Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ସ୍ୱଚ୍ଛତାର ନୂଆ ଅଧ୍ୟାୟ

0 244

ଭାରତୀୟ ନ୍ୟାୟପାଳିକାର ଇତିହାସରେ ସ୍ୱଚ୍ଛତାର ଏକ ନୂଆ ଉଜ୍ଜ୍ୱଳ ଅଧ୍ୟାୟ ଯୋଡ଼ି ହୋଇଛି। ଏହାର ଶ୍ରେୟ ବର୍ତ୍ତମାନ କାର୍ଯ୍ୟରତ ସୁପ୍ରିମ୍‌କୋର୍ଟର ୪୫ତମ ପ୍ରଧାନ ନ୍ୟାୟାଧୀଶ, ଓଡ଼ିଶା ମାଟିର ସନ୍ତାନ ନ୍ୟାୟମୂର୍ତ୍ତି ଦୀପକ କୁମାର ମିଶ୍ରଙ୍କୁ ଯିବ। ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ନେଉଥିବା ସୁପ୍ରିମ୍‌କୋର୍ଟର ପାଞ୍ଚଜଣିଆ କଲେଜିୟମ୍‌ର କାର୍ଯ୍ୟ ବିବରଣୀ ଆଉ ଗୋପନୀୟ ରଖା ନଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ମିଶ୍ରଙ୍କ ଦ୍ୱାରା ଆଗତ ଏ ସମ୍ପର୍କିତ ପ୍ରସ୍ତାବ କଲେଜିୟମ୍‌ରେ ଅକ୍ଟୋବର ୩ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହେବାପରେ ଛଅରେ କେବଳ ନୂଆ ବ୍ୟବସ୍ଥାର ଘୋଷଣା କରାଯାଇନାହିଁ, ଏହାକୁ ତୁରନ୍ତ କାର୍ଯ୍ୟକାରୀ ମଧ୍ୟ କରାଯାଇଛି। କେରଳ ଓ ମାଡ୍ରାସ ହାଇକୋର୍ଟରେ ବିଚାରପତି ନିଯୁକ୍ତି ସମ୍ପର୍କିତ ତଥ୍ୟ ସର୍ବୋଚ୍ଚ ନ୍ୟାୟାଳୟର ଓ୍ଵବ୍‌ସାଇଟ୍‌ରେ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରସାରିତ ହୋଇଛି।

ନିଃସନ୍ଦେହ, ଏହା ଏକ ଯୁଗାନ୍ତକାରୀ ଐତିହାସିକ ପଦକ୍ଷେପ ଓ ଏହାଦ୍ୱାରା ଉଚ୍ଚ ନ୍ୟାୟପାଳିକାର ସ୍ୱଚ୍ଛତାର ଏକ ସୁସ୍ଥ ପରମ୍ପରାର ଅୟମାରମ୍ଭ ହୋଇଛି। ନିକଟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଜୟନ୍ତ ପଟେଲଙ୍କ ବଦଳି ଏବଂ ପରେ ପଦୋନ୍ନତିରେ ଉପେକ୍ଷିତ ହେବା ପ୍ରତିବାଦରେ ତାଙ୍କ ଇସ୍ତଫାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ସହ କଲେଜିୟମ୍‌ର ସ୍ୱଚ୍ଛତା ନିଷ୍ପତ୍ତିକୁ ଯୋଡ଼ାଯାଉଛି। କିନ୍ତୁ କେବଳ ଏହି ଘଟଣା ନୁହେଁ, ସ୍ୱଚ୍ଛତା ପ୍ରସଙ୍ଗରେ ଏହି ପଦକ୍ଷେପର ପୃଷ୍ଠଭୂମିରେ ରହିଛି ଆହୁରି ଅନେକ ବିବାଦୀୟ ଘଟଣା, ଦୀର୍ଘ ବର୍ଷର ମାନସ ମନ୍ଥନ ଏବଂ ଖୋଦ୍‌ ସର୍ବୋଚ୍ଚ ନ୍ୟାୟାଳୟ ବହୁସଂଖ୍ୟକ ମାମଲାରେ ଶୁଣାଇଥିବା ‘ଆତ୍ମଶୁଦ୍ଧି’ ମୂଳକ ରାୟ। ମାନ୍ୟବର ସୁପ୍ରିମ୍‌କୋର୍ଟ ତାଙ୍କର ଅନେକ ରାୟରେ କାର୍ଯ୍ୟ-ନିର୍ବାହୀକୁ ସ୍ୱଚ୍ଛତାର ମନ୍ତ୍ର ପଢ଼ାଇଛନ୍ତି, ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟଧାରାରେ ଅଧିକ ସ୍ୱଚ୍ଛତା ଉପରେ ଜୋର୍‌ ଦେଇଚନ୍ତି। ଅଥଚ, ନିଜ କ୍ଷେତ୍ରରେ ସ୍ୱଚ୍ଛତା ଲାଗୁ କଲାବେଳକୁ ରକ୍ଷଣଶୀଳତାସୁଲଭ କୁଣ୍ଠା ବାଟ ଓଗାଳୁଥିଲା। ଗତ ଦୁଇବର୍ଷ ତଳେ ଉଚ୍ଚ ନ୍ୟାୟପାଳିକାର ବିଚାରପତି ନିଯୁକ୍ତି ପାଇଁ ଏନ୍‌ଜେଏସି (ନ୍ୟାସ୍‌ନାଲ ଜୁଡ଼ିସିଆଲ୍‌ ଆପଏଣ୍ଟମେଣ୍ଟ କମିସନ୍‌) ଗଠନ ପାଇଁ ସଂସଦରେ ପ୍ରଣୀତ ଆଇନକୁ ରଦ୍ଦ କରି ଦେଇ ସୁପ୍ରିମ୍‌ କୋର୍ଟ ୧୯୯୬ରୁ ଚାଲି ଆସିଥିବା କଲେଜିୟମ୍‌ ବ୍ୟବସ୍ଥାକୁ ବଳବତ୍ତର ରଖିଥିଲେ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ କଲେଜିୟମ୍‌ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରାଯିବା ସହ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।

ଏହି ପାଞ୍ଚଜଣିଆ ବେଞ୍ଚର ଦୁଇଜଣ ବିଚାରପତି ନ୍ୟାୟମୂର୍ତ୍ତି ଜେ.ଚେଲାମେଶ୍ୱର ଏବଂ ନ୍ୟାୟମୂର୍ତ୍ତି କୁରିଆନ୍‌ ଜୋସେଫ୍‌ ନିର୍ଦ୍ଦିଷ୍ଟ ଭାବେ ଟିପ୍ପଣୀ ରଖିଥିଲେ ଯେ କଲେଜିୟମ୍‌ ବ୍ୟବସ୍ଥାରେ ସ୍ୱଚ୍ଛତା ନାହିଁ। ବିଚାରପତି ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟାର ମର୍ଯ୍ୟାଦା ଓ ଗରିମା ଦୃଷ୍ଟିରୁ ଗୋପନୀୟତାର ପରଦା ହଟାଇ ସ୍ୱଚ୍ଛତା ନିଶ୍ଚିତ କରାଯିବା ଉଚିତ। ଇତିମଧ୍ୟରେ ଦୁଇବର୍ଷ ବିତିଯାଇଛି, ତିନିଜଣ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ମଧ୍ୟ ସରିଯାଇଛି। କିନ୍ତୁ କେହି ବି ସୁପ୍ରିମ୍‌କୋର୍ଟର ଅକ୍ଟୋବର ୨୦୧୫ର ଏନ୍‌ଜେଏସି ରାୟର ଛାୟାରେ କଲେଜିୟମ୍‌ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନ ନେଇ ଏହାକୁ ଏଡ଼ାଇ ଯାଇଛନ୍ତି। ଏପରିକି କଲେଜିୟମ୍‌ର ସଦସ୍ୟ ଥିବା ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ସ୍ୱଚ୍ଛତାର ଅଭାବ ନେଇ ଅସନ୍ତୋଷ ଜଣାଇ କଲେଜିୟମ୍‌ରୁ ନିଜକୁ ଦୂରେଇ ରଖିଥିଲେ। କୋଲ୍‌କାତା ହାଇକୋର୍ଟର ବିବାଦୀୟ ତଥା ପଦଚ୍ୟୁତ ବିଚାରପତି ନ୍ୟାୟମୂର୍ତ୍ତି କର୍ଣ୍ଣନ୍‌ ମଧ୍ୟ ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତାର ଅଭାବ ପ୍ରତି ଅଙ୍ଗୁଳି ଦେଖାଇଥିଲେ। ଶେଷରେ ଏହି ଧାରାରେ ଯବନିକା ଟାଣି ପ୍ରଧାନ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ଅଗଷ୍ଟ ୨୮ରେ ଦାୟିତ୍ୱ ନେବାର ଚାଳିଶ ଦିନ ଭିତରେ ସ୍ୱଚ୍ଛତାର ନୂଆ ପରମ୍ପରାର ମଞ୍ଜି ବପନ କରିଛନ୍ତି। ସେଥିପାଇଁ ନ୍ୟାୟମୂର୍ତ୍ତି ମିଶ୍ର ନିଶ୍ଚିତ ଭାବେ ଅଭିନନ୍ଦନ ଓ ପ୍ରଶଂସାର ପାତ୍ର। ନ୍ୟାୟପାଳିକାର ସମ୍ମାନ ଓ ଗରିମାମୟ ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ୱଳ କରିବା ଲାଗି ଏହା ତାଙ୍କର ଦାୟିତ୍ୱବୋଧ ଓ ଅଙ୍ଗୀକାରର ପରିଚାୟକ। ଭାରତର ଉଚ୍ଚ ନ୍ୟାୟପାଳିକାରେ ସ୍ୱଚ୍ଛତା ପ୍ରସଙ୍ଗ ଯେତେବେଳେ ବି ଆଲୋଚନା ହେବ, ସେତେବେଳେ ସ୍ୱଚ୍ଛତାର ନୂଆ ପରମ୍ପରାର ସୂତ୍ରଧର ଭାବେ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ନାମ ମଧ୍ୟ ସମ୍ମାନର ସହ ନିଆଯିବ।

ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି ସଂକ୍ରାନ୍ତ ସମସ୍ତ ବିବରଣୀକୁ ଗୋପନୀୟତାର ବନ୍ଦୀଶାଳାରୁୁ ମୁକୁଳାଇ, ଖୋଲାଖୋଲି ମୁକ୍ତ ପ୍ରକାଶ ସକାଶେ ନିଆଯାଇଥିବା ପଦକ୍ଷେପ ଫଳରେ କଲେଜିୟମ୍‌ ବ୍ୟବସ୍ଥା ବିରୋଧରେ ସବୁଠାରୁ ବଡ଼ ଅଭିଯୋଗର ଅବକାଶକୁ ଅନେକ ମାତ୍ରାରେ ସଂକୁଚିତ କରାଯାଇ ପାରିଛି। ଏହା ନିଶ୍ଚିତ ଭାବେ ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି କ୍ଷେତ୍ରରେ ପ୍ରିୟାପ୍ରୀତି, ପାତରଅନ୍ତରର ସନ୍ଦେହକୁ ଅନେକାଂଶରେ ଦୂର କରିବ। ସରକାର ଓ ନ୍ୟାୟପାଳିକା ମଧ୍ୟରେ ଟଣାଓଟରା ଯୋଗୁ ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ପ୍ରାୟ ଚାରିଶହ ବିଚାରପତି ପଦରେ ନିଯୁକ୍ତି ନେଇ ଦେଖା ଦେଇଥିବା ଅଚଳାବସ୍ଥା ମଧ୍ୟ ଦୂର ହୋଇ ପ୍ରକ୍ରିୟା ତ୍ୱରାନ୍ଵିତ ହେବାର ସମ୍ଭାବନା ଅଛି। ଅବଶ୍ୟ, ଏ ପ୍ରସଙ୍ଗରେ ଏମ୍‌ଓପି (ମେମୋରାଣ୍ଡମ୍‌ ଅଫ୍‌ ପ୍ରସିଡ଼ିଓର୍‌)କୁ କେନ୍ଦ୍ର କରି ସରକାର ଓ କଲେଜିୟମ୍‌ ମଧ୍ୟରେ ବିବାଦ ଆଉ ଏକ ସମସ୍ୟା। ତେବେ କଲେଜିୟମ୍‌ ନିଷ୍ପତ୍ତିିର ଆଉ ଏକ ସକାରାତ୍ମକ ଦିଗ ହେଲା- ବିଚାରପତି ନିଯୁକ୍ତି ଓ ପଦୋନ୍ନତିରେ ନିଜର ଭୂମିକାକୁ ଅଧିକ ସ୍ୱଚ୍ଛ ଓ ସ୍ପଷ୍ଟ କରିବା ଲାଗି ସରକାରଙ୍କ ଉପରେ ଏହା ଚାପ ପକାଇବ। ବର୍ତ୍ତମାନ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି କଲେଜିୟମ୍‌ ଉପରେ ନ୍ୟସ୍ତ ଥିଲେ ସୁଦ୍ଧା ସରକାରଙ୍କ ମଧ୍ୟ ଏ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଭୂମିକା ରହିଛି।

ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ରେ ଗୃହୀତ ଅକ୍ଟୋବର ୩ ତାରିଖର ପ୍ରସ୍ତାବ ଓ ଛଅ ତାରିଖରୁ ଏହାର କାର୍ଯ୍ୟକାରିତା ଏକ ପ୍ରଗତିଶୀଳ ପଦକ୍ଷେପ ଏବଂ ସର୍ବାଦୌ ସ୍ୱାଗତଯୋଗ୍ୟ। ତେବେ ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି ପ୍ରସଙ୍ଗରେ ଅଧିକ ସ୍ୱଚ୍ଛତା ପାଇଁ ଆହୁରି କେତେକ ପଦକ୍ଷେପ ନିଆଯିବାର ଆବଶ୍ୟକତା ଅଛି। ବିଚାରପତି ନିଯୁକ୍ତି ପାଇଁ ଯୋଗ୍ୟତାର ମାପକାଠି ନିର୍ଦ୍ଧାରିତ ହେବା ଉଚିତ। ପଦୋନ୍ନତି ଓ ବଦଳି ପାଇଁ ନିର୍ଦ୍ଦିଷ୍ଟ ମାପଦଣ୍ଡ ସହ ସ୍ପଷ୍ଟ ନୀତି ପ୍ରଣୟନ ହେବା ଦରକାର। ନୀତି ଓ ମାପଦଣ୍ଡ ସ୍ପଷ୍ଟ ହୋଇଗଲେ ବ୍ୟକ୍ତିଗତ ପସନ୍ଦ, ନାପସନ୍ଦ ପାଇଁ ‘ଇଚ୍ଛାଧୀନ’ କ୍ଷମତାର ପ୍ରୟୋଗ ସକାଶେ ବିଶେଷ ଅବକାଶ ରହିବ ନାହିଁ। ସ୍ୱଚ୍ଛତା ସଂଦର୍ଭରେ ଏହା ଉଲ୍ଲେଖ କରିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ ମାନ୍ୟବର ସୁପ୍ରିମ୍‌କୋର୍ଟ ସୂଚନା ଅଧିକାର ଆଇନର ପରିସରରୁ ବର୍ତ୍ତମାନ ସୁଦ୍ଧା ନିଜକୁ ଦୂରେଇ ରଖିବା ସ୍ୱଚ୍ଛତା ଭାବନାର ଆଦୌ ଅନୁକୂଳ ନୁହେଁ। ଅଧିକ ସ୍ୱଚ୍ଛତା ପାଇଁ ମାନ୍ୟବର କୋର୍ଟ ନିଜକୁ ସମ୍ପୂର୍ଣ୍ଣ ଭାବେ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରିବା ନେଇ ପୁନଃଚିନ୍ତନ କରିବେ ବୋଲି ଆଶା। ଯଦି ମାନ୍ୟବର ସର୍ବୋଚ୍ଚ ଅଦାଲତ ନିଜକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରନ୍ତି, ତେବେ ତାହା ସ୍ୱଚ୍ଛତା ଦିଗରେ ଆଉ ଏକ ମାଇଲଖୁଣ୍ଟ ହେବ। କେବଳ ସ୍ୱଚ୍ଛତା ନୁହେଁ, ନ୍ୟାୟପାଳିକାର ନିରପେକ୍ଷତା, ସାଧୁତା ରକ୍ଷା ପାଇଁ ବିଚାରପତିମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସମୟାବଦ୍ଧ ତଦନ୍ତ ଓ ତାର ବିଚାରପାଇଁ ଏକ ସ୍ଥାୟୀ ସ୍ୱଚ୍ଛ ବ୍ୟବସ୍ଥାର ଆବଶ୍ୟକତା ନେଇ ମଧ୍ୟ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ।

ମନେ ରଖିବାକୁ ହେବ ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱଚ୍ଛତା ହିଁ ଉତ୍ତମ ଶାସନର ଗୋଟିଏ ଚାବିକାଠି। ବ୍ୟବସ୍ଥା ଯେତେ ଅଧିକ ସ୍ୱଚ୍ଛ ହୁଏ, ଶାସନର ଅଙ୍ଗମାନେ, ସେ କାର୍ଯ୍ୟନିର୍ବାହୀ ହେଉ ଅବା ନ୍ୟାୟପାଳିକା, ସେତେ ଅଧିକ ସମ୍ବେଦନଶୀଳ, ଉତ୍ତରଦାୟୀ ଓ ଦକ୍ଷ ହୋଇଥାନ୍ତି। ଯାହା ସାଧୁତା ଓ ନିରପେକ୍ଷତା ନିଶ୍ଚିତ କରିବା ଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

7 + 17 =