ସଭ୍ୟ-ଅସଭ୍ୟ

ନଭେମ୍ବର ୨୮ ତାରିଖ ସକାଳେ ହାଇଦ୍ରାବାଦ ନିକଟସ୍ଥ ସାଦନଗର ଠାରେ ଏକ ଶଙ୍ଖ (କଲଭର୍ଟ) ତଳେ ୨୫ ବର୍ଷୀୟା ଧର୍ଷିତା ପଶୁ ଡାକ୍ତରାଣୀଙ୍କର ଅର୍ଦ୍ଧଦଗ୍‌ଧ ଶରୀରର ଆବିଷ୍କାର ଦେଶସାରା ଯେଉଁ ଭଳି ଏକ ଆର୍ତ୍ତନାଦଭରା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ଡିସେମ୍ବର ୬ ତାରିଖ ସକାଳେ ଠିକ୍‌ ସେଇ ସ୍ଥାନରେ ସେଇ ବର୍ବର ପୈଶାଚିକ କାଣ୍ତ ଘଟାଇଥିବା ସନ୍ଦେହରେ ଗିରଫ ହୋଇଥିବା ସମସ୍ତ ଚାରି ଜଣଯାକ ଅଭିଯୁକ୍ତଙ୍କର ଯମପୁର ଗମନ ଖବର ଦେଶସାରା ଅନୁରୂପ ଚାଞ୍ଚଲ୍ୟ ଖେଳାଇ ଦେଇଛି। କେବଳ ଫରକ୍‌ ଏତିକି- ପ୍ରଥମ ଚାଞ୍ଚଲ୍ୟ ପଛରେ ସମସ୍ତ ଦେଶବାସୀଙ୍କର ଏକାପ୍ରକାର ମର୍ମବେଦନା ପ୍ରତିଫଳିତ ହୋଇଥିବା ବେଳେ ଦ୍ବିତୀୟ ଘଟଣା ସୃଷ୍ଟି କରିଥିବା ଚାଞ୍ଚଲ୍ୟରେ ଦୁଇ କିସମର ପରସ୍ପର ବିରୋଧୀ ପ୍ରତିକ୍ରିୟାର ପରିପ୍ରକାଶ ଦେଖିବାକୁ ମିଳିଛି।

ଅଭିଯୁକ୍ତ ଚାରିଜଣ ଯୁବକ ଗିରଫ ହୋଇ ନ୍ୟାୟିକ ହେପାଜତରେ ଥିବା ବେଳେ ହାଇଦ୍ରାବାଦ ପୁଲିସ ସେମାନଙ୍କୁ ଅପରାଧ ସ୍ଥଳୀକୁ ନେଇ ଅଧିକ ଅନୁସନ୍ଧାନ ଚଳାଇବା ଅବସ୍ଥାରେ ସେମାନେ ଖସି ପଳାଇବାକୁ ଚେଷ୍ଟା କରି ପୁଲିସ ଉପରେ ଆକ୍ରମଣ କରି ପୁଲିସ୍‌ର ପ୍ରତିଆକ୍ରମଣରେ ଗୁଳିବିଦ୍ଧ ହୋଇ ପ୍ରାଣ ହରାଇଛନ୍ତି ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏ ପ୍ରକାର ଘଟଣାକୁ ‘ଏନ୍‌କାଉଣ୍ଟର’ ବୋଲି ବର୍ଣ୍ଣନା କରିବା ଏକ ସାଧାରଣ ଧାରାରେ ପରିଣତ ହୋଇ ସାରିଲାଣି।

ହାଇଦ୍ରାବାଦ ପୁଲିସ କରିଥିବା ଏହି ଏନ୍‌କାଉଣ୍ଟର‌ ପାଇଁ ଦେଶବ୍ୟାପୀ ଯେଉଁଭଳି ପ୍ରଶ˚ସାର ସୁଅ ଛୁଟିଛି, ତାହା ନିକଟ ଅତୀତରେ କେବେହେଲେ ଦେଖା ଯାଇ ନଥିଲା। ପ୍ରଶ˚ସକମାନଙ୍କ ମଧୢରେ ଥିବା ବୋଧହୁଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ତାତ୍ପର୍ଯ୍ୟପୂର୍ଣ୍ଣ ଯେଉଁ ଦୁଇଟି ପରିବାରର ସଦସ୍ୟମାନେ ରହିଛନ୍ତି, ସେମାନେ ହେଲେ ପରଲୋକଗତା ପଶୁ ଡାକ୍ତରାଣୀଙ୍କର ପିତାମାତା ଏବ˚ ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଅନୁରୂପ ନରକୀୟ ଧର୍ଷଣ ଓ ହତ୍ୟାର ଶିକାର ହୋଇ ଆନ୍ତର୍ଜାତିକ କମ୍ପନ ସୃଷ୍ଟି କରିଥିବା ଡାକ୍ତରୀ ଛାତ୍ରୀ ନିର୍ଭୟାଙ୍କ ପିତାମାତା। ସେମାନଙ୍କ ମର୍ମବେଦନାରେ ଅ˚ଶୀଦାର ହୋଇ ଯେଉଁମାନେ ହାଇଦ୍ରାବାଦ ଏନ୍‌କାଉଣ୍ଟର‌୍‌ର ସମର୍ଥନ କରିଛନ୍ତି ସେମାନଙ୍କ ମଧୢରେ ଅଛନ୍ତି ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଵାଲଙ୍କ ଠାରୁ ଆରମ୍ଭ କରି, ଚଳଚ୍ଚିତ୍ର ତାରକା ଅନୁପମ୍‌ ଖେର ଓ ଭାଜପା ନେତା କପିଳ ମିଶ୍ରଙ୍କ ପର୍ଯ୍ୟନ୍ତ। ଅଭିଯୁକ୍ତମାନଙ୍କୁ ପିଟି ପିଟି ମାରିଦେବା ଦରକାର ବୋଲି କହି ଘଟଣା ପରେ ପରେ ବିବାଦୀୟ ହୋଇ ପଡ଼ିଥିବା ଅଭିନେତ୍ରୀ-ସା˚ସଦ ଜୟା ବଚ୍ଚନ ଏବ˚ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ମଧୢ ହାଇଦ୍ରାବାଦ ପୁଲିସ୍‌ର କାର୍ଯ୍ୟକୁ ଉଚ୍ଛ୍ବସିତ ପ୍ରଶ˚ସା କରିଛନ୍ତି।

କିନ୍ତୁ ଆଶା କରାଯାଉଥିବା ଭଳି ବୃନ୍ଦା ଗ୍ରୋଭର ଓ କବିତା କୃଷ୍ଣନ୍‌ଙ୍କ ଭଳି ମାନବାଧିକାରବାଦୀମାନେ, କ˚ଗ୍ରେସ ନେତା ଶଶି ଥରୁର‌୍‌ (ଖୋଦ୍‌ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ଅପମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ), ଜୀବ ଅଧିକାର କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ଭାଜପା ନେତ୍ରୀ ମାନେକା ଗାନ୍ଧୀ ଆଦି ପୁଲିସ କାର୍ଯ୍ୟର ତୀବ୍ର ନିନ୍ଦା କରିଛନ୍ତି। ଏହି ଏନ୍‌କାଉଣ୍ଟର-ବିରୋଧୀମାନଙ୍କର ଚିନ୍ତାଧାରା ବୁଝିବା କଷ୍ଟକର ନୁହେଁ। ସେମାନେ ପୁଲିସ ପ୍ରଦାନ କରିଥିବା ଏନ୍‌କାଉଣ୍ଟର କରିବାର ଆବଶ୍ୟକତାକୁ ବିଶ୍ବାସ କରନ୍ତି ନାହିଁ। ଏହାକୁ ସେମାନେ ପୁଲିସ ଦ୍ବାରା ରଚିତ ଏକ ହତ୍ୟାକାଣ୍ତ ରୂପେ ବିଚାର କରନ୍ତି, କାରଣ ଏହା ନ୍ୟାୟିକ ପ୍ରକ୍ରିୟା ବାହାରେ ଘଟିଥିବା ଏକ ଘଟଣା। ଅଭିଯୁକ୍ତମାନେ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି କିମ୍ବା ଦଣ୍ତିତ ମଧୢ ହୋଇ ନାହାନ୍ତି। କୌଣସି ସଭ୍ୟ ସମାଜରେ ଏଭଳି ଅଣ-ନ୍ୟାୟିକ ହତ୍ୟାକାଣ୍ତକୁ ବରଦାସ୍ତ କରାଯାଇ ପାରିବ ନାହିଁ।

କାଗଜପତ୍ରରେ ଏଭଳି ଯୁକ୍ତି ବେଶ୍‌ ବଳିଷ୍ଠ। କିନ୍ତୁ ପ୍ରଶ୍ନ ଉଠୁଛି, ମାୟାବତୀରୁ ନେହଵାଲ୍‌ଙ୍କ ପର୍ଯ୍ୟନ୍ତ ନାରୀ କିମ୍ବା କପିଳ ମିଶ୍ରରୁ ଅନୁପମ୍‌ ଖେରଙ୍କ ପର୍ଯ୍ୟନ୍ତ ପୁରୁଷମାନେ କ’ଣ ଅସଭ୍ୟ? ସେମାନଙ୍କ ମନରେ କାହିଁକି ଏନ୍‌କାଉଣ୍ଟର ସମର୍ଥନରେ ଚିନ୍ତା ଜାଗ୍ରତ ହେଉଛି? କେବଳ କେତେ ଗୁଡ଼ିଏ ଆଇନ ପ୍ରଣୟନ କରିଦେଲେ ଓ ଅନୁଷ୍ଠାନ ଗଠନ କରିଦେଲେ କୌଣସି ସମାଜ ସଭ୍ୟ ହୋଇଯାଏ ନାହିଁ। ଯଦି ସମାଜରେ ଆଇନ ଅନୁରୂପ ଆଚରଣ ହିଁ ପ୍ରଦର୍ଶିତ ହୁଏ ଏବ˚ ଅନୁଷ୍ଠାନମାନ ତାହା ନିଶ୍ଚିତ କରିବାରେ ସାହାଯ୍ୟ କରନ୍ତି, ତେବେ ଯାଇ ସେ ସମାଜ ସଭ୍ୟ ହୋଇଥାଏ। ଆମ ଦେଶରେ ଆଇନରେ ଅଭାବ ନାହିଁ। କିନ୍ତୁ ଏଠାରେ କି˚ବଦନ୍ତି ପାଲଟିଥିବା ବିଳମ୍ବିତ ବିଚାର ପ୍ରକ୍ରିୟା ଓ ବିଚାର ଅପେକ୍ଷାରେ ଥିବା ଅସ˚ଖ୍ୟ ମାମଲାର ଅସରନ୍ତି ତାଲିକା ଜନସାଧାରଣଙ୍କୁ ଏପରି ହତୋତ୍ସାହିତ କରିସାରିଛି ଯେ ଅତ୍ୟନ୍ତ ବିଚାରବନ୍ତ ବ୍ୟକ୍ତିମାନେ ମଧୢ ହାଇଦ୍ରାବାଦ ଏନ୍‌କାଉଣ୍ଟର ଭଳି ଘଟଣାକୁ ଏକ ତ୍ବରିତ ନ୍ୟାୟ ପ୍ରଦାନ ଘଟଣା ରୂପେ ବିଚାର କରୁଛନ୍ତି। ନିର୍ଭୟାଙ୍କ ପିତାମାତା ଏହି ଭାବାବେଗ ପ୍ରକାଶ କରି କହି ପକାଇଛନ୍ତି ଯେ ହାଇଦ୍ରାବାଦର ହତଭାଗିନୀଙ୍କ ପିତାମାତାଙ୍କୁ ନ୍ୟାୟ ପାଇବା ପାଇଁ ଅନ୍ତତଃ ସେମାନଙ୍କ ପରି ଦୀର୍ଘ ସାତ ବର୍ଷ କାଳ ଅପେକ୍ଷା କରିବାକୁ ପଡ଼ିନାହିଁ।

ଧର୍ଷଣ ଭଳି ଅପରାଧ କାହିଁକି ଘଟେ ତାହାର ଅନେକ ଗମ୍ଭୀର ଯୌନ ତଥା ଅଣ-ଯୌନ କାରଣ ମାନ ବିଜ୍ଞ ଅନୁଶୀଳନକାରୀମାନେ ପ୍ରଦାନ କରିଥାନ୍ତି। ସେ ସବୁ କାରଣର ମୂଳକୁ ଯାଇ ଧର୍ଷଣର ମୂଳୋତ୍ପାଟନ କରିବା ବୋଧହୁଏ ଅସମ୍ଭବ-ଅନ୍ତତଃ ଇତିହାସରେ ଏହାର ନଜିର ନାହିଁ। ଏଣୁ ଦଣ୍ତ ମାଧୢମରେ ଧର୍ଷଣକୁ ନିରୁତ୍ସାହିତ କରିବା ହେଉଛି ଆମ ପାଇଁ ଏକମାତ୍ର ବିକଳ୍ପ। ଆମର ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥାରେ ଏହା ଆଦୌ ସମ୍ଭବ ନୁହେଁ। ଏହାର ଏକମାତ୍ର ବିଧିସମ୍ମତ ଉପାୟ ହେଉଛି, ଦେଶସାରା ଫାଷ୍ଟଟ୍ରାକ୍‌ କୋର୍ଟ ସ୍ଥାପନ କରି ଦେଶରେ ଘଟୁଥିବା ପ୍ରତ୍ୟେକ ଧର୍ଷଣ ମାମଲାର ସେଠାରେ ତ୍ବରିତ ବିଚାର ସମାପ୍ତିର ବ୍ୟବସ୍ଥା କରିବା। ଗତ ସେପ୍‌ଟେମ୍ବରରେ କେନ୍ଦ୍ର ସରକାର ଦେଶରେ ୧,୦୨୩ଟି ଫାଷ୍ଟଟ୍ରାକ୍‌ ବିଶେଷ ଅଦାଲତ ପ୍ରତିଷ୍ଠା କରି ଏହି ଆବଶ୍ୟକତା ପୂରଣ ଦିଗରେ ଏକ ପ୍ରଥମ ପଦକ୍ଷେପ ନେବାର ପ୍ରସ୍ତାବ ଆଣିଥିଲେ। ସେ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ଧର୍ଷଣ ଭଳି ଏକ ଜଘନ୍ୟ ତଥା କ୍ରମବର୍ଦ୍ଧିଷ୍ଣୁ ଅପରାଧର ତୁରନ୍ତ ବିଚାର ଓ ନ୍ୟାୟ ପ୍ରଦାନ ହୋଇ ନ ପାରିବା ପର୍ଯ୍ୟନ୍ତ ହାଇଦ୍ରାବାଦ ଏନ୍‌କାଉଣ୍ଟର ଭଳି କାର୍ଯ୍ୟକୁ ଜନସମର୍ଥନ ମିଳି ଚାଲିବ, ଏହା ଏକ କଠୋର ସତ୍ୟ।

ସମ୍ବନ୍ଧିତ ଖବର

Comments are closed.