ଓଳିଆରୁ ଗଜା

ଏକ ସଦ୍ୟଜାତ ଶିଶୁ କଥା କହୁଥିବା ଦେଖାଯାଏ ନାହିଁ କାହିଁକି? କିମ୍ବା ପ୍ରଶ୍ନଟିକୁ ଅନ୍ୟ ପ୍ରକାରେ ପଚାରିଲେ: ଶିଶୁଟିଏ କଥା କହି କହି ଜନ୍ମ ହୁଏ ନାହିଁ କାହିଁକି? ଏହାର ଏକ ଆମୋଦଦାୟକ ଆ˚ଶିକ ଉତ୍ତର ହୋଇପାରେ- ମାନବ ଶିଶୁ ତରବର ହୋଇ ମାତୃଗର୍ଭ ପରିତ୍ୟାଗ କରି ଭୂମିଷ୍ଠ ହେଉଥିବାରୁ। ମାନବ ଶିଶୁ ପ୍ରସବକୁ ତରବରିଆ ବୋଲି କାହିଁକି କୁହାଯିବ? ଏହାର ଉତ୍ତର ଖୋଜିବା ପାଇଁ ଏକ ତୁଳନା କରିବା ଆବଶ୍ୟକ ହେବ। ମନୁଷ୍ୟ ହେଉଛି ଏକ ମାଙ୍କଡ଼ ଜାତୀୟ ଜୀବ ବୋଲି ଆମେ ଜାଣୁ। ଅନ୍ୟ ମାଙ୍କଡ଼ମାନଙ୍କର ଛୁଆ ସେ ମାଙ୍କଡ଼ମାନଙ୍କର ଜୀବନଚକ୍ରର ହାରାହାରି ଯେତିକି ଅନୁପାତ ମାତୃଗର୍ଭରେ ବିତାଇଥାନ୍ତି, ମନୁଷ୍ୟ ଶିଶୁ ସେ ତୁଳନାରେ ମନୁଷ୍ୟ ଜୀବନଚକ୍ରର ଅପେକ୍ଷାକୃତ କମ୍‌ ଅନୁପାତ ମାତୃଗର୍ଭରେ ବିତାଇଥାଏ। ଯଦି ମନୁଷ୍ୟ ଶିଶୁ ମଧୢ ମର୍କଟ ଶିଶୁ ସହ ସମାନୁପାତିକ ଭାବରେ ଜନନୀ ଜଠରରେ ବାସ କରନ୍ତା, ତେବେ ସେ ଅଠରମାସ ବୟସରେ ଯାଇ ଭୂମିଷ୍ଠ ହୁଅନ୍ତା। ଏହି ବୟସରେ ହିଁ ମାନବ ଶିଶୁ ପ୍ରଥମେ କିଛି ଶବ୍ଦ ଏକାଠି କରି ଧ୍ବନି ସୃଷ୍ଟି କରିବା ଆରମ୍ଭ କରିଥାଏ। ତେଣୁ ସେପରି ହୋଇଥିଲେ ମାନବ ଶିଶୁ କଥା କହି କହି ଜନ୍ମ ହୁଅନ୍ତା।

ଏହି ସଅଳ ଭୂମିଷ୍ଠ ହେଉଥିବା ମାନବ ସନ୍ତାନମାନେ ମାତୃଗର୍ଭ ତ୍ୟାଗ କଲା ପରେ ଯାଇ କଥା କହିବା ଶିଖନ୍ତି। ଶିଶୁମାନେ ନିଜେ ଉତ୍ପନ୍ନ କରୁଥିବା ଧ୍ବନି ମାନ ନିଜେ ଶୁଣି ଶୁଣି ନିଜ ମୁହଁ ଭିତରେ ଥିବା ଧ୍ବନି ଉତ୍ପାଦନକାରୀ ଯନ୍ତ୍ରପାତିକୁ କିଭଳି ବ୍ୟବହାର କଲେ କିପରି ଧ୍ବନି ନିର୍ଗତ ହେବ, ତାହା ଆୟତ୍ତ କରିବାକୁ ଆରମ୍ଭ କରନ୍ତି। ପରେ ସେମାନେ ପିତାମାତା ଓ ପରିବାର ସଦସ୍ୟମାନଙ୍କୁ ଅନୁକରଣ କରି ସେମାନେ ବ୍ୟବହାର କରୁଥିବା ଧ୍ବନିଖଣ୍ତ ବା ‘ଫୋନିମ୍‌’ ସବୁ ଆୟତ୍ତ କରିବାରେ ଲାଗନ୍ତି। ଧ୍ବନିଖଣ୍ତରୁ ଶବ୍ଦ, ଶବ୍ଦରୁ ଶବ୍ଦ-ପୁଞ୍ଜି ଦେଇ ସେମାନେ କଥା କହି ଭାବ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ସାଧାରଣତଃ ଏଥିରୁ ଗୋଟିଏ ଦଖଲ କରିବା ପରେ ଯାଇ ଆଉ ଗୋଟିଏକୁ ଦଖଲ କରାଯାଇପାରେ, ଯେଉଁଥି ପାଇଁ ମାନବ ଶିଶୁର କଥା କହିବା ଏକ କ୍ରମ ଅନୁସରଣ କରିବା ଦେଖାଯାଇଥାଏ। ଯେମିତି, ଶବ୍ଦ କହି ଶିଖିବା ପୂର୍ବରୁ ଧ୍ବନିଖଣ୍ତ, ବାକ୍ୟ କହି ଶିଖିବା ପୂର୍ବରୁ ଶବ୍ଦପୁଞ୍ଜ ଓ ଶବ୍ଦ।

ଏହି ଜଟିଳ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପାଇଁ ମସ୍ତିଷ୍କରେ ଯେଉଁ ଜଟିଳ ଯନ୍ତ୍ରପାତି ଠିକଣା ଭାବରେ ଖଞ୍ଜା ହେବା ଆବଶ୍ୟକ, ତାହା ଜନ୍ମ ବେଳକୁ ମନୁଷ୍ୟ ଶିଶୁଠାରେ ସମ୍ପୂର୍ଣ୍ଣ ହୋଇନଥାଏ। ମନୁଷ୍ୟ ହେଉଛି ଏକ ପ୍ରାଣୀ ଯାହାର ମୁଣ୍ତଟି ହେଉଛି ଅସ୍ବାଭାବିକ ଭାବରେ ବଡ଼ ଆକାରର, ଯେଉଁଠି ବିଭିନ୍ନ ଚମତ୍କାର କାର୍ଯ୍ୟ କରିବାର କ୍ଷମତା ବହନ କରୁଥିବା ଯନ୍ତ୍ରପାତି ରହିଥାନ୍ତି। କିନ୍ତୁ ଏତେ ବଡ଼ ମୁଣ୍ତ ଭୂମିଷ୍ଠ ହେବାକୁ ଜନନୀର ସ˚କୀର୍ଣ୍ଣ ‘ଶ୍ରୋଣୀ’ ବା ‘ପେଲ୍‌ଭିସ୍‌’ ଦେଇ ଯାତ୍ରା କରି ପାରିବ ନାହିଁ। ତେଣୁ ଜନ୍ମ ପରେ ଯାଇ ମସ୍ତକର ଆକାର ବୃଦ୍ଧି ସହିତ ଶିଶୁର ମସ୍ତିଷ୍କରେ ବ୍ୟାପକ ପରିବର୍ତ୍ତନ ମାନ ଘଟିଥାଏ ବୋଲି ଆମେ ଜାଣୁ।

ଆକାର ବୃଦ୍ଧି ସହିତ ଶିଶୁର ମସ୍ତିଷ୍କ ଯେଉଁ ସବୁ ନୂଆ ନୂଆ କ୍ଷମତା ହାସଲ କରେ, ସେଗୁଡ଼ିକ ମଧୢରେ ଯାହା ସବୁଠାରୁ ସଅଳ ହାସଲ ହୋଇଥାଏ, ତାହା ମଧୢରେ ଅନ୍ୟତମ ହେଉଛି କଥା କହିବା ଓ ବୁଝିବାର କ୍ଷମତା ବା ଭାଷାଜ୍ଞାନ। ରହସ୍ୟରେ କୁହାଯାଇପାରେ ଶିଶୁଠାରେ ଶବ୍ଦ ଓ ଅତି ମୌଳିକ ବ୍ୟାକରଣ ଦଖଲ କ୍ଷମତାର ଆବିର୍ଭାବ ତାକୁ ଗୋଡ଼େ ଗୋଡ଼େ ଗୋଡ଼ାଇଥାଏ। ଶିଶୁଟିଏ ବିନା ସାହାରାରେ ଠୁକ୍‌ ଠୁକ୍‌ ଚାଲିବାକୁ ଆରମ୍ଭ କରେ ପ୍ରାୟ ପନ୍ଦର ମାସ ବୟସରେ ଏବ˚ ଠିକ୍‌ ସେଇ ସମୟରେ ତା’ଠାରେ ଭାଷା କ୍ଷମତାର ଆବିର୍ଭାବ ଘଟିଥାଏ। ଶିଶୁର ଅନ୍ୟ ସମସ୍ତ ଦକ୍ଷତା ଧୀର ମନ୍ଥର ଗତିରେ ତାର ମସ୍ତିଷ୍କରେ ପ୍ରବେଶ କରୁଥିବା ବେଳେ ଭାଷା ଦକ୍ଷତା ଓଳିଆରୁ ପଡ଼ି ଗଜା ଭଳି ଏତେ ସଅଳ କାହିଁକି ସେଠାରେ ପହଞ୍ଚିଯାଏ?

ପ୍ରସିଦ୍ଧ ଜୈବବିଜ୍ଞାନୀ ଜର୍ଜ ଵିଲିଅମ୍‌ସ ଏହାର ଯେଉଁ ବିବର୍ତ୍ତନବାଦ ଭିତ୍ତିକ ରୋଚକ ଉତ୍ତର ଦେଇଛନ୍ତି, ତାହାର ଏକ ରୂପାନ୍ତରିତ ଉପସ୍ଥାପନ ଏହିପରି ହୋଇପାରେ: ‘ଦୁଇ ଶିଶୁ ରାମ ଓ ଶ୍ୟାମକୁ ପାଣି କୂଳକୁ ଯିବା ପାଇଁ ମା’ ମନା କରିଛନ୍ତି। ସେମାନେ କଥା ନ ମାନି ପାଣିରେ ପଶିବାରୁ ମା’ଙ୍କ ଠାରୁ ମାଡ଼ ଖାଇଲେ। ପରଦିନ ମା’ କହିଲେ ନିଆଁ ପାଖରେ ଖେଳ ନାହିଁ। ସେମାନେ ନିଆଁ ପାଖରେ ଖେଳିବାରୁ ମାଡ଼ ଖାଇଲେ। ତା’ପରଦିନ ମା’ କହିଲେ ଜଙ୍ଗଲ ପାଖକୁ ଯିବ ନାହିଁ, ବାଘ ଅଛି। ଶ୍ୟାମ ବୁଝି ଯାଇଥିଲା ମା’ କହିଥିବା କଥା ନ ମାନିଲେ ମାଡ଼ ଖାଇବା ନିଶ୍ଚିତ; ତେଣୁ ସେ ଜଙ୍ଗଲ ପାଖକୁ ଗଲା ନାହିଁ, ତେଣୁ ତାକୁ ମାଡ଼ ଖାଇବାକୁ ପଡ଼ିଲା ନାହିଁ। ରାମକୁ ମଧୢ ମାଡ଼ ଖାଇବାକୁ ପଡ଼ିଲା ନାହିଁ, କିନ୍ତୁ ଏକ ସମ୍ପୂର୍ଣ୍ଣ ଭିନ୍ନ କାରଣରୁ। ପାଠକପାଠିକାମାନଙ୍କର ବୁଝିବାକୁ ବାକି ନ ଥିବ ଯେ ରାମ ମା’ଙ୍କ କଥା ବୁଝି ମନେ ରଖି ନ ଥିବାରୁ ସେ ମାଡ଼ ଖାଇବା ପୂର୍ବରୁ ତାକୁ ବାଘ ଖାଇ ସାରିଥିଲା। ମନୁଷ୍ୟ ଶିଶୁ ବଞ୍ଚିରହିବା ପାଇଁ ତେଣୁ ସେ ସଅଳ କଥା କହିଥାଏ ଓ ବୁଝିଥାଏ।

ସମସ୍ତଙ୍କୁ ଜଣା ଯେ ଶୈଶବରେ ପ୍ରଥମ ଭାଷା ବା ମାତୃଭାଷା ଶିଖିବା ଯେଉଁଭଳି ସ୍ବାଭାବିକ ଓ ସହଜ ହୋଇଥାଏ, ବଡ଼ ହୋଇଯିବା ପରେ ଏକ ଦ୍ବିତୀୟ ଭାଷା ଶିଖିବା ସେଭଳି ଅନାୟାସ ହୋଇ ନ ଥାଏ। ଯେଉଁମାନେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏକ ଦ୍ବିତୀୟ ଭାଷା ଶିଖନ୍ତି, ସେମାନେ ଶତ ଚେଷ୍ଟା ସତ୍ତ୍ବେ ସେ ଭାଷା ବ୍ୟବହାର କରିବାରେ ସେଇଭଳି ସ୍ବାଭାବିକତା ହାସଲ କରିପାରି ନ ଥାନ୍ତି, ଯେଉଁପରି ଶୈଶବରୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ କରିଥାନ୍ତି। ଯେହେତୁ ଶିଶୁଠାରେ ଭାଷା କ୍ଷମତାର ଏତେ ସଅଳ ଆବିର୍ଭାବ ଘଟେ, ଏବ˚ ଯଦି ସେ ଏକ ଦ୍ବିତୀୟ ଭାଷା ଭଲରୂପେ ଶିଖିବା ଆବଶ୍ୟକ ବୋଲି ଅନୁଭବ କରାଯାଏ, ତେବେ ଯେତେ ସଅଳ ତାକୁ ଏହି ଦ୍ବିତୀୟ ଭାଷା ସହିତ ପରିଚିତ କରାଯିବ, ସେ ସେ ଭାଷାରେ ସେତେ ଅଧିକ ବ୍ୟୁତ୍ପତ୍ତି ଲାଭ କରିପାରିବ। ଛୋଟ ବୟସରେ ପିଲା ଭୁଲ୍‌ କଲେ ଆତ୍ମ ସଚେତନ ହୁଏ ନାହିଁ, ସେ ଭାଷାରେ କଥା କହିବା ପାଇଁ ତା’ଠାରେ ଅଧିକ ଉତ୍ସାହ ଥାଏ, ଅଧିକ ବୋଲ ମାନିଥାଏ ଏବ˚ କୌଣସି ବଦ୍ଧମୂଳ ଧାରଣାର ଦାସ ହୋଇ ନ ଥାଏ।

ଆମେ ଏଠାରେ ଯାହା ଧରି ନେଉଛୁ, ତାହା ହେଲା ଭାରତୀୟ ଶିଶୁମାନେ ଜୀବନରେ ସଫଳତା ହାସଲ ପାଇଁ ସେମାନଙ୍କର ଇ˚ରେଜୀ ଭାଷାରେ ଉତ୍ତମ ଦଖଲ ଅପରିହାର୍ଯ୍ୟ। ଯଦି ଏହା ସତ, ତେବେ ଆମ ପିଲାମାନେ ଯେତେ ସଅଳ ଇ˚ରେଜୀରେ କଥାବାର୍ତ୍ତା କରିବାର ସୁଯୋଗ ପାଇବେ, ତାହା ସେମାନଙ୍କ ପାଇଁ ସେତେ ସହଜ ହେବ ଏବ˚ ସେମାନଙ୍କ ଭବିଷ୍ୟତ ସେତେ ସୁରକ୍ଷିତ ହେବ। ତେଣୁ ପ୍ରଥମ ଶ୍ରେଣୀରୁ ଆମ ରାଜ୍ୟର ପିଲାମାନଙ୍କୁ ଇ˚ରେଜୀରେ କଥାବାର୍ତ୍ତା କରିବା ଶିଖାଇବା ଆରମ୍ଭ କରିବା ପାଇଁ ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତି ହେଉଛି ସମ୍ପୂର୍ଣ୍ଣ ବିଜ୍ଞାନ ସମ୍ମତ ଓ ଅଭିନନ୍ଦନୀୟ।

ସମ୍ବନ୍ଧିତ ଖବର