ମହା ଅଭିସନ୍ଧି

ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ସ୍ୱାର୍ଥ ପ୍ରତି ବିରୋଧାତ୍ମକ କାଳକ୍ଷେପଣମୂଳକ ମନୋଭାବରେ କୌଣସି ପରିବର୍ତ୍ତନ ହେଉନାହିଁ। ଆଶା କରାଯାଉଥିଲା, ଗତ ଡିସେମ୍ବର ଏଗାରରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ‘‘ଆଇନ ଅନୁଯାୟୀ ପଦକ୍ଷେପ’’ ନେବା ସକାଶେ ରୋକ୍‌ଠୋକ୍‌ ଟିପ୍ପଣୀ ପରିପ୍ରେକ୍ଷୀରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନକାରାତ୍ମକ ଟାଳଟୁଳ ନୀତିରେ ପରିବର୍ତ୍ତନ ଆସିବ। ପୂର୍ବରୁ ୨୦୧୭ ମେ ଏବଂ ଅକ୍‌ଟୋବରରେ ଉଚ୍ଚତମ ନ୍ୟାୟାଳୟକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବେ। କିନ୍ତୁ ଏନ୍‌ଡିଏ ସରକାର ନିଜର ପ୍ରତିଶ୍ରୁତି ବିପରୀତ ଓଡ଼ିଶା ବିରୋଧୀ ମତରେ କାଏମ୍‌ ରହିଛନ୍ତି। ଆନ୍ତଃରାଜ୍ୟ ନଦୀ ବିବାଦ ଆଇନ ୧୯୫୬ ଅନ୍ତର୍ଗତ ଆଇନଗତ ବ୍ୟବସ୍ଥାକୁ ଆଖି ଠାର ମାରି ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ଏଡ଼ାଇ ଚାଲିଛନ୍ତି।

ଗୁରୁବାର ଦିନ ଲୋକସଭାରେ କେନ୍ଦ୍ର ଜଳସମ୍ପଦ ଓ ନଦୀ ଉନ୍ନୟନ ମନ୍ତ୍ରୀ ନୀତିନ ଗଡ୍‌କରୀ ମହାନଦୀ ପ୍ରସଙ୍ଗରେ ଦେଇଥିବା ବୟାନ ଏହାର ସଦ୍ୟତମ ଅସ୍ୱସ୍ତିକର ପ୍ରମାଣ। ଅବଶ୍ୟ, ଯେଉଁ ସରକାର ଦେଶର ପ୍ରଚଳିତ ଆଇନ ବ୍ୟବସ୍ଥାକୁ ସମ୍ମାନ ଦେବାକୁ କୁଣ୍ଠିତ, ସେହି ସରକାର ସୁପ୍ରିମ୍‌ କୋର୍ଟକୁ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯିବା ଦୁର୍ଭାଗ୍ୟଜନକ ହେଲେ ସୁଦ୍ଧା ଆଦୌ ଅପ୍ରତ୍ୟାଶିତ ନୁହେଁ। କେନ୍ଦ୍ର ସରକାର ଆଇନ ଓ ସମ୍ବିଧାନର ଚଷମାରେ ମହାନଦୀ ପ୍ରସଙ୍ଗକୁ ନ ଦେଖି ରାଜନୈତିକ ଚଷମାରେ ଦେଖୁଛନ୍ତି। ସେଥିପାଇଁ ପ୍ରାରମ୍ଭରୁ ଏ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ସରକାର ଓଡ଼ିଶାର ବୃହତ୍ତର ସ୍ୱାର୍ଥର ସୁରକ୍ଷା ଅପେକ୍ଷା ଦଳୀୟ ସ୍ୱାର୍ଥର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଥିରେ କୌଣସିି ସନ୍ଦେହ ନାହିଁ ଯେ, ବିବାଦରେ ପକ୍ଷଭୁକ୍ତ ଉପରମୁଣ୍ଡ ରାଜ୍ୟ ଛତିଶଗଡ଼ରେ ଯଦି ବିଜେପି ସରକାରରେ ନଥାନ୍ତା, ତେବେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ଓ ପଦକ୍ଷେପ ନିଶ୍ଚୟ ଭିନ୍ନ ହୋଇଥାନ୍ତା। ଉଲ୍ଲେଖ ଅନାବଶ୍ୟକ ଯେ, କେନ୍ଦ୍ରର ଆଭିମୁଖ୍ୟ ଦୁଃଖଦାୟକ ଓ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ।

ଗୁରୁବାର ଦିନ ବିଜେଡି ସାଂସଦମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ ରଖିଥିବା ବିବୃତି କେବଳ ପୁରୁଣା ପାଠର ପୁନରାବୃତ୍ତି। ଏଥିରେ ଥିବା ବିରୋଧାଭାସ ବୟାନର ଫମ୍ପାତ୍ୱକୁ ପ୍ରତିପାଦିତ କରିବା ସହ ବିବାଦର ସମାଧାନ ନେଇ କେନ୍ଦ୍ରର ଛଦ୍ମ ଆନ୍ତରିକତା ପ୍ରତି ଇଙ୍ଗିତ କରୁଛି। ଗୋଟିଏ ପକ୍ଷରେ ମନ୍ତ୍ରୀ ମହୋଦୟ ବିବାଦର ସମାଧାନ ଲାଗି ସାନି କଥାବାର୍ତ୍ତାର ପ୍ରସ୍ତାବ ଦେଇଛନ୍ତି। ଅନ୍ୟପକ୍ଷରେ ତିନିମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ଲାଗି ଆଶ୍ୱାସନା ଦେଇଛନ୍ତି। ଏହି ପରସ୍ପର ବିରୋଧାତ୍ମକ ବୟାନରୁ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ଆଗ୍ରହର କୌଣସି ବାସ୍ନା ବାହାରୁନାହିଁ, ବରଂ ଓଡ଼ିଶା ବିରୋଧୀ ଅଭିସନ୍ଧିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ଅଭିସନ୍ଧି ହେଲା, ପ୍ରଚଳିତ ଆଇନ ଅନୁଯାୟୀ ଛତିଶଗଡ଼- ଓଡ଼ିଶା ମଧ୍ୟରେ ଜଳ ବିବାଦର ସମାଧାନ ଲାଗି ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନକୁ ଏଡ଼ାଇ ପ୍ରସ୍ତାବିତ ନୂଆ ଆଇନ ଅନୁଯାୟୀ ସବୁ ଜଳ ବିବାଦ ଲାଗି ଏକକ ଟ୍ରିବ୍ୟୁନାଲ ଗଠନ ପର୍ଯ୍ୟନ୍ତ ସମୟକୁ ଗଡ଼ାଇ ଦେବା। ଖୋଦ୍‌ ସରକାର ପୂର୍ବରୁ ଉଭୟ ସଂସଦ ଓ ସୁପ୍ରିମ୍‌ କୋର୍ଟରେ କହି ସାରିଛନ୍ତି ଯେ, କଥାବାର୍ତ୍ତା ବିଫଳ ହୋଇଛି, ତେଣୁ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଜୁଲାଇରେ ତତ୍କାଳୀନ ମନ୍ତ୍ରୀ ବାଲ୍ୟାନ୍‌ଙ୍କ ବୟାନ ଓ ଅକ୍‌ଟୋବରରେ ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ ପରେ ଅବସ୍ଥାରେ ଏମିତି କ’ଣ ପରିବର୍ତ୍ତନ ହୋଇଛି ଯେ ସରକାର ସାନି କଥାବାର୍ତ୍ତା ମାଧ୍ୟମରେ ବିବାଦର ଆପୋସ ସମାଧାନ ଆଶା କରୁଛନ୍ତି? ଏହା କେବଳ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରିବା ଲାଗି ଏକ ଚାଲ୍‌। ଛଅ ମାସ ତଳେ ପରିସ୍ଥିତି ଯାହା ଥିଲା, ଏବେ ମଧ୍ୟ ତାହା ଅପରିବର୍ତ୍ତିତ ରହିଛି। ତେଣୁ ସରକାରଙ୍କ ପକ୍ଷରେ ଆଭିମୁଖ୍ୟ ବଦଳାଇବାରେ କୌଣସି ଅବକାଶ ନଥିଲା। ଆଇନ ଅନୁଯାୟୀ ନଭେମ୍ବର ୧୯ରେ ବର୍ଷିକିଆ କଣ୍ଟ ପୂରି ଯାଇଥିବାରୁ ଟ୍ରିବ୍ୟୁନାଲ ଗଠନ ଛଡ଼ା କେନ୍ଦ୍ର ପାଖରେ ଅନ୍ୟ ଆଇନଗତ ବିକଳ୍ପ ନାହିଁ। ତଥାପି ଆଇନଗତ ଦାୟିତ୍ୱ ନିର୍ବାହ ନ କରି ସାନି କଥାବାର୍ତ୍ତା ପ୍ରସ୍ତାବ ରଖି ଅଯଥା ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। ଅସଲରେ ମନ୍ତ୍ରୀ ମହୋଦୟ କଥାବାର୍ତ୍ତା ଲାଗି ପ୍ରସ୍ତାବ ଦେଇଛନ୍ତି ସିନା, ଏହା ପଛରେ ତାଙ୍କର ଆନ୍ତରିକତା ନାହିଁ। ସାନି କଥାବାର୍ତ୍ତା ପାଇଁ ମନ୍ତ୍ରୀ ଗଡକରୀଙ୍କ ପ୍ରସ୍ତାବ ନିଶ୍ଚୟ ବିଚାରର ଅପେକ୍ଷା ରଖିଥାନ୍ତା, ଯଦି ଉପରମୁଣ୍ଡରେ ଛତିଶଗଡ଼ ବନ୍ଧ ନିର୍ମାଣ ସାମୟିକ ଭାବେ ବନ୍ଦ ରଖିଥାନ୍ତା। ଶୂନ୍ୟରେ କୌଣସି ପ୍ରକାର କଥାବାର୍ତ୍ତା ଅର୍ଥପୂର୍ଣ୍ଣ କିମ୍ବା ଫଳପ୍ରଦ ହୁଏ ନାହିଁ। କଥାବାର୍ତ୍ତା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଆବଶ୍ୟକ। କଥାବାର୍ତ୍ତା ପାଇଁ ଏମିତି ଏକ ଅନୁକୂଳ ବାତାବରଣ ସେତେବେଳେ ସୃଷ୍ଟି ହେବ, ଯେତେବେଳେ ଛତିଶଗଡ଼ ଉପରମୁଣ୍ଡରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବ।

ଏବେ ବି ସମୟ ଅଛି, କଥାବାର୍ତ୍ତା ପ୍ରସ୍ତାବ ପଛରେ ଯଦି ମନ୍ତ୍ରୀ ନୀତିନ ଗଡ଼କରୀ ମହୋଦୟଙ୍କ ଆନ୍ତରିକତା ଅଛି, ପ୍ରକୃତରେ କଥାବାର୍ତ୍ତା ଜରିଆରେ ସେ ବିବାଦର ଆପୋସ ସମାଧାନ ଚାହାନ୍ତି, ତେବେ ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଛତିଶଗଡ଼କୁ ପ୍ରବର୍ତ୍ତାନ୍ତୁ। ମନ୍ତ୍ରୀ କହୁଛନ୍ତି ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଲାଗି ଛତିଶଗଡ଼କୁ ନିର୍ଦ୍ଦେଶ ଦେବାର କ୍ଷମତା ତାଙ୍କର ନାହିଁ। କ୍ଷମତା ନଥାଇପାରେ, କିନ୍ତୁ ଛତିଶଗଡ଼ରେ ଶାସନରେ ଥିବା ନିଜ ଦଳର ସରକାରକୁ ଆବେଦନ କରିବା ଲାଗି କ’ଣ ନୈତିକ କର୍ତ୍ତୃତ୍ୱ ନାହିଁ? କଥାବାର୍ତ୍ତାର ସଫଳତା ନେଇ ଲେଶମାତ୍ର ସମ୍ଭାବନା ନାହିଁ। ସେ ଅବଗତ ଯେ, କଥାବାର୍ତ୍ତା ପ୍ରସ୍ତାବରେ ଓଡ଼ିଶା ରାଜି ହେବ ନାହିଁ। ତଥାପି ଆଇନକୁ ଏଡ଼ାଇ ଓଡ଼ିଶାକୁ ସାନି କଥାବାର୍ତ୍ତା ଲାଗି ପ୍ରସ୍ତାବ ଦେଇଛନ୍ତି। ସେମିତି ନୈତିକତା ଦୃଷ୍ଟିରୁ ନିର୍ମାଣ ବନ୍ଦ ଲାଗି ଛତିାଗଡ଼କୁ ପ୍ରସ୍ତାବ ଦେଉ ନାହାନ୍ତି କାହିଁକି? ଏହା କେନ୍ଦ୍ରର ପାତର ଅନ୍ତର ମୂଳକ ଆଭିମୁଖ୍ୟର ଦୁଃଖଦ ସୂଚନା ଦେଉଛି।

ପ୍ରକୃତରେ ଯଦି କେନ୍ଦ୍ର ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ଲାଗି ଆଗ୍ରହୀ, ତେବେ ଅନ୍ତତଃ ତିନି ମାସ ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରଖିବା ଲାଗି ଛତିଶଗଡ଼ ଉପରେ ନୈତିକ ଚାପ ପକାନ୍ତୁ। ମୁଖ୍ୟତଃ ଶିଳ୍ପ ପାଇଁ ନିର୍ମିତ ହେଉଥିବା ବନ୍ଧ ଗୁଡ଼ିକର କାମ ତିନି ମାସ ସ୍ଥଗିତ ରହିଲେ ବିଶେଷ କିଛି ଅସୁବିଧା ହେବ ନାହିଁ। ବରଂ କାମ ସ୍ଥଗିତ ରହିଲେ ତାହା ବିବାଦର ସମାଧାନ ଲାଗି ଛତିଶଗଡ଼ ଓ କେନ୍ଦ୍ରର ଆନ୍ତରିକତାର ପ୍ରମାଣ ଦେବ। କେନ୍ଦ୍ର ସରକାର ଭୁଲିଯିବା ଉଚିତ ନୁହେଁ ଯେ, ସମ୍ବିଧାନର ସପ୍ତମ ଅନୁଚ୍ଛେଦ ଅନୁଯାୟୀ ନଦୀଗୁଡ଼ିକର ଜଳ ନିୟନ୍ତ୍ରଣ ଓ ବିକାଶ ତାଙ୍କର ଦାୟିତ୍ୱ। ଏହାର ଅର୍ଥ ନଦୀ ଜଳର ସୁଷମ ବଣ୍ଟନ ଓ ସବୁ ନଦୀକୂଳିଆ ରାଜ୍ୟର ସ୍ୱାର୍ଥର ସୁରକ୍ଷା କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ସାମ୍ବିଧାନିକ ଦାୟିତ୍ୱ ଅପେକ୍ଷା ରାଜନୈତିକ ସ୍ୱାର୍ଥ ରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରୁଛନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଏ ଓଡ଼ିଶା ବିରୋଧୀ ଅଭିସନ୍ଧି ଯେ ଆଉ କିଛି ମାସ ପରେ ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡ଼ରେ ଦଳୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଅଭିପ୍ରେତ ଏଥିରେ କୌଣସି ସନ୍ଦେହ ନାହିଁ।

ଆଗାମୀ ୧୬ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ମହାନଦୀ ମାମଲାରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି। ତା’ ପୂର୍ବରୁ ଗତ ବିଧାନସଭା ଅଧିବେଶନ କାଳରେ ଗଠିତ ଦୁଇଟି ଯାକ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି ଉପସ୍ଥାପନ କରନ୍ତୁ। ସାଂପ୍ରତିକ ପରିସ୍ଥିତିରେ ସର୍ବୋଚ୍ଚ ଅଦାଲତର ନ୍ୟାୟିକ ଲଢ଼େଇ ଚାଲିଥିବା ବେଳେ ସମାନ୍ତରାଳ ଭାବେ ରାଜନୈତିକ ସ୍ତରରେ ମଧ୍ୟ ଲଢ଼େଇକୁ ଅଧିକ ଜୋର୍‌ଦାର୍‌ କରାଯିବାର ଆବଶ୍ୟକତା ରହିଛି। ଆଶା, କୌଣସି ରାଜନୈତିକ ଦଳ ଏ ପ୍ରସଙ୍ଗରେ ‘ଗୋଠଖଣ୍ଡିଆ’ ନ ହୋଇ ଶପଥ ଅନୁଯାୟୀ ଏକଜୁଟ ଭାବେ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନର ରକ୍ଷା ଲାଗି ଲଢ଼େଇରେ ସାମିଲ ହେବେ। ସମସ୍ତଙ୍କ ପାଇଁ ‘ପାର୍ଟି ନୁହେଁ ମାଟି’ ମନ୍ତ୍ର ହେବ।

ସମ୍ବନ୍ଧିତ ଖବର