ଅଠର ଆଶାର ବର୍ଷ ହେଉ

ଆଉ ଦିନକ ପରେ ବର୍ଷ ୨୦୧୭ ଶେଷ ହେବ। ସୋମବାର ଠାରୁ ଆରମ୍ଭ ହେବ ଆଉ ଏକ ନୂଆ ବର୍ଷ ୨୦୧୮। ତେବେ ବିଦାୟୀ ବର୍ଷରେ ଯେଉଁ କେତୋଟି ପ୍ରମୁଖ ସମସ୍ୟା ଦେଶକୁ ଆକ୍ରାନ୍ତ କରିଥିଲା, ସେଥିରୁ ଯଦି କୌଣସି ଗୋଟିଏ ସମସ୍ୟା ଆଗାମୀ ବର୍ଷରେ ମଧ୍ୟ ଅଧିକ ଗୁରୁତର ରୂପ ନେବାର ଆଶଙ୍କା ରହୁଛି, ତେବେ ତା’ ହେଲା ବେକାରି। ପୂର୍ବବର୍ତ୍ତୀ ୨୦୧୬ରେ ବେକାର ସମସ୍ୟା ଯେତେ ଉତ୍କଟ ଥିଲା, ୨୦୧୭ରେ ତା’ଠାରୁ ଅଧିକ ଉତ୍କଟ ହେଲା। ଆସନ୍ତା ବର୍ଷ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନର ଆଶା କ୍ଷୀଣ, ବରଂ ପୂର୍ବ ଧାରା ଜାରି ରହି ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ଅଧିକ। ରୋଜଗାର ତଲାସରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ଯେଉଁ ହିସାବରେ ବଢ଼ୁଛି, ସେହି ଅନୁପାତରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନାହିଁ। ଗୋଟିଏ ପକ୍ଷରେ ନିଯୁକ୍ତି ଆଶାୟୀଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା ଓ ଅନ୍ୟପକ୍ଷରେ ନିଯୁକ୍ତି ସୁଯୋଗର ସଂକୋଚନ ସମସ୍ୟାକୁ ଗୁରୁତର କରିଦେଇଛି, ଯାହାର କେବଳ ଅର୍ଥନୀତି ଉପରେ ନୁହେଁ, ସମାଜ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିପାରେ।

ଦେଶରେ ବେକାର ସମସ୍ୟା କେମିତି ଗୁରୁତର ରୂପ ନେଉଛି, ତା’ର ଚିତ୍ର ପ୍ରଦାନ କରୁଛି ନିକଟରେ ପ୍ରକାଶିତ ଏହି ପରିସଂଖ୍ୟାନ। ଅର୍ଥନୀତି ସମ୍ପର୍କରେ ନିୟମିତ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ ସଂସ୍ଥା ‘ବିଏସ୍‌ଇ-ସିଏମ୍‌ଆଇଇ’ ଦ୍ୱାରା ହୋଇଥିବା ଏକ ସର୍ଭେ ଅନୁଯାୟୀ ଗତ ଅଗଷ୍ଟରେ ଶେଷ ହୋଇଥିବା ୧୨ ମାସରେ ପ୍ରାୟ ୨ କୋଟି ୬୦ ଲକ୍ଷ ନିଯୁକ୍ତି କ୍ଷମ କିଂବା ନିଯୁକ୍ତି ତଲାସରେ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧୫ ଲକ୍ଷଙ୍କୁ ନିଯୁକ୍ତି ମିଳି ପାରିଥିଲା। ଏହି ସଂସ୍ଥାର ଆକଳନ ଅନୁଯାୟୀ ୨୦୧୬ ଅଗଷ୍ଟ ଓ ୨୦୧୭ ଅଗଷ୍ଟ ମଧ୍ୟରେ ଦେଶର ଶ୍ରମଶକ୍ତିରେ ୧୫ ରୁ ୬୪ ବର୍ଷ ବୟସ ଗୋଷ୍ଠୀର ସଂଖ୍ୟା ୯୬୮ ନିୟୁତରେ ପହଞ୍ଚି ଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୪୦୩ ରୁ ୪୦୫ ନିୟୁତଙ୍କ ବିଭିନ୍ନ କ୍ଷେତ୍ରରେ କର୍ମ ସଂସ୍ଥାନ ହୋଇପାରିଛି। ଏହି ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ୨୫ଟି ରାଜ୍ୟରେ ଅନ୍ତତଃ ତିନି ଥର ଏ ପ୍ରକାର ସର୍ଭେ କରାଯାଇଥାଏ। ଉଲ୍ଲେଖନୀୟ ହେଲା, ସର୍ଭେ ହୋଇଥିବା ୨୫ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ହେଲେ ରାଜ୍ୟରେ ସୁଦ୍ଧା ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରି ନାହିଁ। ଉଦାହରଣ ସ୍ୱରୂପ ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ନିଯୁକ୍ତି ଆଶାୟୀ ଓ ନିଯୁକ୍ତି ସୁଯୋଗ ମଧ୍ୟରେ ନିଅଣ୍ଟ ପରିମାଣ ଥିଲା ପ୍ରାୟ ୪୫ ଲକ୍ଷ। ଏ ପରିସଂଖ୍ୟାନ ନିଯୁକ୍ତି କ୍ଷେତ୍ରରେ ବର୍ତ୍ତମାନ ସ୍ଥିତିର କେବଳ ନିରାଶାଜନକ ଚିତ୍ର ଉପସ୍ଥାପନ କରୁନାହିଁ, ଭବିଷ୍ୟତରେ ମଧ୍ୟ ପରିବର୍ତ୍ତନ ନେଇ ବିଶେଷ କୌଣସି ଆଶା ସଞ୍ଚାର କରୁନାହିଁ।

ଖୋଦ୍‌ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟର ତଥ୍ୟ ମଧ୍ୟ କ୍ରମାଗତ ଭାବେ ନିଯୁକ୍ତି ସଂକୋଚନ ଓ ଉତ୍କଟ ବେକାର ସମସ୍ୟାର ନିରାଶାଜନକ ସ୍ଥିତି ବୟାନ କରୁଛି। ୨୦୦୯ରୁ ୨୦୧୧ ମଧ୍ୟରେ ଦେଶରେ ବାର୍ଷିକ ହାରାହାରି ୮ ଲକ୍ଷରୁ ୧୨.୫ ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିଲା। ଏହା ପରେ ଏହା ବାର୍ଷିକ ୩ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତକୁ ହ୍ରାସ ପାଇଥିଲା। ୨୦୧୫ ବେଳକୁ ନୂଆ ନିଯୁକ୍ତି ୧ ଲକ୍ଷ ୫୫ ହଜାରକୁ ଖସି ଅବସ୍ଥା ଗୁରୁତର ହେଉଥିବାର ସତର୍କ ସଂକେତ ଦେଇଥିଲା। ୨୦୧୬ରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟି ୨ ଲକ୍ଷ ୩୧ ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲେ ମଧ୍ୟ, ନିଯୁକ୍ତି ତଲାସରେ ବାହାରୁଥିବା ପ୍ରାୟ କୋଟିଏ ଆଶାୟୀଙ୍କ ଆଶା ପୂରଣ ଲାଗି ତାହା ଯଥେଷ୍ଟ ନଥିଲା। ୨୦୧୫-୧୬ରେ ଦେଶର ବେକାରି ହାର ପାଞ୍ଚ ବର୍ଷରେ ସର୍ବାଧିକ ୫ ପ୍ରତିଶତରେ ପହଞ୍ଚି ଯାଇଥିଲା। ମିଳିତ ଜାତିସଂଘର ଏକ ଅଟକଳ ଅନୁଯାୟୀ ଆଗାମୀ ୨୦୫୦ ପର୍ଯ୍ୟନ୍ତ ଭାରତରେ ପ୍ରତିବର୍ଷ ୧ କୋଟି ୨୦ ଲକ୍ଷ କର୍ମସଂସ୍ଥାନ ଆଶାରେ ନିଯୁକ୍ତି ତଲାସରେ ବାହାରିବେ। ସେମାନଙ୍କ କର୍ମସଂସ୍ଥାନ ସକାଶେ ସେତିକି ସଂଖ୍ୟକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। ଅବଶ୍ୟ କେତେକ ବିଶେଷଜ୍ଞଙ୍କ ମତରେ ବାର୍ଷିକ ୧ କୋଟି ୬୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ, ଯେତେବେଳେ ଗତ ତିନି ବର୍ଷରେ ମୋଟ ୮ ଲକ୍ଷ ୨୩ ହଜାର ନୂଆ ନିଯୁକ୍ତି ସୃଷ୍ଟି କରାଯାଇ ପାରିଛି।

ବାର୍ଷିକ କୋଟିଏରୁ ଅଧିକ ସଂଖ୍ୟାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନିଶ୍ଚିତ ଭାବେ ଏକ ହିମାଳୟ ତୁଲ୍ୟ ଲକ୍ଷ୍ୟ। ଗୋଟିଏ ପକ୍ଷରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରୁନାହିଁ। ଅନ୍ୟପକ୍ଷରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଓ ନୂଆ ବୈଷୟିକ ଜ୍ଞାନ କୌଶଳର ପ୍ରବର୍ତ୍ତନ ଫଳରେ ବହୁ ସଂଖ୍ୟାରେ ନିଯୁକ୍ତି ଉଚ୍ଛେଦ ହେଉଛି। ଅନେକ ନିଯୁକ୍ତି ହରାଉଛନ୍ତି, ଯାହା ସ୍ୱତଃ ନିଯୁକ୍ତି ପ୍ରସଙ୍ଗରେ ଆହ୍ଵାନକୁ ଆହୁରି କଡ଼ା କରି ଦେଉଛି। ଏକ ଆକଳନ ଅନୁଯାୟୀ ୨୦୨୧ ସୁଦ୍ଧା କେବଳ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଯୋଗୁ ପାଖାପାଖି ୫ ଲକ୍ଷ ନିଯୁକ୍ତି ଉଚ୍ଛେଦର ଆଶଙ୍କା ରହିଛି। ସୂଚନା ପ୍ରଯୁକ୍ତି ଓ ଆନୁଷଙ୍ଗିକ କ୍ଷେତ୍ରରେ ପରବର୍ତ୍ତୀ ଗୋଟିଏ ଦଶକରେ ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ନିଯୁକ୍ତି ସଂକୋଚନର ଆଶଙ୍କା ରହିଛି। ନିଯୁକ୍ତି କ୍ଷେତ୍ରରେ କ୍ରମଶଃ ଗୁରୁତର ହୋଇ ଚାଲିଥିବା ପରିସ୍ଥିତିର ମୁକାବିଲା ପାଇଁ ନିଶ୍ଚିତ ଭାବେ ଉଦ୍ୟମ ହେଉଛି। କିନ୍ତୁ ତାହା ଆଦୌ ପର୍ଯ୍ୟାପ୍ତ ନୁହେଁ। ବଡ଼ ବଡ଼ କଥା କୁହାଯାଉଛି, ବାସ୍ତବ କ୍ଷେତ୍ରରେ ତାହାର କିନ୍ତୁ ପ୍ରତିଫଳନ ଦେଖାଯାଉ ନାହିଁ। କ୍ଷମତାସୀନ ଏନ୍‌ଡିଏ ସରକାରଙ୍କ ପକ୍ଷରୁ ‘ମେକ୍‌ ଇନ୍‌ ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍‌ ଇଣ୍ଡିଆ’, ‘ସ୍କିଲ୍‌ ଇଣ୍ଡିଆ’, ‘ମୁଦ୍ରାବ୍ୟାଙ୍କ୍‌’ ଆଦି ଏ ଦିଗରେ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ କୋଟିଏ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯେଉଁ ଲକ୍ଷ୍ୟ ଘୋଷଣା କରିଥିଲେ, ସେହି ଲକ୍ଷ୍ୟ ହାସଲ ସକାଶେ ତାହା ବିଫଳ ହୋଇଛି। ଦୁର୍ଭାଗ୍ୟକୁ ଏହି ସମୟରେ ଅର୍ଥନୀତିରେ ମାନ୍ଦାବସ୍ଥା ଓ କୃଷି କ୍ଷେତ୍ରରେ ଲାଗି ରହିଥିବା ସଂକଟ ପରିସ୍ଥିତିକୁ ଅଧିକ ଜଟିଳ ଓ ଗୁରୁତର କରି ଦେଉଛି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଜିର ଦିନରେ ‘ନିଯୁକ୍ତି କ୍ଷେତ୍ରରେ ଏ ଦୁର୍ଭିକ୍ଷ’ ଦେଶ ପାଇଁ ସବୁଠାରୁ ବଡ଼ ସମସ୍ୟା। ଦେଶ ଓ ସମାଜ ପାଇଁ ଏହା ଏକ ‘ଟାଇମ୍‌ ବୋମା’ ସଦୃଶ। ଯେ କୌଣସି ସମୟରେ ଏହାର ବିସ୍ଫୋରଣ ଘଟି ରାଜନୈତିକ-ସାମାଜିକ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହୋଇପାରେ। ତେଣୁ ଆଗାମୀ ବର୍ଷ ନିଯୁକ୍ତି ସଂକୋଚନର ଏ ଧାରାକୁ ରୋକାଯାଇ, ଯେପରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ ସେଥିପାଇଁ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ ହେଲେ ଆପେ ନୂଆ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇପାରିବ। ଆଗାମୀ ବଜେଟ୍‌ରେ ସରକାରଙ୍କୁ ଜାତୀୟ ରାଜପଥ ନିର୍ମାଣ ଠାରୁ ଆରମ୍ଭ କରି ରେଳବାଇ, ବିମାନବନ୍ଦର, ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ଲାଗି ଅଧିକ ବ୍ୟୟବରାଦ କରିବାକୁ ପଡ଼ିବ। ଘରୋଇ କ୍ଷେତ୍ରରେ ମଧ୍ୟ ପୁଞ୍ଜି ବିନିଯୋଗ ଲାଗି ଅନୁକୂଳ ପରିବେଶ ସକାଶେ ପ୍ରୋତ୍ସାହନ ମୂଳକ ନୀତି ଗ୍ରହଣ କରିଯାଇପାରେ। ଆତ୍ମନିଯୁକ୍ତି ଲାଗି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆହୁରି ଅଧିକ ସୁଯୋଗ ଓ ପ୍ରୋତ୍ସାହନ ପ୍ରଦାନ ଜରୁରୀ। ସମସ୍ୟା ସାଧାରଣ ନୁହେଁ, ତେଣୁ ଏହାର ମୁକାବିଲା ଲାଗି କିଛି ଅସାଧାରଣ, ଅଭିନବ ପଦକ୍ଷେପର ଅପେକ୍ଷା ରଖାଯାଉଛି।

ମୋଦୀ ସରକାର ମନେ ରଖିବା ଉଚିତ ଯେ, ଦେଢ଼ ବର୍ଷ ପରେ ଊଣେଇଶରେ ଏନ୍‌ଡିଏର ଦ୍ୱିତୀୟବାର ସଫଳତା ବାଟରେ ସବୁଠାରୁ ବଡ଼ ବାଧକ ଏହି ନିଯୁକ୍ତି ମରୁଡ଼ି, ଯାହାର ସଫଳ ମୁକାବିଲା ବିନା ସଫଳତା ଲକ୍ଷ୍ୟ ହାସଲ ଏକ ଦୁରୂହ ବ୍ୟାପାର। ଆଶା, ଆଗାମୀ ବର୍ଷ ନିଯୁକ୍ତି କ୍ଷେତ୍ରରେ ନିରାଶାଜନକ ଅବସ୍ଥାରେ କିଛି ମାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଘୋର ନୈରାଶ୍ୟ ମଧ୍ୟରେ ଥିବା ଯୁବବର୍ଗଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିବ, ଯାହା ବାସ୍ତବରେ ଦେଶକୁ ‘ନୂଆ ଭାରତ’ ଆଡ଼କୁ ଆଗେଇ ନେବ।

ସମ୍ବନ୍ଧିତ ଖବର