କୁମ୍ଭମେଳା

ବର୍ତ୍ତମାନ ଚୀନା କରୋନା ସହିତ ମୁକାବିଲା ରଣକୌଶଳ ଯେଉଁଭଳି ମୋଡ଼ ନେବା ଦେଖାଗଲାଣି, ସେଥିରୁ ମନେ ହେଉଛି ବୋଧହୁଏ ଆରମ୍ଭ ସମୟରେ ଗ୍ରହଣ କରାଯାଇଥିବା ଭୂତାଣୁ ଠାରୁ ଦୂରେଇ ରହିବା ନୀତି ପରିତ୍ୟାଗ କରି ଏଥର ଭୂତାଣୁ ସହିତ ଏକତ୍ର ବାସ ନୀତି ଅନୁସୃତ ହେବାକୁ ଯାଉଛି। ଏହାଦ୍ବାରା ‘ଗୋଠ ପ୍ରତିରୋଧିନୀ’ ଶକ୍ତି ସୃଷ୍ଟି ହୋଇ ଶେଷରେ କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ଆଶ୍ରୟହୀନ କରି ତୋଳିବ ବୋଲି ବିଶ୍ବାସ କରାଯାଉଛି।

କେତେଦିନ ତଳେ ଓଡ଼ିଶା ସରକାରଙ୍କର ମୁଖ୍ୟ କରୋନା ପ୍ରବକ୍ତା ସୁବ୍ରତ ବାଗ୍‌ଚୀ ଏ ଦିଗରେ ପ୍ରଥମେ ଇସାରା ଦେବା ପରେ, ‘ଆର‌୍‌ଏମ୍‌ଆର‌୍‌ସି’ର ସୁଯୋଗ୍ୟା ନିର୍ଦ୍ଦେଶିକା ଡାକ୍ତର ସ˚ଘମିତ୍ରା ପତି ଏକ ବକ୍ତବ୍ୟ ମାଧୢମରେ ଆମକୁ କରୋନା ସହିତ ସହବାସ କରିବାକୁ ଆହ୍ବାନ ଦେବା ଦେଖା ଯାଇଥିଲା। ଏବେ ଏହି ଚିନ୍ତାଧାରାକୁ ଆଉ ଟିକିଏ ଆଗେଇ ନେଇ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ବୈଷୟିକ ଉପଦେଷ୍ଟା ଡାକ୍ତର ଜୟନ୍ତ ପଣ୍ତା ମନ୍ତବ୍ୟ ଦେଇଛନ୍ତି ଯେ, କରୋନା ସ˚କ୍ରମଣ ଯେତେ ବ୍ୟାପିବ, ସେତେ ଭଲ- ଅର୍ଥାତ୍‌ ‘ଗୋଠ ପ୍ରତିରୋଧିନୀ’ ବା ‘ହର୍ଡ ଇମ୍ୟୁନିଟି’ ସେତେ ଶୀଘ୍ର ସୃଷ୍ଟି ହୋଇ ସମାଜକୁ କରୋନାମୁକ୍ତ କରିବ।

ତେବେ ଏ ପ୍ରକାର ଚିନ୍ତାଧାରା ଯେ କେବଳ ଓଡ଼ିଶାର କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମଧୢରେ ସୀମିତ, ତାହା ନୁହେଁ। ବର୍ତ୍ତମାନ ଦେଶରେ ଓ ଆମ ରାଜ୍ୟରେ ଯେଉଁଭଳି କ୍ରମେ ଲକ୍‌ଡାଉନ୍‌ କୋହଳ କରା ହେବାକୁ ଆରମ୍ଭ କଲାଣି, ତା’ପଛରେ ରହିଥିବା ମୁଖ୍ୟ କାରଣ ଅର୍ଥନୈତିକ ହୋଇଥିଲେ ହେଁ, ଏଥିସହିତ ଦେଶରେ ‘ହର୍ଡ ଇମ୍ୟୁନିଟି’ ମଧୢ ସୃଷ୍ଟି ହେବ ବୋଲି ଯେ ଆଶା କରାଯାଉଛି, ଏଥିରେ ସନ୍ଦେହ ନାହିଁ। ଯେତେବେଳେ ପ୍ରାୟ ଦୁଇମାସ ତଳେ କରୋନା ସହିତ ଯୁଦ୍ଧ ଆରମ୍ଭ ହୋଇଥିଲା, ସେତେବେଳେ ବିଶ୍ବାସ କରାଯାଉଥିଲା ଯେ ମାସେ ପନ୍ଦରଦିନ ମଧୢରେ ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ବ ରକ୍ଷା ଆଦି ମାଧୢମରେ କରୋନାକୁ କାବୁ କରି ଦିଆ ଯାଇପାରିବ ଏବ˚ ଅନେକେ ମଧୢ ବିଶ୍ବାସ କରୁଥିଲେ ଯେ ଭାରତର ଅସଲ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲେ, ତାହାର ଅସହ୍ୟ ତାତିରେ ଭୂତାଣୁ ଭସ୍ମ ହୋଇଯିବ। ଏବେ ଦେଖାଯାଉଛି ପାରଦ ଯେତେଯେତେ ଉପରକୁ ଉଠୁଛି (ଅନେକ ସ୍ଥାନରେ ୪୫˚ ସେଲସିଅସ୍‌ ଛୁଇଁଲାଣି), ଦେଶରେ ଓ ଆମ ରାଜ୍ୟରେ ସ˚କ୍ରମଣ ସେତେ ବୃଦ୍ଧି ପାଇବାରେ ଲାଗିଛି।

ଚୀନା କରୋନା ଯେ କେତେ ସପ୍ତାହ ବା କେତେ ମାସ ମଧୢରେ ଆମ ଠାରୁ ବିଦାୟ ନେବାକୁ ଯାଉନାହିଁ, ସେ ସମ୍ବନ୍ଧରେ ଏକ ବିଧିବଦ୍ଧ ସତର୍କ ବାଣୀ ଶୁଣାଇଛି ଖୋଦ୍‌ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’)। ଏହି ଜାତିସ˚ଘ ସ˚ସ୍ଥାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ବାମୀନାଥନ୍‌ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ କରୋନାକୁ ପୃଥିବୀରେ ସମ୍ପୂର୍ଣ୍ଣ କାବୁ କରିବା ପାଇଁ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିବ। ତାଙ୍କର ଏ ମନ୍ତବ୍ୟ ଶୁଣିବା ପରେ ମନରେ ଯେଉଁ ପ୍ରଥମ ପ୍ରତିକ୍ରିୟାର ଆବିର୍ଭାବ ଘଟିବା ସ୍ବାଭାବିକ, ତାହା ହେଲା- ପୃଥିବୀ ବାସୀ କ’ଣ ଏତେଦିନ ଧରି ଲକ୍‌ଡାଉନ୍‌ରେ ରହିପାରିବେ?

ଏହାର ଏକ ଉତ୍ତର ହୋଇପାରେ ଯେ ଅନ୍ତତଃ କରୋନା ନିରାକରଣ ଟିକାର ଉଦ୍ଭାବନ ଓ ଉତ୍ପାଦନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ମାଧୢମରେ ସାପର ଫଣାକୁ ଅବନତ କଲା ପରି କରୋନା ସ˚କ୍ରମଣ ବୃଦ୍ଧିହାର ସୂଚାଉଥିବା ଗ୍ରାଫ୍‌କୁ ସମତଳ କରି ରଖାଯାଇପାରିବ। କିନ୍ତୁ ଏହା ମଧୢ ବିଶେଷ ଆଶାଜନକ ନୁହେଁ। କାରଣ, ଯଦିବା ଆମେରିକାରୁ ଭାରତ ପର୍ଯ୍ୟନ୍ତ ଔଷଧ ଗବେଷକ ଓ ନିର୍ମାତାମାନେ ଯେତେଶୀଘ୍ର ସମ୍ଭବ ଏକ ଟିକା ଉଦ୍ଭାବନ କରିବାକୁ ଚେଷ୍ଟା ଚଳାଇଛନ୍ତି, ବାସ୍ତବତା ହେଲା ବର୍ଷେ ବା ଦେଢ଼ ବର୍ଷ ପୂର୍ବରୁ ତାହା ଆତ୍ମପ୍ରକାଶ କରିବାର ସମ୍ଭାବନା କ୍ଷୀଣ। ସେତିକି ନୁହେଁ, ତା’ର ପୁଣି ପର୍ଯ୍ୟାପ୍ତ ଉତ୍ପାଦନ ସାଧିତ ହୋଇ ବସନ୍ତ ଟିକା ଭଳି ପୃଥିବୀର ସମସ୍ତ ପ୍ରାୟ ସାଢ଼େ ସାତ ଶହ କୋଟି ଲୋକଙ୍କ ଠାରେ ପ୍ରୟୋଗ ପାଇଁ ଉପଲବ୍‌ଧ ହେବା ସକାଶେ ଆଉ ପ୍ରାୟ ସେତିକି ସମୟ ଲାଗିଯାଇପାରେ। ହୁଏତ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ଭଳି ପୃଥିବୀର ବୃହତ୍ତମ ଟିକା ଉତ୍ପାଦନକାରୀ ସ˚ସ୍ଥା ଭାରତ ପାଇଁ ଏହାକୁ ସାମାନ୍ୟ ତ୍ବରାନ୍ବିତ କରିପାରେ। କିନ୍ତୁ ଯାହା ହେଲେ ବି, ନିକଟ ଭବିଷ୍ୟତରେ ସମ୍ପୂର୍ଣ୍ଣ ‘ଗୋଠ ପ୍ରତିରୋଧିନୀ’ ଶକ୍ତି ସୃଷ୍ଟି ପାଇଁ ଟିକା ଉପଲବ୍‌ଧ ହେବାର କୌଣସି ସମ୍ଭାବନା ନାହିଁ।

ଏଣୁ ଏଥିପାଇଁ ଉପଲବ୍‌ଧ ଏକମାତ୍ର ବିକଳ୍ପ ହେଉଛି- ଲକ୍‌ଡାଉନ୍‌ ଉଠାଇ ଦେଶରେ ଏକ ମେଳା ଭଳି ପରିସ୍ଥିତି ସୃଷ୍ଟି କରି, ଭୂତାଣୁ ସହିତ ଏକତ୍ର ବାସ କରି ‘ଗୋଠ ପ୍ରତିରୋଧିନୀ’ ଶକ୍ତି ସୃଷ୍ଟି କରିବା। ତେବେ ଏହା ଯେ ଏକ ବିପଦମୁକ୍ତ ପନ୍ଥା ନୁହେଁ, ଏହା ସୂଚାଇବା ଅନାବଶ୍ୟକ। ଯେଉଁ ସ˚କ୍ରମିତ ବ୍ୟକ୍ତିମାନେ ରୋଗ ଭୋଗ କଲା ପରେ ସୁସ୍ଥ ହୋଇଯିବେ, କିମ୍ବା ଯେଉଁମାନଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇବ ନାହିଁ, ସେମାନେ ପ୍ରତିରୋଧିନୀ ଶକ୍ତି ହାସଲ କରିବେ; କିନ୍ତୁ କେତେକ ସ˚କ୍ରମିତ ବ୍ୟକ୍ତି ସୁସ୍ଥ ନ ହୋଇ ଯନ୍ତ୍ରଣା ପାଇ ମୃତ୍ୟୁ ମୁଖରେ ପଡ଼ିବା ସୁନିଶ୍ଚିତ। ଏମାନେ ହେବେ ମୁଖ୍ୟତଃ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତିମାନେ। ପ୍ରକାଶିତ ପରିସ˚ଖ୍ୟାନ ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ ଘଟିଥିବା ଅର୍ଧାଧିକ ମୃତ୍ୟୁ ଏହି ବୟସ ସୀମା ଉପରେ କେନ୍ଦ୍ରୀଭୂତ ହେବା ଦେଖାଯାଇଛି।

ଏକ ମତ ପ୍ରକାଶ ପାଇବା ଦେଖାଗଲାଣି ଯେ ଏହି ବିପଦ ସମ୍ଭାବନା ଦୃଷ୍ଟିରୁ ‘ଗୋଠ ପ୍ରତିରୋଧିନୀ’ ସୃଷ୍ଟି ନୀତି ଅବଲମ୍ବନ କରିବା ପାଇଁ ଭାରତ ହେଉଛି ସବୁଠାରୁ ଅଧିକ ଉପଯୁକ୍ତ ଦେଶ। କାରଣ, ଭାରତର ଜନସ˚ଖ୍ୟାର ୮୨ ଶତା˚ଶ ଲୋକଙ୍କର ବୟସ ହେଉଛି ୫୦ ବର୍ଷରୁ କମ୍‌। ସ˚କ୍ରମିତ ହେଲେ, ଏମାନଙ୍କର ମୃତ୍ୟୁ ସମ୍ଭାବନା ହେଉଛି ୦.୨ ଶତା˚ଶରୁ ମଧୢ କମ୍‌। ଜନସ˚ଖ୍ୟାର ୮ ଶତା˚ଶ ଲୋକଙ୍କ ବୟସ ହେଉଛି ୫୦ରୁ ୫୯ ବର୍ଷ ମଧୢରେ ଏବ˚ ଏମାନଙ୍କର ସ˚କ୍ରମଣ ଜନିତ ମୃତ୍ୟୁ ସମ୍ଭାବନା ହେଉଛି ୦.୪ରୁ ୧ ଶତା˚ଶ ମଧୢରେ। ତେଣୁ ବର୍ତ୍ତମାନ ହୁଗୁଳା କରି ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ଅବାଧରେ ବାହାରକୁ ଆସି ଯାଉଥିବା ୬୦ ବର୍ଷରୁ କମ୍‌ ବୟସର ଲୋକମାନଙ୍କ ମଧୢରୁ ୯୯.୭ ଶତା˚ଶଙ୍କ ଠାରେ ନିରାପଦରେ ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇଯିବ।

ଆମେରିକାର ପ୍ରସିଦ୍ଧ ପ୍ରିନ୍‌ସଟନ୍‌ ବିଶ୍ବବିଦ୍ୟାଳୟ ଏବ˚ ଅନ୍ୟ ଏକ ରୋଗ ଗବେଷଣା ସ˚ସ୍ଥା କରିଥିବା ଏକ ମିଳିତ ଅନୁଶୀଳନ ଅନୁସାରେ ଏବେ ଲକ୍‌ଡାଉନ୍‌ ଉଠିଗଲେ ଆଉ ମାତ୍ର ସାତ ମାସ ମଧୢରେ ଅର୍ଥାତ୍‌ ଚଳିତ ବର୍ଷ ଶେଷ ବେଳକୁ ଆମ ଦେଶର ୬୦ ଶତା˚ଶ ଲୋକଙ୍କ ଠାରେ ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇସାରିଥିବ। ଦେଶ କରୋନାରୁ ମୁକ୍ତି ପାଇଯିବ। ତା’ହେଲେ ଜନସ˚ଖ୍ୟାର ମାତ୍ର ୧୦ ଶତା˚ଶ ହୋଇଥିବା ୬୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀମାନଙ୍କର କ’ଣ ହେବ? ହୁଏତ ଜୀବନ ଯୌବନ ଉପଭୋଗ କରିସାରିଥିବା ଏହି ଅନୁତ୍ପାଦନଶୀଳ ସଦସ୍ୟମାନେ ସମାଜର ସାମଗ୍ରିକ ମଙ୍ଗଳ ପାଇଁ ତ୍ୟାଗ କରିବା ସକାଶେ ପ୍ରସ୍ତୁତ ହେବା ଉଚିତ୍‌- ତାହା ହିଁ ବୋଧହୁଏ ଏ ନୀତିର ଅନୁଚ୍ଚାରିତ ଆହ୍ବାନ। କୁମ୍ଭମେଳାରେ ବୃଦ୍ଧ ପିତାମାତାମାନଙ୍କୁ ସନ୍ତାନମାନେ ଜାଣିଶୁଣି ଛାଡ଼ି ଚାଲି ଆସୁନଥିଲେ କି?

ସମ୍ବନ୍ଧିତ ଖବର