ଆଶ୍ରୟ ଓ ଆଶ୍ରିତ
୨୦୧୫ ମସିହାରେ ଯେତେବେଳେ ଅତ୍ୟନ୍ତ ମାରାତ୍ମକ ଇବୋଲା ଭୂତାଣୁର କବଳରେ କଙ୍ଗୋ ସାଧାରଣତନ୍ତ୍ର ପଡ଼ିଥିଲା, ସେହି ସମୟରେ ‘ସିିଏରା ଲିଓନି’ ଠାରେ ଆକ୍ରାନ୍ତଙ୍କ ସେବାରେ ଦିବାରାତ୍ର ଏକାକାର କରି ଦେଇଥିବା ‘ଡକ୍ଟର୍ସ ଵିଦାଉଟ୍ ବର୍ଡର୍’ ଅନୁଷ୍ଠାନର ଜୈନିକ ଡାକ୍ତର ବି.ବି.ସି.ର ସମ୍ବାଦିକାଙ୍କୁ ପ୍ରଦାନ କରିଥିବା ଏକ ସ˚କ୍ଷିପ୍ତ ସାକ୍ଷାତକାରରେ କହିଥିଲେ-‘ମୁଁ ଯଦି ଆର ପାରିକୁ ଯିବି, ତେବେ ଇବୋଲା ସହିତ ନୁହେଁ, ମୃତ୍ୟୁ ସହିତ ଯିବି।’ ଉଲ୍ଲେଖନୀୟ ଯେ ସେତେବେଳକୁ ଇବୋଲା ଆକ୍ରାନ୍ତଙ୍କ ସେବା କରୁଥିବା ଡାକ୍ତର ଏବ˚ ସେମାନଙ୍କ ସହଯୋଗୀମାନଙ୍କ ମଧୢରୁ ଅନେକ ସେହି ଭୂତାଣୁର ସଂକ୍ରମଣରେ ପ୍ରାଣ ହରାଇ ସାରିଥିଲେ। ରିପୋର୍ଟ ଅନୁସାରେ ୨୦୧୪-୨୦୧୬ର ଇବୋଲା ସ˚କ୍ରମଣ କାଳରେ ପାଞ୍ଚ ଶହରୁ ଅଧିକ ‘ପାରା ମେଡିକାଲ’ କର୍ମଚାରୀ ଏବ˚ ଅଢ଼େଇ ଶହରୁ ଅଧିକ ଡାକ୍ତରଙ୍କ ଜୀବନ ଯାଇଥିଲା, ଯଦିଓ ଏହି ସ˚କ୍ରାମକ ରୋଗଟି ଆଫ୍ରିକାର ସରହଦ ଅତିକ୍ରମ କରି ଅନ୍ୟ ଦେଶକୁ ମାଡ଼ି ଯାଇ ନ ଥିଲା। ସେଇ ଦୃଷ୍ଟିରୁ ବି.ବି.ସି.କୁ ପ୍ରଦତ୍ତ ସାକ୍ଷାତକାରରେ ସ˚ପୃକ୍ତ ଡାକ୍ତରଙ୍କ ମନୋଭାବରେ ଇବୋଲା ଭଳି ଅତି ମାରାତ୍ମକ ଭୂତାଣୁ ପ୍ରତି ନିହିତ ବିଦ୍ରୂପକୁ ଲକ୍ଷ୍ୟ କରାଯାଇପାରେ ଏବ˚ ତା ସହିତ ତହିଁରେ ଆଉ ଯାହା ପରିଦୃଶ୍ୟ ହୋଇଥାଏ, ତାହା ହେଲା ଯୁଦ୍ଧ ସମୟରେ ସୀମାନ୍ତରେ ପ୍ରାଣମୂର୍ଚ୍ଛା ସ˚ଗ୍ରାମ କରୁଥିବା ଜଣେ ସୈନିକ ଠାରୁ ସେହି ଡାକ୍ତରଙ୍କ ମନୋଭାବ (ଏକ ମହାମାରୀ କାଳରେ) କୌଣସି ଗୁଣରେ ନ୍ୟୂନ ନୁହେ। ତେବେ, ପାଞ୍ଚ ବର୍ଷ ତଳର ଏହି ପ୍ରସଙ୍ଗ ଆଜି ସ୍ମରଣକୁ ଆସିବାର କାରଣ ହେଉଛି, ସ˚ପ୍ରତି ସାରା ବିଶ୍ବ ଯେତେବେଳେ ‘କୋଭିଡ୍-୧୯’ ଭୂତାଣୁର ଭୟାବହ ସ˚କ୍ରମଣ ଦ୍ବାରା ଅଣାୟତ୍ତ ଏବ˚ ବିଶ୍ବ ବ୍ୟାପୀ ଡାକ୍ତର ତଥା ସେମାନଙ୍କ ସହଯୋଗୀମାନେ ନିଜର ସବୁ କିଛି ଜଳାଞ୍ଜଳି ଦେଇ ରୋଗୀଙ୍କ ସେବାରେ ମଗ୍ନ, ସେତିକି ବେଳେ ଭାରତର ବିଭିନ୍ନ ସ୍ଥାନରୁ ସମ୍ବାଦ ପହଞ୍ଚିବାରେ ଲାଗିଛି ଯେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ସେମାନେ ବିଭିନ୍ନ ପ୍ରକାର ଲା˚ଛନାର ଶିକାର ହେବାରେ ଲାଗିଛନ୍ତି। ଦିଲ୍ଲୀ, ରାଜସ୍ଥାନ, ପଶ୍ଚିମବଙ୍ଗରୁ ଆରମ୍ଭ କରି ତେଲେଙ୍ଗାନା, ଓଡ଼ିଶା ଏବ˚ କର୍ଣ୍ଣାଟକ ପର୍ଯ୍ୟନ୍ତରେ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ଡାକ୍ତରମାନଙ୍କୁ ସେମାନଙ୍କ ଘରମାଲିକମାନେ ବିତାଡ଼ିତ କରିବାର ପ୍ରୟାସରେ। ଏ ସ˚କ୍ରାନ୍ତରେ ପଶ୍ଚିମବଙ୍ଗର ‘ସିନିଅର ରେସିଡେଣ୍ଟ’ ଡାକ୍ତରଙ୍କ ସ˚ଘ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଆପଣା ନିରାପତ୍ତା ସକାଶେ ଅନୁରୋଧ କରିଛି। ବିଭିନ୍ନ ପ୍ରକାର ଅଜ୍ଞାନ ଓ ଗୁଜବର ଶିକାର ଏହି ଘରମାଲିକମାନେ ସ˚କ୍ରମିତ ହେବା ଭୟରେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ଯେ କେବଳ ଆତ୍ମଘାତୀ ତାହା କହିବା ନିଷ୍ପ୍ରୟୋଜନ।
Sambad is now on WhatsApp
Join and get latest news updates delivered to you via WhatsApp
ମନେ ରହିବା ଉଚିତ ଯେ ଶିକ୍ଷା ପ୍ରଦାନ ସମୟରେ ଡାକ୍ତରମାନଙ୍କୁ ସୈନିକ ସୁଲଭ ପ୍ରଶିକ୍ଷଣ ଓ ପ୍ରସ୍ତୁତି ପ୍ରଦାନ କରାଯାଇ ନ ଥାଏ। ଆଜି ଭଳି ଏକ ଅତ୍ୟନ୍ତ ଭୟାବହ ‘ପାନ୍ଡେମିକ୍’ କାଳରେ ଏକ ଅଦୃଶ୍ୟ ଶତ୍ରୁ ବିରୋଧରେ ଅହୋରାତ୍ର ଯୁଦ୍ଧ କରି ପ୍ରାଣବଳି ଦେବା ଭଳି କୌଣସି ଏକ ସ୍ଥିତିର ଅନୁମାନ ମଧୢ ତହିଁରେ ନିୟୋଜିତ ଅଗଣିତ ଚିକିତ୍ସା ସେବା ପ୍ରଦାନକାରୀ କଦାଚିତ୍ କରି ନ ଥିବେ। ଏହା ମଧୢ କୁହାଯାଇଥାଏ ଯେ ଡାକ୍ତରୀ ସ୍ନାତକ ଶ୍ରେଣୀର ପାଠ୍ୟକ୍ରମରେ ସ୍ଥାନିତ ‘ମାଇକ୍ରୋ ବାୟୋଲୋଜି’ ବିଷୟରେ ଯେଉଁ ଭୂତାଣୁଗୁଡ଼ିକ ପଶୁମାନଙ୍କ ଶରୀରରେ ଦେଖାଯାଉଥିବା କାରଣରୁ ବିଶେଷ ଗୁରୁତ୍ବ ବହନ କରି ନ ଥାନ୍ତି, ସେମାନଙ୍କ ଭିତରୁ ଗୋଟିଏ ଏହି ‘କୋଭିଡ୍-୧୯’ ଆଜି ବିଶ୍ବ ମହାମାରୀର କାରଣ ହୋଇ ସମଗ୍ର ମାନବ ଜାତିକୁ ଏକ ଅସ୍ତିତ୍ବ ସ˚କଟ ମଧୢକୁ ଠେଲି ଦେଇଛି। ତେଣୁ ଏଭଳି ଏକ ପରିସ୍ଥିତିରେ ‘କରୋନା’ ସ˚କ୍ରମିତଙ୍କ ଚିକିତ୍ସାରେ ସମର୍ପିତ ରହି ଏହି ଘାତକ ଭୂତାଣୁ ଦ୍ବାରା ସ˚କ୍ରମିତ ହୋଇଥିବା ଡାକ୍ତରଙ୍କ ସ˚ଖ୍ୟା ଚକିତ କରିଦେବା ଭଳି। ଜଣାଯାଇଛି ଯେ ମାର୍ଚ୍ଚ ବେଳକୁ ଚୀନ୍ରେ କରୋନା ସ˚କ୍ରମଣ ଅବରୋହଣ ଧାରାରେ ଥିବା ବେଳକୁ ସ˚କ୍ରମିତ ଡାକ୍ତରଙ୍କ ସ˚ଖ୍ୟା ଥିଲା ୩୨୦୦; ଇଟାଲୀରେ ଏବେ ସମୁଦାୟ କରୋନା ସ˚କ୍ରମିତଙ୍କ ମଧୢରୁ ୮% ହେଉଛନ୍ତି ଚିକିତ୍ସା ପ୍ରଦାନକାରୀ। ଏବେ ଇଟାଲୀରେ ଡାକ୍ତରୀ ସେବା ପ୍ରଦାନ କରୁଥିବା ସମସ୍ତ ବ୍ୟକ୍ତିଙ୍କ ମଧୢରୁ ୨୦% ସ˚କ୍ରମିତ ହୋଇପଡ଼ିବା ପରେ ସ୍ଥିତି ନିୟନ୍ତ୍ରଣ ହରାଇବାକୁ ବସିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୧୭ଜଣ ଡାକ୍ତରଙ୍କ ମୃତ୍ୟୁ ମଧୢ ଘଟିଲାଣି। ସେହିଭଳି ସ୍ପେନ୍ରେ ୪୦୦୦ରୁ ଅଧିକ ଡାକ୍ତର ଓ ନର୍ସ ଇତ୍ୟାଦି ସ˚କ୍ରମଣର ଶିକାର ହେଲେଣି। ସୁତରା˚, ଡାକ୍ତରମାନେ କିଭଳି ଏକ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ଅହୋରାତ୍ର ଓ ଅକ୍ଳାନ୍ତ ସେବା ପ୍ରଦାନ କରିବାରେ ଲାଗିଛନ୍ତି, ତାର ଏକ ସର୍ବନିମ୍ନ ଧାରଣା ଏଥିରୁ ମିଳିପାରେ।
ଏହି ପରିପ୍ରେକ୍ଷୀରେ ଭାରତର ପରିସ୍ଥିତି ହତାଶାଜନକ। ‘କରୋନା’ର ମୁକାବିଲା କରିବା ଦିଗରେ ଭାରତ ସରକାର ଜୋରଦାର ଉଦ୍ୟମ ଆରମ୍ଭ କରିବା ପରେ ଯାଇ ଏଇ ନିକଟରେ ‘ପର୍ସନାଲ ପ୍ରୋଟେକ୍ସନ ଇକ୍ବିପ୍ମେଣ୍ଟ’ ବା ପି.ପି.ଇ.ର ରପ୍ତାନି ବନ୍ଦ କରି ଦେଇଛନ୍ତି। କହିବା ବାହୁଲ୍ୟ ଯେ ଚିକିତ୍ସା ପ୍ରଦାନକାରୀମାନଙ୍କ ଲାଗି ପି.ପି.ଇ. ହେଉଛି ଏକ ସର୍ବନିମ୍ନ ଆବଶ୍ୟକତା । ଏଭଳି ପଦକ୍ଷେପରୁ ହୁଏ’ତ କେହି କେହି ମନେ କରୁଥାଇ ପାରନ୍ତି ଯେ ଏହା ଦ୍ବାରା ଭାରତୀୟ ଚିକିତ୍ସା ପ୍ରଦାନକାରୀମାନଙ୍କ ବ୍ୟବହାର ଲାଗି ପି.ପି.ଇ. ସହଜରେ ଉପଲବ୍ଧ ହୋଇପାରିବ। କିନ୍ତୁ ଭାରତର ବିଶାଳ ଜନସ˚ଖ୍ୟା ଦୃଷ୍ଟିରୁ ଏକ ଜଟିଳ ପରିସ୍ଥିତିରେ ଭାରତୀୟ ଉତ୍ପାଦକମାନେ ଯେ ଚାହିଦା ମେଣ୍ଟାଇବା ଲାଗି ଅସମର୍ଥ, ଏଥିରେ ସନ୍ଦେହ ନାହିଁ। ‘କରୋନା’ ସ˚କ୍ରମିତଙ୍କ ବିସ୍ଫୋରକ ସ୍ଥିତିରେ ଇଟାଲୀ ଓ ଆମେରିକା ଭଳି ଅତ୍ୟନ୍ତ ବିକଶିତ ରାଷ୍ଟ୍ର ସେମାନଙ୍କ ଚିକିତ୍ସା ପ୍ରଦାନକାରୀମାନଙ୍କୁ ପି.ପି.ଇ. ଯୋଗାଇ ଦେବାରେ ଦାରୁଣ ଭାବେ ବିଫଳ ହେଉଛନ୍ତି। ତେଣୁ, ଏକ ଜଟିଳ ସମୟରେ ଭାରତରେ ସ୍ଥିତି କ’ଣ ହୋଇପାରେ ତାହା କେବଳ ଅନୁମାନର କଥା। ବର୍ତ୍ତମାନ ଠାରୁ ଭାରତୀୟ ଡାକ୍ତର, ନର୍ସ, ଟେକ୍ନିସିଆନଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ପର୍ଯ୍ୟନ୍ତରେ ଅସଂଖ୍ୟ ଚିକିତ୍ସା ପ୍ରଦାନକାରୀ ପି.ପି.ଇ.ର ଅଭାବ ଏବ˚ ଡାକ୍ତରଖାନାଗୁଡ଼ିକରେ ଉପଯୁକ୍ତ ‘ଆଇସୋଲେସନ୍’ ଵାର୍ଡର ଅନୁପସ୍ଥିତି ସହିତ ଯୁଝୁଛନ୍ତି ସିନା, ଦିବାରାତ୍ର ରୋଗୀମାନଙ୍କୁ ଆରୋଗ୍ୟ କରିବାରେ ଲାଗିଛନ୍ତି।
ଏଭଳି ଏକ ପରିସ୍ଥିତିରେ ଡାକ୍ତର ଓ ତାଙ୍କ ସହଯୋଗୀ ସେବାକାରୀ ଦଳଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରାଯିବା ଏକ ସାଧାରଣ ସୌଜନ୍ୟ ହେବା ଉଚିତ। କିନ୍ତୁ ତାର ବିପରୀତରେ ଦେଖିବାକୁ ମିଳୁଛି ଯେ ଡାକ୍ତରମାନଙ୍କୁ ସେମାନଙ୍କ ଭଡ଼ା ଘରେ ଆଶ୍ରୟ ଦେବାକୁ ବି ଘର ମାଲିକ ରାଜି ନୁହନ୍ତି। ଏଥିରେ ରହିଥିବା ଏକ ବିଡ଼ମ୍ବନା ବୋଧହୁଏ ସେମାନଙ୍କ ଦୃଷ୍ଟିଗୋଚର ହେଉନାହିଁ। ତାହା ହେଲା, ଏହି ଆଶ୍ରୟଦାତାମାନେ ବିସ୍ମରି ଯାଉଛନ୍ତି ଯେ ଏଭଳି ଏକ ଘନଘଟା କାଳରେ ସେମାନେ ହିଁ ପ୍ରକୃତରେ ଡାକ୍ତରମାନଙ୍କ ଆଶ୍ରିତ।