ଶିବ ତାଣ୍ତବ
ତାପର ଅନ୍ୟ ଶକ୍ତି ସହିତ ସମ୍ପର୍କ ସମ୍ବନ୍ଧରେ ଅନୁସନ୍ଧାନ କରୁଥିବା ‘ପଦାର୍ଥ ବିଜ୍ଞାନ’ର ଶାଖା ‘ଥର୍ମୋଡାଇନାମିକ୍ସ’ରେ ସୃଷ୍ଟିର ରହସ୍ୟ ଉନ୍ମୋଚନର ଚାବିକାଠି ନିହିତ ଅଛି ବୋଲି ସୃଷ୍ଟି ବିଜ୍ଞାନୀ ବା ‘କସ୍ମୋଲୋଜିଷ୍ଟ’ମାନେ ବିଶ୍ବାସ କରିଥାନ୍ତି। ନିର୍ଦ୍ଦିଷ୍ଟ ଭାବରେ ଥର୍ମୋଡାଇନାମିକ୍ସର ଦ୍ବିତୀୟ ନିୟମ ହେଉଛି ଏହି ଚାବିକାଠି ବୋଲି କୁହାଯାଇଥାଏ। ଏହି ନିୟମ ଅନୁସାରେ ତାପ କେବଳ ଉତ୍ତପ୍ତ ବସ୍ତୁରୁ ଶୀତଳ ବସ୍ତୁକୁ ଗମନ କରିପାରେ; ଏହାର ବିପରୀତ କେବେହେଲେ ଘଟେ ନାହିଁ। ଏହା ହେଉଛି ‘ପଦାର୍ଥ ବିଜ୍ଞାନ’ର ଏକମାତ୍ର ମୌଳିକ ନିୟମ, ଯାହା ଅତୀତ ଓ ଭବିଷ୍ୟତ ମଧୢରେ ପାର୍ଥକ୍ୟ ସ୍ଥାପନ କରିଥାଏ। ଏହାହିଁ ‘ସମୟର ତୀର’ (‘ଆରୋ ଅଫ୍ ଟାଇମ୍’)ର ଆବିର୍ଭାବ ଘଟାଇଥାଏ, ଯାହାର ପଛରେ ଥାଏ ଅତୀତ ଓ ଆଗରେ ଥାଏ ଭବିଷ୍ୟତ।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତପ୍ତ ବସ୍ତୁର ସ˚ସ୍ପର୍ଶରେ ଆସିଲେ ଶୀତଳ ବସ୍ତୁର ନିର୍ଦ୍ଦିଷ୍ଟ ଅଣୁବିନ୍ୟାସ ଅଧିକ ଅସଜଡ଼ା ଓ ଅନିର୍ଦ୍ଦିଷ୍ଟ ହୋଇଯାଏ; ଏକ ସଜଡ଼ା ହୋଇ ରହିଥିବା ତାସ୍ ମୁଠା ଫେଣ୍ଟି ଦେବା ପରେ ଅଧିକ ଅସଜଡ଼ା ବା ଅବିନ୍ୟସ୍ତ ହୋଇଯିବା ଭଳି। ଅତୀତ ଓ ଭବିଷ୍ୟତ ମଧୢରେ ପାର୍ଥକ୍ୟ ହେଉଛି ଏହି ଅବିନ୍ୟସ୍ତତାରେ ହିଁ ବୃଦ୍ଧି ମାତ୍ର, ଯାହା ‘ପଦାର୍ଥ ବିଜ୍ଞାନ’ ଭାଷାରେ ହେଉଛି ‘ଏଣ୍ଟ୍ରପି’ରେ ବୃଦ୍ଧି। ସାରା ବ୍ରହ୍ମାଣ୍ତ ମୂଳରେ ଯାହା ରହିଛି, ତାହା ହେଉଛି ଏହି ଚିରନ୍ତନ କ୍ରମବର୍ଦ୍ଧିଷ୍ଣୁ ‘ଏଣ୍ଟ୍ରପି’। ଜଗତ୍ରେ ଯାହା ଯାହା ଘଟଣାମାନ ଘଟିଥାଏ, ଯାହାକୁ ଇତିହାସ ବୋଲି କୁହାଯାଏ ତାହା ହେଉଛି ପ୍ରାରମ୍ଭିକ ନୀଚା ‘ଏଣ୍ଟ୍ରପି’ରୁ ଏକ ଚିରବର୍ଦ୍ଧିଷ୍ଣୁ ଉଚ୍ଚା ‘ଏଣ୍ଟ୍ରପି’ ଦିଗରେ ଯାତ୍ରା ମାତ୍ର। ବିଶ୍ବବ୍ରହ୍ମାଣ୍ତ ହେଉଛି ଏକ ସୁବିନ୍ୟସ୍ତ ନୀଚା ‘ଏଣ୍ଟ୍ରପି’ ବିଶିଷ୍ଟ ପର୍ବତ ଭଳି ଯାହା କ୍ରମଶଃ ଧସି ଯିବାରେ ଲାଗିଛି, ଅର୍ଥାତ୍ ଅଧିକରୁ ଅଧିକ ଅବିନ୍ୟସ୍ତ ହୋଇ ପଡ଼ି ‘ଏଣ୍ଟ୍ରପି’ରେ ବୃଦ୍ଧି ଘଟି ଚାଲିଛି। ଏହି ଧ୍ବ˚ସ ଓ ସର୍ଜନା ଲୀଳାକୁ ବ୍ରହ୍ମାଣ୍ତ ବିଜ୍ଞାନୀମାନେ ଶିବଙ୍କର ଅସଲ ତାଣ୍ତବ ନୃତ୍ୟ ରୂପେ ବର୍ଣ୍ଣନା କରିଛନ୍ତି, ଯାହା ହିଁ ସମୟକୁ ଜନ୍ମ ଦେଇଥାଏ ଓ ଗତିଶୀଳ କରିଥାଏ।
ବ୍ରହ୍ମାଣ୍ତ ବିଜ୍ଞାନର ଏହି ସୃଷ୍ଟିତତ୍ତ୍ବ ଦୃଷ୍ଟିରେ ଯଦି ଇତିହାସକୁ ଦେଖାଯାଏ, ତେବେ ସାରା ଇତିହାସରେ ବ୍ରିଟିସ୍ ସାମ୍ରାଜ୍ୟଠାରୁ ଅଧିକ ସୁବିନ୍ୟସ୍ତ ସାମ୍ରାଜ୍ୟ କେବେ ଦେଖାଯାଇ ନାହିଁ, ଯାହା ଏକଦା ସାରା ପୃଥିବୀରେ ଏପରି ବିଛାଇ ହୋଇ ରହିଥିଲା ଯେ ସେ ସାମ୍ରାଜ୍ୟରେ କେବେ ହେଲେ ସୂର୍ଯ୍ୟାସ୍ତ ଘଟୁନଥିଲା ବୋଲି ଆସ୍ଫାଳନ କରାଯାଉଥିଲା। ଭାରତ ଥିଲା ଏହି ସାମ୍ରାଜ୍ୟର ମଥାମଣି ସଦୃଶ। ୧୭୫୭ରେ ବେଙ୍ଗଲ୍ ଜୟ କଲା ପରେ କ୍ରମେ ସାରା ଭୂ-ଖଣ୍ତକୁ ଦଖଲ କରି ୧୯୪୭ ପର୍ଯ୍ୟନ୍ତ ପାଖାପାଖି ଦୁଇ ଶତାବ୍ଦୀ ଧରି ବ୍ରିଟେନ୍ ଭାରତକୁ ଶାସନ କରିଥିଲା। ଏହା ଲୁଚା ଛପା ନୁହେଁ ଯେ ଗୋରା ବ୍ରିଟିସ୍ ଶାସକମାନେ ଅଧା-କଳା ଦେଶୀ ଭାରତୀୟ ବା ‘ନେଟିଭ୍’ମାନଙ୍କୁ ନିମ୍ନ ଶ୍ରେଣୀର, ସ୍ଥୂଳ ବିଚାରବୁଦ୍ଧି ସମ୍ପନ୍ନ ମାନବ ରୂପେ ନାକ ଟେକି ଦେଖୁଥିଲେ। ମଇଳା ଲୁଗାକୁ କାଚି ସଫା କରିବା ଭଳି, ନେଟିଭ୍ମାନଙ୍କୁ ସଭ୍ୟ ଶିକ୍ଷିତ କରିବା ଦାୟିତ୍ବ ଅବଶ୍ୟ ସେମାନେ ସମୟେ ସମୟେ ନିଜ ଉପରକୁ ନେଇଥିଲେ, ଯାହା ଏପର୍ଯ୍ୟନ୍ତ ‘ହ୍ବାଇଟ୍ ମ୍ୟାନ୍ସ ବର୍ଡନ’ (‘ଗୋରାମାନଙ୍କ ବୋଝ’) ରୂପେ ଇ˚ରେଜୀ ଭାଷା ସାହିତ୍ୟରେ ବ୍ୟବହୃତ ହେବା ଦେଖାଯାଇଥାଏ। ଏହି ଅଭିବ୍ୟକ୍ତିର ଜନ୍ମଦାତା ନୋବେଲ୍ ପୁରସ୍କାରପ୍ରାପ୍ତ ବ୍ରିଟିସ୍ ଉପନିବେଶବାଦୀ ସାହିତ୍ୟିକ ରଡ୍ୟାଡ଼୍ କିପ୍ଲିଙ୍ଗ୍ଙ୍କର ୧୮୯୯ରେ ପ୍ରକାଶିତ ଏହି ଶୀର୍ଷକଧାରୀ କବିତାରେ ଉପରୋକ୍ତ ବୋଝ ବହନ କରିବା ପାଇଁ ଗୋରାମାନଙ୍କୁ ଦିଆଯାଇଥିବା ‘ତ୍ୟାଗପୂତ’ ଆହ୍ବାନ ସେମାନଙ୍କର ଏଭଳି ‘କରୁଣାସିକ୍ତ’ ଆଭିମୁଖ୍ୟର ସାରମର୍ମ ବହନ କରିଥାଏ। ସେ କବିତାରେ କିପ୍ଲିଙ୍ଗ୍ ଠାଏ ନେଟିଭ୍ମାନଙ୍କୁ ବର୍ଣ୍ଣନା କରିଛନ୍ତି: ‘‘ହାଫ୍-ଡେଭିଲ୍ ଆଣ୍ତ ହାଫ୍- ଚାଇଲ୍ଡ଼’’ (ଅଧା-ସଇତାନ ଏବ˚ ଅଧା-ଶିଶୁ)।
ସମୟ କିନ୍ତୁ ସ୍ଥିର ହୋଇ ରହିନାହିଁ। ଥର୍ମୋଡାଇନାସିକ୍ସର ଦ୍ବିତୀୟ ନିୟମ ରଚନା କରି ଚାଲିଥିବା ଶିବ ତାଣ୍ତବ ‘ସମୟର ତୀର’କୁ ଆଗକୁ ଆଗକୁ ଠେଲିବା ସହିତ ଏକଦା ସୁବିନ୍ୟସ୍ତ ବ୍ରିଟିସ୍ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଅବିନ୍ୟସ୍ତ କରି ପକାଇଛି। ସେଦିନର ସାମ୍ରାଜ୍ୟ ଆଜି ପୁଣି ସେଇ ମୂଳ କ୍ଷୁଦ୍ର ଦ୍ବୀପଟିର ପରିସୀମା ମଧୢରେ ସୀମିତ। ଅତୀତର ନୀଚା ‘ଏଣ୍ଟ୍ରପି’ର କିନ୍ତୁ ଏକ ଗୁଣ ହେଲା, ଏହା ଯୋଗୁଁ ଅତୀତ ବର୍ତ୍ତମାନ ଉପରେ ନିଜର ଏକ ଛାପ ଛାଡ଼ି ଯାଇଥାଏ। ସାମ୍ରାଜ୍ୟ ଆଉ ନାହିଁ, କିନ୍ତୁ ବ୍ରିଟେନ୍ରେ ସେଦିନର ନେଟିଭ୍ମାନଙ୍କର ବ˚ଶଧରମାନେ ଆଜି ଆତଯାତ ହେଉଛନ୍ତି। କେବଳ ଆତଯାତ ହେଉନାହାନ୍ତି, ଚକ ଘୂରି ଯାଇ ସେମାନେ ଏବେ ଗୋରାମାନଙ୍କୁ ଚଳାଇବା ଦାୟିତ୍ବ ନିଜ କାନ୍ଧ ଉପରକୁ ନେଇଛନ୍ତି। ବ୍ରିଟେନ୍ରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କର ନବଗଠିତ କ୍ୟାବିନେଟ୍ ଉପରେ ଦୃଷ୍ଟି ପକାଇଲେ ଏହି ଭୂମିକା ଅଦଳବଦଳ ଜଳଜଳ ହୋଇ ଦେଖାଯାଇଥାଏ।
ପରମ୍ପରା-ସମୃଦ୍ଧ ବ୍ରିଟିସ୍ ସରକାରରେ ଚାରିଟି ସର୍ବୋଚ୍ଚ ପଦ ବା ‘ଦି ଗ୍ରେଟ୍ ଅଫିସେସ୍ ଅଫ୍ ଷ୍ଟେଟ୍’ ହେଉଛି: ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ (ଚାନ୍ସେଲର୍), ବିଦେଶ ମନ୍ତ୍ରୀ (ଫରେନ୍ ସେକ୍ରେଟାରି), ଗୃହମନ୍ତ୍ରୀ (ହୋମ୍ ସେକ୍ରେଟାରି)। ଏଥିରୁ ଦୁଇଟି ବର୍ତ୍ତମାନ ଦେଶୀମାନଙ୍କ ଦଖଲରେ: ଚାନ୍ସେଲର୍ ୩୯ ବର୍ଷୀୟ ଋଷି ସୁନାକ୍ ଏବ˚ ହୋମ୍ ସେକ୍ରେଟାରି ୪୭ ବର୍ଷୀୟା ପ୍ରୀତି ପଟେଲ୍। ଏ ଦୁହିଁଙ୍କ ବାଦ୍ ଅଛନ୍ତି ୫୧ ବର୍ଷୀୟ ଆଲୋକ ଶର୍ମା, ଯିଏ ତାଙ୍କ ପୂର୍ବର ଆନ୍ତର୍ଜାତିକ ଉନ୍ନୟନ ମନ୍ତ୍ରୀ ପଦରୁ ପଦୋନ୍ନତି ପାଇ ହୋଇଛନ୍ତି ଅତ୍ୟନ୍ତ ସମ୍ମାନଜନକ ବ୍ୟବସାୟ, ଶକ୍ତି ଏବ˚ ଶିଳ୍ପ ବିଭାଗର ମନ୍ତ୍ରୀ। ଏପରିକି ଆସନ୍ତା ନଭେମ୍ବରରେ ଗ୍ଲାସ୍ଗୋ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତିସ˚ଘର ବହୁ ପ୍ରତୀକ୍ଷିତ ଜଳବାୟୁ ଶୀର୍ଷ ସମ୍ମିଳନୀ ‘କପ୍-୨୬’ରେ ସଭାପତିତ୍ବ କରିବେ ଆଲୋକ ଶର୍ମା। ଜନ୍ସନ୍ ସରକାରରେ ଅତି ଉଚ୍ଚ ପଦ ଲାଭ କରିଥିବା ଚତୁର୍ଥ ଦେଶୀ ହେଉଛନ୍ତି ଗୋଆ ମୂଳର ୩୯ ବର୍ଷୀୟା ଆଟର୍ଣ୍ଣି ଜେନେରାଲ୍ ସୁଏଲା ବ୍ରେଭର୍ମ୍ୟାନ୍ (ଫର୍ଣ୍ଣାଣ୍ତେଜ୍)। ସରକାରଙ୍କର ସର୍ବୋଚ୍ଚ ଆଇନ ପରାମର୍ଶଦାତା ରୂପେ ସୁଏଲା କ୍ୟାବିନେଟ ମିଟିିଙ୍ଗ୍ମାନଙ୍କରେ ଉପସ୍ଥିତ ରହିବେ। ଉଲ୍ଲେଖଯୋଗ୍ୟ, ପ୍ରଥମ ତିନିଜଣ ଦେଶୀମନ୍ତ୍ରୀ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବା ବେଳେ ସୁଏଲା ହେଉଛନ୍ତି ବୌଦ୍ଧଧର୍ମାବଲମ୍ବୀ।
ଏ ଚାରିଜଣଙ୍କ ମଧୢରେ ଯିଏ ନିଃସନ୍ଦେହରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପଦ ମଣ୍ତନ କରିଛନ୍ତି ସେ ହେଉଛନ୍ତି ଋଷି ସୁନାକ୍। ସେ କେବଳ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିର ମଙ୍ଗ ଧରିବେ, ତାହା ନୁହେଁ, ବ୍ରେକ୍ସିଟ୍ ପରେ ଇଉରୋପିଆନ୍ ୟୁନିଅନ୍ ସହିତ ବ୍ରିଟିସ୍ ଅର୍ଥନୀତିର ସମ୍ପର୍କ ଛିନ୍ନ କରିବା ଏବ˚ ବିଶ୍ବ ଅର୍ଥନୀତି ସହିତ ନୂତନ ସମ୍ପର୍କ ସ୍ଥାପନ କରିବାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିବେ। ସାମ୍ପ୍ରତିକ ସମୟର ସର୍ବାଧିକ ଜଟିଳ ମୁହୂର୍ତ୍ତରେ ବ୍ରିଟେନ୍ର ଅର୍ଥନୀତିର ରକ୍ଷଣାବେକ୍ଷଣ ଦାୟିତ୍ବ ଏହି ଭାରତୀୟ ମୂଳର ଯୁବକଙ୍କ ହାତରେ ସମର୍ପଣ କରିବା ସହିତ ଏବ˚ ପ୍ରଧାନମନ୍ତ୍ରୀଙ୍କ ବାସଗୃହ ୧୦ ନମ୍ବର ଡାଉନିଙ୍ଗ୍ ଷ୍ଟ୍ରିଟ୍ର ପଡ଼ିଶା ଘର ୧୧ ନମ୍ବର ଡାଉନିଙ୍ଗ୍ ଷ୍ଟ୍ରିଟ୍ର ଚାନ୍ସେଲର୍ ଋଷି ସୁନାକ୍ଙ୍କର ଅବସ୍ଥାନ ସହିତ ସମୟର ତୀରବିଦ୍ଧ ବ୍ରିଟେନ ବୋଧହୁଏ ଶେଷରେ ସ୍ବୀକାର କରିଛି ଯେ ‘ହ୍ବାଇଟ୍ ମ୍ୟାନ୍ସ ବର୍ଡନ୍’ ଥିଲା ସାମ୍ରାଜ୍ୟବାଦୀ କିପ୍ଲିଙ୍ଗ୍ଙ୍କର ଏକ ବିଚାର ବିଭ୍ରାଟ ମାତ୍ର।