ବର୍ଷ ନୂଆ, ଆହ୍ଵାନ ପୁରୁଣା

ସତର ବିଦାୟ ନେଇଛି ଏବଂ ଆରମ୍ଭ ହୋଇଛି ନୂଆବର୍ଷ ୨୦୧୮। ବର୍ଷ ସରିଗଲା ପଛେ, ସତରରେ ରାଜ୍ୟକୁ ଆକ୍ରାନ୍ତ କରି ରଖିଥିବା ଅନେକ ପ୍ରମୁଖ ସମସ୍ୟା ଯେଉଁଠି ଥିଲା ସେଇଠି ରହିଯାଇଛି, ବରଂ କିଛି ସମସ୍ୟା ଅଧିକ ବିଗିଡ଼ି ଯାଇଛି। ତେଣୁ ବିଦାୟୀ ସତରରେ ସେହି ସମସ୍ୟା ଗୁଡ଼ିକର ସମାଧାନ ଖୋଜିବା ଯେମିତି ଆହ୍ଵାନଭରା ଥିଲା, ନୂଆବର୍ଷରେ ମଧ୍ୟ ତାହା ସେମିତି ଆହ୍ଵାନ ହୋଇ ରହିବ।

କେବଳ ୨୦୧୭ରେ ନୁହେଁ, ବିଗତ ଗୋଟିଏ ଦଶକରୁ ଅଧିକ କାଳ ଧରି ଗଡ଼ି ଆସି ପୁଣି ନୂଆ ବର୍ଷରେ ମଧ୍ୟ ଏକ ବଡ଼ ଆହ୍ଵାନ ଭାବେ ଛିଡ଼ା ହୋଇଥିବା ସମସ୍ୟାଟି ହେଲା କୃଷି କ୍ଷେତ୍ରରେ ସଂକଟ। ରାଜ୍ୟକୁ ଆକ୍ରାନ୍ତ କରିଥିବା ସମସ୍ୟାର ଦୀର୍ଘ ତାଲିକାର ଶୀର୍ଷରେ ନିଶ୍ଚୟ ରହିବ ସଂକଟଗ୍ରସ୍ତ କୃଷି, ଯାହାର ସମାଧାନ ପ୍ରାଥମିକତା ଦାବି କରେ। ଚାଷ ସହ ଯୋଡ଼ି ହୋଇଛି ରାଜ୍ୟର ଦୁଇ ତୃତୀୟାଂଶ ଲୋକଙ୍କ ଜୀବନ, ଜୀବିକା ଓ ଭାଗ୍ୟ-ଭବିଷ୍ୟତ। ଚାଷ କେତେ ବିପର୍ଯ୍ୟସ୍ତ ଓ ଚାଷୀ କେତେ ଦୁର୍ଦଶାଗ୍ରସ୍ତ, ତାର କରୁଣ ବୟାନ ହେଲା ରାଜ୍ୟରେ ଜାରି ରହିଥିବା କୃଷକ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ। ସରକାରୀ ତଥ୍ୟ ଅନୁଯାୟୀ ୨୦୦୫ରୁ ୨୦୧୪ ମଧ୍ୟରେ ୧୮୯୫ ଜଣ ଚାଷୀ ହତାଶାର ଚାପରେ ନିଜର ଜୀବନ ହାରିଛନ୍ତି। ଗତ ଶୀତକାଳୀନ ଅଧିବେଶନରେ ବିଧାନସଭାରେ ଉପସ୍ଥାପିତ ସୂଚନା ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ ତିରିଶ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଗୃହ ମୁଲତବୀ ହେବା ପରେ ମଧ୍ୟ ଆହୁରି ଅନେକ ଚାଷୀ ଆତ୍ମହତ୍ୟା କଲେଣି। ଅବଶ୍ୟ, ଏହା ଏକ ଭିନ୍ନ କଥା ଯେ ସରକାରୀ ତଦନ୍ତରେ କୌଣସି ଜଣେ ହେଲେ ଚାଷୀଙ୍କ ଆତ୍ମହତ୍ୟା ବିପର୍ଯ୍ୟସ୍ତ ଚାଷ ଜନିତ ନୁହେଁ। ବିଧାନସଭା ଭିତରେ ଓ ବାହାରେ ରାଜରାସ୍ତାରେ ଚାଷ ଓ ଚାଷୀ ପ୍ରସଙ୍ଗରେ ତମ୍ବିତୋଫାନ ଚାଲିଛି, ଅଥଚ ସମାଧାନର ବାଟ ବାହାରୁ ନାହିଁ। ଏହା ପଛରେ ଥିବା ମଞ୍ଜି କାରଣଟି ହେଲା ବାସ୍ତବତାକୁ ଅସ୍ୱୀକାର କରିବା ଲାଗି ନୀତି ନିର୍ଦ୍ଧାରକଙ୍କ ବ୍ୟଗ୍ରତା। ବାସ୍ତବତା ପ୍ରତି ମୁହଁ ମୋଡ଼ି ନେଲେ ବାସ୍ତବତା ବଦଳି ଯାଏ ନାହିଁ। ବାସ୍ତବତା ଯେତେ ନିଷ୍ଠୁର ହେଲେ ସୁଦ୍ଧା, ତା’କୁ ଯଦି ସ୍ୱୀକାର କରାଯାଏ, ତେବେ ସମାଧାନର ବାଟ ଫିଟିବାର ସମ୍ଭାବନା ଥାଏ।

କୃଷିକୁ ସାଂପ୍ରତିକ ସଂକଟରୁ ଉଦ୍ଧାର ଲାଗି ଏକମାତ୍ର ବିକଳ୍ପ ହେଲା ଚାଷରୁ ଚାଷୀର ଆୟରେ ବୃଦ୍ଧି। ତେବେ ଏହି ଲକ୍ଷ୍ୟ ହାସଲ ପାଇଁ କିଛି ପ୍ରାକ୍‌-ଆବଶ୍ୟକତା ରହିଛି। ଯେମିତି ଉତ୍ପାଦନ-ଉତ୍ପାଦକତା ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିର ଭରଣା ପାଇଁ ଆନୁଷ୍ଠାନିକ ସୁରକ୍ଷା ବ୍ୟବସ୍ଥା, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଲାଭଯୁକ୍ତ ବିକ୍ରି ମୂଲ୍ୟ ଓ ସହଜ ବଜାର ସୁବିଧା ଆଦି। କର୍ତ୍ତୃପକ୍ଷ ଯୁକ୍ତି କରିପାରନ୍ତି ଏ ସବୁକୁ ଧ୍ୟାନରେ ରଖି ପର୍ଯ୍ୟାୟକ୍ରମେ ସମୁଚିତ ପଦକ୍ଷେପ ନିଆଯାଉଛି। ସେଥିପାଇଁ ରାଜ୍ୟରେ ଚାଷୀ ପରିବାର ପିଛା ମାସିକ ଆୟ ଦୁଇ ଗୁଣ ବଢ଼ି ୪୯୭୬ ଟଙ୍କାରେ ପହଞ୍ଚିଛି। କିନ୍ତୁ ଏହା କ’ଣ ଯଥେଷ୍ଟ? ପଞ୍ଜାବର ଗୋଟିଏ ଚାଷୀ ପରିବାରର ମାସିକ ଆୟ ଯଦି ୧୮ ହଜାର ଟଙ୍କାଓ ଜାତୀୟ ସ୍ତରରେ ଗୋଟିଏ ଚାଷୀ ପରିବାରର ମାସିକ ହାରାହାରି ଆୟ ୬,୪୨୬ ଟଙ୍କା। ପଞ୍ଜାବ ଚାଷୀଙ୍କ ସହ ନହେଲା ନାହିଁ, ଅନ୍ତତଃ ଜାତୀୟ ହାର ସହ ଓଡ଼ିଶା ଚାଷୀର ଆୟକୁ ସମାନ କରିବା ଏ ବର୍ଷର ଆହ୍ଵାନ ହେଉ। ସେମିତି ଯୁକ୍ତି କରାଯାଇ ପାରେ, ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ବିତ୍ପାତ ପାଇଁ ଚାଷୀଙ୍କୁ ‘ଇନ୍‌ପୁଟ ସବ୍‌ସିଡି’ ରୂପରେ ସହାୟତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମଧ୍ୟ କ୍ଷତିପୂରଣ ଦିଆଯାଉଛି। କିନ୍ତୁ ଏହା ଆଦୌ ପର୍ଯ୍ୟାପ୍ତ ନୁହେଁ।

ଅନ୍ୟଥା ଗୋଟିଏ ସନର ମାଡ଼ରୁ ସଳଖିବା ଲାଗି ଚାଷୀକୁ ତିନି ସନ ଲାଗନ୍ତା ନାହିଁ। ପୁଣି କେତେ ଚାଷୀଙ୍କୁ ଏହା ମିଳୁଛି? ଭାଗଚାଷୀଙ୍କୁ ଏହି ସୁବିଧା ପ୍ରଦାନ ଲାଗି କ’ଣ ଆଇନଗତ ବ୍ୟବସ୍ଥା ଅଛି? ଭାଗଚାଷୀ ଆଇନ ପ୍ରଣୟନ ଝୁଲି ରହିଛି କାହିଁକି? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି କୃଷକ କଲ୍ୟାଣ ଓ କୃଷି ବିକାଶ ଯୋଜନାରେ ରହିଥିବା ତ୍ରୁଟି ବିଚ୍ୟୁତି ସୁଧାରିବା ଏ ବର୍ଷ ଲାଗି ଆହ୍ଵାନ। କୃଷି ଆୟ ବୃଦ୍ଧି ଲକ୍ଷ୍ୟ ହାସଲ ସକାଶେ ଧାନର ସହାୟକ ମୂଲ୍ୟ ବୃଦ୍ଧି ଏକାନ୍ତ ଆବଶ୍ୟକ। ଯଦି ଗୋଟିଏ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀର ଖର୍ଚ୍ଚ ୨,୩୪୪ ଟଙ୍କା, ତେବେ ସେ କ୍ୱିଣ୍ଟାଲ ୧୫୦୦ ଟଙ୍କାରେ ବିକିଲେ କ’ଣ ପାଇବ? ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ ପାଇଁ ବିଧାନସଭାରେ ଗୃହୀତ ପ୍ରସ୍ତାବ ଅନୁକୂଳ ମନୋଭାବ ସହ କେନ୍ଦ୍ର ସରକାରଙ୍କ ବିଚାରର ଅପେକ୍ଷା ରଖୁଛି।

ଅନ୍ୟତମ ପ୍ରମୁଖ ପୁରୁଣା ପ୍ରସଙ୍ଗ ଯାହା ଏ ବର୍ଷ ମଧ୍ୟ ଏକ ବଡ଼ ଆହ୍ଵାନ, ତାହା ହେଲା ମହାନଦୀ ଜଳ ବିବାଦ। ଏହା ଏକ ସାଧାରଣ ପ୍ରସଙ୍ଗ ନୁହେଁ। ଏଥି ସହିତ ଯୋଡ଼ି ହୋଇଛି ରାଜ୍ୟର ବୃହତ୍ତର ସ୍ୱାର୍ଥ, ସ୍ୱାଭିମାନ ଓ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବନା। ବିବାଦର ସମାଧାନ ଲାଗି କଥାବାର୍ତ୍ତା ଫଳପ୍ରଦ ହୋଇନାହିଁ। ବର୍ତ୍ତମାନ ପାଇଁ ଏକମାତ୍ର ବାଟ ଟ୍ରିବ୍ୟୁନାଲ। ତେବେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନକୁ ଟାଳି ଚାଲିଛନ୍ତି। ସେପଟେ ଉପରମୁଣ୍ଡରେ ଛତିଶଗଡ଼ ବନ୍ଧ ନିର୍ମାଣ ଜାରି ରଖିଛି। ଫଳରେ ମହାନଦୀରେ ଜଳପ୍ରବାହ କମିବାରେ ଲାଗିଛି। ତେଣୁ ଆଜିର ପରିସ୍ଥିତିରେ ଆହ୍ଵାନ ହେଲା ଉଭୟ ନ୍ୟାୟିକ ଓ ରାଜନୈତିକ ସ୍ତରରେ ଓଡ଼ିଶାର ନ୍ୟାଯ୍ୟ ହକ୍‌ ହାସଲ ଲାଗି ମିଳିତ ଲଢ଼େଇକୁ ଜୋରଦାର କରିବା। ସୁଖର ବିଷୟ, ସବୁ ପାର୍ଟି ଦଳୀୟ ସଂକୀର୍ଣ୍ଣତାରୁ ଉପରକୁ ଉଠି ମାଟି ପାଇଁ ଏ ଲଢ଼େଇରେ ସାମିଲ ହୋଇଛନ୍ତି। ଏ ଏକତା ଯେମିତି ଅତୁଟ ରହେ, ତାହା ସମସ୍ତଙ୍କ ଦାୟିତ୍ୱ। ଏହା ସହିତ ପୋଲାଭରମ୍‌, ମହେନ୍ଦ୍ରତନୟା, ବଂଶଧାରା ଓ ନୂଆ ସମସ୍ୟା ଭାବେ ଉଭା ହେଉଥିବା ବ୍ରାହ୍ମଣୀରେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ରକ୍ଷା ରାଜ୍ୟର ରାଜନୈତିକ-ସାମାଜିକ ନେତୃବର୍ଗଙ୍କ ପାଇଁ ଆହ୍ଵାନ। ମନେରଖିବାକୁ ହେବ ଯେ, ନଦୀ ଜଳ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି କେବଳ ନ୍ୟାୟିକ ଓ ରାଜନୈତିକ ଲଢ଼େଇ ପର୍ଯ୍ୟାପ୍ତ ନୁହେଁ। ନଦୀ ଜଳର ସୁବିନିଯୋଗ ସକାଶେ ଯୋଜନାବଦ୍ଧ ଭାବେ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ।

ଚିଟ୍‌ଫଣ୍ଡ୍‌ ମହାଠକେଇର ଶିକାର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ନୂଆ ବର୍ଷର ମଧ୍ୟ ଅନ୍ୟତମ ଆହ୍ଵାନ ହୋଇ ରହିବ। ୧୩୭ଟି ସଂସ୍ଥା ଦ୍ୱାରା ଆଠ ଲକ୍ଷରୁ ଅଧିକ ଜମାକାରୀ ଠକେଇର ଶିକାର ହୋଇଛନ୍ତି। ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ଲାଗି ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ କର୍ପସ ପାଣ୍ଠିର ବ୍ୟବସ୍ଥା ମଧ୍ୟ ୨୦୧୪ରୁ ହୋଇ ସାରିଛି। ଅଥଚ ବର୍ତ୍ତମାନ ସୁଦ୍ଧା ମାତ୍ର ୧୧୨୪ ଜଣ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି। ଜମାକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ଆଳ ଦେଖାଇ ସମୟ ଗଡ଼ାଇ ଦିଆଯାଉଛି। ଉଭୟ ସରକାର ଓ ଚିଟ୍‌ଫଣ୍ଡ୍‌ କମିସନ ମନେରଖିବା ଉଚିତ ଯେ, ଧୈର୍ଯ୍ୟର ବି ଗୋଟିଏ ସୀମା ଥାଏ। ଧୈର୍ଯ୍ୟର ବନ୍ଧ ଭାଙ୍ଗିଲେ ପରିସ୍ଥିତି ବିସ୍ଫୋରକ ମୋଡ଼ ନେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ତେଣୁ ଅଠରର ପ୍ରଥମ ମାସରୁ ହିଁ ଫେରସ୍ତ ଆରମ୍ଭ କରି ବର୍ଷ ଶେଷ ସୁଦ୍ଧା ଯେମିତି ସବୁ ଜମାକାରୀ ନିଜ ଟଙ୍କା ଫେରସ୍ତ ପାଇବେ, ସେଥିପାଇଁ ସୂଚୀ ଘୋଷଣା କରାଯାଇ ପ୍ରତ୍ୟେକ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନିଆଯାଉ। ଅନ୍ୟଥା ଊଣେଇଶରେ ଏହାର ରାଜନୈତିକ ପରିଣାମ କ’ଣ ହେବ ସେ ବିଷୟ ବୁଝାଇ କହିବା ଅନାବଶ୍ୟକ।

ଆଉ ଏକ ଗମ୍ଭୀର ସମସ୍ୟା, ଯାହା ବର୍ଷ ବର୍ଷ ଧରି ରାଜ୍ୟର ଅନେକ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ଅରାଜକତା ଓ ହିଂସାର ବାତାବରଣ ସୃଷ୍ଟି କରିଛି- ନକ୍ସଲ ଉପଦ୍ରବର ମୁକାବିଲା ପୂର୍ବ ବର୍ଷ ଗୁଡ଼ିକ ପରି ଏ ବର୍ଷ ମଧ୍ୟ ଆହ୍ଵାନ ହୋଇ ରହିବ। ଗତ ଦୁଇବର୍ଷ ହେଲା ନକ୍ସଲ ହିଂସା ପୂର୍ବାପେକ୍ଷା କମିବା ଫଳରେ ଧାରଣା ସୃଷ୍ଟି ହୋଇଥିଲା ଯେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦର ପ୍ରଭାବ କମିଛି। କିନ୍ତୁ ବିଦାୟୀ ବର୍ଷର ଦ୍ୱିତୀୟାର୍ଧରେ, ବିଶେଷକରି ଗତ ଦୁଇମାସ ହେଲା ରାଜ୍ୟର କେତେକ ପ୍ରଭାବିତ ଓ ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳରେ ପୁଣି ଲାଲବାହିନୀ ମାତିବା ସତର୍କ ସଂକେତ ଦେଉଛି। ନକ୍ସଲ ମୁକାବିଲା ପ୍ରସଙ୍ଗରେ କୋହଳ ମନୋଭାବର ଅବକାଶ ନାହିଁ। ମାଓବାଦୀଙ୍କ ମୁକାବିଲା କେବଳ ସୁରକ୍ଷା କର୍ମୀଙ୍କ ପାଇଁ ଆହ୍ଵାନ ନୁହେଁ, ସମାନ ଭାବେ ସାଧାରଣ ପ୍ରଶାସନ ପାଇଁ ମଧ୍ୟ ଆହ୍ଵାନ। ସୁରକ୍ଷା ବାହିନୀର ଦାୟିତ୍ୱ ଲାଲବାହିନୀର ହିଂସା ଉପରେ ଅଙ୍କୁଶ ଲଗାଇବା, ତେବେ ସାଧାରଣ ପ୍ରଶାସନର ଦାୟିତ୍ୱ ହେଲା ପ୍ରଭାବିତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ଵିତ କରି, ଶାସନର ଶୂନ୍ୟତାକୁ ଦୂର କରିବା।

ଉପରୋକ୍ତ ଚାରିଟି ପ୍ରମୁଖ ସମସ୍ୟା ବ୍ୟତୀତ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଗତ ବର୍ଷ ଯେମିତି ଆହ୍ଵାନ ଥିଲା, ଏ ବର୍ଷ ମଧ୍ୟ ସେମିତି ଆହ୍ଵାନ ଅପରିବର୍ତ୍ତିତ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ମୁକାବିଲା ସମେତ ସାମୂହିକ ଭାବେ ବିକାଶ, କଲ୍ୟାଣ ଓ ଶାସନ କ୍ଷେତ୍ରରେ ନିଅଣ୍ଟ ଭରଣା ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଆହ୍ଵାନ ହୋଇ ରହିବ। ସମୟ କହିବ, ଏ ଆହ୍ଵାନର ମୁକାବିଲାରେ କେତେ ସଫଳତା ମିଳୁଛି ଓ ଅଠର ଶେଷ ସୁଦ୍ଧା ଓଡ଼ିଶାର ଚିତ୍ର କେତେ ବଦଳୁଛି।

ସମ୍ବନ୍ଧିତ ଖବର