ଦଳର ଦାୟିତ୍ୱ

ବିଶିଷ୍ଟ ରାଜନୀତି ଶାସ୍ତ୍ର ବିଦ୍ବାନ ‘ସାଉଥ ଏସିଆନ୍‌ ପ୍ରୋଗ୍ରାମ’ର ନିର୍ଦେଶକ ମିଳନ ବୈଷ୍ଣବଙ୍କ ଦ୍ବାରା ରଚିତ ଏବ˚ ୨୦୧୭ରେ ପ୍ରକାଶିତ ଏକ ଭାବଗମ୍ଭୀର ଗବେଷଣାମୂଳକ ପୁସ୍ତକ ‘କ୍ରାଇମ୍‌ ପେଜ୍‌’(crime pays) ବା ‘ଅପରାଧ ଲାଭ ପ୍ରଦାୟୀ’ରେ ଭାରତୀୟ ରାଜନୀତି ସହିତ ଅପରାଧର ସ˚ପର୍କ ସ˚ଦର୍ଭରେ କରାଯାଇଥିବା ବିସ୍ତୃତ ଆଲୋଚନାରେ ଅନେକ ନିଷ୍କର୍ଷ ମଧୢରୁ ଗୋଟିଏ ହେଲା ଭାରତୀୟ ନିର୍ବାଚନଗୁଡ଼ିରେ ଆପରାଧିକ ପୃଷ୍ଠଭୂମି ସ˚ପନ୍ନ ପ୍ରାର୍ଥୀମାନଙ୍କ ଜିଣିବାର ହାର ୧୮% ହୋଇଥିବା ବେଳେ ସଫାସୁତରା ଚରିତ୍ରଧାରୀଙ୍କ ଜିଣିବାର ହାର ହେଉଛି ମାତ୍ର ୫%। ପୂର୍ବର ତିନିଟି ପାଳିର କେନ୍ଦ୍ର ନିର୍ବାଚନର ଫଳାଫଳ ଏବ˚ ପ୍ରାର୍ଥୀମାନଙ୍କ ଟ୍ରାକ୍‌ ରେକର୍ଡ‌୍‌ର ଏକ ତୁଳନାତ୍ମକ ଅନୁଶୀଳନରୁ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ। କେବଳ ସେ ନୁହନ୍ତି, ଭାରତର ନିର୍ବାଚନଗୁଡ଼ିକୁ ଅତ୍ୟନ୍ତ ନିକଟରୁ ନିରୀକ୍ଷଣ କରି ଆସୁଥିବା ଦୁଇ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ‘ଆସୋସିଏସନ୍‌ ଫର‌୍‌ ଡେମୋକ୍ରାଟିକ୍‌ ରିଫର୍ମ’ ବା ‘ଏଡିଆର‌୍‌’ ଏବ˚ ‘ଇଲେକ୍‌ସନ ଵାଚ୍‌’ ମଧୢ ଅନୁରୂପ ସିଦ୍ଧାନ୍ତ ପ୍ରଦାନ କରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ରାଜନୀତିକୁ ଅପରାଧୀ ଓ ଅପରାଧୀକରଣରୁ ମୁକ୍ତ କରିବା ସକାଶେ ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ନିର୍ଦେଶ ବିଶେଷ ଗୁରୁତ୍ବ ବହନ କରେ। ଏହା ସହିତ ଏକ ବିଡ଼ମ୍ବିତ ସତ୍ୟ ମଧୢ କିଞ୍ଚିତ୍‌ ଆଲୋଚନାର ଅପେକ୍ଷା ରଖେ ଯେ ସାର୍ବଜନୀନ ଜୀବନରେ ଉଚ୍ଚ ନୈତିିକ ଆଚରଣକୁ ଆମ ଦେଶରେ(ସବୁ ରାଷ୍ଟ୍ର ଭଳି) ମହତ୍ତ୍ବ ପ୍ରଦାନ କରାଯାଉଥିବା ବେଳେ ଭାରତୀୟ ଭୋଟରମାନେ କାହିଁକି ସନ୍ଦିଗ୍‌ଧ ରାଜନେତାମାନଙ୍କୁ ଅଧିକ ହାରରେ ଜୟଯୁକ୍ତ କରାଇଥାଆନ୍ତି?

‘ଏଡିଆର‌୍‌’ ଏବ˚ ‘ଇଲେକ୍‌ସନ୍‌ ଵାଚ୍‌’ର ତଥ୍ୟ କହିଥାଏ ଯେ ଆପରାଧିକ ପୃଷ୍ଠଭୂମି ବା ସ˚ପୃକ୍ତିଯୁକ୍ତ ସା˚ସଦଙ୍କ ସ˚ଖ୍ୟା ୨୦୦୪ରେ ୨୪%ରୁ ପ୍ରତି ଥର କ୍ରମୟନ୍ବୟରେ ବୃଦ୍ଧି ପାଇ ୨୦୧୯ରେ ୪୩%ରେ ପହଞ୍ଚିଛି। ପ୍ରକାଶଥାଉ କି ଏଭଳି ଉଦ୍‌ବେଗଜନକ ଧାରାରେ ବିରାମ ଲଗାଇବା ଲାଗି ମାନ୍ୟବର ସର୍ବୋଚ୍ଚ ଅଦାଲତ ବାରମ୍ବାର ପ୍ରୟାସ କରି ଆସିଥିଲେ ମଧୢ ଆଶାନୁରୂପକ ଲାଭ ମିଳିପାରିନାହିଁ। ବାସ୍ତବ ପକ୍ଷରେ ଏତିକି ମାତ୍ର ସମ୍ଭବ ହୋଇଛି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନେ ଏଣିକି ନିର୍ବାଚନ ଲଢ଼ିବାରୁ ବ˚ଚିତ ହେଉଛନ୍ତି। କିନ୍ତୁ, ଦୁର୍ଭାଗ୍ୟଜନକ ଭାବେ ଯାହା ସ୍ପଷ୍ଟ ପରିଦୃଷ୍ଟ, ତାହା ହେଲା କୌଣସି ନା କୌଣସି ଆଳରେ ଏହି ପ୍ରସଙ୍ଗକୁ ନଜରଅନ୍ଦାଜ କରାଯାଉଛି। ଉଦାହରଣ ସ୍ବରୂପ ଗଲା ଗୁରୁବାର ଦିନ ଯେଉଁ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ‌୍‌ ତାଙ୍କର ସଦ୍ୟତମ ନିର୍ଦେଶ ପ୍ରଦାନ କରିଛନ୍ତି, ସେହି ମାମଲାରେ ଆବେଦନକାରୀଙ୍କ ଅଭିଯୋଗ ଥିଲା ଯେ ୨୦୧୮ରେ ସୁପ୍ରିମ କୋର୍ଟଙ୍କ ଏକ ସ୍ପଷ୍ଟ ରାୟ ସତ୍ତ୍ବେ ନିର୍ବାଚନ କମିସନ ସବୁ ରାଜନୈତିକ ଦଳଗୁଡ଼ିକ ଦ୍ବାରା ସେମାନଙ୍କ ପ୍ରାର୍ଥୀମାନଙ୍କ ଆପରାଧିକ ପୃଷ୍ଠଭୂମି ସହିତ ସବୁ ବିଚାରାଧୀନ ମାମଲାର ଟିକିନିଖି ବିବରଣୀ ପ୍ରକାଶ୍ୟ କରାଇବା ଦିଗରେ ପଦକ୍ଷେପ ନେଉ ନାହାନ୍ତି କାହିଁକି?

ଏବେ ମୂଳ ପ୍ରଶ୍ନ ହେଲା ସବୁ ଦଳ ଏ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରୁଥିଲେ ମଧୢ ଭାରତୀୟ ରାଜନୀତି ଅପରାଧୀକରଣର ରାହୁଗ୍ରାସରୁ ମୁକ୍ତ ହୋଇପାରୁନାହିଁ କାହିଁକି? ଏହାର ଗୋଟିଏ କାରଣ ହେଉଛି ଅପରିମେୟ ଭାବେ ବ୍ୟୟବହୁଳ ହୋଇ ପଡ଼ିଥିବା ନିର୍ବାଚନ ପରିପ୍ରେକ୍ଷୀରେ ଜଣେ ପ୍ରାର୍ଥୀଙ୍କ ଲାଗି ସବୁଠାରୁ ବଡ଼ ଯୋଗ୍ୟତା ଭାବେ ଯାହା ଆବିର୍ଭୂତ ହୋଇଛି ତାହା ହେଲା ନିର୍ବାଚନ ସମୟରେ ନିଜ ଲାଗି ପ୍ରଭୂତ ବିତ୍ତ ବ୍ୟୟ କରିବାରେ ତାଙ୍କର ସାମର୍ଥ୍ୟ। ଏହା ଦ୍ବାରା ଗୋଟିଏ ରାଜନୈତିକ ଦଳକୁ ମିଳୁଥିବା ପ୍ରମୁଖ ଲାଭ ଦୁଇଟି ହେଲା, ପ୍ରାର୍ଥୀଙ୍କ ନିର୍ବାଚନ ଲାଗି ଦଳୀୟ ବ୍ୟୟରେ ଆ˚ଶିକ ହ୍ରାସ ଏବ˚ ସ˚ପୃକ୍ତ ଅର୍ଥବଳୀ ନେତାଙ୍କର ପ୍ରତିପତ୍ତି ଜରିଆରେ ଦଳ ଲାଗି ଆହୁରି ଅଧିକ ଅର୍ଥ ଯୋଗାଡ଼ର ସମ୍ଭାବନା। କିନ୍ତୁ ଏହାର ଅନୁଜ୍ଜ୍ବଳ ଅପର ପାର୍ଶ୍ବଟି ହେଲା, ଏଭଳି ଅକଳନୀୟ ଅର୍ଥର ସମାଗମ ସହିତ ଦୁର୍ନୀତି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅପରାଧର ସୂତ୍ର ସ˚ଯୁକ୍ତ ହୋଇଯିବାର ଭୟ। ମିଳନ ବୈଷ୍ଣବଙ୍କ ସ୍ପଷ୍ଟ ମତ ଯେ ଭାରତୀୟ ନିର୍ବାଚନ କମ୍‌ ବ୍ୟୟସାପେକ୍ଷ ହେଲେ ନିର୍ବାଚନରେ ଅଧିକ ସ˚ଖ୍ୟକ ପରିଚ୍ଛନ୍ନ ବ୍ୟକ୍ତିତ୍ବଧାରୀ ଦୃଶ୍ୟମାନ ହେବେ ଏବ˚ ଭୋଟରମାନଙ୍କ ପାଖରେ ଚୟନ କରିବା ଲାଗି ଏକ ବିକଳ୍ପ ରହିପାରେ, ଯାହା କ୍ରମେ ହ୍ରାସ ପାଇବାରେ ଲାଗିଛି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ବ୍ୟୟ ରାଷ୍ଟ୍ର ପ୍ରଦତ୍ତ ଏକ ପାଣ୍ଠିରୁ କରାଯିବାର ଔଚିତ୍ୟ ଉପରେ ଗୁରୁତ୍ବ ଆରୋପ କରିଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ଏ ଦିଗରେ ବିହିତ ପଦକ୍ଷେପ ନିଆ ନ ଯିବା କାରଣରୁ ଏହା ଗୁରୁତ୍ବ ହରାଇଲା। ଦ୍ବିତୀୟ ଶଙ୍କାଟି ହେଲା, ଏବର ପ୍ରବହମାନ ଧାରାରେ ରାଷ୍ଟ୍ରୀୟ ପାଣ୍ଠିରୁ ପ୍ରାପ୍ତ ଅର୍ଥରେ ନିର୍ବାଚନ ଲଢ଼ିବାର ଉଦ୍ୟମ କେବଳ ଧର୍ମକୁ ଆଖି ଠାର ମାରିବା ସଦୃଶ ହିଁ ହେବ।

ଗଲା ଗୁରୁବାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ନିର୍ଦେଶ ଏହାକୁ ବାଧୢତାମୂଳକ କରିଛି ଯେ ସବୁ ରାଜନୈତିକ ଦଳ ନିର୍ବାଚନକୁ ପଠାଉଥିବା ସମସ୍ତ ପ୍ରାର୍ଥୀଙ୍କ ଆପରାଧିକ ସ˚ପୃକ୍ତି ତଥା ସେମାନଙ୍କ ବିରୋଧରେ ରହିଥିବା ବିଚାରାଧୀନ ମାମଲା ସ˚ପର୍କରେ ଟିକିନିଖି ବିବରଣୀ ଦଳୀୟ େଵବ୍‌ସାଇଟ୍‌, ଖବରକାଗଜ ଏବ˚ ସାମାଜିକ ଗଣମାଧୢମରେ ପ୍ରଦାନ କରିବେ। କେବଳ ସେତିକି ନୁହେଁ, ପ୍ରାର୍ଥୀଙ୍କ ଚୟନର ଆଧାର ତାଙ୍କର ‘ଵିନେବିଲିଟି’ ବା ଜିଣିବାର ସାମର୍ଥ୍ୟ ବ୍ୟତୀତ ଆଉ କେଉଁ ବିଶେଷ ଗୁଣାବଳୀ, ତାହା ମଧୢ ଦଳ ଦ୍ବାରା ଉଲ୍ଲିଖିତ ହେବା ଜରୁରି। ମାନ୍ୟବର ସୁପ୍ରିମ କୋର୍ଟଙ୍କ ଏ ନିର୍ଦେଶ ଅତ୍ୟନ୍ତ ସ୍ବାଗତଯୋଗ୍ୟ। କିନ୍ତୁ ବାସ୍ତବ କ୍ଷେତ୍ରରେ ଦୃଶ୍ୟମାନ ହେଉଥିବା ବିଡ଼ମ୍ବନାଟି ହେଲା ପ୍ରାର୍ଥୀଙ୍କ ଆପରାଧିକ ସ˚ପୃକ୍ତି ବାବଦରେ ତାଙ୍କ ନିର୍ବାଚନ ମଣ୍ତଳୀର ପ୍ରାୟ ସମସ୍ତ ଭୋଟର ଅବଗତ ଥାଆନ୍ତି। ଏପରିକି ପ୍ରାୟ କୌଣସି ପ୍ରାର୍ଥୀ ଏହାକୁ ଗୋପନୀୟ ରଖିବାକୁ ଉଦ୍ୟମ ମଧ୍ୟ କରି ନ ଥାଆନ୍ତି। ତେଣୁ କହିବା ବାହୁଲ୍ୟ ଯେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରାଗଲେ ମଧୢ ସ୍ଥିତିରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାର ଆଶା କ୍ଷୀଣ।

୨୦୧୬ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ତଥା ବିଶିଷ୍ଟ ଅର୍ଥଶାସ୍ତ୍ରୀ ରଘୁରାମ ରାଜନ କହିଥିଲେ ଯେ ସେ ସମୟରେ ହୋଇଥିବା ରାଜ୍ୟ ନିର୍ବାଚନ କାଳରେ ସାଧାରଣ ଲୋକଙ୍କ ହାତକୁ ଆସିଥିବା ଅର୍ଥର ପରିମାଣ ପ୍ରାୟ ୬୦,୦୦୦ କୋଟି ଟଙ୍କା। ଏହା ହେଉଛି ନିର୍ବାଚନ ସମୟରେ ବାହୁବଳୀ-ଧନବଳୀ ନେତାମାନଙ୍କ ଦ୍ବାରା ପ୍ରଦତ୍ତ ଅର୍ଥ ଯାହାର ଏକ ବୃହତ୍‌ ହିତାଧିକାରୀ ଦରିଦ୍ର ବର୍ଗର ସାଧାରଣ ଭାରତୀୟ। ଏହାକୁ ମିଳନ ବୈଷ୍ଣବ କହନ୍ତି ବାହୁବଳୀ ନେତାଙ୍କ ‘ରବିନ ହୁଡ୍‌ ସୁଲଭ ଚରିତ୍ରର ପ୍ରଦର୍ଶନ ଯାହା ଅସ˚ଖ୍ୟ ନିମ୍ନବିତ୍ତ ଓ ଦରିଦ୍ର ଭୋଟରଙ୍କୁ ଆକର୍ଷିତ କରିଥାଏ। ଏହି ପରିପ୍ରେକ୍ଷୀରେ ଭାରତୀୟ ରାଜନୀତିକୁ ଅପରାଧୀକରଣରୁ ମୁକ୍ତ କରିବା ଲାଗି କେବଳ ଏକ ମାତ୍ର ମାର୍ଗ ଉନ୍ମୁକ୍ତ, ତାହା ହେଲା ପରିଚ୍ଛନ୍ନ ଚରିତ୍ରଧାରୀ ପ୍ରାର୍ଥୀମାନଙ୍କୁ ନିର୍ବାଚନକୁ ପଠାଇବାର ସମସ୍ତ ଦାୟତ୍ବ ରାଜନୈତିକ ଦଳଗୁଡ଼ିକ ନେବା ଜରୁରୀ। ରାଜନୀତିକୁ ସ୍ବଚ୍ଛ କରିବାର ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପ୍ରୟାସକୁ ଯଦି କିଛି ବାଟର ଯାତ୍ରା ବୋଲି ଅଭିହିତ କରିବା, ତେବେ ଅବଶିଷ୍ଟ ଯାତ୍ରାର ଦାୟିତ୍ବ ରାଜନୈତିକ ଦଳମାନଙ୍କର।

ସମ୍ବନ୍ଧିତ ଖବର