ଜୋମ୍ବି ରାଜନୀତି

0 109

ଏକ ଶ୍ରେଣୀର ଭୟ ଉଦ୍ରେକକାରୀ ହରର୍‌ କାହାଣୀ ବା ସିନେମାରେ ଖଳନାୟକ ଜଣକ ତାର ମନ୍ଦ ଉଦ୍ଦେଶ୍ୟ ସାଧନ ଉଦ୍ଦେଶ୍ୟରେ ଏକ ‘ଜୋମ୍ବି’କୁ କାମରେ ଲଗାଇବା ଦେଖାଯାଇଥାଏ। ଜୋମ୍ବି ହେଉଛି ଏକ ମୃତ ଶରୀର ଯାହାଠାରେ ଗୁଣିଗାରେଡ଼ି ସାହାଯ୍ୟରେ ପ୍ରାଣ ସଂଚାର କରି ତାହାକୁ ଯନ୍ତ୍ରବତ୍‌ କାର୍ଯ୍ୟରେ ଲଗାଯାଇଥାଏ। ବର୍ତ୍ତମାନ ମହାରାଷ୍ଟ୍ରରେ ଦେଖା ଦେଇଥିବା କୋରେଗାଓଁ-ଭୀମା ଅଶାନ୍ତି ଓ ସେ ସମ୍ପର୍କରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କର ପ୍ରତିକ୍ରିୟା ଦେଖିଲେ ମନେହୁଏ ଜନମାନସରେ ନିଜର ଏକ ଅପାରଗ ଭାବମୂର୍ତ୍ତି ସୃଷ୍ଟି କରି ଆସିଥିବା ରାହୁଲ ଏଯାଏଁ ପ୍ରୟୋଗ କରିଥିବା ସବୁପ୍ରକାର ରାଜନୈତିକ କୌଶଳ କେବଳ ବିଫଳତାରେ ସମାପ୍ତ ହେବା ପରେ ଏବେ ଶେଷରେ ଏକ ଜୋମ୍ବିଟିଏ ହାତ ପାଆନ୍ତାରେ ଆବିଷ୍କାର କରି ତାକୁ ଜାବୁଡ଼ି ଧରି ପକାଇଛନ୍ତି।

ଉପରଲିଖିତ କୋରେଗାଓଁ-ଭୀମା ହେଉଛି ଦୁଇଶହ ବର୍ଷ ପୁରୁଣା କବରରୁ ବାହାରି ଥିବା ସେହି ଜୋମ୍ବି। ବର୍ତ୍ତମାନ ମହାରାଷ୍ଟ୍ର ତଥା ମୁମ୍ବାଇ ନଗରୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ ମାନଙ୍କର କାରଣ ସାଜିଥିବା ‘କୋରେଗାଓଁ-ଭୀମା ଯୁଦ୍ଧ’ ନାମରେ ପରିଚିତ ଏହି ଲଢ଼େଇ ମହାରାଷ୍ଟ୍ରର କୋରେଗାଓଁ ଗ୍ରାମରେ ୧୮୧୮ ଜାନୁଆରି ପହିଲା ତାରିଖରେ ଯେଉଁ ଦୁଇ ପକ୍ଷଙ୍କ ମଧ୍ୟରେ ଘଟିଥିଲା, ସେମାନେ ହେଲେ ଭାରତକୁ ଦଖଲ କରିବାକୁ ଆସିଥିବା ବ୍ରିଟିସ୍‌ ଇଷ୍ଟ ଇଣ୍ଡିଆ କମ୍ପାନି ଏବଂ ମରହଟ୍ଟା ଶାସକ ଦ୍ୱିତୀୟ ବାଜି ରାଓ ପେଶଓ୍ଵା। ପୁନା ଆକ୍ରମଣ କରି ଦଖଲ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଯୁଦ୍ଧରେ ବାଜିରାଓ ପ୍ରଥମେ ୫,୦୦୦ ସୈନିକ ନିୟୋଜିତ କରିଥିଲେ। ସେ କିନ୍ତୁ ଯେତେବେଳେ ଦେଖିଲେ ଯେ ଇଷ୍ଟ୍‍ଇଣ୍ଡିଆ କମ୍ପାନିର ଅଛନ୍ତି ମାତ୍ର ୮୦୦ ସୈନିକ, ବାଜିରାଓ ନିଜର ଏହି ବାହିନୀକୁ ପ୍ରତ୍ୟାହୃତ କରି ନେଇ କେବଳ ପ୍ରାୟ ୨,୦୦୦ ପଦାତିକ ସୈନ୍ୟଙ୍କୁ ଯୁଦ୍ଧରେ ଲଗାଇଲେ। ଇଷ୍ଟଇଣ୍ଡିଆ କମ୍ପାନିର ସୈନ୍ୟମାନେ କିନ୍ତୁ ପେଶଓ୍ଵା ବାହିନୀକୁ ସଫଳ ଭାବରେ ପ୍ରତିରୋଧ କରି ସେମାନଙ୍କୁ ପୁନା ଦିଗରେ ଆଗେଇବାକୁ ଦେଲେ ନାହିଁ। ବାର ଘଣ୍ଟା ଧରି ଯୁଦ୍ଧ ଚାଲିବା ପରେ ଓ ୬୦୦ ସରିକି ସୈନ୍ୟ ହରାଇବା ପରେ ପେଶଓ୍ଵା ଯେତେବେଳେ ଦେଖିଲେ ଯେ ବିଜୟ ସମ୍ଭାବନା କ୍ଷୀଣ ଏବଂ ଇଷ୍ଟଇଣ୍ଡିଆ କମ୍ପାନି ପୁନାରୁ ଅଧିକ ସୈନ୍ୟ ମଗାଇପାରେ, ସେତେବେଳେ ସେ କୋରେଗାଓଁରୁ ନିଜର ସୈନ୍ୟବାହିନୀ ପ୍ରତ୍ୟାହାର କରିନେଲେ ଏବଂ ପୁନା ଆକ୍ରମଣ ଯୋଜନା ପରିତ୍ୟାଗ କଲେ।

ଏଠାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଇଷ୍ଟଇଣ୍ଡିଆ କମ୍ପାନିର ସୈନ୍ୟମାନେ ଥିଲେ ମାହାର୍‌ ସମ୍ପ୍ରଦାୟର, ଯେଉଁମାନଙ୍କୁ ସେ ସମୟର ଦଳିତ ବୋଲି ବିଚାର କରାଯାଉଛି। କୋରେଗାଓଁ-ଭୀମା ଯୁଦ୍ଧକୁ ତେଣୁ ଦଳିତମାନଙ୍କର ବିଜୟ ରୂପେ ପ୍ରଦର୍ଶନ କରି ୨୦୧୮ ଜାନୁଆରି ପହିଲାରୁ ଏହାର ଦ୍ୱିଶତବାର୍ଷିକୀ ରୂପେ ପାଳନ କରାଯାଉଥିବା ବେଳେ ବର୍ତ୍ତମାନର ଗଣ୍ଡଗୋଳ ଆରମ୍ଭ ହୋଇଛି। ଏହାକୁ ବିରୋଧ କରୁଥିବା ଗୋଷ୍ଠୀମାନେ ବ୍ରିଟିସ୍‌ମାନଙ୍କର ବିଜୟକୁ ଦଳିତମାନଙ୍କର ବିଜୟ ରୂପେ ଚିତ୍ରଣ କରାଯିବାକୁ ଜାତୀୟତା ବିରୋଧୀ କାର୍ଯ୍ୟ ରୂପେ ବିଚାର କରୁଛନ୍ତି। ଇତିହାସରେ ମାହାର୍‌ମାନଙ୍କୁ ଦଳିତ ରୂପେ ବିଚାର କରାଯାଇଥିଲେ ହେଁ ଉଭୟ ସେନାବାହିନୀ ଓ ପ୍ରଶାସନରେ ସେମାନେ ନିର୍ବାହ କରୁଥିବା ଭୂମିକା ସେ ସମୟର ଉଚ୍ଚ ବର୍ଣ୍ଣର ଲୋକମାନଙ୍କଠାରୁ କୌଣସି ଗୁଣରେ କମ୍‌ ନଥିଲା। ସପ୍ତଦଶ ଶତାବ୍ଦୀରେ ପ୍ରସିଦ୍ଧ ମରହଟ୍ଟା ରାଜା ଶିବାଜୀ ତାଙ୍କର ସେନାବାହିନୀରେ ମାହାର୍‌ମାନଙ୍କୁ ନିୟମିତ ଭାବରେ ନିଯୁକ୍ତ କରୁଥିଲେ। ମାହାର୍‌ମାନେ ମଧ୍ୟ ପେଶଓ୍ଵାମାନଙ୍କର ସେନାବାହିନୀରେ ସାମିଲ ହୋଇ ଅନେକ ଯୁଦ୍ଧ ଲଢ଼ିଛନ୍ତି। ୧୭୬୧ରେ ମରହଟ୍ଟା ସେନାବାହିନୀ ଏବଂ ଆଫଗାନ୍‌ ଆକ୍ରମଣକାରୀ ମାନଙ୍କ ମଧ୍ୟରେ ଘଟିଥିବା ତୃତୀୟ ପାନିପଥ ଯୁଦ୍ଧରେ ମଧ୍ୟ ମାହାର୍‌ମାନେ ମରହଟ୍ଟା ବାହିନୀରେ ରହି ଲଢ଼େଇ କରିଥିଲେ। କୁହାଯାଏ ପେଶଓ୍ଵା ଦ୍ୱିତୀୟ ବାଜିରାଓଙ୍କ ସୈନ୍ୟ ବାହିନୀରେ ମାହାର୍‌ମାନେ ଯୋଗ ଦେବାକୁ ଚାହିଁଥିଲେ ମଧ୍ୟ ସେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଯେଉଁଥିପାଇଁ ମାହାର୍‌ମାନେ ଅପମାନିତ ବୋଧ କରି ବ୍ରିଟିସ୍‌ ଇଷ୍ଟଇଣ୍ଡିଆ କମ୍ପାନି ବାହିନୀରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ପେଶଓ୍ଵାମାନେ ବ୍ରାହ୍ମଣ ହୋଇଥିବାରୁ ଏହାକୁ ଏକ ବ୍ରାହ୍ମଣ-ଦଳିତ ସଂଘାତ ରୂପେ ଚିତ୍ରଣ କରାଯାଉଛି।

ବ୍ରିଟିସ୍‌ମାନେ ୧୮୧୮ରେ ଏହି ଯୁଦ୍ଧସ୍ଥଳୀରେ ଏକ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ସ୍ମାରକୀ ଶିଳାସ୍ତମ୍ଭ ସ୍ଥାପନ କରିଥିଲେ। ଯୁଦ୍ଧରେ ପ୍ରାଣପାତ କରିଥିବା ବମ୍ବେ ଦେଶୀୟ ପଦାତିକ ସୈନ୍ୟମାନଙ୍କ ସମ୍ମାନାର୍ଥେ ଏହି ସ୍ମାରକୀ ନିର୍ମିତ ହୋଇଥିଲା ଯେଉଁଥିରେ ୪୯ ଜଣ ସୈନ୍ୟଙ୍କ ନାମ ଖୋଦିତ ହୋଇଥିଲା। ଏମାନଙ୍କ ମଧ୍ୟରୁ ୨୨ ଜଣ ଥିଲେ ମାହାର୍‌ ସମ୍ପ୍ରଦାୟର। ଏଠାରେ କିନ୍ତୁ ମନେରଖିବା କଥା ବ୍ରିଟିସ୍‌ ସେନାବାହିନୀରେ ଯେଉଁ ଭାରତୀୟମାନେ ଯୋଗ ଦେଇଥିଲେ ସେମାନେ କେବଳ ମାହାର୍‌ ନଥିଲେ। ସେମାନଙ୍କ ମଧ୍ୟରେ ମରହଟ୍ଟା ଓ ଏପରିକି ବ୍ରାହ୍ମଣ ସୈନ୍ୟମାନେ ମଧ୍ୟ ରହିଥିଲେ। ପେଶ୍‌ଓ୍ଵାଙ୍କ ସେନାବାହିନୀରେ ମଧ୍ୟ ସେହିପରି ମରହଟ୍ଟା, ମାହାର୍‌ ଆଦି ସବୁ ଶ୍ରେଣୀର ସୈନ୍ୟମାନେ ରହିଥିଲେ। କୋରେଗାଓଁ-ଭୀମାଠାରେ ଦୁଇ ଶହ ବର୍ଷ ତଳେ ଯେଉଁ ଯୁଦ୍ଧ ହୋଇଥିଲା ତାହା ଥିଲା ଗୋଟିଏ ପଟରେ ବ୍ରିଟିସ୍‌ ଆକ୍ରମଣକାରୀ ଏବଂ ଅନ୍ୟ ପଟରେ ଭାରତୀୟ ଶାସକ ମାନଙ୍କ ମଧ୍ୟରେ। ଏବେ କିନ୍ତୁ ଯେଉଁଭଳି ଚିତ୍ରଣ କରାଯାଉଛି ମନେ ହେବ ସେ ଯୁଦ୍ଧ ସତେ ଯେମିତି ଥିଲା ପେଶ୍‌ଓ୍ଵା ଓ ମାହାର୍‌ମାନଙ୍କ ମଧ୍ୟରେ, ଅର୍ଥାତ୍‌ ବ୍ରାହ୍ମଣ ଓ ଦଳିତମାନଙ୍କ ମଧ୍ୟରେ। ଏ ଯୁଦ୍ଧର ଦ୍ୱିଶତବାର୍ଷିକୀ ପାଳନ ତେଣୁ ବ୍ରିଟିସ୍‌ ଶାସନ ଓ ଜାତିଆଣବାଦ ସପକ୍ଷରେ ହୋଇଥିବା ଭଳି ଯଦି ମନେହୁଏ, ଏଥିରେ କିଛି ଭୁଲ୍‌ ନାହିଁ।

ଠିକ୍‌ ଏଇ ସମୟରେ ଗୋଳି ପାଣିରେ ମାଛ ଧରିବା ପାଇଁ ବାହାରି ପଡ଼ିଛନ୍ତି ରାହୁଲ ଗାନ୍ଧୀ। କୋରେଗାଓଁ-ଭୀମା ଯୁଦ୍ଧର ଇତିହାସ ଭଲ ରୂପେ ନ ଜାଣି (ଆଶ୍ଚର୍ଯ୍ୟ ହେବାର କିଛି ନାହିଁ) ସେ ଏହାକୁ ଏକ ଜାତିଆଣ ରଙ୍ଗ ଦେଇ ନିଜକୁ ଦଳିତମାନଙ୍କର ମୁଖ୍ୟ ପ୍ରତିନିଧି ରୂପେ ପ୍ରତିପାଦନ କରିବାକୁ ଚେଷ୍ଟା କରି ବିବୃତିମାନ ଦେବାରେ ଲାଗିଛନ୍ତି। ରାଜନୈତିକ ଲାଭ ପାଇଁ ଏକ ପର୍ଯ୍ୟଟକ ଭଳି କେବେକେବେ ଦଳିତ ପରିବାରରେ ପ୍ରବେଶ କରିବା ପାଇଁ ଜଣାଶୁଣା ରାହୁଲଙ୍କର ଏଭଳି ଆଚରଣ ନେଇ ଅବଶ୍ୟ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ତେବେ ବର୍ତ୍ତମାନ ଘଟଣାରେ ସେ ଯେ ନିଜ ଅଜାଣତରେ ବ୍ରିଟିସ୍‌ ପକ୍ଷ ସମର୍ଥନ କରୁଛନ୍ତି, ରାହୁଲ ଗାନ୍ଧୀ ଏ ବିଷୟରେ ସଚେତନ ଅଛନ୍ତି ତ? ଏହା ଏକପ୍ରକାର ରାଷ୍ଟ୍ର-ବିରୋଧୀ କାର୍ଯ୍ୟ ନୁହେଁ କି? ଆମୋଦ ଦାୟକ ଭାବେ ପ୍ରାୟ ମାସକ ତଳେ ରାହୁଲ ଗାନ୍ଧୀ ନିଜକୁ ଜଣେ ପଇତାଧାରୀ ବ୍ରାହ୍ମଣ ରୂପେ ପ୍ରଦର୍ଶିତ କରିବାର ସକଳ ଚେଷ୍ଟା କରି ନିଜକୁ ଜଣେ ଜାତିଆଣବାଦୀ ରୂପେ ସାବ୍ୟସ୍ତ କରିଥିବା ବେଳେ ବର୍ତ୍ତମାନ ସେଇ ରାହୁଲ ଭାଜପାକୁ ଜାତିଆଣବାଦୀ ଦଳ ରୂପେ ସମାଲୋଚନା କରିବା ଯେତିକି ଛଳନାପୂର୍ଣ୍ଣ ସେତିକି ହାସ୍ୟାସ୍ପଦ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.