ଯୁଦ୍ଧ ମେସିନ୍‌!

ସ୍କଟୀୟ ଲେଖକ ଓ ସାମ୍ବାଦିକ ଆଲାନ ମେସିଙ୍କ ଦ୍ବାରା ଲିଖିତ ଦ୍ବିତୀୟ ବିଶ୍ବଯୁଦ୍ଧ ପୃଷ୍ଠଭୂମି ଆଧାରିତ ଉପନ୍ୟାସ ‘ଏ କୋଶ୍ଚିନ୍‌ ଅଫ୍‌ ଲୟାଲଟିଜ୍‌’ (ବିଶ୍ବସ୍ତତାର ପ୍ରଶ୍ନ)ରେ ଥିବା ଯେଉଁ ଅଭିବ୍ୟକ୍ତିଟି ଏକ ଲୋକପ୍ରିୟ ଉଦ୍ଧୃତିରେ ପରିଣତ ହୋଇଛି, ତାହା ହେଲା ‘ତୁମେ ଜାଣିଛ ସୈନିକ କାହାକୁ କହନ୍ତି? ଜଣେ ସୈନିକ ହେଉଛି ସେହି, ଯିଏ ସଭ୍ୟ ଲୋକଙ୍କୁ ଯୁଦ୍ଧକୁ ଘୃଣା କରିବା ଲାଗି ସୁଯୋଗ ଦେଇଥାଏ।’ ଆମ ଭଳି ସମସ୍ତେ ଯେଉଁମାନେ ଯୁଦ୍ଧର ଘନଘଟାକୁ କେବେ ହେଲେ ପ୍ରତ୍ୟକ୍ଷ ନ କରି ଏବ˚ ଏକ ସୁରକ୍ଷିତ ଜୀବନ ଯାପନ କରି ସୁଦ୍ଧା କିଞ୍ଚିତ ପ୍ରତିକୂଳତାକୁ ଜୀବନ ଯୁଦ୍ଧ ବୋଲି ଅଭିହିତ କରିଥାଉ, ସେମାନେ ପ୍ରକୃତ ଯୁଦ୍ଧର ବିଭୀଷିକାକୁ ସାମନା କରୁଥିବା ଏବ˚ ଜୀବନ-ମୃତ୍ୟୁର ସୀମାରେଖା ଉପରେ ଛିଡ଼ା ହୋଇଥିବା ସୈନିକମାନଙ୍କୁ ଏହା ପଚାରିବା ଉଚିତ ଯେ ସେମାନେ ନିଜ ଜୀବନକୁ କିଭଳି ଦୃଷ୍ଟିରେ ଦେଖିଥାଆନ୍ତି! କାରଣ, ଗଲା ଚାରି ଦିନ ତଳେ ବୁଧବାର ଦିନ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ‘ଇଣ୍ତୋ-ତିବତୀୟ ସୀମାନ୍ତ ସୁରକ୍ଷା ପୁଲିସ୍‌’ ବା ‘ଆଇଟିବିପି’ର ଜଣେ ସୈନିକ ଗୁଳି ଚଳାଇ ନିଜ ସାଥୀମାନଙ୍କ ଭିତରୁ ଚାରି ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟା କରିବା ଘଟଣାଟି ପୁଣି ଥରେ ସେହି ପ୍ରଶ୍ନଟିକୁ ଉଜାଗର କରିଛି। ଏବ˚ ପ୍ରକାରାନ୍ତରେ ଏହା ମଧୢ ପ୍ରମାଣିତ କରିଛି ଯେ ଆମ ସଶସ୍ତ୍ର ସେନାବାହିନୀ ଅସୁଖୀ ଓ ଚାପଗ୍ରସ୍ତ।

ଛତିଶଗଡ଼ରେ ସ˚ଘଟିତ ଅଘଟଣଟିର କାରଣ ଏକ ବଚସା ଥିଲା ବୋଲି କହିବାର ଅର୍ଥ ଭାସମାନ ବରଫ ପର୍ବତର ଦୃଶ୍ୟମାନ ହେଉ ନ ଥିବା ଜଳମଗ୍ନ ବୃହଦା˚ଶକୁ ନଜରଅନ୍ଦାଜ କରିଯିବା। ଗଲା ୨୦୧୭ରେ ସ˚ସଦରେ ଉପସ୍ଥାପିତ ଏକ ସୂଚନା ଅନୁସାରେ ଜଣାପଡ଼ିଥିଲା ଯେ ୨୦୧୪ରୁ ୨୦୧୭ ଭିତରେ ଭାରତୀୟ ସେନାର ତିନିଟି ଯାକ ବିଭାଗରୁ ୩୨୧ ଜଣ ଆତ୍ମହତ୍ୟା କରିଛନ୍ତି ବା କୌଣସି ସାଥୀ ହାତରେ ପ୍ରାଣ ହରାଇଛନ୍ତି। ବିଶ୍ବର ତୃତୀୟ ବୃହତ୍ତମ ସେନା ବାହିନୀ ପ୍ରତି ବର୍ଷ ନିଜର ଅତ୍ୟନ୍ତ ପ୍ରଶିକ୍ଷିତ ଓ ଦକ୍ଷ ମାନବ ସମ୍ବଳରୁ ପ୍ରାୟ ଶହେ ଜଣଙ୍କୁ ହରାଇବା ଯେ ଏକ ବିଶାଳ କ୍ଷତି, ଏହା ସମସ୍ତେ ସ୍ବୀକାର କରିବେ। ସେହି ପରିପ୍ରେକ୍ଷୀରେ ଏହା ପଛରେ ଥିବା କିଛି କାରଣ ଉପରେ ଦୃଷ୍ଟି ନିବଦ୍ଧ କରାଯାଇପାରେ।

ଜଣେ ବ୍ୟକ୍ତି ସୈନ୍ୟ ବାହିନୀରେ ପ୍ରବେଶ କଲା ପରେ ତାକୁ ଉଭୟ ଶାରୀରିକ ଓ ମାନସିକ ଭାବେ ଏଭଳି ଶକ୍ତ କରିବାର ପ୍ରୟାସ କରାଯାଇଥାଏ, ଯେମିତି ସେ ଏକ ‘ଯୁଦ୍ଧ-ଯନ୍ତ୍ର’ ବା ‘ଯୁଦ୍ଧ ମେସିନ୍‌’ରେ ପରିଣତ ହେବ। କେବଳ ଯୁଦ୍ଧ ନୁହେଁ, ଶାନ୍ତି ସମୟରେ ମଧୢ ସୈନିକମାନେ ଅତ୍ୟନ୍ତ ପ୍ରତିକୂଳ ପରିବେଶରେ କାର୍ଯ୍ୟ କରନ୍ତି। ସୀମାନ୍ତରେ ଅହର୍ନିଶ ପହରା ଦେବା ଓ ଶତ୍ରୁ ପକ୍ଷରୁ ଅତର୍କିତ ଆକ୍ରମଣର ଶିକାର ହେବା, ଦେଶରେ ପ୍ରାକୃତିକ ବିଭୀଷିକା ବା ମାନବ ସର୍ଜିତ ବିଶୃଙ୍ଖଳା(ଦଙ୍ଗା ଭଳି) ଅଣାୟତ୍ତ ହେଲେ ସେଠାରେ ଦାୟିତ୍ବ ସମ୍ଭାଳିବା, ଭିତ୍ତିଭୂମିଗତ ନିର୍ମାଣ କାର୍ଯ୍ୟ (ପୋଲ ବା ଫ୍ଲାଇ ଓଭର ଭଳି)କୁ ଅତ୍ୟନ୍ତ ଦ୍ରୁତ ଗତିରେ ସମାପନ କରିବା ଭଳି ବିଭିନ୍ନ ବିଶେଷ ପରିସ୍ଥିତିରେ ସେନାକୁ ନିୟୋଜିତ କରାଯାଏ। କାଶ୍ମୀରରେ ଆତଙ୍କବାଦୀ ବା ପଥର ଫିଙ୍ଗୁଥିବା ଉଚ୍ଛୃଙ୍ଖଳ ଯୁବକଙ୍କ ଦଳ ହୁଅନ୍ତୁ କି ଉତ୍ତର ପୂର୍ବାଞ୍ଚଳରେ ବିଚ୍ଛିନ୍ନତାବାଦୀଙ୍କ ଉତ୍ପାତ ହେଉ ବା ପୂର୍ବ ଓ ମଧୢ ଭାରତରେ ମାଓବାଦୀ ହୁଅନ୍ତୁ ଅଥବା ହରିୟାଣାରେ ଉନ୍ମୁକ୍ତ ବୋର‌୍‌ େଵଲ୍‌ ଗର୍ତ୍ତ ଭିତରକୁ ଖସି ପଡ଼ିଥିବା ପିଲାର ଜୀବନ ରକ୍ଷା ହେଉ; ସୈନିକମାନେ ହିଁ ଜୀବନ ମୃତ୍ୟୁର ସନ୍ଧିକ୍ଷଣରେ ସର୍ବଦା ଗଳଦ୍‌ଘର୍ମ ପ୍ରୟାସ କରୁଥିବାର ଦେଖାଯାଏ। ୨୦୧୭ରେ ଉପସ୍ଥାପିତ ସେହି ତଥ୍ୟରେ ଆହୁରି କୁହାଯାଇଥିଲା ଯେ ମାତ୍ରାଧିକ ଚାପ କାରଣରୁ ୮୦୩ ଜଣ ଅଧିକାରୀ ଏବ˚ ୩୮,୧୫୦ ଜଣ ସୈନିକ ନିର୍ଦ୍ଧାରିତ ସମୟ ପୂର୍ବରୁ ଚାକିରିରୁ ଅବସର ନେବା ଲାଗି ଆବେଦନ କରିଥିଲେ। ଏଭଳି ଏକ ସ୍ଥିତି ଯାହା ଦର୍ଶାଇଥାଏ, ତାହା ହେଲା, ବାସ୍ତବ ଯୁଦ୍ଧକୁ ସାମନା କରିବାକୁ ସଦା ପ୍ରସ୍ତୁତ ସୈନିକମାନେ କିଭଳି ସେମାନଙ୍କ ଜୀବନ ଯୁଦ୍ଧରେ ଅନେକ ସମୟରେ ପରାହତ ହୋଇଥାଆନ୍ତି।

ଏ ସ˚ଦର୍ଭରେ ଏକ ଅନୁଶୀଳନମୂଳକ ନିବନ୍ଧ କହିଥାଏ ଯେ ଦୀର୍ଘ କାଳ ଧରି ପରିବାର ଠାରୁ ଦୂରରେ ରହିବା, ଆତ୍ମୀୟ ସ୍ବଜନଙ୍କ ଦୁଃସ୍ଥିତି ସମୟରେ ମଧୢ କର୍ତ୍ତବ୍ୟର ଆହ୍ବାନରେ ସେମାନଙ୍କ ସହିତ ଯୋଗ ଦେଇ ନ ପାରିବା, ଆଦୌ କୌଣସି ପ୍ରଶ୍ନ ନ ପଚାରି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ମାନିବା ସତ୍ତ୍ବେ ସେମାନଙ୍କ ଦ୍ବାରା ଅପମାନିତ ହେଉଥିବା ଓ ଅନେକ ସମୟରେ ନିକୃଷ୍ଟ ଖାଦ୍ୟ (୨୦୧୬ ମସିହାରେ ଚାଞ୍ଚଲ୍ୟ ସୃଷ୍ଟିକାରୀ ବିଏସ୍‌ଏଫ୍‌ ଜଵାନ ତେଜ ବାହାଦୁର ଯାଦବଙ୍କ ଦ୍ବାରା ନିକୃଷ୍ଟ ଖାଦ୍ୟର ଭିଡିଓ ଅଧିକା˚ଶ ପାଠକଙ୍କ ମନେ ଥିବ) ତଥା ଅସହନୀୟ ପରିବେଶ ଭଳି କିଛି କାରଣକୁ ସୈନିକମାନେ ଭୋଗୁଥିବା ମାନସିକ ଚାପ ପଛରେ ଦେଖିବାକୁ ମିଳିଥାଏ। ପୁଣି ଆମ ସେନାବାହିନୀ ସାମନା କରୁଥିବା ବିଭିନ୍ନ ଯୁଦ୍ଧ ସରଞ୍ଜାମର ଅଭାବ, ଯାହାର ତାଲିକା ସମର ବୁଡ଼ାଜାହାଜ, ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଯୁଦ୍ଧ ହେଲମେଟ୍‌ ପର୍ଯ୍ୟନ୍ତରେ ବେଶ୍‌ ଦୀର୍ଘ, ସେମାନଙ୍କ ନୈତିକ ବଳକୁ ଗଭୀର ଭାବେ ଆକ୍ରାନ୍ତ କରୁଥିବାର ଅଭିଯୋଗ ହେଉଛି। ଏହା ସହିତ ବିଭିନ୍ନ ପ୍ରଶାସନିକ ବ୍ୟାପାରରେ କେନ୍ଦ୍ର ପ୍ରତିରକ୍ଷା ବିଭାଗର ଅମଲାତନ୍ତ୍ରୀ ହସ୍ତକ୍ଷେପ ତଥା ଦୀର୍ଘସୂତ୍ରୀ କାର୍ଯ୍ୟ ଧାରା କର୍ତ୍ତବ୍ୟରତ ବା ଅବସରପ୍ରାପ୍ତ ସୈନିକମାନଙ୍କୁ ଅକାରଣେ ଅସୁବିଧାରେ ପକାଉଥିବାର ଅନେକ ନଜିର ରହିଛି। ଦୀର୍ଘ ଦିନ ଧରି ଚାଲି ଆସିଥିବା ‘ଵାନ୍‌ ରୢାଙ୍କ, ଵାନ୍‌ ପେନ୍‌ସନ୍‌’ (ଓଆର‌୍‌ଓପି) ବିବାଦ ଏହାର ଏକ ଦୃଷ୍ଟାନ୍ତ, ଯାହାର ସନ୍ତୋଷଜନକ ସମାଧାନ ଏ ପର୍ଯ୍ୟନ୍ତ କରାଯାଇପାରିନାହିଁ।

ଏହା ଅବଶ୍ୟ ସତ୍ୟ ଯେ, ସୈନିକମାନେ ଶିକାର ହେଉଥିବା ମାନସିକ ଚାପର ଉପଶମ ଲାଗି ମନୋଚିକିତ୍ସାସୁଲଭ ଉପଦେଶ ବା ପରାମର୍ଶ ଦେବା ସକାଶେ ସେନାବାହିନୀର କେତେକ ଅଧିକାରୀଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି, ତେବେ ଏହା ଯଥେଷ୍ଟ ନୁହେଁ। ଏ କ୍ଷେତ୍ରରେ ପେସାଦାର ମନୋଚିକିତ୍ସକମାନଙ୍କୁ ନିୟୋଜିତ କରାଯିବା ଅଧିକ ଜରୁରୀ। କିନ୍ତୁ ସେନାବାହିନୀ ରଣନୀତିଗତ କାରଣରୁ ଏଭଳି ସମ୍ବେଦନଶୀଳ ବିଷୟ ସବୁକୁ କାର୍ପେଟ ତଳେ ଘୋଡ଼ାଇ ରଖିବାକୁ ଚାହୁଁଥିବାରୁ ଅନେକ ସମସ୍ୟାର ପ୍ରକୃତ ସମାଧାନର ପନ୍ଥା ବାହାରି ପାରୁନାହିଁ।

ଅଷ୍ଟାଦଶ ଶତାବ୍ଦୀର ପ୍ରୁସିଆର କୈଂବଦନ୍ତିକ ଶାସକ ‘ଫ୍ରେଡରିକ ଦ ଗ୍ରେଟ’ ଥରେ କହିଥିଲେ, ‘ମୁଁ ମୋ ସୈନିକମାନଙ୍କୁ ଭାବିବା ଲାଗି ଅବସର ଦିଏନାହିଁ। ସେମାନେ ଥରେ ତାହା ଆରମ୍ଭ କଲେ ଆଉ ଯୁଦ୍ଧ କରିପାରିବେ ନାହିଁ।’ ଆଜି ବି ଅନେକ ଜେନେରାଲ ନିଜ ନିଜ ସୈନିକମାନଙ୍କ ଲାଗି ଏହା କହିପାରନ୍ତି। କାରଣ ସୈନିକମାନଙ୍କୁ ‘ମେସିନ୍‌’ ଭଳି ହେବା ଲାଗି ହିଁ ଗଢ଼ାଯାଇଛି! କିନ୍ତୁ ମଣିଷ ଯେ ‘ମେସିନ’ ନୁହେଁ, ତାର ପ୍ରମାଣ ବି ବାରମ୍ବାର ମିଳିବାରେ ଲାଗିଛି।

ସମ୍ବନ୍ଧିତ ଖବର