ବିଲାତି ଦଳ

ଗୋଟିଏ ପୋଖରୀରେ ବିଲାତି ଦଳର ଆବିର୍ଭାବ ଘଟିଲା। ପ୍ରତି ଦିନ ଦଳ ଚକଡ଼ାର ଆକାର ଦୁଇଗୁଣ ହେବାକୁ ଲାଗିଲା। ଦେଖାଗଲା ଠିକ୍‌ ୩୦ ଦିନରେ ପୂରା ପୋଖରୀଟି ଦଳ ଦ୍ବାରା ଆଚ୍ଛାଦିତ ହୋଇଗଲା। ବର୍ତ୍ତମାନ ପାଠକପାଠିକାମାନେ ଏ ପ୍ରଶ୍ନଟିର ଉତ୍ତର ଦିଅନ୍ତୁ ଏବ˚ ପ୍ରଶ୍ନଟି ପଢ଼ି ସାରିବା ମାତ୍ରେ ସାଙ୍ଗେ ସାଙ୍ଗେ ଉତ୍ତର ଦିଅନ୍ତୁ। ପୋଖରୀଟିର ଠିକ୍‌ ଅଧା ଅଞ୍ଚଳ ଦଳ ଦ୍ବାରା ଆଚ୍ଛାଦିତ ହେବା ପାଇଁ କେତେଦିନ ଲାଗିଥିବ? ଯେଉଁ ପାଠକପାଠିକାମାନଙ୍କର ଉତ୍ତର ହେଉଛି- ୧୫ ଦିନ, ସେମାନେ ଏକ ଅନୁରୂପ ପରୀକ୍ଷାରେ ଅ˚ଶ ଗ୍ରହଣ କରିଥିବା ଆମେରିକାର ପ୍ରସିଦ୍ଧ ପ୍ରିନ୍‌ସଟନ୍‌ ୟୁନିଭର୍ସିଟିର ୪୦ ଜଣ ଛାତ୍ରଛାତ୍ରୀଙ୍କ ମଧୢରୁ ୩୬ ଜଣଙ୍କ ସହିତ ଅଛନ୍ତି। ଯେଉଁ ପାଠକପାଠିକାମାନଙ୍କ ଉତ୍ତର ହେଉଛି ୨୯ ଦିନ, ସେମାନେ ଅଛନ୍ତି ପ୍ରିନ୍‌ସଟନ୍‌ ଦଳର ବାକି ଚାରି ଜଣଙ୍କ ସହିତ।

ଏହି ଦ୍ବିତୀୟ ଉତ୍ତର ହିଁ ହେଉଛି ସଠିକ୍‌ ଉତ୍ତର। ପୋଖରୀଟିର ଅଧା ଅଞ୍ଚଳ ଦଳରେ ଭର୍ତ୍ତି ହେବା ପାଇଁ ଯଦି ୨୯ ଦିନ ଲାଗେ, ଏବ˚ ଦଳ ଚକଡ଼ାର ଆକାର ଯେହେତୁ ଗୋଟିଏ ଦିନରେ ଦୁଇଗୁଣ ହୋଇଯାଏ, ତେବେ ଠିକ୍‌ ପର ଦିନ ଅର୍ଥାତ୍‌ ୩୦ଶ ଦିବସରେ ଦଳ ଚକଡ଼ା ପୂରା ପୋଖରୀଟିକୁ ମାଡ଼ି ବସିବ। ଅଧା ପୋଖରୀକୁ କବଳିତ କରିବା ପାଇଁ ଦଳକୁ ୨୯ ଦିନ ଲାଗିଥିବା ବେଳେ ବାକି ଅଧକ ଦଖଲ କରିବା ପାଇଁ ସେଇ ଦଳ ଚକଡ଼ାକୁ ଲୋଡ଼ା ହେଲା ମାତ୍ର ଆଉ ଗୋଟିଏ ଦିନ। ଏତେ ସ˚ଖ୍ୟକ ପ୍ରିନ୍‌ସଟନ୍‌ ଛାତ୍ରଛାତ୍ରୀ ଏପରି ଭୁଲ ଉତ୍ତର ଦେବାର କାରଣ ହେଲା ସେମାନଙ୍କ ମାନସିକ ଆଳସ୍ୟ, ବୌଦ୍ଧିକ ଅଭାବ ନୁହେଁ।

ବର୍ତ୍ତମାନ ଭାରତକୁ ଯଦି ୧୩୦ କୋଟି ଜନସ˚ଖ୍ୟାବିଶିଷ୍ଟ ଏକ ପୋଖରୀ ରୂପେ ଦେଖାଯାଏ, ଏଠାରେ ଆବିର୍ଭୂତ ହୋଇଥିବା ଚୀନା କରୋନା ଭାଇରସ୍‌ ହେବ ଉପରୋକ୍ତ ପ୍ରଶ୍ନର ବିଲାତି ଦଳ ଭଳି। ଏବ˚ ଏହି କରୋନା ଦଳର କାୟା ବିସ୍ତାର ହାର ସେଇ ବିଲାତି ଦଳର ବିସ୍ତାର ହାର ସହିତ ମଧୢ ତୁଳନୀୟ। ମର୍ଯ୍ୟାଦାଜନକ ସ୍ବାସ୍ଥ୍ୟଗବେଷଣା ପତ୍ରିକା ‘ଦି ନିଉ ଇ˚ଲାଣ୍ତ ଜର୍ଣ୍ଣାଲ୍‌ ଅଫ୍‌ ମେଡିସିନ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଯଦି ପୋଖରୀର ଦଳ ଭଳି କୌଣସି ଅଞ୍ଚଳରେ କରୋନା ଭାଇରସ୍‌କୁ ଅବାଧରେ ବ୍ୟାପିବାକୁ ଛାଡ଼ି ଦିଆଯାଏ, ତା ହେଲେ ଏହାର ପ୍ରସାର ହାର ହେବ: ୨.୪। ଏହାର ଅର୍ଥ ଜଣେ ସ˚କ୍ରମିତ ବ୍ୟକ୍ତି ଅନ୍ୟ ଦୁଇରୁ ତିନିଜଣ ପର୍ଯ୍ୟନ୍ତଙ୍କୁ ସ˚କ୍ରମିତ କରିବ। (ଗବେଷକମାନଙ୍କ ଭାଷାରେ ଏହାକୁ ଉଲ୍ଲେଖ କରାଯାଇଥାଏ: ଆର‌୍‌ ଜିରୋ= ୨.୪ ରୂପେ।) ପ୍ରଥମ ବ୍ୟକ୍ତି ଦ୍ବାରା ଯେଉଁ ଦୁଇ ଜଣ ସ˚କ୍ରମିତ ହେବେ, ସେମାନେ ପ୍ରତ୍ୟେକ ଦୁଇଜଣ ଲେଖାଏଁ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ସ˚କ୍ରମିତ କରିବେ। ବୁଝାଇବା ଦରକାର ନାହିଁ ଯେ ଯଦି ଏହି ପ୍ରସାର ଶୃଙ୍ଖଳ ଅବ୍ୟାହତ ରହେ ତେବେ, ସାରା ପୋଖରୀ ବିଲାତି ଦଳରେ ଭର୍ତ୍ତି ହୋଇଯିବା ଭଳି ପ୍ରାୟ ସାରା ସମାଜ କରୋନା ଭୂତାଣୁ ଦ୍ବାରା ସ˚କ୍ରମିତ ହୋଇଯିବ। ଲଣ୍ତନ୍‌ସ୍ଥିତ ଇମ୍ପିରିଆଲ୍‌ କଲେଜ୍‌ର ଗବେଷକମାନେ ଉପରୋକ୍ତ ‘ଆର‌୍‌ ଜିରୋ=୨.୪’ ହାରକୁ ଭିତ୍ତି କରି କରିଥିବା ଭବିଷ୍ୟବାଣୀ ଅନୁସାରେ ଯଦି କରୋନା ଭାଇରସ୍‌ର ଜୟଯାତ୍ରାକୁ ପ୍ରତିରୋଧ କରା ନଯାଏ, ତେବେ ମହାମାରୀ ଶେଷ ହେବା ବେଳକୁ ବ୍ରିନେଟ୍‌ର ମୋଟ ଜନସ˚ଖ୍ୟାର ୮୧ ଶତା˚ଶ ସ˚କ୍ରମିତ ହୋଇ ସାରିଥିବେ।

ପୂର୍ବ ଆଲୋଚନାରୁ ଯାହା ସ୍ପଷ୍ଟ ହୋଇ ସାରିଥିବ, ତାହା ହେଲା, ଏହି ସ˚କ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବା ପରିବର୍ତ୍ତେ ଏକ ସମୟରେ ଏତେ ବିଶାଳ ସ˚ଖ୍ୟାରେ ରୋଗୀମାନଙ୍କର ଆବିର୍ଭାବ ଘଟିବ ଯେ, ଦେଶର ଚିକିତ୍ସା ବ୍ୟବସ୍ଥା ତାହାର ଚାପରେ ଭୁଶୁଡ଼ି ପଡ଼ିବ। ଏହାହିଁ ଇଟାଲୀ ଓ ସ୍ପେନ୍‌ ଆଦି ଦେଶମାନଙ୍କରେ ଘଟିବା ଦେଖାଯାଇଛି। ବର୍ତ୍ତମାନ ଯାହା ସମସ୍ତେ ଜାଣିସାରିଲେଣି, ତାହା ହେଲା, ଏ ଭାଇରସ୍‌ର ପ୍ରସାରରୋଧ କରିବାର ଏକମାତ୍ର ଉପାୟ ହେଉଛି: ‘ଲକ୍‌ ଡାଉନ୍‌’। ସ˚କ୍ରମିତ ବ୍ୟକ୍ତିର ଶରୀର ମଧୢରେ ଆଶ୍ରୟ ନେଇଥିବା ଭୂତାଣୁର ଜୀବନକାଳ ସମାପ୍ତ ହୋଇଯିବା ମଧୢରେ ସେ ଯଦି ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତିର ସ˚ସ୍ପର୍ଶରେ ନଆସେ, ତେବେ ଭୂତାଣୁ ନିଜର ବ˚ଶ ବିସ୍ତାର କରିବା ପୂର୍ବରୁ ତାହାର ବିଲୟ ଘଟିବ।

‘ଲକ୍‌ ଡାଉନ୍‌’ ନିଶ୍ଚିତ ରୂପେ ସରକାର ନାଗରିକମାନଙ୍କ ଉପରେ ପ୍ରୟୋଗ କରିଥିବା ଏକ କଠୋର ବାଧୢତାମୂଳକ ନିୟନ୍ତ୍ରଣ। ଯଦି ସ୍ବେଚ୍ଛାକୃତ ଭାବରେ ଜନସାଧାରଣ ନିଜକୁ ଗୃହ ମଧୢରେ ଆବଦ୍ଧ କରି ରଖନ୍ତେ ତେବେ ‘ଲକ୍‌ ଡାଉନ୍‌’ର ଆବଶ୍ୟକତା ପଡ଼ନ୍ତା ନାହିଁ। କିନ୍ତୁ ଯେଉଁ ଭଳି ମାନସିକ ଆଳସ୍ୟ ଯୋଗୁଁ ପ୍ରିନ୍‌ସଟନ୍‌ ଛାତ୍ରଛାତ୍ରୀମାନେ ବିଲାତି ଦଳର ବ˚ଶ ବିସ୍ତାର କ୍ଷମତାକୁ ନଜରଅନ୍ଦାଜ କରିବା ଦେଖାଯାଇଥିଲା, ସେଇଭଳି ମାନସିକ ଆଳସ୍ୟ ଯୋଗୁଁ ଜନସାଧାରଣ କରୋନାର କାୟାବିସ୍ତାର କ୍ଷମତା ସମ୍ବନ୍ଧରେ ସଚେତନ ହୋଇପାରି ନଥାନ୍ତି। ଏଣୁ ସରକାରୀ କାର୍ଯ୍ୟାନୁଷ୍ଠାନ ଲୋଡ଼ା ହୁଏ।

ଭାରତରେ ମଧୢ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଲୋଡ଼ା ହୋଇ ନଥାନ୍ତା, ଯଦି ବିଲାତି ଦଳକୁ ଅନ୍ୟ ଏକ ଉପାୟରେ ପୋଖରୀରେ ଗୋଟିଏ କୋଣରେ ବାଡ଼ ଦେଇ ରଖାଯାଇ ପାରିଥାନ୍ତା। ଭାରତରେ କରୋନା ଭାଇରସ୍‌ ହେଉଛି ସମ୍ପୂର୍ଣ୍ଣ ରୂପେ ବିଦେଶରୁ ଆମଦାନି। ଯେଉଁମାନେ ବିଦେଶରୁ ଆସିଲେ ସେମାନଙ୍କୁ ସମସ୍ତଙ୍କୁ ଯଦି ମୂଳରୁ ବିମାନ ବନ୍ଦରରୁ ହିଁ ଅଲଗା କରି ନେଇ ଅନ୍ୟୂନ ତିନି ସପ୍ତାହ ଯାଏ ସ୍ବତନ୍ତ୍ର ସରକାରୀ କ୍ବାରେଣ୍ଟାଇନ୍‌ କେନ୍ଦ୍ର ମାନଙ୍କରେ ରଖାଯାଇଥାନ୍ତା, ତେବେ ସାରା ଦେଶକୁ ଆଜି ତିନି ସପ୍ତାହ ଯାଏ ଗୃହବନ୍ଦୀଶାଳାରେ ପରିଣତ ହେବାକୁ ପଡ଼ିନଥାନ୍ତା। ଅବଶ୍ୟ ଏଥିପାଇଁ ଯଥେଷ୍ଟ ସ˚ଖ୍ୟକ ଉତ୍ତମ ମାନର କ୍ବାରେଣ୍ଟାଇନ୍‌ କେନ୍ଦ୍ର ନିର୍ମିତ ହେବା ଆବଶ୍ୟକ, ଯାହା ବିପୁଳ ସମ୍ବଳ ବିନିଯୋଗ ଆବଶ୍ୟକ କରେ। କିନ୍ତୁ ବର୍ତ୍ତମାନ ଦେଶର ଅର୍ଥନୀତିକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ସେ ତୁଳନାରେ ଏହି ଖର୍ଚ୍ଚ ନଗଣ୍ୟ ମାତ୍ର। ନିଜ ଘରେ ଆତ୍ମନିର୍ବାସନ ବା ‘ହୋମ୍‌ କ୍ବାରେଣ୍ଟାଇନ୍‌’ ଯେ ସରକାରୀ ବା ‘ଷ୍ଟେଟ୍‌ କ୍ବାରେଣ୍ଟାଇନ୍‌’ର ବିକଳ୍ପ ନୁହେଁ, ବର୍ତ୍ତମାନର ‘ଲକ୍‌ ଡାଉନ୍‌’ ହେଉଛି ତା’ର ପ୍ରମାଣ।

ସମ୍ବନ୍ଧିତ ଖବର