ନୀତି ଆୟୋଗର (ଅ)ନୀତି

ଏନ୍‌ଡିଏ-୨ ସରକାର ଦାୟିତ୍ୱ ନେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ସମୟର ‘ସୋଭିଏତ୍‌ ମଡେଲ’ ଯୋଜନାର ପ୍ରତୀକ ଯୋଜନା କମିସନ୍‌କୁ କବର ଦିଆଗଲା। ତା ସ୍ଥାନରେ ଆଉ ଏକ ନୂଆ ସଂସ୍ଥା ‘ନୀତି ଆୟୋଗ’ ଗଠିତ ହେଲା। ଇତିମଧ୍ୟରେ ତିନିବର୍ଷରୁ ଅଧିକ କାଳ ବିତି ଯାଇଥିଲେ ସୁଦ୍ଧା ନୀତି ଆୟୋଗ ତଥାପି ତା’ର ପରିଚୟର ତଲାସରେ ଅଛି। ଏ ସଂସ୍ଥାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ କ’ଣ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ନୀତି ଆୟୋଗ କାର୍ଯ୍ୟରେ ମଧ୍ୟ ସ୍ପଷ୍ଟତାର ଘୋର ଅଭାବ ରହିଛି। ତେବେ ଗୋଟିଏ ବିଷୟ ସ୍ପଷ୍ଟ ଯେ ନୀତି ଆୟୋଗ ପୁରୁଣା ଯୋଜନା କମିସନ୍‌ର ଆଦୌ ଏକ ନୂଆ ଅବତାର କିମ୍ବା ବିକଳ୍ପ ନୁହେଁ। ଯୋଜନା କମିସନର ଯୋଜନା ପ୍ରଣୟନ ଓ ଯୋଜନା ପାଇଁ ପାଣ୍ଠି ଆବଣ୍ଟନର କ୍ଷମତା, ଯୋଜନା ରୂପାୟନର ନିୟମିତ ତଦାରଖ ଦାୟିତ୍ୱ ଥିଲା। ନୀତି ଆୟୋଗର ସେ କ୍ଷମତା କି ଦାୟିତ୍ୱ ନାହିଁ।

ବିଗତ ତିନି ବର୍ଷର କାର୍ଯ୍ୟକୁ ଯଦି ବିଚାର କରାଯାଏ, ତେବେ ଏହା ମୁଖ୍ୟତଃ ଏକ ‘ଥିଙ୍କ୍‌ ଟ୍ୟାଙ୍କ୍‌’- ଦେଶର ବିକାଶ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ତଥ୍ୟଗତ ଓ ବୌଦ୍ଧିକ ପରାମର୍ଶ ଦେବା ଲାଗି ଉଦ୍ଦିଷ୍ଟ ଏକ ସଂସ୍ଥା। କୃଷି, ଦକ୍ଷତା ବିକାଶ, କ୍ଷୁଦ୍ର ଶିଳ୍ପ ଆଦି କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି। ତେବେ ଏହା ବିତର୍କ ସୃଷ୍ଟି କରିଛି ସିନା ଯୋଜନା ପ୍ରଣୟନକୁ କ୍ୱଚିତ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଗତ ବର୍ଷ ଏପ୍ରିଲରେ ଆୟୋଗ ପକ୍ଷରୁ ଦେଶର ବିକାଶ ପାଇଁ ଏକ ତିନିବର୍ଷିଆ ‘ଆକ୍‌ସନ୍‌ ପ୍ଲାନ୍‌’ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମାନଙ୍କ ବିରୋଧ ଯୋଗୁଁ ଏହା ‘ଗଭର୍ଣ୍ଣିଂ କାଉନ୍‌ସିଲ୍‌’ର ଅନୁମୋଦନ ପାଇ ପାରି ନଥିଲା। ମୋଟାମୋଟି ନୀତି ଆୟୋଗର ଗତ ତିନି ବର୍ଷର ପ୍ରଦର୍ଶନ ଉତ୍ସାହଜନକ କିମ୍ବା ପ୍ରଭାବଶାଳୀ ବୋଲି କଦାପି କୁହାଯାଇ ପାରିବ ନାହିଁ।

ତେବେ ବିଡ଼ମ୍ବନା ହେଲା, ଯୋଜନା ପ୍ରଣୟନ ଓ ରୂପାୟନ କ୍ଷେତ୍ରରେ ନୀତି ଆୟୋଗ ବିଶେଷ ସହାୟକ ହୋଇ ନଥିଲେ ମଧ୍ୟ ସଂଘୀୟ ଭାବନା ପ୍ରତିକୂଳ ବଡ଼ଭାଇ ପଣିଆ ଦେଖାଇ ରାଜ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ ଜାହିର୍‌ ଲାଗି କେନ୍ଦ୍ର ହାତରେ ଏହା ଏକ ଆୟୁଧ ସାଜିଛି। ଫଳରେ ଅନେକ ସମୟରେ ଅସ୍ୱସ୍ତିକର ବିବାଦ ସୃଷ୍ଟି ହୋଇ କେନ୍ଦ୍ର- ରାଜ୍ୟ ସଂପର୍କ ତିକ୍ତ ହେଉଛି। ନୀତି ଆୟୋଗକୁ ନେଇ କେନ୍ଦ୍ର ଓ ରାଜ୍ୟ ବିବାଦ କ୍ରମରେ ନଗଦ ଘଟଣା ହେଲା- ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ରାଜ୍ୟର ୧୧୫ଟି ପଛୁଆ ଜିଲ୍ଲା ପାଇଁ ‘କେନ୍ଦ୍ରୀୟ ପ୍ରଭାରୀ’ ନିଯୁକ୍ତି। ଏହି କେନ୍ଦ୍ରୀୟ ପ୍ରଭାରୀମାନେ ସମ୍ପୃକ୍ତ ପଛୁଆ ଜିଲ୍ଲାଗୁଡ଼ିକରେ ବିକାଶ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବେ। ଯଦିଓ, ପଛୁଆ ଜିଲ୍ଲା ଚିହ୍ନଟ ଓ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତି ବିଷୟ ନୀତି ଆୟୋଗଙ୍କ ନାମରେ ଯାଉଛି, ବାସ୍ତବରେ ଏହାର ପରିକଳ୍ପନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନ୍ୟୁଇଣ୍ଡିଆ’ଯୋଜନା ଅଧୀନରେ କରାଯାଇଛି। ଏ ସମୁଦାୟ କସରତକୁ ଓଡ଼ିଶା, ପଶ୍ଚିମବଙ୍ଗ, କେରଳ ଆଦି ରାଜ୍ୟ ବିରୋଧ କରୁଛନ୍ତି। ଯାହା ଆଦୌ ଅଯଥାର୍ଥ ମନେ ହେଉନାହିଁ। ରାଜ୍ୟଗୁଡ଼ିକର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ପଛଦ୍ୱାରରୁ ହସ୍ତକ୍ଷେପ ପାଇଁ ଏହା ଏକ ଅଭିସନ୍ଧି।

କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତି ପଛରେ ପଛୁଆ ଜିଲ୍ଲାର ବିକାଶ ଉଦ୍ଦେଶ୍ୟ ଯେତେ ନୁହେଁ, ରାଜ୍ୟ ଉପରେ ଲଗାମ କଷିବାର ଉଦ୍ଦେଶ୍ୟ ତା’ଠାରୁ ଅଧିକ। ଅଯଥାରେ ଏହା ରାଜ୍ୟ ଶାସନରେ, ବିଶେଷକରି ସମ୍ପୃକ୍ତ ଜିଲ୍ଲା ଗୁଡ଼ିକର ବିକାଶରେ ବିଭ୍ରାନ୍ତି ସୃଷ୍ଟି କରିବା ଆଶଙ୍କା ରହିଛି। ଦ୍ୱୈତ ନିୟନ୍ତ୍ରଣ ବ୍ୟବସ୍ଥା କୌଣସି ବିକାଶ ଯୋଜନାର ଶୃଙ୍ଖଳିତ, ପ୍ରଭାବଶାଳୀ ରୂପାୟନ ପାଇଁ ଅନୁକୂଳ ନୁହେଁ। ନିଃସନ୍ଦେହ ପଛୁଆ ଅଞ୍ଚଳର ବିକାଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ। ଏଥିପାଇଁ ଉଭୟ ପକ୍ଷ ଭିତରେ ପରସ୍ପର ସହଯୋଗ ବିଶ୍ୱାସ ଓ ସମନ୍ଵୟ ଏକାନ୍ତ ଆବଶ୍ୟକ। କିନ୍ତୁ ଦ୍ୱୈତ ନିୟନ୍ତ୍ରଣ ବ୍ୟବସ୍ଥା ଦ୍ୱାରା ସମନ୍ଵୟ, ସହଯୋଗ ବଦଳରେ ଅଯଥା ଅବିଶ୍ୱାସ ଓ ମୁକାବିଲା ମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି, ଯାହାର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପନିପାରେ। ଉଲ୍ଲେଖନୀୟ ହେଲା, ଗୋଟିଏ ସମାନ କେନ୍ଦ୍ରୀୟ ଯୋଜନା ସମଗ୍ର ଦେଶ ପାଇଁ ଉପଯୁକ୍ତ ନୁହେଁ, ସ୍ଥାନୀୟ ଆବଶ୍ୟକତା ଓ ଅବସ୍ଥାକୁ ଦେଖି ଯୋଜନା ପ୍ରସ୍ତୁତ ଲାଗି ଯୋଜନା ପ୍ରଣୟନର ବିକେନ୍ଦ୍ରୀକରଣ ହେବା ଉଚିତ। ଯୋଜନା କମିସନ୍‌ ଉପାଧ୍ୟକ୍ଷଙ୍କ ଆଗରେ କାହିଁକି ମୁଖ୍ୟମନ୍ତ୍ରୀମାନେ ପାଣ୍ଠି ପାଇଁ ଭିକ୍ଷା ଥାଳ ଧରି ନେହୁରା ହେବେ? ଆଦି କାରଣ ଦର୍ଶାଇ ଯୋଜନା କମିସନର ଉଚ୍ଛେଦ କରାଯାଇଥିଲା। ଏବେ କିନ୍ତୁ ଆଶଙ୍କା ହେଉଛି ନୀତିଆୟୋଗ ଦ୍ୱାରା ପଛୁଆ ଜିଲ୍ଲାର ବିକାଶ ଆଳରେ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତି ସେ ପୁରୁଣା ବ୍ୟବସ୍ଥାକୁ ଫେରିଯିବା ଲାଗି ଉଦ୍ୟମ ନୁହେଁ ତ?

ଭାରତର ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର କ୍ଷମତା ଓ ଦାୟିତ୍ୱ ନେଇ ସମ୍ବିଧାନରେ ସ୍ପଷ୍ଟ ସୀମା ରେଖା ଟଣାଯାଇଛି। କେତେକ ବିଷୟରେ ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତା ଓ ଦାୟିତ୍ୱ ମିଳିତ। ଏ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଏ କ୍ଷମତା ଏକତାଫା କି ଏକ ପାଖିଆ ନୁହେଁ। ମିଳିତ ତାଲିମରେ ଥିବା ବିଷୟ ଉପରେ ରାଜ୍ୟମାନଙ୍କ ସହ ମରାମର୍ଶ ଜରୁରୀ। କିନ୍ତୁ ଅନେକ ସମୟରେ କେନ୍ଦ୍ରର ଏକତରଫା ମନୋଭାବ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ସୃଷ୍ଟି କରୁଛି ଓ ସଂଘୀୟ ଭାବନାର ପ୍ରତିକୂଳ ବାତାବରଣ ସୃଷ୍ଟି କରୁଛି। କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତି ଓ ପଛୁଆ ଜିଲ୍ଲା ଚିହ୍ନଟ ତା’ର ଏକ ଦୁଃଖଦ ଉଦାହରଣ। ଏ ପ୍ରସଙ୍ଗରେ ରାଜ୍ୟ ସହ ବିଚାରବିମର୍ଶ କରାଯାଇଥିଲେ ବୋଧହୁଏ ବିବାଦକୁ ଏଡ଼ାଯାଇ ପାରିଥାନ୍ତା। ଗୋଟିଏ ଜିଲ୍ଲାକୁ ‘ପଛୁଆ’ ଘୋଷଣା ପାଇଁ ନିର୍ଦ୍ଧାରିତ ମାପକାଠି ଉପରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତି ଜରୁରୀ ଥିଲା। ଏହି କାରଣରୁ ଏଥିରେ କିଛି ଅସଂଗତି ରହୁଛି। ଓଡ଼ିଶାର ଆଠଟି ପଛୁଆ ଜିଲ୍ଲା ମଧ୍ୟରେ ଢେଙ୍କାନାଳ ଥିବା ବେଳେ ଅଧିକ ପଛୁଆ ନବରଙ୍ଗପୁର ଏହି ତାଲିକାରେ ନାହିଁ। ପୂର୍ବରୁ ନୀତି ଆୟୋଗଙ୍କ ତିନି ବର୍ଷିଆ ‘ଆକ୍‌ସନ୍‌ ପ୍ଲାନ୍‌’ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅନୁମୋଦନ ପାଇ ନଥିଲା ଏଥିପାଇଁ ଯେ, ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏ ନେଇ କୌଣସି ପ୍ରକାର ପରାମର୍ଶ କରାଯାଇ ନଥିଲା।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ସହଯୋଗପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ଚଳିତ ସରକାର ଅମଳରେ କେନ୍ଦ୍ର ସରକାରଙ୍କ ହାତରେ ଅଧିକ କ୍ଷମତା କେନ୍ଦ୍ରୀଭୂତ କରିବା ଲାଗି ଏକ ପ୍ରବଣତା ପ୍ରକାଶ ପାଇଛି, ଯାହା ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କ ମନରେ ସନ୍ଦେହ ଓ ଅବିଶ୍ୱାସ ସୃଷ୍ଟି କରୁଛି। ୨୦୧୫ର ନିତିଆୟୋଗ ବୈଠକରେ ୯ କଂଗ୍ରେସ ଶାସିତ ଓ ଅନ୍ୟ ଓଡ଼ିଶା ସମେତ ୪ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଏହାର ଏକ ପ୍ରତିଫଳନ। ରାଜ୍ୟମାନଙ୍କ ଅସନ୍ତୋଷରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ତେଣୁ ଏଥର ମଧ୍ୟ ରାଜ୍ୟ ସରକାର ମାନଙ୍କ ସହ କୌଣସି ଆଲୋଚନା ନ କରି ଏକତରଫା ଭାବେ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତି ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନ୍ୟୁ ଇଣ୍ଡିଆ’ ଯୋଜନାରେ ପଛୁଆ ଜିଲ୍ଲା ଗୁଡ଼ିକର ବିକାଶ ଉପରେ ପ୍ରାଥମିକତା ଦିଆଯାଉଛି। ଉଦ୍ଦେଶ୍ୟ ନିଶ୍ଚିତ ଭାବେ ମହତ୍‌। କିନ୍ତୁ କେବଳ ଉଦ୍ଦେଶ୍ୟ ମହତ୍‌ ହେଲେ, ଯୋଜନା ସଫଳ ହୋଇଯାଏ ନାହିଁ।

ଯୋଜନାର ସଫଳତା ଏହା ରୂପାୟନର ଚରିତ୍ର ଉପରେ ନିର୍ଭର କରେ। ରୂପାୟନ ସଫଳ ହୋଇପାରିବ ଯେତେବେଳେ ସବୁ ପକ୍ଷ ଏହାର କାର୍ଯ୍ୟକାରିତାରେ ସକ୍ରିୟ ଭାବେ ସମ୍ପୃକ୍ତ ହେବେ। କିନ୍ତୁ ପଛୁଆ ଜିଲ୍ଲାର ବିକାଶ ଯୋଜନାରେ ରାଜ୍ୟମାନଙ୍କୁ ସମ୍ପୃକ୍ତ କରିବା ଲାଗି ପର୍ଯ୍ୟାପ୍ତ ପ୍ରୟାସ ହେଉ ନାହିଁ, ଯାହା ଏକ ସଂଘୀୟ ବ୍ୟବସ୍ଥାରେ ଅପେକ୍ଷା କରାଯାଏ। ରାଜ୍ୟମାନଙ୍କ ବିନା ସହଯୋଗରେ ‘ନ୍ୟୁ ଇଣ୍ଡିଆ’ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ ଯଦି ତାଙ୍କ ‘ନ୍ୟୁ ଇଣ୍ଡିଆ’ ଯୋଜନାର ସଫଳତା ଦେଖିବାକୁ ଚାହାନ୍ତି ତେବେ ଏକପାଖିଆ ବଡ଼ଭାଇ ପଣିଆ ଛାଡ଼ି ରାଜ୍ୟମାନଙ୍କୁ କରଦ ବିଚାର ନ କରି ପାରସ୍ପରିକ ବିଶ୍ୱାସ ସହ ସେମାନଙ୍କୁ ସାଙ୍ଗରେ ନିଅନ୍ତୁ। ଅନ୍ୟଥା ନା ‘ନ୍ୟୁ ଇଣ୍ଡିଆ’ ସ୍ୱପ୍ନ ସାକାର ହେବ ନା ସହଯୋଗ ପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା ବାସ୍ତବତାରେ ପରିଣତ ହେବ।

ସମ୍ବନ୍ଧିତ ଖବର