁ ଅପକର୍ମକାରୀ ସହ ବିବାହ କରାଇ ଦେଇ ଅଦାଲତରୁ ମାମଲାକୁ ଉଠାଇ ନେବାର ଦୃଷ୍ଟାନ୍ତ ମଧୢ ଦେଖିବାକୁ ମିଳିଛି।

୨୦୧୨ର ନିର୍ଭୟା ଘଟଣା ପରେ ଆମ ଦେଶରେ ଦୁଷ୍କର୍ମକାରୀଙ୍କ ଲାଗି ଅତି କଠୋର ଦଣ୍ତର ବ୍ୟବସ୍ଥା କରାଯାଇଛି। ଦୁଷ୍କର୍ମ ଓ ହତ୍ୟା ଲାଗି ମୃତ୍ୟୁ ଦଣ୍ତର ପ୍ରାବଧାନ କରାଯାଇଛି। କିନ୍ତୁ ତା’ ସତ୍ତ୍ବେ ‘ଏନ୍‌ସିଆରବି’ ତଥ୍ୟାନୁସାରେ ଦୁଷ୍କର୍ମ ଘଟଣାରେ ସାମନ୍ୟ ଅବନତି ପରିଲକ୍ଷିତ ହୋଇଛି, ଯାହା ଅ‌ଦୌ ଉତ୍ସାହଜନକ ନୁହେଁ। ପୁଣି କାଠୁଆ(ଗଣ ଦୁଷ୍କର୍ମ ଓ ହତ୍ୟା) ଓ ଉନ୍ନାଓ(ଦୁଷ୍କର୍ମ) ଭଳି ଘଟଣାରୁ ଏବେ ଏହା ଦେଖିବାକୁ ମିଳୁଛି ଯେ ଭୟ ସ˚ଚାର କରିବା ଲାଗି ଦୁଷ୍କର୍ମକୁ କିଛି ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ଆୟୁଧରେ ମଧୢ ପରିଣତ କରିପାରନ୍ତି।

ତେବେ, ଦୁଷ୍କର୍ମ ଭଳି ଅତ୍ୟନ୍ତ ଘୃଣ୍ୟ ଅପରାଧର ଧାରାରେ ବିରାମ ଲାଗିବ କିପରି? ସାମାଜିକ ସ୍ତରରେ ଦୁଷ୍କର୍ମ ବିରୋଧୀ ପ୍ରତିକ୍ରିୟାର ଅଗ୍ନି ସ୍ପୁଲିଙ୍ଗକୁ ତେଜୀୟାନ କରି ରଖିବାରେ ହିଁ ଏହା ସମ୍ଭବ। କେବଳ ନିର୍ଭୟା ବା ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ଘଟଣା ନୁହେଁ, ଦେଶର ଯେଉଁ ସବୁ ସ୍ଥାନରେ ବି ଏଭଳି ଘଟୁଛି ସବୁଠି ଘଟଣାଗୁଡ଼ିକୁ ଅପରିଚୟତାର ଅନ୍ଧାରରେ ହଜି ଯିବାକୁ ନ ଦେଇ ସ୍ଥାନୀୟ ଜନ ପ୍ରତିକ୍ରିୟାର ଆଧାରରେ ଏକ ବ୍ୟାପକ ପରିସରରେ ଜନମତ ଜାଗ୍ରତ କରାଯିବା ଆବଶ୍ୟକ। ତାହା ହେଲେ, ପୁଲିସ ଓ ପ୍ରଶାସନ ଉପରେ ଚାପ ସୃଷ୍ଟି ହେବ, ଯାହା ସେମାନଙ୍କୁ ଦକ୍ଷତା ପ୍ରଦର୍ଶନ ଲାଗି ବାଧ୍ୟ କରିବ। ସେହିଭଳି ଦ୍ରୁତ ବିଚାର ପ୍ରକ୍ରିୟାରେ ଦୋଷୀକୁ ଦଣ୍ତିତ କରାଯିବା ଜରୁରି।

୨୦୧୫ ମସିହାରେ ଏକ ନିର୍ଦ୍ଦଷ୍ଟ ଦୁଷ୍କର୍ମ ଘଟଣା ପରିପ୍ରେକ୍ଷୀରେ କର୍ଣ୍ଣାଟକ ବିଧାନସଭାରେ ତତ୍କାଳୀନ ଗୃହମନ୍ତ୍ରୀ କେ.ଜେ. ଜର୍ଜ ଏକ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇ କହିଥିଲେ- ‘ଏହା କ’ଣ ଗଣ ଦୁଷ୍କର୍ମ? ଏଥିରେ ତ ଦୁଇ ଜଣ ସ˚ପୃକ୍ତ। ଗଣ ଦୁଷ୍କର୍ମ ଲାଗି ଆବଶ୍ୟକ ଚାରି କି ପାଞ୍ଚ ଜଣଙ୍କ ସ˚ପୃକ୍ତି।’ ଏହି ଉଦାହରଣ ଦେବା ସହିତ ପରିଶେଷରେ ଆମେ ଯାହା କହିବାକୁ ଚାହୁଁ ତାହା ହେଲା ଏଭଳି ଯାବତୀୟ ଦାୟିତ୍ବହୀନ ଓ ସମ୍ବେଦନଶୂନ୍ୟ ମନ୍ତବ୍ୟ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ପଦପଦବି ଓ ପ୍ରଭାବ ନିର୍ବିଶେଷରେ ଦଣ୍ତିତ ଓ ବାସନ୍ଦ କରାଯାଉ।

ସମ୍ବନ୍ଧିତ ଖବର