ଶରଣ ରକ୍ଷଣ

ଦୀର୍ଘ ପ୍ରାୟ ୧୨ ଘଣ୍ଟାର ଆଲୋଚନା ଓ ବିତର୍କ ପରେ ସୋମବାର ମଧୢ ରାତ୍ରିରେ ସିଟିଜେନ୍‌ସିପ୍‌ (ଆମେଣ୍ତ୍‌ମେଣ୍ଟ) ବିଲ୍‌, ୨୦୧୯ ଏକ ବିଶାଳ ସମର୍ଥନ (ସପକ୍ଷରେ ୩୧୧, ବିପକ୍ଷରେ ମାତ୍ର ୮୦) ଲାଭ କରି ଲୋକସଭାରେ ପାରିତ ହୋଇଯାଇଛି। ବିଲ୍‌ଟିର ଅନ୍ତିମ ଭାଗ୍ୟ ଆଜି ରାଜ୍ୟସଭାରେ ନିର୍ଣ୍ଣିତ ହେବାର କାର୍ଯ୍ୟକ୍ରମ ରହିଛି। ସ˚କ୍ଷେପରେ କହିଲେ ପାକିସ୍ତାନ, ବା˚ଲାଦେଶ ଏବ˚ ଆଫ୍‌ଗାନିସ୍ତାନ ଭାରତକୁ ଆଶ୍ରୟ ସନ୍ଧାନରେ ପଳାଇ ଆସିଥିବା ଅଣ ମୁସଲମାନ ଶରଣାର୍ଥୀ (ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ୍‌, ପାର୍ସି)ମାନଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯିବା ପାଇଁ ବିଲ୍‌ଟି ଉଦ୍ଦିଷ୍ଟ। ସେ ସମସ୍ତ ଦେଶମାନଙ୍କରୁ ଯଦି ମୁସଲମାନମାନେ ମଧୢ ଭାରତରେ ପ୍ରବେଶ କରିଥାନ୍ତି, ବିଲ୍‌ଟିରେ ସେମାନଙ୍କୁ ଏହି ସୁବିଧା ବା ଅଧିକାର ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ନାହିଁ। ଅର୍ଥାତ୍‌ ସେ ଦେଶମାନଙ୍କରୁ ଆସିଥିବା ମୁସଲମାନ ଶରଣାର୍ଥୀମାନେ ଭାରତୀୟ ନାଗରିକତ୍ବ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି। ବିଲ୍‌ର ବିରୋଧୀମାନେ ତେଣୁ ସ୍ବାଭାବିକ ଭାବରେ ଏହାକୁ ଏକ ମୁସଲମାନ ବିରୋଧୀ ପଦକ୍ଷେପ ରୂପେ ବର୍ଣ୍ଣନା କରିବାରେ ଲାଗିଛନ୍ତି।

ଏ ବିଲ୍‌ ସମ୍ବିଧାନର ଧାରା-୧୪ର ସିଧାସଳଖ ଉଲ୍ଲ˚ଘନ ବୋଲି କୁହାଯାଉଛି। ଏହି ଧାରା ସମସ୍ତ ଭାରତୀୟ ନାଗରିକମାନଙ୍କୁ ଆଇନ ଦୃଷ୍ଟିରେ ସମାନ ଅଧିକାର ପ୍ରଦାନ କରିଥାଏ, କେବଳ ଏତିକି ନୁହେଁ ଭାରତର ସୀମା ଭିତରେ ବାସ କରୁଥିବା ସମସ୍ତଙ୍କୁ- ସେମାନେ ନାଗରିକ ହୋଇଥାନ୍ତୁ କି ହୋଇ ନ ଥାନ୍ତୁ- ଏଭଳି ମୌଳିକ ସମାନତା ଅଧିକାର ପ୍ରଦାନ କରିଥାଏ। ଏଣୁ ଭାରତୀୟ ନାଗରିକତ୍ବ ପ୍ରଦାନରେ ଏପରି ବାଛ ବିଚାର ଏହି ମୌଳିକ ଅଧିକାର ପ୍ରଦାନକାରୀ ଧାରାର ଉଲ୍ଲ˚ଘନ, ଯାହା ସମ୍ବିଧାନର ମୌଳିକ ଗଠନର ଉଲ୍ଲ˚ଘନ ବୋଲି ବିଲ୍‌ର ବିରୋଧୀମାନେ ଦାବି କରୁଛନ୍ତି। ଅନତି ବିଳମ୍ବେ ଏହି ଯୁକ୍ତି ଆଧାରରେ ଆଇନଟିକୁ ଅସାମ୍ବିଧାନିକ ବୋଲି ଘୋଷଣା କରି ନାକଚ କରିବାକୁ ସୁପ୍ରିମକୋର୍ଟରେ ଆବେଦନମାନ ଉପସ୍ଥାପିତ ହେବା ନିଶ୍ଚିତ ଏବ˚ କୋର୍ଟଙ୍କ ରାୟ କ’ଣ ହେବ ତାହା କହି ହେବ ନାହିଁ। କିନ୍ତୁ ଏପରି ଏକ ଅଭିଯୋଗ ସତ୍ତ୍ବେ କେନ୍ଦ୍ର ସରକାର ଏଭଳି ଏକ ବିଲ୍‌ (ସ˚କ୍ଷେପରେ-‘ସିଏବି’) ଆଣିବାକୁ ଗଲେ କାହିଁକି? ଏଇ ନିର୍ଦ୍ଦିଷ୍ଟ ଅଭିଯୋଗକୁ ଅବଶ୍ୟ ଗୃହ ମନ୍ତ୍ରୀ ଅମିତ ଶାହ ଶକ୍ତିଶାଳୀ ଢଙ୍ଗରେ ଲୋକସଭାରେ ଖଣ୍ତନ କରି କହିଛନ୍ତି ଯେ ଭାରତର କୌଣସି ଧର୍ମର ନାଗରିକମାନଙ୍କ ମଧୢରେ ବିଲ୍‌ଟି ବାଛ ବିଚାର କରୁନାହିଁ। କିନ୍ତୁ ସମସ୍ୟା ହେଲା ଭାରତରେ ଥିବା ସମସ୍ତ ବାସିନ୍ଦା ନାଗରିକ ନୁହଁନ୍ତି।

ପରବର୍ତ୍ତୀ ସମୟରେ ଏ ଅଛିଣ୍ତା ପ୍ରଶ୍ନର ଉତ୍ତର ନ୍ୟାୟାଳୟରୁ ମିଳିବ। କିନ୍ତୁ ଯେଉଁ ଐତିହାସିକ ଆଞ୍ଚଳିକ ପରିସ୍ଥିତି ସରକାରଙ୍କୁ ସ୍ବାଧୀନତାର ସାତ ଦଶନ୍ଧି ପରେ ଏପରି ଏକ ଉଦ୍ୟମ କରିବାକୁ କାରଣ ଯୋଗାଇଛି, ତାହା ବୁଝିବା କଷ୍ଟକର ନୁହେଁ। ଗୃହମନ୍ତ୍ରୀ ମଧୢ ଲୋକସଭା ବିତର୍କରେ ଭାଗ ନେଇ ଏହାର ବିଶଦ ବ୍ୟାଖ୍ୟା କରିବା ଦେଖାଯାଇଛି। ଗୃହମନ୍ତ୍ରୀଙ୍କର ବକ୍ତବ୍ୟର ସାରମର୍ମ ହେଲା, ଉପରୋକ୍ତ ତିନି ଦେଶରୁ ପ୍ରାଣ ବିକଳରେ ପଳାଇ ଆସିଥିବା ସ˚ଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ହିଁ ଭାରତ ନାଗରିକତ୍ବ ପ୍ରଦାନ କରିବ ଏବ˚ ମୁସଲମାନମାନେ ଏହି ତିନିଟି ଯାକ ବିଧିବଦ୍ଧ ଭାବରେ ଘୋଷିତ ଇସ୍‌ଲାମୀୟ ଦେଶରେ ସ˚ଖ୍ୟାଲଘୁ ହୋଇ ନ ଥିବାରୁ ସେମାନେ ଏ ସୁବିଧା ପାଇବା ପାଇଁ ଯୋଗ୍ୟ ନୁହଁନ୍ତି। ଭାରତର ସ୍ବାଧୀନତା ଓ ବିଭାଜନ ଦ୍ବାରା ବର୍ତ୍ତମାନର ଏହି ତିନି ଦେଶର ସ˚ଖ୍ୟାଲଘୁମାନେ ଭୟଙ୍କର ଭାବେ ପ୍ରଭାବିତ ହୋଇଥିବାରୁ, ବିଲ୍‌ର ପରିସରକୁ କେବଳ ଏହି ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ଏ ତିନି ଦେଶ ମଧୢରେ ହିଁ ସୀମିତ ରଖାଯାଇଛି।

ଏଠାରେ ମିଳିତ ଜାତିସ˚ଘ ଦୃଷ୍ଟିରେ ଶରଣାର୍ଥୀ କାହାକୁ କୁହାଯିବ ଦେଖାଯାଉ। ଯିଏ ଅତ୍ୟାଚାର, ହି˚ସା କିମ୍ବା ଯୁଦ୍ଧ ଯୋଗୁଁ ନିଜ ଦେଶ ଛାଡ଼ି ପଳାଇ ଆସିବାକୁ ବାଧୢ ହୋଇଥାନ୍ତି, ସେମାନେ ହେଉଛନ୍ତି ଶରଣାର୍ଥୀ। ନିଜର ଜାତି, ଧର୍ମ, ଜାତୀୟତା, ରାଜନୈତିକ ମତ କିମ୍ବା କୌଣସି ନିର୍ଦ୍ଦିଷ୍ଟ ସାମାଜିକ ଗୋଷ୍ଠୀରେ ସଦସ୍ୟତା ଯୋଗୁଁ ସେମାନେ ଅତ୍ୟାଚାରର ସମ୍ମୁଖୀନ ହେବାର ଦୃଢ଼ ସମ୍ଭାବନା ଥାଏ। ଏହି ମାପକାଠି ଅନୁସାରେ ସମ୍ପୃକ୍ତ ତିନିଟି ଦେଶରେ ଅଣ-ମୁସଲମାନମାନେ କେଉଁଭଳି ବିଦ୍ବେଷ ଓ ଅତ୍ୟାଚାରର ସମ୍ମୁଖୀନ ହୋଇଥାନ୍ତି ତାହା ଆନ୍ତର୍ଜାତିକ ସମୁଦାୟକୁ ସୁବିଦିତ। ତାଲିବାନ୍‌ ଅଧ୍ୟୁଷିତ ଆଫ୍‌ଗାନିସ୍ତାନରେ ଏହାର ଏକ ଚରମ ଉଦାହରଣ ଦେଖିବାକୁ ମିଳିଥିଲା ୨୦୦୧ରେ ଯେତେବେଳେ କମାଣ ସାହାଯ୍ୟରେ ପୃଥିବୀର ଦୁଇ ବିଶାଳତମ ବୁଦ୍ଧ ମୂର୍ତ୍ତିକୁ ଉଡ଼ାଇ ଦିଆଯାଇଥିଲା- ଶାନ୍ତ ସ୍ବାଭାବିକ୍‌ ଭାବରେ କମନୀୟ ମୁଦ୍ରାରେ ଥିବା ପ୍ରାକ-ଇସଲାମୀୟ ସମୟର ନିର୍ଜୀବ ପଥର ବୁଦ୍ଧ ମୂର୍ତ୍ତିମାନଙ୍କୁ। ସେଠାରେ ଜୀବନ୍ତ ବିଧର୍ମୀମାନଙ୍କ ଅବସ୍ଥା ଏଥିରୁ ସହଜେ ଅନୁମେୟ। ନାତ୍‌ସି ଜର୍ମାନୀରେ ଇହୁଦୀମାନେ ଡେଭିଡ୍‌ଙ୍କ ହଳଦିଆ ତାରକା ପିନ୍ଧିବାକୁ ବାଧୢ ହେଉଥିବା ଭଳି, ଆଫଗାନିସ୍ତାନରେ ସେ ସମୟରେ ହିନ୍ଦୁମାନେ ସହଜରେ ଚିହ୍ନଟ ହେବା ପାଇଁ ବ୍ୟାଜ୍‌ ପିନ୍ଧିବାକୁ ବାଧୢ ହୋଇଥିଲେ। ଇସ୍‌ଲାମୀୟ ରାଷ୍ଟ୍ର ପାକିସ୍ତାନରେ ଅଣ-ମୁସଲମାନ ସ˚ଖ୍ୟାଲଘୁମାନେ କେଉଁଭଳି ଅବିରତ ନିର୍ଯାତନାର ସମ୍ମୁଖୀନ ହୋଇଥାନ୍ତି, ତାହା ଆଜିର ଇଣ୍ଟରନେଟ୍‌ ଦୁନିଆରେ କାହାକୁ ଅବିଦିତ ନୁହେଁ। ଏହାର ଏକ ଅକାଟ୍ୟ ପ୍ରମାଣ ହେଉଛି ଏହି ବହୁ ଚର୍ଚ୍ଚିତ ପରିସ˚ଖ୍ୟାନ: ୧୯୪୭ରେ ପାକିସ୍ତାନ ଜନସ˚ଖ୍ୟାରେ ହିନ୍ଦୁମାନଙ୍କ ଅନୁପାତ ପ୍ରାୟ ୧୩ ଶତା˚ଶ ଥିବା ବେଳେ ଏବେ ତାହା ଖସି ଖସି ଆସି ପ୍ରାୟ ୨ ଶତା˚ଶରେ ପହଞ୍ଚିଲାଣି। ୨୦୧୦ରେ ଖ୍ରୀଷ୍ଟଧର୍ମୀବଲମ୍ବୀ ଆସିଆ ବିବି ସମ୍ମୁଖୀନ ହୋଇଥିବା ନିର୍ଯାତନାର କାହାଣୀ ଦୀର୍ଘଦିନ ଧରି ଆନ୍ତର୍ଜାତିକ ଗଣମାଧୢମରେ ସ୍ଥାନ ଦଖଲ କରିବା ପରେ ସେ ଏବେ ସୌଭାଗ୍ୟକ୍ରମେ ପ୍ରାଣ ବଞ୍ଚାଇ କାନାଡ଼ାରେ ଆଶ୍ରୟ ନେଇଛନ୍ତି। ସେ ଦେଶରେ ହିନ୍ଦୁ ଶିଖ୍‌ ଯୁବତୀମାନଙ୍କର ଜବରଦସ୍ତ ଧର୍ମାନ୍ତରୀକରଣ ଏକ ନିୟମିତ ଘଟଣା ହୋଇଥାଏ। ଦେଶ ବିଭାଜନ ସମୟରେ ବା˚ଲାଦେଶ (ପୂର୍ବ ପାକିସ୍ତାନ)ରେ ହିନ୍ଦୁମାନେ ଜନସ˚ଖ୍ୟାର ପ୍ରାୟ ଏକ-ତୃତୀୟା˚ଶ ହୋଇଥିବା ବେଳେ ତାହା ରୀତିମତ ବାଛ-ବିଚାର ମାଧୢମରେ ଏବେ ୮ ଶତା˚ଶକୁ ଖସି ଆସି ସାରିଛି।

ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ, ଏ ସମସ୍ତ ହଜିଯାଇଥିବା ସ˚ଖ୍ୟାଲଘୁମାନେ ଗଲେ କୁଆଡେ଼? ଏହାର ଉତ୍ତର କାହାକୁ ଅଛପା ନୁହେଁ: ସେମାନଙ୍କ ମଧୢରୁ ଅଧିକା˚ଶ ଭାରତରେ ଆଶ୍ରୟ ନେଇଛନ୍ତି, କିନ୍ତୁ ଏଠାରେ ବିଧିବଦ୍ଧ ନାଗରିକତ୍ବ ନ ପାଇ ଏଠାରେ ମଧୢ ଘୋର ଅସୁବିଧାରେ କାଳ କାଟୁଛନ୍ତି। ସେମାନଙ୍କୁ ଏବେ ନାଗରିକତ୍ବ ପ୍ରଦାନ କରିବାକୁ ପଦକ୍ଷେପ ନେଇ କେନ୍ଦ୍ର ସରକାର ବିଳମ୍ବରେ ହେଉ ପଛେ ଶରଣ ରକ୍ଷଣ ପାଇଁ ଭାରତର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନୈତିକ ଦାୟିତ୍ବ ସମ୍ପାଦନ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର

Comments are closed.