ସ˚ଘୀୟ ସ˚ଘାତ

ଥରେ କଥା ଛଳରେ ଭାରତର ପ୍ରସିଦ୍ଧ ‘ହାର୍ଟ‌୍‌’ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ କହିଥିଲେ ଯେ ମନେହୁଏ ଯେ ଯେଉଁ ଈଶ୍ବର ଜିହ୍ବା ସୃଷ୍ଟି କରିଛନ୍ତି, ସେହି ଈଶ୍ବର ବୋଧହୁଏ ହୃତ୍‌ପିଣ୍ତ ସୃଷ୍ଟି କରି ନାହାନ୍ତି। କାରଣ ସେଭଳି ହୋଇ ନ ଥିଲେ, ଯାହା କିଛି ପାଟି ଲାଗି ସ୍ବାଦିଷ୍ଠ, ତାହା ହୃତ୍‌ପିଣ୍ତ ଲାଗି ହାନିକାରକ ହୁଅନ୍ତା କାହିଁକି? ତାଙ୍କର ଏହି ମନ୍ତବ୍ୟକୁ ଯଦି ଆଉ ଟିକିଏ ବିସ୍ତାରିତ କରାଯାଏ, ତେବେ ଏହା ମଧୢ କୁହାଯାଇ ପାରିବ କି ଆମର ମସ୍ତିଷ୍କ (ଶରୀର ଓ ମନର ସବୁ କିଛିର ନିୟନ୍ତ୍ରକ) ଯାହାକୁ ସ୍ବାଦିଷ୍ଠ ବୋଲି ଇଙ୍ଗିତ କରିବାରୁ ଜିହ୍ବା ତାର ରସ ଆସ୍ବାଦନ କରିଥାଏ, ତାକୁ ଶରୀରର ଅନ୍ୟାନ୍ୟ ବ୍ୟବସ୍ଥା ସେଭଳି ଗ୍ରହଣ କରିପାରନ୍ତି ନାହିଁ ବୋଲି ପରିଣାମରେ ହୃତ୍‌ପିଣ୍ତଟି ଅସୁସ୍ଥ ହୋଇପଡ଼େ। ଏହି ପରିପ୍ରେକ୍ଷୀରେ ଆଜି ଯେତେବେଳେ ଆମ ରାଷ୍ଟ୍ରର ସ˚ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ଭିତରେ ଏକ ପ୍ରକାର ମୁକାବିଲାମୂଳକ ମନୋଭାବ ତୀବ୍ର ହୋଇଥିବା ଲକ୍ଷ୍ୟ କରାଯାଉଛି, ସେତିକି ବେଳେ ଡାକ୍ତର ଦେବୀ ସେଟ୍ଟୀଙ୍କ ଉକ୍ତିକୁ ମନେ ପକାଇ ଏକ ସୁସ୍ଥ ଶରୀର ଲାଗି ଜିହ୍ବା ପ୍ରତି ମସ୍ତିଷ୍କର ସନ୍ଦେଶ କିଭଳି ହେବା ଉଚିତ, ତାହା ବୁଝାଇ କହିବା ଅନାବଶ୍ୟକ। ଉପରୋକ୍ତ ଅଭିବ୍ୟକ୍ତିରେ ରାଷ୍ଟ୍ର, କେନ୍ଦ୍ର ଓ ରାଜ୍ୟ ସ˚ଦର୍ଭରେ ଶରୀର, ମସ୍ତିଷ୍କ ଓ ଜିହ୍ବା କାହାର କାହାର ପ୍ରତୀକ ତାହା ପାଠକପାଠିକମାନେ ଅବଶ୍ୟ ବୁଝିପାରୁଥିବେ। ସେହି ଦୃଷ୍ଟିରୁ ଆଉ ମାତ୍ର ଗୋଟିଏ ଦିନ ପରେ ଆମ ରାଷ୍ଟ୍ର ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ବର୍ତ୍ତମାନର ସ˚ଘୀୟ ସ˚ପର୍କ ସମ୍ବଳିତ ପ୍ରସଙ୍ଗଟିଏକ ସ˚କ୍ଷିପ୍ତ ଆଲୋଚନାର ଅପେକ୍ଷା ରଖେ।

ଉଲ୍ଲେଖଯୋଗ୍ୟ ଯେ, ଗଲା ୧୪ ତାରିଖରେ କେରଳ ରାଜ୍ୟ ସରକାର ସ˚ବିଧାନର ଧାରା ୧୩୧ର ଉପଯୋଗ କରି ତାଙ୍କ ରାଜ୍ୟରେ ‘ନାଗରିକ ସ˚ଶୋଧନ ଆଇନ’ ବା ‘ସିଏଏ’କୁ କାର୍ଯ୍ୟକାରୀ କରିବାର ବାଧୢବାଧକତା ଉପରେ ପ୍ରଶ୍ନ ଉଠାଇ ଦେଶର ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେଇଛନ୍ତି, ଯେଉଁ ପନ୍ଥାକୁ ପଞ୍ଜାବ ସରକାର ମଧୢ ଶୀଘ୍ର ଅନୁସରଣ କରିପାରନ୍ତି। ଇତିମଧୢରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୃପ୍ତ ବୟାନଟି ହେଉଛି ଯେ ତାଙ୍କ ମରଶରୀର ଉପରେ ହିଁ କେବଳ ପଶ୍ଚିମବଙ୍ଗରେ ‘ସିଏଏ’ କାର୍ଯ୍ୟକାରୀ ହୋଇପାରିବ। ଏଭଳି ଘଟଣାକ୍ରମରୁ ମିଳୁଥିବା ସୂଚନାଟି ହେଲା ୨୦୧୪ରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାରୂଢ଼ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ‘ସହଯୋଗମୂଳକ ସ˚ଘୀୟ ବ୍ୟବସ୍ଥା’ କଥା କହିଥିଲେ, ଏବର ପରିସ୍ଥିତି କେବଳ ତାହାଠାରୁ ବହୁତ ଦୂରରେ ନୁହେଁ, ତାର ବିପରୀତ। ଏହାର ତିନି ବର୍ଷ ପରେ ଅର୍ଥାତ୍‌ ୨୦୧୭ ମସିହା, ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଧାପେ ଆଗକୁ ଯାଇ ମନ୍ତବ୍ୟ ଦେଇଥିଲେ ଯେ କେନ୍ଦ୍ର ଓ ରାଜ୍ୟ ଭିତରେ ଏକ ‘ପ୍ରତିଦ୍ବନ୍ଦ୍ବିତାମୂଳକ ସ˚ଘୀୟ ବ୍ୟବସ୍ଥା’ ସ୍ଥାପିତ ହେବା ଉଚିତ। ଏହାର ଅର୍ଥ ହେଲା, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରମାନ ସ˚ବିଧାନ ପ୍ରଦତ୍ତ ନିଜ ନିଜ କ୍ଷମତା-ସ୍ବାତନ୍ତ୍ର୍ୟ ବଜାୟ ରଖିବା ସହିତ ଏକ ପାରସ୍ପରିକ ସହଯୋଗମୂଳକ ମନୋଭାବ ବହନ କରି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାର ପରବର୍ତ୍ତୀ ସୋପାନଟି ହେଉଛି ଏକ ସୁସ୍ଥ ‘ପ୍ରତିଦ୍ବନ୍ଦ୍ବିତାମୂଳକ ସ˚ଘୀୟ ବ୍ୟବସ୍ଥା।’ ଉଦାହରଣ ସ୍ବରୂପ କୁହାଯାଇପାରେ କି କୌଣସି ଗୋଟିଏ ରାଜ୍ୟ ନିଜ ରାଜ୍ୟରେ ପଡେ଼ାଶୀ ରାଜ୍ୟରେ ସ୍ଥାପିତ ହୋଇଥିବା ଭଳି ଏକ ଉଚ୍ଚକୋଟୀର କେନ୍ଦ୍ରୀୟ ଅନୁଷ୍ଠାନଟିଏ ଦାବି କରିପାରେ, ଯାହା ସେ ରାଜ୍ୟର ବିକାଶ ସହିତ ପ୍ରକାରାନ୍ତରେ ରାଷ୍ଟ୍ରର ଉନ୍ନତିରେ ସହାୟକ ହେବ। ତେବେ ଏଭଳି ଏକ ସ˚ପର୍କ ସ୍ଥାପିତ ହେବା ପୂର୍ବରୁ ଯାହା ବା˚ଛନୀୟ, ତାହାହେଲା ସହଯୋଗମୂୂଳକ ସ˚ଘୀୟ ବ୍ୟବସ୍ଥାର ସଫଳତା। କିନ୍ତୁ, ଏହାର ତିନି ବର୍ଷ ପରେ ଅର୍ଥାତ୍‌ ୨୦୨୦ରେ ଆମ ରାଷ୍ଟ୍ରରେ ସ˚ଘୀୟ ସ˚ପର୍କର ସ୍ଥିତି ଯାହା, ତାକୁ ଯଦି ମୋଦୀସୁଲଭ ବ୍ୟାଖ୍ୟାନ ଦ୍ବାରା ସ˚ଜ୍ଞାୟିତ କରାଯାଏ, ତେବେ ତାହା ହୁଏତ ହେବ ‘ସ˚ଘାତମୂଳକ ସ˚ଘୀୟ ସ˚ପର୍କ’।

ତେବେ ଏ ସ˚ଘାତମୂଳକ ସ୍ଥିତିର କାରଣ କ’ଣ ହୋଇପାରେ? ୨୦୧୪ରେ କେନ୍ଦ୍ରରେ ବିଜେପିର କ୍ଷମତା ଅଧିକାର ଏବ˚ ତତ୍‌ ପରବର୍ତ୍ତୀ କିଛି ରାଜ୍ୟ ନିର୍ବାଚନରେ ମଧୢ ଦଳୀୟ ବିଜୟ ଯେଉଁଭଳି ଏକ ଦୃଶ୍ୟପଟ ସୃଷ୍ଟି କରିଥିଲା, ତାହା ସପ୍ତମ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସର ଏକାଧିପତ୍ୟ ସହିତ ତୁଳନୀୟ। କେନ୍ଦ୍ର ଓ ଗୁରୁତ୍ବପୂର୍ଣ୍ଣ ରାଜ୍ୟଗୁଡ଼ିକ ଗୋଟିଏ ଦଳର ଶାସନାଧୀନ ହେବାର ଅର୍ଥ ଏକ ଉତ୍ତମ ସ˚ଘୀୟ ବ୍ୟବସ୍ଥା ଆଡ଼କୁ ପଥ ଉନ୍ମୁକ୍ତ ହୋଇଯିବା। କିନ୍ତୁ ତାହାର ଛଅ ବର୍ଷ ପରବର୍ତ୍ତୀ ଅର୍ଥାତ୍‌ ୨୦୨୦ ପର୍ଯ୍ୟନ୍ତର କାଳ ଖଣ୍ତରେ ମହାରାଷ୍ଟ୍ର, ମଧୢପ୍ରଦେଶ, ରାଜସ୍ଥାନ, ଛତିଶବଡ଼ ଏବ˚ ଝାରଖଣ୍ତ ଭଳି କିଛି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଜେପି ଶାସନର ସମାପ୍ତି ଏଭଳି ଏକ ଆଶାରେ ବିରାମ ଲଗାଇଛି। ଏବ˚ ଏହା ସହିତ ଏ ସ˚ଦର୍ଭରେ ଆଉ ଯାହା ଉଲ୍ଲେଖଯୋଗ୍ୟ ତାହା ହେଉଛି ସଂପ୍ରତି ପ୍ରାୟ ସମସ୍ତ ଅଣବିଜେପି ରାଜ୍ୟ ସରକାରଙ୍କ ଠାରେ ପରିଦୃଷ୍ଟ ହେଉଥିବା ଅତି ତୀବ୍ର କେନ୍ଦ୍ର ସରକାର ବିରୋଧୀ ମନୋଭାବ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ବିରୋଧୀ ଦଳଗୁଡ଼ିକ କ˚ଗ୍ରେସର ବିରୋଧ କରୁଥିବା ସତ୍ତ୍ବେ ଥିଲେ ପ୍ରମୁଖ ଭାବେ ବାମ ପଟକୁ ଢଳୁଥିବା ଧର୍ମନିରପେକ୍ଷତାବାଦୀ ପର୍ଯ୍ୟାୟଭୁକ୍ତ। ତେଣୁ କେନ୍ଦ୍ର ସରକାର ଓ ବିରୋଧୀଙ୍କ ଦ୍ବାରା ଶାସିତ ରାଜ୍ୟ ସରକାରଗୁଡ଼ିକ ମଧୢରେ ବିଶେଷ ବୈଚାରିକ ବା ଆଦର୍ଶଗତ ସ˚ଘାତ ନ ଥିଲା। କିନ୍ତୁ ବିଜେପିର ଉତ୍‌ଥାନ ସହ ଦକ୍ଷିଣ ପନ୍ଥୀ ରାଜନୀତିର ଅଭ୍ୟୁଦୟ ଓ କାୟା ବିସ୍ତାର ପରବର୍ତ୍ତୀ କାଳରେ ବିରୋଧୀ ଦଳଗୁଡ଼ିକ(ଏବେ ବି ପ୍ରମୁଖ ଭାବେ ଧର୍ମ ନିରପେକ୍ଷ ଓ ଊଣାଅଧିକେ ବାମବାଦୀ ବିଚାରସ˚ପନ୍ନ) ସହିତ ବିଜେପିର ଏକ ବୈଚାରିକ ସ˚ଘର୍ଷ ଘଟୁଛି। କେନ୍ଦ୍ର ସରକାରଙ୍କ ପ୍ରତିଟି ପଦକ୍ଷେପ ପଛରେ ସା˚ପ୍ରଦାୟିକ ବିଭାଜନର ଲୁକ୍କାୟିତ ନିହିତ ବୋଲି ସେମାନେ ସନ୍ଦେହ କରି ତୀବ୍ର ବିରୋଧ କରୁଥିବା ଦେଖାଯାଉଛି।

ଏଭଳି ଏକ ବାତାବରଣରେ ଉତ୍ତାପକୁ ପ୍ରଶମିତ କରିବା ଲାଗି ଯାହା ଆବଶ୍ୟକ, ତାହା ହେଉଛି କେନ୍ଦ୍ର ଦ୍ବାରା ଏକ ବୁଝାମଣାମୂଳକ ମନୋଭାବର ପ୍ରଦର୍ଶନ। କିନ୍ତୁ ଯେଉଁ ନରେନ୍ଦ୍ର ମୋଦୀ -ଅମିତ ଶାହ ଯୋଡ଼ି ସର୍ବଦା ଏକ ଆକ୍ରାମକ ରାଜନୈତିକ ଆଭିମୁଖ୍ୟ ପୋଷଣ କରିଥାଆନ୍ତି ଏବ˚ ଯେଉଁ କାରଣରୁ ୨୦୧୪ ପୂର୍ବବର୍ତ୍ତୀ ମନମୋହନ ସି˚ହଙ୍କ ଏକ ପ୍ରାୟ ‘ମୂକ’ ସୁଲଭ ଶାସନକୁ ପ୍ରତ୍ୟାଖ୍ୟାନ କରି ରାଷ୍ଟ୍ରବାସୀ ଏ ଦୁହିଁଙ୍କ ନେତୃତ୍ବରେ ବି‌ଜେପିକୁ ନିର୍ବାଚନରେ ଜୟଯୁକ୍ତ କରାଇଲେ, ସେମାନଙ୍କଠାରୁ ଏକ ବୁଝାମଣାମୂଳକ ମନୋଭାବ ପ୍ରଦର୍ଶନର ଆଶା ଅନେକ ସମୟରେ ଅବାସ୍ତବ ମନେ ହୁଏ। ତେଣୁ ଭବିଷ୍ୟତ୍‌ରେ ଏ ସ˚ଘାତ ଯେ ଅଧିକ ତୀବ୍ର ହୋଇପାରେ, ଏ ଆଶଙ୍କା ଅଧିକ।

କିନ୍ତୁ ଏହାର ପରିଣାମ ହେବ ଦେଶର ଅଗ୍ରଗତିରେ ବାଧା। ଯଦି କେନ୍ଦ୍ର ଓ ମହାରାଷ୍ଟ୍ରର ଉଦ୍ଦବ ଥାକରେ ସରକାର ମଧୢରେ ସ˚ଘାତମୂଳକ ମନୋଭାବ ବଜାୟ ରହେ, ତେବେ ଅତି ମହାତ୍ତ୍ବାକା˚କ୍ଷୀ ଅହମଦାବାଦ-ମୁମ୍ବାଇ ବୁଲେଟ୍‌ ରେଳ ପ୍ରକଳ୍ପ ଯେ ଗତିହୀନ ହୋଇଯାଇପାରେ, ଏହା କହିବା ବାହୁଲ୍ୟ ମାତ୍ର। ଏବ˚ ଏହା କେବଳ ଗୋଟିଏ ଉଦାହରଣ; ଏଭଳି ଅନେକ ରହିଛି। ଏପରିକି ଏ ସ˚ଘାତ ସଂପ୍ରତି ଏଭଳି ଏକ ବିଡ଼ମ୍ବିତ ସ୍ଥିତିରେ ପହଞ୍ଚିଛି ଯେ ଗଲା ୟୁପିଏ ସରକାର ସମୟର ‘ଏନ୍‌ଆଇଏ’(ନେସନାଲ ଇନ୍‌ଭେଷ୍ଟିଗେଟି˚ ଏଜେନ୍‌ସି)କୁ ଏବେ କ˚ଗ୍ରେସ ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ବିରୋଧ କରୁଥିବା ଲକ୍ଷ୍ୟ କରାଯାଉଛି।

ଆଜିର ଗଣତନ୍ତ୍ରରେ ପରିଦୃଷ୍ଟ ଏଭଳି ଏକ ପରିସ୍ଥିତିରେ ଯାହା ଆବଶ୍ୟକ, ତାହା ହେଉଛି ଜିହ୍ବା ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଉ ବୋଲି ମସ୍ତିଷ୍କ ପ୍ରବର୍ତ୍ତାଇବା। ତାହା ନ ହେଲେ ହୃତ୍‌ପିଣ୍ତ ଆକ୍ରାନ୍ତ ହେବା ପ୍ରାୟ ନିଶ୍ଚିତ। ଏହାର ଆଧାରରେ କୁହାଯାଇପାରେ ଯେ କେନ୍ଦ୍ର ସରକାର ସଂଘୀୟ ସଂଘାତରୁ ମୁକ୍ତି ପାଇବା ଲାଗି ବୁଝାଶୁଝାମୂଳକ ମନୋଭାବ ପୋଷଣ କରନ୍ତୁ।

ସମ୍ବନ୍ଧିତ ଖବର