ଅନିଶ୍ଚିତର ଡର
ମହାନ୍ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କିନ୍ସ ତାଙ୍କର ସର୍ବଶ୍ରେଷ୍ଠ ପୁସ୍ତକ ‘ଜେନେରାଲ୍ ଥିଓରି’ରେ ପ୍ରଦାନ କରିଥିବା ବିଭିନ୍ନ ଯୁଗାନ୍ତକାରୀ ତତ୍ତ୍ବମାନଙ୍କ ମଧୢରୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେଉଛି ଦୁଇଟି ଏକା ପରି ମନେ ହେଉଥିବା ଧାରଣା ମଧୢରେ ଥିବା ଏକ ମୌଳିକ ପ୍ରଭେଦ: କ୍ଷତିର ଭୟ (ରିସ୍କ୍) ଏବ˚ ଅନିଶ୍ଚିତତା। ଏମାନଙ୍କ ମଧୢରେ ଥିବା ପ୍ରେଭଦଟି ହେଲା ପ୍ରଥମଟିର ପରିମାଣ ନିର୍ଦ୍ଧାରଣ କରାଯାଇ ପାରିବ; କିନ୍ତୁ ଦ୍ବିତୀୟଟିର ପରିମାଣ ବା ଆକାର କିଭଳି ହେବ ତାହା ପୂର୍ବରୁ ଠଉରାଇ ହେବ ନାହିଁ। ଏକ ଅର୍ଥନୀତିରେ ଉଦ୍ୟୋଗୀ ଏବ˚ ନିବେଶକମାନେ ରିସ୍କ ନେବାକୁ ସେତିକି ପଛଘୁଞ୍ଚା ଦିଅନ୍ତି ନାହିଁ, ଯେତିକି ଅନିଶ୍ଚିତତାର ସମ୍ମୁଖୀନ ହେବାକୁ ପଛଘୁଞ୍ଚା ଦେଇଥାନ୍ତି। ଯେତେବେଳେ ସେମାନଙ୍କୁ ଅନିଶ୍ଚିତତାର ଭୟ ଗ୍ରାସ କରିଥାଏ, ସେତେବେଳେ ସେଇ କିନ୍ସଙ୍କ ଭାଷାରେ ସେମାନଙ୍କର ‘ଜାନ୍ତବ ଉତ୍ସାହ’ ବା ‘ଆନିମଲ୍ ସ୍ପିରିଟ୍’ରେ ଭଟ୍ଟା ପଡ଼ିଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶ୍ବସ୍ତତମ ସହଯୋଗୀ ଅମିତ ଶାହ ଉଦ୍ୟୋଗୀମାନଙ୍କର ଏକ ସମାବେଶରେ ନିଜର ଅଭିଭାଷଣ ପ୍ରଦାନ କରିବା ଅବସରରେ ସେମାନଙ୍କ ମନରୁ ଯେଉଁ ଭୟ ଦୂର କରିବାକୁ ଚେଷ୍ଟା କରିବା ଦେଖାଯାଇଛି ତାହା ହେଉଛି ମୋଦୀ ସରକାର ସମୟରେ ଶିଳ୍ପବାଣିଜ୍ୟ ଜଗତ୍ରେ ସଞ୍ଚରି ଯାଇଥିବା ଏହି ଅନିଶ୍ଚିତତାର ଭୟ, ଯାହା ବିମୁଦ୍ରୀକରଣରୁ ଆରମ୍ଭ ହୋଇ ଏକ କଇଥିଆ ଜିଏସ୍ଟି ପ୍ରବର୍ତ୍ତନ ଦେଇ ନିକଟ ଅତୀତରେ ଦେଖା ଦେଇଥିବା ଟିକସ ଆତଙ୍କବାଦ ପର୍ଯ୍ୟନ୍ତ ପରିବ୍ୟାପ୍ତ।
ଏହି ବିପଦ୍ଜନକ ପରିବେଶର ଅବଧାରିତ ପରିଣତି ଆହୁରି ନିଶ୍ଚିତ ହୋଇଯାଇଥିଲା ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ସର୍ବପ୍ରଥମ ବଜେଟ୍ରେ ଅନେକଗୁଡ଼ିଏ ଉଦ୍ୟୋଗ ଓ ନିବେଶ ବିରୋଧୀ ପ୍ରସ୍ତାବମାନ ଉପସ୍ଥାପନ କରିବା ପରେ ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହୋଇ ଗୋଟିଏ ପରେ ଗୋଟିଏ ପ୍ରାୟ ଦଶଟି ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ବାଧୢ ହେଲେ- ଯାହା ଅନିଶ୍ଚିତତାକୁ ଆହୁରି ଗଭୀର କରି ତୋଳିଛି। ଏଥିରୁ ଯାହା ଫଳିବା କଥା ତାହା ଏବେ ଫଳିଛି: ବର୍ତ୍ତମାନ ପ୍ରକାଶିତ ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ (ଜିଡିପି)ରେ ଅଭିବୃଦ୍ଧି ହାର ଖସି ଖସି ଯାଇ ପହଞ୍ଚିଛି ୪.୫ ଶତା˚ଶରେ ଯାହା ବିଗତ ଛ’ବର୍ଷରୁ ଅଧିକ କାଳ ମଧୢରେ ଅର୍ଥାତ୍ ମୋଦୀ ସରକାର ସମୟରେ ହେଉଛି ସର୍ବନିମ୍ନ।
ମୋଦୀ ମତଦାତାମାନଙ୍କୁ ଚମକାଇବା ପାଇଁ କେତେବେଳେ କ’ଣ କରି ବସିବେ, ନିବେଶକ ଏବ˚ ଉଦ୍ୟୋଗୀମାନେ ସେ ନେଇ ଅନିଶ୍ଚିତ ଏବ˚ ଆତଙ୍କିତ ଥିବାରୁ ଅର୍ଥନୀତିକୁ ଆଗେଇ ନେବାକୁ କୌଣସି ଉତ୍ସାହ ପ୍ରଦର୍ଶନ କରୁନାହାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସି˚ହ ନିଜର ଲେଖା ଓ ଭାଷଣ ମାଧୢମରେ ଦେଶରେ ଦେଖା ଦେଇଥିବା ଯେଉଁ ଭୟର ବାତାବରଣ ବିଷୟରେ ସମସ୍ତଙ୍କୁ ସଚେତନ କରିବାରେ ଲାଗିଛନ୍ତି, ସେଥିରୁ ବାହାରୁଥିବା ରାଜନୈତିକ ଗନ୍ଧ ଭେଦ କରି ଶୁଙ୍ଘିଲେ ଯାହା ନାକରେ ବାଜିଥାଏ ତାହା ହେଉଛି ଏହି ଅନିଶ୍ଚିତତାର ଭୟ। ଶାହ ଶିଳ୍ପ ବାଣିଜ୍ୟ ଜଗତ୍କୁ ଆଶ୍ବସ୍ତ କରିବାକୁ ଯାହା କହିଛନ୍ତି, ତାହା ବସ୍ତୁତଃ ହେଉଛି ତାଙ୍କ ସରକାର ଯାହାସବୁ ଚମକ ସୃଷ୍ଟିକାରୀ ପଦକ୍ଷେପ ନେବା କଥା ନେଇ ସାରିଛି; ଆଗକୁ ଆଉ କୌଣସି ଅପ୍ରତ୍ୟାଶିତ ଘୋଷଣା କରିବାକୁ ଯାଉନାହିଁ। ଅର୍ଥନୀତିକୁ ମାନ୍ଦା ଅବସ୍ଥାରୁ ଉଦ୍ଧାର କରିବା ପାଇଁ ସେ ଶିଳ୍ପ ଉଦ୍ୟୋଗ ଜଗତ୍ର କର୍ଣ୍ଣଧାରମାନଙ୍କର ଆନ୍ତରିକ ସହଯୋଗ କାମନା କରୁଛନ୍ତି।
ବର୍ତ୍ତମାନର ଏହି ମାନ୍ଦାବସ୍ଥା ପ୍ରକାଶିତ ପରିସ˚ଖ୍ୟାନ ଅନୁସାରେ କୌଣସି ଗୋଟିଏ କି ଦୁଇଟି କ୍ଷେତ୍ର ମଧୢରେ ମଧୢ ସୀମିତ ନୁହେଁ। ଶିଳ୍ପ, କୃଷି, ନିର୍ମାଣ, ସେବା ପ୍ରଦାନ- ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାରରେ ସ୍ଖଳନ ଘଟି ଚାଲିଛି। କେତେକଙ୍କ ମତରେ ପୃଥିବୀ ବ୍ୟାପୀ ଦେଖା ଦେଇଥିବା ମାନ୍ଦା ଅବସ୍ଥା ଭାରତୀୟ ଅର୍ଥନୀତିରେ ମଧୢ ଏବେ ପ୍ରତିଫଳିତ ହେଉଛି। ଏହା କେତେକା˚ଶରେ ସତ; କିନ୍ତୁ ନିକଟ ଅତୀତର ଇତିହାସକୁ ଦେଖିଲେ ଦେଖାଯାଇଥାଏ ଅନ୍ତତଃ ଦୁଇଥର ଭାରତୀୟ ଅର୍ଥନୀତି ଆନ୍ତର୍ଜାତିକ ସ˚କ୍ରମଣରୁ ନିଜକୁ ସୁରକ୍ଷିତ ରଖି ପାରିଥିଲା। ୧୯୯୭-୯୮ରେ ଯେତେବେଳେ ଏସିଆର ଅନ୍ୟ ସମସ୍ତ ଦେଶ ଏକ ମୁଦ୍ରା ସଙ୍କଟ ଜନିତ ଅର୍ଥନୈତିକ ମାନ୍ଦାବସ୍ଥାର ଶିକାର ହୋଇଥିଲେ, ଭାରତକୁ ସେତେବେଳେ ତାହା ଛୁଇଁ ପାରିନଥିଲା; ୨୦୦୭-୦୮ର ମହାବିତ୍ତୀୟ ସଙ୍କଟ ମଧୢ ସେଇଭଳି ଭାରତୀୟ ଅର୍ଥନୀତିର ବିଶେଷ କ୍ଷତି ଘଟାଇ ପାରିନଥିଲା। ଅପେକ୍ଷାକୃତ ବିଶାଳ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି ଯେ ଏଥିରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା, ଏଥିରେ ବିଜ୍ଞ ପର୍ଯ୍ୟବେକ୍ଷକମାନେ ଏକମତ ହୋଇଥାନ୍ତି।
ବର୍ତ୍ତମାନର ସରକାରଙ୍କ ପାଇଁ ବର୍ତ୍ତମାନର ମାନ୍ଦାବସ୍ଥାରୁ ମୁକୁଳିବାର ଏକମାତ୍ର ରାସ୍ତା ହେଉଛି ଭାରତୀୟ ଅର୍ଥନୀତିର ସେଇ ଅନ୍ତର୍ନିହିତ ଶକ୍ତି ଉପରେ ବିଶ୍ବାସ ରଖିବା ଏବ˚ ସେ ବିଶ୍ବାସକୁ ମଜଭୁତ କରିବା ପାଇଁ ଆବଶ୍ୟକ ପଦକ୍ଷେପମାନ ନେବା; ତଥା ବିଶ୍ବାସକୁ କ୍ଷୁଣ୍ଣ କରିବା ପାଇଁ କୌଣସି ପଦକ୍ଷେପ ନ ନେବା। ଶିଳ୍ପୋଦ୍ୟୋଗୀମାନଙ୍କର ପ୍ରକୃତ ଅଭିଯୋଗମାନଙ୍କୁ ଶତ୍ରୁତାମୂଳକ ଦୃଷ୍ଟିରେ ନ ଦେଖି ସେମାନଙ୍କର ବାସ୍ତବ ଆବଶ୍ୟକତା ଓ ଉପଦେଶ ପ୍ରତି ସମ୍ବେଦନଶୀଳ ଧୢାନ ଦେବା ହେଉଛି ସରକାରଙ୍କ ପାଇଁ ବର୍ତ୍ତମାନ ଏକ ମୁଖ୍ୟ ଆହ୍ବାନ। ଶାହ ଯେଉଁ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ, ସେଇଠି ପ୍ରମୁଖ ଶିଳ୍ପପତି ରାହୁଲ୍ ବଜାଜ୍ ଏହି ମର୍ମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କେବଳ ସେଠାରେ ଉପସ୍ଥିତ ସମସ୍ତଙ୍କ ମଧୢରେ ନୁହେଁ, ସମଗ୍ର ଶିଳ୍ପ ବାଣିଜ୍ୟ ତଥା ସରକାରୀ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଥଲେ।
ଏଥିରେ ସନ୍ଦେହ ନାହିଁ ଯେ ମୋଦୀ ସରକାର ଶିଳ୍ପ ବାଣିଜ୍ୟ ଅନୁକୂଳ କୌଣସି ପଦକ୍ଷେପ ନେଲେ ତାଙ୍କ ଉପରେ ‘ସୁଟ୍ ବୁଟ୍କୀ ସରକାର’ ଅଭିଯୋଗ ଲଗାଇବାକୁ ରାହୁଲ ଗାନ୍ଧୀଙ୍କ ପରି ନେତାମାନେ ଛକି ବସିଛନ୍ତି। ସେମାନଙ୍କର ସଫଳ ମୁକାବିଲା କରିବା ହିଁ ହେବ ମୋଦୀ-ଶାହ ଯୋଡ଼ିଙ୍କର ରାଜନୈତିକ ବିଚକ୍ଷଣତାର ପ୍ରମାଣ।