ଅପରିଣାମଦର୍ଶୀ ନେତୃତ୍ୱ

‘କୋଭିଡ୍‌-୧୯’ ଭୂତାଣୁଟି ସମଗ୍ର ବିଶ୍ବର ମାନବ ସମାଜ ଲାଗି ଯେଉଁ ଏକ ବିଶାଳ ପରୀକ୍ଷାର ଆୟୋଜନ କରିଛି, ସେହି ପରୀକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟରେ ପୃଥିବୀକୁ ନେତୃତ୍ବ ଦେବା ଲାଗି ଉଦ୍‌ଗ୍ରୀବ ଓ ପରସ୍ପର ମଧୢରେ ପ୍ରତିଦ୍ବନ୍ଦ୍ବିତାରତ ଦୁଇ ରାଷ୍ଟ୍ର ଏବ˚ ବିଶ୍ବର ଏକ ସର୍ବମାନ୍ୟ ତଥା ଶୀର୍ଷତମ ଅନୁଷ୍ଠାନ ଅତ୍ୟନ୍ତ ଦୟନୀୟ ଭାବେ ଅକୃତକାର୍ଯ୍ୟ ହୋଇଛନ୍ତି। ଏହି ରାଷ୍ଟ୍ର ଦ୍ବୟ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ଏବ˚ ଅନୁଷ୍ଠାନଟି ହେଲା ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲ୍ୟୁ.ଏଚ.ଓ’। ମନେ ରଖିବାକୁ ହେବ ଯେ କୌଣସି ରାଷ୍ଟ୍ର ହେଉ ବା ଅନୁଷ୍ଠାନ; ସେ ସବୁ ଜୀବନ୍ତ; ତେବେ ସେମାନଙ୍କ ସକ୍ରିୟତା ବା ନିଷ୍କ୍ରିୟତା ଅଥବା ସେମାନେ କେଉଁ ପଥଗାମୀ ହେବେ, ତାହା ନିର୍ଭର କରିଥାଏ ସେମାନଙ୍କୁ ପରିଚାଳନା କରୁଥିବା ନେତୃତ୍ବ ଉପରେ। ଆଜି ଯେତେବେଳେ ‘କୋଭିଡ୍‌-୧୯’ର ମହାସ˚କ୍ରମଣ ଓ ମହାମାରୀ ସାରା ବିଶ୍ବକୁ କବଳିତ କରି ଏକ ହାହାକାରମୟ ପରିସ୍ଥିତି ସୃଷ୍ଟି କରିଛି, ସେତିକି ବେଳେ ପଶ୍ଚାତ୍‌ ଅବଲୋକନ କଲେ ବୁଝିହୁଏ ଯେ ଏହା ସ˚ପୂର୍ଣ୍ଣ ରୂପେ ଅବା˚ଛିତ ବା ଏଭଳି ଆଦୌ ଘଟିବାର ହିଁ ନ ଥିଲା। କେବଳ ଏହି ଦୁଇ ରାଷ୍ଟ୍ର ଏବ˚ ସେହି ଗୋଟିଏ ଅନୁଷ୍ଠାନର ଅବିମୃଶ୍ୟକାରିତା ହେତୁ ଆଜି ସାରା ପୃଥିବୀ ଏବ˚ ସମଗ୍ର ମାନବ ଜାତି ଏକ ଘୋର ଅନିଶ୍ଚିତତା ମଧୢ ଦେଇ ଗତି କରୁଛି।

ଏହା ଏବେ ସର୍ବଜନବିଦିତ ଯେ ଗଲା ବର୍ଷ ନଭେମ୍ବର ମାସରୁ ପ୍ରଥମ କରି ‘କରୋନା’ ଭୂତାଣୁର ସ୍ବରୂପ ପରିବର୍ତ୍ତନ ଏବ˚ ପଶୁ ଶରୀରରୁ ମନୁଷ୍ୟ ଶରୀର ମଧୢକୁ ଏହାର ପ୍ରବେଶ ତଥା ମୁନଷ୍ୟରୁ ମନୁଷ୍ୟକୁ ସ˚କ୍ରମଣ କରିବାର ଗୁଣ ଧାରଣ ସମ୍ବନ୍ଧରେ ଚୀନର କେତେକ ଗବେଷକ ଓ ଡାକ୍ତର ସତର୍କ କରାଇ ଦେଇଥିଲେ। ସେତେବେଳକୁ ଚୀନର ଉହାନ ମହାନଗରୀର ‘ଭିଜା ବଜାର’ (ପଶୁ ମା˚ସ ବିକ୍ରୟ କରୁଥିବା ‘େଵଟ୍‌ ମାର୍କେଟ୍‌’)ରୁ ଏହି ଭୂତାଣୁଟି ଚୀନ ଅଧିବାସୀମାନଙ୍କୁ ସ˚କ୍ରମିତ କରି ଚାଲିଥିଲା। ତେବେ, ବିଶ୍ବର ସର୍ବାଧିକ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରେଷ୍ଠତ୍ବକୁ ସବୁ କ୍ଷେତ୍ରରେ ଆହ୍ବାନ ଦେବା ଲାଗି ପ୍ରସ୍ତୁତ ଏବ˚ ମତାନ୍ତରେ ବିଶ୍ବର ଦ୍ବିତୀୟ ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଆବିର୍ଭୂତ ହେଉଥିବା ଚୀନ ଏଭଳି ଏକ ଘଡ଼ିସନ୍ଧି କ୍ଷଣରେ କିଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ ହୋଇଥାଆନ୍ତା? ଏଭଳି ଏକ ପ୍ରଶ୍ନର ସ୍ବାଭାବିକ ଉତ୍ତର ଯାହା ହେବା ବାଞ୍ଛନୀୟ, ତାର ବିପରୀତରେ ଦେଖିବାକୁ ମିଳିଲା ଏକବି˚ଶ ଶତାବ୍ଦୀର ଚୀନ ଠାରେ ଆଦ୍ୟ ବି˚ଶ ଶତାବ୍ଦୀ(ମାଓ ସେତୁ˚ଙ୍କ ଚୀନ)ର ମାନସିକତା। ଏହାର ପ୍ରମାଣ ସ୍ବରୂପ ଚୀନର ନେତୃତ୍ବ ଏହି ଗମ୍ଭୀର ସତର୍କ ବାଣୀକୁ କବର ଦେଇ ଦେବାର ସମସ୍ତ ଉଦ୍ୟମ କଲେ। ସେସବୁ ଚିକିତ୍ସକ ଓ ଗବେଷକମାନଙ୍କୁ ନିରବ କରିଦିଆଗଲା ଏବଂ ଏଭଳି ସୂଚନା ପ୍ରଦାନ କରୁଥିବା ସେମାନଙ୍କ ‘େଵବ ସାଇଟ୍‌’ଗୁଡ଼ିକ ନିଶ୍ଚିହ୍ନ ହୋଇଗଲେ। ଏହି ପ୍ରକରଣରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ମଧୢ ଚୀନ ଦ୍ବାରା ବ୍ୟବହୃତ ହେଲା ବୋଲି ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏଭଳି ସମୟରେ ‘ଡବ୍ଲ୍ୟୁ.ଏଚ୍‌.ଓ.’ ପକ୍ଷରୁ ଯେଉଁ ବାର୍ତ୍ତାଟି ସାରା ବିଶ୍ବକୁ ପ୍ରେରିତ ହେଲା, ତାହା ଥିଲା : ‘କରୋନା’ ଭୂତାଣୁର ସ˚କ୍ରମଣ ଗୁରୁତର ନୁହେଁ ଏବ˚ ଏହା ମଣିଷ ଶରୀରରୁ ମଣିଷ ଶରୀରକୁ ବ୍ୟାପିବାର ଲକ୍ଷଣ ଦିଶୁନାହିଁ। ‘ଡବ୍ଲୁ.ଏଚ୍‌.ଓ.’ର ମୁଖ୍ୟ ଟେଡ୍ରୋସ୍‌ ଆଦାନନ ଡିସେମ୍ବରରୁ ଜାନୁଆରି ମଧୢବର୍ତ୍ତୀ ସମୟ ଖଣ୍ତରେ ଦୁଇ ଥର ଚୀନ ଗସ୍ତ କରି ସାରିବା ପରେ ଜାନୁଆରି ୧୪ରେ ତାଙ୍କ ତୁଣ୍ତରୁ ଯାହା ଶୁଣିବାକୁ ମିଳିଥିଲା, ତାହା ଥିଲା ପୃଥିବୀ ପ୍ରତି ‘ଡ.ବ୍ଲ୍ୟୁ.ଏଚ୍‌.ଓ.’ର ଉପରେ ବର୍ଣ୍ଣିତ ଆଶ୍ବାସନା ବାଣୀ। ଅଥଚ, ଏହାର ଦୁଇ ଦିନ ପରେ ଅର୍ଥାତ୍‌ ଜାନୁଆରି ୧୬ରେ ଉହାନ ମହାନଗରୀର ‘ଲକ୍‌ଡାଉନ’ ହେଲା; ଏବ˚ ସେତିକି ବେଳକୁ ‘କୋଭିଡ୍‌-୧୯’ ଭୂତାଣୁକୁ ନିଜ ନିଜ ଶରୀରରେ ବହନ କରି ଅସ˚ଖ୍ୟ ପୃଥିବୀ ବାସୀ ଚୀନରୁ ବାହାରି ପ୍ରାୟ ସବୁ ରାଷ୍ଟ୍ରରେ ଅତ୍ୟନ୍ତ ନିରୀହତାର ସହିତ ସ˚କ୍ରମଣର ବୀଜ ବପନ କରି ଚାଲିଥିଲେ।

ଏହି ପରିପ୍ରେକ୍ଷୀରେ ୨୦୦୨-୦୩ରେ ‘ସାର୍ସ‌୍‌’ ସ˚କ୍ରମଣ ବିଷୟ ପ୍ରଣିଧାନଯୋଗ୍ୟ। ସେହି ସମୟରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ଗୋ ହାର୍ଲେମ ବ୍ରୁଣ୍ଟଲେଟ୍‌ ଯେଉଁଭଳି ଭାବେ ଚୀନର କଠୋର ସମାଲୋଚନା ଏପରି କି ଭର୍ତ୍ସନା କରିଥିଲେ, ତାହା କେବଳ ଚୀନକୁ ନୁହେଁ, ଅନଶିଷ୍ଟ ବିଶ୍ବକୁ ସମୟ ଥାଉଁ ଥାଉଁ ସତର୍କ କରାଇ ପାରିଥିଲା। ଏପରିକି ଚୀନର ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଇସ୍ତଫା ପ୍ରଦାନ କରିବାକୁ ବାଧୢ ହୋଇଥିଲେ। ଉଲ୍ଲେଖନୀୟ ଯେ ‘ସାର୍ସ’ ଭୂତାଣୁର ମାରକ କ୍ଷମତା ଥିଲା ୧୫%, ଯାହା ‘କୋଭିଡ୍‌-୧୯’ ଭୂତାଣୁର ମାରକ କ୍ଷମତା ୩.୨% ତୁଳନାରେ ଅନେକ ଅଧିକ, ଅଥଚ ‘ସାର୍ସ‌୍‌’ ସ˚କ୍ରମଣ ସମଗ୍ର ବିଶ୍ବରେ ମାତ୍ର ୮୧୩ ଜଣଙ୍କ ପ୍ରାଣ ନେଇଥିଲା। ଅବଶ୍ୟ ଏହା ମଧୢ ସତ ଯେ ୨୦୦୩ରୁ ୨୦୨୦ ମଧୢରେ ବହୁତ କିଛି ପରିବର୍ତ୍ତନ ହୋଇସାରିଛି। ଏହି ସମୟ ମଧ୍ୟରେ ଚୀନର ଆଧିପତ୍ୟ ବିସ୍ତାର ବହୁଗୁଣିତ ହୋଇଛି। ‘ଡବ୍ଲୁ.ଏଚ୍‌.ଓ.’ ଭଳି ଅନୁଷ୍ଠାନ ଲାଗି ଅର୍ଥ ଯୋଗାଡ଼ରୁ ଆରମ୍ଭ କରି ତାହାର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରି ନିଜ ପକ୍ଷରେ ଭୋଟ ସ˚ଗ୍ରହ କରିବାର ସାମର୍ଥ୍ୟ ପର୍ଯ୍ୟନ୍ତରେ ଚୀନ ଏବେ ଅତ୍ୟନ୍ତ ପ୍ରଭାବଶାଳୀ। ସୁତରା˚, କରୋନା ସ˚କ୍ରମଣକୁ ନେଇ ବିଶ୍ବକୁ ଦିଗ୍‌ଭ୍ରାନ୍ତ କରିବାରେ ଚୀନର ସଫଳତାକୁ ପ୍ରକୃତ ପକ୍ଷରେ ବିଶ୍ବର ନେତୃତ୍ବ ନେବାକୁ ବ୍ୟାକୁଳ ଏହି ରାଷ୍ଟ୍ର ତଥା ତା ଦ୍ବାରା ପ୍ରଭାବିତ ବିଶ୍ବର ଶୀର୍ଷତମ ସ୍ବାସ୍ଥ୍ୟ ସ˚ଗଠନର ବିଫଳତା ବୋଲି ଅଭିହିତ କରାଯାଇପାରେ।

ଏକ ଧରଣା ରହିଛି ଯେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ଭାବେ ଚୀନ ମୂଳୋଦ୍ଭବ ଓ କାନାଡୀୟ ନାଗରିକ ମାର୍ଗାରେଟ୍‌ ଚାନ ଦାୟିତ୍ବ ଗ୍ରହଣ କଲା ପରେ ଏହି ଅନୁଷ୍ଠାନରେ ଚୀନର ମାତ୍ରାଧିକ ପ୍ରଭାବ ବିସ୍ତାର ଘଟିଛି। ସେହି କାରଣରୁ ଡୋନାଲଡ ଟ୍ର˚ପ୍‌ ମଧୢ ‘ଡବ୍ଲ୍ୟୁ.ଏଚ୍‌.ଓ.’ର ଦାୟିତ୍ବହୀନତା ଓ ମାତ୍ରାଧିକ ଚୀନ ଅନୁକୂଳ ମନୋଭାବର ଘୋର ସମାଲୋଚନା କରିଛନ୍ତି। କିନ୍ତୁ ଏହା ସତ୍ତ୍ବେ କରୋନା ମହାସ˚କ୍ରକଣ ଭୟାବହ ରୂପ ଧାରଣ କରିବାର ଅବ୍ୟବହିତ ପୂର୍ବରୁ ଟ୍ର˚ପ୍‌ଙ୍କ ଆଚରଣରେ ପରିଦୃଷ୍ଟ ଏକ ଅକ୍ଷମଣୀୟ ଅବିମୃଶ୍ୟକାରିତା ହେଉଛି ‘କୋଭିଡ୍‌-୧୯’ର ପ୍ରାଦୁର୍ଭାବ ସୃଷ୍ଟିକାରୀ କ୍ଷମତାକୁ ହେୟ ମଣିବା। କହିବା ବାହୁଚଲ୍ୟ ଯେ ପ୍ରାୟ ସମସ୍ତ ଉନ୍ନତ ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ବଡ଼ ଭାଇ ତୁଲ୍ୟ। ତେଣୁ ଟ୍ର˚ପ୍‌ଙ୍କ ଏ ମନୋଭାବର ପ୍ରତିଧ୍ବନି ପ୍ରାୟ ସବୁ ୟୁରୋପୀୟ ଦେଶଗୁଡ଼ିକରେ ଅନୁଭୂତ ହୋଇ ଆମେରିକା ସମେତ ସେ ସବୁ ରାଷ୍ଟ୍ରରେ ସ୍ଥିତି ଆଜି ଅଣାୟତ୍ତ ଅବସ୍ଥାରେ। ଏକ ଅତ୍ୟନ୍ତ ବିକାଶିତ ଶ୍ବେତାଙ୍ଗ ଜାତି ଗୋଟିଏ ଭୂତାଣୁ ଦ୍ବାରା ପରାହତ ହୋଇ ନ ପାରେ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ପରିଦୃଶ୍ୟ ଧାରଣା ସେ ସବୁ ରାଷ୍ଟ୍ରରେ ଏବେ ଦୂରୀଭୂତ ହୋଇଛି ସତ, କିନ୍ତୁ ଯାହା ବିଳମ୍ବ ହେବା କଥା ହୋଇସାରିଛି। ସେ ସବୁ ରାଷ୍ଟ୍ରରେ ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରମୁଖ୍ୟ, ନାମକରା ଅଭିନେତା, ଉଦ୍ୟୋଗପତି, ରାଜକୁମାର ଆଦିଙ୍କ ପର୍ଯ୍ୟନ୍ତରେ ସମସ୍ତେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ। ପ୍ରାରମ୍ଭିକ କାଳରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ଯଦି ସାମାନ୍ୟ ବିବେଚନାବୋଧ ପ୍ରକଟ ହୋଇଥାଆନ୍ତା, ତେବେ ହୁଏ’ତ ସ୍ଥିତି ଏଭଳି ହୋଇ ନଥାଆନ୍ତା, ଯାହା ଏବେ ହୋଇଛି।

ଏହା ସ୍ଥିିର ନିଶ୍ଚିତ ଯେ ମାନବ ଜାତି ଯେ ପର୍ଯ୍ୟନ୍ତ ତିଷ୍ଠି ରହିବ ଏବ˚ ତାର ଇତିହାସର ଆଲୋଚନା ହୋଇ ଚାଲିଥିବ, ସେ ପର୍ଯ୍ୟନ୍ତ ‘୨୦୨୦’ ଏକ ବିଶେଷ ଅଧୢାୟ ରୂୂପେ ସ୍ଥାନ ପାଇବ। ଏବ˚ ସେହି ଅଧୢାୟ ପାଠ କଲା ବେଳେ ମାନବ ଜାତିର ଉତ୍ତର ପିଢ଼ି ବିଶ୍ବର ତୁଙ୍ଗତମ ନେତୃତ୍ବର ଅପରିଣାମଦର୍ଶିତା ବିଷୟ ପାଠ କରି ନିଶ୍ଚିତ ଭାବେ ବିସ୍ମିତ ହେବେ।

ସମ୍ବନ୍ଧିତ ଖବର