ଭିନ୍ନ ପିରାମିଡ୍‌

ସ୍ବର୍ଗତ କୋଇମ୍ବାଟୁର‌୍‌ କୃଷ୍ଣ ରାଓ ପ୍ରହଲାଦ ଏବ˚ ଅରବିନ୍ଦ କେଜ୍ରିଵାଲଙ୍କ ମଧୢରେ ସାମ୍ୟ କ’ଣ? ପ୍ରହଲାଦଙ୍କ କର୍ମକ୍ଷେତ୍ର ଥିଲା ବ୍ୟବସାୟ ପରିଚାଳନା; କେଜ୍ରିଵାଲ୍‌ଙ୍କ କର୍ମକ୍ଷେତ୍ର ହେଉଛି ରାଜନୀତି। ଲାଭ ସନ୍ଧାନ ମୁଖ୍ୟ ଲକ୍ଷ୍ୟ ହୋଇଥିବା ବ୍ୟବସାୟ ପରିଚାଳନା ଏବ˚ ଜନସମର୍ଥନ ସନ୍ଧାନ ମୁଖ୍ୟ ଲକ୍ଷ୍ୟ ହୋଇଥିବା ଲୋକପ୍ରିୟ ରାଜନୀତି ମଧୢରେ କୌଣସି ତାଳମେଳ ରହିବା ପରିବର୍ତ୍ତେ ବିରୋଧାଭାସ ଦେଖାଯିବା ସମ୍ଭାବନା ସର୍ବଦା ଅଧିକ ହୋଇଥାଏ (ରାହୁଲ ଗାନ୍ଧୀଙ୍କ ‘ସୁଟ୍‌ ବୁଟ୍‌କୀ ସରକାର’ କଟାକ୍ଷ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଥିଲା)। କିନ୍ତୁ ପୃଥିବୀର ପ୍ରସିଦ୍ଧତମ ଓ ସଫଳତମ ମ୍ୟାନେଜ୍‌ମେଣ୍ଟ ଗୁରୁମାନଙ୍କ ମଧୢରେ ଅନ୍ୟତମ ରୂପେ ବିବେଚିତ ସି.କେ. ପ୍ରହଲାଦ ଓ ଭାରତର ସଫଳତମ ଆଞ୍ଚଳିକ ରାଜନେତାମାନଙ୍କ ମଧୢରେ ଅନ୍ୟତମ ରୂପେ ବିବେଚିତ ଅରବିନ୍ଦ କେଜ୍ରିଵାଲ୍‌ଙ୍କ ମୌଳିକ ଆଭିମୁଖ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସାମ୍ୟ ପରିଲକ୍ଷିତ ହୋଇଥାଏ। ଉଭୟ ପିରାମିଡ୍‌ର ପାଦଦେଶରେ ହିଁ ସଫଳତାକୁ ଖୋଜି ପାଇବାରେ ବିଶ୍ବାସ କରନ୍ତି।

ପ୍ରାୟ ୧୬ ବର୍ଷ ତଳେ ଆମେରିକାର ପ୍ରସିଦ୍ଧ ହ୍ବାର୍ଟନ ବିଜ୍‌ନେସ ସ୍କୁଲ୍‌ ଦ୍ବାରା ଯେତେବେଳେ ସି.କେ. ପ୍ରହଲାଦଙ୍କର ପୁସ୍ତକ, ‘ଦି ଫର୍ଚୁନ୍‌ ଆଟ୍‌ ଦି ବଟମ୍‌ ଅଫ୍‌ ଦି ପିରାମିଡ୍‌: ଇରାଡ଼ିକେଟିଙ୍ଗ୍‌ ପଭର୍ଟି ଥ୍ରୁ ପ୍ରଫିଟ୍‌ସ’ (ପିରାମିଡ୍‌ର ପାଦ ଦେଶର ସମ୍ପଦ: ଲାଭ ମାଧୢମରେ ଦାରିଦ୍ର୍ୟ ଦୂରୀକରଣ) ପ୍ରକାଶିତ ହେଲା, ତାହା ପୃଥିବୀ ସାରା କମ୍ପାନି ବୋର୍ଡ‌୍ ରୁମ୍‌ରୁ ସରକାରୀ ଉଚ୍ଚ ମହଲ ପର୍ଯ୍ୟନ୍ତରେ ଚହଳ ପକାଇ ଦେଇଥିଲା। ବିଲ୍‌ ଗେଟ୍‌ସ ଏହାକୁ ଦାରିଦ୍ର୍ୟ ସହିତ ଲଢେ଼ଇ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ରୂପେ ପ୍ରଶ˚ସା କରିଥିବା ବେଳେ, ଜଣେ ପୂର୍ବତନ ଆମେରିକାର ପରରାଷ୍ଟ୍ରମନ୍ତ୍ରୀ ମାଡେଲିନ୍‌ ଅଲ୍‌ବ୍ରାଇଟ୍‌ ଏହାକୁ ନୂତନ ଚିନ୍ତା ପାଇଁ ଅନୁସନ୍ଧାନର ଅନ୍ତ ରୂପେ ଘୋଷଣା କରିଥିଲେ। ବିକାଶଶୀଳ ଦେଶମାନଙ୍କରେ ଜନସ˚ଖ୍ୟାର ସାମାଜିକ-ଅର୍ଥନୈତିକ ଗଠନ ପିରାମିଡ଼୍ ଆକୃତି ହୋଇଥାଏ: ଏହାର ସ˚କୀର୍ଣ୍ଣ ଅଗ୍ରଭାଗରେ ଅପେକ୍ଷାକୃତ ଅଳ୍ପସ˚ଖ୍ୟକ ସ୍ବଚ୍ଛଳ ଶ୍ରେଣୀର ଲୋକମାନେ ଥିବାବେଳେ ଏହାର ପ୍ରଶସ୍ତ ନିମ୍ନ ଭାଗରେ ସ˚ଖ୍ୟାବହୁଳ ଦରିଦ୍ର ବା ପଛୁଆ ବର୍ଗ ସ୍ଥାନିତ ହୋଇଥାନ୍ତି। ଯେହେତୁ ପିରାମିଡ୍‌ର ଅଗ୍ର ଅଞ୍ଚଳରେ ଅଧିକ କ୍ରୟଶକ୍ତି କେନ୍ଦ୍ରୀଭୂତ ହୋଇଥାଏ, ଲାଭାନ୍ବେଷୀ ଶିଳ୍ପ ବ୍ୟବସାୟର ଧୢାନ ସର୍ବଦା ସେଇ ଅଞ୍ଚଳରେ ହିଁ କେନ୍ଦ୍ରୀଭୂତ ହୋଇଥାଏ।

ପ୍ରହଲାଦ କିନ୍ତୁ ଚମକପ୍ରଦ ଭାବରେ ଆବିଷ୍କାର କଲେ ଯେ, ଯଦି କମ୍ପାନିମାନେ ଏକ ନୂତନ ରଣକୌଶଳ ଅବଲମ୍ବନ କରି ପିରାମିଡ୍‌ର ନିମ୍ନ ଅଞ୍ଚଳରେ ସମ୍ପଦ ସୃଷ୍ଟିରେ ସାହାଯ୍ୟ କରିବେ, ସେଥିରୁ ମଧୢ ନିଜ ପାଇଁ ଲାଭ ଉପୁଜାଇ ପାରିବେ। ପ୍ରହଲାଦ ଆଜିକାଲି ବହୁଳ ଅନୁସୃତ କମ୍ପାନିମାନଙ୍କର ‘ସିଏସ୍‌ଆର‌୍‌’ (‘କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନ୍‌ସିବିଲିଟି’) କାର୍ଯ୍ୟକ୍ରମକୁ ଏଥିପାଇଁ ଉପଯୁକ୍ତ ବୋଲି ବିଚାର କରୁନଥିଲେ; ସେ ଏହାକୁ ଧର୍ମକୁ ଆଖିଠାର ବୋଲି ଭାବୁଥିଲେ। ତାଙ୍କ ପାଇଁ ଲାଭ ଏକ ମଇଳା ଶବ୍ଦ ନ ଥିଲା କିମ୍ବା ଲାଭ ଅର୍ଜନ ଏକ ଶୋଷଣକାରୀ କାର୍ଯ୍ୟ ହେବାକୁ ବାଧୢ ନ ଥିଲା। ତାଙ୍କର ନୂତନ ରଣକୌଶଳ ଅନୁସାରେ ନିମ୍ନ କ୍ରୟ ଶକ୍ତି ସମ୍ପନ୍ନ ଲୋକମାନେ କିଣିପାରିବା ଭଳି ଛୋଟ ଛୋଟ ଆକାରର ଏକକ (ପ୍ୟାକେଟ୍‌ ଇତ୍ୟାଦି)ରେ ଦ୍ରବ୍ୟ ବିକ୍ରୟ କରିବା (ଭାରତରେ ଛୋଟିଆ ସାମ୍ପୁ ପାଉଚ୍‌, ଟୁଥ୍‌ପେଷ୍ଟ୍ ଟିଉବ୍‌ ଆଦି ପ୍ରହଲାଦୀୟ କୌଶଳର ଉଦାହରଣ); ପ୍ରତି ଏକକ ପିଛା ଲାଭ ଅନୁପାତ ବା ମାର୍ଜିନ୍‌କୁ ଖୁବ୍‌ ନୀଚା ରଖିବା ଏବ˚ ବହୁଳ ପରିମାଣରେ ବିକ୍ରୟ (ହାଇ ଭଲ୍ୟୁମ୍‌) କରିବା ଦ୍ବାରା ଉଭୟ ପିରାମିଡ୍‌ ପାଦଦେଶର ଲୋକମାନେ ଏବ˚ ସମ୍ପୃକ୍ତ କମ୍ପାନିମାନେ ଲାଭବାନ୍‌ ହୋଇପାରିବେ।

ଏଥିପାଇଁ ଯେଉଁ ନୂତନ ବିତରଣ ନେଟ୍‌ଵାର୍କ ଗଠନ କରିବାକୁ ପଡ଼ିବ, ସେଥିରେ ସ୍ଥାନୀୟ ଲୋକମାନଙ୍କୁ ସମ୍ପୃକ୍ତ କରାଯାଇ ସେମାନଙ୍କ ଔଦ୍ୟୋଗିକ କ୍ଷମତାକୁ ପ୍ରସ୍ଫୁଟିତ କରାଯିବ। ଆବଶ୍ୟକ ସ୍ଥଳେ ନୂତନ ଭାବେ ଉପଲବ୍‌ଧ ପଦାର୍ଥ ବା ସେବା କାହିଁକି ଓ କିପରି ବ୍ୟବହାର କରାଯିବ, ସେ ସମ୍ପର୍କରେ ଖାଉଟିମାନଙ୍କୁ ପ୍ରଶିକ୍ଷଣ ଦେବା ଦରକାର ହୋଇପାରେ। ସାମ୍ପୁରୁ କ୍ଷୁଦ୍ର ଋଣ ପର୍ଯ୍ୟନ୍ତରେ ଏ କୌଶଳର ସଫଳ ପ୍ରୟୋଗ ହୋଇପାରିଛି। ଗୋଟିଏ ବାକ୍ୟରେ କହିଲେ, ଦାରିଦ୍ର୍ୟ ଭଳି ସମସ୍ୟାର ଏକ ଔଦ୍ୟୋଗିକ ସମାଧାନ ହେଉଛି ପ୍ରହଲାଦଙ୍କ କୌଶଳର ସାରମର୍ମ। ଏହା ସରକାର ବା ଏନ୍‌ଜିଓମାନେ ପସନ୍ଦ କରୁଥିବା ମାଗଣା ସାହାଯ୍ୟ ବଣ୍ଟନ ରଣନୀତିର ଠିକ୍‌ ବିପରୀତ; ସି.କେ. ପ୍ରହଲାଦ ଯାହାର ଘୋର ବିରୋଧୀ ଥିଲେ। ଏ ପ୍ରକାର ଦାନ-କୈନ୍ଦ୍ରିକ ନୀତି ଦରିଦ୍ର ମାନଙ୍କୁ ସମସ୍ୟାର ସମାଧାନରେ ଅ˚ଶୀଦାର ନ କରି, ଭିକ୍ଷାର୍ଥୀରେ ପରିଣତ କରିଥାଏ। ଏଭଳି ହାତ ଟେକା ସାହାଯ୍ୟ ସେମାନଙ୍କୁ ସର୍ବଦା ‘ବିଚରା ସାହାଯ୍ୟ ପ୍ରାର୍ଥୀ’ କରି ରଖିଥାଏ ବୋଲି ପ୍ରହଲାଦ ବିଶ୍ବାସ କରୁଥିଲେ।

ସି.କେ. ପ୍ରହଲାଦଙ୍କ ବ୍ୟବସାୟ ପରିଚାଳନା ପରି ଅରବିନ୍ଦ କେଜ୍ରିଵାଲ୍‌ଙ୍କ ରାଜନୀତି ମଧୢ ପିରାମିଡ୍‌ର ପାଦଦେଶ ଉପରେ ନିର୍ଭରଶୀଳ। ଫେବ୍ରୁଆରି ୧୬ ତାରିଖ ଦିନ ତୃତୀୟ ଥର ପାଇଁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ଅବସରରେ କେଜ୍ରିଵାଲ ଯେଉଁ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ଦେଶରେ ଏକ ନୂତନ ରାଜନୀତିକୁ ଜନ୍ମ ଦେଇଛି, ତାହା ଆଉ କିଛି ନୁହେଁ; ତାହା ହେଉଛି ଏହି ପିରାମିଡ୍‌ ରାଜନୀତି। ଏହା କିନ୍ତୁ ପ୍ରହଲାଦଙ୍କ ନୀତିର ଠିକ୍‌ ବିପରୀତ। କେଜ୍ରିଵାଲ ପିରାମିଡ୍‌ର ପାଦ ଦେଶରେ ଥିବା ଭୋଟ ସ˚ଗ୍ରହ ପାଇଁ ସେଠାରେ ଥିବା ଦାରିଦ୍ର୍ୟର ଔଦ୍ୟୋଗିକ ସମାଧାନ ନ କରି ସେଠାରେ ମାଗଣା ବଣ୍ଟନ ନୀତିର ଆଶ୍ରୟ ନେଇଛନ୍ତି- ବିଜୁଳି, ପାଣିରୁ ବସ୍‌ ଯାତ୍ରା ପର୍ଯ୍ୟନ୍ତ। ଏହାକୁ ହିଁ ସେ ନୂତନ ରାଜନୀତି ବୋଲି ଡିଣ୍ତିମ ପିଟୁଛନ୍ତି। ଏ ନୀତି ସପକ୍ଷରେ ଶ୍ରୋତାମାନଙ୍କୁ ମୂର୍ଖ ମନେ କରି ସେ ସେଦିନ ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ତାହା ହେଲା- ‘‘ଦୁନିଆରେ ଈଶ୍ବର ସୃଷ୍ଟି କରିଥିବା ପ୍ରତ୍ୟେକ ଦ୍ରବ୍ୟ ହେଉଛି ମାଗଣା’’। ଅର୍ଥଶାସ୍ତ୍ର ସହିତ ସାମାନ୍ୟତମ ପରିଚିତ ଥିବା ସ୍କୁଲ ଛାତ୍ରଟିଏ ମଧୢ ଜାଣେ ଯେ ସ˚ସାରରେ ଦୁଇ କିସମର ଦ୍ରବ୍ୟ ଉପଲବ୍‌ଧ ଥାଏ: ଖରା, ବର୍ଷା, ପବନ ଭଳି ପ୍ରାକୃତିକ ଅବସ୍ଥାରେ ଥିବା ଈଶ୍ବର ସୃଷ୍ଟ ଅବାଧ ଲବ୍‌ଧ ଦ୍ରବ୍ୟମାନ ଏବ˚ ମାନବୀୟ ଶ୍ରମ ଓ ପୁଞ୍ଜି ବିନିଯୁକ୍ତ ହୋଇ ଉତ୍ପାଦିତ ହେଉଥିବା ଖର୍ଚ୍ଚ ସାପେକ୍ଷ ବିଜୁଳି ଶକ୍ତି, ପାଇପ୍‌ ପାଣି, ରେଳଗାଡ଼ି ଓ ବସ୍‌ଯାତ୍ରୀ ଆଦି; ଯାହାକୁ ଈଶ୍ବର ମାଗଣାରେ ଯୋଗାଇ ନ ଥାନ୍ତି। ଦିଲ୍ଲୀ ଏକ ନାମମାତ୍ର ରାଜ୍ୟ ହୋଇଥିଲେ ହେଁ ପ୍ରକୃତରେ ଏହା ହେଉଛି ଏକ ବିତ୍ତଶାଳୀ ନଗରୀ, ଯେଉଁଠି ସ˚ଗୃହୀତ ରାଜସ୍ବରେ ସରକାରୀ ତହବିଲ ଭରପୂର। କେଜ୍‌ରୀଙ୍କ ପାଇଁ ତେଣୁ ମାଗଣା ବାଣ୍ଟିବା ଲାଗି ସମ୍ବଳରେ ଅଭାବ ନାହିଁ। କିନ୍ତୁ ଅନ୍ୟ ରାଜ୍ୟମାନେ ଯଦି ଭୋଟ୍‌ ସାଉଁଟିବା ପାଇଁ କେଜ୍‌ରୀଙ୍କ ପିରାମିଡ୍‌ ମଡେଲର ଅନୁକରଣ କରନ୍ତି, ତାହା କିପରି ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବ ତଥା ପ୍ରଗତିର ପଥରୋଧ କରିବ, ତାହା ବୁଝାଇବା ଅନାବଶ୍ୟକ। ସର୍ବୋପରି ଏହି ମାଗଣା ବଣ୍ଟନ ହିତାଧିକାରୀମାନଙ୍କର ଅବସ୍ଥା ସେଇ ବିଲେଇ ପରି ହେବ, ଯିଏ ବିନା ପରିଶ୍ରମରେ ସବୁବେଳେ ଦୁଧଭାତ ମିଳିଯିବା ପରେ ମୂଷା ଧରିବା କୌଶଳ ଭୁଲିଯାଏ ଓ କ୍ଷମତା ହରାଇ ବସି ସର୍ବଦା ଗୃହସ୍ବାମୀଙ୍କ ହାତ ଟେକା ଦାନକୁ ଚାହିଁ ରହିଥାଏ। ପ୍ରହଲାଦଙ୍କ ପିରାମିଡ୍‌ ମଡେଲ୍‌ ବିଲେଇମାନଙ୍କୁ ମୂଷା ଧରା ଶିଖାଉଥିବା ବେଳେ, କେଜ୍ରିଵାଲଙ୍କ ପିରାମିଡ୍‌ର ପାଦଦେଶ ହେବ ମୂଷା ଧରା ଭୁଲି ସାରିଥିବା ବିଲେଇମାନଙ୍କର ବିଶ୍ରାମସ୍ଥଳ।

ସମ୍ବନ୍ଧିତ ଖବର