ନରମ ନିଶାଣ

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କର ବ୍ରାହ୍ମଣ-ଭିକାରି ମନ୍ତବ୍ୟକୁ କେନ୍ଦ୍ର କରି ଉଜାଗର ହୋଇଥିବା ବିବାଦ-ଭଉଁରିକୁ ଭେଦ କରି ଯେଉଁ ଦୁଇଜଣ ନେତା ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି, ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର। ଭିନ୍ନ ଭିନ୍ନ କାରଣରୁ ସେମାନେ ଏହି ପ୍ରଶଂସାର ଅଧିକାରୀ। ପ୍ରଥମେ ବିରୋଧୀଦଳ ନେତାଙ୍କ ପ୍ରତିକ୍ରିୟା ଉପରେ ଦୃଷ୍ଟିପାତ କରାଯାଉ।

ଦାମୋଦର ରାଉତ ବ୍ରାହ୍ମଣମାନଙ୍କୁ ଭିକାରି ରୂପେ ବର୍ଣ୍ଣନା କରିବା ପରେ ରାଜ୍ୟର କେତେକ ସ୍ଥାନରେ ବ୍ରାହ୍ମଣମାନେ ଏହା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ ତ କ୍ରୋଧ ଜର୍ଜରିତ ହୋଇ ଶ୍ରୀ ରାଉତଙ୍କ ଉଦ୍ଦେଶ୍ୟରେ ବ୍ରହ୍ମ ଅଭିଶାପ ମଧ୍ୟ ଦେବା ଦେଖାଯାଇଥିଲା। ନରସିଂହ ମିଶ୍ର ନିଜେ ହେଉଛନ୍ତି ଜାତିରେ ବ୍ରାହ୍ମଣ। ସେ କିନ୍ତୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ଅତ୍ୟନ୍ତ ଧୀରସ୍ଥିର ଓ ହାଲୁକା ଭାବରେ କହିଲେ ଯେ ଦାମୋଦର ରାଉତଙ୍କ ମନ୍ତବ୍ୟରେ ବ୍ରାହ୍ମଣମାନେ ଅପମାନିତ ବୋଧ କଲା ଭଳି କିଛି ନାହିଁ। ଅର୍ଥାତ୍‌ ବ୍ରାହ୍ମଣ ଯେ ଭିକ୍ଷା ମାଗେ, ଏଥିରେ ଅସ୍ୱାଭିକତା କିଛି ନାହିଁ। ଏଥିରୁ ମନେହୁଏ, ଶ୍ରୀ ମିଶ୍ର ତାଙ୍କର ଆଦ୍ୟ କୈଶୋରରେ ଉପନୟନ ମାଧ୍ୟମରେ ବ୍ରାହ୍ମଣତ୍ୱରେ ପ୍ରବେଶ କରିବା ସମୟରେ ପାଇଥିବା ଅମୂଲ୍ୟ ଶିକ୍ଷା ଓ ଦୀକ୍ଷାକୁ ଏବେ ବି ପାଳନ କରୁଛନ୍ତି। ସେ ସମୟରେ କାନ୍ଧରେ ଉପବୀତ ଧାରଣ କରି କିଶୋରଟି ବ୍ରହ୍ମଚାରୀରେ ପରିଣତ ହେବା ପରେ ପରେ ତା’ର ମୁଖରୁ ଯେଉଁ ବାକ୍ୟ ବାହାରିଥାଏ ତାହା ହେଲା: ‘‘ଭବତି ଭିକ୍ଷାମ୍‌ ଦେହି।’’ ଏହାର ଅର୍ଥ ସୁସ୍ପଷ୍ଟ: ‘‘ମତେ କିଛି ଭିକ୍ଷା ଦିଅନ୍ତୁ।’’ ପିଲାବେଳକୁ ପଛରେ ପକାଇ ବ୍ରାହ୍ମଣରେ ପରିଣତ ହେବା ସମୟରେ ଏହି ବାକ୍ୟଟିକୁ ତିନିଥର ଉଚ୍ଚାରଣ କରିବାର ମର୍ମ ହେଲା ଏଣିକି ସେ ସାରାଜୀବନ ଆତ୍ମବଡ଼ିମାକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ଈଶ୍ୱରଙ୍କ ସମସ୍ତ ଦାନ ବିନୟର ସହିତ ଗ୍ରହଣ କରିବ। ନରସିଂହ ମିଶ୍ରଙ୍କର ପ୍ରତିକ୍ରିୟାରେ ଏହି ବ୍ରାହ୍ମଣସୁଲଭ ଆତ୍ମବଡ଼ିମାଶୂନ୍ୟତା ସୁସ୍ପଷ୍ଟ।

ପାଶ୍ଚାତ୍ୟ ଜଗତ୍‌ର ପ୍ରାଚ୍ୟତତ୍ତ୍ୱବିତ୍‌ ମାନଙ୍କ ଦ୍ୱାରା ପ୍ରସାରିତ ମତ ଅନୁସାରେ ହିନ୍ଦୁ ଧର୍ମରେ ତଥାକଥିତ ବ୍ରାହ୍ମଣବାଦ ବିସ୍ତାର କରିଥିବା ଆଧିପତ୍ୟ ବିରୁଦ୍ଧରେ ବିଦ୍ରୋହସ୍ୱରୂପ ଭାରତରେ ବୌଦ୍ଧଧର୍ମର ଆବିର୍ଭାବ ଘଟିଥିଲା। ଏଥିରୁ ମନେ ହେବ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ତଥାଗତଙ୍କ ପାଇଁ ବ୍ରାହ୍ମଣ ଏକ ଘୃଣ୍ୟ ଚରିତ୍ର ଏବଂ ତାଙ୍କର ଧର୍ମବାଣୀରେ ଏହା ଏକ ନିଷିଦ୍ଧ ଶବ୍ଦ ହୋଇଥିବ। କିନ୍ତୁ ‘ସୂତ୍ର ପିଟକ’ ଅନ୍ତର୍ଗତ ବୁଦ୍ଧଦେବଙ୍କ ମୁଖନିଃସୃତ ବାଣୀ ସମ୍ବଳିତ ପଦ୍ୟାବଳୀ ‘ଧମ୍ମପଦ’ର ସର୍ଗ-୨୬ର ଶୀର୍ଷକ ହେଉଛି: ‘‘ବ୍ରାହ୍ମଣ କିଏ?’’ ସେଥିରେ ଗୌତମ ଠାଏ କହିଛନ୍ତି: ‘‘ଯିଏ ଭୟଶୂନ୍ୟ ହୋଇଥାନ୍ତି ଏବଂ ବନ୍ଧନମୁକ୍ତ ହୋଇଥାନ୍ତି, ତାଙ୍କୁ ମୁଁ ବ୍ରାହ୍ମଣ କହେ।’’ ନରସିଂହ ମିଶ୍ର ଉପରୋକ୍ତ ମନ୍ତବ୍ୟ ପ୍ରଦାନ ସମୟରେ ବର୍ତ୍ତମାନ ଉତ୍‌କ୍ଷିପ୍ତ ବ୍ରାହ୍ମଣ ସମାଜର ସମ୍ଭାବ୍ୟ ବିଷ ଦୃଷ୍ଟିକୁ ଭୟ କରିନାହାନ୍ତି ଏବଂ ଅହଂକାର ବନ୍ଧନରୁ ମୁକ୍ତ ରହିଛନ୍ତି। ତଥାଗତଙ୍କ ଦୃଷ୍ଟିରେ ସେ ଜଣେ ପ୍ରକୃତ ବ୍ରାହ୍ମଣ ରୂପେ ବିବେଚିତ ହୁଅନ୍ତେ। ବୁଦ୍ଧଦେବ ଜଣେ ପ୍ରକୃତ ବ୍ରାହ୍ମଣ ଠାରେ ଆଉ ଯାହା ସମସ୍ତ ଗୁଣମାନ ଦେଖିବାକୁ ଚାହୁଁଥିଲେ ସେଥି ମଧ୍ୟରେ ଥିଲା କର୍ତ୍ତବ୍ୟ ପରାୟଣତା, ନୀତିନିଷ୍ଠା, ସତ୍ୟବାଦିତା ଇତ୍ୟାଦି। ନିଜକୁ ଭିକାରି ବୋଲି ସ୍ୱୀକାର କରିବାକୁ କୁଣ୍ଠିତ ନଥିବା ନରସିଂହ ମିଶ୍ରଙ୍କ ଠାରେ ଏ ସମସ୍ତ ଗୁଣମାନଙ୍କର ଉପସ୍ଥିତି ମଧ୍ୟ ଦେଖି ପାରୁଥିବେ ଡାକ୍ତର ଦାମୋଦର ରାଉତ। ଭିକ୍ଷା ମାଗିବା ବ୍ରାହ୍ମଣର ଏକମାତ୍ର ପରିଚୟ ନୁହେଁ। ସେଇ ଧମ୍ମପଦର ୩୮୯ତମ ପଦରେ ଗୌତମ କହିଛନ୍ତି: ‘‘କେହି ବି ଜଣେ ବ୍ରାହ୍ମଣଙ୍କୁ କେବେ ହେଲେ ଆଘାତ କରିବା ଉଚିତ ନୁହେଁ; କି ଜଣେ ବ୍ରାହ୍ମଣ ମଧ୍ୟ ଆଘାତକାରୀ ପ୍ରତି କ୍ରୋଧ ଅନୁଭବ କରିବା ଉଚିତ ନୁହେଁ।’’ ଏ ଦୃଷ୍ଟିରୁ ତାଙ୍କର ମନ୍ତବ୍ୟ ପାଇଁ ଦାମୋଦର ରାଉତଙ୍କୁ ଅଭିଶାପ ପ୍ରଦାନ ମଧ୍ୟ ଏକ ବ୍ରାହ୍ମଣସୁଲଭ କାର୍ଯ୍ୟ ନୁହେଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ରାହ୍ମଣ-ବିବାଦରେ ଗ୍ରହଣ କରିଥିବା ଆଭିମୁଖ୍ୟର ବିଶେଷତ୍ୱ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପୂର୍ବରୁ ଏହା ସ୍ପଷ୍ଟ ରୂପେ ଉଲ୍ଲେଖ କରିବା ଆବଶ୍ୟକ ଯେ ଭାରତର ତଥାକଥିତ ଧର୍ମନିରପେକ୍ଷ ବାମ-ଉଦାରପନ୍ଥୀ ରାଜନୀତିର ଏକ ମୁଖ୍ୟ ଆଧାର ହେଉଛି ‘ବ୍ରାହ୍ମଣବାଦ’ ପ୍ରତି ବିରୋଧ, ଯାହା ବ୍ରାହ୍ମଣଙ୍କ ପ୍ରତି ଘୃଣା ଓ ବିରୋଧର ରୂପ ନେଇଥାଏ (ରାହୁଲ ଗାନ୍ଧୀଙ୍କ ନବଆବିଷ୍କୃତ ବ୍ରାହ୍ମଣତ୍ୱ ସତ୍ତ୍ୱେ)। ଏହାର ଏକ ସଦ୍ୟତମ ପରିପ୍ରକାଶ ଏବେ ଦେଖିବାକୁ ମିଳିଥିଲା ଏକ ଗୋଖାଦ୍ୟ ଦୁୁୁର୍ନୀତି ମାମଲାରେ ସିବିଆଇ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କଲା ପରେ ପରେ। ସେଇ ନିର୍ଦ୍ଦିଷ୍ଟ ମାମଲାରେ ଆଉଜଣେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଲାଲୁ ଓ ତାଙ୍କ ସମଥକମାନେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ଯେ ଜଗନ୍ନାଥ ମିଶ୍ର ବ୍ରାହ୍ମଣ ଜାତିର ହୋଇଥିବାରୁ ତାଙ୍କୁ ଅଦାଲତ ଖଲାସ କରିଦେଇଛି ଏବଂ ଲାଲୁ ପଛୁଆ ବର୍ଗର ହୋଇଥିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସେତିକି ନୁହେଁ, ଲାଲୁ ସମର୍ଥକ ମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଭାରତର ଅଦାଲତ ମାନଙ୍କର ଅଧିକାଂଶ ବିଚାରପତି ଉଚ୍ଚଜାତିର ହୋଇଥିବାରୁ, ଲାଲୁଙ୍କ ପରି ପଛୁଆଜାତିର ଲୋକମାନେ ନ୍ୟାୟ ପାଉନାହାନ୍ତି। ଭାରତୀୟ ରାଜନୀତିରେ ବ୍ରାହ୍ମଣମାନେ କିଭଳି ନରମ ନିଶାଣରେ ପରିଣତ ହୋଇଛନ୍ତି ଦାମଙ୍କ ଆକ୍ଷେପ ଭଳି ଏହା ତା’ର ଆଉ ଏକ ସଦ୍ୟ ପ୍ରମାଣ। ଆଉ ଏହି ବ୍ରାହ୍ମଣ-ବିରୋଧୀ ରାଜନୀତି କିପରି ଉଦ୍ଭଟ ସ୍ତରକୁ ଯାଇପାରେ ତା’ର ଏକ ରୋଚକ ପ୍ରମାଣ ଦେଖିବାକୁ ମିଳିଥିଲା କେତେଦିନ ତଳେ ଏହି ରାଜନୀତିର ଅନ୍ୟତମ ପ୍ରାଣକେନ୍ଦ୍ର ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ଠାରେ। ସେଠାରେ ୨୦୧୬ ଅକ୍ଟୋବର ୧୫ ଠାରୁ ନଜୀବ ଅହମ୍ମଦ ନାମକ ଜଣେ ଛାତ୍ର ରହସ୍ୟଜନକ ଭାବରେ ନିଖୋଜ ହୋଇଯିବା ପରେ ସେଠାରେ ଏଥିପାଇଁ ‘ବ୍ରାହ୍ମଣବାଦ’କୁ ଦାୟୀ କରି ପୋଷ୍ଟର ଏବଂ ପ୍ରଚାରପତ୍ର ମାନ ଦେଖିବାକୁ ମିଳିଥିଲା!

ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ ସାଧାରଣତଃ ଏକ ବ୍ରାହ୍ମଣବାଦୀ ପାର୍ଟି ବୋଲି ଏହାର ବିରୋଧୀମାନେ ଚିତ୍ରିତ କରିଥାନ୍ତି। କିନ୍ତୁ ନା କେନ୍ଦ୍ର ସରକାର ନା କୌଣସି ଭାଜପା ଶାସିତ ରାଜ୍ୟ ସରକାର ଏକ ବ୍ରାହ୍ମଣ-ବିରୋଧୀ ମନ୍ତବ୍ୟ ପ୍ରଦାନ ଦୋଷରେ କୌଣସି ମନ୍ତ୍ରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ କରିବା କେବେ ଦେଖାଯାଇଛି, ଯେପରି ଦାମୋଦର ରାଉତଙ୍କ ବିରୋଧରେ ନବୀନ ପଟ୍ଟନାୟକ କରିଛନ୍ତି। ଆଉ କୌଣସି ଅଣଭାଜପା ସରକାର ଥିବା ରାଜ୍ୟରେ ତ ଏପରି ଘଟିବାର ପ୍ରଶ୍ନ ଉଠୁନାହିଁ। ଏହି କାର୍ଯ୍ୟାନୁଷ୍ଠାନ ଯେ ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ପ୍ରଥମ ଏପରି ଘଟଣା, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ରାଜନୀତିରେ ଶିଷ୍ଟାଚାର ପ୍ରତି ନବୀନ ଦେଉଥିବା ଗୁରୁତ୍ୱର ଏକ ସ୍ୱାଗତଯୋଗ୍ୟ ଉଦାହରଣ। ଶେଷରେ, ବହିଷ୍କୃତ ମନ୍ତ୍ରୀ ଦାମୋଦର ରାଉତ ନିଜକୁ ବିଜୁ ପଟ୍ଟନାୟକଙ୍କର ଜଣେ ସଚ୍ଚା ଶିଷ୍ୟ ରୂପେ ଦାବି କରିଥାନ୍ତି। ତାଙ୍କର ନିଶ୍ଚୟ ମନେଥିବ, ବିଜୁ ପଟ୍ଟନାୟକ ସର୍ବଦା କହୁଥିଲେ- ଗରିବର ଜାତି ନାହିଁ। ଭିକ ଗରିବ ହିଁ ମାଗିଥାଏ। ବିଜୁ ପଟ୍ଟନାୟକଙ୍କର ଏହି ପଟ୍ଟଶିଷ୍ୟ ଭିକ୍ଷାବୃତ୍ତିକୁ ଏକ ନିର୍ଦ୍ଦିଷ୍ଟ ଜାତି ସହିତ ଯୋଡ଼ି ବିଜୁ-ବିରୋଧୀ କାର୍ଯ୍ୟ କରି ନାହାନ୍ତି କି?

ସମ୍ବନ୍ଧିତ ଖବର