ମନତଳର ଅନ୍ଧାର

କୌଣସି ଏକ ବିୟୋଗାନ୍ତକ ଦୃଶ୍ୟରେ ଦର୍ଶକ ବା ଦେଖଣାହାରୀମାନେ ହଠାତ୍‌ ସେହି ନାଟକର ବିଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇଯାଉଥିବା ଭଳି ଏକ ଉଦ୍ଭଟ ନାଟକର ଯଦି ପରିକଳ୍ପନା କରାଯାଇ ସେଥିଲାଗି ମଞ୍ଚଟିଏ ଲୋଡ଼ା ଯାଏ, ତେବେ ଆମ ଦୈନନ୍ଦିନ ଜୀବନର ମଞ୍ଚ ଯେ ହେବ ସର୍ବୋତ୍କୃଷ୍ଟ, ଏହା କହିବା ନିଷ୍ପ୍ରୟୋଜନ। ଏଭଳି ଏକ ମନ୍ତବ୍ୟରେ ନିହିତ ଥିବା ଅର୍ଥ ବୁଝିବା ଲାଗି ଯେଉଁ ଅତ୍ୟନ୍ତ ବିମର୍ଷକର ଘଟଣାଟି ଆମକୁ ସାହାଯ୍ୟ କରିପାରେ, ତାହା ହେଲା ଗଲା ବୁଧବାର ସକାଳେ ଭଦ୍ରକ ଜିଲ୍ଲାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା। ଗଣମାଧୢମରେ ପ୍ରକାଶିତ ଖବର ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଭାବେ ଆହତ ଜଣେ ଯୁବକ ସେଠାରେ ରୁଣ୍ତ ହୋଇଥିବା ଦେଖଣାହାରୀଙ୍କୁ ପ୍ରାୟ ଅଧଘଣ୍ଟାଏ କାଳ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିବା ବେଳେ ଯାହା ପରିଦୃଷ୍ଟ ହୋଇଥିଲା ତାହା ହେଉଛି ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଦ୍ବାରା ଭିଡିଓ ଚିତ୍ର ଉତ୍ତୋଳନ ଏବ˚ ସେଲ୍‌ଫି ଓ ଫଟୋ ନେବାର ଦୃଶ୍ୟ। ଏପରିକି ଜନୈକ ସାମ୍ବାଦିକ ସେହି ସ୍ଥାନରୁ ଏହି ଦୃଶ୍ୟକୁ କୁଆଡ଼େ ‘ଫେସ୍‌ବୁକ୍‌’ରେ ସିଧା ପ୍ରସାରଣ କରିଥିଲେ! କହିବା ବାହୁଲ୍ୟ ଯେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ବିବେକ ଦ˚ଶନ କଲା ଭଳି ଏହି ଘଟଣା ପରିପ୍ରେକ୍ଷୀରେ ଯେଉଁ ସ୍ବାଭାବିକ ପ୍ରଶ୍ନଟି ଏହି ସ୍ତମ୍ଭକୁ ପାଠ କରୁଥିବା ପ୍ରାୟ ସମସ୍ତ ପାଠକପାଠିକାଙ୍କ ମନକୁ ଗଭୀର ଭାବେ ଆନ୍ଦୋଳିତ କରିଥିବ ତାହା ହେଲା: ‘ସା˚ପ୍ରତିକ ସମୟରେ ମାନବୀୟ ସ˚ବେଦନଶୂନ୍ୟତାର ଏହା କ’ଣ ଆଉ ଏକ ଉଦାହରଣ? କିନ୍ତୁ, ଏହାର ଉତ୍ତର ବୋଧହୁଏ ଏକ ସରଳ ‘ହଁ’ ମଧୢ ହୋଇ ନ ପାରେ; କାରଣ ବାରମ୍ବାର ଆମମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇ ଚାଲିଥିବା ଆଚରଣ ଆମ ସ୍ବଭାବରେ ଅନ୍ତର୍ନିହିତ ଏକ ଦୁର୍ବୋଧ୍ୟ ବିରୋଧାଭାସକୁ ହିଁ ପ୍ରମାଣିତ କରିବାରେ ଲାଗିଛି।

ଉଲ୍ଲେଖନୀୟ ଯେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କ ନିକଟରେ ଜରୁରୀକାଳୀନ ଡାକ୍ତରୀ ସେବା ପହଞ୍ଚିବା ସକାଶେ ଆବଶ୍ୟକ ସର୍ବନିମ୍ନ ‘ସମୟ ଝରକା’ ସ୍ଥଳ ବିଶେଷରେ ହୋଇପାରେ ଅଧଘଣ୍ଟାଏ, ଯାହାକୁ ଡାକ୍ତରୀ ଭାଷାରେ କୁହାଯାଇଥାଏ ‘ଗୋଲଡେନ୍‌ ଆଵାର‌୍‌’ ବା ‘ସୁବର୍ଣ୍ଣ ସମୟ’। ଏହି ଅତ୍ୟନ୍ତ ମୂଲ୍ୟବାନ ମୁହୂର୍ତ୍ତର ଅପଚୟ କାରଣରୁ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କ ମଧୢରୁ ପ୍ରାୟ ୨୦% ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥାଆନ୍ତି ବୋଲି ସଡ଼କ ଦୁର୍ଘଟଣା ଉପରେ କରାଯାଇଥିବା ଅନେକ ସର୍ବେକ୍ଷଣରୁ ଲବ୍‌ଧ ପରିସ˚ଖ୍ୟାନ କହିଥାଏ। ଏ ପରିପ୍ରେକ୍ଷୀରେ ଆମ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣାଜନିତ ମୃତାହତଙ୍କ ସ˚ଦର୍ଭରେ ବିଧାନସଭାର ଗଲା ଶୀତକାଳୀନ ଅଧିବେଶନରେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ପ୍ରଣିଧାନଯୋଗ୍ୟ। ଏହା କହିଥିଲା ଯେ ବିଗତ ଚାରି ବର୍ଷ ଭିତରେ ଆମ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୮,୬୮୩ଙ୍କ ପ୍ରାଣହାନି ଘଟିଥିଲା। ଏହାର ଏକ ବୃହତା˚ଶର କାରଣ ଏହି ‘ସୁବର୍ଣ୍ଣ ସମୟ’ର ଅବମାନନା। ସେହି ଦୃଷ୍ଟିରୁ ବୁଧବାର ସକାଳର ଘଟଣାରେ ଅନେକଙ୍କ ଉପସ୍ଥିତି ସତ୍ତ୍ବେ ‘ସୁବର୍ଣ୍ଣ ସମୟ’କୁ ହାତ ପାହାନ୍ତାରୁ ଖସିଯିବାକୁ ଦେବା ଏକ ଲଜ୍ଜାଜନକ ସାମୂହିକ ବିଫଳତା ବୋଲି କହିଲେ ଭୁଲ ହେବନାହିଁ। ପୁନଶ୍ଚ ଏହା ଘଟିଛି ଏଭଳି ଏକ ସମୟରେ ଯେତେବେଳେ ଆମ ରାଜ୍ୟ ସରକାର ସଡ଼କ ଦୁର୍ଘଟଣାଜନିତ ମୃତାହତଙ୍କ ସ˚ଖ୍ୟା ହ୍ରାସ କରିବା ଲାଗି ପଥିକୃତ୍‌ ପଦକ୍ଷେପ ନେଇଛନ୍ତି। ୨୦୧୮ରେ ପ୍ରଣୀତ ଏକ ନୂଆ ନୀତି ଅନୁସାରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଆସିଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ପ୍ରକାରେ ଅଟକ ରଖାଯାଇପାରିବ ନାହିଁ ବା ତାଙ୍କୁ ପ୍ରଶ୍ନ ଜର୍ଜର କରାଯାଇପାରିବ ନାହିଁ। ବର˚ ତାଙ୍କର ଏଭଳି କାର୍ଯ୍ୟ ଲାଗି ତାଙ୍କୁ ୨୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ଘରୋଇ ବା ସରକାରୀ ନିର୍ବିଶେଷରେ ନିକଟତମ ହାସପାତାଲରେ କରାଯିବ। କେବଳ ସେତିକି ନୁହେଁ, ଆହତମାନଙ୍କ ଲାଗି ପ୍ରଥମ ୪୮ ଘଣ୍ଟାର ଡାକ୍ତରୀ ସେବା ସ˚ପୂର୍ଣ୍ଣ ମାଗଣାରେ ଉପଲବ୍‌ଧ ହେବ। ଏବ˚ କେବଳ ଆଶୁ ଚିକିତ୍ସା ନୁହେଁ; ଆବଶ୍ୟକ ହେଲେ ଜରୁରୀ ଜଟିଳ ଅସ୍ତ୍ରୋପଚାର ମଧୢ କରାଯିବ। ସୁତରା˚, ଭଦ୍ରକ ରାଜପଥରେ ଯାହା ଘଟିଲା, ସେଭଳି ଘଟିଗଲା କାହିଁକି?

କିନ୍ତୁ ସତ କଥା ହେଲା, କେବଳ ଭଦ୍ରକ ନୁହେଁ, ଭାରତର ଅନ୍ୟତ୍ର ବିଭିନ୍ନ ସ୍ଥାନରେ ଅନୁରୂପ ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବା ବିଷୟ ଗଣମାଧୢମରେ ପ୍ରକାଶିତ ହେଉଛି। ସ୍ମରଣ ଯୋଗ୍ୟ ଯେ ୨୦୧୮ରେ ରାଜସ୍ଥାନରେ ଏଭଳି ଏକ ଦୁର୍ଘଟଣାରେ ଜିନି ଜଣ ଗୁରୁତର ଭାବେ ଆହତ ଅଧଘଣ୍ଟାଏରୁ ଅଧିକ କାଳ ଛଟପଟ ହେବା ପରେ ଫଟୋ, ଭିଡିଓ ଓ ସେଲ୍‌ଫି ଉତ୍ତୋଳନକାରୀଙ୍କ ଅରଣ୍ୟ ଭିତରେ ସେମାନଙ୍କ ଶେଷ ନିଃଶ୍ବାସ ତ୍ୟାଗ କରିଥିବାର ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହି ପରିପ୍ରେକ୍ଷୀରେ ଆହତଙ୍କ ଆର୍ତ୍ତନାଦ ସେମାନଙ୍କୁ ଘେରି ରହିଥିବା ନିର୍ଲିପ୍ତ ଦେଖଣାହାରୀଙ୍କ କର୍ଣ୍ଣ ଗହ୍ବରରେ ପ୍ରବେଶ କରୁ ନ ଥିବା ଭଳି ସ୍ଥିତିକୁ ଇ˚ରେଜୀରେ ‘ବାଇଷ୍ଟାଣ୍ତର ସିନ୍‌ଡ୍ରୋମ୍‌’ (ଦେଖଣାହାରୀ ଲକ୍ଷଣ) ବୋଲି ଅଭିହିତ କରାଯାଇଛି। ଏହି ଲକ୍ଷଣ ଲାଗି ଆମ ଦେଶ ଅପଖ୍ୟାତି ମଧୢ ଲାଭ କରିଛି। ତେବେ କିଛି କାଳ ପୂର୍ବ ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିବା ଏହି ଲକ୍ଷଣରେ ସ˚ପ୍ରତି ଯେଉଁ ଏକ ବିକୃତ ପରିବର୍ତ୍ତନ ଆସିଛି, ତାହା ହେଲା କେବଳ ଅନାସକ୍ତ ଦେଖଣାହାରୀ ଭାବେ ନ ରହି ଏଥିରୁ ଏକ ପ୍ରକାର ଉନ୍ମାଦନା ଆହରଣ କରିବାର ପ୍ରବଣତା।

ବାଇବେଲରେ ବର୍ଣ୍ଣିତ ପାରାବଲ୍‌ ‘ଉତ୍ତମ ସାମାରୀୟ’ଙ୍କ କାହାଣୀ ଅନୁସାରେ ଜେରୁଜେଲମରୁ ଜେରିକୋ ଯାତ୍ରା କରୁଥିବା ଜଣେ ଇହୁଦୀ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ସଡ଼କରେ ପଡ଼ିଥିବା ବେଳେ ସେଇ ବାଟରେ ଜଣକ ପରେ ଜଣେ ହୋଇ ତାଙ୍କୁ ଅତିକ୍ରମ କରିଥିବା ତିନି ଜଣ ବ୍ୟକ୍ତିଙ୍କ ମଧୢରୁ କେବଳ ଜଣେ (ତୃତୀୟ ବ୍ୟକ୍ତି) ମାତ୍ର ତାଙ୍କୁ ସେବା ଓ ଶୁଶ୍ରୂଷା ପ୍ରଦାନ କରିଥିଲେ। ଆଜି ଯଦି ଏହାକୁ ଏକ ନମୁନା ରୂପେ ଗ୍ରହଣ କରାଯାଏ, ତେବେ ହୁଏ’ତ ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ଗଲା ପ୍ରାୟ ଦୁଇ ହଜାର ବର୍ଷ ମଧୢରେ ମନୁଷ୍ୟ ଆଚରଣରେ ବିଶେଷ ପରିବର୍ତ୍ତନ ଆସି ପାରିନାହିଁ, ଯଦିଓ ଯୀଶୁଙ୍କ ଏଭଳି ନୀତିବାଣୀମୂକଳ ଗଳ୍ପ ଠାରୁ ଆରମ୍ଭ କରି ଆଜିର ସରକାରଙ୍କ ପ୍ରୋତ୍ସାହନମୂଳକ ବ୍ୟବସ୍ଥା ପର୍ଯ୍ୟନ୍ତରେ ଅନେକ କିଛି ସୁଧାରମୂଳକ ପ୍ରୟାସ ନିରନ୍ତର ଜାରି ରହିଛି।

ବିଂଶ ଶତାବ୍ଦୀର ଆଦ୍ୟ ପାଦରେ ଜାର‌୍‌ ଶାସିତ ରୁଷିଆରେ ସ˚ଭ୍ରାନ୍ତ ବର୍ଗୀୟ ମହିଳାମାନେ ଥିଏଟରର ଆରାମଦାୟକ ଉଷ୍ମତା ମଧୢରେ ଅତ୍ୟନ୍ତ ଦୁଃଖାନ୍ତମୂଳକ ଟ୍ରାଜେଡି ଦେଖି ଅଶ୍ରୁ ଜର୍ଜର ହୋଇ ବାହାରକୁ ଆସିବା ବେଳେ ଅନେକ ସମୟରେ ଆବିଷ୍କାର କରୁଥିଲେ ଯେ ବାହାରେ ପ୍ରତୀକ୍ଷା କରି ବସି ରହିଥିବା ସେମାନଙ୍କ ଘୋଡ଼ା ଗାଡ଼ିର କଚୁଆନମାନଙ୍କ ଭିତରୁ କେହି କେହି ରକ୍ତ ଜମାଟ ବନ୍ଧା ଶୀତରେ ପ୍ରାଣ ହରାଇ ସାରିଛନ୍ତି। କିନ୍ତୁ ଏହା ସେମାନଙ୍କ ସକାଶେ କୁଆଡେ଼ ବିଶେଷ ଭ୍ରୂକୁ˚ଚନର କାରଣ ହେଉ ନ ଥିଲା। ଗୋଟିଏ ଟ୍ରାଜେଡି ଦେଖି ଅଶ୍ରୁ ବିସର୍ଜନ କରୁଥିବା ବେଳେ ମଧୢ ତହିଁରୁ ଆନନ୍ଦ ଆହରଣ କରିବାର ପ୍ରକ୍ରିୟାକୁ ଆରିଷ୍ଟଟଲ ‘କାଥାରସିସ୍‌’ ବୋଲି ଅଭିହିତ କହିଥିଲେ। କହିବା ବାହୁଲ୍ୟ ଯେ ଭଦ୍ରକର ରାଜପଥରେ ସେଲ୍‌ଫି ନେଉଥିବା ବ୍ୟକ୍ତିମାନଙ୍କ ମଧୢରୁ ଅନେକ ଏକ ବିୟୋଗାନ୍ତକ ଟ୍ରାଜେଡି ଦେଖିଲା ବେଳେ ‘କାଥାରସିସ୍‌’ ପ୍ରକ୍ରିୟାରେ ହୁଏ’ତ ଅଶ୍ରୁ ସମ୍ବରଣ କରି ପାରୁ ନ ଥିବେ! ତେଣୁ ଏଠାରେ ସେହି ନିଦାରୁଣ ପ୍ରଶ୍ନ ଯେ ଯେଉଁ ଅନ୍ଧକାର ସେ କାଳର ସ˚ଭ୍ରାନ୍ତ ରୁଷୀୟ ମହିଳାଙ୍କ ଠାରୁ ଆରମ୍ଭ କରି ଆଜିର ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଘେରି ସେଲ୍‌ଫି ଉତ୍ତୋଳନ କରୁଥିବା ଜନସାଧାରଣଙ୍କ ପର୍ଯ୍ୟନ୍ତରେ ମଣିଷର ମନତଳକୁ ଘୋଟି ରହିଛି, ତାକୁ କେଉଁ ଆଲୋକ ଦୂର କରିପାରିବ?

ସମ୍ବନ୍ଧିତ ଖବର