ଏକ ଉଦ୍ଭଟ ନାଟକର ଏକ ବିକୃତ ଦୃଶ୍ୟ ଭଳି ଠିକ୍ ଯେଉଁ ସମୟରେ ମାଡ୍ରିଡ୍ରେ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଭାରତ ଏ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ପ୍ରଦାନ କରାଯାଇଥିବା ସ୍ବୀକୃତି ସରକାରଙ୍କୁ ପୁଲକିତ କରିବାକୁ ଆରମ୍ଭ କରିଛି, ସେଇ ସମୟରେ ଏକ ସମ୍ପୂର୍ଣ୍ଣ ଅଭାବିତ ଚରିତ୍ର ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ଯୋଗୁଁ ସରକାରଙ୍କୁ ବସ୍ତୁତଃ ନରହନ୍ତା ରୂପେ ପ୍ରଦର୍ଶିତ କରି ସମସ୍ତଙ୍କୁ ଚମକାଇ ଦେଇଛି। ଏ ଚରିତ୍ର ଜଣକ ହେଉଛି ନିର୍ଭୟା ଧର୍ଷଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇବାକୁ ଅପେକ୍ଷା କରିଥିବା ଅନ୍ୟତମ ଅପରାଧୀ ଅକ୍ଷୟ କୁମାର ସି˚ହ। ସେ ଏହି ରାୟର ପୁନର୍ବିଚାର ଦାବି କରି ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଆବେଦନପତ୍ରରେ କହିଛି, ଦେଶର ରାଜଧାନୀ ଅଞ୍ଚଳରେ ପାଣି ଓ ପବନ ଏପରି ପ୍ରଦୂଷିତ ଯେ ସେଥିଯୋଗୁଁ ମନୁଷ୍ୟର ଆୟୁଷ ଆପଣା ଛାଏଁ କମି କମି ଯାଉଥିବା ବେଳେ, ତାକୁ ଫାଶୀ ଦେଇ ତା’ର ଆୟୁଷକୁ ସ˚କ୍ଷିପ୍ତ କରିବାର ଆବଶ୍ୟକତା କ’ଣ?
ଅକ୍ଷୟର ଆବେଦନ ପତ୍ରରେ ଦିଲ୍ଲୀକୁ ଏକ ବିଷାକ୍ତ ବାଷ୍ପ ଭରା ‘‘ଗ୍ୟାସ୍ ଚାମ୍ବର’’ ରୂପେ ବର୍ଣ୍ଣନା କରାଯାଇଛି ଏବ˚ ସରକାର ପାର୍ଲିଆମେଣ୍ଟରେ ଉପସ୍ଥାପିତ କରିଥିବା ରିପୋର୍ଟରେ ଏହା ସ୍ବୀକାର କରିଛନ୍ତି ବୋଲି ସେଥିରେ ଉଲ୍ଲେଖ ରହିଛି। ଏହା ଦେଖିଲେ ମନେହୁଏ ନିର୍ଭୟା ଅପରାଧୀ କହିବାକୁ ଚାହୁଁଛି ଯେ ହିଟ୍ଲର ନାତ୍ସି ଜର୍ମାନୀରେ ଇହୁଦୀମାନଙ୍କର ବିନାଶ ପାଇଁ ତିଆରି କରିଥିବା ଗ୍ୟାସ୍ ଚାମ୍ବର ଭଳି ସତେ ଯେମିତି ନିୟୁତ ନିୟୁତ ଦିଲ୍ଲୀବାସୀଙ୍କର ବିନାଶ ସାଧନ ଉଦ୍ଦେଶ୍ୟରେ ସରକାର ଦିଲ୍ଲୀକୁ ଏକ ଗ୍ୟାସ୍ ଚାମ୍ବର୍ରେ ପରିଣତ କରିଛନ୍ତି। ଏହାର ଅଧିକ ତର୍ଜମା କଲେ କୁହାଯାଇ ପାରିବ ଯେ ସେ ବୋଧହୁଏ କହିବାକୁ ଚାହୁଁଛି ଯେ ସେ ମାତ୍ର ଜଣକର ପ୍ରାଣ ନାଶ କରିଥିବା ବେଳେ ସରକାର ବା ରାଷ୍ଟ୍ର କୋଟି କୋଟି ଲୋକଙ୍କର ପ୍ରାଣନାଶ ପାଇଁ ଦାୟୀ।
କାଗଜ ପତ୍ରରେ ଏହି ଉଦ୍ଭଟ ଯୁକ୍ତି ଉପସ୍ଥାପନ କରିଥିବା ବ୍ୟକ୍ତି ଅକ୍ଷୟ ସି˚ହ ହୋଇଥିଲେ ହେଁ ଏହାର ପ୍ରକୃତ ପ୍ରସ୍ତୁତ କର୍ତ୍ତା ଅବଶ୍ୟ ହେଉଛନ୍ତି ତା’ର ଓକିଲ ଏ ପି ସି˚ହ। ଯେ କୌଣସି ସାଧାରଣ ଜ୍ଞାନ ଥିବା ଲୋକ ଏହି ଆବେଦନ ଦେଖି ଜାଣିପାରୁଥିବ ଯେ ଅକ୍ଷୟର ଓକିଲ ଏହା ଦ୍ବାରା ମାମଲାର ପୁନର୍ବିଚାର ପାଇଁ ଅଦାଲତଙ୍କୁ ରାଜି କରାଇବା ସମ୍ଭାବନା ଶୂନ୍ୟ ଏବ˚ ଏ କଥା ମଧୢ ବୁଦ୍ଧିମାନ ଓକିଲଙ୍କୁ ଭଲ ରୂପେ ଜଣାଥିବ। ତେଣୁ ଏପରି ଏକ ପଦକ୍ଷେପ ନେବା ପଛରେ ଥିବା ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ ଏହା ମାଧୢମରେ ବୃହତ୍ତର ସମାଜ ତଥା ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାକୁ ଛିଗୁଲାଇବା, ଏହା ଜଳ ଜଳ ହୋଇ ଦିଶୁଛି।
ହାଇଦ୍ରାବାଦ, ଉନ୍ନାଓ ଏବ˚ ଅନୁରୂପ ଅନେକ ନାରୀ-ବିରୋଧୀ ହି˚ସା ଦେଶବାସୀଙ୍କୁ ଅତ୍ୟନ୍ତ ବିଚଳିତ କରି ତୋଳିଥିବା ବେଳେ ଏବ˚ ଅପରାଧୀମାନଙ୍କ ପ୍ରତି କଠୋରତମ ଦଣ୍ତ ବିଧାନ ପାଇଁ ଦେଶବ୍ୟାପୀ ଦାବି ଶୀର୍ଷ ସ୍ତରରେ ପହଞ୍ଚିଥିବା ବେଳେ ଓକିଲ ଏ ପି ସି˚ହଙ୍କର ଏତାଦୃଶ ଆଚରଣ ହୁଏତ ଅନେକଙ୍କୁ ଅବିଶ୍ବାସ୍ୟ ମନେ ହେଉଥିବ। କିନ୍ତୁ ୨୦୧୨ରେ ଜଘନ୍ୟ ନିର୍ଭୟା କାଣ୍ତ ଘଟିବା ପରଠାରୁ ଯେଉଁମାନେ ଏହି ଆଇନଜୀବୀଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି, ସେମାନଙ୍କୁ ଏହା ଆଦୌ ବିସ୍ମିତ କରୁନଥିବ। ସ˚କ୍ଷେପରେ କହିଲେ, ନିର୍ଭୟା ଘଟଣା ପାଇଁ ଏହି ବିଭ୍ରାନ୍ତ ବ୍ୟକ୍ତିଜଣକ ସମ୍ପୂର୍ଣ୍ଣ ରୂପେ ଯୁବତୀ ନିର୍ଭୟାଙ୍କୁ ହିଁ ଦାୟୀ କରିଆସିଛନ୍ତି। ନିର୍ଭୟାଙ୍କ ଦୋଷ ହେଲା, ସେ କାହିଁକି ଜଣେ ପୁରୁଷ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯାଇଥିଲେ। ନିଜର ଝିଅ ବା ଭଉଣୀଙ୍କୁ ଅନୁରୂପ ଆଚରଣ ପାଇଁ ସେ ଜିଅନ୍ତା ଜଳାଇ ଦେବାକୁ ପଛାଇବେ ନାହିଁ ବୋଲି ଏକ ଟେଲିଭିଜନ୍ ସାକ୍ଷାତକାରରେ ଘୋଷଣା କରିଥିଲେ।
ଆଶ୍ଚର୍ଯ୍ୟର କଥା ଏଭଳି ଜଣେ ରକ୍ଷଣଶୀଳ ମାନସିକତା ବହନ କରୁଥିବା ବ୍ୟକ୍ତି ଏକ ଚରଣ ଉଦାରପନ୍ଥୀ ଚିନ୍ତାଧାରାର ପରିପ୍ରକାଶ ସ୍ବରୂପ ଉପରୋକ୍ତ ଆବେଦନରେ ଅକ୍ଷୟକୁ ପ୍ରଦାନ କରାଯାଇଥିବା ମୃତ୍ୟୁଦଣ୍ତ ବିରୋଧରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ମୃତ୍ୟୁଦଣ୍ତ ପ୍ରଦାନ ଦ୍ବାରା ‘‘ଅପରାଧୀକୁ ହତ୍ୟା କରାଯାଇଥାଏ, ଅପରାଧକୁ ନୁହେଁ।’’ ମୃତ୍ୟୁଦଣ୍ତ ପୃଥିବୀ ସାରା ଏକ ବିବଦମାନ ପ୍ରସଙ୍ଗ ହୋଇ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ନିଜର ଆତ୍ମୀୟମାନଙ୍କୁ ଜିଅନ୍ତା ଜଳାଇବାକୁ ପ୍ରସ୍ତୁତ ଥିବା ଜଣେ ବ୍ୟକ୍ତି ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ତ ପ୍ରଦାନ ବିରୋଧରେ ଯୁକ୍ତି କରିବା ଏକ ଚରମ ଶଠତା କିମ୍ବା ଭବିଷ୍ୟତରେ ନିଜକୁ ରକ୍ଷା କରିବା ପାଇଁ ଏକ ଆତ୍ମରକ୍ଷା କୌଶଳ ଭଳି ମନେ ହୋଇଥାଏ।
ଅଦାଲତ କିମ୍ବା ଦେଶର ଜନସାଧାରଣ ଅବଶ୍ୟ ନରହନ୍ତା ଧର୍ଷଣକାରୀ ଅକ୍ଷୟ ସି˚ହ କିମ୍ବା ତା’ର ଓକିଲ ଏ ପି ସି˚ହଙ୍କର ଏପରି ପ୍ରଦୂଷଣ ଭିତ୍ତିକ ଓ ଅପରାଧ-ଅପରାଧୀ ମଧୢରେ ପ୍ରଭେଦ ଭିତ୍ତିକ ଯୁକ୍ତି ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା କ୍ଷୀଣ। ପ୍ରଦୂଷଣ ଯୋଗୁଁ ଭାରତୀୟମାନଙ୍କର ଆୟୁଷ ଯେତେ ହ୍ରାସ ପାଇଲେ ମଧୢ ଅକ୍ଷୟ ଭଳି ଅପରାଧୀ ସେତିକି ଆୟୁଷ ମଧୢ ଉପଭୋଗ କରିବାକୁ ଉପଯୁକ୍ତ ନୁହେଁ ବୋଲି ଦେଶର ନ୍ୟାୟ ବ୍ୟବସ୍ଥା ସିଦ୍ଧାନ୍ତରେ ପହଞ୍ଚି ସାରିଛି। ଆଉ ଅପରାଧ-ଅପରାଧୀ ମଧୢରେ ପ୍ରଭେଦ ଯେଉଁ ଭ୍ରାତୃଭାବ ଦ୍ବାରା ପ୍ରସୂତ ହୋଇଥାଏ, ତାହା ଯଦି ଏପରି ସମ୍ପୂର୍ଣ୍ଣ ସର୍ତ୍ତହୀନ ହୁଏ, ତେବେ ଅକ୍ଷୟ ଓ ତାର ଅନ୍ୟ ଚାରିଜଣ ସାଥୀ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ନିର୍ଭୟାଙ୍କ ପ୍ରତି ଦିଲ୍ଲୀରେ ପ୍ରଦର୍ଶନ କରିଥିବା ଆଚରଣ ସମାଜର ଏକ ସାଧାରଣ ଆଚରଣରେ ପରିଣତ ହେବ। ବାସ୍ତବରେ ଦଣ୍ତ ପ୍ରଦାନରେ ଅବହେଳା ଓ ଚରମ ଶିଥିଳତା ହିଁ ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଧର୍ଷଣ ବିସ୍ଫୋରଣ ପାଇଁ ଦାୟୀ ବୋଲି ବିଶ୍ବାସ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)