ଶିର ଓ ଶିରସ୍ତ୍ରାଣ

ଗଲା ରବିବାର ଦିନ ସାମାଜିକ ଗଣମାଧୢମରେ ଭାଇରାଲ ହୋଇଥିବା ଗୋଟିଏ କୌତୂହଳପ୍ରଦ ଭିଡିଓରେ ଦେଖିବାକୁ ମିଳିଥିଲା କିଭଳି ହେଲମେଟ୍‌ ପିନ୍ଧି ନ ଥିବା ଜଣେ ଦୁଇ ଚକିଆ ଆରୋହିଣୀ ଧରାପଡ଼ିବା ପରେ ହେଲମେଟ୍‌ ନ ପିନ୍ଧିବା ଜିଦିରେ ଅଡ଼ି ବସିଥିଲେ। ସେହି ସମୟରେ ତାଙ୍କର ଉତ୍‌କ୍ଷିପ୍ତ ପ୍ରତିକ୍ରିୟାରେ ନିହିତ ଥିବା ଦୁଇଟି ବିନ୍ଦୁ ପ୍ରଣିଧାନଯୋଗ୍ୟ। ତହିଁରୁ ଗୋଟିଏ ହେଲା, ‘ମୋ ଇଚ୍ଛା ମୁଁ ହେଲମେଟ୍‌ ପିନ୍ଧିବି ନାହିଁ।’ (ସେ କହିଥିଲେ ହେଲମେଟ୍‌ ପିନ୍ଧି ନ ଥିବା କାରଣରୁ ତାଙ୍କର ଯାହା କିଛି ବି ହେଲେ ତାଙ୍କ ପରିବାର ଲୋକେ ବୁଝିବେ, ପୁଲିସ୍‌ର ଯାଏ ଆସେ କେତେ? ହେଲମେଟ୍‌ ପିନ୍ଧୁଥିବା ଲୋକେ କ’ଣ ସଡ଼କ ଦୁର୍ଘଟଣାରେ ମରୁ ନାହାନ୍ତି?) ଦ୍ବିତୀୟଟି ଥିଲା, ‘ଲାଞ୍ଚ ଖାଇବା ଲାଗି ପୁଲିସ୍‌ ଏହା ସବୁ କରୁଛି।’ ଆଶା କରାଯାଏ, ମହିଳା ଜଣକ ଅପେକ୍ଷାକୃତ ଶୀତଳ ମସ୍ତିଷ୍କରେ ଥିଲେ ହୁଏ’ତ ଏ ବିଷୟରେ ଭିନ୍ନମତ ପୋଷଣ କରିଥାଆନ୍ତେ! ତେବେ, ଏ ପରିପ୍ରେକ୍ଷୀରେ ଚଳିତ ବର୍ଷ ଜାନୁଆରି ପହିଲା ପର ଠାରୁ ପୁଣେରେ ଦେଖିବାକୁ ମିଳିଥିବା ଏକ ଅଭୂତପୂର୍ବ ଜନ ଆନ୍ଦୋଳନ ବିଷୟ ସ୍ମରଣକୁ ଆସେ। ଦୁଇ ଚକିଆ ଦୁର୍ଘଟଣାଜନିତ ମୃତ୍ୟୁ ସ˚ଖ୍ୟା ମାତ୍ରାଧିକ ହୋଇଯିବା କାରଣରୁ ୨୦୧୯ ପ୍ରାରମ୍ଭରୁ ଯେତେବେଳେ ପୁଣେ ସହରରେ ହେଲମେଟ୍‌ ପିନ୍ଧିବାକୁ ବାଧୢତାମୂଳକ କରିଦିଆଗଲା, ସେତିକି ବେଳେ ତା ବିରୋଧରେ ଏକ ସ˚ଗଠନ ଗଢ଼ି ଉଠିଲା ଯାହାର ନାମ ‘ଆଣ୍ଟି ହେଲମେଟ୍‌ କ˚ପଲସନ୍‌ ଆକ୍‌ସନ କମିଟି’ ବା ସ˚କ୍ଷେପରେ ‘ଏଏଚ୍‌ସିଏସି’। ରାଜନେତା, ସାମାଜିକ କର୍ମୀ ଓ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପେସାଧାରୀ, ଶିକ୍ଷିତ ଓ ତଥାକଥିତ ସଚେତନ ବ୍ୟକ୍ତିବିଶେଷ ଏହି ସ˚ଗଠନର ସଦସ୍ୟ, ଯେଉଁମାନେ ସେମାନଙ୍କର ହେଲମେଟ୍‌ ଅନିଚ୍ଛୁକତା ସକାଶେ ଉପର ବର୍ଣ୍ଣିତ ମହିଳାଙ୍କ ଯୁକ୍ତି ସହିତ ସମତୁଲ ତର୍କ ଉପସ୍ଥାପନ କରନ୍ତି। ତେବେ, ହେଲମେଟ୍‌ ସପକ୍ଷବାଦୀମାନେ ଯେଉଁ ଗୋଟିଏ ଯୁକ୍ତି ଦ୍ବାରା ସଜ୍ଜିତ ହୋଇ ତର୍କ ରଣାଙ୍ଗନକୁ ଓହ୍ଲାନ୍ତି, ତାହା ହେଲା ଦୁର୍ଘଟଣା ସମୟରେ ଦୁଇ ଚକିଆ ଆରୋହୀଙ୍କ ଜୀବନ ହାନି ମୁଖ୍ୟତଃ ମସ୍ତକ ଆଘାତଜନିତ କାରଣରୁ ହେଉଥିବାରୁ, ହେଲମେଟ୍‌ ପିନ୍ଧିଲେ ଏଥିରୁ ରକ୍ଷା ପାଇବାର ସମ୍ଭାବନା ବିଶେଷ ବୃଦ୍ଧି ପାଇଥାଏ।
ଏହି ସ˚ଦର୍ଭରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ କହେ ଯେ ୨୦୧୭ରେ ଆମ ଦେଶରେ ୩୬,୦୦୦ ଜୀବନ କେବଳ ହେଲମେଟ୍‌ ପିନ୍ଧି ନ ଥିବା କାରଣରୁ ଯାଇଥିଲା, ଅର୍ଥାତ୍‌ ଦୈନିକ ପ୍ରାୟ ଶହେଟି ମୃତ୍ୟୁ। ଏଭଳି ମୃତ୍ୟୁ ସ˚ପର୍କରେ ଚେତେଇ ଦେବା ସହିତ ସବୁ ଦେଶ ଏ ଦିଗରେ ନିୟମ ପ୍ରଣୟନ କରିବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ପକ୍ଷରୁ ଏକ ଚବିଶ ପୃଷ୍ଠିଆ ପୁସ୍ତିକା ୨୦୦୬ ମସିହାରେ ପ୍ରକାଶ ପାଇଥିଲା। ସେହି ପୁସ୍ତିକାରେ ହେଲମେଟ୍‌ ପିନ୍ଧିବାର ଆବଶ୍ୟକତା ତଥା ଏହାର ମାନ କେଉଁଭଳି ହେବା ଜରୁରି, ସେ ବିଷୟରେ ସଚିତ୍ର ବର୍ଣ୍ଣନା ରହିଛି। ଉଲ୍ଲେଖନୀୟ ଯେ ଏବେ ପୃଥିବୀର ପ୍ରାୟ ସବୁ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ହେଲମେଟ୍‌ ପିନ୍ଧିବା ହେଉଛି ବାଧୢତାମୂଳକ।
ମନୁଷ୍ୟ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମସ୍ତକର ଅଭ୍ୟନ୍ତରସ୍ଥ ଅ˚ଶକୁ ସୁରକ୍ଷା ଦେବା ଲାଗି ପ୍ରକୃତି ଏକ ଅତ୍ୟନ୍ତ ଟାଣୁଆ ଖପୁରୀର ବ୍ୟବସ୍ଥା କରିଥିବା ସତ୍ତ୍ବେ ସ୍ଥଳ ବିଶେଷରେ ଅତିରିକ୍ତ ସୁରକ୍ଷାର ଆବଶ୍ୟକତା କାରଣରୁ ପ୍ରାଚୀନ ମନୁଷ୍ୟ ଶିରସ୍ତ୍ରାଣ (ହେଲମେଟ୍‌)ର ଉଦ୍ଭାବନ କରିଥିବ। ଶିରସ୍ତ୍ରାଣର ଇତିହାସ ୨୩୦୦ ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ପଛକୁ ଲମ୍ବିଛି, ଯେତେବେଳେ ଯୁଦ୍ଧ ଭୂମିରେ ଏହା ସୁରକ୍ଷା କବଚ ଭାବେ ସୁମେରୀୟମାନଙ୍କ ଦ୍ବାରା ବ୍ୟବହୃତ ହେଉଥିଲା। ସେହି ସମୟରୁ ଆଜି ପର୍ଯ୍ୟନ୍ତ ଯୁଦ୍ଧ ଭୂମିରେ ସୈନିକମାନେ ହେଲମେଟ୍‌ର ବ୍ୟବହାର କରି ଆସୁଛନ୍ତି। ସେହି ଦୃଷ୍ଟିରୁ, ଅତ୍ୟନ୍ତ ଦ୍ରୁତ ଗତିରେ ଧାବମାନ ଯାନବାହନ ଦ୍ବାରା ସାନ୍ଦ୍ର ଆଜିର ସଡ଼କଗୁଡ଼ିକୁ ସମସ୍ତେ ‘ମରଣ ଯନ୍ତା’ ବୋଲି ଆଖ୍ୟା ଦେଉଥିବା ବେଳେ ଦୁଇ ଚକିଆ ଯାନର ଚାଳକମାନେ ଯୁଦ୍ଧ ଭୂଇଁରେ ଅବତୀର୍ଣ୍ଣ ହେବା ତୁଲ୍ୟ ଏକ ସ୍ଥିତିରେ ହେଲମେଟ୍‌ ପିନ୍ଧିବା ଯେ ଏକ ସର୍ବନିମ୍ନ ଆବଶ୍ୟକତା, ଏହା କହିବା ବାହୁଲ୍ୟ ମାତ୍ର!
ହେଲ୍‌ମେଟ୍‌ ବିପକ୍ଷବାଦୀମାନଙ୍କ ଏକ ପ୍ରିୟ ତର୍କ ହେଲା ଯେ ହେଲମେଟ୍‌ ପିନ୍ଧୁ ନ ଥିବା ବ୍ୟକ୍ତି ଅନ୍ୟ କାହାର କ୍ଷତି କରନ୍ତି ନାହିଁ। ଯଦି ଏହା ଦ୍ବାରା ତାଙ୍କର ମୃତ୍ୟୁ ହୁଏ, ତେବେ କ୍ଷତି ତାଙ୍କର ବା ତାଙ୍କ ପରିବାରର। ଏଥିରେ ରାଷ୍ଟ୍ର ବା ସରକାରଙ୍କ ହସ୍ତକ୍ଷେପ ଜରୁରୀ କି? ଏଠି ପ୍ରଶ୍ନ ଉଠେ କୌଣସି ଏକ ଆକସ୍ମିକ ମୃତ୍ୟୁ କ’ଣ ଏତେ ହାଲୁକା ବିଷୟ? ଏ ପରିପ୍ରେକ୍ଷୀରେ ପ୍ରସିଦ୍ଧ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ ଏକ ମର୍ମସ୍ପର୍ଶୀ କବିତା ମନେ ପଡ଼େ, ଯାହାର ଶୀର୍ଷକ ‘ଡାୟାମିଟର ଅଫ୍‌ ଏ ବୋମ୍ବ୍‌’ ବା ‘ଏକ ବୋମାର ବ୍ୟାସ’। କବିତାର ସାରା˚ଶ କିଛି ଏହିଭଳି: ବୋମାଟିର ବ୍ୟାସ ମାତ୍ର ତିରିଶ ସେଣ୍ଟିମିଟର ଓ ଏହାର ଧ୍ବ˚ସ ଲୀଳାର ପରିଧି ସାତ ମିଟର। ଚାରି ଜଣ ମୃତ, ଏଗାର ଆହତ ଓ ସହରର ବିଭିନ୍ନ ଡାକ୍ତରଖାନାରେ ବିକ୍ଷିପ୍ତ। ଯେଉଁ ମୃତ ମହିଳାଙ୍କୁ କବର ଦିଆଗଲା, ସେ ଆସିଥିଲେ ଶହେ କିଲୋମିଟର ଦୂରରୁ ଏବ˚ ତାଙ୍କ ପାଇଁ କେହି ଜଣେ କାନ୍ଦେ ସାଗରର ଆର ପଟେ; ତ ପ୍ରଭାବର ପରିଧି ବ୍ୟାପିଯାଏ! ଆଉ ଯେଉଁ ଛେଉଣ୍ତମାନଙ୍କ କ୍ରନ୍ଦନ ଶୁଭେ, ତାହା ଈଶ୍ବରଙ୍କୁ ଛୁଏଁ, ଏବେ ସେ ପ୍ରଭାବ ବଳୟର ପରିଧି ସୀମାହୀନ!
ଏହି କବିତାରେ ଯାହା କୁହାଯାଇଛି ତାହା ହେଲା କୌଣସି ଏକ ମୃତ୍ୟୁ ଏକ ସ୍ଥାନୀୟ ଓ ସାମାନ୍ୟ ଘଟଣାଟିଏ ମାତ୍ର ନୁହେଁ। ତାହା ସେହି ହତଭାଗ୍ୟ ବ୍ୟକ୍ତିଙ୍କ ସ˚ଲଗ୍ନତା ଓ ବିବିଧ ସ˚ପର୍କ ଆଧାରରେ ବିୟୋଗଜନିତ ବେଦନାକୁ ଅତ୍ୟନ୍ତ ବ୍ୟାପକ କରିପାରେ! ତେଣୁ ହେଲମେଟ୍‌ ତର୍କରେ ମୃତ୍ୟୁ ସ˚ପର୍କରେ ଦିଆଯାଉଥିବା ହାଲୁକା ମନ୍ତବ୍ୟ ଦୁର୍ଘଟଣାରେ ଅକସ୍ମାତ୍‌ କୌଣସି ଆତ୍ମୀୟଙ୍କୁ ହରାଇଥିବା ପରିବାର ସଦସ୍ୟଙ୍କ ବେଦନା ଓ ହୃଦୟଦାହ ଆଗରେ ଅତ୍ୟନ୍ତ ନିଷ୍ପ୍ରଭ ଲାଗେ। ପୁଣି ଦୁର୍ଘଟଣାରେ ପୀଡ଼ିତ ବା ପୀଡ଼ିତଙ୍କ ପରିବାରର କ୍ଷତିକୁ ଅତିକ୍ରମ କରି ଆଉ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଦୁର୍ଘଟଣା ପରବର୍ତ୍ତୀ ରାସ୍ତା ରୋକ, ଜଳା ପୋଡ଼ା ଓ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରି ଦେଉଥିବା ଭଳି ଅ‌େଘଟଣ, ଯାହା ରାଷ୍ଟ୍ର ଲାଗି ବିଶାଳ ଆର୍ଥିକ ତଥା ଶୃଙ୍ଖଳାଗତ କ୍ଷତିର କାରଣ ମଧ୍ୟ ହୋଇଥାଏ।
ଏବେ ହେଲମେଟ୍‌ ଧରିବା ନାମରେ ଲାଞ୍ଚ କାରବାର ହେଉଥିବାର ଅଭିଯୋଗ ପ୍ରସଙ୍ଗକୁ ଯିବା। ଏହା ଭିତରକୁ ଟିକିଏ ଗହୀରେଇ ଦେଖିଲେ ଯାହା ଆଖିରେ ପଡେ଼, ତାହା ହେଲା ହେଲମେଟ୍‌ ପିନ୍ଧି ନ ଥିବା କାରଣରୁ ଧରା ପଡ଼ିଗଲା ପରେ ସ୍ବାଭାବିକ ଭାବେ ଅର୍ଜନ କରିଥିବା ଦଣ୍ତରୁ ନିଷ୍କୃତି ପାଇବା ଲାଗି ଗଳା ବାଟଟିଏ ଖୋଲିବାକୁ ଚେଷ୍ଟା କଲା ବେଳେ ଲାଞ୍ଚ ଦେବା ପ୍ରକରଣର ସୂତ୍ରପାତ ହୋଇଥାଏ। ତେଣୁ ଲାଞ୍ଚର ସୂତ୍ରଧର କିଏ ତାହା ବିଚାର୍ଯ୍ୟ। ତଥାପି ଯଦି ପୁଲିସ୍‌କୁ ଲାଞ୍ଚର ଅପଦେବତା ବୋଲି ଆଖ୍ୟା ଦେବାକୁ ଆମେ ବଦ୍ଧପରିକର, ତେବେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମ ଭଳି ନିୟମ ଖିଲାପକାରୀମାନେ ଜଣେ ଜଣେ ପାର୍ଶ୍ବ ଦେବତା।
ପରିଶେଷରେ ଜର୍ଜ ବର୍ନାର୍ଡ ଶ’ଙ୍କ ଏକ ଉକ୍ତିରେ ଲେଖାର ଉପସ˚ହାର କରିବା। ବର୍ନାର୍ଡ ଶ’ଙ୍କ ରଚିତ ପ୍ରସିଦ୍ଧ ନାଟକ ‘ମ୍ୟାନ ଏଣ୍ତ ସୁପର ମ୍ୟାନ୍‌’ ଯେତେବେଳେ ଇ˚ଲଣ୍ତରେ ସରକାରଙ୍କ ଦ୍ବାରା ସ୍କୁଲ୍‌ ପାଠ୍ୟକ୍ରମରେ ବାଧୢତାମୂଳକ ବିଷୟ ରୂପେ ଅନ୍ତର୍ଭୁକ୍ତ ହୋଇଗଲା, ସେ କହିଥିଲେ: ‘ଦୁର୍ଭାଗ୍ୟ, ଏବେ ଆଉ ସେ ବହିଟିକୁ କେହି ପଢ଼ିବେ ନାହିଁ।’ ଏଭଳି ବକ୍ତବ୍ୟରେ ନିହିତ ଥିବା ଅର୍ଥ ହେଉଛି ବାଧୢ କରାଯାଉଥିବା (ବିଶେଷ କରି ସରକାରଙ୍କ ଦ୍ବାରା) କୌଣସି ବିଷୟ ସହଜରେ ଗ୍ରହଣୀୟ ହୁଅନ୍ତି ନାହିଁ। ବୋଧହୁଏ, ହେଲମେଟ୍‌ ନିୟମ କ୍ଷେତ୍ରରେ ତାହା ହିଁ ଦେଖିବାକୁ ମିଳୁଛି। କିନ୍ତୁ ଗୋଟିଏ ରାଷ୍ଟ୍ର ତାର ନାଗରିକଙ୍କ ମଙ୍ଗଳ ଲାଗି ଡାକ୍ତରଖାନା ଓ ବିଦ୍ୟାଳୟମାନ ଖୋଲୁଛି, ଚିକିତ୍ସା ବୀମା ଇତ୍ୟାଦି ଯୋଗାଉଛି, ତେବେ ନାଗରିକଙ୍କ ମଙ୍ଗଳ ଲାଗି ସେମାନଙ୍କ ମସ୍ତକରେ ଶିରସ୍ତ୍ରାଣ ପିନ୍ଧାଇଲେ କ୍ଷତି କ’ଣ?

ସମ୍ବନ୍ଧିତ ଖବର