ଆଉ ନୁହେଁ!

ନୂଆ ବର୍ଷର ପ୍ରଥମ ଦିନରେ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କଠାରୁ ଏପରି ଏକ ଉପହାର ପାଇଛି ଯାହା ସେଠାରେ ଏକରକମ ଭୂମିକମ୍ପ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ୟାପକ ଭାବରେ ଟ୍ଵିଟର୍‌ ବ୍ୟବହାର ପାଇଁ ପ୍ରସିଦ୍ଧ ଟ୍ରମ୍ପ୍‌ ତାଙ୍କର ୨୦୧୮ର ସର୍ବ ପ୍ରଥମ ଟ୍ଵିଟ୍‌ର ନିଶାଣ କରିଛନ୍ତି ପାକିସ୍ତାନକୁ, ଆଉ ସମସ୍ତ ପ୍ରକାର କୂଟନୈତିକ ଲୁଚକାଳି ଖେଳକୁ ପରିତ୍ୟାଗ କରି ପାକିସ୍ତାନ ପାଇଁ ଯେଉଁ ସନ୍ଦେଶ ପ୍ରେରଣ କରିଛନ୍ତି ତାହାକୁ କୌଣସି ବକ୍ସିଙ୍ଗ୍‌ ମ୍ୟାଚ୍‌ର ଏକ ନକ୍‌ଆଉଟ୍‌ ପଞ୍ଚ୍‌ ରୂପେ ବର୍ଣ୍ଣନା କରାଯାଇପାରେ। ଟ୍ରମ୍ପ୍‌ଙ୍କର ସଂକ୍ଷିପ୍ତ ଟ୍ଵିଟ୍‌ଟି ଏଠାରେ ଉଦ୍ଧାରଯୋଗ୍ୟ: ‘‘ଯୁକ୍ତରାଷ୍ଟ୍ର ଆମେରିକା ବୋକାଙ୍କ ଭଳି ଗତ ୧୫ ବର୍ଷ ମଧ୍ୟରେ ପାକିସ୍ତାନକୁ ୩୩ ବିଲିଅନ୍‌ ଡଲାର୍‌ରୁ ଅଧିକ ସାହାଯ୍ୟ ପ୍ରଦାନ କରିଛି, ଏବଂ ସେମାନେ ଆମ ନେତାମାନଙ୍କୁ ବୋକା ମନେ କରି ଆମକୁ ମିଥ୍ୟା ଓ ଠକାମି ବ୍ୟତୀତ ଆଉ କିଛି ଦେଇ ନାହାନ୍ତି। ଆମେ ଆଫଗାନିସ୍ତାନରେ ଅନେ୍ଵଷଣ କରୁଥିବା ଆତଙ୍କବାଦୀମାନଙ୍କୁ ସେମାନେ ନିରାପଦ ଆଶ୍ରୟ ସ୍ଥଳ ଯୋଗାଇ ଦେଉଛନ୍ତି, (ଆମକୁ) କୌଣସି ପ୍ରକାର ସାହାଯ୍ୟ ନ କରି। ଆଉ ନୁହେଁ।’’

ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପୂର୍ବରୁ ଆମେରିକାର ସମସ୍ତ ରାଷ୍ଟ୍ରପତିମାନେ ବ୍ୟାସ ସରୋବରରେ ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ କୋଳରେ ଧରିଥିବା ଭଳି ପାକିସ୍ତାନକୁ କୋଳେଇ ଧରି ଆସିଥିଲେ। ଏହାର କାରଣ ମଧ୍ୟ ସ୍ପଷ୍ଟ। ସ୍ୱାଧୀନତା ପରଠାରୁ ଭାରତ ସର୍ବଦା ଏକ ଗୋଷ୍ଠୀ ନିରପେକ୍ଷ ନୀତି ଅନୁସରଣ କରିଆସିଛି। ଏହା ଏକ ବିଶାଳ ଗଣତନ୍ତ୍ର ଯାହାକୁ ଏକ ଗୋଡ଼ାଣିଆ ରାଷ୍ଟ୍ରରେ ପରିଣତ କରି ହେବ ନାହିଁ। ଅପରପକ୍ଷେ ପାକିସ୍ତାନ ମୁଖ୍ୟତଃ ଏକଛତ୍ର ସାମରିକ ଶାସନାଧୀନ ଏକ କ୍ଷୁଦ୍ର ଅଭାବଗ୍ରସ୍ତ ଦେଶ ହୋଇଥିବାରୁ ତାହାକୁ ଏକ ବଚସ୍କରରେ ପରିଣତ କରି ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍‌ ୟୁନିଅନ୍‌ ତଥା କମ୍ୟୁନିଷ୍ଟ ଗୋଷ୍ଠୀ ବିରୁଦ୍ଧରେ ବ୍ୟବହାର କରିବା ସହଜ ବୋଲି ଆମେରିକା ବିଚାର କରି ଆସୁଥିଲା। କିନ୍ତୁ ଇସ୍‌ଲାମୀୟ ଆତଙ୍କବାଦର ଆବିର୍ଭାବ ପରେ ଦେଖାଗଲା ଯେ ପାକିସ୍ତାନ ଏହି ଆତଙ୍କବାଦୀ ମାନଙ୍କର ମକ୍‌କାରେ ପରିଣତ ହୋଇଛି। ଆମେରିକାର ସାହାଯ୍ୟ ଦ୍ୱାରା ପରିପୁଷ୍ଟ ଏହି ଦେଶ ସେଇ ଆମେରିକାକୁ ଧ୍ୱଂସ କରିବାକୁ ଅନ୍ତିମ ଲକ୍ଷ୍ୟ କରିଥିବା ଆତଙ୍କବାଦୀ ମାନଙ୍କର ନିରାପଦ ଚାରଣ ଭୂମିରେ ପରିଣତ ହୋଇଛି। ଆଉ ଏହାର ଚାଞ୍ଚଲ୍ୟକର ପ୍ରମାଣ ମିଳିଥିଲା ୨୦୧୧ ମଇ ୨ ତାରିଖରେ ଯେତେବେଳେ ଆମେରିକା- ବିଧ୍ୱଂସ ଯଜ୍ଞର ପୁରୋହିତ ଓସାମା ବିନ୍‌ ଲାଦେନ୍‌କୁ ଆମେରିକୀୟ ନେଭି ସିଲ୍‌ କମାଣ୍ଡୋମାନେ ପାକିସ୍ତାନର ସାମରିକ ସହର ଆବଟାବାଦ୍‌ଠାରେ ଲୁଚି ରହିଥିବା ଠାବ କରି ହତ୍ୟା କଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏ ଘଟଣା ଘଟିଥିଲେ ହେଁ ଓବାମା ତାଙ୍କର ଦୁଇ ପାଳିର ଶାସନ ସମୟରେ ଥରଟିଏ ହେଲେ ବି ‘ଇସ୍‌ଲାମୀୟ ଆତଙ୍କବାଦ’ ଶବ୍ଦ ତୁଣ୍ଡରେ ଧରି ନଥିଲେ। ପାକିସ୍ତାନ ପୂର୍ବ ଭଳି ଆମେରିକାଠାରୁ ଆର୍ଥିକ ଓ ସାମରିକ ସାହାଯ୍ୟ ପାଇ ଚାଲିଥିଲା। ଏଣେ କମ୍ୟୁନିଷ୍ଟମାନଙ୍କର ପ୍ରତିରୋଧ ନିମିତ୍ତ ଯେଉଁ ପାକିସ୍ତାନ ମୂଳତଃ ଆମେରିକାଠାରୁ ସାହାଯ୍ୟ ପାଇ ଆସୁଥିଲା ସେଇ ପାକିସ୍ତାନ ଏବେ କମ୍ୟୁନିଷ୍ଟ ଚୀନ୍‌ର ତଥାକଥିତ ସର୍ବକାଳୀନ ବନ୍ଧୁରେ ପରିଣତ ହୋଇ ଚୀନ୍‌ଠାରୁ ମଧ୍ୟ ସାହାଯ୍ୟ ହାସଲ କରିବାରେ ଲାଗିଛି।

ଏଥିରୁ ଜଣାପଡ଼େ ଏତେଦିନ ଧରି ପାକିସ୍ତାନ ଆମେରିକାକୁ ବୋକା ବନାଇ ଚାଲିଛି ଏବଂ ଆମେରିକା ମଧ୍ୟ ଖୁସିରେ ବୋକା ବନି ଚାଲିଛି। କିନ୍ତୁ ଟ୍ରମ୍ପ୍‌ଙ୍କ ଟ୍ଵିଟ୍‌ ଭାଷାରେ- ଏଥର ଆଉ ନୁହେଁ। ଏହି କଥାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଟ୍ରମ୍ପ୍‌ ଏବେ ପ୍ରଥମେ ଯାହା କରିପାରନ୍ତି ତାହା ହେଲା ପାକିସ୍ତାନ ଆମେରିକାଠାରୁ ଏବେ ପାଇବାକୁ ଥିବା ୨୨୫ ନିୟୁତ ଡଲାର୍‌ର ସାହାଯ୍ୟକୁ ଅଟକାଇ ରଖିବା। ଆସନ୍ତା କେତେ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରାଯାଇପାରେ। ତେବେ ଟ୍ରମ୍ପ୍‌ ଯେ ହଠାତ୍‌ ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି, ତାହା ନୁହେଁ। ସେ ତାଙ୍କର ନିର୍ବାଚନ ଅଭିଯାନ ସମୟରୁ ଇସ୍‌ଲାମୀୟ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ତାଙ୍କର ଏହି ଆଭିମୁଖ୍ୟର ଅନୁସରଣ ସ୍ୱରୂପ ଗତ ଜୁଲାଇରେ ଆମେରିକାର ପ୍ରତିରକ୍ଷା ବିଭାଗ ପାକିସ୍ତାନ ପାଇବାକୁ ଥିବା ୫୦ ନିୟୁତ ଡଲାର ସାହାଯ୍ୟ ଅଟକାଇ ଦେଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଜେମ୍‌ସ ମାଟିସ୍‌ ସେ ଦେଶର କଂଗ୍ରେସ ନିକଟରେ ଏ ସମ୍ପର୍କରେ ଏକ ପ୍ରମାଣପତ୍ର ପ୍ରଦାନ ନକରିବାରୁ ଏ ସାହାଯ୍ୟକୁ ଅଟକାଇ ଦିଆଯାଇଥିଲା। ଆତଙ୍କବାଦୀ ସଂଗଠନ ‘ହକ୍‌କାନି ନେଟ୍‌ଓ୍ଵାର୍କ’କୁ ପ୍ରତିହତ କରିବା ପାଇଁ ପାକିସ୍ତାନ ଯଥେଷ୍ଟ ପଦକ୍ଷେପ ନେଇଛି ବୋଲି ପ୍ରମାଣପତ୍ର ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ମାଟିସ୍‌ କଂଗ୍ରେସ ନିକଟରେ ମନା କରି ଦେବାରୁ ପାକିସ୍ତାନ ଏହି ସାହାଯ୍ୟ ହରାଇଥିଲା।

ଅଗଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଆଫଗାନିସ୍ତାନରେ ଚାଲିଥିବା ଲଢ଼େଇ ପାଇଁ ଏକ ନୂତନ ଆମେରିକୀୟ ରଣ କୌଶଳ ଉନ୍ମୋଚନ କରିଥିଲେ। ଆଫଗାନ୍‌ ତାଲିବାନ୍‌ ଏବଂ ହକ୍‌କାନି ନେଟ୍‌ଓ୍ଵାର୍କ ପରି ଆତଙ୍କବାଦୀ ଗୋଷ୍ଠୀମାନଙ୍କୁ ପରାସ୍ତ କରିବା ଏହି ରଣକୌଶଳର ମୂଳ ଲକ୍ଷ୍ୟ। ଦ୍ୱିତୀୟ ଗୋଷ୍ଠୀଟିର ମୁଖ୍ୟ ଘାଟି ହେଉଛି ପାକିସ୍ତାନ। ଟ୍ରମ୍ପ୍‌ ସେତେବେଳେ କହିଥିଲେ- ‘‘ପାକିସ୍ତାନ ବିଶୃଙ୍ଖଳା, ହିଂସା ଓ ଆତଙ୍କବାଦର ଏଜେଣ୍ଟମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇଥାଏ।’’ ସେତେବେଳେ ସେ ତାଙ୍କ ପ୍ରଶାସନ ପାକିସ୍ତାନ ପ୍ରତି କଠୋର ହେବ ବୋଲି ପ୍ରତିଜ୍ଞା କରିଥିଲେ। ଏବେ ସେ ସେଇ ପ୍ରତିଜ୍ଞା ପାଳନ କରି ଟ୍ଵିିଟ୍‌ କରିଛନ୍ତି।

ନିଃସନ୍ଦେହରେ ଟ୍ରମ୍ପ୍‌ଙ୍କର ଏହି ପାକ୍‌-ବିରୋଧୀ ଆଭିମୁଖ୍ୟ ଭାରତ ପାଇଁ ବେଶ୍‌ ଅନୁକୂଳ। ଆଶା କରିବା କଥା ଭାରତ ଏଥିପାଇଁ ଟ୍ରମ୍ପ୍‌ଙ୍କ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବା ଉଚିତ ହେବ। କିନ୍ତୁ ନିକଟରେ ଜାତିସଂଘରେ ଭାରତ ଠିକ୍‌ ଏହାର ବିପରୀତ ଆଚରଣ ପ୍ରଦର୍ଶନ କରି ଜେରୁସେଲମ୍‌ ପ୍ରସଙ୍ଗରେ ଟ୍ରମ୍ପ୍‌ଙ୍କ ବିରୋଧରେ ମତଦାନ କରିଥିଲା। ଜେରୁସେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ରୂପେ ଟ୍ରମ୍ପ୍‌ ପ୍ରଦାନ କରିଥିବା ସ୍ୱୀକୃତିକୁ ବିରୋଧ କରି ତୁର୍କୀ ଓ ୟେମେନ୍‌ ଜାତିସଂଘରେ ଆଣିଥିବା ପ୍ରସ୍ତାବ ସପକ୍ଷରେ ଭାରତ ସମେତ ୧୨୭ଟି ଦେଶ ମତଦାନ କରିଥିବା ବେଳେ ମାତ୍ର ୯ଟି ଦେଶ ଏହାର ବିରୋଧ କରିଥିଲେ। ଏକ ବିଡ଼ମ୍ବନା ସଦୃଶ ଭାରତ ପାକିସ୍ତାନ ସହ ମିଶି ଏଭଳି ମତଦାନ କରିଥିଲା। ଟ୍ରମ୍ପ୍‌ ସେତେବେଳେ ଏଭଳି ଦେଶମାନଙ୍କ ମଧ୍ୟରୁ ଯେଉଁମାନେ ଆମେରିକାରୁ ସାହାଯ୍ୟ ପାଇଥାନ୍ତି, ସେମାନଙ୍କର ସାହାଯ୍ୟ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ। ପାକିସ୍ତାନ ପ୍ରତି ଉଦ୍ଦିଷ୍ଟ ସାହାଯ୍ୟ ବନ୍ଦ ପାଇଁ ଟ୍ରମ୍ପ୍‌ଙ୍କର ବର୍ତ୍ତମାନର ସୂଚନା ପଛରେ ନିହିତ ଥିବା ଏହା ଏକ କାରଣ ମଧ୍ୟ ହୋଇପାରେ। ଏହି ମତଦାନ ସମୟରେ ଭାରତ ଚାହିଁଥିଲେ କୌଣସି ପକ୍ଷଭୁକ୍ତ ନ ହୋଇ ଅନ୍ୟ ୩୫ଟି ଦେଶ କରିଥିବା ଭଳି ମତଦାନରୁ ନିବୃତ୍ତ ରହିପାରିଥାନ୍ତା, ଯେପରି କାନାଡ଼ା ବା ଅଷ୍ଟ୍ରେଲିଆ ଭଳି ଉଦାର ଗଣତାନ୍ତ୍ରିକ ଦେଶମାନେ କରିଛନ୍ତି। ଭାରତର ପାରମ୍ପରିକ ନୀତି ଆରବମାନଙ୍କୁ ସମର୍ଥନ କରି ଆସିଥିଲେ ହେଁ ସେଥିରେ ଯେ ପରିବର୍ତ୍ତନ ଲୋଡ଼ା ହେଲାଣି, ଟ୍ରମ୍ପ୍‌ଙ୍କ ଟ୍ଵିଟ୍‌ ସେ ଦିଗରେ ଏକ ଇସାରା। ଆଉ ନୁହେଁ।

ସମ୍ବନ୍ଧିତ ଖବର